ପ୍ରୋଷ୍ଟେଟ୍ ଗୋଟିଏ ଗ୍ରନ୍ଥି । ତଳ ପେଟରେ ପରିସ୍ରା ଥଳୀର ନିମ୍ନରେ ଓ ପରିସ୍ରା ନଳୀକୁ ଘେରି ରହିଥାଏ । ଏହା ପୁରୁଷଙ୍କର ଗୋଟିଏ ଯୌନାଙ୍ଗ । ୫୦ ବର୍ଷ ପରେ ସମସ୍ତଙ୍କର ଏହି ଗ୍ରନ୍ଥିର ଆକାର ବୃଦ୍ଧିହୁଏ । ଟେଷ୍ଟିସ୍ ରୁ ନିର୍ଗତ ପୁରୁଷ ହରମୋନ୍ ଟେଷ୍ଟୋଷ୍ଟେରେନ୍ ବାର୍ଦ୍ଧକ୍ୟରେ କମିଯାଏ । ଏହା ସହିତ ପ୍ରୋଷ୍ଟେଟ୍ ର ସିଧା ସମ୍ପର୍କ ରହିଥିବାରୁ ହରମୋନ ଅସନ୍ତୁଳନ ଫଳରେ ଏହି ଗ୍ରନ୍ଥି ବଢିବାକୁ ଲାଗେ । ପରିସ୍ରାନଳିର ପ୍ରଥମ ଭାଗ ଏହା ମଧ୍ୟ ଦେଇ ଗତି କରେ । ପ୍ରୋଷ୍ଟେଟ୍ ର ବୃଦ୍ଧି ଏହାକୁ ଚାପି ଦିଏ । ତେଣୁ ପରିସ୍ରା ଅବରୋଧ ହୁଏ । ଅନେକଥର ପରିସ୍ରା ଲାଗେ । ଅଳ୍ପ ମୂତ୍ର ହୁଏ ପରିସ୍ରା କରିବା ପାଇଁ କୁନ୍ଥାଇବାକୁ ପଡେ । ଅନେକଥର ପରିସ୍ରା ଉଠିବାକୁ ପଡେ ।
ପ୍ରୋଷ୍ଟେଟ୍ ଗ୍ରନ୍ଥିର ଅଭିବୃଦ୍ଧି ଦୁଇଟି କାରଣରୁ ହୁଏ । ଗୋଟିଏ ବାର୍ଦ୍ଧକ୍ୟଜନିତ ଏବଂ ଅନ୍ୟଟି କ୍ୟାନସର । ଏହା ମଧ୍ୟରେ କମ୍ ପ୍ରଭେଦ ଥାଏ। ମାଂସ ପରୀକ୍ଷା କଲେ କ୍ୟାନସର ଜାଣିହୁଏ । ମଳଦ୍ଵାରରେ ଆଙ୍ଗୁଠି ପୁରାଇ ପରୀକ୍ଷା କଲେ ମୂତ୍ର ବିଶେଷଜ୍ଞ ମାନେ ସଠିକ ଜାଣି ପାରିବେ । ଗ୍ରନ୍ଥିର ପାଶ୍ଚାତଭାଗ ଶକ୍ତ ଗୋଳା ବାନ୍ଧି ଯାଇଥାଏ । ରକ୍ତ ପରୀକ୍ଷା କଲେ ପ୍ରୋଷ୍ଟେଟ୍ କ୍ୟାନସର ଜାଣି ହୁଏ । ଏଥିପାଇଁ ପ୍ରୋଷ୍ଟେଟ୍ ସ୍ପେସିଫିକ୍ ଆଣ୍ଟିଜେନ୍ ବା ପି.ଏସ୍.ଏ. ନାମକ ଏକ ପ୍ରକାର ରକ୍ତ ପରୀକ୍ଷା ଦ୍ଵାରା ପ୍ରୋଷ୍ଟେଟ୍ ଗ୍ରନ୍ଥି କର୍କଟ ରୋଗର ସନ୍ଦେହ ଦୃଢୀଭୂତ ହୁଏ । ଗୋଟିଏ ମୋଟା ଛୁଞ୍ଚି ସାହାଯ୍ୟରେ ପ୍ରୋଷ୍ଟେଟ୍ ଗ୍ରନ୍ଥିରୁ ଟିକିଏ ମାଂସ ନେଇ ଅଣୁବୀକ୍ଷଣ ଜନ୍ତ୍ର ସାହାଯ୍ୟରେ ଦେଖିଲେ କର୍କଟ ରୋଗାକ୍ରାନ୍ତ ପ୍ରୋଷ୍ଟେଟ୍ ଗ୍ରନ୍ଥି କୋଷଗୁଡ଼ିକର ଅବସ୍ଥିତି ସୃଷ୍ଟି ହୋଇଯାଏ । ଏହାକୁ ବାୟପ୍ସି ପରୀକ୍ଷା କୁହାଯାଏ । ଏହାଦ୍ୱାରା ରୋଗ ନିରୂପଣ ସଠିକ ହୋଇଥାଏ । ଏହାଛଡା ଅଣ୍ଟା, କଟି ଓ ମେରୁହାଡର ରଞ୍ଜନରଶ୍ମି ପରୀକ୍ଷା ଦ୍ଵାରା କର୍କଟ ରୋଗ ଅସ୍ଥିକୁ ମାଡିଯାଇଛି କି ନାହିଁ, ଜଣାପଡେ । ପ୍ରୋଷ୍ଟେଟ୍ ଗ୍ରନ୍ଥିର ଅଲଟ୍ରାସାଉଣ୍ଡ ପରୀକ୍ଷା ଦ୍ଵାରା ମଧ୍ୟ ରୋଗ ବିଷୟରେ ଆହୁରି ଅନେକ ତଥ୍ୟ ମିଳିଥାଏ ।
ମହିଳାମାନଙ୍କର ସ୍ତନ କ୍ୟାନସର ପରି ପୁରୁଷମାନଙ୍କର ପ୍ରୋଷ୍ଟେଟ୍ କ୍ୟାନସରର ପ୍ରାଦୁର୍ଭାବ ବେଶି । ଏଥିରେ ଅନେକ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ । ହରମୋନର ସନ୍ତୁଳନ ନଷ୍ଟହେବା ଫଳରେ ଏହି କର୍କଟ ରୋଗର ସୃଷ୍ଟି ହୁଏ । ପ୍ରୋଷ୍ଟେଟ୍ ଗୋଟିଏ ଯୌନ ଗ୍ରନ୍ଥି । ଏଥିରୁ ନିର୍ଗତ ରସ ପତଳା ଓ ଦୁଧ ପରି ଧଳା । ଏହାର ପରିଣାମ ଶୁକ୍ରର ୩୦ ପ୍ରତିଶତ । ଶୁକ୍ରକୀଟ ଯୋନି ମଧ୍ୟରେ ସଂସ୍ଥାପିତ ହେବା ପର୍ଯ୍ୟନ୍ତ ଏହା ଉପଯୁକ୍ତ ପରିବେଶ ପ୍ରଦାନକରେ । ଏଥିରେ ଥିବା ଏଞ୍ଜାଇମ୍ ଶୁକ୍ରକୁ ଜମାଟ ବାନ୍ଧିବାରେ ସାହାଯ୍ୟ କରେ । ଫଳରେ ଶୁକ୍ର ଜରାୟୁର ଗ୍ରୀବା ନିକଟରେ ଜମିରହେ । ଶୂକ୍ରାଣୁ ଜରାୟୁ ମଧ୍ୟକୁ ପ୍ରବେଶ କରିବାରେ ସାହାଯ୍ୟ କରେ ଏହି ଗ୍ରନ୍ଥି ସହବାସ ସମୟରେ ଶୁକ୍ରକୁ ପରିସ୍ରା ସହିତ ମିଶିବାରେ ପ୍ରତିରୋଧ କରେ । ହରମୋନ ପ୍ରଭାବରୁ ୫୦ ବର୍ଷ ପରେ ବର୍ଦ୍ଧିତ ପ୍ରୋଷ୍ଟେଟ୍ ପରିସ୍ରା ଥଳିର ରନ୍ଧ୍ରକୁ ଅବରୋଧ କରିଦିଏ । ପରିସ୍ରା ନିଷ୍କାସନ ହୋଇପାରେ ନାହିଁ । ଏହା କ୍ୟାନସର ନୁହେଁ । କାରଣ ବିଭିନ୍ନ ଅଙ୍ଗକୁ ବିସ୍ତାରିତ ହୁଏ ନାହିଁ । କେବଳ ନିଜ ସ୍ଥାନରେ ସୀମାବଦ୍ଧ ରହି ଆକାର ବଢିଯାଏ । ଏହା ଜିନ୍ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ । ପ୍ରୋଷ୍ଟେଟ୍ ଅର୍ବୁଦ ଗୋଟିଏ ବଂଶଗତ ରୋଗ । ପରିବାରର ପ୍ରତ୍ୟକ ବ୍ୟକ୍ତି ଏହାର ଶିକାର ହୁଅନ୍ତି , କିନ୍ତୁ ପ୍ରୋଷ୍ଟେଟ୍ କ୍ୟାନସରର ଅନେକ କୃତ୍ରିମ କାରଣ ରହିଛି । ତନ୍ମଧ୍ୟରୁ ଅବାଧ ଯୌନ ସମ୍ପର୍କ ଅନ୍ୟତମ । ଯୌବନରେ କାମୁକ ପୁରୁଷ ଯେଉଁମାନେ ଅନେକ ମହିଳା ସହିତ ଅସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ କରନ୍ତି, ବାର୍ଦ୍ଧକ୍ୟରେ ପ୍ରୋଷ୍ଟେଟ୍ କ୍ୟାନସର ଭୋଗ କରନ୍ତି । ରକ୍ତ ପରୀକ୍ଷାରୁ ଜଣାଯାଇଛି ଯେ ସୁସ୍ଥ ବ୍ୟକ୍ତି ତୁଳନାରେ ରୋଗୀ ରକ୍ତରେ ବହୁ ପରିମାଣରେ ଏହି ପ୍ରତିପିଣ୍ଡ ରହିଥାଏ । ପାପିଲୋମା ଭୂତାଣୁର ପ୍ରୋଷ୍ଟେଟ୍ କ୍ୟାନସର ସହିତ ସମ୍ପର୍କ ଥିବାରୁ ରୋଗୀର ଯୌନ ବିବରଣୀରୁ ପ୍ରମାଣିତ ହୋଇଛି । ପ୍ରୋଷ୍ଟେଟ୍ ଗୋଟିଏ ନିବୃତ ଗ୍ରନ୍ଥି । ଏହା ବାହାରକୁ ଦେଖାଯାଏ ନାହିଁ । ଯୌନ ଉଦ୍ଦୀପନା ସହିତ ଏହାର ସମ୍ପର୍କ ଅନେକ ଜାଣନ୍ତି ନାହିଁ । ଏହାର କାର୍ଯ୍ୟଧାରା ଅଗୋଚର ହୋଇ ରହିଛି । ଏଥିରୁ ନିର୍ଗତ ଦୁଧପରି ଧଳା ରସ ଶୁକ୍ରର ମୁଖ୍ୟ ଅଂଶ । ଏହା ମଧ୍ୟରେ ସ୍ନାୟୁ ବିକ୍ଷିପ୍ତ ହୋଇ ରହିଥାଏ । ପ୍ରୋଷ୍ଟେଟ୍ ଅପରେସନ କରିବା ଫଳରେ ଏହି ସ୍ନାୟୁଗୁଡିକ ଛିଣ୍ଡିଯାଏ । ଫଳରେ ରୋଗୀ ନପୁଂସକ ହୋଇଯାଏ । ପରିସର ଅଟକାଇ ପାରେ ନାହିଁ । ପ୍ରୋଷ୍ଟେଟ୍ କ୍ୟାନସର ବିଜ୍ଞାନୀ ଡାକ୍ତର ‘ହିଲେ’ ଏହା ପାଇଁ ବଟିକା ପ୍ରସ୍ତୁତ କରିବା ଲାଗି ଗବେଷଣାରତ । ଅସଂଯମୀ, ଲମ୍ପଟ ଓ କାମୁକ ପ୍ରବୃତ୍ତି ପରିହାର ନକଲେ ତରୁଣ ବୟସର ଚୋରାବାଲି ବାର୍ଦ୍ଧକ୍ୟରେ ବିଷମୟ ହେବ ।
ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ନିରୂପଣ ରୋଗର ଆରମ୍ଭ ଅବସ୍ଥାରୁ ହୋଇପାରିଲେ ଅସ୍ତ୍ରୋପ୍ରଚାର ଫଳରେ ସମଗ୍ର ଗ୍ରନ୍ଥିଟିକୁ ବାହାର କରିଦିଆଯାଏ । ଏହି ଅସ୍ତ୍ରୋପ୍ରଚାର ଫଳରେ ସମଗ୍ର ଗ୍ରନ୍ଥିଟିକୁ ବାହାର କରିଦିଆଯାଏ । ଏହି ଅସ୍ତ୍ରୋପ୍ରଚାରକୁ ରାଡିକାଲ୍ ପ୍ରୋଷ୍ଟେଟୋକ୍ଟେମି ବୋଲି କୁହାଯାଏ । ଫଳରେ ରୋଗୀ ଅନେକ ବର୍ଷ ଧରି ଏକ ସୁସ୍ଥ ଓ କର୍ମଠ ଜୀବନଯାପନ କରିପାରନ୍ତି । କିନ୍ତୁ ବିଳମ୍ବ ଅବସ୍ଥାରେ ରୋଗ ନିରୂପଣ ହେଲେ ଅଣ୍ଡକୋଷ ଦୁଇଟିକୁ ଅସ୍ତ୍ରୋପ୍ରଚାର କରି ବାହାର କରିଦିଆଯାଏ ଓ ଅସ୍ତ୍ରୋପ୍ରଚାର ପରେ ଆଣ୍ଟିଆନଡ୍ରୋଜେନ ନାମକ ଏକ ଔଷଧ ସେବନ ପାଇଁ ଦିଆଯାଏ । ଏହି ଚିକିତ୍ସା ଫଳରେ ଶରୀରର ପୁରୁଷ ଜୀବରସର ସ୍ତର ହ୍ରାସ ପାଏ ଓ ପ୍ରୋଷ୍ଟେଟ୍ କର୍କଟ ରୋଗ ଆୟତ୍ତ ଅବସ୍ଥାକୁ ଆସିଯାଏ । ଫଳରେ ରୋଗୀ ଅନେକ ଦିନ ଧରି ଏକ କଷ୍ଟଯୁକ୍ତ ସାଧାରଣ ଜୀବନ ଯାପନ କରିଥାନ୍ତି ।
ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ଅତି ଧୀର ଗତିରେ ବଢେ । ଉପଯୁକ୍ତ ଚିକିତ୍ସା ଦ୍ଵାରା ରୋଗୀ ଅନ୍ତତଃ ଆଠରୁ ଦଶ ବର୍ଷ କର୍ମଠ ଜୀବନଯାପନ କରି ସାଧାରଣ ପରମାୟୁ ଭୋଗ କରିପାରିବ । ତେଣୁ ଏହି ଗ୍ରନ୍ଥିର କର୍କଟ ରୋଗ ନାଁ ଶୁଣି ଭୟ କରିବାର କିଛି ନାହିଁ । ମୂତ୍ର ରୋଗ ସମ୍ବନ୍ଧୀୟ କୌଣସି ଲକ୍ଷଣ ନଥାଇ ମଧ୍ୟ ଷାଠିଏ ବର୍ଷ ବୟସ ପରେ ବର୍ଷକୁ ଅନ୍ତତଃ ଠାରେ ଡାକ୍ତର ପି.ଏସ୍ର.ଏ. ପରୀକ୍ଷା କରାଇ ନିଅନ୍ତୁ । ଏହାଦ୍ୱାରା ରୋଗର ଆରମ୍ଭ ଅବସ୍ଥାରେ ରୋଗ ନିରୂପଣ ହୋଇଯାଇ ପାରିବ ।
ଯଦି ଅଣ୍ଟାବିନ୍ଧା ସାଧାରଣ ଅଣ୍ଟାବିନ୍ଧା ଚିକିତ୍ସାରେ ଉପଶମ ନହୁଏ ଓ ତା’ ସାଙ୍ଗକୁ ପରିସ୍ରାରେ କଷ୍ଟ ଅନୁଭବ ହୁଏ , ତେବେ ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ହୋଇଥାଏ ବୋଲି ସନ୍ଦେହ କରି ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ ।
ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ଚିକିତ୍ସାରେ ଅବହେଳା କରନ୍ତୁ ନାହିଁ । ଚିକିତ୍ସକଙ୍କ ପରାମର୍ଶରେ ନିୟମିତ ପରୀକ୍ଷାନିରୀକ୍ଷା କରାଇଲେ ରୋଗର ପୁନଃ ଆବିର୍ଭାବକୁ ଠିକଣା ସମୟରେ ଠାବକରି ଚିକିତ୍ସା କରାଯାଇ ପାରିବ ।
ଆଧାର - ଡା. ଦ୍ଵିଜେଶ କୁମାର ପଣ୍ଡା, ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ ଟ୍ରଷ୍ଟ
Last Modified : 12/12/2019