ପୀଡିତକୁ ଆରୋଗ୍ୟ କରିବା ନିମନ୍ତେ ସାଧାରଣତଃ ଦୁଇଗୋଟି ଉପାୟ ଅବଲମ୍ବନ କରାଯାଇଥାଏ । ଗୋଟିଏ ହେଉଛି ରୋଗୀ ଶରୀରରେ ଭେଷଜ ଆଖ୍ୟା ଦିଆହୋଇଥିବା ଏକ ପଦାର୍ଥକୁ ପ୍ରୟୋଗ କରାଇ ଘ୍ରାଣ, ଭକ୍ଷଣ, ପ୍ରଲେପନ, ପ୍ରକ୍ଷେପଣ ଇତ୍ୟାଦି ମାଧ୍ୟମରେ ; ଅନ୍ୟଟି ହେଉଛି ପୀଡିତ ଅଙ୍ଗରେ ଅସ୍ତ୍ରଚାଳନା କରି, ଯାହାକୁ କି ଅସ୍ତ୍ରଚିକିତ୍ସା ବା ଶଲ୍ୟଚିକିତ୍ସା ବୋଲାଯାଏ । ଏହି ଦୁଇ ପ୍ରକ୍ରିୟାରେ ଚିକିତ୍ସା କରିବାର ବିଧି ମାନବ ସଭ୍ୟତାର ପ୍ରଥମ ଉନ୍ମେଷରୁ ହିଁ ଲକ୍ଷ୍ୟ କରାହେଉଅଛି ଓ ଏହାରି ଉପରେ ହିଁ ସମୟର ଗତି ଅନୁଯାୟୀ ଅଧିକ ଆଧୁନିକୀକରଣ ବା ଉନ୍ନତର ବ୍ୟବସ୍ଥା କରାହୋଇଅଛି ।
ଦ୍ଵିତୀୟ ବ୍ୟବସ୍ଥା ବା ଅସ୍ତ୍ରଚିକିତ୍ସାରେ ମୋଟାମୋଟି କହିବାକୁ ଗଲେ ଅଧିକ ବୈଜ୍ଞାନିକ ବା ଉନ୍ନତତର ପ୍ରଣାଳୀର ବ୍ୟବସ୍ଥା ବ୍ୟତୀତ, ମୂଳ ନୀତିର କୌଣସି ପ୍ରକାରର ମତାନୈକ୍ୟ ଦେଖାଯାଇ ନାହିଁ । କେବଳ ଏକ ନିର୍ଦ୍ଧିଷ୍ଟ ରୋଗୀ କ୍ଷେତ୍ରରେ ଅସ୍ତ୍ର ଚିକିତ୍ସାର କାର୍ଯ୍ୟକାରିତାର ସୀମାରେଖା ସମ୍ପର୍କରେ ଯାହା ଯେପରି ନାନା ପ୍ରକାରର ମତାମତ ମିଳିଥାଏ । ସେ ଯାହାହେଉନା କାହିଁକି, ଏହି ଅସ୍ତ୍ରଚିକିତ୍ସା ପଦ୍ଧତି ଏକ ସ୍ଵୟଂସମ୍ପୂର୍ଣ୍ଣ ଅଲଗା ଚିକିତ୍ସାକଳା ଯାହାର ପରିଧି ସସୀମ ।
ମାତ୍ର ପ୍ରଥମ ବ୍ୟବସ୍ଥା, ଭେଷଜ ପ୍ରୟୋଗ ନୀତିରେ ଅନେକ ପ୍ରକାରର ନୀତି ଓ ନିୟମ ଦେଖିବାକୁ ମିଳେ । କାରଣ, ଏହାର କ୍ଷେତ୍ର ଅସୀମ ଓ ଅଭିଜ୍ଞତା ଅକଳନ ।
ଜୀବ ଶରୀରରେ ଭେଷଜ ପ୍ରୟୋଗ କଲେ ଦେଖାଯାଏ, ତାହା ପ୍ରାକୃତିକ ପୀଡାପରି ଏକ କୃତ୍ରିମ ବ୍ୟାଧି ସୃଷ୍ଟି କରି ଲକ୍ଷଣସମୂହ ପ୍ରକାଶ କରେ । ଆମକୁ ଏ କଥା ମଧ୍ୟ ଭଲଭାବରେ ଜଣା ଯେ ରୋଗୀକୁ ବ୍ୟାଧିମୁକ୍ତ କରିବାର କ୍ଷମତା ଭେଷଜଶକ୍ତିର ଅଛି । ତେଣୁ ଆରୋଗ୍ୟ ନିମିତ୍ତ ଭେଷଜ ପ୍ରୟୋଗରେ ଯେତେ ପ୍ରକାର ନିୟମ ବା ପ୍ରଣାଳୀର ଉଦ୍ଭାବନ ହେଉନା କାହିଁକି, ଜୀବନର ସ୍ୱାସ୍ଥ୍ୟକର ଅବସ୍ଥାରୁ ବିଚ୍ୟୁତ କରିବାର ଯେ କ୍ଷମତା ଭେଷଜର ଅଛି ତାହା ହିଁ ତାହାର ଆରୋଗ୍ୟଦାୟିନୀ ଶକ୍ତି ଓ ତାହାରି ଉପରେ ନିର୍ଭର କରି ରୋଗୀ ନିମନ୍ତେ ଔଷଧର ବ୍ୟବସ୍ଥା ହୋଇଥାଏ । ଏହି ମୂଳ ନୀତି ଉପରେ କାହାରି ଭିନ୍ନ ମତ ନାହିଁ ।
କିନ୍ତୁ ପ୍ରାକୃତିକ ପୀଡା ଲକ୍ଷଣ ସହିତ ଭେଷଜଶକ୍ତି କିଭୟ ଭାବରେ ସମ୍ବନ୍ଧଯୁକ୍ତ ହେଲେ ଆରୋଗ୍ୟଲାଭ ସମ୍ଭବ, ତାହାହିଁ ଆଲୋଚନା ଓ ବିବେଚନାର ବିଷୟ । ବିଷୟ । ଆଜିକାଲି ଅନେକ ପ୍ରକାରର ଚିକିତ୍ସା ପ୍ରଣାଳୀର ପ୍ରଚାର ଦେଖିବାକୁ ମିଳେ ଓ ପ୍ରତ୍ୟକ ନିଜ ନିଜର ଏକ ଏକ ସ୍ଵତନ୍ତ୍ର ପଦ୍ଧତି ଅଛି ବୋଲି ଦାବି କରନ୍ତି । ମାତ୍ର ତଥାକଥିତ ଏହି ପ୍ରତ୍ୟକଟି ସ୍ଵତନ୍ତ୍ର ପଦ୍ଧତିକୁ ବିଚାର ଓ ବିଶ୍ଳେଷଣ କରି ଦେଖିଲେ ଆମେ ମୂଳତଃ ମାତ୍ର ତିନିଗୋଟି ପଦ୍ଧତିର ହିଁ ପ୍ରଚଳନ ଉପଲବ୍ଧ କରୁ ଏବଂ ଏହା ହେଉଛି – (୧) ଅସଦୃଶ ଲକ୍ଷଣ ବା ଏଲୋପାଥି (୨) ବିସଦୃଶ ଲକ୍ଷଣ ବା ଏଣ୍ଟିପ୍ୟାଥି ଓ (୩) ସଦୃଶ ଲକ୍ଷଣ ସୂତ୍ର ବା ହୋମିଓପାଥି ।
ବର୍ତ୍ତମାନ ଅଲଗା ଅଲଗା ଭାବରେ ପ୍ରତ୍ୟକଟିର ରୋଗୀ ଚିକିତ୍ସା କ୍ଷେତ୍ରରେ କର୍ମ ପରିସର ବିଚାର କରାଯାଉ ।
ଏହି ପ୍ରଣାଳୀଦ୍ଵାରା ଶରୀରର ପୀଡିତ ନ ଥିବା ଏକ ଅଙ୍ଗ ବା ଜନ୍ତ୍ରକୁ ଉଦ୍ଦୀପିତ କରାଇ ପୀଡିତ ଅଙ୍ଗ ବା ଯନ୍ତ୍ରରୁ ପୀଡା ଆରୋଗ୍ୟ କରିବାର ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । ଶରୀରର ଯେଉଁ ଅଂଶରେ ଓ ଜେଭଳି ପ୍ରକାରର କ୍ରିୟା ପ୍ରକାଶ କରାଯାଏ ତାହାର ପୀଡିତ ଅଂଶ ଓ ଲକ୍ଷଣ ସହିତ କୌଣସି ପ୍ରକାରର ସମ୍ବନ୍ଧ ବା ସାଦୃଶ୍ୟ ନ ଥାଏ । ଯଥା : - ପ୍ଳୁରିସି ରୋଗରେ ମୂତ୍ରବର୍ଦ୍ଧକ ଔଷଧ ପ୍ରୟୋଗ, ସନ୍ୟାସରୋଗରେ ଜୋଲାପ ପ୍ରୟୋଗ ଇତ୍ୟାଦି ଇତ୍ୟାଦି । ଶରୀରର ଅନ୍ୟାନ୍ୟ ଯନ୍ତ୍ରରେ ଏ ପ୍ରକାରର ଉଦ୍ଦୀପନା ସୃଷ୍ଟି କରିବାର ଉଦ୍ଦେଶ୍ୟ ହେଲା ଯେ ସେ ସକଳ ଯନ୍ତ୍ରର କ୍ରିୟାକୁ ବଢାଇ ଦେଲେ ପ୍ଳୁରା ଓ ମସ୍ତିସ୍କର ରକ୍ତ ସଞ୍ଚାଳନ ହ୍ରାସ ହୋଇଯିବ ଓ ରୋଗୀ ଉପଶମ ଲାଭ କରିବ । ଏ କ୍ଷେତ୍ରରେ ଭେଷଜର ଶରୀର ଉପରେ ହେଉଥିବା କ୍ରିୟା ସହିତ ପୀଡା ପ୍ରକାଶର କୌଣସି ସମ୍ବନ୍ଧ ନାହିଁ, ତାହା ସମ୍ପୂର୍ଣ୍ଣ ଅସଦୃଶ । ସେହି କାରଣରୁ ଏହି ସମ୍ବନ୍ଧ ସୂତ୍ରକୁ କୁହାଯାଏ ଏଲୋପାଥି । ଏ ଧରଣର ଚିକିତ୍ସା ପ୍ରଣାଳୀରେ ଦୁଇଟି ତ୍ରୁଟି ପରିଲକ୍ଷିତ ହୁଏ । ପ୍ରଥମଟି ହେଲା – ଅନିଶ୍ଚିୟତା ।ଜୋଲାପ ପ୍ରୟୋଗ ବା ଆନୁସଙ୍ଗିକ ବ୍ୟବସ୍ଥାରେ ହୁଏତ କିଛି ସମ୍ଭବ ହୋଇପାରେ, କିନ୍ତୁ ନ ହେବାର ସମ୍ଭାବନା ମଧ୍ୟ ବିଶେଷଭାବରେ ଥାଏ । ଆରୋଗ୍ୟ ସମ୍ବନ୍ଧରେ ନିଶ୍ଚୟତା କିଛି ନାହିଁ । ଏହି ଯେ ଚିକିତ୍ସା ତାହା ଅନୁମାନ ନିର୍ଭର, ଯୁକ୍ତିର ଯଥାର୍ଥତା ସନ୍ଦିହାନମୂଳକ । ଏ ପ୍ରସଙ୍ଗରେ Dr. Girtannerଙ୍କ ଉକ୍ତି ଉଲ୍ଲେଖଯୋଗ୍ୟ । ସେ କହିଛନ୍ତି “ The Doctor with his drugs is like a blindman with a club. He aims to crush the disease but is quite as likely to destroy the patient.” ଅର୍ଥାତ୍ “ଜଣେ ଅନ୍ଧଲୋକ ହାତରେ ଗୋଟାଏ ଗଦା ଥିବା ଯାହା, ଜଣେ ଡାକ୍ତରଙ୍କ ହାତରେ ଔଷଧ ଥିବା ମଧ୍ୟ ତାହା । ସେ ରୋଗ ଧ୍ଵଂସ କରିବାକୁ ଲକ୍ଷ୍ୟ ରଖି ଆଗେଇ ଯାଆନ୍ତି, ମାତ୍ର ପ୍ରାୟତଃ ରୋଗୀକୁ ଧ୍ଵଂସ କରିଦେଇ ବସନ୍ତି” । ତାହା ନ ହେଲେ Dr. Hahnemann ଙ୍କ ଭାଷାରେ “ Otherwise all diseases must necessarily be cured in rapid, certain and permanent manner by all medicines, however they may differ.” ଅର୍ଥାତ୍, “ନଚେତ୍ ସମସ୍ତ ବ୍ୟାଧି, ସକଳ ପ୍ରକାରର ଔଷଧ ଦ୍ଵାରା, ଜେଭଳି ଭାବରେ ସେମାନଙ୍କର ପାର୍ଥକ୍ୟ ଥାଉନା କାହିଁକି, ନିଶ୍ଚୟ, ଯଥାଶୀଘ୍ର, ନିଶ୍ଚିତଭାବରେ ଓ ସ୍ଥାୟୀ ଭାବରେ ଆରୋଗ୍ୟ ହେବ ।” କାରଣ, ପ୍ରତ୍ୟକ ଭେଷଜଶକ୍ତିର ଏକ ନିର୍ଦ୍ଧିଷ୍ଟଭାବରେ ଜୀବ ଶରୀରକୁ ଅସୁସ୍ଥ କରିବାର କ୍ଷମତା ରହିଛି ।
ଦ୍ଵିତୀୟଟି ତ୍ରୁଟି ହେଲା – ଏହା ଏକ ବିଶେଷ କ୍ଷତିକର ବ୍ୟବସ୍ଥା । କାରଣ ଏହି ପ୍ରଣାଳୀଦ୍ଵାରା ରୋଗୀର ଯେଉଁ ଅଂଶ ବା ଅଙ୍ଗଟି ସାଧାରଣଭାବରେ ସୁସ୍ଥ ଅବସ୍ଥାରେ ଥାଏ ତାହାକୁ ଉଦ୍ଦୀପନା ଦେଇ ଅଧିକ କ୍ରିୟାଶୀଳ କରାଯାଇଥାଏ, ଏବଂ ଇପ୍ ସିତ ଫଳ ଲାଭ ନ ହେବା ପର୍ଯ୍ୟନ୍ତ ଉକ୍ତ ବ୍ୟବସ୍ଥା ଅବ୍ୟାହତ ଭାବରେ ବରଂ ପରକୁ ପର ଅଧିକ ଶକ୍ତିଶାଳୀ କୌଣସି ବାହ୍ୟ ଶକ୍ତିଦ୍ଵାରା କୌଣସି ଏକ ଯନ୍ତ୍ରବିଶେଷକୁ ଯଦି ଅଧିକ କାର୍ଯ୍ୟ କରାଇବାର ବ୍ୟବସ୍ଥା କରାଯାଏ ତାହାହେଲେ ସେହି ସାଧାରଣଭାବରେ ସୁସ୍ଥଥିବା ଯନ୍ତ୍ରଟି ପରିମାଣରେ ଯେ କି ଫଳ ଭୋଗ କରିବ ତାହା ନ୍ୟୁନତମ ବିଚାର ବୁଦ୍ଧିରେ ମଧ୍ୟ ବେଶ୍ ଉପଲବ୍ଧ କରାଯାଇପାରେ । ଏହି ପ୍ରଣାଳୀରେ ଚିକିତ୍ସାଦ୍ଵାରା ସାଧାରଣଭାବରେ ସୁସ୍ଥଥିବା ଅଙ୍ଗଟିକୁ ମଧ୍ୟ ଅସୁସ୍ଥ କରାଇବାର ସମ୍ଭାବନା ନିଶ୍ଚିତଭାବରେ ଯେ ଅଛି ତାହା ଯେ କେହି ଚିନ୍ତାଶୀଳ ବ୍ୟକ୍ତି ଅନୁଭବ କରିବେ । ସେଥିପାଇଁ ସୁବିଜ୍ଞ ଚିକିତ୍ସକ Dr. Paris ତାଙ୍କ ଛାତ୍ରମାନଙ୍କୁ ସାବଧାନ କରି କହିଛନ୍ତି “If you cannot heal your patient gentlemen, at least do not hurt him.” ଅର୍ଥାତ୍ “ଆପଣମାନେ ଯଦି ଆପଣମାନଙ୍କ ରୋଗୀଙ୍କୁ ଆରୋଗ୍ୟ ନ କରିପାରନ୍ତି ଅନ୍ତତଃ ତାଙ୍କର କିଛି କ୍ଷତି କରନ୍ତୁ ନାହିଁ ।”
ସୁତରାଂ, ଏଥିରୁ ଏହା ସିଦ୍ଧାନ୍ତ ହେଉଛି ଯେ ଏକ ଅନିଶ୍ଚିତ ଫଳ ଲାଭର ଆଶାରେ ଆମେ ନିଶ୍ଚିତଭାବରେ ନୂତନ କ୍ଷତିସାଧନ କରିବାକୁ ଯାଉଛୁ । ଅବଶ୍ୟ ଯେଉଁଠି ପରିମାଣରେ ଉପକାର ସମ୍ଭାବନା ନିଶ୍ଚିତ ସେଠାରେ ପ୍ରଥମେ କ୍ଷତି ସହିବା ବିଶେଷ ତ୍ରୁଟିପୂର୍ଣ୍ଣ ନୁହେଁ ; ଯେପରି ସ୍ଥାୟୀ ଉପଶମ ପାଇଁ ରୋଗୀ ଶରୀରରେ ଅସ୍ତ୍ରଚାଳନା କରିବା ଇତ୍ୟାଦି । କିନ୍ତୁ ଯେ କ୍ଷେତ୍ରରେ ପରିମାଣ ବିଷମୟ ଓ ଅନିଶ୍ଚିତତାର କୁହେଳିକା ସମାଚ୍ଛନ୍ନ; ଯେଉଁଠି ପ୍ରତି ପଦକ୍ଷେପରେ ଅନ୍ଧକାର ପଥଦେଇ ଦରାଣ୍ଡି ଚାଲିବାକୁ ହେବ, ସେ ସ୍ଥଳରେ ଇଚ୍ଛାକୃତ ତ୍ରୁଟିବିଚ୍ୟୁତି ମାରାତ୍ମକ ନିଶ୍ଚୟ ।
ଏହି ମତାନୁଯାୟୀ ରୋଗୀ ଶରୀରରେ ଯେଉଁସବୁ ଲକୟାନ ବିଦ୍ୟମାନ, ସେ ସକଳ ଲକ୍ଷଣ ମଧ୍ୟରୁ ଯେଉଁଠି ଅତିଶୟ ପୀଡାଦାୟକ, ତାହାର ବିପରୀତ ଏକ ଲକ୍ଷଣ ସୃଷ୍ଟି କରିପାରୁଥିବା ଭେଷଜ ପ୍ରୟୋଗ କରାଯାଏ । ଏହି ସୁତ୍ରାନୁସାରେ, ନିଶ୍ଚିତଭାବରେ ଏକ ଦ୍ରୁତ ଉପଶମ ଅଣାଯାଇଥାଏ । ଯଥା – କୋଷ୍ଠବଦ୍ଧତାରେ ଜୋଲାପ ପ୍ରୟୋଗ, ଅତିସାରରେ ଅହିଫେନସାରଯୁକ୍ତ ଔଷଧ ପ୍ରୟୋଗ, ମୂତ୍ରାରୋଧରେ ମୁଟ୍ରାବର୍ଦ୍ଧକ ଔଷଧ ସେବନ ଇତ୍ୟାଦି । ଏହାଦ୍ଵାରା ତତକ୍ଷଣାତ ଏକ ଉପଶମକାରୀ ଫଳ ମିଳେ ସତ ମାତ୍ର ତାହା ଚିରସ୍ଥାୟୀ ହୁଏ ନାହିଁ । ଅସ୍ଥାୟୀଭାବରେ ଉକ୍ତ ଲକ୍ଷଣ ଦୂରୀଭୂତ ହେଲେ ମଧ୍ୟ ଔଷଧର କ୍ରିୟା ଶେଷ ହେବାପରେ ତାହା ପୂର୍ବାପେକ୍ଷା ଅଧିକ ଭାବରେ ଦେଖାଦିଏ । ଯଥା – ନିଦ୍ରାହୀନତା ବା ଅତ୍ୟଧିକ ବେଦନା ହେତୁ ମର୍ଫିୟା ଦେଇ ରୋଗୀକୁ ନିଦ୍ରାଭିଭୂତ କରାଇ ଦିଆଯାଏ ସତ ମାତ୍ର ମର୍ଫିୟାର କ୍ରିୟା ଶେଷ ହେବାପରେ ରୋଗୀ ଅତ୍ୟଧିକ ନିଦ୍ରାହୀନତା ଭୋଗକରେ ବା ପୂର୍ବବ୍ୟଥାର ପୁନରାଗମନ ହୁଏ ଅତିରିକ୍ତ ମାତ୍ରାରେ । ତେଣୁ ଏହି ସୁତ୍ରାନୁସାରେ ଚିକିତ୍ସାର ଫଳ ଅତ୍ୟନ୍ତ ସୀମିତ । ଏହାର କାରଣ କ’ଣ ?
ଏହା ଏକ ନିର୍ଦ୍ଧିଷ୍ଟ ସତ୍ୟ ଯେ ପ୍ରତ୍ୟକ କ୍ରିୟାକର୍ମ ଏକ କେନ୍ଦ୍ର ଶକ୍ତିଦ୍ଵାରା ପରିଚାଳିତ ଏବଂ କେନ୍ଦ୍ରର ଦୁର୍ବଳତା ବା ଅପାରଗତା ହେତୁ ସବୁ ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହୋଇଥାଏ । ଜୀବ ଶରୀରରେ ମଧ୍ୟ ଏକ କ୍ରିୟାକେନ୍ଦ୍ର ବର୍ତ୍ତମାନ, ଯାହାକି ଜୀବର ସମସ୍ତ ସୁସ୍ଥ ଓ ରୋଗ ଅବସ୍ଥାପାଇଁ ଦାୟୀ ।
ମନେକରାଯାଉ ଜଣେ ଏହି କ୍ରିୟାକେନ୍ଦ୍ରର ଗଣ୍ଡଗୋଳରୁ କୋଷ୍ଠକାଠିନ୍ୟ ଭୋଗ କରୁଛନ୍ତି ; ତାଙ୍କୁ ଜୋଲାପ ଦେଇ କୋଷ୍ଠ ପରିଷ୍କାର କରିଦିଆଗଲା, ତା’ର ପରିଣାମ କ’ଣ ହେବ ? ଏହା ଅନସ୍ଵୀକାର୍ଯ୍ୟ ଯେ, କୌଣସି ଏକ ଅଂଶରେ ଯଦି ବଳପ୍ରୟୋଗ କରାଯାଏ ତେବେ ତାହାର ପ୍ରତିଫଳନ କେନ୍ଦ୍ରରେ ନିଶ୍ଚୟ ପ୍ରକାଶ ପାଇବ । ବର୍ତ୍ତମାନ ଆମ ଦେଶର ଦୃଷ୍ଟାନ୍ତ ନିଆଯାଉ । କାଶ୍ମୀର ସୀମାନ୍ତରେ ପାକିସ୍ତାନର ଅନୁପ୍ରବେଶ ହେତୁ ଆମ ଦେଶର କେନ୍ଦ୍ର ଦିଲ୍ଲୀରେ ତା’ର ପ୍ରତିକ୍ରିୟା ପ୍ରକାଶ ପାଇଲା । ପ୍ରଥମେ ଆମ ଦେଶ କିଛିଟା ଫଳ ଭୋଗ କଳା ଅଚାନକ ଆକ୍ରମଣ ହେତୁ, ମାତ୍ର ତା’ର ପ୍ରତିଫଳ ହେଲା ଅତିଶୟ ଶକ୍ତିଶାଳୀଭାବରେ ଉକ୍ତ ଆକ୍ରମଣର ପାଲଟା ଆକ୍ରମଣ କରିବାରେ ନାନାପ୍ରକାରର ଆନୁଷଙ୍ଗିକ କ୍ଷତି ସହିବା ସଙ୍ଗେ ସଙ୍ଗେ । ସେହିପରି କୋଷ୍ଠକାଠିନ୍ୟରେ ଜୋଲାପ ପ୍ରୟୋଗଦ୍ଵାରା ଅନ୍ତନାଳୀ ପ୍ରଥମ ଅବସ୍ଥାରେ ପରିଷ୍କାର ହୋଇଗଲା ସତ୍ୟ, ମାତ୍ର ତା’ର ପ୍ରତିକ୍ରିୟା ରୋଗୀର କ୍ରିୟାକେନ୍ଦ୍ରରେ ଅଧିକ କୋଷ୍ଠକାଠିନ୍ୟ ସୃଷ୍ଟି କରିବାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଜୋଲାପ କ୍ରିୟାର ପ୍ରତିରୋଧ ଘଟାଇବ । ବିପରୀତ ବା ବିସଦୃଶ ଲକ୍ଷଣ ସୂତ୍ରରୁ ଔଷଧ ପ୍ରୟୋଗଦ୍ଵାରା ପ୍ରଥମତଃ ଯଦିଓ ରୁଚିକର ଫଳଲାଭ ହୁଏ କିନ୍ତୁ ତା’ର ପରିଣାମ କୌଣସି କ୍ଷେତ୍ରରେ ମଧ୍ୟ ସୁସ୍ଥକର ନୁହେଁ ।
ପୁନଶ୍ଚ ଏହି ପ୍ରଣାଳୀରେ ରୋଗୀର କେବଳ ଅତିଶୟ ପୀଡାଦାୟକ ଲକ୍ଷଣର ଚିକିତ୍ସା କରାଯାଇଥାଏ ମାତ୍ର । ତେଣୁ ରୋଗୀ ହିସାବରେ ପୂର୍ଣ୍ଣ ଆରୋଗ୍ୟ ଏତଦ୍ଵାରା ସମ୍ଭବ ନୁହେଁ । ବିଭିନ୍ନ ଲକ୍ଷଣର ନିରାମୟ ପାଇଁ ବିଭିନ୍ନ ପ୍ରକାରର ବିପରୀତ ଲକ୍ଷଣ ସୃଷ୍ଟି କରିପାରିବାର ଔଷଧ ପ୍ରୟୋଗ କରାଯାଏ, ଫଳରେ ଜୀବର କ୍ରିୟାକେନ୍ଦ୍ରରେ ନାନାପ୍ରକାରର ପ୍ରତିକ୍ରିୟା ସୃଷ୍ଟିହୋଇ ଏକ ଜଟିଳତର ଅବସ୍ଥାର ବିକାଶ ଘଟେ । ପୁନଶ୍ଚ ପ୍ରତ୍ୟକ ଲକ୍ଷଣର ସମ୍ପୂର୍ଣ୍ଣ ବିପରୀତ ଲକ୍ଷଣ ମିଳିବା ସମ୍ଭବ ନୁହେଁ । ତେଣୁ ଔଷଧ ମଧ୍ୟ ମିଳିବା ସମ୍ଭବ ନୁହେଁ ।
ଏହି ପ୍ରଣାଳୀଦ୍ଵାରା ରୋଗୀ ଦେହର ଲକ୍ଷଣ ସଦୃଶ ଲକ୍ଷଣ ସୃଷ୍ଟି କରିପାରୁଥିବା ଭେଷଜର ବ୍ୟବସ୍ଥା ହୁଏ । ତେଣୁ ଏହା ବିସଦୃଶ ଲକ୍ଷଣ ଚିକିତ୍ସାର ସମ୍ପୂର୍ଣ୍ଣ ବିପରୀତ । ଫଳରେ ଏହି ଔଷଧ ପ୍ରୟୋଗଦ୍ଵାରା ଜୀବର କ୍ରିୟାକେନ୍ଦ୍ରରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହୁଏ ତାହା ଭୋଗ ହେଉଥିବା ରୋଗ ଲକ୍ଷଣର ଠିକ୍ ବିପରୀତ । ତେଣୁ ପ୍ରତିକ୍ରିୟାଟା ଆରୋଗ୍ୟ ମାର୍ଗଦର୍ଶକ, ସୁତରାଂ ଚିରସ୍ଥାୟୀ । ଏହି କାରଣରୁ ଏହି ସୂତ୍ରରେ ଚିକିତ୍ସାକାଳୀନ ରୋଗୀର, ବର୍ତ୍ତମାନ ଲକ୍ଷଣସକଳର ସାମୟିକ ବୃଦ୍ଧିଘଟି ପରେ ପରେ ସମସ୍ତ ରୋଗ ଲକ୍ଷଣ ତିରୋହିତ ହୋଇଥାଏ ।
ଏହି ପ୍ରଣାଳୀ ଦ୍ଵାରା ରୋଗୀର ସାମଗ୍ରିକ ଲକ୍ଷଣ ଉପରେ ନିର୍ଭର କରି ମାତ୍ର ଗୋଟିଏ ଔଷଧ ପ୍ରୟୋଗ କରାଯାଏ । ତେଣୁ କ୍ରିୟାକେନ୍ଦ୍ରରେ ନାନା ପ୍ରକାରର ପ୍ରତିକ୍ରିୟା ସୃଷ୍ଟି ହେବାର ଅବକାଶ ମଧ୍ୟ ନାହିଁ ଓ ତତ୍ ସଙ୍ଗେ ସଙ୍ଗେ ସମଷ୍ଟିଗତଭାବରେ ରୋଗୀ ଆରୋଗ୍ୟ ଲାଭକରେ ।
ପରିଶେଷରେ ଏହା ଖୁବ୍ ନିମ୍ନ ଅନୁପାତ ବା ନ୍ୟୁନତମ ପରିମାଣ ବା ଶକ୍ତି ବିଭାଜନ ଅବସ୍ଥାରେ ପ୍ରୟୋଗ କରାଯାଏ, ଯାହା ଫଳରେ ରୋଗୀଠାରେ ଯେତିକି ପରିମାଣର ପ୍ରତିକ୍ରିୟା ସୃଷ୍ଟି କରାଯିବାର ଆବଶ୍ୟକତା ଉପଲବ୍ଧି କରାଯାଏ କେବଳ ସେତିକି ପ୍ରୟୋଗ କରାଯାଏ । ତେଣୁ ଅନ୍ୟ ପଦ୍ଧତି ଅନୁସାରେ ଅଧିକ ପରିମାଣରେ ଭେଷଜ ପ୍ରୟୋଗଦ୍ଵାରା ଶରୀରରେ ଯେ ଭେଷଜ ଗୁଣଗତ ଲକ୍ଷଣ ପ୍ରକାଶ ପାଏ, ସେଥିରୁ ମଧ୍ୟ ଶରୀର ରକ୍ଷାପାଏ ।
ଏ ଯୁଗର ଶ୍ରେଷ୍ଠ ଯୋଗୀ ଶ୍ରୀ ଅରବିନ୍ଦଙ୍କ ଭାଷାରେ ହୋମିଓପାଥି ଓ ଏଲୋପାଥି ମଧ୍ୟରେ ପାର୍ଥକ୍ୟ ହେଉଛି “Homoeopathy deals with the physical personality, the symptoms put together, making up the physical personality ; while Allopathy goes by diagnosis which does not consider the question of personality ”
ଅର୍ଥାତ୍ “ହୋମିଓପାଥି ଶାରୀରିକ ବ୍ୟକ୍ତିତ୍ଵକୁ ନେଇ ବ୍ୟବସ୍ଥାପନା କରେ ଓ ସାମଗ୍ରିକ ଲକ୍ଷଣ ସମଷ୍ଟି ହେଉଛି ଶାରୀରିକ ବ୍ୟକ୍ତିତ୍ଵ ; ମାତ୍ର ଏଲୋପାଠୀ ନିର୍ଭର କରେ ନିଦାନ ଉପରେ, ଯାହାକି ଜୀବର ବ୍ୟକ୍ତିତ୍ଵର ପ୍ରଶ୍ନକୁ ମୋଟେ ବିଚାରକୁ ଆଣେ ନାହିଁ ।” ଏହି ସୂତ୍ର ସମଗ୍ର ଜୀବର ବ୍ୟକ୍ତିତ୍ଵକୁ ବିଚାରକୁ ନେଉଥିବାରୁ ଆରୋଗ୍ୟସାଧନ ମଧ୍ୟ ସାମଗ୍ରିକ ଭାବରେ ହୁଏ, ଆଂଶିକ ନୁହେଁ ।
ଏହି ଶେଷୋକ୍ତ ପଦ୍ଧତି ଯଦିଓ ସାଧାରଣ ଭାବରେ ଜର୍ମାନର ପ୍ରସିଦ୍ଧ ଡାକ୍ତର ଖ୍ରୀଷ୍ଟିୟାନ ଫ୍ରେଡେରିକ ସାମୁଏଲ ହ୍ୟାନିମାନ ପ୍ରବର୍ତ୍ତନ କରିଛନ୍ତି ବୋଲି ବୋଲାଯାଏ, ତଥାପି ଏ ନୀତି ଅତି ପୁରାତନ । ଆଧୁନିକ ଚିକିତ୍ସା ଶାସ୍ତ୍ରର ପ୍ରବର୍ତ୍ତନର ପ୍ରାରମ୍ଭରୁ ଏହି ନୀତିର ଯଥେଷ୍ଟ ଖ୍ୟାତି ବର୍ତ୍ତମାନ । ଅବଶ୍ୟ ଡାକ୍ତର ହ୍ୟାନିମାନ ଏହି ପଦ୍ଧତିର ଜୀବନ୍ୟାସ କରି ସୂତ୍ରବଦ୍ଧ କରିଛନ୍ତି । ପୃଥିବୀର ସର୍ବପୁରାତନ ଚିକିତ୍ସା ଶାସ୍ତ୍ର ଆର୍ଯ୍ୟ ଭାରତର ଆୟୁର୍ବେଦ ଶାସ୍ତ୍ରରେ ମଧ୍ୟ ଏହି ସୂତ୍ରର ସ୍ଵିକୃତି ଲିପିବଦ୍ଧ ଅଛି ।ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 12/16/2019