ଉପକ୍ରମ
ଏ ରୋଗରେ ଜଣେ, ଆଲୋକ କମିଥିଲେ ଦେଖିବାର ଅସୁବିଧା ଭୋଗ କରେ । ତେଣୁ ରାତିରେ ପ୍ରାୟତଃ ଦେଖିପାରେ ନାହିଁ । ସାଧାରଣତଃ ଗାଁ ଗହଳିର ଲୋକେ ଏହା ଭୋଗ କରିଥା’ନ୍ତି । ଭିଟାମିନ ‘A’ ଅଭାବରୁ ଏହା ହୋଇଥାଏ । ହୁଏତ ଗର୍ଭାବସ୍ଥାରେ ମା’ର ଏହି ଖାଦ୍ୟପ୍ରାଣର ଅଭାବ ବା ଜନ୍ମପରେ ଛୁଆର ପୁଷ୍ଟିସାର ଅଭାବ, ଏହାର ମୁଖ୍ୟ କାରଣ । ଅନେକ ସମୟରେ ଅବଶ୍ୟ ଏହାର ପରିମାଣ ଯଥେଷ୍ଟ ଥିଲେ ମଧ୍ୟ ସେସବୁକୁ ଉପଯୁକ୍ତ ଭାବରେ ପରିପୋଷଣ ଓ ଗ୍ରହଣ କରିବାର ଶକ୍ତି ଶାରୀରିକ ଯନ୍ତ୍ରମାନଙ୍କର ନଥିବା କାରଣରୁ ମଧ୍ୟ ଜଣକୁ ଏହା ଭୋଗ କରିବାକୁ ପଡେ । ସୁତରାଂ ଏହାର ଚିକିତ୍ସା ସମୟରେ ଏହି ଖାଦ୍ୟସାରର ଯୋଗାଣ ତଥା ଶରୀରରେ ଏହାର ଉପଯୁକ୍ତ ବିନିଯୋଗ ହେବା ଦିଗକୁ ମଧ୍ୟ ଦୃଷ୍ଟି ଦେବାର କଥା । ଖାଦ୍ୟ ଭିତରେ ଶାଗ, ମାଂସ, କଲିଜା, ଲହୁଣି, ମାଛତେଲ, ଅଣ୍ଡା ଇତ୍ୟାଦିର ଯଥେଷ୍ଟ ବ୍ୟବହାର ସହିତ ନିମ୍ନଲିଖିତ ଔଷଧ, ଅବସ୍ଥା ଭେଦରେ ବ୍ୟବହାର କରିବାକୁ ହେବ, ଏ ରୋଗ ଆରୋଗ୍ୟ କରିବା ପାଇଁ ।
ଲକ୍ଷଣ
ଗୋଧୂଳିପରେ ଆଦୌ ଦେଖାଯାଉନଥିବ ; ଆଖି ଆଗରେ ଲାଲ ବା ଅଗ୍ନିସ୍ଫୁଲିଙ୍ଗ ଭଳି ଆଲୁଅ ଦେଖାଯାଉଥିବ ; ବତି ଚାରିପଟେ ନାନାରଙ୍ଗର ଆଲୋକମାନ ଘେରି ରହିଲା ଭଳି ଜଣାପଡୁଥିବ ତାହାହେଲେ
ବେଲାଡୋନା – ୧୦୦୦ ସପ୍ତାହକୁ ପାନେକରି ଖା’ନ୍ତୁ । ଯଦି କେହି ଅନ୍ଧାର କଣା, ସନ୍ଧ୍ୟାବେଳେ ଆଲୁଅ ଆଖିରେ ପଡୁପଡୁ ଝିଲଝିଲ୍ କରିବା ଅନୁଭବ କରୁଥିବେ ଓ ଆଖି ଆଗରେ କଳାକଳା ପୋତକ ଉଡୁଥିବା ଭଳି ମନେ କରୁଥିବେ, ପେଟରେ ଅମ୍ଳ ହେଉଥିବ, ତାହାହେଲେ
ଲାଇକୋପୋଡିୟମ – ୧୦୦୦, ପନ୍ଦର ଦିନରେ ଥରେ ଖାଇବା ତାଙ୍କର ଦରକାର । ଏହାର ରୋଗୀର ଅପରାହ୍ନ ଚାରିଟା ବାଜିଲେ ହିଁ କାମଦାମ ସବୁବନ୍ଦ । କିଛି ଦେଖିପାରେନା । ଭଲଥିଲେ ହଠାତ୍ ଅନ୍ଧାରକଣା ଆରମ୍ଭ ହେଇ ଯାଇଛି, ତାହାହେଲେ ତାଙ୍କର ସଲଫର ଖାଇବା ଦରକାର । ଅବଶ୍ୟ ସଲଫର ରୋଗୀ ଖୁବ୍ ଅପରିଷ୍କାର, ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ, ସକାଳୁ ଉଠୁଉଠୁ ଅତର୍ଛିଆ ଝାଡା ଦଉଡନ୍ତି, ବହୁତ ପାଣି ପିଅନ୍ତି ଓ ସେ ଅନୁପାତରେ ତାଙ୍କର ଖାଇବା ବହୁତ କମ୍ । ଡେଙ୍ଗା ପତଳା ଲୋକ, ଆଖି ଆଗରେ ଜୁଳୁଜୁଳିଆ ପୋକ ଉଡିଲାଭଳି ମନେକରୁଥିବେ ; ଖୁବ୍ ଥଣ୍ଡାପାଣି, କୋଲ୍ଡ ଡ୍ରିଙ୍କ, ଆଇସକ୍ରିମ ଖାଇବାରେ ଅତ୍ୟଧିକ ଆଗ୍ରହ, ମେଘା ଘଡଘଡି ଚଡଚଡି କୁ ପ୍ରାଣଭୟ, ଏପରି ଲୋକଙ୍କୁ ଅନ୍ଧାରକଣା ହୋଇଥିଲେ ଫସଫରସ ଉଚ୍ଚଶକ୍ତିର ଦେବା ଦରକାର, ପୂର୍ବ ଔଷଧ ମାନଙ୍କ ଭଳି ।
ବେଲାଡୋନାର ଲକ୍ଷଣ ଥାଇ ଉପଶମ ନ ହେଲେ
ଭେରାଟ୍ରମ – ଏଲକମ ଏହି ରୋଗ ଭଲ କରି ଦେଇଥାଏବୋଲି ଡା : ଝାରଙ୍କ ମତ । କେତେକ କ୍ଷେତ୍ରରେ ଦେଖିବେ, ମଝିରେ ମଝିରେ କେବଳ ଏଭଳି ଅସୁବିଧା ହେଉଛି, ଲଗାତାର ନୁହେଁ । କିଛିଦିନ ହେଲା, ପୁଣି ଆପେ ଆପେ ଭଲ । ଏଭଳି କ୍ଷେତ୍ରରେ
ଷ୍ଟ୍ରାମୋନିୟାମ ଖୁବ୍ ଭଲ କାମ କରେ ବୋଲି ଡା: କେ : ସି: ଭଞ୍ଜ କୁହନ୍ତି । ବରାବର ବାଇଦୋଷ ଧରି ଅଜୀର୍ଣ୍ଣ ଝାଡା ଭୋଗୁଥିବ, ଦେହ ଦିନକୁ ଦିନ ଦୁର୍ବଳ ହୋଇ ଯାଉଥିବ, ତାହାହେଲେ
ଚାଇନା – ୩୦ ଦିନକୁ ଦୁଇଥର କରି କିଛିଦିନ ଖାଇଲେ ଅନ୍ଧାର କଣା ବେଶ୍ ଉପଶମ ହୁଏ । ଅତ୍ୟଧିକ ଶୁକ୍ରକ୍ଷୟ, ରଜଃସ୍ରାବ, ବହୁସନ୍ତାନର ଜନନୀଙ୍କ କ୍ଷେତ୍ରରେ ମଧ୍ୟ ଏହା ଉପକାରୀ । ଦିନସାରା ଆଖି ଝିଲଝିଲ୍ କରୁଥିବ ଓ ରାତିହେଲେ ସମ୍ପୂର୍ଣ୍ଣ ଅନ୍ଧ, ପେଟ ଦୋଷ, ପେଟମରା ରୋଗ – ଖାଇଲେ ଯନ୍ତ୍ରଣା ଲାଘବ, ବଦମେଜାଜି ହିଂସ୍ର ଲୋକଙ୍କ ପାଇଁ ଏନାକାର୍ଡିୟାମ ଅମୋଘ ସେହିଭଳି ଯେଉଁ ପିଲାମାନେ, ମାଟି, ଅଙ୍ଗାର, ଖଡି ଖାଉଥିବେ, ପରିସ୍ରା ଗନ୍ଧ ଖୁବ୍ ଯୋର ଥିବ , ସେମାନଙ୍କୁ
ଏସିଡ ନାଇଟ୍ରିକ ଦେଲେ ନିଶ୍ଚିତ ଭଲ ହେବ । କେତେକଙ୍କ ମତରେ ହଠାତ୍ ଅନ୍ଧାରକଣା ଆରମ୍ଭ ହେଇଥିଲେ
ରାନାନକୁଲସବଲ୍ ବ ଖୁବ୍ର ଭଲ କାମ କରେ । ସେ’ଟା ଅବଶ୍ୟ ଠିକ୍, ମାତ୍ର ଏଥିରେ ଯଦି ସାମାନ୍ୟ ଉପଶମ ହେବା ପରେ ଆଉ ଆଗାଏ ନାହିଁ, ଅଥବା କିଛି ଫଳ ଲାଭ ନ ହୁଏ ତାହାହେଲେ ସଲଫର ଦେବା ବାଞ୍ଛନୀୟ ।
ସଂଗୃହୀତ – ଡାକ୍ତର କମଳାକାନ୍ତ କର