ଆଜିକାଲି Spondylitis ବା ମେରୁଅସ୍ଥି ପ୍ରଦାହରେ ବହୁଲୋକ କଷ୍ଟ ପାଉଥିବାର ଦେଖାଯାଉଛି । ଏହାର କାରଣ ସମ୍ପର୍କରେ ଆପଣଙ୍କର ମତ କ’ଣ ? Spondylitis ବା ମେରୁଅସ୍ଥି ପ୍ରଦାହ ଏକ ସାଧାରଣ ନାମକରଣ। ମେରୁଦଣ୍ଡର ବିଭିନ୍ନ ଅଂଶରେ ଥିବା ଅସ୍ଥିସବୁ ବିଭିନ୍ନ କାରଣରୁ ପ୍ରଦାହନ୍ଵିତ ହୋଇଥାନ୍ତି ଓ ତତଜନିତ କାରଣରୁ ସେହି ଅସ୍ଥିସବୁରେ ଯେଉଁସବୁ ପରିବର୍ତ୍ତନ ଘଟିଥାଏ ତା’ର ପରିମାଣରୁ ନିକଟସ୍ଥ ସ୍ନାୟୁ ଉପରେ ଚାପ ପଡି ନାନା ପ୍ରକାରର ବ୍ୟଥା, ବଧିରଭାବ, ଝିମ୍ ଝିମ୍ ହେବା, ମେରୁଦଣ୍ଡର ଅନମନୀୟତା ବା Stiffness ଇତ୍ୟାଦି ଦେଖାଯାଏ, ଏସବୁର କାରଣ ଅନେକ । ଯଥା : ଜୀବାଣୁଗତ, ଯକ୍ଷ୍ମା, ଉପଦଂଶ, ପ୍ରମେହ, ଶରୀର ମଧ୍ୟରେ ବିଭିନ୍ନ ଖାଦ୍ୟସାରର ଅଭାବ ବା ଅସାମ୍ୟତା, ବାର୍ଦ୍ଧକ୍ୟ, ଆଘାତ ଇତ୍ୟାଦି ଏବଂ ଏହି ବିଭିନ୍ନ କାରଣରୁ ଓ ପ୍ରଦାହ ତଥା ଆକ୍ରାନ୍ତ ସ୍ଥାନର ତନ୍ତୁସବୁର ପରିବର୍ତ୍ତନ ଉପରେ ଏହି ପ୍ରଦାହଜନିତ ରୋଗର ବିଭିନ୍ନ ନାମକରଣ ହୋଇଥାଏ, ଯଦିଓ ସାଧାରଣଭାବରେ ଏହାକୁ Spondylitis କୁହାଯାଇଥାଏ। କିନ୍ତୁ Homoeopathy ଦୃଷ୍ଟିକୋଣରୁ ଏହାର କାରଣ ସମ୍ପୂର୍ଣ୍ଣ ଅଲଗା। ଏହା ମୁଖ୍ୟତଃ ଶରୀରରେ ପ୍ରମେହ ଦୋଷର ଆଧିକ୍ୟ ହେତୁ ଘଟିଥାଏ। ଆମେ ଶୁଣିବାକୁ ପାଉ ହୋମିଓପାଥିରେ ସୋରା, ସାଇକୋସିସ୍ ଓ ସିଫିଲିସ୍ ଭଳି କେତେକ ଦୋଷରୁ ନାନା ରୋଗ ହୋଇଥାଏ। ମାତ୍ର ଏହି ପ୍ରମେହ ଦୋଷ ପୁଣି କ’ଣ , ଏବଂ ଏହା କିପରି ରୋଗର କାରଣ ଓ ଏହା କିପରି ମଣିଷ ଶରୀରରେ ପ୍ରବେଶ କରେ ? ଏହି ପ୍ରମେହ ଦୋଷ ହେଉଛି Sycosis। ଏହାର ନାମକରଣରୁ ମନେକରିବା ସ୍ଵାଭାବିକ ଯେ ଏହି ପ୍ରମେହ ରୋଗ ଦୋଷରୁ ଶରୀର କଳୁଷିତ ହୋଇ କେତେକ ରୋଗପାଇଁ ପ୍ରବଣତାଯୁକ୍ତ ହୋଇଥାଏ । ଆଦିମ କାଳରୁ ମନୁଷ୍ୟର ସ୍ଵାଭାବିକଯୁକ୍ତ ଯୌନ କ୍ରିୟାର ଅପଚାର ହେତୁ ଏହାର ଜନ୍ମ ଏବଂ ଏହା ସେହିକାଳରୁ ପୁରୁଷାକ୍ରମରେ ମାନବ ସମାଜକୁ ଜଟିଳରୁ ଜଟିଳତର ରୋଗାବସ୍ଥା ମଧ୍ୟକୁ ଟାଣି ନେଉଛି । ଏହାବ୍ୟତୀତ ଆଜିକାଲିର ବିଜ୍ଞାନୀ ସଭ୍ୟତାର ବିଭିନ୍ନ ଧାରା ମନୁଷ୍ୟ ସମାଜକୁ ଏହି ବିଷରେ ଅଧିକ ଜର୍ଜ୍ଜରିତ କରୁଅଛି । ଏହି ବିଷ ପଶୁମାନଙ୍କ ମଧ୍ୟରେ ଅତ୍ୟଧିକ ଥାଏ ଏବଂ ମନୁଷ୍ୟ ତା’ର ନିଜସ୍ଵ ରୋଗ ନିରାକରଣ ପାଇଁ ଯେଉଁସବୁ ପଶୁଜାତ ଦ୍ରବ୍ୟ ଯଥା : ଟୀକା, ସିରମ୍, ଟକ୍ସଏଡ ଇତ୍ୟାଦିର ବ୍ୟବହାର କରିଥାଏ, ତଥା ବିଭିନ୍ନ ଲୋକଙ୍କଠାରୁ ରକ୍ତ ସଂଗ୍ରହ କରି ବିଭିନ୍ନ ଅବସ୍ଥାରେ ଲୋକଙ୍କୁ ରକ୍ତ ଦେବା ର ବ୍ୟବସ୍ଥା କରାହୋଇଥାଏ, ତାହାଦ୍ଵାରା ଏ ରୋଗର ବା ଦୋଷର ସଂପ୍ରସାରଣ ଘାତୁଅଛି ଏବଂ ଏହି ଦୋଷର ପ୍ରାଦୁର୍ଭାବରେ ଗଣ୍ଠିବାତ, ଶ୍ଵାସ, ନାନାପ୍ରକାରର ଅର୍ବୁଦ, ମୂତ୍ରାଶୟର ବିଭିନ୍ନ ରୋଗ ଭଳି ବହୁ ଅସାଧ୍ୟ ରୋଗର ସୃଷ୍ଟି ହୋଇଥାଏ । ଆମର ଆଲୋଚ୍ୟ ଏଅଗ ଏହିଭଳି ଏକ ପ୍ରମେହ ଦୋଷଜନିତ ରୋଗ। ଯଦି ଏହା ଏକ ପୁରୁଷାନୁକ୍ରମିକ ପ୍ରବାହିତ କଳ୍ମଷରୁ ଜାତ ବୋଲି ମନେ କରାଯାଏ, ତାହାହେଲେ ଏହା କ’ଣ ଆରୋଗ୍ୟ ହୋଇପାରିବ ନାହିଁ ? ନିଶ୍ଚୟ ହୋଇପାରିବ ଏବଂ ହେଉଛି ମଧ୍ୟ ଯେଉଁମାନଙ୍କ କ୍ଷେତ୍ରରେ ଏହି ଦୋଷ ଅନ୍ୟ ଦୁଇ ଦୋଷ, ଯଥା : ସୋରା ବା କଚ୍ଛୁ ଦୋଷ ଏବଂ Syphilis ବା ଉପଦଂଶ, ଗର୍ମୀଦୋଷ ଅଥବା ବିଭିନ୍ନ ପ୍ରକାରର ଚିକିତ୍ସାଜାତ ଦୋଷ ଦ୍ଵାରା ମିଶି ଜଟିଳ ଅବସ୍ଥା ସୃଷ୍ଟି ହୋଇ ନ ଥିବେ ସେ କ୍ଷେତ୍ରରେ ଏହା ଅତି ଶୀଘ୍ର ଆରୋଗ୍ୟ ଲାଭ କରିବ, ଏବଂ ଅନ୍ୟାନ୍ୟ ଜଟିଳତର କ୍ଷେତ୍ରରେ ଏହା ସମୟସାପେକ୍ଷ। ତାହାହେଲେ ଏହି ରୋଗକୁ ଚିକିତ୍ସା କରିବାକୁ ହେଲେ କିଭଳି ପଦକ୍ଷେପ ନବାକୁ ହେବ ? ପ୍ରଥମରେ ଆକ୍ରାନ୍ତ ଅଂଶକୁ ଅତ୍ୟଧିକ ସଂଚଳନରୁ ନିବର୍ତ୍ତାଇବାକୁ ହେବ ଓ ଦ୍ଵିତୀୟରେ ରୋଗୀପାଇଁ ନିର୍ଦ୍ଧିଷ୍ଟ ହୋମିଓ ଔଷଧକୁ ଉପଯୁକ୍ତ ଶକ୍ତିରେ ପ୍ରୟୋଗ କରିବାକୁ ହେବ। ସଂଚଳନ ନିବର୍ତ୍ତାଇବାପାଇଁ Collar, Jacket ଇତ୍ୟାଦିର ବ୍ୟବହାର କରାଯାଇଥାଏ। ଯଦିଓ ଏହା ଏକ ସାର୍ବଜନୀନ ଉପଦେଶ, ତଥାପି ଏହାକୁ ସବୁସମୟରେ ବ୍ୟବହାର କରିବା ସପକ୍ଷରେ ମୁଁ ନୁହେଁ, କାରଣ, ଆକ୍ରାନ୍ତ ସ୍ଥାନକୁ ଦୀର୍ଘଦିନ ବା ବହୁସମୟ ଧରି ଅଚଳକରି ରଖିଲେ ଆକ୍ରାନ୍ତ ଅଂଶର ଅନମନୀୟତା ବଢିଯିବ ଓ କ୍ଷେତ୍ରବିଶେଷରେ ଚାପଜନିତ ଉପସର୍ଗ ଦେଖାଯିବ। କେବଳ ଯେଉଁସବୁ କାର୍ଯ୍ୟ ବା ଭ୍ରମଣରେ ଆକ୍ରାନ୍ତ ଅଂଶର ସଂଚଳନ ବଢିଯିବାର ସମ୍ଭାବନା ଥାଏ, ସେହି ସମୟରେ ଏହିସବୁ ପୋଷାକ ହିଁ ବ୍ୟବହାର କରିବା ଉଚିତ୍। ଏହା ବ୍ୟତୀତ ଔଷଧ ସେବନ ସମୟରେ ସାମୟିକ traction ବ୍ୟବସ୍ଥାରେ ମଧ୍ୟ ଅନେକ ଆଶୁ ଫଳ ମିଳିଥାଏ । ହୋମିଓପାଥିର କେଉଁ ଔଷଧ ଏଥିପାଇଁ ବ୍ୟବହୃତ ହୋଇଥାଏ ? ହୋମିଓପାଥି ପଦ୍ଧତିରେ ରୋଗ ନାମରେ କୌଣସି ଔଷଧ ବ୍ୟବସ୍ଥା ହୋଇ ନ ଥାଏ। ପ୍ରତ୍ୟକ ରୋଗୀର ବିଭିନ୍ନ ଲକ୍ଷଣ, ତାଙ୍କ ବ୍ୟକ୍ତିଗତ ଇଚ୍ଛା ଅନିଚ୍ଛା, ମାନସିକ କ୍ରିୟା, ପରିବେଶ, ରୋଗ ଲକ୍ଷଣର ହ୍ରାସ ବୃଦ୍ଧି, ବଂଶ ଇତିହାସ, ଅତୀତ ରୋଗ ଇତିହାସ, ବ୍ୟକ୍ତିଗତ ଇତିହାସ ଉପରେ ଔଷଧ ବ୍ୟବସ୍ଥା ହୋଇଥାଏ। ସାମାନ୍ୟ ଏକ ଉଦାହରଣ ଦେଉଛି। ଏହି ରୋଗର ଏକ ପ୍ରଧାନ ଲକ୍ଷଣ ହେଉଛି ବ୍ୟଥା। ଏହି ବ୍ୟଥା ଯଦି କାହାର ଗରମ ସେକ ଦେଉଥିଲେ ଉପଶମ ହେଉଥିବ ତ କାହାର ବରଫା ଶୀତଳ ଥଣ୍ଡାପାଣିରେ ଉପଶମ ହେଉଛି। ତେଣୁ ଉଭୟ କ୍ଷେତ୍ରରେ ଏକା ଔଷଧ ଲାଗି ପାରିବ ନାହିଁ। ଯଦି ଜଣକର ପ୍ରମେହ ରୋଗର ଇତିହାସ ଥିବ ତାଙ୍କପାଇଁ ଉଦ୍ଦିଷ୍ଟ ଔଷଧ, ବଂଶଗତ ଯକ୍ଷ୍ମା ରୋଗ ଥିବାର ରୋଗୀ କ୍ଷେତ୍ରରେ ଲାଗିବ ନାହିଁ । ତେଣୁକରି ହୋମିଓପାଥିରେ “ରୋଗର ଚିକିତ୍ସା ନ କରି ରୋଗୀର ଚିକିତ୍ସା” କରାଯାଏ ବୋଲି କୁହାଯାଇଥାଏ। ତଥାପି କେଉଁ କେଉଁ ଔଷଧ ସାଧାରଣତଃ ଆପଣଙ୍କର ତଥା ଅନ୍ୟମାନଙ୍କର ଅଭିଜ୍ଞତାରୁ ଏହି ରୋଗପାଇଁ ବିଶେଷଭାବରେ ବ୍ୟବହାର ହୋଇଥାଏ । ସାଧାରଣଭାବରେ – ରସଟକ୍ସ, ବ୍ରାୟୋନିଆ, କାଲମିଆ, ପଲସେଟିଲା, ଥୁଜା, ମେଡୋରିନାମ, ସିପିଆ, ଟିଉବରକୁଲିନମ, କେଲିକାର୍ବ, ଲାକନାନ୍ ଟିସ, ଆଲୁମିନା ବ୍ୟବହାର ହୋଇଥାଏ । ମୋ ଅଭିଜ୍ଞତା ସାମାନ୍ୟ ପୃଥକ୍ । କାରଣ, ବର୍ତ୍ତମାନର ଚିକିତ୍ସା, ପରିବେଶ, ଜନସାଧାରଣଙ୍କର ଚଳଣିପଦ୍ଧତି ଇତ୍ୟାଦିରୁ ରୋଗ ଅବସ୍ଥା ରୋଗୀମାନଙ୍କ କ୍ଷେତ୍ରରେ ଏକ ଜଟିଳ ପରିସ୍ଥିତି ସୃଷ୍ଟି କରିଅଛି । ତେଣୁ ଉପଯୁକ୍ତ କୌଣସି ଗୋଟିଏ ଔଷଧର ନିର୍ଦ୍ଧିଷ୍ଟ ଲକ୍ଷଣସକଳ କୌଣସି ରୋଗୀ କ୍ଷେତ୍ରରେ ମିଳିବା ଦୁଷ୍କର । ଯଦିଓ କିଛି ପରିମାଣରେ କୌଣସି ଔଷଧ ନିର୍ଦ୍ଧିଷ୍ଟ ହେଉଥାଏ ତାହା ମଧ୍ୟ ଦୀର୍ଘସ୍ଥାୟୀ ଫଳ ଦେଉ ନାହିଁ । ସେଥିପାଇଁ ଏହି ରୋଗ କ୍ଷେତ୍ରରେ କେତେଗୁଡିଏ ‘ବାୱେଲ ନୋସୋଡ’ ଯଥା – ମୋର୍ଗାନ, ପ୍ରୋଟିଏସ, ଡିସେଣ୍ଟ୍ରିକୋ, ସାଇକୋଟିକକ୍ ଓ ବାସିଲସ୍ ନ : 7 ମୋତେ ବହୁତ ସାହାଯ୍ୟ କରିଥାଏ । ହୋମିଓପାଥି ଚିକିତ୍ସାରେ ରୋଗବୃଦ୍ଧି ଘଟିଥାଏ ବୋଲି କୁହାଯାଏ। ତେଣୁ ଏ ସବୁ ପ୍ରୟୋଗରେ ତାହା ଘଟିବ ନାହିଁ ତ ? ହୋମିଓପାଥି ନୀତି ଅନୁସାରେ ଔଷଧ ପ୍ରୟୋଗରେ ରୋଗ ଲକ୍ଷଣର ଏକ ପ୍ରାରମ୍ଭିକ ବୃଦ୍ଧି ଘଟିବା ସ୍ଵାଭାବିକ ଏବଂ ଏହି ବୃଦ୍ଧି ବିଶେଷଭାବରେ ରୋଗୀର ସଂବେଦନଶୀଳତା ଉପରେ ନିର୍ଭର କରିଥାଏ। ତେଣୁ ସବୁକ୍ଷେତ୍ରରେ ଯେ ଏହା ଘଟିବ ଏହା କହିବା ଠିକ୍ ନୁହେଁ । ଔଷଧର ସଠିକ୍ ଶକ୍ତି ତଥା ମାତ୍ରାର ଉପଯୁକ୍ତ ପ୍ରୟୋଗରେ ଏଭଳି ବୃଦ୍ଧିକୁ ରୋକାଯାଇ ପାରେ। ସଂଗୃହୀତ – ଡାକ୍ତର କମଳାକାନ୍ତ କର