অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉଚ୍ଚରକ୍ତଚାପ ର ହୋମିଓପ୍ୟାଥି ଚିକିତ୍ସା

ଉଚ୍ଚରକ୍ତଚାପ ର ହୋମିଓପ୍ୟାଥି ଚିକିତ୍ସା

ଉଚ୍ଚରକ୍ତଚାପ

ଆଜି  କାଳିକାର   ପାରିପାର୍ଶ୍ଵିକ   ଅବସ୍ଥା, ଚଳଣି,  ଖାଦ୍ୟପେୟ, କାର୍ଯ୍ୟରଚାପ  ଓ   ମାନସିକ  ବ୍ୟସ୍ତତା  କାରଣରୁ  କମ୍  ବୟସର   ଲୋକମାନଙ୍କୁ   ଯେତେବେଳେ  ଏହା  ବହୁଳ  ଭାବରେ   ଆକ୍ରମଣ   କରୁଛି, କିଡନି, ଲିଭର  ବା  ହାର୍ଟର  କୌଣସି  ତ୍ରୁଟି  ନଥିଲେ   ମଧ୍ୟ,  ବୟସ୍କମାନଙ୍କ  କଥା  କ’ଣ  ବା  କହିବା   । ସ୍ଵାଭାବିକ  ଭାବରେ  ତ  ସେମାନଙ୍କର  ଏ  ବୟସରେ  ତନ୍ତୁଗତ  କଠିନତା  ବୃଦ୍ଧି  ହେତୁ  ଧମନୀମାନଙ୍କର  ନମନିୟତତା  ହ୍ରାସ  ହୋଇ  ରକ୍ତ  ସଞ୍ଚାଳନର  ଚାପ  ବଢି  ଯାଇଥାଏ   । ତେଣୁ  କରି  ମାନସିକ  ଉତ୍ତେଜନା,  ଚାପ  ବା  ଟେନସନ୍  ଓ  କାର୍ଯ୍ୟଭାର   ଯେତେ  ଲାଘବ  କରାଯାଇପାରେ  ତା’ର  ବ୍ୟବସ୍ଥାକରି  ଅତ୍ୟଧିକ   ତେଲ  ବା  ଚର୍ବି,  ଲୁଣ  ଓ  ମସଲା  ଦିଆ  ଖାଦ୍ୟକୁ   କମାଇ  ଖାଦ୍ୟ  ସହିତ  ନିୟମିତ  ଚଲହା  ବା  ଘୋଳଦହି  ଖାଇ, ସ୍ୱଳ୍ପ  ଅଥଚ  ନିୟମିତ   କାୟିକ   ପରିଶ୍ରମ  କରୁଥିଲେ  ଏହି  ରୋଗକୁ  ଆୟତ୍ତରେ  ରଖାଯାଇପାରେ   ।

ଉଚ୍ଚରକ୍ତଚାପ ପାଇଁ  ହୋମିଓପ୍ୟାଥି ଔଷଧ

ଏ  ସବୁ  ସତ୍ତ୍ୱେ   ଯଦି  ରକ୍ତଚାପ  ୧୫୦/୧୦୦  ରୁ  ସର୍ବଦା  ଅଧିକ  ରାହୁଥାଏ,  ତାହା  ହେଲେ  ନିମ୍ନଲିଖିତ  ଔଷଧ  ଅବସ୍ଥା  ଭେଦରେ   ବ୍ୟବହାର  କରିବା  ଉଚିତ  ।

ରାଉଲଫିଆ  ସର୍ପେଣ୍ଟାଇନା Q : ଏହା  ଉଚ୍ଚରକ୍ତଚାପ  ପାଇଁ  ବ୍ୟବହାର   ହେଉଥିବା  ଏକ  ନୀତିଦିନିଆ  ଔଷଧ   । ଏହା  ମାନସିକ   ଉତ୍ତେଜନାକୁ  ଲାଘବ  କରି  ଭଲ  ନିଦ  କରାଇଥାଏ   । ଏହା  ବିଶେଷଭାବରେ  କୌଣସି  ଯାନ୍ତ୍ରୀକତ୍ରୁଟି   ଜନିତ  (କିଡନି, ଲିଭର  ଇତ୍ୟାଦି  ଦୋଷରୁ)  ଉଚ୍ଚ  ରକ୍ତଚାପରେ  ବ୍ୟବହାର  ନ ହୋଇ,  ମାନସିକ  ଉତ୍ତେଜନା, କାର୍ଯ୍ୟଭାର ଓ  ଅନିଦ୍ରାଜନିତ  କାରଣରୁ  ହୋଇଥିବା  ଉଚ୍ଚରକ୍ତ ଚାପରେ  ହିଁ  ଭଲ  ଫଳ  ଦିଏ  ।  ଏହି  ଔଷଧର ମୂଳ  ଅର୍କ  ବା  ମଦରଟିଞ୍ଚର  (Q) ବୟସ  ଓ  ଅବସ୍ଥା  ଭେଦରେ  ୧୦  ଟୋପାରୁ  ୩୦ ଟୋପା  ପର୍ଯ୍ୟନ୍ତ  ଦିନରେ  ଥରକରୁ  ତିନିଥର  ପର୍ଯ୍ୟନ୍ତ  ବ୍ୟବହାର   କରାଯାଇ  ପାରେ   । ଏହା  ଏକ  ଭାରତୀୟ  ଔଷଧ  ହୋଇଥିବାରୁ  ଆମ  ଦେଶର  ପରିସ୍ଥିତିରେ  ଆମ  ଲୋକଙ୍କ  ଉପରେ   କାର୍ଯ୍ୟକାରୀ  ଗୁଣ  ଚମତ୍କାର   ବୋଲି  କହିବା  ସ୍ଵାଭାବିକ   ।

ପାସିଫ୍ଲେରା  ଇନକାରନାଟା Q : ଏହା  ମଧ୍ୟ  ରାଉଲଫିଆ  ଭଳି  ଅତ୍ୟଧିକ  ମାନସିକ  ଉତ୍ତେଜନା  ସହିତ  ନିଦ୍ରାହୀନତା  ହୋଇ  ରକ୍ତଚାପ  ବଢିଗଲେ  ବ୍ୟବହାର   କରାଯାଏ   । ଏଥିରେ  କିନ୍ତୁ  କାର୍ଯ୍ୟଚାପ  ହେତୁ  ବ୍ୟସ୍ତତା  ଓ  ଅସ୍ଥିରତା  ବେଶି  ଦେଖାଯାଏ  ଓ  ତତ୍  ସହିତ  ଶାରୀରିକ  ଓ  ମାନସିକ  କ୍ଳାନ୍ତି  ମଧ୍ୟ  ଅଧିକ  ଅନୁଭୂତ  ହୁଏ  ଓ  ତା ସଙ୍ଗେ  ସଙ୍ଗେ  ପାଲପିଟେସନ୍  ବା  ଛାତି   ଧଡଧଡ  ପ୍ରାୟତଃ  ଲାଗିରହେ   ।

ଗ୍ଲୋନାଇନ-୬ ରୁ ୨୦୦ : ଉଚ୍ଚରକ୍ତଚାପ  ସହିତ  ସାଘାଂତିକ  ମୁଣ୍ଡବ୍ୟଥା  ଥିଲେ  ମନ୍ତ୍ରବତ  କମ  କରେ   । ଏହି  ‘ସାଘାଂତିକ’ ଶବ୍ଦଟିକୁ  ଖିଆଲରେ  ରଖିବାକୁ  ହେବ   । ମୁଣ୍ଡବ୍ୟଥା  ଏପରି  ସାଘାଂତିକ  ଯେ  ମୁଣ୍ଡ  ଉପର  ଖପୁରି  ସତେ  ଯେପରି  ଫାଟିଯିବ   ଏପରି  ମନେ  ହୁଏ  । ମୁଣ୍ଡ  ଭିତରେ  ଧମନୀ   ଗୁଡିକ  ଧକ୍ ଧକ୍  କରି  ନାଡୀ  ସହିତ   ସମତାଳରେ  ଚାଲିଲା  ଭଳି  ପରିଷ୍କାର  ଜଣା  ପଡୁଛି   ବୋଲି  ରୋଗୀ   କମ୍ପଲେନ   କରେ   । ସିଧା  ସଳଖ  ଖରାରେ  ଠିଆ ହେବା  ପରେ  ଏଭଳି  ଅବସ୍ଥା  ଆସିଥିଲେ, ଏହାକୁ  ଅବିଳମ୍ବେ   ବ୍ୟବହାର  କରିବାର  କଥା   । ମାତ୍ର  ଗୋଟିଏ  କଥା  ମନେରଖନ୍ତୁ, ଏହି  ପ୍ରବଳ  ମୁଣ୍ଡବଥାରେ  ଯଦି  ରୋଗୀ  ଖୁବ୍  ଅସ୍ତବ୍ୟସ୍ତ  ହୋଇ  ପଡୁଥା’ନ୍ତି  ଓ  ନିଶ୍ଚିତ  ମୃତ୍ୟୁ  ବୋଲି   ଧାରଣା   କରି  ଭୟ  ବିହଳିତ   ହୋଇ  ପଡନ୍ତି  ତାହାହେଲେ  ଆକୋନାଇଟ ଟ୨୦୦  ଶକ୍ତିର   ପ୍ରତି  ୨/୩ ଘଣ୍ଟାରେ  କେତେପାନ ଦେଇ  ଅବସ୍ଥାର  ଉନ୍ନତି  ହେବା  ପରେ  ଗ୍ଲୋନୋୟନ   ଦେବେ   ।

ଯେ  କୌଣସି  ଆଲୁଅ  ବା  ଶବ୍ଦ  ଅତ୍ୟନ୍ତ  ଅସହ୍ୟ  ବୋଧହେଉଥିବ   ସତେ  ଯେପରି  ତାହା  ମୁଣ୍ଡଭିତର  ଧମନୀ  ଗୁଡିକ  ଅଧିକ  ତୀବ୍ର  ଭାବରେ  ଚାଲିବାରେ  ସାହାଯ୍ୟ  କରୁଛି ; ମୁହଁଟା  ଲାଲ୍  ଦେଖାଯାଉଥିବ ; ବିଶେଷ  କରି   ଡାହାଣ  ପଟ  ମୁଣ୍ଡ  ବିନ୍ଧୁଥିବ, ତାହାହେଲେ   ବେଲାଡୋନା ଉଚ୍ଚ  ଶକ୍ତି  ପ୍ରତି ୨/୩ ଘଣ୍ଟାରେ  ଦିଅନ୍ତୁ   । ହଠାତ୍  କୌଣସି  କାରଣରୁ, ଭୟ  ବା  କୌଣସି  ପ୍ରକାରର  ମାନସିକ  ସ୍ତମ୍ଭନ   ପାଇଁ  ଯଦି  ରକ୍ତଚାପ  ବଢିଯାଏ   ଓ  ରୋଗୀ  ମୃତ୍ୟୁ  ଆଶଙ୍କାରେ  ଭୟଭୀତ  ହୋଇ  ପଡେ  ତାହାହେଲେ  ଏକୋନାଇଟ – ୨୦୦ ର  ପୁନଃପୁନଃ  ପ୍ରୟୋଗ   ତୁରନ୍ତ   ଉପଶମ  ଆଣିବ  ।

କେତେକ  କ୍ଷେତ୍ରରେ  ଦେଖିବେ, ବ୍ଲଡପ୍ରେସର  ମାପର  ଉପର  ଓ  ତଳ   ଦୁଇ  ମାନ  ଭିତରେ  ଅତିବେଶି  ଅସାମଞ୍ଜସ୍ୟତା   ଦେଖାଯାଉଛି ; ଧରନ୍ତୁ  ଉପର  ୧୮୦  ହେଲାବେଳକୁ  ତଳଟି   ରହିଛି  ୯୦ ବା  ୮୦ ବା  ଉପର  ୧୨୦ ଥିଲାବେଳେ   ତଳଟା  ୫୦ ବା  ୧୦୦ ; ତାହାହେଲେ  ବାରାଇଟାମ୍ୟୁର ୩୦ – ୨୦୦  ଶକ୍ତିର  ପ୍ରତିଦିନ  ଥରେ  ଦୁଇଥର   କରି  ଖାଇଲେ   ଏହା  ଦୂର   ହୋଇଯାଇଥାଏ   ।

ହଠାତ୍  ପ୍ରେସର  ବଢିଗଲେ   ଆମିଲନାଇଟ୍ରେଟ Q ରୁମାଲରେ  ୫-୧୦  ଟୋପା  ପକାଇ  ଶୁଙ୍ଘାଇଲେ  ବ୍ଲଡପ୍ରେସର  ତୁରନ୍ତ  କମିଯିବାର  ଦେଖାଯାଏ  । ଏଲିଆମସାଟିଲା Q ରୁ  ୨୦-୩୦ ଟୋପା  ସାମାନ୍ୟ  ପାଣିରେ  ମିଶାଇ  ଖାଇଲେ  ୩୦ – ୪୫ ମିନିଟ   ମଧ୍ୟରେ  ରକ୍ତଚାପ  କମିଯିବା  କଥା  ଡା :ବୋରିକ୍  କହିଛନ୍ତି  । ସେହିଭଳି  ଭେରାଟ୍ରମଭିରିଡି – ୬ ଶକ୍ତିର  ଔଷଧକୁ  ପାଣିରେ  ପକାଇ  ପ୍ରତି  ପନ୍ଦର  ମିନିଟରେ  ଏକ  ଚାମୁଚ  କରି  ଦେଲେ  ମଧ୍ୟ  ରକ୍ତଚାପ  ତୁରନ୍ତ   କମିଆସିବାର   ଦେଖାଯାଏ  ।  ତେବେ  ଏଲିୟାମସାଟିଲା ସାମିଶାହାରିଙ୍କ  ପକ୍ଷରେ   ଭଲକାମ   କରୁଥିବା  ଅଭିଜ୍ଞତାରୁ   ଜଣାଯାଏ   । ଭେରାଟ୍ରମଭିରିଡିର ପ୍ରୟୋଗ କ୍ଷେତ୍ର  ହେଉଛି, ଯେତେବେଳେ  ରୋଗୀ  ତା’ର  ଶରୀରର   ସବୁଆଡେ  ଧମନୀର  ସ୍ପନ୍ଦନ  ଅନୁଭବ  କରୁଥିବେ  ଓ  ଜିଭରେ  ଧଳା  ବା  ହଳଦିଆ  ବୋଳ  ସହିତ  ଜିଭ  ମଝିରେ  ଉପରୁ  ତଳକୁ  ଗୋଟିଏ  ନାଲି  ଦାଗ  ରହିଥିବ   । ବେକ  ପଛପଟ  ବ୍ୟଥା  ପାଇଁ  ମୁଣ୍ଡ  ତୋଳି  ଧରିବାରେ  କଷ୍ଟ  ହେବା  ମଧ୍ୟ  ଏହାର ଏକ  ଲକ୍ଷଣ   ।

ସେ  ଯାହାହେଉନା  କାହିଁକି   ରକ୍ତଚାପ  ଯଦି  ହଠାତ୍  ଖୁବ୍  ବଢିଯାଏ   ଏବଂ  ସ୍ୱଳ୍ପସମୟ  ମଧ୍ୟରେ  ନ କମେ, ତାହାହେଲେ  ଯଥାଶୀଘ୍ର   ବିଶେଷଜ୍ଞଙ୍କ  ପରାମର୍ଶ   ଲୋଡିବା  ଆବଶ୍ୟକ,  ନଚେତ୍  ଅନେକ  ମାରାତ୍ମକ  ଜଟିଳତା  ମଧ୍ୟକୁ  ରୋଗୀ  ଚାଲିଯାଇ   ପାରେ   ।

ସଂଗୃହୀତ – ଡାକ୍ତର  କମଳାକାନ୍ତ  କର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate