କାଛୁ ବା ସାତ ବର୍ଷିଆ ଗଲୁ ଏକ ଚର୍ମ ସଂକ୍ରମଣ ଯାହା ସାର୍କୋପ୍ଟେସ ସ୍କାବି ନାମକ ଉକୁଣି ଜାତୀୟ ଜୀବର ସଂକ୍ରମଣ ଯୋଗୁ ହୁଏ । ଏହାର ସାଧାରଣ ଲକ୍ଷଣ: ଗଲୁ ଓ ଏକ ବ୍ରଣ ଭଳି ରାସ । ବେଳେ ବେଳେ ଚର୍ମରେ କ୍ଷୁଦ୍ର କଣା ଦେଖାଯାଏ । ପ୍ରଥମ ସଂକ୍ରମଣର ୨ ରୁ ୬ ସପ୍ତାହ ପରେ ଲକ୍ଷଣ ଆରମ୍ଭ ହୁଏ । ଦ୍ୱିତୀୟ ଥର ସଂକ୍ରମଣ ହେଲେ ଗୋଟିଏ ଦିନରେ ଲକ୍ଷଣ ଆରମ୍ଭ ହୁଏ । ଏହି ଲକ୍ଷଣ ସମୂହ ସାରା ଦେହରେ ଦେଖାଯାଇପାରେ କିନ୍ତୁ କଚଟି, ଆଙ୍ଗୁଳି ସନ୍ଧି ଓ ଅଣ୍ଟାଗାରରେ ହୁଏ । ମୁଣ୍ଡରେ ସାଧାରଣତଃ ଅଳ୍ପ ବୟସ ପିଲାଙ୍କର ହୁଏ, ବଡ଼ ପିଲା ଓ ବୟସ୍କ ଲୋକଙ୍କର ହୁଏ ନାହିଁ । ଅଧିକାଂଶ ସମୟରେ ରାତିରେ ଗଲୁ ହେ । କୁଣ୍ଡେଇବାଦ୍ୱାରା ଚର୍ମରେ କ୍ଷତ ସୃଷ୍ଟି ହୋଇ ସଂକ୍ରମଣ ହୁଏ । କାଛୁ ରୋଗ ଏକ ପ୍ରକାର ଉକୁଣିଜାତୀୟ ପ୍ରାଣୀ (ଇଂରାଜୀ ଭାଷାରେ ମାଇଟ/ Mite) ସାର୍କୋପ୍ଟେସ ସ୍କାବିଦ୍ଵାରା ସଂକ୍ରମିତ ହୁଏ । ସାର୍କୋପ୍ଟେସ ମଣିଷ ଚର୍ମରେ କଣା କରି ରହେ ଓ ଅଣ୍ଡା ଦିଏ । ଏହି ସଂକ୍ରମଣରେ ମାଇଟ ପ୍ରତି ଦେହରେ ଆଲର୍ଜି ସୃଷ୍ଟି ହୁଏ । ଅଧିକାଂଶ ସମୟରେ କେବଳ 10 ରୁ 15 ଟି ମାଇଟ ସଙ୍କ୍ରମଣରେ ରହନ୍ତି । ଅଧିକାଂଶ ସମୟରେ ଦୀର୍ଘ ସମୟ ଧରି ସଂସ୍ପର୍ଶରେ (ଯେପରି ଯୌନ ସମ୍ପର୍କ) ରହିଲେ ରୋଗୀ ଚର୍ମରୁ ସିଧା ସଳଖ ସୁସ୍ଥ ଲୋକକୁ ବ୍ୟପିବା ଦେଖାଯାଏ । ଲକ୍ଷଣ ବାହାରିବା ପୂର୍ବରୁ ମଧ୍ୟ ଜଣକର ଦେହରୁ ସଂକ୍ରମଣ ହୋଇପାରିବ । ଅଳ୍ପ ସ୍ଥାନରେ ଅଧିକ ଲୋକ ଏକତ୍ରିତ ରହୁଥିଲେ (ଯେପରିକି ଜେଲଖାନା, ପିଲାମାନେ ରହୁଥିବା ଅସ୍ଵାସ୍ଥ୍ୟକର ଛାତ୍ରାବାସ) ରୋଗ ବ୍ୟାପିବା ସମ୍ଭାବନା ଅଧିକ ରହେ । ଜନବସତି ସ୍ଥାନରେ ଜଳାଭାବ ମଧ୍ୟ ଏହାର ଏକ କାରଣ ରୂପେ ଜଣାଶୁଣା । ବକଳ କାଛୁଏହାର ଏକ ଗମ୍ଭୀର ସମସ୍ୟାଯୁକ୍ତ ଅବସ୍ଥା । ଇମ୍ମ୍ୟୁନିଟି ଅଭାବ ଥିବା ଲୋକର ଏହି ରୋଗ ହୁଏ ଓ ନିଯୁତାଧିକ ମାଇଟ ଦେହରେ ଥିବାରୁ ଅଧିକ ସଂକ୍ରମଣ ଆଶଙ୍କା ହୁଏ । ଏହି ଧରଣର ଲୋକଙ୍କର ସାମାନ୍ୟ ସ୍ପର୍ଶରେ ବା ଜିନିଷ ସଂସ୍ପର୍ଶରେ ଆସିଲେ ଏହି ରୋଗ ଡିଏ । ଖାଲି ଆଖିକୁ ମାଇଟ ଦେଖାଯାନ୍ତି ନାହିଁ ଚିହ୍ନ ଓ ଲକ୍ଷଣ ଦେଖି ସହଜରେ ରୋଗ ନିର୍ଣ୍ଣୟ କରିହୁଏ ।
କାଛ ରୋଗ ଚିକିତ୍ସା ନିମନ୍ତେ ପରମେଥ୍ରୀନ, କ୍ରୋଟାମିଟ୍ରୋନ ଓ ଲିଣ୍ଡେନ ମଲମ ଓ ଲିଭରମେକ୍ଟିନ ବଟିକା ମିଳୁଛି । ଗୋଟିଏ ଘରେ ଏକ ମାସ ମଧ୍ୟରେ ଯୌନ ସମ୍ପର୍କ ରଖିଥିବା ସମସ୍ତଙ୍କୁ ଏକକାଳୀନ ଚିକିତ୍ସା କରିବା ଉଚିତ । ଗତ ୩ ଦିନରେ ବ୍ୟବହାର କରିଥିବା ଲୁଗାପଟା ଗରମ ପାଣିରେ ଧୋଇ ଖରାରେ ବା ଡ୍ରାୟର ଯନ୍ତରେ ଶୁଖେଇବା ଆବଶ୍ୟକ । ମଣିଷ ଚମ ବାହାରେ ମାଇଟ ୩ ଦିନରୁ ଅଧିକ ବଞ୍ଚି ପାରୁ ନ ଥିବାରୁ ଅଧିକ ଧୋଇବା ଅନାବଶ୍ୟକ । ଚିକିତ୍ସା ପରେ୨ ରୁ ୪ ସପ୍ତାହ ପର୍ଯ୍ୟନ୍ତ ଲକ୍ଷଣ ଲାଗିରହି ପାରେ । ଏହା ପରେ ଲକ୍ଷଣ ଲାଗି ରହିଲେ ଆଉ ଠାରେ ଚିକିତ୍ସା କରିବା ଆବଶ୍ୟକ ହୁଏ ।
ପିଲାଙ୍କୁ ହେଉଥିବା ଅତି ସାଧାରଣ ଚର୍ମ ରୋଗ ମଧ୍ୟରୁ କାଛୁ ଗୋଟିଏ, ଅନ୍ୟ ଦୁଇଟିର ନାମ ଯାଦୁ ଓ ଜୀବାଣୁ ଜନିତ ସଂକ୍ରମଣ ସନ ୨୦୧୦ ରେ ୧୦୦ ନିୟୁତ ଲୋକଙ୍କୁ (ଜନସଂଖ୍ୟାର ୧.୫ %) ଏହି ରୋଗ ହୋଇଥିଲା ଓ ପୁରୁଷ ତଥା ମହିଳା ସମପରିମାଣରେ ହୋଇଥିଲା । ଅଳ୍ପ ବୟସ୍କ ଓ ବୃଦ୍ଧ ଲୋକମାନଙ୍କୁ ଏହି ରୋଗ ଅଧିକ ହୁଏ । ଏହା ବିକାଶଶୀଳ ଦେଶ ଓଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଅଧିକ ହୁଏ । ଲାଟିନ: ଭାଷାରେ ସ୍କାବାରେ, ଅର୍ଥ "କୁଣ୍ଡେଇବା" । ଅନ୍ୟ ପଶୁ ମାନବ କାଛୁ ସଂକ୍ରମଣ କରନ୍ତି ନାହିଁ । ପଶୁମାନଙ୍କୁ ହେଉଥିବା ସଂକ୍ରମଣସାର୍କୋପ୍ଟେସ ମାଙ୍ଗେଦ୍ଵାରା ହୁଏ ।
କାଛୁର ଅତି ପରିଚିତ ଲକ୍ଷଣ: କୁଣ୍ଡେଇ ହେବା ଓ ରର୍ମରେ ସରୁ କଣା ଦେଖାଯିବା । ତିନି ଚାରୋଟି କଣା ସିଧାରେ ଲାଗି ଲାଗି ଥାଏ ଓ ମଶା କାମୁଡ଼ା ଭଳି ଦେଖାଯାଏ ।
ଉଷ୍ମତା ପାଇଲେ ବେଶୀ କୁଣ୍ଡେଇ ହୁଏ, ରାତିରେ ବୋଧହୁଏ ମନର ଅନ୍ୟ ଆକର୍ଷଣ ନ ଥିବାରୁ ଅଧିକ ହୁଏ । ବୟସ୍କ ଲୋକଙ୍କର ଏତେ କୁଣ୍ଡେଇ ହୁଏ ନାହିଁ ।
ସାଧାରଣତଃ ହାତରେ ଆଙ୍ଗୁଠି ସନ୍ଧିରେ, ପାଦରେ, କଚଟିରେ (Wrist), କହୁଣିରେ, ପିଠିରେ, ପିଚାରେ ଓ ବାହ୍ୟ ଯୌନାଙ୍ଗରେ କାଛୁ ଦେଖାଯାଏ । ଛୋଟ ଶିଶୁଙ୍କର ଓ ଇମ୍ମ୍ୟୁନିଟି କମ ଥିବା ଲୋକଙ୍କ ବ୍ୟତୀତ ଅନ୍ୟମାନଙ୍କର ମୁଣ୍ଡରେ ଓ ମୁହଁରେ ଏହା ଦେଖାଯାଏ ନାହିଁ । ପରଜୀବିମାନେ କଣା କରି ଚର୍ମ ଭିତରେ ପଶନ୍ତି ।
କଣାଗୁଡ଼ିକ ସଳଖ ବା ଇଂରାଜୀ ଏସ ଅକ୍ଷର ଭଳି ଦେଖାଯାଏ ଓ ସାଥିରେ ପୋକ ବା ମଶା କାମୁଡ଼ା ଦାଗ ଭଳି ଦେଖାଯାଏ । ଦେହର ସନ୍ଧି ସ୍ଥଳରେ ଯେମିତିକି ସ୍ତନ ତଳେ, ହାତ ଓ ପାଦର ଆଙ୍ଗୁଠି ସନ୍ଧିରେ ଓ ଯୌନାଙ୍ଗରେ ଏହି ଚିହ୍ନ ସବୁ ଦେଖାଯାଏ ।
ରୋଗୀ ସଂସ୍ପର୍ଶରେ ଆସିବାର ଦୁଇରୁ ଛଅ ସପ୍ତାହ ମଧ୍ୟରେ ରୋଗ ହୁଏ । ଆଗରୁ ଏହି ଏହି ରୋଗ ଥିଲେ ଅଳ୍ପ ଦିନ ମଧ୍ୟରେ ଦେଖାଯାଏ । ଅନେକ ମାସ ଓ ବର୍ଷ ପରେ ମଧ୍ୟ ଦେଖାଯାଇପାରେ । ଛୋଟ ଶିଶୁଙ୍କର ରୋଗରେ ଫୋଟକା ଓ ପୂଜ ଥିବା ଫୋଟକା ଦେଖାଯାଏ ।
ବୟସ୍କ ଲୋକ ଓ ଇମ୍ମ୍ୟୁନିଟି କମ ଥିବା ଲୋକଙ୍କର (ଏଚ୍ ଆଇ.ଭି ଓ କର୍କଟ ରୋଗୀ) ଏହି ଖୋଳପା କାଛୁ (ନର୍ଵେଜିଆନ କାଛୁ Norwegian scabies) ହୁଏ । ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଦେହରେ ପରଜୀବିମାନେ ହଜାର ସଂଖ୍ୟାରେ ବଂଶ ବୃଦ୍ଧି କରନ୍ତି । ଏଥିରେ କୁଣ୍ଡେଇ ହେବା ସଙ୍ଗେ ସଙ୍ଗେ କାତି ଭଳି ଖୋଳପା ବାହାରେ । ଏହି ଖୋଳପାଗୁଡ଼ିକ ଯୋଗୁ ମଲମରୁ ପରଜୀବିମାନେ ରକ୍ଷା ପାଆନ୍ତି ।
ଅଷ୍ଟାଦଶ ଶତାବ୍ଦୀରେ ଇତାଲୀୟ ଜୀବବିଜ୍ଞାନୀ ଡାୟାସିଣ୍ଟୋ ସେସ୍ଟୋନିଅ (Italian biologistDiacinto Cestoni - ୧୬୩୭– ୧୭୧୮) ସର୍ବ ପ୍ରଥମେ କାଛୁ ରୋଗ ସୃଷ୍ଟି କରୁଥିବା କୀଟ ବିଷୟରେ ଲେଖିଥିଲେ ଯାହା ଆଜି ସାର୍କୋପ୍ଟେସ ସ୍କାବି (Sarcoptes scabiei) ନାମରେ ପରିଚିତ । ଏହି ଜୀବ ଟିଙ୍କ ତଥା ବୁଢିଆଣୀ ଶ୍ରେଣୀର ଜୀବ ଓ ସ୍କାବ ମାଇଟ (as scab mites) ପରିବାରର ସଦଶ୍ୟ ।
ଏହି କୀଟ ବେଳେ ବେଳେ ଖାଲି ଆଖିକୁ ଦେଖାଯାଏ ନାହିଁ, କିନ୍ତୁ ବେଳେ ବେଳେ ଧଳା ପିନ ମୂନ ଭଳି ଦେଖାଯାଏ । ଗର୍ଭିଣୀ ମାଈ କୀଟ ଚର୍ମର ବାହ୍ୟ ମୃତ ସ୍ତର (Stratum corneum) କଣା କରି ଭିତରକୁ ପଶେ ଓ ଅଣ୍ଡା ଦିଏ । ଏହି ଅଣ୍ଡାଗୁଡ଼ିକ ୩ ରୁ ଦଶ ଦିନ ମଧ୍ୟରେ ଲାର୍ଭାରେ ପରିଣତ ହୁଅନ୍ତି ଓ ଚର୍ମରେ ରହି ନିମ୍ଫାଲ ("nymphal") ଭାବରେ ପରିଚିତ ହୋଇ ୩/ ୪ ସପ୍ତାହ ଦେହରେ ରହିବା ପରେ ବୟସ୍କ ହୁଅନ୍ତି । ଅଣ୍ଡିରା କୀଟ ଚମ ଉପରେ ବୁଲନ୍ତି । ମାଈ କୀଟ କଣା ଭିତରେ ରହନ୍ତି । ସୁସ୍ଥ ଲୋକ ଦେହରେ ପ୍ରାୟ ୧୧ଟି କୀଟ ଏକା ବେଳେକେ ରହିବା ଦେଖା ଯାଇଛି ।
କୀଟଙ୍କର ଚଳ ପ୍ରଚଳ ଦ୍ଵାରା ପ୍ରବଳ କୁଣ୍ଡେଇ ହୁଏ ଓ ପରେ ପ୍ରଦାହ ହୁଏ । କାଛୁ ଏକ ଡିଆଁ ରୋଗ । ସଂକ୍ରମିତ ସ୍ଥାନକୁ କୁଣ୍ଡେଇଲେ ନଖ କୋଣରେ କୀଟ ସ୍ଥାନନ୍ତରିତ ହୁଏ । ଅଧିକ ସମୟ ଧରି ମିଳାମିଶା କଲେ ରୋଗ ଡିଏଁ । ମଣିଷ ଦେହ ବିନା ଏହା ୨୪ ରୁ ୩୬ ଘଣ୍ଟା ମାତ୍ର ବଞ୍ଚିପାରିବ ।
ନିର୍ଦ୍ଧାରିତ ସ୍ଥାନରେ କୂଣ୍ଡେଇ ହେଲେ ଓ କ୍ଷୁଦ୍ର କଣା ଦେଖାଗଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଡର୍ମୋସ୍କୋପି ଦ୍ଵାରା ନିଧାର୍ଯ୍ୟ ଭାବେ ନିର୍ଣ୍ଣୟ କରାଯାଏ ।
ପରିବାର ତଥା ସାଇର ସଦସ୍ୟମାନଙ୍କର ରୋଗୀ ସହ ଚିକିତ୍ସା ଆବଶ୍ୟକ । ନଚେତ ଏହି ରୋଗ ପୁନଶ୍ଚ ଅନ୍ୟ ସଦସ୍ୟମାନଙ୍କଠାରୁ ଡେଇଁବ । କୁଣ୍ଡେଇବା ରୋକିବା ନିମନ୍ତେ ଆଣ୍ଟିହିସ୍ଟାମିନ୍ ଔଷଧ ଦିଆଯାଏ । ବେଞ୍ଜାଇଲ ବେଞ୍ଜୋଏଟ (Benzyl benzoate) ଦ୍ରବଣ ସାରା ଦେହରେ ଲଗେଇବାକୁ ହୁଏ । ୧୦ % ଗନ୍ଧକ Sulpher ଦ୍ରବଣ ମଧ୍ୟ କାମ ଦିଏ । ଏକ ସପ୍ତାହ ଧରି ଔଷଧ ଲଗେଇବାକୁ ହୁଏ ।
ଆଧାର
Last Modified : 3/22/2020