ଧଇଁ, ଦମା ବା ଶ୍ଵାସର କାରଣ ଧଇଁ, ଦମା ବା ଶ୍ଵାସର କାରଣ ଶ୍ଵାସନଳୀର ପ୍ରଦାହଠାରୁ ଆରମ୍ଭକରି ଏଲାର୍ଜି ପର୍ଯ୍ୟନ୍ତ ଯାହା ବା ହେଉ; ଶିଶୁ ହେଉ , ତରୁଣ ହେଉ ବା ବୃଦ୍ଧ କୁହନ୍ତୁ – କେତେକ ଲୋକଙ୍କଠାରେ ଏହା ନିର୍ଦ୍ଧିଷ୍ଟଭାବରେ ବର୍ଷାଦିନରେ ଏକ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଥାଏ । ଅବେଳରେ ହଠାତ୍ ଏହା ଆରମ୍ଭ ହୋଇ ରୋଗୀ ତଥା ତାଙ୍କ ପରିବାରକୁ ଏକ ବିବ୍ରତ ଅବସ୍ଥାରେ ପକାଇଥାଏ । ସଙ୍ଗେ ସଙ୍ଗେ ଏ କଷ୍ଟ ଦୂରପାଇଁ ବ୍ୟବସ୍ଥା ନ କଲେ ଖୁବ୍ ଶୀଘ୍ର ଏହା ଏକ ସାଂଘାତିକ ଅବସ୍ଥାରେ ପକାଇ ମରଣାନ୍ତକ ଯନ୍ତ୍ରଣା ଆଣିଥାଏ ଓ ଯଥାଶୀଘ୍ର ହାସପାତାଳରେ ଭର୍ତ୍ତିକରିବାର ଆବଶ୍ୟକତା ପଡେ । ଚିକିତ୍ସା ପାଇଁ ଔଷଧ ତେଣୁ ନିମ୍ନଲିଖିତ ଔଷଧମାନଙ୍କରୁ ଗୋଟିଏ ଲେଖାଏଁ ଶିଶି ଗୁଳି ଆକାରରେ ପାଖରେ ରଖି, ରୋଗୀର ଅବସ୍ଥାନୁସାରେ, ପ୍ରଦତ୍ତ ଲକ୍ଷଣ ଗୁଡିକର ନିର୍ଦ୍ଦେଶାନୁଯାୟୀ ଯଦି ସେଥିରୁ ଥରକେ ୪/୫ଟି ଗୁଳି ବା ମୂଳଅର୍କ (Q) ହୋଇଥିଲେ ୫/୧୦ ଟୋପା ସାମାନ୍ୟପାଣିରେ ମିଶାଇ, ଚାମୁଚିଏକରି ଘଣ୍ଟାଏ ଦୁଇଘଣ୍ଟା ଅନ୍ତରରେ ବ୍ୟବହାର କରାଯାଏ ତାହାହେଲେ ଯଥାଶୀଘ୍ର ଏକ ସଙ୍କଟଜନକ ମୂହୁର୍ତ୍ତକୁ ଏଡାଇ ଦିଆଯାଇ ପାରିବ । ଏଣ୍ଟିମଟାର୍ଟ : ୩୦ – ୨୦୦ ଭୀଷଣ ଶ୍ଵାସକଷ୍ଟ, ଛାତିରେ ତରଳ କଫ ଯେପରି ଭର୍ତ୍ତିହୋଇ ରହିଛି ଅଥଚ ବାହାର କରିବାକୁ ରୋଗୀର ଶକ୍ତି ନାହିଁ , ରୋଗୀ ଭୀଷଣ ଅବସନ୍ନ, କପାଳରେ ଥଣ୍ଡା ବିନ୍ଦୁ ବିନ୍ଦୁ ଝାଳ, ଜିଭରେ ମଇଳାର ଆବରଣ ଅଥଚ ତା ଭିତରୁ ଯେପରି ନାଲିଗଜା ବାହାରିଛି – ଏପରି ଦେଖାଯାଉଥିବ । ଇପିକାକ : ୬ – ୨୦୦ ଜ୍ଵର ଛାତିରେ କଫ ଜମା ହେଲାଭଳି ଜଣା ଯାଉଥିଲେ ମଧ୍ୟ ଯେତେ କାଶିଲେ ତାହା ବାହାରୁ ନ ଥିବ, ପ୍ରତି କାଶ ସହିତ ଅଇ ଉଠାଉଥିବ ଅଥଚ ବାନ୍ତି ହେଉ ନ ଥିବ, ଜିଭ ପରିଷ୍କାର । ଶୋଷ ଜମାରୁ ନ ଥିବ । ଡଲକାମେରା : ୬ – ୨୦୦ ହଠାତ୍ ଗରମ ଓ ହଠାତ୍ ବର୍ଷାହୋଇ ଥଣ୍ଡା – ଏଭଳି ପରିବର୍ତ୍ତିତ ପାଗରେ ପ୍ରଥମେ ନାକରୁ ସାମାନ୍ୟ ପାଣି ବୋହି, ବାଉଁଶୀ ବାଜିଲା ଭଳି ନିଶ୍ଵାସ ଚାଲିବା ପରେ , ଜ୍ଵର ହୋଇ ଛାତିରେ କଫ ଭର୍ତ୍ତି ହୋଇଯାଏ, ରାତିରେ ଝାଳ ବହେ ଓ ତାହା ଦୁର୍ଗନ୍ଧଯୁକ୍ତ, ବହୁତ କାଶିଲେ ସାମାନ୍ୟ କଫ ବାହାରେ, ବେଳେବେଳେ ପେଟ କାଟିହୋଇ ନାଳ ଝାଡା ହୁଏ । ନେଟ୍ରାମ ସଲଫ: ୬-୨୦୦ ଧାତୁଗତ ପ୍ରବଣତାରୁ ପ୍ରତି ବର୍ଷାଋତୁରେ ଏହି କଷ୍ଟ ଦେଖାଦିଏ ଓ ରୋଗର କସ ଭୋର ୪/୫ ଘଣ୍ଟାରେ ବଢେ । ଖୁବ୍ କଷ୍ଟଦାୟକ କାଶ, ରୋଗୀ କାଶିଲାବେଳେ ନିଜ ଛାତିକୁ ବିକଳରେ ଜାବୁଡି ଧରେ । ସବୁଜ ରଙ୍ଗର ଅଠାଳିଆ କଫ, ଏହା ସହିତ ଅଧିକାଂଶ ସମୟରେ ସକାଳୁଆ ଅଜୀର୍ଣ୍ଣ ଝାଡା । ଆର୍ସେନିକ ଏଲବ : ୬-୨୦୦ ଅତ୍ୟନ୍ତ ବ୍ୟସ୍ତତା, ମହୁର୍ମୁହୁ ପାଣି ପିଇବା ସହିତ ମୃତ୍ୟୁଭୟ । ଦିନ ଦ୍ଵିପ୍ରହର ବା ଅଧାରାତି ବେଳକୁ ରୋଗର ଚରମ ସମୟ । ରୋଗୀ ହାତକୁ ଢିରାଦେଇ ଆଗକୁ ଝୁଙ୍କି ବସିଥିବ । ମେଡୋରିନାମ: ୨୦୦ ରୋଗୀ ସର୍ବଦା ହାମୁଡେଇ ମୁଣ୍ଡକୁ ତକିଆରେ ମାଡି ପଡି ରହିଥିବେ । କାର୍ବୋଭେଜ : ୬-୨୦୦ ଶ୍ଵାସକଷ୍ଟ ସହିତ ଛାତିପୋଡା; ପେଟରେ ବାୟୁ ଭର୍ତ୍ତି ହୋଇ ଶ୍ଵାସ କଷ୍ଟ ସହିତ ସ୍ଵର ଭଙ୍ଗ, ସନ୍ଧ୍ୟା ସମୟରେ ବୃଦ୍ଧି, ଦମକିଲା କାଶ ସହିତ ଦୁର୍ଗନ୍ଧଯୁକ୍ତ କଫ, ଖାଲି ପଙ୍ଖା ପବନ ଚାହିଁବ । ଏହା ଦୁର୍ବଳ ଶରୀର ବୃଦ୍ଧମାନଙ୍କ ପାଇଁ ଏକ ମହୌଷଧି । ବ୍ଲାଟା (Q) ମୋଟାସୋଟା ଲୋକ ବାରମ୍ବାର ଏ କଷ୍ଟ ଭୋଗୁଥିବେ, କାଶରେ ପୂଜ ଭଳି କଫ ପଡୁଥିବ, ଯେତେ କାଶିଲେ ଓ କଫ ପଡୁଥିଲେ ମଧ୍ୟ ଶ୍ଵାସକଷ୍ଟ ସେତେ ବଢୁଥିବ ବା ଜମା କମୁ ନ ଥିବ । ଏହି ଔଷଧର ମୂଳଅର୍କ (Q) ରୁ ୫ ଟୋପା ସାମାନ୍ୟ ଫୁଟା ପାଣିରେ ମିଳାଇ ୨/୩ ଘଣ୍ଟା ଅନ୍ତରରେ ଖାଇଲେ ଆଶୁଫଳ ମିଳିଥାଏ । ୟୁକାଲିପଟାସ (Q) ଜ୍ଵର ସହିତ ଶ୍ଵାସକଷ୍ଟ ଓ ଛାତି ଧଡ ଧଡ ହେଉଥିବ, ଧଳା ବହଳିଆ ଦୁର୍ଗନ୍ଧ କଫ ବାହାରୁଥିବ । ବିଶେଷତଃ ବୃଦ୍ଧ ଓ ବୟସ୍କମାନଙ୍କ କ୍ଷେତ୍ରରେ ଏହି କଷ୍ଟ ଆରମ୍ଭ ହେବାମାତ୍ରେ, ଏହାର ମୂଳ ଅର୍କ (Q) ରୁ ୫/୧୦ ଟୋପା ଦିନକୁ ୩/୪ ଥର ସାମାନ୍ୟ ଫୁଟା ପାଣିରେ ମିଳାଇ ବ୍ୟବହାର କରିବାରେ ଯଥାଶୀଘ୍ର ଫଳ ମିଳିଥାଏ । ଲୋବିଲିଆ ଛାତି ଯେପରି ଚାପି ହୋଇ ଯାଇଛି ବା ଛାତି ଉପରେ କିଛି ଓଜନିଆ ଜିନିଷ ଲଦା ହୋଇ ରହିଛି – ଏ ଭାବ ସହିତ ମନେ ହେଉଥିବ ଯେପରି ହୃତପିଣ୍ଡ ବନ୍ଦ ହୋଇଯାଇପାରେ । ଏହାଛଡା, ଶ୍ଵାସକଷ୍ଟ ସହିତ ସାରା ଶରୀରରେ ଛୁଞ୍ଚି ଫୋଡିଲା ଭଳି ଅନୁଭବ ହୋଇ ପେଟଟା ଖାଲି ଖାଲି ଲାଗି ଦୁର୍ବଳ ଲାଗିବା ଏହି ଔଷଧର ପରିଚାୟକ ଲକ୍ଷଣ । ନକ୍ସଭୋମିକା – ୩୦୦୦ କୌଣସି ଚିଡିଚିଡା ଲୋକର ସାମାନ୍ୟ ପେଟ ଗଣ୍ଡଗୋଳ ହେଲେ ଯଦି ଧଇଁ ବାହାରୁଥିବ ଓ ବହୁତ ବାୟୁ ଅପସାରଣ ହେଉଥିବ ତାହାହେଲେ ନକ୍ସଭୋମିକା – ୩୦୦୦ ଦ୍ଵାରା ବେଶ୍ ଉପକାର ମିଳେ । ସୋରିଣାମ 12. ରୋଗୀ ଚିତ୍ କାତ୍ ହୋଇ ହାତ ଦୁଇଟିକୁ ଫରଚେଇ ଶୋଇ ରହିଲେ ଯଦି ଆରାମ ପାଉଥିବେ ତାହାହେଲେ ସୋରିଣାମ । ଜଷ୍ଟିସିଆ Q ଶୁଖିଲା କାଶ, ଯେପରି ଛାତିରୁ ବାହାରୁଛି ଓ ଦମ୍ ବନ୍ଦ ହୋଇଯାଉଛି । ଛାତି ଚିପିହୋଇ ଗଲାଭଳି ମନେ ହେଉଥିବ । ନାକରୁ ସରସର ପାଣି ଗଳି କାଶ ସାଙ୍ଗରେ ନିବୁଜ ଛିଙ୍କ ହେଉଥିବ; ଘର ଭିତରେ କଷ୍ଟ ବେଶି ହେଉଥିବ ତାହାହେଲେ ଜଷ୍ଟିସିଆ Q ୫ ଟୋପାକରି ପ୍ରତି ଅଧଘଣ୍ଟାରେ ଦିଅନ୍ତୁ । ଧଇଁ ଏକ ଧାତୁଗତ ରୋଗ ହୋଇଥିବା ଦୃଷ୍ଟିରୁ ସାମୟିକ ଉପଶମକାରୀ ଔଷଧ ବ୍ୟବହାର ସାଙ୍ଗକୁ ହୋମିଓପାଥି ମତରେ ଧାତୁଗତ ଚିକିତ୍ସା କଲେ ଅନେକ ସମୟରେ ଦୀର୍ଘସ୍ଥାୟୀ ସୁଫଳ ମିଳିଥାଏ । ଅନ୍ୟଥା ଗତି ନାହିଁ । ସଂଗୃହୀତ – ଡାକ୍ତର କମଳାକାନ୍ତ କର