অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମେଟେରିଆ ମେଡିକା -ଭାଗ ୩

କାର୍ବୋଭେଜ

ସର୍ବଦା  ପେଟ  ଗଣ୍ଡଗୋଳ   ସହିତ  ବାୟୁ  ସଞ୍ଚାର  ହୋଇ  ଅଜୀର୍ଣ୍ଣ  ହାକୁଟି  ଉଠୁଥିଲେ,  ଏହା  ଅପେକ୍ଷା  ଭଲ  ଔଷଧ  କ୍ଵଚିତ  ମିଳିବ  । ରୋଗୀ  ସନ୍ନିପାତ  ଆଡକୁ  ଗତି  କରୁଥିବ,  ଆଣ୍ଠୁରୁ  ପାଦ  ପର୍ଯ୍ୟନ୍ତ  ଥଣ୍ଡା  ହୋଇଯିବା  ସଙ୍ଗେ  ସଙ୍ଗେ  ପେଟର  ବାୟୁ  ଭର୍ତ୍ତି  ହୋଇ  ରହିଥିଲେ  ଏବଂ  ରୋଗୀ   ଖାଲି  ପଙ୍ଖା  ପବନ  ଚାହୁଁଥିଲେ  ଏହା  ଅମୋଘ  ଔଷଧ  ଭଳି   କାର୍ଯ୍ୟ  କରିବ  । ପେଟରେ  ବାୟୁ  ଭର୍ତ୍ତି  ହୋଇ  ରହିଥିବ,  ପଚରା   ଦୁର୍ଗନ୍ଧଯୁକ୍ତ  ଅଳ୍ପ  ଅଳ୍ପ  ଝାଡା  ଓ  ସମୟ  ସମୟରେ  ସେଥିରେ  ରକ୍ତ  ମିଶିକରି   ଆସୁଥିବ,  ତାହାହେଲେ  ଏହା  ନିଶ୍ଚୟ   ଆରୋଗ୍ୟ  କରିବ  । ଏ  ରୋଗୀଠାରେ   ବାୟୁର   ପ୍ରକୋପ  ଏତେ  ବେଶି  ଯେ,  ସର୍ବଦା  ହାକୁଟି  ମାରିଲେ  ହିଁ  ରୋଗୀ  ଆରାମବୋଧ   କରୁଥିବ  ।

କଲୋଫାଇଲମ

ଏହା  ଗର୍ଭବତୀ   ନାରୀମାନଙ୍କର  ବିଭିନ୍ନ  ପୀଡା  ଓ  ଆଙ୍ଗୁଠି   ଗଣ୍ଠିବାତରେ  ବ୍ୟବହୃତ   ହୁଏ   ।  ବ୍ୟଥା,  ସବିରାମ,  ସ୍ଥାନ  ପରିବର୍ତ୍ତନଶୀଳ  ଓ  ଆକ୍ଷେପଯୁକ୍ତ   ହେଲେ  ଏହାକୁ   ଚିନ୍ତା  କରିବାର  କଥା   । ଝିଅଟିର   ମୁହଁରେ  ପୋତକ  କାମୁଡିଲା  ଭଳି  ଉଦ୍ଭେଦ   ସହିତ  ଆଖିପତାର  ଭାରି  ଭାବ  ଏହାର  ନିର୍ଦ୍ଦେଶକ  ଲକ୍ଷଣ   ।  ବିଳମ୍ବିତ   ପ୍ରସବବେଦନା,  ଜରାୟୁର  ମୁଖ   ଯଦି  କଠିନ  ହୋଇ  ଖୋଲୁ  ନ ଥିବ  ଓ  ପ୍ରତ୍ୟକ  ବେଦନା  ସମୟରେ  ଛୁଞ୍ଚି   ଫୋଡିହେଲା  ଭଳି  ଲାଗୁଥିବ,  ତାହାହେଲେ  ଏହାର  ପ୍ରୟୋଗରେ  ଅନିୟମିତ,  ନିଷ୍ଫଳ   ପ୍ରସବବେଦନା  ନିୟମିତ  ହୋଇ  ଆଶୁ   ପ୍ରସବ   କରାଇଥାଏ   ।

କଷ୍ଟିକମ୍

ଅତିଶୟ  ଦୁର୍ବଳତା  ସହିତ  ବିଭିନ୍ନ  ଅଂଶର  ପକ୍ଷାଘାତ   ଅବସ୍ଥା  ପାଇଁ   ଏହା  ଏକ  ପ୍ରମୁଖ  ଔଷଧ   । ଡାହାଣ   ଅଙ୍ଗର  ଅବସତା  ଓ  ପକ୍ଷାଘାତ  ଅବସ୍ଥା  ପାଇଁ   ଏହା  ଉଦ୍ଦିଷ୍ଟ   । ଅତ୍ୟନ୍ତ  ଶୀତକାତର   ବା  ଥଣ୍ଡାଦ୍ଵାରା  ବିଭିନ୍ନ  କଷ୍ଟ  ଭୋଗୁଥିବା,  ସଂବେଦନଶୀଳ , ପରଦୁଃଖକାତର  ଲୋକମାନଙ୍କର  ରୋଗରେ   ଏହା  ବିଶେଷ  କାମ  କରେ   । ଏହାର  ବିଶେଷ  କ୍ରିୟା  ମୂତ୍ରାଶୟ   ଉପରେ  ହିଁ  ଦେଖାଯାଇଥାଏ   । ମୂତ୍ରଯନ୍ତ୍ରର   ଜ୍ଵାଳା ; ତାହାର  ପକ୍ଷାଘାତ ; କାଶ , ଛିଙ୍କ,  ହସରେ   ପରିସ୍ରା  ପଡିଯିବା,  ସାମାନ୍ୟ   ଥଣ୍ଡାରେ  କାଶ  ଓ  ସ୍ଵରଭଙ୍ଗ  ଏହାର  ସାଧାରଣ  ଉପସର୍ଗସମୂହ   । ଶ୍ଵାସଯନ୍ତ୍ର  ପୀଡାରେ  ତଣ୍ଟି  ଭିତର   ଛିଣ୍ଡିଗଲାଭଳି   ବୋଧ  ହେବା,  ଥଣ୍ଡା  ପାନୀୟରେ  କାଶର   ଉପଶମ   ହେବା  ଏହାର   ନିର୍ଣ୍ଣୟାତ୍ମକ   ଲକ୍ଷଣ   । ଶୁଖିଲା   ଥଣ୍ଡା  ପାଗରେ  ଏହାର  ରୋଗ   ସବୁ  ବଢୁଥିବାବେଳେ   ଭିଜା  ଥଣ୍ଡା  ପାଗରେ   ସାଧାରଣତଃ   ଭଲ  ରହିବା  ଲକ୍ଷଣ  ଔଷଧର   ନିଜସ୍ଵ   ।  ଗଣ୍ଠିବାତ  ବା  ପୋଡିଯିବା   ପରେ  ଆକ୍ରାନ୍ତ  ଅଙ୍ଗପ୍ରତ୍ୟଙ୍ଗର  ସଙ୍କୋଚନ  ହୋଇ  ଯାଉଥିଲେ,  ପୋଡା  ଘା’ର   ଆକ୍ରାନ୍ତ  ଅଂଶ  ବାରମ୍ବାର  ପାଚୁଥିଲେ  ଏହା  ସେଥିରୁ  ନିବୃତ୍ତ   କରାଏ   । ଥଣ୍ଡା  ପାଣିରେ ଏହି  ଔଷଧର ୬ ଶକ୍ତି  ମିଶାଇ  ପୋଡା  ଅଂଶକୁ   ଭିଯାଇ  ରଖିଲେ,  ପୋଡା  ଘା’ର   ଉପସର୍ଗକୁ   ଦୂର  କରାଯାଇପାରେ   ।

କ୍ୟାମୋମିଲା

ଶିଶୁମାନଙ୍କର   ଦାନ୍ତ  ଉଠିବା  ସମୟର  ନାନା  ପ୍ରକାରର  ଉପସର୍ଗରେ  ଏହା  ବହୁଳାଭାବରେ  ଲାଗେ   । ବିଶେଷକରି   ଶାଗୁଆ,  ପଚରା  ଗନ୍ଧର  ଝାଡାପାଇଁ   ଏହା  ପ୍ରଯୁଜ୍ୟ   । କିନ୍ତୁ  ଏହାର  ରୋଗୀମାନେ   ଖୁବ୍  ଚିଡିଚିଡା  ଓ  ବଦରାଗୀ  ସ୍ଵାଭାବର   । ଯଦି   ପିଲା  ଖୁବ୍  ଚିତ୍କାର   କରି  କାନ୍ଦି  ସମସ୍ତଙ୍କୁ   ପିଟିମାରି  ଖୁବ୍   ବ୍ୟସ୍ତ  କରି  ପକାଉଥିବ,  ଯାହାବା  କଷ୍ଟ  ହେଉନା  କାହିଁକି,  ଏହାକୁ   ଦେବାପରେ  ପିଲା  ଚୁପଚାପ୍   ହୋଇଯାଏ   । ବଡ  ମଣିଷ   ହେଲେ   ମଧ୍ୟ  ପ୍ରଚଣ୍ଡ  କ୍ରୋଧର  ପ୍ରକାଶ  ସହିତ   ଆଶାଳୀନ  ଭାଷା  ଏହାର  ପ୍ରକୃତିଗତ   ଲକ୍ଷଣ   । ମାନସିକ  କୋମଳତାରେ  ଏହାର  ପ୍ରୟୋଗ   ନିଷିଦ୍ଧ  । ନମ୍ରତା   ଏହାର  ଚରିତ୍ର   ବିରୋଧୀ   । କେବଳ  ତାହା  ନୁହେଁ,  କ୍ରୋଧଜନିତ   ଯେ  କୌଣସି   ପୀଡାରେ  ମଧ୍ୟ  ଏହା  ଏକ  ଫଳପ୍ରଦ   ଔଷଧ   । ବାପା ମା’ଙ୍କର  ତାଡନାରୁ   ପିଲାର   ଯଦି  ଆକ୍ଷେପ   ବା  ଫିଟ୍ସ  ହୁଏ  ତାହାହେଲେ  ଏହା  ହିଁ  ଔଷଧ  (ପେଟମରାକୁ   କଲୋସିନ୍ଥ) ।

ଚେଲିଡୋନିୟମ

ଯକୃତ   ଉପରେ  କାର୍ଯ୍ୟ  କରୁଥିବା  ଏକ ଶକ୍ତିଶାଳୀ   ଔଷଧ   । ଏହାକୁ  ଲିଭର  ଟନିକ   କହିଲେ  ଅତ୍ୟୁକ୍ତି  ହେବନାହିଁ   । ବାର’ଣା   କାମଳରୋଗ   ପ୍ରାୟ  ଏହି  ଔଷଧରେ  ଭଲ  ହୋଇଥା’ନ୍ତି   । ପରିସ୍ରା,  ଆଖି,  ଜିଭ,  ଟିପ,  ନଖ  ସବୁ  ହଳଦିଆ,  ଝାଡାର  ରଙ୍ଗ  ସଫା   ବା  ଗାଢ  ହଳଦିଆ  ବର୍ଣ୍ଣର,  ଡାହାଣ  ଉପର  ପେଟରୁ  ବ୍ୟଥା  ପିଠିଆଡକୁ  ଡାହାଣ   ଅଂଶଫଳକର  ନିମ୍ନାଂଶକୁ   ମାରିମାରି   ଦେବା ହେଉଛି   ଏହାର  ନିର୍ଣ୍ଣାୟକ   ଲକ୍ଷଣ   । ଜଣ୍ଡିସ  ସହିତ  ନିମୋନିୟା, ଯଦି  ଡାହାଣପଟ   ଫୁସଫୁସ  ଆକ୍ରାନ୍ତ  ହୋଇଥାଏ , ତେବେ  ଚେଲିଡୋନିୟମରେ  ଆରୋଗ୍ୟ   ହେବା  ନିଶ୍ଚିତ   । କୋଷ୍ଠକାଠିନ୍ୟ   ମଧ୍ୟ  ଏହାର  ଏକ  ପ୍ରମୁଖ  ଲକ୍ଷଣ   । ଝାଡା  ଖୁବ୍  କଠିନ  ଓ  ଗୁଳିଗୁଳି  ।

ଚାଇନା

ଏହା  ମୁଖ୍ୟତଃ  ବାୟୁରୋଗ   ଓ  ବଦହଜମୀ  ପାଇଁ  ବ୍ୟବହୃତ   ହେଉଥିଲେ  ମଧ୍ୟ,  ଶରୀରର  ଯାବତୀୟ   ରସର  କ୍ଷରଣ   ହେତୁ  ଦୁର୍ବଳତା   ପାଇଁ  ଏହାର  ଏକାନ୍ତ  ପ୍ରୟୋଜନ  ଅଛି   । ଦୁର୍ବଳତା  ସହିତ  କାନମୁଣ୍ଡା ଭାଁ  ଭାଁ   କରିବା  ଏହାର  ପଡିଚାୟକ   ଲକ୍ଷଣ   । ଅଜୀର୍ଣ୍ଣ  ବା  ବଦହଜମିରେ   ଯଦି  ତରଳ  ଝାଡାରେ   ଖଣ୍ଡ  ଖଣ୍ଡ  ହୋଇ  ଖାଇଥିବା   ପଦାର୍ଥ  ପଡୁଥିବ  ଓ  ରାତିଅଧିଆ   ଝାଡା  ହେଉଥିବ   ତାହାହେଲେ  ଏହା  ନିର୍ଦ୍ଧିଷ୍ଟ   । କଥିତ  ଅଛି  “ଚାଇନାର  ଝାଡା  ଦିନରେ  ନାହିଁ  କି  ଏହାର  ଜ୍ଵର  ରାତିରେ  ନାହିଁ ”  । ବାୟୁଶୂଳ   ବା  ପିତ୍ତଶୂଳ  ରୋଗରେ  ମଧ୍ୟ  ଏହାର  ଉପାଦେୟତା   ରହିଛି   । ପେଟ  ଉପରେ  ଯଥେଷ୍ଟ  ସ୍ପର୍ଶକାତରତା   ରହିଥିଲେ   ମଧ୍ୟ  ପେଟ  ମାରିଲାଭଳି  ଯଦି  ଖୁବ୍  ଟାଣ  ଚାପଦ୍ଵାରା  ରୋଗୀ  ଆରାମ  ପାଉଥିବ  ତାହାହେଲେ  ଏହା  ହିଁ  ଉପଯୋଗୀ   । ଏପରିକି   ପେଟ  ଉପରେ  କାହାକୁ  ଠିଆ  କରି  ରଖିବାକୁ   ମଧ୍ୟ  ରୋଗୀ   ଚାହିଁଥା’ନ୍ତି   । ପେଟସାରା   ବାୟୁ  ଭର୍ତ୍ତି   ହୋଇ  ରହିଥିଲେ  ମଦ୍ୟ  ବାୟୁନିଃସରଣ  ବା  ହାକୁଟିରେ  ତାହାର  ଉପଶମ  ହୋଇ  ନ ଥାଏ,  ବରଂ  କଷ୍ଟ  ବଢିଯାଏ   ।

ସିମିସିଫ୍ୟୁଗା

ଏହା  ମଧ୍ୟ  ଗର୍ଭଧାରିଣୀ  ମା’ ମାନଙ୍କର  ଏକ  ପ୍ରଧାନ  ଔଷଧ   । ଗର୍ଭାବସ୍ଥାର  ଶେଷ  ମାସରେ  ଏହାର  ପ୍ରୟୋଗ  ପ୍ରସବବେଦନାକୁ  ସ୍ଵାଭାବିକ   କରାଇ  ଆଶୁପ୍ରସବ  କରାଇବାରେ   ସାହାଯ୍ୟ  କରିଥାଏ   । ଗର୍ଭାବସ୍ଥାରେ  ଆକ୍ଷେପ  ପାଇଁ  ମଧ୍ୟ  ଏହା  ବେଶ୍  ଫଳପ୍ରଦ   ଔଷଧ   । ରୋଗୀ  ବସିଥିବା  ଅବସ୍ଥାରେ  ମନେକରି   ଗୋଟିଏ  ଚୁଚୁନ୍ଦ୍ରା  ବା  ମୂଷା   ଚଢିଯାଇଛି  ଓ ତା’ପରେ  ପରେ  ଫିଟ୍ସ  ହୁଏ   । ଋତୁ   ସମୟରେ  ମାନସାଇକ  ବିକୃତି,  ବିଶେଷ  କରି  ମନଭିତରେ  “କଳାମେଘ  ଘୋଟି ରହିଛି” , ଏପରି  ବୋଧହେବା  ଏହାର  ପରିଚାୟକ   ଲକ୍ଷଣ   । ପ୍ରସବ  ବେଦନା  ସହିତ  ଦେହ  କମ୍ପିଉଠିବା,  ପେଟରେ  ବ୍ୟଥା  ଆଡବାଗରେ  ହେବା   ଲକ୍ଷଣରେ  ଏହା  ପ୍ରୟୋଗ  କରାଯାଏ  ସ୍ଵାଭାବିକ  ପ୍ରସବ  ବେଦନା  ପାଇଁ   । ବାତରୋଗଗ୍ରସ୍ତ   ସ୍ତ୍ରୀଲୋକମାନଙ୍କର  ବାଧକ  ଯନ୍ତ୍ରଣାରେ  ଏହା  ସୁଫଳ  ପ୍ରଦାନ  କରେ  ଯଦି  ରକ୍ତସ୍ରାବର  ମାତ୍ରା   ସହିତ  “ଯେତେ  ଅଧିକ  ସ୍ରାବ  ସେତେ  ଅଧିକ  ବ୍ୟଥା”  ଲକ୍ଷଣଟି  ଥାଏ   ।

ସିନା

କୃମି  ନାଁ  ଶୁଣିଲେ  ହିଁ  ସମସ୍ତେ  ସିନା  କଥା  ଚିନ୍ତା  କରିଥାଆନ୍ତି   । ଏହା  ସ୍ଵାଭାବିକ,  କାରଣ  କୃମିଜନିତ   ପ୍ରାୟ  ଅଧିକାଂଶ  ଉପସର୍ଗରେ  ସିନାର  ନିର୍ଦ୍ଦେଶକ  ଲକ୍ଷଣ  ଭରି   ରହିଛି   । ନାକ  କୁଣ୍ଡଇ  ହେବା,  ନାକଭିତରେ  ଆଙ୍ଗୁଠି  ଭରିବା,  ଶୋଇଲାବେଳେ  ଦାନ୍ତ  ରଗଡିବା, ସବୁବେଳେ   ଚିଡିଚିଡି  ହେବା,  ଚୂନପାଣି  ଭଳି  ଧଳା  ପରିସ୍ରା  ହେବା, ଅତ୍ୟନ୍ତ  କ୍ଷୁଧା  ବା  ସମ୍ପୂର୍ଣ୍ଣ   ଅରୁଚି,  ସଦାସର୍ବଦା  ପଚପଚ୍  କରି  ଛେପ  ପକାଇବା  ବା  ପାଟିରେ  ଛେପ  ଭରଭର  କରିବା  ସବୁବେଳେ  ଖିଟିଖିଟି  ହେବା  ଏହାର  ଲକ୍ଷଣ   । ଏ  ଲକ୍ଷଣରୁ   କିଛିଥିଲେ,  ଯେ  କୌଣସି  ରୋଗରେ  ମଧ୍ୟ  ସିନାର   ବ୍ୟବହାର   ସଫଳଭାବରେ   କରାଯାଇ  ପାରିବ   ।

କଫିଆ

ମାନସିକ   ଉତ୍ତେଜନାଜନିତ   ନିଦ୍ରାହୀନତା,  ବିଶେଷକରି   ଅତିଶୟ  ଚିନ୍ତା,  ଆନନ୍ଦ  ଉଲ୍ଲାସଜନିତ   କାରଣର  ଉପସର୍ଗଭାବରେ   ଏହା  ଦେଖାଗଲେ,  କଫିଆ  ଦ୍ଵାରା  ତୁରନ୍ତ   ଉପକାର  ମିଳେ   । ଏହା  ମଧ୍ୟ  ଦନ୍ତଶୂଳ   ବ୍ୟଥାର  ଏକ  ଉତ୍କୃଷ୍ଟ   ଔଷଧ   ଯଦି  ଖୁବ୍  ଥଣ୍ଡାପାଣି   ପାଟିରେ  ଧରି   ରଖିଲେ   ତାହା  ଉପଶମ  ହେଉଥାଏ  । ପାଣି  ପାଟି  ଭିତରେ  ଗରମ  ହେବ  ସଙ୍ଗେ  ସଙ୍ଗେ  ବ୍ୟଥା  ପୁଣି  ବଢିଯାଏ   । ସାଂଘାତିକ  ମୁଣ୍ଡବ୍ୟଥା,  ଫାଟି  ପଡିଲାଭଳି  ଲାଗୁଥିବ  ଓ  ଖୋଲାପବନରେ  ତାହା  ଉପଶମ  ହେଉଥିବ,  ତାହାହେଲେ,  କଫିଆ  କଥା  ଥରେ  ଚିନ୍ତା  କରିବାର  କଥା ;  ବେଲାଡୋନା,  ଗ୍ଲୋନୋୟନ  ଇତ୍ୟାଦି  ଖାଇ  ଫେଲ୍  ମାରିଥିଲେ   ।

କୋଲାସିନ୍ଥ

ଏହାର   ବ୍ୟବହାର  ସାଧାରଣତଃ  ପେଟମରା  ଓ  ସାଇଟିକା  ବ୍ୟଥାପାଇଁ   ହୋଇଥାଏ   । ଏହାର  କିନ୍ତୁ  ସବୁପ୍ରକାର  ବ୍ୟଥା  ଜୋରଦାର  ଚାପଦ୍ୱାରା  ଚାପଦ୍ଵାରା  ଉପଶମ   ହୋଇଥାଏ   । ପେଟମରା  ପାଇଁ  ରୋଗୀ  ହାତଦେଇ  ପୂରାପୂରି  ସାମ୍ନାକୁ   ବାଙ୍କିଯାଏ  ବା  ପେଟତଳ   ମୁଚୁଳା  ଆଦି  ଦେଇ  ଶୋଇପଡେ,  ଅଥବା  ଟେବୁଲ  ବା  ଖଟର  କୋଣରେ  ଚାପିଧରି  ରହେ   । ଅତିଶୟ  କ୍ରୋଧର   କାରଣରୁ   ଯଦି  ସ୍ନାୟବିକ   ଯନ୍ତ୍ରଣା  ଆରମ୍ଭ  ହୁଏ  ଓ  ତାହା  ଏହିଭଳି  ଶକ୍ତ   ଚାପରେ   କିଛି  ଉପଶମ   ଲାଭ  କରେ ,  ତାହାହେଲେ  ଏହା  ଏକ  ନିଶ୍ଚିତ   ଔଷଧ   । ନାଳଶୂଳା   ଝାଡା,  ବାଧକ  ଯନ୍ତ୍ରଣା  ସବୁଥିରେ   ଉପଯୁକ୍ତ  ଚିତ୍ର  ହିଁ  କୋଲୋସିନ୍ଥକୁ  ନିର୍ଦ୍ଦେଶ  କରିଥାଏ   । ସାଇଟିକା  ରୋଗରେ  ମଧ୍ୟ  ଉପଶମ  ପାଇଁ  ଗୋଡଟିକୁ   ଖୁବ୍  ଜୋରରେ  ଚିପିଧରେ  ବା  ରଶିଦେଇ   ବାନ୍ଧିପକାଏ   । ବ୍ୟଥା  ସହିତ  ବା  ବ୍ୟଥା  ପରେ  ପରେ  ଆକ୍ରାନ୍ତ  ସ୍ଥାନଟି  ବଧିରା  ଅନୁଭବ  କରିବା  କୋଲୋସନ୍ଥିର  ଏକ  ବିଶେଷ  ଲକ୍ଷଣ    ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate