অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହୋମିଓପ୍ୟାଥି ଚିକିତ୍ସା(ଶର୍ଦ୍ଦି,ଅନ୍ଧାର କଣା ,କାନଟଣା)

ହୋମିଓପ୍ୟାଥି ଚିକିତ୍ସା(ଶର୍ଦ୍ଦି,ଅନ୍ଧାର କଣା ,କାନଟଣା)

ଶର୍ଦ୍ଦି

ବର୍ଷାରେ  ଭିଜନ୍ତୁ, କାକରମଡା  ହୁଅନ୍ତୁ,  ଥଣ୍ଡା  ଗରମ  ପାଗର  ବା  ଉତ୍ତାପର  ଘନଘନ  ପରିବର୍ତ୍ତନର  ସମ୍ମୁଖୀନ   ହୁଅନ୍ତୁ, ଯଦି  ଛିଙ୍କ  ହୋଇ  ନାକରୁ  ଅନର୍ଗଳ  କଞ୍ଚାପାଣି   ବହେ,  କୁହନ୍ତୁନା  କି  ହିନସ୍ତା  : କାହା  ପାଖରେ  ଠିଆ  ହୋଇ  ହେବନି   । କିଛି  କାମ  କରି  ହେବନି   । ଲେଖା ପଢା  କଥା  ତ ଛାଡ   ।

ଯଦି  ବର୍ଷାରେ   ପୂରାପୂରି   ଭିଜି  ଯାଇଛନ୍ତି  ଓ  ଯେତେବେଳେ   ଏଭଳି  ପରିସ୍ଥିତିରେ   ଆପଣ  ପଡନ୍ତି  ଆପଣଙ୍କୁ   ନିଶ୍ଚୟ  ଶର୍ଦ୍ଦି ହେବ – ତାହାହେଲେ  ସଙ୍ଗେ  ସଙ୍ଗେ  ଭଲ  କରି  ପୋଛାପୋଛି  ହୋଇ  ଶୁଖିଲା  ପୋଷାକ  ବଦଳାଇ  କେତେପାନ   ରସଟକ୍ସ ୨୦୦  ଖାଇ  ନିଅନ୍ତୁ, ଦେଖିବେ  ଶର୍ଦ୍ଦି   ଆଉ  ଲାଗିବ  ନାହିଁ   । ଯଦି  ଅବହେଳାରୁ  ଖାଇପାରିଲେ  ନାହିଁ, ଛିଙ୍କ  ଆରମ୍ଭ  ହୋଇ  ନାକରୁ କଞ୍ଚାପାଣି  ବୋହିବା   ଆରମ୍ଭ  ହେଲା, ଦେହ  ହାତ  ଶିରିଶିର୍  କରି  ଜରୁଆ  ଜରୁଆ  ଲାଗି  ଖାଲି  ବ୍ୟତିବ୍ୟସ୍ତ  ଲାଗିବାକୁ  ଆରମ୍ଭ  କଲାଣି,  ତାହାହେଲେ  ମଧ୍ୟ  ରସଟକ୍ସ  ୨୦୦, ୩/୪ ଘଣ୍ଟାରେ  ପାନେକରି   ଖାଆନ୍ତୁ   । ଶର୍ଦ୍ଦି   ସେତିକିରେ  ଶେଷ  ।

ଅନେକ  ସମୟରେ   ଠିକ୍  ଏହିଭଳି   ଅବସ୍ଥା  ହେବ,  ମାତ୍ର   ଦେହ  ଖାଲି  ଜରୁଆ   ଲାଗିବ,  ମୁଣ୍ଡଭାରୀଭାରୀ  ହୋଇ  ଖାଲି  ନିସ୍ତେଜ  ହୋଇ  ପଡିରହିବାକୁ   ଇଚ୍ଛା  ହେଉଥିବ, ଆଖି  ମୋଟେ  ଖୋଲିବାକୁ  ଇଚ୍ଛା  ହେଉ  ନ ଥିବ,  ପାଟି  ଶୁଖି  ଶୁଖି  ଯାଉଥିବ  ମାତ୍ର   ପାଣି   ପିଇବାକୁ   ଜମାରୁ   ଇଚ୍ଛା ନ ଥିବ, ନାକରୁ   କଞ୍ଚାପାଣି  ନିଗୁଡୁଥିବ , ତାହାହେଲେ   ଜେଲସେମିୟାମ – ୩୦, ୩/୪ ଘଣ୍ଟାରେ  ପାନେ  କରି  ଖାଇବେ   ।

କେତେକ  କ୍ଷେତ୍ରରେ   ଦେଖିବେ  ଶର୍ଦ୍ଦି  ଯେପରି  ହଠାତ୍  କେଉଁଆଡୁ   ମାଡି  ଆସିଲା   ।  ତୁହାକୁ  ତୁହା  ଛିଙ୍କ,  ନାକରୁ  ଗରମପାଣି  ଭଳି   ବୋଗୀ  ନାକ  ପୋଡିବା  ଆରମ୍ଭ  କଲାଣି,  ଆଖିରୁ   ଖାଲି   ଲୁହ  ଗଦା  ହୋଇପଡୁଛି,  ତେବେ  ଏଲିଏମ  ସିପା – ୬-୨୦୦ , ୨/୩  ଘଣ୍ଟାରେ   ଥରେ   କରି   ଖାଆନ୍ତୁ  । ଦେଖନ୍ତୁ, ଠିକ୍  ଏହିଭଳି   ଅବସ୍ଥା, ନାକ  ଆଖିରୁ  ପାଣି   ଅନବରତ   ବୋହୁଛି, ଲୁହ  ଗରମ  ଓ  ଆଖି ପୋଡୁଥିବ   ମାତ୍ର  ନାକରୁ   ବୋହୁଥିବା  ପାଣି   ସ୍ଵାଭାବିକ, ତାହାହେଲେ   କିନ୍ତୁ   ଯୁଫ୍ରେସିୟା- ୨୦୦ରୁ  ଖାଇବେ   ।

କେତେବେଳେ   ଅବା  ଦେଖିବେ  ଅନବରତ  ଛିଙ୍କ, ଆଖି  ଓ  ନାକ  ଉଭୟରୁ  ଅବିରତ  ଗରମପାଣି   ବୋହୁଛି, ଲୋକଟି  ସହଜେ   ତ  ଜୀର୍ଣ୍ଣଶୀର୍ଣ୍ଣ ମୁରୁକୁଟିଆ,  ସେଥିରେ  ଯେ   ସେ  ଏଥିପାଇଁ  କି  ଅସ୍ଥିର  ଓ  ବ୍ୟସ୍ତ  କହି  ହେବନି  । ଶୀତପାଇଁ   ଗରମ  ପୋଷାକ  ଦରକାର, ଏ  ଗରମ  ଦିନରେ  ମଧ୍ୟ  । ଅଥଚ  ପାଟି  ଶୁଖି   ଯାଉଥିବା  ହେତୁ  ବାରମ୍ବାର  ଟିକିଏ  ଟିକିଏ ପାଣି  ପିଉଥିବ  । ଏ ସବୁ  କେଶ୍ ରେ  ଆର୍ଶେନିକ- ୬, ୩/୪ ଘଣ୍ଟାରେ  ପାନେ  କରି  ଖାଇବାକୁ  କହିବେ  ।

ଆଜିକାଲି,  ବିଶେଷକରି  ମୋ  କହିବା  କଥା,  ବେଶ୍  ଗରମ  ପଡିଛି,  ସେଥିରେ   ସନ୍ଧ୍ୟା  ପ୍ରହରରେ   ଅସରାଏ   ବର୍ଷା  ହେଇଗଲା  ଅଥଚ  ଗରମ   କମିଲା  ନାହିଁ, ଯୁବକ   ବନ୍ଧୁମାନେ  ରାତି  ଅଧଯାଏ  ରାସ୍ତାକଡ ଶଙ୍ଖ  ବାଡରେ  ବସିଲେ – ଆରମ୍ଭ  ହେଲା  ଛିଙ୍କ ଓ  ନାକ  ସରସର  ହୋଇ  ପାଣି  ବୁହା  । ଘରକୁ  ଆସିଲେ  ଶୀତ  ଲାଗିଲା,  ଘୋଡେଇ  ହୋଇ  ବିଛଣାକୁ   ଗଲେ,  ଆଉକି  ଶୋଇହୁଏ,  ଏକଡ  ଶୋଇଲେ  ଏପୁଡା  ବନ୍ଦ,  ସେକଡ  ଶୋଇଲେ  ସେପୁଡା  ବନ୍ଦ,  ବାହାରକୁ  ଆସିଲେ  ନାକ  ଖୋଲା  କିନ୍ତୁ  ଅନର୍ଗଳ  ସରସର   କରି  ପାଣି  ବୁହା  । ଏସବୁ  କେଶ୍ ରେ  ନକ୍ସ ଭୋମିକା – ୨୦୦  ତତକ୍ଷଣାତ  ଆରାମ  ପହଞ୍ଚାଇବ   ।

ଆପଣ  ହୁଏତ  ଏସବୁକୁ  ଖାତିର  କାଲେ  ନାହିଁ,  ହଁ  ଏମିତି  ତ  ହେଉଛି  ।  ଦିନେ  ଦୁଇଦିନ  ପରେ  କମିଯିବ  ନାହିଁ  ଯେ  ଏତେ  ବ୍ୟସ୍ତ  ହବାର  କ’ଣ  ଅଛି ?  ଦେଖିବେ  ବେଳା   ଯଦି  ଖରାପ  ପଡିନଥିବା,  ଶର୍ଦ୍ଦି  ଜମିଯାଇ   ପାଚିଯିବ, ନାକରୁ   ବହଳିଆ  ହଳଦିଆ  ଶିଘାଂଣୀ  ବୋହି  ମୁଣ୍ଡ ଏପରି  ବିନ୍ଧିବ  ଯେ  ମୁଣ୍ଡ   ଟିକେ  ନୂଆଁଇଲେ   ମନେହେବ   ଖପୁରିଟା  ଉଠି ଯାଉଛି, ଘର  ଭିତରେ  ଖାଲି  ଅଣନିଶ୍ଵାସୀ  ମନେହେବ, ପାଟି  ଅଠାଅଠା  ଅଥଚ   ପାଣି  ପିଇବାକୁ  ଇଚ୍ଛା  ନ ଥିବ  ବା ପାଣି  ସୁଆଦ  ଲାଗୁ  ନ  ଥିବ, ଆପଣ  ବାଧ୍ୟ  ହେବେ ଏ  କ୍ଷେତ୍ରରେ  ପଲସେଟିଲା- ୬ ପ୍ରତି ୨ ଘଣ୍ଟାରେ  ଥରେ  କରି  ଖାଇବାକୁ   ।

ପୁଣି  ଦେଖିବେ  ଆପଣଙ୍କ  ହେଳାରୁ  ଏପରି  ହେବ, ସକାଳୁ   ଉଠିବା  ସଙ୍ଗେସଙ୍ଗେ   ଯେ କେବଳ  ଗୁଡାଏ  ଛିଙ୍କହୋଇ  ଆପଣଙ୍କୁ  ବ୍ୟସ୍ତ  କରିପକେଇବ  ନାହିଁ,  ମୁହଁ  ଧୋଇଲା  ବଳକୁ  ଦେଖିବେ  ନାକରୁ  ରକ୍ତ  ବୋହୁଛି  । ସବୁଦିନେ  ସକାଳୁ ଏହି  ଅବସ୍ଥା  । ଭାବନ୍ତୁନା  ଆପଣଙ୍କ  ମନର  ଅବସ୍ଥା କ’ଣ  ହେବ  ?  ରାତିରେ  ଶୋଇପାରୁ  ନ ଥିବେ,  ନାକ  ବନ୍ଦ  ହୋଇଯାଉଥିବ, ଖାଲି  ପାଟି  ଆଁ  କରି   ନିଶ୍ଵାସ  ନେଉଥିବେ  ଆଉ  ସକାଳୁ  ଏ  ଅବସ୍ଥା   । ଦର୍ପଣରେ  ଗଳା  ଓ  ନାକ  ପରୀକ୍ଷା  କରିବେ  କ’ଣ  ନିଜ  ମୁହଁକୁ  ଦେଖି  ଚମକି  ପଡିବେ   ଆଗ  । ଟିପିନାକଟି  ବେଶ୍ ଲାଲ  । ବ୍ୟସ୍ତ  ହୁଅନ୍ତୁ  ନାହିଁ, ଏମନକାର୍ବ – ୨୦୦ ଦିନକୁ  ୨ ଥର  ଖାଆନ୍ତୁ  ସବୁ  ଆଶଙ୍କା  ଦୂର  ହୋଇଯିବ  । ଏ  ଔଷଧର  ଏପରି  ଗୁଣ  ଯେ,  ଦେଖିବେ  ଯେଉଁ  ମୋଟାମୋଟି  ସ୍ତ୍ରୀଲୋକ  ପ୍ରତ୍ୟକ  ମାସିକ  ଋତୁ  କାଳରେ  ଶର୍ଦ୍ଦି  ଭୋଗୁଥିବେ  ଓ  ଉପଯୁକ୍ତ  ଲକ୍ଷଣ  ବିଶେଷଭାବରେ  ଥିବ, ତେବେ  ଏହାର  ହଜାର  ଶକ୍ତି  ମାସକୁ  ଥରେ  ଋତୁ  ବନ୍ଦପରେ  ବ୍ୟବହାର  କଲେ  ଏ  ଦୋଷ  କଟିଯିବ   ।

ଏହାପରେ  ଶୀତ  ପଡିଯିବ   । ବାବୁମାନେ  ବାହରଦୂରିକରି  ମର୍ଣ୍ଣିଂୱ୍ୟାକରେ  ବାହାରି  ପଡିବେ  । କଅଁଳିଆ   ଖରାର   ଉତ୍ତାପ  ସହିତ   ସୁଲୁସୁଲିଆ   ଥଣ୍ଡା  ପବନରେ   ଶର୍ଦ୍ଦି   ଗରମରେ   ଆନନ୍ଦ,  ମୁଣ୍ଡରେ  କିଏ  ବା  ପଗଡି   ବାନ୍ଧିବ  ? ପାଦରେ  କାନଭାସ  ଯୋତା  ବା  ଖାଲିପାଦ, କାକର   ଭିଜା  ପଡିଆରେ   ଡବଲମାର୍ଚ୍ଚ,  ଦେଖ   ତା’ପରେ   ସନ୍ଧ୍ୟାକୁ  ଆରମ୍ଭ  ହେଲା  ନାକରୁ   ପାଣି, ତଣ୍ଟି  ଦରଜ, ଅସ୍ଥିରତା  । ବାବୁ   ନିଜେ  ଯେତେବେଳେ   ଭୋଗୁଛନ୍ତି  ଆଉ  ପରିବାରରେ  କ’ଣ  କେହି  ଶାନ୍ତିରେ  ରହିପାରିବେ  ? ଡାକ୍ତର  ଡାକ,  ମରିଗଲି,  ଦିଅ  ପାଣି  ଦିଅ, ଏ  ବାପରେ   ଏମିତି   ଶୋଷ, ଆଉ   ବଞ୍ଚିବିନି,  ମୋ  ହାର୍ଟଟା  କେମିତି  କେମିତି  ହେଇଯାଉଛି  । ଗୃହିଣୀ   ଯଦି  ବେଶ୍  ପାରଙ୍ଗମା  ଥିବେନା,  ବାକ୍ସ ଖୋଲି   ଏକୋନାଇଟ – ୨୦୦  ଧୀରସ୍ଥିର   ଭାବରେ  ବାବୁଙ୍କ  ପାଟିରେ   ଘଣ୍ଟାଏ  ଘଣ୍ଟାଏ   ଅନ୍ତରରେ  ୨/୩ ଥର   ଦେଇଦେବେ   ।

ଅନ୍ଧାର କଣା

ଏ  ରୋଗରେ   ଜଣେ, ଆଲୋକ  କମିଥିଲେ   ଦେଖିବାର  ଅସୁବିଧା  ଭୋଗ   କରେ  । ତେଣୁ  ରାତିରେ  ପ୍ରାୟତଃ  ଦେଖିପାରେ  ନାହିଁ  । ସାଧାରଣତଃ  ଗାଁ  ଗହଳିର   ଲୋକେ  ଏହା  ଭୋଗ  କରିଥା’ନ୍ତି   । ଭିଟାମିନ  ‘A’ ଅଭାବରୁ  ଏହା  ହୋଇଥାଏ   । ହୁଏତ   ଗର୍ଭାବସ୍ଥାରେ  ମା’ର   ଏହି  ଖାଦ୍ୟପ୍ରାଣର  ଅଭାବ  ବା  ଜନ୍ମପରେ  ଛୁଆର  ପୁଷ୍ଟିସାର   ଅଭାବ,  ଏହାର  ମୁଖ୍ୟ  କାରଣ   ।  ଅନେକ  ସମୟରେ  ଅବଶ୍ୟ  ଏହାର  ପରିମାଣ  ଯଥେଷ୍ଟ  ଥିଲେ  ମଧ୍ୟ  ସେସବୁକୁ  ଉପଯୁକ୍ତ  ଭାବରେ   ପରିପୋଷଣ   ଓ  ଗ୍ରହଣ  କରିବାର  ଶକ୍ତି   ଶାରୀରିକ  ଯନ୍ତ୍ରମାନଙ୍କର  ନଥିବା  କାରଣରୁ  ମଧ୍ୟ  ଜଣକୁ  ଏହା  ଭୋଗ  କରିବାକୁ  ପଡେ   । ସୁତରାଂ  ଏହାର  ଚିକିତ୍ସା  ସମୟରେ  ଏହି  ଖାଦ୍ୟସାରର  ଯୋଗାଣ  ତଥା   ଶରୀରରେ   ଏହାର  ଉପଯୁକ୍ତ  ବିନିଯୋଗ   ହେବା  ଦିଗକୁ  ମଧ୍ୟ  ଦୃଷ୍ଟି  ଦେବାର  କଥା   । ଖାଦ୍ୟ  ଭିତରେ  ଶାଗ, ମାଂସ,  କଲିଜା, ଲହୁଣି, ମାଛତେଲ, ଅଣ୍ଡା   ଇତ୍ୟାଦିର   ଯଥେଷ୍ଟ  ବ୍ୟବହାର  ସହିତ  ନିମ୍ନଲିଖିତ   ଔଷଧ, ଅବସ୍ଥା  ଭେଦରେ   ବ୍ୟବହାର   କରିବାକୁ  ହେବ,  ଏ  ରୋଗ   ଆରୋଗ୍ୟ  କରିବା  ପାଇଁ   ।

ଗୋଧୂଳିପରେ  ଆଦୌ  ଦେଖାଯାଉନଥିବ ; ଆଖି  ଆଗରେ  ଲାଲ  ବା  ଅଗ୍ନିସ୍ଫୁଲିଙ୍ଗ  ଭଳି  ଆଲୁଅ  ଦେଖାଯାଉଥିବ ; ବତି   ଚାରିପଟେ  ନାନାରଙ୍ଗର   ଆଲୋକମାନ  ଘେରି  ରହିଲା  ଭଳି  ଜଣାପଡୁଥିବ   ତାହାହେଲେ  ବେଲାଡୋନା – ୧୦୦୦  ସପ୍ତାହକୁ  ପାନେକରି  ଖା’ନ୍ତୁ  । ଯଦି   କେହି  ଅନ୍ଧାର   କଣା,  ସନ୍ଧ୍ୟାବେଳେ   ଆଲୁଅ  ଆଖିରେ   ପଡୁପଡୁ  ଝିଲଝିଲ୍  କରିବା  ଅନୁଭବ  କରୁଥିବେ  ଓ  ଆଖି  ଆଗରେ   କଳାକଳା  ପୋତକ  ଉଡୁଥିବା   ଭଳି  ମନେ  କରୁଥିବେ,  ପେଟରେ  ଅମ୍ଳ  ହେଉଥିବ,  ତାହାହେଲେ   ଲାଇକୋପୋଡିୟମ – ୧୦୦୦, ପନ୍ଦର  ଦିନରେ   ଥରେ   ଖାଇବା   ତାଙ୍କର  ଦରକାର  । ଏହାର  ରୋଗୀର   ଅପରାହ୍ନ  ଚାରିଟା   ବାଜିଲେ  ହିଁ  କାମଦାମ  ସବୁବନ୍ଦ  । କିଛି  ଦେଖିପାରେନା   । ଭଲଥିଲେ  ହଠାତ୍  ଅନ୍ଧାରକଣା   ଆରମ୍ଭ  ହେଇ  ଯାଇଛି, ତାହାହେଲେ   ତାଙ୍କର  ସଲଫର  ଖାଇବା  ଦରକାର   । ଅବଶ୍ୟ  ସଲଫର  ରୋଗୀ  ଖୁବ୍  ଅପରିଷ୍କାର,  ଗାଧୋଇବାକୁ   ପସନ୍ଦ   କରନ୍ତି  ନାହିଁ, ସକାଳୁ  ଉଠୁଉଠୁ  ଅତର୍ଛିଆ  ଝାଡା  ଦଉଡନ୍ତି,  ବହୁତ  ପାଣି  ପିଅନ୍ତି ଓ  ସେ  ଅନୁପାତରେ   ତାଙ୍କର  ଖାଇବା  ବହୁତ  କମ୍  । ଡେଙ୍ଗା ପତଳା  ଲୋକ, ଆଖି  ଆଗରେ   ଜୁଳୁଜୁଳିଆ  ପୋକ  ଉଡିଲାଭଳି   ମନେକରୁଥିବେ ; ଖୁବ୍  ଥଣ୍ଡାପାଣି, କୋଲ୍ଡ  ଡ୍ରିଙ୍କ,  ଆଇସକ୍ରିମ ଖାଇବାରେ  ଅତ୍ୟଧିକ   ଆଗ୍ରହ, ମେଘା  ଘଡଘଡି   ଚଡଚଡି   କୁ  ପ୍ରାଣଭୟ, ଏପରି  ଲୋକଙ୍କୁ  ଅନ୍ଧାରକଣା  ହୋଇଥିଲେ   ଫସଫରସ  ଉଚ୍ଚଶକ୍ତିର  ଦେବା  ଦରକାର, ପୂର୍ବ  ଔଷଧ  ମାନଙ୍କ  ଭଳି  । ବେଲାଡୋନାର  ଲକ୍ଷଣ  ଥାଇ  ଉପଶମ ନ ହେଲେ   ଭେରାଟ୍ରମ – ଏଲକମ ଏହି  ରୋଗ   ଭଲ  କରି  ଦେଇଥାଏବୋଲି   ଡା : ଝାରଙ୍କ  ମତ  । କେତେକ  କ୍ଷେତ୍ରରେ   ଦେଖିବେ,  ମଝିରେ  ମଝିରେ   କେବଳ ଏଭଳି  ଅସୁବିଧା  ହେଉଛି, ଲଗାତାର  ନୁହେଁ  । କିଛିଦିନ   ହେଲା, ପୁଣି  ଆପେ  ଆପେ  ଭଲ   । ଏଭଳି  କ୍ଷେତ୍ରରେ  ଷ୍ଟ୍ରାମୋନିୟାମ ଖୁବ୍  ଭଲ   କାମ   କରେ   ବୋଲି   ଡା: କେ : ସି: ଭଞ୍ଜ  କୁହନ୍ତି  । ବରାବର   ବାଇଦୋଷ  ଧରି  ଅଜୀର୍ଣ୍ଣ   ଝାଡା  ଭୋଗୁଥିବ,  ଦେହ  ଦିନକୁ  ଦିନ  ଦୁର୍ବଳ  ହୋଇ   ଯାଉଥିବ,  ତାହାହେଲେ  ଚାଇନା – ୩୦ ଦିନକୁ  ଦୁଇଥର  କରି  କିଛିଦିନ  ଖାଇଲେ  ଅନ୍ଧାର  କଣା   ବେଶ୍  ଉପଶମ  ହୁଏ   । ଅତ୍ୟଧିକ  ଶୁକ୍ରକ୍ଷୟ, ରଜଃସ୍ରାବ, ବହୁସନ୍ତାନର  ଜନନୀଙ୍କ   କ୍ଷେତ୍ରରେ  ମଧ୍ୟ  ଏହା  ଉପକାରୀ  । ଦିନସାରା  ଆଖି  ଝିଲଝିଲ୍  କରୁଥିବ  ଓ  ରାତିହେଲେ  ସମ୍ପୂର୍ଣ୍ଣ  ଅନ୍ଧ, ପେଟ  ଦୋଷ, ପେଟମରା   ରୋଗ – ଖାଇଲେ  ଯନ୍ତ୍ରଣା  ଲାଘବ, ବଦମେଜାଜି  ହିଂସ୍ର  ଲୋକଙ୍କ  ପାଇଁ  ଏନାକାର୍ଡିୟାମ  ଅମୋଘ  ସେହିଭଳି  ଯେଉଁ  ପିଲାମାନେ, ମାଟି,  ଅଙ୍ଗାର, ଖଡି  ଖାଉଥିବେ,  ପରିସ୍ରା  ଗନ୍ଧ   ଖୁବ୍  ଯୋର  ଥିବ , ସେମାନଙ୍କୁ  ଏସିଡ ନାଇଟ୍ରିକ ଦେଲେ  ନିଶ୍ଚିତ   ଭଲ   ହେବ   । କେତେକଙ୍କ ମତରେ  ହଠାତ୍  ଅନ୍ଧାରକଣା  ଆରମ୍ଭ  ହେଇଥିଲେ  ରାନାନକୁଲସବଲ୍ ବ ଖୁବ୍ର ଭଲ  କାମ  କରେ   । ସେ’ଟା  ଅବଶ୍ୟ  ଠିକ୍, ମାତ୍ର  ଏଥିରେ   ଯଦି  ସାମାନ୍ୟ  ଉପଶମ   ହେବା  ପରେ  ଆଉ  ଆଗାଏ  ନାହିଁ,  ଅଥବା  କିଛି  ଫଳ  ଲାଭ  ନ ହୁଏ  ତାହାହେଲେ   ସଲଫର  ଦେବା  ବାଞ୍ଛନୀୟ   ।

କାନଟଣା

କାନରେ  ଇନଫେକସନ  କୁହନ୍ତୁ,  ଥଣ୍ଡା  ଲାଗିଛି   କୁହନ୍ତୁ ବା  ତା’  ମଧ୍ୟରେ  କୌଣସି  ଉଦ୍ଭେଦ   ଉଠୁଥାଉ, ସେଥିରେ  ଯେଉଁ  ବ୍ୟଥା   ହୁଏ  ତାହାର  ତୁଳନା  ନାହିଁ  କହିଲେ  ଚଳେ   ଏବଂ  ତାହା  ଏପରି  ସମୟରେ  ଆରମ୍ଭ  ହୁଏ ଯେ  କୌଣସି  ଡାକ୍ତରଙ୍କୁ   ପାଇବା  ସହଜ   ନୁହେଁ  । କିଛି  ନାହିଁ, ଛୁଆଟି   ଶୋଇଛି,  ଅଧରାତିକୁ  ହଠାତ୍  ଚିତ୍କାର   କରି  ଉଠିବ,  କାନ  କାନ  ବୋଲି   ପାଟି  କରିବ,  ନଚେତ   ଖୁବ୍  କଟିପିଲା   ହୋଇଥିଲେ   କାନଆଡକୁ   ହାତନେଇ  ଖାଲି  ଛଟପଟ  କରୁଥିବ,  କାଳବିଳମ୍ବ  ନ କରି ଏକୋନାଇଟ – ୨୦୦ ଦିଅନ୍ତୁ ଓ  କାନରେ  ଟିକେ  ମ୍ୟୁଲିନ  ଅଏଲ  ପକାଇ  ଦିଅନ୍ତୁ  । ଯଦି  ଶୀତଦିନ  ରାତିରେ  ସ୍କୁଟରରେ  ଆସିଥିବେ  ଓ  କାନରେ  ଥଣ୍ଡା  ପବନ  ମାଡ  ହୋଇଥିବ  ତାହାହେଲେ  ତ  କଥା  ନାହିଁ  । ଏକୋନାଇଟ  ନିଆଁରେ   ପାଣି  ପଡିବା  ସଦୃଶ   କାମ  କରିବ  । ନାହିଁ ଯଦି  ଦେଖିବେ  କାନ  ଭିତରୁ   ଖୁବ୍ ତାତି  ବାହାରୁଛି, ବିଶେଷ ଭାବରେ  ଡାହାଣପଟ  କାନ, ହାତ  ଦେଲେ  ଗରମ  ଲାଗୁଥିବ  ଓ  ନାଡି  ଚାଲିଲାଭଳି  ଧପ୍ ଧପ୍  କରୁଥିବ, କାନମୂଳ  ତଥା  ମୁହଁ  ଲାଲ  ଦେଖାଯାଉଥିବ , ତାହାହେଲେ  ବେଲାଡୋନା  ଦେବେ  । ଏହାର  ବ୍ୟଥା  ମଧ୍ୟ  ହଠାତ୍  ଆସିବ  ଓ  ତୁହାକୁ  ତୁହା  ହେବ  । ଲଗାତାର  ବ୍ୟଥା  ବେଲାଡୋନାର  ଚରିତ୍ର  ନୁହେଁ  । ଲଗାତାର   ବ୍ୟଥା  ଥିବ,  ଥଣ୍ଡା  ଲାଗି  କାନ  ବ୍ୟଥା  ହେଉଥିବ, କାନପଚାର  ଇତିହାସ  ଥିବ,  କାନମୂଳ   ଏତେ  ବ୍ୟଥା  ଯେ   ହାତମରାଇ  ଦେଉ  ନ ଥିବ, କିନ୍ତୁ  କାନମୂଳରେ  ଉଷୁମ  ସେକ  ବା  ‘ଆଫା’ କରି  ହାତ  ଲଗେଇବାରେ   ଆରମ  ପାଉଥିବ, ତାହାହେଲେ  ‘ହିପାର  ସଲଫ’  ଦେବେ   । ହଁ  ବେଳେବେଳେ  ଦେଖିବେ  ବରାବର   ରାତିରେ   କାନବ୍ୟଥାର  କମ୍ପ୍ଲେନ, ରୋଗୀ  ଉଠି  କାନ୍ଦୁଥିବ  ଓ  କାନମୂଳକୁ  ସାଉଁଳୁଥିବ  ବା  ଧୀରେ  ଧୀରେ  ଘଷୁଥିବ,  କାନପଚାର   ଇତିହାସ  ମଧ୍ୟ  ଥାଇପାରେ, ତାହାହେଲେ  ମର୍କସଲ  ଦେବେ  ।  ଅନେକ  ସମୟରେ   ଦେଖିବେ   ରୋଗୀ  ରାତି  ନ’ଟା  ଦଶଟା  ବେଳକୁ  କାନ  କାନ   ବୋଲି  ଚିତ୍କାର  କରି  ଖାଲି   ରାଗିମାଗି  ବ୍ୟସ୍ତ  ହୋଇପଡୁଥିବ, କାନରେ  ଗରମ  ଲାଗିଲେ   ବେଶି  ଅସହ୍ୟ  ହେଉଥିବ ; ଛୋଟପିଲା   ହୋଇଥିଲେ   ଅନବରତ   ଚିତ୍କାର  କରି  କାନ୍ଦୁଥିବ  ଓ  ଖାଲି  ୟା  କାନ୍ଧରୁ  ତା’ କାନ୍ଧକୁ   ଯିବାକୁ  ଚାହୁଁଥିବ, ତାହାହେଲେ  କ୍ୟାମୋମିଲା   ଦିଅନ୍ତୁ  । ନିରେଖି  ଦେଖିଲେ   ଯଦି  ମୁହଁର  ଏକପାଖ   ଲାଲ୍ ଓ  ଅନ୍ୟପାଖ   ଶେଥା  ଦେଖାଯାଉଥାଏ  ତାହାହେଲେ  ତ  କ୍ୟାମୋମିଲା   ଛଡା ଅନ୍ୟ  କିଛି  ହୋଇ ନ ପାରେ   । ଯଦି  ପୁରୁଣା  ଶର୍ଦ୍ଦି  ପାଚ୍ୟ  କାନ  ଟାଣୁଥାଏ,  ଘର  ଭିତରେ  ନ ରହି  ରୋଗୀ  ଖାଲି  ବାହାରକ  ଯାଇ  ବସିରହେ  ଖୋଲା  ପବନ  ପାଇଁ, ବ୍ୟଥା  ଯନ୍ତ୍ରଣା ବଢିବା  ସହିତ  ଶୀତ  ଶୀତ  ଭାବ  ଅନୁଭବ  କରୁଥାଏ, ବ୍ୟଥା  ଏତେ  ଯେ  ପାଟି  ମୁହଁ  ଶୁଖିଯାଉଥାଏ   ଅଥଚ  ପାଣି  ପିଇବାକୁ  ଆଗ୍ରହ  ନ ଥାଏ  ତାହାହେଲେ  ପଲସେଟିଲା ଦେବେ  ଚିନ୍ତା  ନ କରି   । ଫେରମଫସ  ଗୋଟିଏ   ଔଷଧ  ଯେଉଁଥିରେ   କି  ଦେଖିବେ  ବ୍ୟଥାଟା  ଧୀରେ  ଧୀରେ   ବଢିବାରେ  ଲାଗେ,  ମୁହଁ  ଲାଲ   ପଡିଯାଏ  ଓ  ସାମାନ୍ୟ  ହଲଚଲ  ମଧ୍ୟ  ସହିପାରେନା, ଘୁମୁସେଇ  ଜ୍ଵର  ରହିଥାଏ  ଓ କାନ  ପାଚିବାର  ପୂର୍ବଲକ୍ଷଣ  ସବୁ  ଦେଖାଯାଏ   । ଏହି  ସମୟରେ   ଯଦି  ଏହାକୁ   ଦିଅନ୍ତି  ତାହାହେଲେ   କାନ ନ ପାଚ୍ୟ  ରୋଗୀ  ଆରୋଗ୍ୟ  ହୋଇଯାଏ   । ଏହାରେ  କହି  ରଖୁଛି  ଫେରମଫସ  ବାଇଓକେମିକରେ   ମଧ୍ୟ  ମିଳେ   । କିନ୍ତୁ  ଏ  କ୍ଷେତ୍ରରେ  ହୋମିଓପାଥି  ମତରେ  ତିଆରି  ୨୦୦  ଶକ୍ତି  ବ୍ୟବହାର  କରିବେ   ।

ସେହିଭଳି, ବାଇଓକେମିକର  ମ୍ୟାଗ୍ନେସିଆଫସ  ମଧ୍ୟ  ହୋମିଓପାଥି  ମତରେ   ତିଆରି  ୨୦୦ ଶକ୍ତି  କାନଟଣା   ପାଇଁ   ବେଶ୍  ଉପକାରୀ   । ବେଲାଡୋନା  ଭଳି  ଡାହାଣ  କାନ  ବଥଉଥିବ, ରାତିରେ  ବଢୁଥିବ,  ଥଣ୍ଡାଲାଗି  ଆରମ୍ଭ ହୋଇଥିବ  ଏବଂ ଗରମ  ସେକ  ଓ  ଚାପ  ଦ୍ଵାରା   ଆରାମ  ପାଉଥିବ  । ରୋଗୀ   ସବୁବେଳେ  ପୀଡାଗ୍ରସ୍ତ   କାନମୂଳକୁ  ଖାଲି  ଛାପି  ରଖି  ବସିଥିବ   । ଏହିଭଳି   ଯଦି  ବାମକାନ   ହେଉଥିବ  ତାହାହେଲେ  ଭରବାସକସ୍  ଦେବେ  ।  ଅବଶ୍ୟ  ଏଥିରେ  ଶର୍ଦ୍ଦି  ଲକ୍ଷଣ  ଥିବ  ଓ  ଗଳା  ବସିଯାଇ   ଭଙ୍ଗା  ସ୍ଵରରେ  କାଶ  ହେଉଥିବ  ।

ଏସବୁ  ବାଦ,  ଅନେକ  ସମୟରେ  କାନ  ଭିତରେ   ବରାବର  ଛୋଟ  ଛୋଟ  ଉଦ୍ଭେଦ  ଉଠି  ବହୁତ  ଯନ୍ତ୍ରଣା   ଦିଏ   । ଏଥିପାଇଁ  କାଲକେରିଆ  ପିକ୍ରିଏଟା  ଅମୋଘ  । ଏହାର  ଉଚ୍ଚଶକ୍ତି  ପ୍ରୟୋଗରେ  ଏଭଳି   ପ୍ରବଣତା   ଦୂର  ହୋଇଯାଏ   ।

ସଂଗୃହୀତ – ଡାକ୍ତର  କମଳାକାନ୍ତ  କର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate