অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କର୍କଟ ରୋଗ ଜାତ ହେବାର କାରଣ (ବାରମ୍ବାର ଉଠୁଥିବା ପ୍ରଶ୍ନାବଳୀ)

କର୍କଟ ରୋଗ ଜାତ ହେବାର କାରଣ (ବାରମ୍ବାର ଉଠୁଥିବା ପ୍ରଶ୍ନାବଳୀ)

କର୍କଟ ରୋଗ ଜାତ  ହେବାର  କାରଣ  କଅଣ  ?

ସବୁ  ରୋଗପରି  କର୍କଟ  ରୋଗ  ମଧ୍ୟ  ସମସ୍ତଙ୍କୁ  ହୁଏ  ନାହିଁ । ଯେଉଁ ମାନଙ୍କ ଠାରେ   ଏହି  ରୋଗ  ଜାତ ହୁଏ , ସେମାନଙ୍କ ଠାରେ  ଏହା  ଜାତ  ହେବାର  କାରଣ  କଅଣ  ?

ଉତ୍ତର : ପ୍ରଥମରୁ  ଏହା  ଜାଣି  ରଖିବା  ଉଚିତ  ଯେ  କର୍କଟ  ରୋଗ  କାହିଁକି  ହୁଏ, ସେ  ବିଷୟରେ  ଆମକୁ  ଅଳ୍ପ  କିଛି କିଛି ଜଣା । ଅଧିକାଂଶ  କ୍ଷେତ୍ରରେ  ବା  ଅଧିକାଂଶ  ରୋଗୀଙ୍କଠାରେ  ରୋଗର  କାରଣ  ନିର୍ଣ୍ଣୟ  କରିବା  ସମ୍ଭବ  ହୁଏ  ନାହିଁ  । ଅର୍ଥାତ୍  ରୋଗର  କାରଣ  ବିଷୟରେ   ଆମକୁ  ବିଶେଷ  କିଛି  ଜଣାନାହିଁ   । ତେଣୁ  କେତୋଟି  ସମ୍ଭାବ୍ୟ  କାରଣ  ବିଷୟରେ   ହିଁ  ଏଠାରେ   ସୂଚନା  ଦିଆଯିବ ।

ଏହା  ମଧ୍ୟ  ଜାଣି  ରଖିବା  ଆବଶ୍ୟକ  ଯେ  କୌଣସି  ଏକ  ନିର୍ଦ୍ଧିଷ୍ଟ  ରୋଗକୁ  କର୍କଟ  ରୋଗ  ବୋଲି  କୁହାଯାଏ  ନାହିଁ   । କେତେକ  ସମାନ  ଚରିତ୍ର  ବା  ବ୍ୟବହାର  ପ୍ରଦର୍ଶନ  କରୁଥିବା  ରୋଗଗୁଡିକୁ  କର୍କଟ  ରୋଗ  ଗୋଷ୍ଠୀର  ଅନ୍ତର୍ଭୁକ୍ତ  କରାଯାଇଥାଏ  ।

ତେବେ  କର୍କଟ  ରୋଗ  ସୃଷ୍ଟିର  ବିଭିନ୍ନ  କାରଣ  ବିଷୟରେ  ଜାଣିବାପୂର୍ବରୁ  ଯେଉଁ  ଯେଉଁ  କାରକ  ବା  ବିଭାବ  ରୋଗସୃଷ୍ଟି  ପାଇଁ  ଅନୁକୂଳ  ବାତାବରଣ  ଯୋଗାଇଦିଏ  ସେ  ସମ୍ପର୍କରେ  ପ୍ରଥମେ  ଧାରଣା  କରିନେବା  ବାଞ୍ଛନୀୟ   ।

କେଉଁ ସମୟରେ କର୍କଟ ରୋଗ ହେବାର ସମ୍ଭାବନା ରହିଛି ?

ବୟସ

କର୍କଟ  ରୋଗ  ସବୁ  ସମୟରେ  ଜାତ  ହୋଇପାରେ  । ଏପରି  କୌଣସି  ବୟସ  ନାହିଁ, ଯେଉଁ  ବୟସରେ  ରୋଗ  ଆଦ୍ୟୋ ଜାତ  ହୁଏ  ନାହିଁ   । ବାଲ୍ୟାବସ୍ଥାରେ ଠାରୁ  ଆରମ୍ଭ  କରି  ପ୍ରୌଢାବସ୍ଥା  ପର୍ଯ୍ୟନ୍ତ  ଏହି  ରୋଗ   ଦେଖାଯାଏ  । କିନ୍ତୁ  କେଉଁ ପ୍ରକାର  କର୍କଟ  ରୋଗ  କେଉଁ  ବୟସରେ  ହୋଇଥାଏ, ତାହା  ପ୍ରାୟତଃ  ନିର୍ଦ୍ଧାରିତ   । ତେବେ  ସାଧାରଣ   ଭାବରେ   ଦେଖିଲେ  ୫୦ ବର୍ଷ  ବୟସ  ପରେ  ରୋଗ  ଜାତ  ହେବାରେ  ସମ୍ଭାବନା   ଅଧିକ ।

୧୫  ବର୍ଷ  ବୟସରୁ  କମ୍  ପିଲାଙ୍କଠାରେ  ରକ୍ତ  କର୍କଟ  ରୋଗ, ରେଟିନୋବ୍ଲାଷ୍ଟୋମା  ନାମକ   ଚକ୍ଷୁ   କର୍କଟ  ରୋଗ, ନ୍ୟୁରୋବ୍ଲାଷ୍ଟୋମା  ନାମକ  ସ୍ନାୟୁ  କର୍କଟ  ରୋଗ, ଉଇମସ୍  ଟ୍ୟୁମର  ନାମକ  ବୃକକ୍  କର୍କଟ  ରୋଗ, ଅଷ୍ଟିଓସାର୍କୋମା  ନାମକ  ଅସ୍ଥି  କର୍କଟ  ରୋଗ  ଅତି  ସାଧାରଣ   ।

୩୦ ବର୍ଷ  ପରେ  ବୟସ  ପାଖାପାଖିରେ  ପହଞ୍ଚିଗଲା  ପରେ  ମହିଳାମାନଙ୍କଠାରେ  ସ୍ତନ  କର୍କଟ  ରୋଗ, ସର୍ଭିକ୍ସ  କର୍କଟ ରୋଗ, ଯୋନି ଓ  ଡିମ୍ବାଶୟ  କର୍କଟ  ରୋଗର  ଆଶଙ୍କା  ବଢିଯାଏ  ।

କର୍କଟ  ରୋଗ  ସୃଷ୍ଟିକାରୀ  ଉପାଦାନ  ଗୁଡିକ  ସଂସ୍ପର୍ଶରେ  ବହୁ  ବର୍ଷଧରି   ଆସିବା  ଫଳରେ  ଅଧିକାଂଶ  କର୍କଟ  ରୋଗ  ବୟସ୍କ  ବ୍ୟକ୍ତିଙ୍କ ଠାରେ  ପ୍ରକାଶ  ପାଇବା   ସ୍ଵାଭାବିକ   ।

ଲିଙ୍ଗ

ରୋଗୀର  ଳିଙ୍ଗ  ମଧ୍ୟ  ରୋଗସୃଷ୍ଟିକୁ  ପ୍ରଭାବିତ   କରିଥାଏ   । ମହିଳାମାନଙ୍କଠାରେ  ଅଣ୍ଡକୋଷ  ଓ  ପ୍ରୋଷ୍ଟେଟ୍ ଗ୍ରନ୍ଥି  ନ ଥିବାରୁ  ସେମାନେ   ଏହି  ରୋଗରୁ  ମୁକ୍ତ  । ସେହିପରି  ପୁରୁଷମାନେ  ମଧ୍ୟ  ସର୍ଭିକ୍ସ, ଗର୍ଭାଶୟ, ଡିମ୍ବାଶୟ, ଯୋନି  କର୍କଟ  ରୋଗ  ଭୋଗିବାର  ପ୍ରଶ୍ନ  ଉଠେନି   । କିନ୍ତୁ  ପୁରୁଷମାନେ   କାଁ ଭାଁ  ସ୍ତନ  କର୍କଟ  ରୋଗରେ  ଆକ୍ରାନ୍ତ  ହେଉଥିଲେ  ମଧ୍ୟ  ମହିଳାମାନଙ୍କ  କ୍ଷେତ୍ରରେ  ଏହା  ଅତି  ସାଧାରଣ  ଅବସ୍ଥା  ଧାରଣ  କରିବାକୁ  ବସିଲାଣି   । ତେବେ  ମହିଳାମାନଙ୍କ  ତୁଳନାରେ  ପୁରୁଷ ମାନଙ୍କ ଠାରେ  ଫୁସ୍ ଫୁସ୍  ଓ  ଖାଦ୍ୟବାହୀନଳୀ  କର୍କଟ  ରୋଗର  ହାର  ବେଶି ।

ବଂଶାନୁକ୍ରମିକ

କର୍କଟ  ରୋଗ  ସୃଷ୍ଟିରେ  ବଂଶାନୁକ୍ରମର  ପ୍ରଭାବକୁ  ଅସ୍ଵୀକାର   କରାଯାଇପାରୁ  ନାହିଁ   । କୁହାଯାଏ  ଯେ ନେପୋଲିୟନ  ପାକସ୍ଥଳୀ  କର୍କଟ  ରୋଗରେ  ମୃତ୍ୟୁବରଣ  କରିଥିଲେ । ତାଙ୍କ  ଅଜା, ବାପା, ଭାଇମାନେ  ଓ  ଭଉଣୀମାନେ  ମଧ୍ୟ  କୁଆଡେ  ଏହି  ରୋଗରେ  ଆକ୍ରାନ୍ତ  ହୋଇଥିଲେ । କୌଣସି  ପିତାମାତାଙ୍କର  ଗୋଟିଏ  ଶିଶୁ  ସନ୍ତାନ  ରେଟିନୋବ୍ଲାଷ୍ଟୋମା   ନାମକ  ଚକ୍ଷୁ  କର୍କଟ  ରୋଗରେ  ଆକ୍ରାନ୍ତ   ହୋଇଥିଲେ, ଅନ୍ୟ  ସନ୍ତାନମାନେ   ମଧ୍ୟ  ଏହି  ରୋଗର  ଶିକାର  ହୋଇପଡୁଥିବାରୁ  ଦେଖାଯାଏ । ଅଷ୍ଟିଓସାର୍କୋମା  ନାମକ  ଅସ୍ଥିକର୍କଟ  ରୋଗ  ଯାଆଁଳା ମାନଙ୍କ ଠାରେ  ପରିଲକ୍ଷିତ  ହେଉଛି। ମାଆର  ସ୍ତନ  କର୍କଟ  ରୋଗ  ହୋଇଥିଲେ  କନ୍ୟାମାନେ  ଏହି  ରୋଗରେ  ପଡିବାର  ଆଶଙ୍କା  ରହେ ।

ସାମାଜିକ – ଅର୍ଥନୈତିକ  ଅବସ୍ଥା

ଆର୍ଥିକ  ଅବସ୍ଥା, ତାହା  ସ୍ଵଛଳ  ହେଉ  କି  ହେଉ ଅସ୍ଵଛଳ, କର୍କଟ  ରୋଗକୁ  ମଧ୍ୟ  ପ୍ରଭାବିତ   କରିଥାଏ ।

ପ୍ରାକୃତିକ  ରୋଗ  ପ୍ରତିରୋଧକ  ଶକ୍ତିର  ଅଭାବ

ସୁସ୍ଥକୋଷ  କର୍କଟକୋଷକୁ  ରୂପାନ୍ତରିତ  ହୋଇଯିବାରେ  କିଛି  ଅସ୍ଵାଭାବିକତା  ନାହିଁ   । କିନ୍ତୁ  ଏପରି  ପରିବର୍ତ୍ତନ  ସଂଘଟିତ  ହେବାମାତ୍ରେ   ଶରୀରର   ପ୍ରାକୃତିକ  ରୋଗ  ପ୍ରତିରୋଧକ  ଶକ୍ତି  ତୁରନ୍ତ  ତପ୍ତର  ହୋଇଉଠି  ସେହି  କର୍କଟକୋଷଗୁଡିକୁ  ଧ୍ଵଂସ  କରିଦିଏ । ତେଣୁ  କର୍କଟକୋଷ  ଗୁଡିକ  ବିଭାଜିତ  ହୋଇ  ବଂଶବୃଦ୍ଧି  କରିବା  ନିମନ୍ତେ  ସୁଯୋଗ   ପାଆନ୍ତି  ନାହିଁ   ।

କିନ୍ତୁ   କର୍କଟ  ରୋଗ  ସୃଷ୍ଟିକାରୀର  ଉପାଦାନଗୁଡିକର  ସଂସ୍ପର୍ଶରେ  ବାରମ୍ବାର   ଆସୁଥିବା  ବ୍ୟକ୍ତିମାନଙ୍କଠାରେ  ସୁସ୍ଥକୋଷ   କର୍କଟକୋଷକୁ   ରୂପାନ୍ତରିତ   ହେବାର  ଧାରା  ଅପେକ୍ଷାକୃତ  ସୁଗମ । ତେଣୁ  କେତେକ  କର୍କଟକୋଷ   ପ୍ରତିରୋଧକ   ଶକ୍ତିର  କବଳରୁ   ଖସିଯାଇ  ରୋଗର  ପ୍ରସାର   କରେଇ  ଥାଆନ୍ତି ।

ତାହାଛଡା  ପ୍ରତିରୋଧକ  ଶକ୍ତି  ହ୍ରାସ   ପାଇଗଲେ   ତାହା   ସଫଳତାର  ସହ  କର୍କଟ  କୋଷଗୁଡିକୁ  କାବୁ   କରିପାରେ  ନାହିଁ   । ଫଳରେ   ରୋଗବୃଦ୍ଧି   ପ୍ରୋତ୍ସାହନ   ପାଇଥାଏ   ।

ଅନ୍ୟ  ରୋଗର  କୁପ୍ରଭାବ

ଏପରି  କେତେକ   ରୋଗ  ଅଛି, ଯେଉଁ  ରୋଗରେ  ବ୍ୟକ୍ତି  ଆକ୍ରାନ୍ତ   ହୋଇପଡିଥିଲେ   ତାହାଠାରେ  କର୍କଟ  ରୋଗ  ଜାତ  ହେବାର  ସମ୍ଭାବନା  ଅଧିକ । ଉଦାହରଣ  ସ୍ୱରୂପ, ଯକୃତ  ସିରୋସିସ୍  ରୋଗ   ଭୋଗୁଥିବା  ରୋଗୀଠାରେ  ଯକୃତ  କର୍କଟ  ରୋଗ, ପାକସ୍ଥଳୀ   ପ୍ରଦାହ ରୋଗୀଠାରେ  ପାକସ୍ଥଳୀ  କର୍କଟ  ରୋଗ ଏବଂ  ପାଟି  ଓ  ଯୌନାଙ୍ଗରେ  ଧଳାଛଉ  ଜାତ  ହୋଇଥିଲେ  ସେଠାରେ  କର୍କଟ  ରୋଗ  ଜାତ  ହେବାର  ଆଶଙ୍କା  ରହିଛି । ସେହିପରି  ଚର୍ମରେ  କଳା  ଭାତୁଡି  ଥିଲେ  ମଧ୍ୟ  ମେଲାନୋମା   ନାମକ  ଚର୍ମ  କର୍କଟ  ରୋଗରେ  ପରିଣତ  ହୋଇପାରେ ।

ମନସ୍ତାତ୍ତ୍ଵିକ  କାରକ

ଦୀର୍ଘକାଳଧରି   ଉତ୍କଣ୍ଠା, ଅସ୍ଵାଭାବିକ  ମାନସିକ  ଚାପ  ତଥା   ମାନସିକ  ଉତ୍ତେଜନା  ଭିତରେ   କାଳ  କାଟିବାପାଇଁ   ବାଧ୍ୟ  ହୋଇଥିଲେ   ତାହା  କର୍କଟ  ରୋଗ  କରିପାରେ  ବୋଲି  କେହି  କେହି  ଦାବି  କରୁଛନ୍ତି   । ତେବେ  ଏହା  ବିବାଦୀୟ ଓ ସର୍ବସମ୍ମତ  ନୁହେଁ    ।

ବୃତ୍ତି

ବ୍ୟକ୍ତିର  ବୃତ୍ତି  ବା  ବ୍ୟବସାୟ  ମଧ୍ୟ  କର୍କଟ  ରୋଗ  ସୃଷ୍ଟିକୁ  ପ୍ରଭାବିତ  କରିଥାଏ   । ଖଣିଖାଦାନ  ଓ  ବିଭିନ୍ନ କାରଖାନାରେ  କାମ  କରୁଥିବା   ବ୍ୟକ୍ତିମାନେ  କେତେକ  ନିର୍ଦ୍ଧିଷ୍ଟ  ଅଙ୍ଗର  କର୍କଟ  ରୋଗଦ୍ୱାରା  ଆକ୍ରାନ୍ତ  ହେଉଥିବା  ଜଣାପଡିଛି   । କେଉଁ  ଖଣିଖାଦାନ  ତଥା  କାରଖାନାରେ   କାମ କରୁଥିବା   ଲୋକେ   କେଉଁ ପ୍ରକାର  କର୍କଟ  ରୋଗ  ଭୋଗିବାର  ଆଶଙ୍କା  ରହିଛି, ତାହା  ତଳେ  ଉଲ୍ଲେଖ   କରାଯାଇଛି   ।

  • କାଚ  କାରଖାନା, ମୃଣ୍ମୟ  ଶିଳ୍ପ - ନାସାପଥ
  • ଆସ୍ ବେଷ୍ଟସ୍  କାରଖାନା - ଫୁସ୍ ଫୁସ୍
  • କୋଇଲା  ଖଣି,ରଙ୍ଗ  କାରଖାନା, ପିଚୁ  କାରଖାନା  ଓ  ରବର  କାରଖାନା - ମୂତ୍ରାଶୟ
  • ରେଡିୟମ୍  ଡାୟଲ  ତିଆରି  କାରଖାନା - ଅସ୍ଥି
  • ବାଷ୍ପଚାଳିତ  ଇଞ୍ଜିନ୍  ଓ  ଭାଟିରେ  କାମ  କରୁଥିବା  କାରିଗର, ଖରାତରାରେ  କାମ କରୁଥିବା  ଚାଷିମୂଲିଆ,‘ଏକ୍ସ – ରେ’ ଟେକ୍ ନିସିଆନ - ଚର୍ମ
  • ପ୍ଲାଷ୍ଟିକ୍  କାରଖାନା, ଜୋତା କାରଖାନା, ଢଳେଇ  କାରଖାନା - ଯକୃତ

ଭୂତାଣୁ  ସଂକ୍ରମଣ

କେତେକ  ପ୍ରକାର  ଭୂତାଣୁ  ଦ୍ଵାରା  ସଂକ୍ରମିତ  ହେଲେ  ମଧ୍ୟ  କେତେକ  ନିର୍ଦ୍ଧିଷ୍ଟ  ଅଙ୍ଗର  କର୍କଟ  ରୋଗ  ପ୍ରୋତ୍ସାହନ  ପାଇଯାଏ  । କେଉଁ  ଭୂତାଣୁ  ସଂକ୍ରମଣ  କେଉଁ  କର୍କଟ  ରୋଗ  ହେବାର  ସମ୍ଭାବନା  ଅଛି, ତା’ର  ସୂଚନା  ନିମ୍ନରେ  ପ୍ରଦତ୍ତ  ହୋଇଛି  ।

  • ହ୍ୟୁମାନ  ଇମ୍ୟୁନୋଡେଫିସିଏନ୍ ସି  ଭାଇରସ୍  ବା  ଏଡସ୍  ରୋଗ  କରାଉଥିବା  ଏଚ. ଆଇ. ଭି.  –  ଚର୍ମ ଓ ଅନ୍ୟାନ୍ୟ  ସ୍ଥାନରେ  ସୃଷ୍ଟି କରୁଥିବା  କର୍କଟ  ରୋଗ  (କାପୋସି  ସାର୍କୋମା)
  • ଯକୃତ  ପ୍ରଦାହ  ସୃଷ୍ଟି  କରୁଥିବା  ହେପାଟାଇଟିସ୍ – B ଭୂତାଣୁ  - ଯକୃତ  କର୍କଟ ରୋଗ
  • ହ୍ୟୁମାନ୍  ପାପିଲୋମା  ଭାଇରସ୍  - ଚର୍ମ, ଯୋନି, ସର୍ଭିକ୍ସ, ସ୍ଵରପେଟିକା  କର୍କଟ  ରୋଗ।
  • ଏପ୍ ଷ୍ଟେନ   ବାର୍  ଭାଇରସ୍  - ଲିମ୍ଫୋମା  (ବର୍କିଟସ), ନାସା – ଗ୍ରସନୀ  କର୍କଟ  ରୋଗ

ବିଦାହୀ / ଜ୍ଵାଳା

ଶରୀରର  କୌଣସି  ସ୍ଥାନ  ଦୀର୍ଘକାଳଧରି  ଆଘାତପ୍ରାପ୍ତ  ହୋଇ  ଚାଲିଥିଲେ, ସେଠାରେ  କର୍କଟ  ରୋଗ  ଜାତ  ହେବାର  ଆଶଙ୍କା   ବୃଦ୍ଧିପାଏ  । ଉଦାହରଣ ସ୍ୱରୂପ, ବାହାଡାଦାନ୍ତ  ଓ  କୃତ୍ରିମ  ଦାନ୍ତ  ଯୋଗୁ   ଗାଲ  କିମ୍ବା  ମାଢିରେ  କିମ୍ବା  ଜିଭରେ  ବାରମ୍ବାରର  ଆଘାତ  ଲାଗିବାରୁ  ବା  ତାହା  ବାରମ୍ବାର  ଘର୍ଷଣର  ସମ୍ମୁଖୀନ  ହେଉଥିବାରୁ, ସେଠାରେ  କର୍କଟ  ରୋଗ  ପ୍ରକାଶ  ପାଇପାରେ   । ସେହିପରି  ପିତ୍ତକୋଷରେ  ପଥର  ଥିଲେ  ପିତ୍ତକୋଷ  କର୍କଟ  ରୋଗ, ବାରମ୍ବାର  ଯୌନମିଳନଯୋଗୁ  ସର୍ଭିକ୍ସ  କର୍କଟ  ରୋଗ  ଏବଂ  ବହୁ  ସନ୍ତାନର  ଜନନୀଙ୍କଠାରେ  ସର୍ଭିକ୍ସ  କର୍କଟ  ରୋଗ  ଜାତ  ହେବାର  ସମ୍ଭାବନା  ବେଶି   । ବାରମ୍ବାର  ତାପର  ସଂସ୍ପର୍ଶରେ  ଆସୁଥିବାରୁ  କାଶ୍ମୀରମାନଙ୍କ  ତଳିପେଟ  ଚର୍ମରେ   କାଙ୍ଗ୍ରି  କ୍ୟାନସର  ଜାତ  ହୁଏ  ।

ହର୍ ମୋନ୍

ହର୍ ମୋନ୍  ମଧ୍ୟ  କର୍କଟ  ରୋଗ  ସୃଷ୍ଟିକୁ  ସୁଗମ  କରିଦେଉଥିବାରୁ  ଜଣାପଡିଛି । ବିଶେଷ  କରି  ମହିଳାମାନଙ୍କଠାରେ   ସ୍ତନ  କର୍କଟ  ରୋଗ  ସୃଷ୍ଟିରେ ଏହାର  ଭୂମିକା   ସୁସ୍ପଷ୍ଟ । ବିବାହ  କରିନଥିବା  ମହିଳା, ବନ୍ଧ୍ୟା  ଅଧିକ  ବୟସରେ   ପ୍ରଥମ  ସନ୍ତାନର  ଜନନୀ, ଅଳ୍ପ ବୟସରେ   ଋତୁଚକ୍ର   ଆରମ୍ଭ  ହୋଇ  ଅଧିକ  ବୟସରେ  ଋତୁଚକ୍ରର  ସ୍ଵାଭାବିକ  ଅନ୍ତ  ଏବଂ  ସ୍ତନ୍ୟପାନ  କରାଇନଥିବା  ମାଆ – ଏହିଭଳି  ମହିଳାଙ୍କଠାରେ  ସ୍ତନକର୍କଟ  ଜାତ  ହେବାର  ସମ୍ଭାବନା  ଅଧିକ  । ଏହିସବୁ  କ୍ରିୟା  ହର୍ ମୋନ୍  କ୍ଷରଣ  ସହ  ଜଡିତ   । ସେହିପରି  ହର୍ ମୋନ୍  କ୍ଷରଣରେ  ଅସନ୍ତୁଳନ  ଯୋଗୁ  ପୁରୁଷମାନଙ୍କ  ଠାରେ  ପ୍ରୋଷ୍ଟେଟ୍ ନ୍ଥି କର୍କଟ ରୋଗ  ଜାତ  ହୋଇପାରେ  ।

ଭୌତିକ  କାରକ

ଭୌତିକ  କାରକଗୁଡିକ  ମଧ୍ୟରେ  ତେଜଷ୍କ୍ରିୟ  ବିକିରଣକୁ  ଏହି  ରୋଗ  ସୃଷ୍ଟିପାଇଁ  ବେଶି  ଦାୟୀ  କରାଯାଉଛି  । ଏହାର  ପ୍ରତ୍ୟକ୍ଷ  ପ୍ରମାଣ  ମଧ୍ୟ  ମିଳୁଛି । ଏକ୍ସ – ରେ, ଗାମା ରେ, ଆଲଫା  କଣିକା, ନିଉଟ୍ରନ, ପ୍ରୋଟନ୍  ଇତ୍ୟାଦି  ପ୍ରତ୍ୟୋକେ  ଏକ  ଏକ  ଖଳନାୟକ । ଜାପାନର   ହିରୋସୀମା ଓ ନାଗାସାକିରେ  ପରମାଣୁ   ବୋମା  ବିସ୍ଫୋରଣ ଓ  ୟୁକ୍ରେନର  ଚେର୍ନୋବିଲଠାରେ   ପରମାଣୁ  ଶକ୍ତିକେନ୍ଦ୍ରରେ  ଆକସ୍ମିକ  ଦୁର୍ଘଟଣା  ଯୋଗୁ  ସେହି  ଅଞ୍ଚଳରେ  ରହୁଥିବା  ଅଧିବାସୀ  ଅଧିକ  ସଂଖ୍ୟାରେ  କର୍କଟ  ରୋଗାକ୍ରାନ୍ତ  ହୋଇପଡିଛନ୍ତି   ।

ସେହିପରି  ପରିବେଶ  ପ୍ରଦୂଷଣ  ଯୋଗୁ  ବାୟୁମଣ୍ଡଳର  ଓଜନ  ସ୍ତରରେ  ଗର୍ତ୍ତ  ହେବା  ଫଳରେ   ସୂର୍ଯ୍ୟକିରଣରେ  ଥିବା  ଅଲ୍ -  ଟ୍ରାଭାୟୋଲେଟ  ରଶ୍ମୀ  ବିନା  ବାଧାରେ  ଭୂପୃଷ୍ଠରେ  ପହଞ୍ଚିଯାଉଥିବାରୁ  ଚର୍ମ  କର୍କଟ  ରୋଗ  ଓ ଅନ୍ୟାନ୍ୟ  ପ୍ରକାର  କର୍କଟ  ରୋଗର   ହାରବୃଦ୍ଧି  ପାଇଲାଣି   ।

ଏକ୍ସ – ରେ  ଟେକନିସିଆନ  ମାନେ  ଏକ୍ସ – ରେ’ ସଂସ୍ପର୍ଶରେ  ଆସିବାକୁ  ବାଧ୍ୟ  ହେଉଥିବାରୁ   ସେମାନେ  ମଧ୍ୟ  ଏହାର  କୁପରିଣତି  ଭୋଗୁଛନ୍ତି   ।

ଧୂମପାନ

କର୍କଟ  ରୋଗ  ଜାତ  କରାଇବାରେ ତମାଖୁ   ହେଉଛି  ପହିଲା  ନମ୍ବର  ଆତତାୟୀ । ବିଡି, ସିଗାରେଟ, ପିକା  ଇତ୍ୟାଦି  ଟାଣିବା   ସହ  ଫୁସ୍ ଫୁସ୍  କର୍କଟ  ରୋଗ  ଜାତ  ଜାତ  ହେବାର  ପ୍ରତ୍ୟକ୍ଷ  ସଂପର୍କ   ରହିଛି   । ଧୂମପାନ   କରୁନଥିବା  ବ୍ୟକ୍ତି  ମଧ୍ୟ  ଶୁଙ୍ଘିବା  ପାଇଁ  ବାଧ୍ୟହେଲେ   ରୋଗର  ଶିକାର  ହୋଇପଡେ  । ତମାଖୁ  ରହିଥିବାରୁ  ଗୁଣ୍ଡି, ଖଇନି, ଦୋକତା, ଗୁଟକା, ଗୁଡାଖୁ  ବ୍ୟବହାର   କରୁଥିବା  ଲୋକେ  ମୁଖଗହ୍ଵର   ରୋଗର  ସହଜ  ଶିକାର  ।

ରାସାୟନିକ  ଉପାଦାନ

କର୍କଟ  ରୋଗ  ସୃଷ୍ଟିକାରୀ  ରାସାୟନିକ   ଉପାଦାନଗୁଡ଼ିକର  ରାସାୟନିକ  କାର୍ସିନୋଜେନ  ବୋଲି  କହନ୍ତି  । କର୍କଟ  ରୋଗ  ସୃଷ୍ଟିକାରୀ  ଏହି  ଉପାଦାନଗୁଡ଼ିକର  ସଂଖ୍ୟା  ଯଥେଷ୍ଟ  ବେଶି   । ପିଚୁ, କୋଲଟାର ବା  ଆଲ୍ କାତାରା, ପାରଦ, ଆନିଲିନ୍  ରଙ୍ଗ, ଆସ୍ ବେଷ୍ଟେସ, ବେଞ୍ଜିନ  ଉପାଦାନ, ବେଞ୍ଜିଡିନ, ନାଫଥାଇଲାମିନ୍, ନାଇଟ୍ରୋସାମିନ୍, ଆର୍ସେନିକ, କାଡମିୟମ, କ୍ରୋମିୟମ, ଭିନାଇଲ୍  କ୍ଳୋରାଇଡ, କାର୍ବନ  ଟେଟ୍ରୋକ୍ଳୋରାଇଡ  ଏବଂ  କ୍ଳୋରାମ୍ ବ୍ୟୁସିଲ୍  ଓ  ସାଇକ୍ଲୋଫସଫାମାଇଡ  ଭଳି  ଔଷଧ  କର୍କଟ  ରୋଗ  ସୃଷ୍ଟିକାରୀ  ଉପାଦାନ  ରୂପେ  କୁଖ୍ୟାତ   ।

ଆଧାର – ଡା. ନିତ୍ୟାନନ୍ଦ ସ୍ଵାଇଁ , ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ ଟ୍ରଷ୍ଟ

Last Modified : 12/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate