অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମେଟେରିଆ ମେଡିକା -ଭାଗ ୫

ହାମାମେଲିସ

ରକ୍ତଶିରାକୁ  ଆକ୍ରାନ୍ତ   କରିବା  ଏହାର  ମୁଖ୍ୟ  କାର୍ଯ୍ୟ   । ଶିରାରୁ  ରକ୍ତ  ବୋହିବା,  ଶିରାର   ସଙ୍କୋଚନ  ଓ  ସ୍ଫୀତି, ଅର୍ଶବଳି   ସୃଷ୍ଟି  କରିବାର  ଶକ୍ତି  ଏହାର  ଥିବାରୁ,  ଏ  ସବୁଥିରେ  ଏହାର  ବ୍ୟବହାର ଖୁବ୍  ବେଶି   । ଏ  ସବୁକ୍ଷେତ୍ରରେ   ଆକ୍ରାନ୍ତ  ଅଂଶ  ଖୁବ୍  ଦରଜ  ହୋଇଥାଏ  ଓ  ପୀଡା  ସବୁସମୟରେ  ଲାଗି  ରହିଥାଏ   । ଏହା  ଶିରା   ଉପରେ  କାର୍ଯ୍ୟ  କରୁଥିବାରୁ   ଏହାର  ରକ୍ତ  କଳା  ଓ  ସ୍ରାବ  ଧୀର  ଓ  ମନ୍ଥର   । ଯେ  କୌଣସି  ଅଙ୍ଗରୁ   ରକ୍ତସ୍ରାବ  ହେଉଥିଲେ  ଏହାକୁ  ପ୍ରଥମେ   ଚିନ୍ତା  କରାଯାଇଥାଏ   । ଆଘାତଜନିତ  ହୋଇଥିଲେ  ଆର୍ଣ୍ଣିକା  ପଛକୁ   ଏହାର  ବ୍ୟବହାର  ହୁଏ   ।

ହିପାର  ସଲ୍ଫ

ଶର୍ଦ୍ଦିପ୍ରବଣ,  ଶୀତକାତର  ଓ  ସ୍ପର୍ଶକାତର  ଲୋକମାନଙ୍କର  ଅତ୍ୟନ୍ତ  ବ୍ୟଥାଯୁକ୍ତ  ଉଦ୍ଭେଦ  (କାଛୁଠାରୁ  ଆରମ୍ଭକରି  ବଥ ପର୍ଯ୍ୟନ୍ତ) ଓ  କାଶ  କଫ  ପାଇଁ  ଏହା  ବିଶେଷଭାବରେ  ବ୍ୟବହୃତ   ହୋଇଥାଏ   । ସାମାନ୍ୟ  ଥଣ୍ଡା   ପବନ  ବାଜିଲେ  କାଶ  ବଢିବା, ଗଳା  ବ୍ୟଥା  କରିବା,  ସବୁବେଳେ   ଗରମ  ପରିବେଶ   ଚାହିଁବା  ଓ  ଗରମରେ  ସବୁକଷ୍ଟର  ଉପଶମ  ହେବା,  ସାମାନ୍ୟ  ଖଣ୍ଡିଆରେ  ପୂଜା  ହୋଇ  ଯନ୍ତ୍ରଣାଦେବା  ଏହି  ଔଷଧର  ଗୁଣ   । ଦେହରୁ  ଆମବିଲା  ଗନ୍ଧର  ଝାଳ  ବୋହିବା,  ହଳଦିଆ  ବା  ଧଳା  ରଙ୍ଗର  ଆମ୍ବିଳି  ଗନ୍ଧରା  ଝାଡା,  ଉପଯୁକ୍ତ  ଧାତୁଗତ  ଲକ୍ଷଣବିଶିଷ୍ଟ  ରୋଗୀଙ୍କର  ଉଦରାମୟରେ  ରିଉମ  ଠାରୁ  ଏହା  ବେଶି  ଭଲ  କାମ  କରେ   ।

ଇଗ୍ନେସିଆ

ଅତ୍ୟନ୍ତ  ଭାବପ୍ରବଣତା  ଓ ଦାରୁଣ  ଶୋକରୁ  ମୂର୍ଚ୍ଛା  ହୋଇ  ଯାଉଥିଲେ  ଏହା  ଖୁବ୍  ଉପକାର  ଦିଏ   । ଏହାର  ରୋଗ,  ଶୋକ  ଓ  ଦୁଃଖରୁ  ଜାତ  ଏବଂ  ରୋଗୀ  ସର୍ବଦା  ଦୁଃଖ  ଓ  ବିମର୍ଷତାକୁ  ସାଥି  କରି  କଷ୍ଟ  ଭୋଗ  କରିଥାଏ   । ଏହାର  ମୁଖ୍ୟ  ପରିଚାୟକ  ଲକ୍ଷଣ  ହେଲା,  ମନେମନେ  କାନ୍ଦିବା ଓ ମଝିରେ  ମଝିରେ   ଦୀର୍ଘାନିଃଶ୍ଵାସ  ଛାଡିବା   । ଏହାର  ଚରିତ୍ର  ହେଉଛି  ନାନା  ପ୍ରକାରର  ବିରୋଧାତ୍ମକ  ଲକ୍ଷଣ  ସୃଷ୍ଟି  କରିବା   । ଯଥା : ହସିବା   ସ୍ଥାନରେ  କାନ୍ଦିବା,  କାନ୍ଦିବା  ଯାଗାରେ  ହସିବା,  ଖରାରେ  ବା  ଯେତେ  ଉତ୍ତାପରେ  ବସିଲେ  ମଧ୍ୟ  ଶୀତ ବା  କମ୍ପ  ପ୍ରଶମିତ  ନ ହେବା,  ଯେତେ  ଖାଇଲେ  ମଧ୍ୟ  ପେଟ  ଖାଲି  ଖାଲି  ଲାଗିବା,  ଯେତେ  କାଶିଲେ  ମଧ୍ୟ  କାଶ  କମିବା  ପରିବର୍ତ୍ତେ  ବଢି  ଚାଲେ,  ମାତ୍ର  ଇଚ୍ଛାକରି  ଦମନ  କଲେ  ବନ୍ଦ  ହୋଇଯାଏ ; ଜ୍ଵରାବସ୍ଥାରେ  ଶୋଷ ନ ହୋଇ  କମ୍ପବେଳେ  ଖୁବ୍  ଥଣ୍ଡାପାଣି  ପିଇବାକୁ  ଚାହିଁବା,  ଇତ୍ୟାଦି   । ତେଣୁ  ଯେଉଁଠାରେ  ଏପରି  ବିରୋଧାଭାସ  ସେଠି  ଇଗ୍ନେସିୟାର  ପ୍ରୟୋଗ  କ୍ଷେତ୍ର  ବୋଲି  ଜାଣିବେ  ।

ଇପିକାକ

ଲଗାତାର  ଅଇ ବା  ବାନ୍ତିଭାବ  ଲାଗି  ରହିବା  ବା  ଯେ  କୌଣସି  କଷ୍ଟ  ସହିତ  ଦେହ  ବୁଲାଇହୋଇ  ବାନ୍ତିବାନ୍ତି  ଲାଗିବା  ଏହାର  ପରିଚାୟକ  ଲକ୍ଷଣ   । ଏହା  ସହିତ  ତୃଷାହୀନତା  ପିଲାଙ୍କର  ସବୁଜ  ନାଳ  ଝାଡା  ପାଇଁ,ଓ ଗାଢ  ଲାଲ  ବର୍ଣ୍ଣର  ରକ୍ତସ୍ରାବ  ପାଇଁ  ବିଶେଷଭାବରେ  ହୁଏ   । ଅବଶ୍ୟ  ଏ  ସବୁ  କ୍ଷେତ୍ରରେ  ଏହାର  ଉପଯୁକ୍ତ  ନିର୍ଦ୍ଦେଶାତ୍ମକ  ଲକ୍ଷଣମାନ  ରହିଥିବା  ଆବଶ୍ୟକ   । ଶ୍ଵାସଯନ୍ତ୍ରର  ପୀଡାରେ  ଖୁବ୍  ଜ୍ଵର  ସହିତ  ତୃଷାହୀନତା  ସାଙ୍ଗକୁ   ପରିଷ୍କାର  ଜିଭ  ଯେ  ନିଶ୍ଚିତଭାବରେ  ରହିବ,  ଏ  କଥା  ଯେପରି  ସତ୍ୟ,  ସେହିପରି  ବୁକୁ   ଭିତରେ  ଶ୍ଲେଷ୍ମା  ଭର୍ତ୍ତି  ହୋଇ , ଯେତେ  କାଶିରେ  ମଧ୍ୟ  କଫ  ନ ବାହାରିବା  ଠିକ  ସେହିପରି  ଏକ  ନିଶ୍ଚିତ  ଲକ୍ଷଣ   । ପ୍ରସବ  ବେଦନାରେ  ଶୂଳ  ଆଡବାଗିଆ   ହୋଇ  ଆସୁଥିଲେ  ବା  ବିଳମ୍ବିତ  ବେଦନାରେ  ଯଦି  ପ୍ରତ୍ୟକ  ଶୂଳ  ସହିତ  ପ୍ରସବିନୀଙ୍କ  ସାଘାଂତିକ   ଅଇ  ଆସୁଥିବ,  ତାହାହେଲେ  ଏହା ହିଁ  ଠିକଣା  ଔଷଧ  ।

ଲ୍ୟାକେସିସ୍

ଘଣ୍ଟିକା, ଟନସିଲ୍ ବିବୃଦ୍ଧି, ଉଚ୍ଚ  ରକ୍ତଚାପ, ଡିପଥେରିଆ,  ପକ୍ଷାଘାତ, ହୃଦରୋଗ   ରଜନିବୃତ୍ତି  ସମୟର  ନାନା  ଉପସର୍ଗ  ଓ  ବହୁ  ମାନସିକ   ରୋଗର  ଏହା   ଏକ  ପ୍ରସିଦ୍ଧ  ଔଷଧ   । ଅତ୍ୟନ୍ତ   ସ୍ପର୍ଶକାତର,  ଗରମକାତର,  ବାଚାଳ  ଲୋକଙ୍କ  ପକ୍ଷରେ  ଏହା  ଅମୃତଭଳି   କାର୍ଯ୍ୟ  କରେ   । ଏହାର  ରୋଗୀ   ଗଳା  ବା  ବାମ  ଅଙ୍ଗରେ  ରୋଗର  ଉତ୍ପତ୍ତି ; ନିଦ୍ରା   ସମୟରେ  ବା  ନିଦ୍ରାନ୍ତେ  ରୋଗର  ବୃଦ୍ଧି, ଆକ୍ରାନ୍ତ  ଅଙ୍ଗରେ  ଅତିଶୟ   ସ୍ପର୍ଶକାତରତା, ବାଚାଳତା,  ଯେ  କୌଣସି  ସ୍ରାବ  ପରେ  ରୋଗୀର   ଉପଶମ  ଅନୁଭବ  କରିବା, ଦେହର   ବିଭିନ୍ନ  ଅଂଶରେ  ହୁତାଶ  ବାହାରିବା  ଏହାର  ନିର୍ଣ୍ଣାୟକ   ଲକ୍ଷଣ   । ଗଳାର  ପୀଡାରେ  ଶାକ୍ତ  ବା  ଟାଣ  ଜିନିଷ  ଖାଇବାରେ  ଅସୁବିଧା  ନ ହେଉଥିଲେ  ବି  ତରଳ  ଖାଦ୍ୟ  ଖାଇଲାବେଳେ  ଗଳରୋଧ   ହୋଇଯିବା  ଏକ  ମୁଖ୍ୟ   ପରିଚାୟକ  ଲକ୍ଷଣ  ଏହାର  ପ୍ରୟୋଗ  ପାଇଁ   । ସାପଭଳି  ଜିଭ  ବାହାର  କରିବା  ଏହାର  ଏକ  ପରିଚାୟକ  ଲକ୍ଷଣ   ।

ଲିଡମ

କୌଣସି  ତୀକ୍ଷ୍ନ,  ମୁନିଆ  ଯନ୍ତ୍ରଦ୍ଵାରା  କ୍ଷତ  ହେବା  ପରେ  ଏହାର  ବ୍ୟବହାର  ଧନୁଷ୍ଟଙ୍କାର  ବାତ  ହେବାର  ସମ୍ଭାବନାକୁ   ଦୂର  କରିଦିଏ   । ଏହାର  କ୍ଷତସ୍ଥାନ  ହାତକୁ   ଥଣ୍ଡାଲାଗେ   ଅଥଚ  ସେକରେ  ଉପଶମ  ନ ହୋଇ  ଥଣ୍ଡାପାଣି,  ଏପରିକି   ବରଫା  ଘଷିଲେ   ଆରାମ  ମିଳେ   । ଏହି  ଲକ୍ଷଣରେ  ଏହା  ଗଣ୍ଠିବାତ,  ଗାଉଟି   ଇତ୍ୟାଦି  ବାତରୋଗରେ  ଅମୋଘ  ଔଷଧଭଳି  କାର୍ଯ୍ୟ  କରେ  ।  ଆଖିରେ  ମାଡହୋଇ  କଳା  ପଡିଯାଇଥିଲେ   ଆର୍ଣ୍ଣିକା  ପରେ  ଏହା  ଭଲ  କାମ  କରେ   । ଏହାପରେ  ଯଦି  ଦରଜ  କିଛି  ପରିମାଣରେ   ରହିଥାଏ   ତାହାହେଲେ  ରୁଟା   ବ୍ୟବହାର   କରାଯାଇପାରେ   ।

ଲାଇକୋପୋଡିୟାମ

ଯକୃତସମ୍ପର୍କିତ   ଯାବତୀୟ   ପୀଡାରେ  ଏହା  ବିଶେଷ   ପ୍ରୟୋଜନ   । ଅମ୍ଳଦୋଷ   ଥାଇ, ଅଜୀର୍ଣ୍ଣ  ଓ ବାୟୁ  ରୋଗରେ   ଏହା  ବିଶେଷ  ଉପକାରୀ   । ଖୁବ୍  ବୁଦ୍ଧିମାନ  ଅଥଚ  ଭୟାଳୁ  ଓ  ଶୀର୍ଣ୍ଣ   ଅବୟବର  ଲୋକେ,  ପୁରାତନ  ପେଟରୋଗ   ଭୋଗୁଥିଲେ   ଏହାର  କଥା  ଆଗ  ଚିନ୍ତା  କରିବେ   । ଏହାର  ରୋଗୀ  ଗରମ  ଖାଦ୍ୟ,  ପାନୀୟ  ଓ  ମିଠା  ଖାଇବାକୁ  ବିଶେଷ   ଆଗ୍ରହୀ  ।  ଲାକେସିସ୍ ର   ଯେପରି  ବାମପଟରେ  ରୋଗର  ଉତ୍ପତ୍ତି  ବା  ଆଧିକ୍ୟ  ଦେଖାଯାଏ,  ସେହିଭଳି   ଯଦି  ଡାହାଣ  ପଟରେ ହେଉଥାଏ  ତାହାହେଲେ   ଲାଇକୋପୋଡିୟାମ  ଲାଗିବ  । ଏହି  ବାୟୁକାରକ  ଔଷଧର  ବାୟୁ   ତଳପେଟରେ  ବେସୀ  ସଞ୍ଚୟ  ହୁଏ  ତାହାର  ଅଧଃ  ନିଃସରଣରେ  ସାମାନ୍ଯ   ଉପଶମ  ହୁଏ,  ଅଥଚ  ହାକୁଟିରେ  ତାହା  ହୁଏ  ନାହିଁ  । ଏହାର  ପରିସ୍ରାରେ   ଲାଲ   ଇଟାଗୁଣ୍ଡଭଳି   ଗୁଣ୍ଡ   ବସିଯାଏ   । ଅପରାହ୍ନ   ଚାରିଟାରୁ   ରାତ୍ର   ଆଠଟା   ପର୍ଯ୍ୟନ୍ତ   ଲକ୍ଷଣମାନଙ୍କର   ବୃଦ୍ଧିଘଟିବା   ଲାଇକୋର   ପରିଚାୟକ  । ଲାଇକୋର  ମଧ୍ୟ  ନିଦ୍ରାନ୍ତେ   ବୃଦ୍ଧି   ରହିଛି   । ବିଶେଷଭାବରେ  ନିଦରୁ  ଉଠିବାରେ  ଖୁବ୍  ବିରକ୍ତ   ହେବା  ବା  ଚିଡିଚିଡି  ହେବା   ଏହି  ଔଷଧର  ଲକ୍ଷଣ   । ପିଲା  ନିଦରୁ   ଉଠିବାବେଳେ   ଯାହାକୁ  ପାଖରେ   ପାଇବ  ବିଧା  ଗୋଇଠା  ମାରି  ନୟାନ୍ତ   କରିପକାଇବ  । ଛୋଟ  ଛୁଆ   ଯଦି  ଦିନସାରା  କାନ୍ଦୁଥିବ   ଅଥଚ  ରାତି  ହେଲେ  ଚୁପଚାପ୍  ଶୋଇଯାଉଥିବ  ତାହାହେଲେ   ଏହା  ଅମୋଘ   । (ଏହାର   ବିପରୀତ  ଜଲାପା  ଓ  ସୋରିନାମ)  ।

ମ୍ୟାଗ୍ନେସିଆ  ଫସ୍

ଏହା  ସର୍ବପ୍ରକାରର   ବ୍ୟଥା  ବେଦନା  ପାଇଁ  ଏକ  ପ୍ରଥମ  ଶ୍ରେଣୀୟ  ଔଷଧ   ହେଲେ  ମଧ୍ୟ  ଆକ୍ଷେପଯୁକ୍ତ  ବ୍ୟଥାରେ  ହିଁ  ଏହା  ସୁଫଳ   ଦେଇଥାଏ   । ଅଳ୍ପକ୍ଷଣ  ସ୍ଥାୟୀ   ବେଦନା  ହଠାତ୍  ଆସି  ହଠାତ୍  ଚାଲି   ଯାଉଥିଲେ   ଓ  ଆକରାଟ  ସ୍ଥାନ  ଖୁବ୍  ଦରଜ  ଥିଲେ,  ସାମାନ୍ୟ   ଚାପ  ଓ  ଉତ୍ତାପ  ପ୍ରୟୋଗରେ   ଉପଶମ  ଅନୁଭବ  କରୁଥିଲେ  ଏହାର  ପ୍ରୟୋଗ  ନିର୍ଦ୍ଧିଷ୍ଟ  ହୋଇଥାଏ   ।

ମେଡୋରିନାମ

ଏହା  ପ୍ରମେହ  ଦୋଷଦୁଷ୍ଟ  ହେତୁ  ବା  ତତଜନିତ  ବଂଶୀୟ   ଦୋଷରୁ  ଜାତ  ନାନା  ଉପସର୍ଗ,   ବିଶେଷକରି  ଶ୍ଵାସ  ଓ  ବାତରେ   ବ୍ୟବହାର  ହୋଇଥାଏ   । ଏହାର  ସମସ୍ତ  କଷ୍ଟ  “ସୂର୍ଯ୍ୟଦୋୟ  ଠାରୁ  ସୂର୍ଯ୍ୟାସ୍ତ  ପର୍ଯ୍ୟନ୍ତ”  ବୃଦ୍ଧି  ଘଟିଥାଏ  । ତଥାପି  ରାତିରେ  ଗୋଡବିନ୍ଧା   ହେବା  ଏହାର  ଏକ  ପ୍ରମୁଖ  ଲକ୍ଷଣ   । ଯେ  କୌଣସି    ରୋଗରେ  ହାମୁଡାଇ   ଶୋଇବାର   ଲକ୍ଷଣ   ବିଶେଷ  ପ୍ରଣିଧାନର  ଯୋଗ୍ୟ   ।

ମର୍କସଲ

ଏହା  ବିଶେଷକରି  ନାଳରକ୍ତ   ଝାଡା  ଓ  ବିଭିନ୍ନ  ଘା’ଘଉଡରେ   ବ୍ୟବହାର   ହୋଇଥାଏ    । ଉପଦଂଶ   ଦୋଷଦୁଷ୍ଟ  ରୋଗ  ତଥା  ଉପସର୍ଗମାନଙ୍କରେ  ଏହାର  ବ୍ୟବହାର   ମୁଖ୍ୟତଃ  ଦୋଷଘ୍ନଭାବରେ   । ବଥ  ପଚାଇ   ଶୁଖାଇ  ଦେବାରେ  ଏହାର   ଅସୀମ   କ୍ଷମତା    । ଯେଉଁ  ବଥ   ପାଚ୍ୟ  ଲାଲ୍  ହୋଇଯାଇଥିବ,  ତା  ଭିତରେ   ସିରିସିରି  କରୁଥିବ  ଓ  ତାହାଉପରେ   ବାରମ୍ବାର  ସାଉଁଳିବାକୁ   ଇଚ୍ଛା  କରୁଥିବ  ସେ  କ୍ଷେତ୍ରରେ  ଏହାର  ବ୍ୟବହାର  ବଥକୁ  ଫଟାଇ   ଶୁଖାଇ  ଦିଏ   । କାଛୁ  କୁଣ୍ଡିଆରେ  ରାତିରେ  ଦେହ  ବେଶି   କୁଣ୍ଡାଇ  ହେଉଥିଲେ   ଓ  ବିନ୍ଧାବିନ୍ଧି   କରୁଥିଲେ  ଏହା  ବ୍ୟବହାର  କରିବାର  କଥା  । ଆମାଶୟ   ରୋଗରେ   ନାଳରକ୍ତ  ସହିତ  ଅତ୍ୟଧିକ  ଶୂଳ  ବା  କୁନ୍ଥା  ଥାଇ  ରୋଗୀ  ପାଇଖାନାରୁ   ଉଠିବାକୁ  ଇଚ୍ଛା  କରେ  ନାହିଁ  । ରାତିରେ  ଏହାର  ପ୍ରକୋପ  ବେଶି   । ଏହାର  ଜିଭ  ମୋଟା  ଓ  ଧାରରେ   ଦାନ୍ତର  ଗଭୀର   ଦାଗ  ରହିଥାଏ   । ଶୋଇବା   ସମୟରେ  ପାଟିରୁ  ଲାଳ  ଗଡିବା  ଓ  ଅତ୍ୟଧିକ  ତୃଷା   ଏହାର  ଗୁଣଗତ   ଲକ୍ଷଣ  । ଜ୍ଵର  ସମୟରେ   ଯଦି  ଅତ୍ୟଧିକ  ଝାଳ  ସହିତ  ଜ୍ଵରର  କୌଣସି  ଉପଶମ  ହେଉ  ନ ଥିବ,   ତାହାହେଲେ  ମର୍କସଲରେ  ହିଁ  ସେ  ଜ୍ଵର   ଭଲ  ହେବ   । ରାତିରେ   ରୋଗ  ଲକ୍ଷଣ  ବୃଦ୍ଧି  ଏହାର  ଏକ  ପରିଚାୟକ   ଲକ୍ଷଣ   ।

ମେଜେରିୟମ

ଏହା  ମଧ୍ୟ  କାଛୁ  କୁଣ୍ଡିଆ,  ବିଇଞ୍ଚି,  ବଡା  ଓ  ଅନ୍ୟାନ୍ୟ   ଚର୍ମରୋଗ  ପାଇଁ  ଏକ  କାମିକା  ଔଷଧ   । ଚର୍ମରୋଗରେ  ଘା’ସବୁ   ଏକାଠି   ଲାଗିଯାଇ   ମୋଟା  ଖୋଲାପି   ବାନ୍ଧିଯାଉଥିଲେ  ଓ  ତା’ ତଳେ  ବହଳିଆ  ପୂଜା  ଜମୁଥିଲେ  ଏହା  ଉପଯୋଗୀ  । ହର୍ପିସ  ରୋଗ  ପରେ  ସ୍ନାୟୁ   ବ୍ୟଥା   ଲାଗି  ରହିଲେ  ତାହା  ଭଲ  କରିବା  ପାଇଁ  ମେଜେରିୟମ  ଏକ  ଶକ୍ତିଶାଳୀ   ଔଷଧ   । ପୋକଖିଆ  ଦାନ୍ତ, ଦାନ୍ତ   ଓପଡାରେ  ଦାନ୍ତ  ଓ  ମୁହଁର  ସ୍ନାୟୁ   ବ୍ୟଥାପାଇଁ  ଏହା  ଖୁବ୍  ଫଳପ୍ରଦ,   ଯଦି  ମାଢିର   ସାମାନ୍ୟ   ହଲଚଲ୍ ରେ  ଏହା  ବଢୁଥିବ  ଏବଂ  ଉତ୍ତାପ   ପ୍ରୟୋଗଦ୍ଵାରା  ଏହା  ଉପଶମ  ହେଉଥିବ  । ନଳିଗୋଡ   ହାଡର  ପ୍ରଦାହ  ଓ  ବ୍ୟଥା  ପାଇଁ  ମଧ୍ୟ  ଏହା  ଉପକାରୀ    ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 12/27/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate