ବର୍ତ୍ତମାନ ସମୟରେ ‘ହୋମିଓପାଥି’ ଶବ୍ଦଟି ଏତେ ଲୋକପ୍ରିୟ ହୋଇଯାଇଛି ଯେ ଏହି ପଦ୍ଧତିରେ ଚିକିତ୍ସା ପ୍ରଣାଳୀ ଏକ ବିକଳ୍ପ ଚିକିତ୍ସା ଭାବରେ ଗ୍ରହଣ କରିବାକୁ ଅଧିକରୁ ଅଧିକ ଆଗ୍ରହ ପ୍ରକାଶ ପାଉଅଛି । “ ଯାହାର ନାହିଁ ଅନ୍ୟ ଗତି, ସେ କରଇ ହୋମିଓପାଥି ” ପ୍ରକୃତରେ ବ୍ୟବସାୟ ଦୃଷ୍ଟିରୁ ବିଚାର ନ କରାଯାଇ ରୋଗ ଚିକିତ୍ସା ପାଇଁ ହିଁ ଚିନ୍ତା କରାହେଉଛି । ଏଲୋପାଥିକ ଚିକିତ୍ସା ପଦ୍ଧତିରେ ବ୍ୟବହୃତ ହେଉଥିବା ଅତ୍ୟନ୍ତ ଶକ୍ତିଶାଳୀ ଔଷଧ ବ୍ୟବହାରଜନିତ ପ୍ରତିକ୍ରିୟା ଶରୀର ଉପରେ ଯେଉଁଭଳି ଭାବରେ ପ୍ରତିଫଳିତ ହେଉଛି ଓ ଦିନକୁ ଦିନ ତତ୍ ଜନିତ ଭେଷଜ ରୋଗ ଯେପରି ବୃଦ୍ଧି ପାଉଅଛି, ତାହାର ବିକଳ୍ପରେ ଏକ ଅଳ୍ପ ପ୍ରତିକ୍ରିୟା ସୃଷ୍ଟି କରୁଥିବା ଓ ଅତି କମ୍ ହାନିକର ଚିକିତ୍ସା ପଦ୍ଧତି ସାରା ପୃଥିବୀରେ ସମସ୍ତ ଚିନ୍ତାଶୀଳ ବ୍ୟକ୍ତିମାନେ ଖୋଜିବା ବେଳ ହୋମିଓପାଥି ଚିକିତ୍ସା ପଦ୍ଧତି ସେମାନଙ୍କ ମନରେ ଦୃଢ ଆଶାର ସଞ୍ଚାର କରିଅଛି ।
ଔଷଧ ପ୍ରୟୋଗ ଦ୍ଵାରା ରୋଗ ଚିକିତ୍ସା କରିବାର ଏହା ଏକ ବିଶେଷ ପଦ୍ଧତି । ପ୍ରତ୍ୟକ ଔଷଧ ପଦାର୍ଥ ମନୁଷ୍ୟ ଶରୀରରେ କିଛି ନା କିଛି କ୍ରିୟା ପ୍ରକାଶ କରୁଥିବାରୁ ସେହି କ୍ରିୟାର ପରିପ୍ରେକ୍ଷୀରେ ରୋଗ ଚିକିତ୍ସାର ନାନାବିଧ ପଦ୍ଧତି କରାହୋଇଅଛି । “ ହୋମିଓପାଥି ” ବା “ସଦୃଶ ବିଧାନ” ମତରେ, ଯେଉଁ ଭେଷଜ ଦ୍ରବ୍ୟର ପ୍ରୟୋଗ ଦ୍ଵାରା ମନୁଷ୍ୟର ସୁସ୍ଥାବସ୍ଥାରେ ଯେଉଁସବୁ ଲକ୍ଷଣସକଳ ପ୍ରକାଶ ପାଇଥାଏ, ରୋଗାବସ୍ଥାରେ ତାହାର ଅନୁରୂପ ଲକ୍ଷଣସକଳ ଥିଲେ, ଉକ୍ତ ଭେଷଜ ଦ୍ରବ୍ୟ ତାହାକୁ ଆରୋଗ୍ୟ କରିପାରିବ । ଯାହା : ଏଲୋସୋକୋଟ୍ରିନା, ପୋଡୋଫାଇଲାମ ଇତ୍ୟାଦି ପ୍ରୟୋଗ ଦ୍ଵାରା ଭଲ ମଣିଷର ଉଦରାମୟ ହୋଇଥାଏ । ତେଣୁ ଉଦରାମୟରେ ଏହି ଔଷଧ ସବୁ ପ୍ରୟୋଗ କଲେ ଲକ୍ଷଣ ସାଦୃଶ୍ୟରେ ତାହା ହୋଇଥିବା ଉଦରାମୟର ସାଦୃଶ୍ୟ ଥିବାରୁ, ଏହି ପ୍ରୟୋଗ ପଦ୍ଧତି ‘ ସଦୃଶ ବିଧାନ’, ‘ ସାତ୍ମ୍ୟ ବିଧାନ ’ ‘ହୋମିଓପାଥି’ ନାମରେ ଖ୍ୟାତ ।
ଏହି ଚିକିତ୍ସା ପଦ୍ଧତିର ଅଙ୍କୁରୋଦଗମ ୧୭୯୦ ଖ୍ରୀଷ୍ଟାବ୍ଦରେ ଜଣେ ବିଖ୍ୟାତ ଜର୍ମାନ ଡାକ୍ତର ଖ୍ରୀଷ୍ଟିଆନ ଫ୍ରେଡରିକ ସାମୁଏଲ ହ୍ୟାନିମାନଙ୍କ ମୁଣ୍ଡରେ ଘଟିଥିଲା ।
ଡାକ୍ତର ହ୍ୟାନିମାନଙ୍କ ଜନ୍ମ ଜର୍ମାନୀର ସାକସୋନି ପ୍ରଦେଶର ସିସେନ ସହରରେ ବାସକରୁଥିବା ଚିତ୍ରକର ଖ୍ରୀଷ୍ଟିଆନ ଗଟଫ୍ରିଡଙ୍କ ଔରସରୁ ମାତା ଜୋହାନ ଖ୍ରୀଷ୍ଟିଆନଙ୍କ ଗର୍ଭରୁ ୧୭୫୫ ମସିହା ଏପ୍ରିଲ ମାସ ଦଶ ତାରିଖରେ ହୋଇଥିଲା । ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ନିଜର ମେଧା ଓ ଅଧ୍ୟବସାୟ ବଳରେ ସେ ୧୭୭୯ ମସିହାରେ କୃତିତ୍ଵର ସହ ଡାକ୍ତରୀ ପାସ୍ କରିଥିଲେ ବି ସେତେବେଳର ପ୍ରତିଷ୍ଠିତ ଚିକିତ୍ସା ପ୍ରଣାଳୀରେ ସେ ବୀତସ୍ପୃହ ହୋଇଉଠିଥିଲେ ଓ ଯେଉଁ ବୃତ୍ତିଦ୍ଵାରା ଲୋକଙ୍କର ଉପକାର ପରିବର୍ତ୍ତେ ଅଧିକ ଅପକାର ସାଧିତ ହୁଏ, ତାକୁ ଛାଡି, ଇଂରାଜୀ, ଫରାସୀ ଓ ଇଟାଲୀ ଭାଷାରେ ଥିବା ତାଙ୍କ ଅସାଧାରଣ ଜ୍ଞାନକୁ ପୁସ୍ତକ ଅନୁବାଦ କାର୍ଯ୍ୟରେ ଲଗାଇ ଜୀବିକା ଅର୍ଜନ କରିବାକୁ ପସନ୍ଦ କରିଥିଲେ ।
୧୭୯୦ ମସିହାରେ ଯେତେବେଳେ ସେ ଇଂରାଜୀ ଡାକ୍ତର କଲିନଙ୍କ “ ମେଟେରିଆ ମେଡିକା ” ର ଜର୍ମାନ ଭାଷାନ୍ତର କାର୍ଯ୍ୟରେ ବ୍ୟସ୍ତ ଥିଲେ, ସେତେବେଳେ ସିଙ୍କୋନା ଛାଲିର ମେଲେରିଆ ଜ୍ଵର ଆରୋଗ୍ୟ କରିବାର ଶକ୍ତି ସମ୍ପର୍କରେ କଲିନଙ୍କ ଯୁକ୍ତିକୁ ତାଙ୍କର ବିଶ୍ଲେଷଣାତ୍ମକ ବୁଦ୍ଧି ଗ୍ରହଣ କରିବାକୁ ପ୍ରସ୍ତୁତ ହେଲା ନାହିଁ । ସେ ସିଙ୍କୋନା ଛାଲି ସଂଗ୍ରହ କରି ତା’ର ଅର୍କକୁ ନିଜେ ଖାଇ ଶରୀର ଉପରେ ତା’ର ପ୍ରଭାବକୁ ପରିକ୍ଷା କରିବା ପାଇଁ ବାହାରି ପଡିଲେ । ଆଶ୍ଚର୍ଯ୍ୟର କଥା, ମେଲେରିଆ ଜ୍ଵରର ସମସ୍ତ ଲକ୍ଷଣ ତାଙ୍କ ଦେହରେ ପ୍ରକାଶ ପାଇବାକୁ ଲାଗିଲା । ତାଙ୍କର ଧାରଣା ହେଲା ଯେ ସିଙ୍କୋନାର ମେଲେରିଆ ଜ୍ଵର ଭଳି ଜ୍ଵର ସୃଷ୍ଟି କରିବାର ଶକ୍ତି ଥିବାରୁ ହୁଏତ ତାହା ମେଲେରିଆ ଜ୍ଵର ଭଲ କରିବାକୁ ସକ୍ଷମ ହେଉଛି । ଏହାପରେ ସେ ଗୋଟାକ ପରେ ଗୋଟାଏ ଔଷଧ ନିଜ ଶରୀର ଉପରେ ପରୀକ୍ଷା କରି, ତାଙ୍କ ଧାରଣାର ସତ୍ୟତା ଉପରେ ସୁପ୍ରତିଷ୍ଠିତ ହୋଇ, ୧୭୯୬ ମସିହାରେ, ଚିକିତ୍ସା ଜଗତର ଏକ ନୂତନ ସତ୍ୟ “ ସଦୃଶ ବିଧାନ ” ବା “ସାତ୍ମ୍ୟ ବିଧାନ” କୁ ଜଗତ ସମ୍ମୁଖରେ ଉପସ୍ଥାପିତ କଲେ ଓ ଏହାଦ୍ଵାରା “ ହୋମିଓପାଥି ” ଚିକିତ୍ସା ପଦ୍ଧତିର ଜନ୍ମଲାଭ ହେଲା ।
ଡାକ୍ତର ହ୍ୟାନିମାନ ଯେଉଁଭଳି ଭାବରେ ଔଷଧ ସେବନ କରି ଭେଷଜ ଦ୍ରବ୍ୟର ଶରୀର ଉପରେ କରୁଥିବା କ୍ରିୟାକୁ ଉଆପଲବ୍ଧି କଲେ ବିଭିନ୍ନ ଲକ୍ଷଣ ମାଧ୍ୟମରେ, ତାହା ହିଁ ହେଉଛି ଯେ କୌଣସି ଭେଷଜ ଦ୍ରବ୍ୟର ଅସ୍ତିବାଚକ କ୍ରିୟା, ଯାହା ଉପରେ ନିର୍ଭର କରି ରୋଗୀ କ୍ଷେତ୍ରରେ ଔଷଧର ପ୍ରୟୋଗ ହୋଇଥାଏ । ସେହି ଦୃଷ୍ଟିରୁ, ଏହି ପରୀକ୍ଷା କାର୍ଯ୍ୟ ହେଲା ଚିକିତ୍ସା କର୍ମର ପ୍ରଥମ ପର୍ଯ୍ୟାୟ । ଏହି ପ୍ରକ୍ରିୟାରେ ଔଷଧ ପରୀକ୍ଷା ଦ୍ଵାରା ଲବ୍ଧ ଲକ୍ଷଣ ସକଳର ଜ୍ଞାନକୁ ଯଥେଷ୍ଟ ବୃଦ୍ଧିକରି ସମସ୍ତ ପ୍ରକାରର ରୋଗକୁ ଚିକିତ୍ସା କରିବା ପାଇଁ ବହୁସଂଖ୍ୟକ ଔଷଧର ଆବଶ୍ୟକ । ଏହି କାର୍ଯ୍ୟଦ୍ଵାରା ବିଭିନ୍ନ ଭେଷଜ ପଦାର୍ଥକୁ ସୁସ୍ଥ ମନୁଷ୍ୟ ଉପରେ ପରୀକ୍ଷା କରି, ସେ ସବୁର କ୍ରିୟାକୁ ଲିପିବଦ୍ଧ କରି ରଖି, ରୋଗୀମାନଙ୍କଠାରେ ଥିବା ଲକ୍ଷଣ ସହିତ ତୁଳନା କରି, ବିଶେଷ ଲକ୍ଷଣ ସାଦୃଶ୍ୟ ଥିବା ଔଷଧଟିକୁ ନିର୍ବାଚନ କରି, ରୋଗୀ କ୍ଷେତ୍ରରେ ପ୍ରୟୋଗ କରିବା ହେଉଛି ହୋମିଓପାଥି । ତେଣୁ ଔଷଧମାନଙ୍କ ଦ୍ଵାରା ସୁସ୍ଥ ମନୁଷ୍ୟ ଉପରେ ପ୍ରକାଶ ପାଉଥିବା ଲକ୍ଷଣସବୁ ଯେଉଁ ପୁସ୍ତକରେ ଲିପିବଦ୍ଧ ହୋଇ ରହିଥାଏ ତାହାକୁ ‘ ମେଟେରିଆ ମେଡିକା ’ କହନ୍ତି ।
ସାଧାରଣ ହୋମିଓପାଥି ଚିକିତ୍ସା ପାଇଁ ଉପଯୁକ୍ତ ୪ଟି ନିୟମର ବିଧିବଦ୍ଧ ପାଳନ ହିଁ ଶାସ୍ତ୍ରୀୟ । ଜଟିଳ ଓ ପୁରାତନ ରୋଗୀ ଚିକିତ୍ସା ପାଇଁ ଅନ୍ୟ କେତେକ ନିୟମ ରହିଛି ଯାହାର ଆଲୋଚନା ସ୍ଥଳବିଶେଷରେ ଏକ ସ୍ଵତନ୍ତ୍ର ପ୍ରବନ୍ଧରେ କରାହୋଇଅଛି ।
ଏହା ଦ୍ଵାରା ଶରୀର ଉପରେ ଔଷଧର କୌଣସି ଅସ୍ଵାଭାବିକ ପ୍ରତିକ୍ରିୟା ସୃଷ୍ଟି ହୁଏ ନାହିଁ । ସଦୃଶବିଧାନ ମତରେ ଔଷଧ ପ୍ରୟୋଗ ହେଉଥିବାରୁ ଔଷଧର ମାତ୍ରା ଅତ୍ୟନ୍ତ କ୍ଷୁଦ୍ର ବା ସୂକ୍ଷ୍ମ ହେବାକୁ ବାଧ୍ୟ । ତେଣୁ ଏହାର ମୂଲ୍ୟ ସ୍ଵଭାବତଃ ସ୍ୱଳ୍ପ ହୋଇଯାଏ । ପୁନଶ୍ଚ, ସଦୃଶବିଧାନ ମତରେ ଔଷଧ ପ୍ରୟୋଗ ହେଉଥିବାରୁ କେବଳ ଗୋଟିଏ ମାତ୍ର ଔଷଧପ୍ରୟୋଗର ଆବଶ୍ୟକତା ରହେ । ସେଥିପାଇଁ ରୋଗୀ ଶରୀରରେ ଏକାଧିକ ଔଷଧର ବହୁମୂଖୀ ଓ ଯୌଗିକ କ୍ରିୟାର ସମ୍ଭାବନା ନାହିଁ । ତେଣୁ ସେଭଳି ପ୍ରତିକ୍ରିୟାର ମଧ୍ୟ ଆଶଙ୍କା ନଥାଏ । କେବଳ ସେତିକି ନୁହେଁ, ଅଭିଜ୍ଞତାରୁ ଦେଖାଯାଇଛି, ଗର୍ଭାବସ୍ଥାରେ ନାରୀମାନଙ୍କର ହୋମିଓପାଥି ଚିକିତ୍ସା ଦ୍ଵାରା, ଭବିଷ୍ୟତର ଶିଶୁ ବହୁ ବଂଶଗତ ରୋଗରୁ ଉଦ୍ଧାର ପାଇଥାନ୍ତି । ସର୍ବାପେକ୍ଷା ବିଶେଷ ଆକର୍ଷଣୀୟ କଥା ହେଉଛି, ବହୁ ଅସାଧ୍ୟ ରୋଗ, ଯାହାକି ସାଧାରଣ ଚିକିତ୍ସାଦ୍ଵାରା କୌଣସି ପ୍ରକାରେ ପ୍ରଭାବିତ ହୋଇ ନଥାନ୍ତି, ତାହା ହୋମିଓପାଥି ଚିକିତ୍ସାଦ୍ଵାରା କ୍ରମେ ଆରୋଗ୍ୟ ପଥକୁ ଆସିଥାନ୍ତି ଏବଂ ସାଧାରଣ ଚିକିତ୍ସାପଦ୍ଧତିର ଔଷଧ ମାନଙ୍କପ୍ରତି ମଧ୍ୟ ସ୍ଵାଭାବିକ ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି ।
ଏନାସିନ, କୋଲଡାରିନ, ସାରିଡନ ଭଳି ଅତ୍ୟନ୍ତ ଶକ୍ତିଶାଳୀ କ୍ରିୟା ଓ ପ୍ରତିକ୍ରିୟାଶୀଳ ଔଷଧ ସବୁକୁ ସରକାରୀ ଗଣମାଧ୍ୟମ ଜରିଆରେ ସାଧାରଣ ଲୋକଙ୍କୁ ବ୍ୟବହାର କରିବାକ କୁହାଯାଉଥିବାବେଳେ, କୌଣସି ପ୍ରତିକ୍ରିୟା ଘଟାଉ ନ ଥିବା ହୋମିଓପାଥି ଚିକିତ୍ସା ପଦ୍ଧତିକୁ ଘରୋଇ ଭାବରେ ବ୍ୟବହାର କରିବାରେ କୌଣସି ବାଧା ରହିବାର କଥା ନୁହେଁ । କିନ୍ତୁ, ହୋମିଓପାଥି ଚିକିତ୍ସା ନିୟମଟି ଖୁବ ସରଳ ଓ ବୋଧଗମ୍ୟ ହେଲେ ମଧ୍ୟ କେତେକ ତରୁଣ ରୋଗକୁ ଛାଡିଦେଲେ, ପୁରାତନ ଓ ଜଟିଳ ରୋଗୀ ଚିକିତ୍ସା କ୍ଷେତ୍ରରେ ଏହା ଅତ୍ୟନ୍ତ କଷ୍ଟସାଧ୍ୟ । ପୁନଶ୍ଚ, ବିଭିନ୍ନ ପ୍ରକାର ରୋଗରେ, ଲକ୍ଷଣ ସାଦୃଶ୍ୟରେ ଗୋଟିଏ ଔଷଧ ବ୍ୟବହୃତ ହେଉଥିଲେ ମଧ୍ୟ, ଗୋଟିଏ ରୋଗକୁ ଭିନ୍ନଭିନ୍ନ ପରିସ୍ଥିତିରେ, ଲକ୍ଷଣଭେଦରେ ବିଭିନ୍ନ ଔଷଧ ଲାଗିଥାଏ । ତେଣୁ ଏ ପଦ୍ଧତିରେ ଔଷଧ ବାଛିବା ଏକ ଆୟାସକର ବ୍ୟାପାର । ସୁତରାଂ ଘରୋଇ ଚିକିତ୍ସା କ୍ଷେତ୍ରରେ ଏହାକୁ କେବଳ ତରୁଣ ଆପଦକାଳ ରୋଗାବସ୍ଥାରେ, ସାମୟିକଭାବରେ, ସାମାନ୍ଯ ଅସୁସ୍ଥତାକୁ ଦୂରେଇ ଦେବା ପାଇଁ ବ୍ୟବହାର କରାଯାଇପାରେ । ଏହାଦ୍ଵାରା ଅସମୟରେ ନିଜର ତଥା ପଡୋଶୀମାନଙ୍କର ଉପକାର ଜଣେ କରିପାରିବେ, ନିତାନ୍ତ ଭାବରେ ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ।
ମନେକରନ୍ତୁ, ଶୀତଦିନ ରାତିରେ ଏକ ଦମ୍ପତ୍ତି, କୋଳରେ ଛୋଟ ଛୁଆକୁ ଧରି ସ୍କୁଟର ଚଳାଇ ସେକେଣ୍ଡ ସୋ ସିନେମା ଦେଖି ଫେରିଲେ । ଥଣ୍ଡା ପବନ ବାଜି ହଠାତ୍ ରାତି ଅଧରେ ପିଲାଟିକୁ ଖଇଫୁଟିଲା ଭଳି ଜ୍ଵର, କାନ୍ଦି ପାରୁନି, ତଣ୍ଟି ବନ୍ଦ ; ଖୁବ ବ୍ୟସ୍ତରେ ଛଟପଟ ହେଉଛି; ପାଟିଶୁଖି ଯାଉଛି – ପାଖରେ ଯଦି ଏକୋନାଇଟ ଥାଏ ସେଥିରୁ କେତୋଟି ପାନ ଦେଲେ ଅଳ୍ପ ସମୟ ମଧ୍ୟରେ ପିଲାଟି ଆରାମରେ ଶୋଇଯିବ । ସେହିଭଳି ବାପା, ମା’ଙ୍କ କଥା ନ ମାନି ଚଗଲା ପୁଅଟା ବର୍ଷାରେ ଭିଜି ଜ୍ଵରରେ ପଡିଲା; ଦେହହାତ ଛେଚିକୁଟି ହେଉଛି – ରସ୍ ଟକ କେତେପାନ ଦେଇ ଉପଶମ କରାଇ ହେବ । ଏହି ଭଳି ଅନେକ । ଦାନ୍ତ ଉଠିବା ସମୟରେ କାମୋମିଲା; ମିଳିମିଳା ସମୟରେ ଝାଡା ହେଲେ ପାଲସେଟିଲା; ଶ୍ଵାସନଳୀ ର ପ୍ରଦାହ ପାଇଁ ଇପିକାକ; ଏଭଳି ବହୁ ଔଷଧ ଅବେଳାରେ ଅତ୍ୟନ୍ତ ଅଧୀରା ମା’ ମାନଙ୍କର ପିଲାଙ୍କୁ ଆରାମ ଦେବାର ଯେ କେତେ ନିର୍ଭରଯୋଗ୍ୟ, ଏହା କଳ୍ପନା କରାଯାଇ ପାରେନା । ପିଲାଟି ବାପାଙ୍କୁ ଆସୁଥିବାର ଦେଖି ଧାଇଁ ଆସି କାନ୍ଥରେ ପିଟି ହୋଇଗଲା – ଆର୍ଣ୍ଣିକା ଦେବେ – ଓଃ କି ଆରାମ : ସତରେ ଅଭିଜ୍ଞତା ନ ଥିଲେ ବିଶ୍ଵାସ କରି ହେବ ନାହିଁ ।
ସଦୃଶବିଧାନ ଯେତେବେଳେ ଏହି ଔଷଧ ପ୍ରୟୋଗର ନୀତି, ତେଣୁ ସ୍ଵାଭାବିକ ଭାବରେ ଔଷଧ ଦେବାପରେ ରୋଗ ଲକ୍ଷଣ ବଢିବାର ସମ୍ଭାବନାକୁ ବିଶ୍ଵାସ କରିବା ସ୍ଵାଭାବିକ ମାତ୍ର ଚିକିତ୍ସା କାଳରେ ଏହି ପଦ୍ଧତି ଉପଯୁକ୍ତ ୩ ନମ୍ବର ନିୟମାନୁସାରେ ଔଷଧର ମାତ୍ରାକୁ ସୂକ୍ଷ୍ମ ଓ ସ୍ୱଳ୍ପ ଭାବରେ ପ୍ରୟୋଗ କରାଯାଏ ଓ ଏହାର ପୁନରାବୃତ୍ତିକୁ ଏଭଳି ଜଗିରଖି କରାହୁଏ ଯେ ରୋଗ ଲକ୍ଷଣ ମାନଙ୍କର ପ୍ରକୋପର ବୃଦ୍ଧି ଘଟିବାର ଅବକାଶ ନ ଥାଏ । କେବଳ ଚର୍ମ ରୋଗକୁ ଛାଡିଦେଲେ, ଅଜ୍ଞତା ଦୋଷରୁ, ଅନେକ ସମୟରେ ଭୁଲ ଔଷଧ ପ୍ରୟୋଗରେ ଔଷଧ କାମ ନ କରିବା ହେତୁ ରୋଗର ସ୍ଵାଭାବିକ ଗତିକୁ ମଧ୍ୟ ହୋମିଓପାଥି ଔଷଧ ହେତୁ ରୋଗ ବଢିଗଲା ବୋଲି କୁହାଯାଇଥାଏ । ପୁନଶ୍ଚ, ଅନେକ ସମୟରେ ଭୁଲ ବ୍ୟବସ୍ଥା ହେତୁ ଔଷଧର ପୁନଃ ପୁନଃ ପ୍ରୟୋଗ ଫଳରେ ମଧ୍ୟ ରୋଗ ଲକ୍ଷଣର ବୃଦ୍ଧି ଘଟିଥାଏ । ଆଉ କେତେକ କ୍ଷେତ୍ରରେ ରୋଗୀର ସମ୍ବେଦନଶୀଳତା ବା ସହନଶୀଳତାକୁ ଠିକ୍ ଭାବରେ ନ ଉଠାଇ ଅତି ଉଚ୍ଚ ଶକ୍ତିର ଔଷଧ ପ୍ରୟୋଗ କଲେ ମଧ୍ୟ ରୋଗ ଲକ୍ଷଣର ବୃଦ୍ଧି ଘଟିଥାଏ । ତେଣୁ ଏସବୁ ରୋଗ ବୃଦ୍ଧିକୁ ରୋକିବାକୁ ହେଲେ, ଜଣେ ଅନିସନ୍ଧି ଓ ଅଭିଳାଷୀ ହୋମିଓ ଚିକିତ୍ସକଙ୍କର ହୋମିଓପାଥି ଦର୍ଶନ ଉପରେ ଗଭୀର ଅଧ୍ୟୟନ ତଥା ଅଭିଜ୍ଞ ଚିକିତ୍ସଙ୍କ ପରାମର୍ଶ ଓ ସାହାଯ୍ୟର ଆବଶ୍ୟକତା ରହିଛି । ନଚେତ “ ସ୍ୱଳ୍ପ ବିଦ୍ୟା ଭୟଙ୍କରୀ ” ହୋଇ, ରୋଗୀ, ଡାକ୍ତର ତଥା ସର୍ବୋପରି ହୋମିଓପାଥି ବିଜ୍ଞାନର ସର୍ବନାଶ ଘଟାଇବ । ‘ ଧୀରପାଣି ପଥର କାତେ ’ ନ୍ୟାୟରେ ଔଷଧ ପ୍ରୟୋଗ କଲେ ରୋଗ ବଢିବାର ଅବକାଶ ନ ଥାଏ ।
ଯେହେତୁ ହୋମିଓପାଥି ଓ ଏଲୋପାଥି ମତରେ ଔଷଧର ପ୍ରୟୋଗ ପଦ୍ଧତି ବିପରୀତମୁଖୀ, ତେଣୁ ଏକ ସଙ୍ଗରେ, ଏକ କ୍ଷେତ୍ରରେ ଉଭୟ ପଦ୍ଧତିରେ ଔଷଧ ପ୍ରୟୋଗ କରିବା ଶାସ୍ତ୍ରୀୟ ନୁହେଁ । ତଥାପି, ଉଚ୍ଚରକ୍ତଚାପ, ମଧୁମେହ, ପୁରାତନ ଶ୍ଵାସ ଇତ୍ୟାଦି କେତେକ ରୋଗରେ ଯେଉଁଠି ଦୀର୍ଘଦିନ ଧରି ଉପଶମାତ୍ମକ ଔଷଧ ପ୍ରୟୋଗ ହେଉଥାଏ, ରୋଗୀକୁ ତହିଁରୁ ହଠାତ୍ ନିବର୍ତ୍ତାଇଲେ ପ୍ରତିକ୍ଷେପଣ ନୀତିରେ ରୋଗ ବୃଦ୍ଧି ଘଟି ଆୟତ୍ତ ବାହାରକୁ ଚାଲିଯାଏ । ଏ କ୍ଷେତ୍ରରେ ଉଭୟ ହୋମିଓପାଥି ଓ ଏଲୋପାଥି ସମାନ୍ତରାଳ ଭାବରେ ଦେଇ, ଧୀରେ ଧୀରେ କ୍ରମସୂକ୍ଷ୍ମାନୁସାରେ ଏଲୋପାଥି ଔଷଧକୁ କମାଇବାକୁ ହେବ । ଏ ସବୁ କ୍ଷେତ୍ରରେ ହୋମିଓପାଥି ଔଷଧକୁ ମୂଳ ଅର୍କ ବା ଅତିକମ୍ ଶକ୍ତି , ଦେଇ ଚିକିତ୍ସା ଆରମ୍ଭ କରିବା ବିଧେୟ ।
ଏଲୋପାଥି ଚିକିତ୍ସା ପରେ ହୋମିଓପାଥିରେ ଚିକିତ୍ସା ହେବାକୁ ଚାହୁଁଥିବା ରୋଗୀଙ୍କୁ ଏଲୋପାଥି ଔଷଧର ଗୁଣ ନଷ୍ଟକରି ହିଁ ସର୍ବଦା ହୋମିଓପାଥି ଦେବାର ଯୁକ୍ତି ସବୁବେଳେ ଠିକ୍ ନୁହେଁ । ଏହାର କାରଣ ଦୁଇଟି : (କ) ସବୁ ପ୍ରକାର ଏଲୋପାଥି ଔଷଧପାଇଁ ସଠିକ ହୋମିଓପାଥି ପ୍ରତିବିଧାନ ହୁଏତ ନିରୂପିତ ହୋଇ ନାହିଁ । (ଖ) ଉପସ୍ଥିତ ଲକ୍ଷଣସକଳ ହିଁ କୌଣସି ଏକ ହୋମିଓପାଥି ଔଷଧ ନିର୍ଦ୍ଦେଶ କରିଥାଏ । ତେଣୁ ଯଦି କୌଣସି ଔଷଧ ଆଖିବୁଜି ପ୍ରୟୋଗ କରିବାର ଆବଶ୍ୟକତା କିଛି ନାହିଁ । ଏହାଦ୍ଵାରା ଅଯଥା ସମୟ ଓ ଔଷଧର ଅପଚୟ ଘଟିଥାଏ । ଅବଶ୍ୟ ଯେଉଁଠି ଔଷଧର ସଠିକ୍ ଚିତ୍ର ରୋଗୀଠାରେ ମିଳେ ନାହିଁ ଓ କୌଣସି ଏଲୋପାଥି ଔଷଧର ବହୁଳ ପ୍ରୟୋଗ ଘଟିଥିବାର ପ୍ରମାଣ ଥାଏ, ତାହାହେଲେ ଉକ୍ତ ଔଷଧର କ୍ରିୟାନଷ୍ଟକାରୀ ଏକ ଔଷଧ ବ୍ୟବସ୍ଥା କରିବା ଯୁକ୍ତିସଙ୍ଗତ ।
ହୋମିଓପାଥି ଚିକିତ୍ସାକାଳରେ ଦୁଇଟି କଥାକୁ ଆଖିଆଗରେ ରଖି ଖାଦ୍ୟପାନୀୟର ବ୍ୟବସ୍ଥା କରିବାର କଥା ।
ଏହାବ୍ୟତୀତ, କଞ୍ଚାପିଆଜ, ରସୁଣ, ହେଙ୍ଗୁ, ପିପରମିଣ୍ଟ ଇତ୍ୟାଦି ପଦାର୍ଥ ଯାହାକି ଖୁବ୍ ଉତ୍କଟ, କଟୁସ୍ଵାଦ ଓ ଗନ୍ଧଯୁକ୍ତ, ସେ ସବୁର ବ୍ୟବହାର ହୋମିଓପାଥି ଔଷଧ ବ୍ୟବହାରର ଠିକ୍ ପୂର୍ବରୁ ବା ପରେ ହେବା ଉଚିତ ନୁହେଁ । ଏହାଦ୍ଵାରା ହୋମିଓପାଥି ଔଷଧର ପ୍ରଭାବ ଶରୀର ଉପରେ ମୋଟେ ପଡିପାରେନା । ହୋମିଓପାଥିର ଔଷଧ ସ୍ନାୟୁପଥରେ କାର୍ଯ୍ୟ କରିଥାଏ । ନିର୍ଦ୍ଧିଷ୍ଟ ସ୍ନାୟୁ ଉପରେ କୌଣସି ଶକ୍ତିଶାଳୀ ପ୍ରଭାବ ଯେତେବେଳେ କାର୍ଯ୍ୟ କରୁଥାଏ, ସେ ସମୟରେ ଦୁର୍ବଳ ପ୍ରଭାବର ଅନୁଭୂତି ଉକ୍ତ ସ୍ନାୟୁ ଉପରେ ରହେ ନାହିଁ । ସୁତରାଂ ଅତ୍ୟନ୍ତ କଟୁ, ତିକ୍ତ, କଷା ସ୍ଵାଦ ଥିବା ଖାଦ୍ୟ ଔଷଧସେବନର ଠିକ୍ ପୂର୍ବରୁ ବା ପରେ ଖାଇଲେ ମୁଖଗ୍ଵହରରେ ଥିବା ବିଭିନ୍ନ ସ୍ନାୟୁର ଅନୁଭୂତି ଔଷଧ ପ୍ରତି ରହେ ନାହିଁ । ତେଣୁ ଔଷଧର କାର୍ଯ୍ୟକାରିତା ଠିକ୍ ଭାବରେ ହୋଇପାରେ ନାହିଁ । ମିଠା ଖାଇବା ପରେ ଚା’ପାନର ସ୍ଵାଦ ନଥାଏ । ଖୁବ୍ ରାଗ ଖାଇଦେଲେ ତା’ପର ଖାଦ୍ୟର ସ୍ଵାଦ ଅସ୍ଵାଦନ କରିହୁଏ ନାହିଁ । ଏହିଭଳି ବହୁ ଉଦାହରଣ ଆମେ ଆମର ଦୈନନ୍ଦିନ କାର୍ଯ୍ୟ ମଧ୍ୟରେ ପାଇଥାଉ । ଔଷଧ ସହିତ ବିଭିନ୍ନ ଖାଦ୍ୟଦ୍ରବ୍ୟର ସମ୍ପର୍କ ବିଷୟରେ ଯେ କୌଣସି ଭଲ “ମେଟେରିଆ ମେଡିକା ” ବହିରୁ ସବିଶେଷ ଜ୍ଞାନ ମିଳିପାରିବ ।
ରୋଗ ବୋଇଲେ ଆମେ ନିର୍ଦ୍ଧିଷ୍ଟ ଏକ ନାମକରଣ ହୋଇଥିବା ଲକ୍ଷଣଗୁଚ୍ଛକୁ ବୁଝୁ । ନାମକରଣ ନ ହେବା ପର୍ଯ୍ୟନ୍ତ ଏହା ଏକ ନିର୍ଦ୍ଧିଷ୍ଟ ପର୍ଯ୍ୟାୟରେ ରୋଗ ବୋଲି କୁହାଯାଇ ପାରେନା । ଏହା ସାଧାରଣ ଚିକିତ୍ସା – ପଦ୍ଧତି ବା ଏଲୋପାଥିର ଔଷଧ ବ୍ୟବସ୍ଥା ପାଇଁ ଆବଶ୍ୟକ ହୁଏ । ଏକ ଜ୍ଵର ରୋଗୀ – ଟାଇଫଏଡ, ମ୍ୟାଲେରିଆ, ବାତଜ୍ଵର, ଭାଇରାଲ ଜ୍ଵର, ଏଭଳି ନାମ କରଣ ନ ହେଲେ ତା’ ପାଇଁ ନିର୍ଦ୍ଧିଷ୍ଟ ଔଷଧ ପ୍ରୟୋଗ କରିବା ସାଧାରଣ ଚିକିତ୍ସା – ପଦ୍ଧତିରେ ଦୁଃସାଧ୍ୟ । ମାତ୍ର ହୋମିଓପାଥିରେ ଏହାର ଆବଶ୍ୟକତା ନାହିଁ । ଏଥିରେ ରୋଗୀର ସାମୂହିକ ଲକ୍ଷଣସକଳ ଉପରେ ନିର୍ଭର କରି ଲକ୍ଷଣ ମେଳକରେ ଔଷଧ ବ୍ୟବସ୍ଥା ହୁଏ । ଟାଇଫଏଡ ହୋଇଥିଲେ ମଧ୍ୟ ବିଭିନ୍ନ ରୋଗୀଙ୍କୁ ଲକ୍ଷଣଭେଦରେ ବ୍ରାୟୋନିଆ ଠାରୁ ଆରମ୍ଭ କରି ଜିଙ୍କମମେଟ ପର୍ଯ୍ୟନ୍ତ ଯେ କୌଣସି ଔଷଧ ଲାଗିପାରେ । ଏପରିକି ବିଭିନ୍ନ ରୋଗ ପାଇଁ ମଧ୍ୟ ଲକ୍ଷଣ ସାମଞ୍ଜସ୍ୟରେ ସେଇ ଏକା ଔଷଧ ବ୍ୟବହାର ହୋଇପାରେ । ଉଦାହରଣ ସ୍ୱରୂପ, ଟାଇଫଏଡ ପାଇଁ ମଧ୍ୟ ବ୍ରାୟୋନିଆ ଲାଗିବ, ଉଦରାମୟ ପାଇଁ ମଧ୍ୟ ଏହା ସମାନଭାବରେ ପ୍ରୟୋଗ କରାଯାଇ ପାରିବ । ରୋଗଭିତ୍ତିରେ ହୋମିଓପାଥି ଔଷଧ ବ୍ୟବହାର ହୁଏ ନାହିଁ, ରୋଗୀର ଉପସ୍ଥିତ ଲକ୍ଷଣମାନଙ୍କ ଭିତ୍ତିରେ ତାହା ହୋଇଥାଏ । ତେଣୁ ଏଭଳି କୁହାଯାଇଥାଏ ।
ହୋମିଓପାଥିର ସର୍ଜେରି ବା ଅପରେସନ ଅଛି କି ନାହିଁ ବୋଲି ଅନେକ ପଚାରିଥା’ନ୍ତି । ଯେଉଁ ଚିକିତ୍ସା ଔଷଧଦ୍ଵାରା ନ ହୋଇ ଅସ୍ତ୍ରଦ୍ଵାରା ହୋଇଥାଏ, ତାହାକୁ ଅସ୍ତ୍ର ଚିକିତ୍ସା, ସର୍ଜେରି ବା ଅପରେସନ ବୋଲି କୁହାଯାଇଥାଏ । ଯେହେତୁ ହୋମିଓପାଥି ଏକ ପ୍ରକାରର ଔଷଧ ପ୍ରୟୋଗ ପ୍ରଣାଳୀ, ଏଥିରେ ଅସ୍ତ୍ର ଚିକିତ୍ସା ପ୍ରଶ୍ନ ଉଠିବା ଅଳିକ । ଯେଉଁସବୁ ରୋଗାବସ୍ଥାରେ ଅସ୍ତ୍ର ପ୍ରୟୋଗ ଅନିବାର୍ଯ୍ୟ, ସେଥିରେ ଭେଷଜ ପ୍ରୟୋଗର ଆବଶ୍ୟକତା ନାହିଁ । ସୁତରାଂ ତାହା କେବଳ ସେ ବିଦ୍ୟାରେ ବ୍ୟୁତ୍ପତ୍ତି ଲାଭ କରିଥିବା ଲୋକେ ହିଁ କରିବେ । ଅର୍ଥାତ୍, ଶଲ୍ୟ ଚିକିତ୍ସକ ବ ସର୍ଜନମାନେ ହିଁ କରିବେ । ଉକ୍ତ କର୍ମ ଭେଷଜବିତ୍ ବା ଫିଜିସିୟାନ ମାନଙ୍କର ପରିସୀମା ମଧ୍ୟରେ ନାହିଁ । ଦାନ୍ତ କ୍ଷୟ ହୋଇଯାଉଛି, ତାହାକୁ ଓପାଡିବାକୁ ହେବ । କୌଣସି ଏକ ବିରାଟ ଅର୍ବୁଦ ଔଷଧ ମାଧ୍ୟମରେ କମିବା ସମୟ ସାପେକ୍ଷ ଓ ତାହାପାଇନ ରୋଗୀ ଅଧିକ ଦିନ କଷ୍ଟ ଭୋଗ କରିବେ – ତାକୁ ଅସ୍ତ୍ର ସାହାଯ୍ୟରେ କାଟି ବାହାର କରିଦେବା ଦରକାର । ପେପଟିକ୍ ଅଲସର୍ ରୋଗରେ ପାକସ୍ଥଳୀରେ କ୍ଷତ ଖୁବ୍ ଗଭୀର ଏବଂ ଯେ କୌଣସି ମୂହୁର୍ତ୍ତରେ ଛିଦ୍ର ହୋଇ ଯିବାର ଆଶଙ୍କା ବା ହଠାତ୍ ଛିଦ୍ର ହୋଇଯାଇଛି, ସଙ୍ଗେ ସଙ୍ଗେ ଅସ୍ତ୍ର ଚିକିତ୍ସା ଦ୍ଵାରା ଅବସ୍ଥା ସମ୍ଭାଳି ନେବା କଥା । ଏହା ଏକ ସଂପୂର୍ଣ୍ଣ ଭିନ୍ନ ଚିକିତ୍ସା ପଦ୍ଧତି ଓ ହୋମିଓପାଥି ସହିତ ଏହାର ସମ୍ପର୍କ କେବା ପରିପୂରକ । ଏ ସମ୍ପର୍କରେ ଅନ୍ୟଏକ ପ୍ରବନ୍ଧ “ହୋମିଓପାଥି ଓ ଅସ୍ତ୍ରଚିକିତ୍ସା” ରେ ବବିସ୍ତାର ଆଲୋଚନା ହୋଇଅଛି ।
ସଦୃଶବିଧାନ ମତରେ ଔଷଧ ପ୍ରୟୋଗ ଦୃଷ୍ଟିରୁ ଏହାର ଅନୁପାତ ଅତ୍ୟନ୍ତ ସ୍ୱଳ୍ପ ହେବା ବିଧେୟ ଓ ରୋଗୀର ପ୍ରବଣତା ରୋଗ ଭୋଗ କାଳରେ ବହୁ ଗୁଣରେ ଅଧିକ ଥିବା ହେତୁ, ସଦୃଶ ଔଷଧଟିର ସ୍ୱଳ୍ପ ମାତ୍ରା ସହିତ ପୁନଃ ପ୍ରୟୋଗକୁ ମଧ୍ୟ ବିଳମ୍ବିତ କରିବାର କଥା ।
ହୋମିଓପାଥି ଔଷଧ ‘ମୂଳ ଅର୍କ’ ତଥା ‘ଶକ୍ତିକୃତ’ ଔଷଧ ଭାବେ ମିଳେ । ମୂଳ ଅର୍କ ସର୍ବଦା ତରଳ । ଶକ୍ତିକୃତ ଔଷଧ ତରଳ ହୋଇ ପାରେ ବା ସୋରିଷଦାନା ଭଲ ଚିନି ତିଆରି ଗୁଳିରେ ଭିଯାଇ ଶୁଖିଲାଭାବରେ ରଖାଯାଇପାରେ । ଯଦି ମୂଳ ଅର୍କ ବ୍ୟବହାର କରାଯାଏ ତାହାହେଲେ ଏକ ବୁନ୍ଦାରୁ ପାଞ୍ଚବୁନ୍ଦା ପର୍ଯ୍ୟନ୍ତ ବୟସ ଭେଦରେ ଦିନକୁ ୩ – ୪ ଥର ପର୍ଯ୍ୟନ୍ତ ଦିଆଯାଇପାରେ ।
ତରଳ ଶକ୍ତିକୃତ ଔଷଧକୁ ସର୍ବଦା ପାଣିରେ ମିଳାଇ ଦେବା ଉଚିତ । ଅଧକପ୍ ଫୁଟାପାଣିରେ ୨ – ୪ ବୁନ୍ଦା ପକାଇ ଅବସ୍ଥା ଭେଦରେ ପ୍ରତି ୧୫ ମିନିଟରୁ ୬ ଘଣ୍ଟା ଅନ୍ତରରେ ଏକ ଚାମୁଚ କରି ଦିଆଯାଇପାରେ । ରୋଗର ତୀବ୍ରତା ଉପରେ ଔଷଧର ପୁନରାବୃତ୍ତିର ସମୟ ନିର୍ଭର କରେ ଓ ହିତ – ପରିବର୍ତ୍ତନରେ ଔଷଧ ପୁନଃପ୍ରୟୋଗର ସମୟ ଯଥେଷ୍ଟ ବଢାଇ ଦିଆଯାଇପାରେ ବା ଔଷଧ ବନ୍ଦ କରି ଅପେକ୍ଷା କରାଯାଇପାରେ ।
ଶୁଖିଲା ଶକ୍ତିକୃତ ଔଷଧ ଗୁଳି ମଧ୍ୟ ଉପାଯୁକ୍ତ ସମୟ ବ୍ୟବଧାନ ତଥା ପୁନଃ ପ୍ରୟୋଗର ନିୟମାନୁସାରେ ୧ରୁ ୫ଟି ଗୁଳି ଦିଆଯାଇପାରେ ।
ଏହା ବ୍ୟତୀତ ହ୍ୟାନିମାନ ତାଙ୍କ ଶେଷ ଜୀବନରେ ହୋମିଓପାଥି ଔଷଧର ଶକ୍ତି ପ୍ରସ୍ତୁତିରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ପଞ୍ଚାଶ ଶତତମିକ ଶକ୍ତି ଆବିଷ୍କାର କରି । ଏହାର ଉଦ୍ଦେଶ୍ୟ ହେଲା ଔଷଧର ପୁନଃ ପୁନଃ ପ୍ରୟୋଗ ଦ୍ଵାରା ରୋଗ ଭୋଗ କାଳକୁ କମେଇଦେବା । ଏହାଦ୍ଵାରା ରୋଗ ଲକ୍ଷଣର ବୃଦ୍ଧିକୁ ଡାକ୍ତରଙ୍କ ଆୟତ୍ତର ସୀମା ମଧ୍ୟରେ ରଖାଯାଇଥାଏ । ଯେ କୌଣସି ଶକ୍ତିର ଔଷଧର ପୁନଃ ପ୍ରୟୋଗ ସବୁବେଳେ ନିର୍ଭର କରେ ଡାକ୍ତରଙ୍କ ଅଭିଜ୍ଞତା, ନିରୀକ୍ଷଣ ଶକ୍ତି ଓ ଧର୍ଯ୍ୟ ଉପରେ । ସାବଧାନତାର ସହ ଔଷଧର ପୁନଃ ପ୍ରୟୋଗ ନ କଲେ ରୋଗୀର ଅବସ୍ଥା ଅନେକ ସମୟରେ ଆୟତ୍ତର ବାହାରକୁ ଚାଲିଯାଏ । ଏହି ନୂତନ ପଚାଶ ଶତତମିକ ଶକ୍ତି ସମ୍ପର୍କରେ ଅନ୍ୟ ଏକ ପରିଚ୍ଛେଦରେ ସ୍ଵତନ୍ତ୍ରଭାବରେ ସବିଶେଷ ଆଲୋଚନା କରାଯାଇଅଛି ।
ସଂଗୃହୀତ – ଡାକ୍ତର କମଳାକାନ୍ତ କରLast Modified : 1/28/2020