ସେଆର କରନ୍ତୁ

ପୋଟେନସି ଓ ଡାଇଲ୍ୟୁସନ

ପୋଟେନସି ଓ ଡାଇଲ୍ୟୁସନ ର ସୂଚନା

ହୋମିଓପାଥିକ  ଔଷଧର  ବିଶେଷ  ପ୍ରସ୍ତୁତି  ପ୍ରଣାଳୀ

ହୋମିଓପାଥିକ  ଔଷଧର  ଯେ  ବିଶେଷ  ପ୍ରସ୍ତୁତି  ପ୍ରଣାଳୀ, ସେଥିରେ  ଏକ  ନିର୍ଦ୍ଧିଷ୍ଟ  ଔଷଧ, ମୂଳଅର୍କ  ଠାରୁ  ଆରମ୍ଭ  କରି  CM, MM, DM  ପର୍ଯ୍ୟନ୍ତ  ନାନା  ପର୍ଯ୍ୟାୟ  ବା  କ୍ରମରେ  ପ୍ରସ୍ତୁତ  ହୋଇ, ସ୍ଥାନ, କାଳ  ଓ ପାତ୍ରର  ବିଚାରରେ  ପ୍ରୟୋଗ  ହୋଇଥାଏ  ଏହି  ଯେ ପ୍ରତ୍ୟକଟି  କ୍ରମ  ତାକୁ  ସାଧାରଣ  ଭାବରେ  କେହି  କେହି  ଚିକିତ୍ସକ  ପୋଟେନସି  ଓ  କେହି  କେହି  ଡାଇଲ୍ୟୁସନ  ବୋଲି  କହିଥାନ୍ତି   । ଯଦି  ଏହି  ଦୁଇଟି  ଶବ୍ଦକୁ ବିଚାର  କରାଯାଏ  ତାହାହେଲେ ଏହି  ଶବ୍ଦଦ୍ୱୟର   ଭିନ୍ନ  ଅର୍ଥ  ଦୃଷ୍ଟିରୁ  ଗୋଟିକର  ବ୍ୟବହାର  ନିଶ୍ଚିତ  ରୂପରେ  ତ୍ରୁଟିପୂର୍ଣ୍ଣ  ଏହା  ନିଃସଙ୍କୋଚରେ  କହିବାକୁ  ପଡିବ  । ସୁତରାଂ  ତାତ୍ତ୍ଵିକ  ଦୃଷ୍ଟିକୋଣରୁ  ଏହି  ଦୁଇଟିଯାକ  ଶବ୍ଦର  ବିଚାରାଲୋଚନା  କରିବା  ନିତାନ୍ତ  ଆବଶ୍ୟକ  ମନେହୁଏ   ।

ପୋଟେନସି

ପୋଟେନସି  ଶବ୍ଦଟି  ଲ୍ୟାଟିନ  ପୋଟେନସିଆ   ଶବ୍ଦରୁ  ଉଦ୍ଧୃତ,  ଯାହାର  ଅର୍ଥ  ହେଉଛି – ପାୱାର  ବା  ଶକ୍ତି  Dorland’s  Medical  Dictionary  ରେ   ଏହାର  ଅର୍ଥ   ଅଛି – The  Power of  a medicine, especially  the  power of  a  medicine  as  developed  by  Homoeopathic, dilution ; also  the  homeopathically  attenuated  medicine,  ଅର୍ଥାତ୍,  ଏକ   ଔଷଧର  ଶକ୍ତି  ବିଶେଷକରି  ହୋମିଓପାଥିକ   ମତରେ  ଅବମିଶ୍ରଣ  କରାହେବାଦ୍ଵାରା  ବିକଶିତ  ଏକ  ଔଷଧର  ଶକ୍ତି   ।  ହୋମିଓପାଠିକ   ମତରେ   ହ୍ରାସୀକୃତ  ଔଷଧ   ।

ଡାଇଲ୍ୟୁସନ

ଏହାର  ଅର୍ଥ  ହେଉଛି  ତରଳୀକୃତ   ପଦାର୍ଥ  ବା  ଅବମିଶ୍ରଣ   । ଉପରି  ଉକ୍ତ  ଅଭିଧାନରେ  ଏହାର  ଅର୍ଥ  ନିମ୍ନ  ପ୍ରକାରେ  ଉଲ୍ଲେଖ  ଅଛି :  1.  The  art or  process  of  diluting  or  the state of being diluted, 2. A diluted or attenuated  medicine, 3.  In  homoeopathy, the diffusion  of  a  given quantity  of  a  medicine  in  ten or  one hundred  times  the  same  quantity  of  water .  ଅର୍ଥାତ୍  ୧.  ତରଳିକରଣ  କଳା  ବା  ପ୍ରକ୍ରିୟା,  ୨. ଏକ  ତରଳୀକୃତ   ବା  ହ୍ରାସୀକୃତ  ଔଷଧ  ୩. ହୋମିଓପାଥି  ମତରେ, ଏକ  ନିର୍ଦ୍ଧିଷ୍ଟ  ପରିମାଣରେ  ଔଷଧକୁ  ତା’ର  ଏକ – ଦଶ ବା  ଏକ – ଶତଗୁଣ  ଜଳରେ  ଗୋଳାଇଦେବା    ।

Dorlandଙ୍କ  ମତରେ  ଅଭିଧାନରେ  ଥିବା  ଡାଇଲ୍ୟୁସନର  ୩ ନମ୍ବର  ଅର୍ଥ  ଭ୍ରମାତ୍ମକ   । କାରଣ, ହୋମିଓପାଥି   ମତରେ  ଭେଷଜ  ପଦାର୍ଥର  ଯେଉଁ  ଅବମିଶ୍ରଣ  ହୁଏ  ତାହା  ସବୁକ୍ଷେତ୍ରରେ   ଜଳ  ମାଧ୍ୟମରେ  ହୁଏ  ନାହିଁ   । ଏସିଡ  କାର୍ବୋଲିକ, ଏସିଡ  ବେଞ୍ଜୋଇକ,  ଅମାଇଲ  ନାଇଟ୍ରେଟ, କ୍ୟାମ୍ପର, ଆଇଓଡିନ , ଗ୍ଲୋନାଇନ  ଇତ୍ୟାଦି  ଅନେକ  ପଦାର୍ଥର  ପ୍ରଥମ  ପ୍ରସ୍ତୁତି  ସୁରାସାର  ଦ୍ଵାରା  ହୋଇଥାଏ   ଏବଂ  ନେଟ୍ରାମମ୍ୟୁର, ଆର୍ଜେଣ୍ଟମ  ନାଇଟ୍ରିକମ, ଏସିଡ   ଫସ, ଅକସାଲିକ  ଏସିଡ  ଇତ୍ୟାଦି  କେତେକ   ପଦାର୍ଥର   ପ୍ରଥମ  ପ୍ରସ୍ତୁତି  ଜଳଦ୍ଵାରାହିଁ  ହୋଇଥାଏ   । ମାତ୍ର  ଚିକିତ୍ସକଙ୍କ  ଦ୍ଵାରା  ବ୍ୟବହୃତ   ଡାଇଲ୍ୟୁସନ   ଶବ୍ଦଟି  ଏହି  ଉଭୟଭାବରେ   ପ୍ରସ୍ତୁତ  ହୋଇ  ସାରିଥିବା  ଔଷଧର  ପ୍ରତ୍ୟକ   କ୍ରମ  ପାଇଁ   ବ୍ୟବହୃତ   ହୋଇଥାଏ   ।

ସେ  ଯାହାହେଉନା  କାହିଁକି  ଏହି  ଦୁଇଟି  ଶବ୍ଦକୁ  ଡାକ୍ତରୀ   ଆଭିଧାନିକ   ଅର୍ଥ  ଦୃଷ୍ଟିରୁ   ବିଚାର  କଲେ  ମଧ୍ୟ  ଏହି  ସିଦ୍ଧାନ୍ତରେ  ଜଣକୁ   ଉପନୀତ   ହେବାକୁ  ହୁଏ  ଯେ  ଡାଇଲ୍ୟୁସନ  ଅଥବା  ହୋମିଓପାଥିକ  ମତରେ  ତରଳିକରଣ   ପରେ  ସେହି  ତରଳ  ପଦାର୍ଥରେ  ଯେଉଁ   ଔଷଧଯ  ଅକତି  ବିକାଶ   ହୋଇଥାଏ  ତାହା  ହେଉଛି  ପୋଟେନସି ଏବଂ  ଯେଉଁ  କ୍ରମର   ତରଳ  ପଦାର୍ଥ  ତାହା  ସେହି  କ୍ରମର  ଡାଇଲ୍ୟୁସନ   । ଯେଉଁ  କ୍ରମର  ତରଳ  ପଦାର୍ଥରେ  ଯେ  ପରିମାଣର  ଶକ୍ତିଥାଏ   ତାହା  ସେହି  କ୍ରମର  ଶକ୍ତି  ବା  ପୋଟେନସି  ।

ଡାଇଲ୍ୟୁସନ  ହେଉଛି  ଏକ  ପ୍ରକ୍ରିୟା  ଯାହାଦ୍ଵାରା  କୌଣସି  ପଦାର୍ଥ  ସହିତ  କୌଣସି  ଦ୍ରାବକର  ସମ୍ମିଶ୍ରଣ  ହୋଇ  ପରିମାଣଗତ  ବୃଦ୍ଧି  ଘଟିଥାଏ   । ଏହାଦ୍ଵାରା  ପଦାର୍ଥର  ସଂପ୍ରସାରଣ   ଘଟିଥିଲେ   ମଧ୍ୟ  ତାହାର  ପାର୍ଥିବ  ଧର୍ମର  ଦୌର୍ବଲ୍ୟ   ଘଟିଥାଏ   । ମାତ୍ର   ଏକ  ବିଶେଷ  ଭୌତିକ  ପ୍ରକ୍ରିୟା  ଦ୍ଵାରା  ଏହି  ତରଳିକରଣ  ପ୍ରକ୍ରିୟାରେ  ପ୍ରସ୍ତୁତ   ଦ୍ରାବଟିର   ଗୁଣଗତ  ପରିବର୍ତ୍ତନ  ନ  ହେବା  ପର୍ଯ୍ୟନ୍ତ   ତାହା  ପୋଟେନସି  ହୋଇପାରେ  ନାହିଁ   ।

ବର୍ତ୍ତମାନ  ଦେଖାଯାଉ, ହୋମିଓପାଥି  ବିଜ୍ଞାନର  ସ୍ରଷ୍ଟା  ଡାକ୍ତର  ହ୍ୟାନିମାନ  ନିଜେ  କ’ଣ  ଏ ସମ୍ପର୍କରେ  କହିଛନ୍ତି   ।

ଅର୍ଗାନନ୍ ର ୨୭୦ ନମ୍ବର  ସୂତ୍ରରେ  ସେ ଲେଖିଛନ୍ତି  “ସୁତରାଂ  ସମପରିମାଣର  ସୁରାସାର  ସହିତ  ଦୁଇଟୋପା  ସଦ୍ୟ  ଉଦ୍ଭେଦଜାତୀୟ  ଭେଷଜ  ପଦାର୍ଥର  ନିର୍ଯାସ  ୯୮  ଟୋପା  ସୁରାସାର  ସହିତ  ଅବମିଶ୍ରିଣ  କରି, ହାତରେ  ଦୁଇଥର  ଝାଙ୍କି   ଶକ୍ତି  କୃତ  କରାଯାଇଥାଏ ; ଏହା  ହିଁ  ଭେଷଜ  ଶକ୍ତିର   ପ୍ରଥମ  ବିକାଶ ”  ।

ଉଲ୍ଲେଖିତ  ବକ୍ତବ୍ୟରୁ  ଏହି  ପ୍ରମାଣ  ମିଳେ  ଯେ  ଡାଇଲ୍ୟୁସନ  ହେଉଛି  କୌଣସି  ଭେଷଜକୁ  ଶକ୍ତିକୃତ  କରିବାର  ପ୍ରଥମ  ପଦକ୍ଷେପ  ଓ  ପୋଟେନସି   ହେଉଛି  ଏହି  ପ୍ରକ୍ରିୟାର  ସେସ  ପର୍ଯ୍ୟାୟରେ  ଉପନୀତ   ଭେଷଜର   ଅବସ୍ଥା   । ଅର୍ଥାତ୍  କୌଣସି  ଔଷଧବାହୀ  ତରଳ  ପଦାର୍ଥ  ସହିତ  ଔଷଧର  ସମ୍ମିଶ୍ରଣ   ହେଉଛି  ଡାଇଲ୍ୟୁସନ   ଓ  ସେହି  ଔଷଧବାହୀ  ତରଳ  ପଦାର୍ଥ  ମଧ୍ୟରେ  ଔଷଧର  ଅନ୍ତର୍ନିହିତ  ଗୁଣ  ବିକଶିତ  ହେବା  ପରେ  ତାହା  ହୁଏ  ପୋଟେନସି, ଅଥବା  ଶକ୍ତି  ଏବଂ  ତରଳିକରଣର୍ଥାରୁ  ଆରମ୍ଭ  କରି  ଶକ୍ତିକୃତ  ଅବସ୍ଥା   ପର୍ଯ୍ୟନ୍ତ   କାର୍ଯ୍ୟକୁ  Potentiation,  Ptentization  ବା  ଶକ୍ତିକରଣ   କୁହାଯାଏ   ।

ଡାକ୍ତର  ଗୁଷ୍ଟାଭସ  ଏ  ଆମଫେଲଟ  ଗୋଟିଏ  ସୁନ୍ଦର  ଉଦାହରଣ  ଦେଇ   ଡାଇଲ୍ୟୁସନ  ଓ  ପୋଟେନସିର  ପ୍ରଭେଦ  ବିଚାର  କରିଛନ୍ତି  । ପ୍ରକୃତ  ପ୍ରଭେଦ   ହେଉଛି, ଔଷଧର  ପରିମାଣ  ଦୃଷ୍ଟିରୁ  ଡାଇଲ୍ୟୁସନ  ଅତି  ଦୁର୍ବଳ, ଅଥଚ ଏକ  ପୋଟେନସି  ଔଷଧଜ  ଶକ୍ତିରେ  ଖୁବ୍ ବଳଶାଳୀ   । ଏକ  ପିମ୍ପା ଜଳରେ  ଏକ  ଚାହା  ଚାମୁଚ  ପରିମିତ  ବେଲାଡୋନା  ଅର୍କ  ମିଳାଇ   ଦେଲେ  ଏକ  ଅତି  ଉଚ୍ଚ  ଅବମିଶ୍ରିତ  ତିଆରି  ହେବ, କିନ୍ତୁ  କୌଣସି  ଭେଷଜ  ଶକ୍ତି  ସେଥିରେ  ରହିବ  ନାହିଁ   । ପକ୍ଷାନ୍ତରରେ  ଏକ  ଶକ୍ତି  ବା  ପୋଟେନସି  ହେଉଛି ଏକ  ନିର୍ଦ୍ଧିଷ୍ଟ  ପରିସୀମା  ଓ  ପରିମାଣରେ  ଆବଦ୍ଧ  ନୂତନ  ମାଧ୍ୟମ  ବା  ନିଷ୍କ୍ରିୟ  ଦ୍ରାବକ  ମଧ୍ୟରେ  ଅନୁପ୍ରବେଶ  କରିଥିବା  ଔଷଧ   ।

ଔଷଧ  ଶକ୍ତିକରଣର  ଐତିହାସିକ  ପୃଷ୍ଠଭୂମି  ପର୍ଯ୍ୟାଲୋଚନା  କଲେ  ଦେଖାଯାଏ  ଏହା  ଡାକ୍ତର  ହ୍ୟାନିମାନଙ୍କ  ଆବିଷ୍କୃତ   ମୂଳ  ସଦୃଶ  ନୀତିର  ପ୍ରୟୋଗାତ୍ମକ  କଳାର  ବିଫଳତାଜନିତ   ଗବେଷଣାସମ୍ଭୁତ   ।

ସଦୃଶବିଧାନ  ନୀତି  ଅନୁସାରେ  ଚିକିତ୍ସା  ଦ୍ଵାରା  ପ୍ରଥମାବସ୍ଥାରେ  ଦେଖାଗଲା  ଯେ  ଏହି  ପ୍ରଣାଳୀରେ  ଯଦିଓ  ଦୂରୀକରଣ  ଅତ୍ୟନ୍ତ  ସଡ଼କ  ଓ  ସହଜସାଧ୍ୟ, ତଥାପି  ସ୍ଥୂଳମାତ୍ରାରେ   ଔଷଧ  ପ୍ରୟୋଗଜନିତ  ଔଷଧର  ମନ୍ଦଫଳ  ପ୍ରକାଶିତ  ହେଉଛି  ରୋଗୀ  କ୍ଷେତ୍ରରେ    । ତେଣୁକରି  ହ୍ୟାନିମାନ  ସାହେବ  ଔଷଧର  ପରିମାଣ  ଲଘୁତର  କରିବାକୁ  ଆରମ୍ଭ  କଲେ   । ମାତ୍ର, ଅବମିଶ୍ରଣଜନିତ   ଔଷଧର  ପାରିମାଣିକ  ନ୍ୟୁନତା  ଯେତେବେଳେ  ଇପସିତ  କ୍ରିୟା   ସମ୍ପାଦନ   କରିବାକୁ  ଅସମର୍ଥ  ହେଲା,  ସେତେବେଳେ   ସେହି  ଅସାଧାରଣ  ପ୍ରତିଭାସମ୍ପନ୍ନ  ବିଦ୍ଵାନ  ଚିନ୍ତାଭିଭୂତ   ହୋଇପଡିଲେ   । ସେ  ଦେଖିଲେ  ଯଦିଓ  ଜଡ  ପଦାର୍ଥ  ତେଜଃର  ଏକ  ଘନିଭୂତ  ଅବସ୍ଥା, ତଥାପି  କେବଳ  ବିଭାଜନ  ଦ୍ଵାରା  ଏହି ତେଜଷ୍କ୍ରିୟତାର  ବିକଶିକରଣ  ସମ୍ଭବ  ନୁହେଁ ; କାରଣ  ମନିଷୀ  ନିଉଟନଙ୍କ  ନିଶ୍ଚେଷ୍ଟତା   ତତ୍ତ୍ଵ  ଅନୁସାରେ  “କୌଣସି  ବସ୍ତୁ  ତା’ର  ସ୍ଥିତାବସ୍ଥାର  ପରିବର୍ତ୍ତନ  ପାଇଁ  ଅନ୍ୟ  ଏକ  ବାହ୍ୟ  ଶକ୍ତିଦ୍ଵାରା  ବାଧ୍ୟ  ନ ହେବା  ପର୍ଯ୍ୟନ୍ତ  ତା’ର  ନିଜର  ଅବସ୍ଥାରେ  ହିଁ  ଅବସ୍ଥାପିତ  ରହେ ”  । ସୁତରାଂ  ଭେଷଜର  ଆଣବିକ  ଗତିର  ପରିବର୍ତ୍ତନ  ପାଇଁ  ତାର  ଅବସ୍ଥାନ୍ତରର  ପ୍ରଖରତା  ପାଇଁ  ସଂଘର୍ଷର  ପ୍ରୟୋଜନ   ବୋଲି  ହ୍ୟାନିମାନ  ଉପଲବ୍ଧି  କରି  ସଙ୍ଘାତ ଓ ଘର୍ଷଣ  ଦ୍ଵାରା  ଔଷଧଜ  ତେଜଷ୍କ୍ରିୟତାର  ବିକାଶ  କରିବାର  ବ୍ୟବସ୍ଥା  ଗ୍ରହଣ  କଲେ   ।

ସୁତରାଂ, ଯେହେତୁ  ଏହି  ଶକ୍ତିକରଣ  ପ୍ରକ୍ରିୟାର  ଆବିଷ୍କାର ପୂର୍ବରୁ  ଔଷଧର  ଅବମିଶ୍ରଣ   ହିଁ  କେବଳ  ପ୍ରୟୋଗ  କ୍ଷେତ୍ରରେ  ବ୍ୟବହୃତ   ହେଉଥିଲା  ଏବଂ  ଶକ୍ତିକରଣର   ପ୍ରଥମ  ପର୍ଯ୍ୟାୟ  ହେଉଛି  ଅବମିଶ୍ରଣ, ତେଣୁ  ଏହି  ଅବମିଶ୍ରଣ  ବା  ଡାଇଲ୍ୟୁସନ  ଶବ୍ଦଟି  ଆଜି  ପର୍ଯ୍ୟନ୍ତ  ପୋଟେନସି  ବା  ଶକ୍ତି  କ୍ଷେତ୍ରରେ  ପ୍ରୟୋଗ  ହୋଇ  ଆସିଛି   । କିନ୍ତୁ ତାତ୍ତ୍ଵିକ   ଦୃଷ୍ଟିକୋଣରୁ  ଡାଇଲ୍ୟୁସନ  ତ୍ରୁଟିଯୁକ୍ତ  ଓ  ପୋଟେନସିର  ବ୍ୟବହାର  ଶୁଦ୍ଧ  ।

ଡାକ୍ତର  ହ୍ୟାନିମାନଙ୍କର  ଏ  ବାବଦମାନ  ବିଷୟ  ସମ୍ପର୍କରେ  ଏକ  ସୁସ୍ପଷ୍ଟ  ନିଜସ୍ଵ   ଅଭିମତ  ରହିଛି   । ସେ  କହିଛନ୍ତି  “ ହୋମିଓପାଥିକ  ଭେଷଜ  ଶକ୍ତିକୁ  ଯେ  କିଭଳି ଏକ  ସାଧାରଣ  ଅବମିଶ୍ରଣ  ବୋଲି  କୁହାଯାଏ  ତାହା  ଆମେ  ପ୍ରତ୍ୟହ  ଶୁଣିବାକୁ  ପାଇଥାଉ, ଯଦିଓ  ତାହା  ପ୍ରକୃତ  ପକ୍ଷରେ ଏହାର  ସମ୍ପୂର୍ଣ୍ଣ ବିପରୀତ, ଅର୍ଥାତ୍ ଘର୍ଷଣ  ଓ ଆଲୋଡନ  ଦ୍ଵାରା  ପ୍ରାକୃତିକ  ପଦାର୍ଥସମୂହର  ଆବରଣ  ଉନ୍ମୁକ୍ତ  ହୋଇ  ତା’ର  ଅନ୍ତର୍ନିହିତ  ବିଶେଷ  ଭୈଷଜ  ଶକ୍ତିର  ପ୍ରକାଶ ହୋଇଥାଏ  । ସେସବୁର  ସୂକ୍ଷ୍ମ  ବିଭାଜନ  ପାଇଁ  ଭେଷଜଗୁଣବିହୀନ  ମନୋନୀତ  ମାଧ୍ୟମରେ  ବ୍ୟବହାର ଏକ  ଗୌଣ  ବ୍ୟାପାର  । ”

ଉଦାହରଣ  ସ୍ୱରୂପ

ଏକ  ସାଧାରଣ  ଅବମିଶ୍ରଣ  ଦ୍ଵାରା, ଏକ  ଗ୍ରେନ  ଲବଣକୁ  ବେଶ୍  କିଛି  ପରିମାଣ  ଜଳରେ  ମିଳାଇ  ଦେଲେ  ଏହି  ଲବଣ  ଅଦୃଶ୍ୟ  ହୋଇ  ଜଳରେ  ପରିଣତ  ହୁଏ ଏବଂ ଏହା  କଦାଚ  ଔଷଧୀୟ  ଲବଣରେ   ପରିଣତ  ହୁଏ  ନାହିଁ,  ମାତ୍ର  ତାହା  ଉତ୍ତମରୂପେ  ପ୍ରସ୍ତୁତ  ଆମର  ଶକ୍ତିକରଣ   ପ୍ରଣାଳୀ  ଦ୍ଵାରା  ଅତିଶୟ  ଚମତ୍କାର  ଶକ୍ତିକୁ   ଉନ୍ନତି  ହୋଇଥାଏ   ।

ଠିକଣା  ଭାବରେ  ଡାକ୍ତର  ଷ୍ଟୁଆଟ  କ୍ଳୋଜ  ତେଣୁ  ହୋମିଓପାଥିକ  ଶକ୍ତିକରଣର  ଏକ  ସଂଜ୍ଞା  ଦେଇ  କହିଛନ୍ତି “ସ୍ଥୂଳ, ନିଷ୍କ୍ରିୟ  ଅଥବା  ବିଷାକ୍ତ  ଭେଷଜ  ପଦାର୍ଥ  ସକଳକୁ  କ୍ରମାନୁସାରେ  ହ୍ରାସୀକରଣ  ଦ୍ଵାରା ଏକ  ଭୋଇତିକ  ବିଲୟ, କାୟିକୀ  ଅନ୍ତର୍ଗ୍ରହଣ  ଓ  ଅମାୟିକୀ  ସକ୍ରିୟ  ତଥା   ନିର୍ଦ୍ଦୋଷ  ଅବସ୍ଥାରେ  ପରିଣତ  କରି  ହୋମିଓପାଥିକ  ଆରୋଗ୍ୟକାରୀ  ଔଷଧରୂପେ  ବ୍ୟବହାର  ଉପଯୋଗୀ  କରିବାର  ଗାଣିତିକ  ଆଧିଭୌତିକ  ପ୍ରକ୍ରିୟା  ହେଉଛି  ହୋମିଓପାଥିକ  ଶକ୍ତିକରଣ ”  । କାରଣ  ହୋମିଓପାଥିକ  ଡାଇଲ୍ୟୁସନ  ହେଉଛି  କେବଳ  କ୍ରମାନୁସାରେ  ଏକ  ନିର୍ଦ୍ଧିଷ୍ଟ  ଗାଣିତିକ  ଧାରାରେ   ଭେଷଜ  ପଦାର୍ଥକୁ   ଲଘୁକରଣ  କରିବା   । ତାପର  ଆଧିଭୌତିକ  ପ୍ରକ୍ରିୟା   ହେଉଛି  ଶକ୍ତିକରଣ   କାରଣ   ।

ସଂଗୃହୀତ – ଡାକ୍ତର କମଳାକାନ୍ତ  କର
3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top