অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାଶ, ଶ୍ଵାସ ଓ ଦମା

କାଶ, ଶ୍ଵାସ ଓ ଦମା

କାଶ, ଶ୍ଵାସ ଓ ଦମାଶତାଧିକ ପ୍ରକାର ଫୁସ୍‌ଫୁସ୍ (ଲଙ୍ଗସ) ରୋଗ ଅଛି । ସମସ୍ତଙ୍କର କିନ୍ତୁ ଗୋଟିଏ ଲକ୍ଷଣ ନିଶ୍ଚୟ ଥାଏ, ତାହା ହେଲା କାଶ, ଶ୍ଵାସ ଓ ଦମା । ସାଧାରଣ ଫୁସ୍‌ଫୁସ୍ ରୋଗଗୁଡ଼ିକ ମଧ୍ୟରେ ଶ୍ଵାସ (ଆଜମା ), ବ୍ରୋଙ୍କାଇଟିସ୍, ସି.ଓ.ପି.ଡ଼ି  ଫୁସଫୁସ ଯକ୍ଷ୍ମୀ , ଫୁସଫୁସ୍ କର୍କଟ, ଫୁସ୍ ଫୁସ୍  ଫାଇବ୍ରୋସିସ୍, ଫୁସ୍‌ଫୁସ୍‌ର ଜୀବାଣୁ ଓ ଭୂତାଣୁ ଜନିତ ରୋଗ ଆଦି ଅନ୍ତର୍ଭୁକ୍ତ ।

ବର୍ତ୍ତମାନ  ଭୂତାଣୁ ଜୀବାଣୁ ଜନିତ ଫୁସଫୁସ ରୋଗ ଓ ଫୁସଫୁସ ଯକ୍ଷ୍ମା ରୋଗ ଆଦି ନିୟନ୍ତ୍ରଣ ହେଲାପରେ ବାୟୁ ପ୍ରଦୂଷଣ ଓ ଜୀବନଶୈଳୀରେ ପରିବର୍ତନ ଯୋଗୁଁ ଶ୍ଵାସ ଓ ସି.ଓ.ପି.ଡ଼ି ରୋଗ ବହୁ ପରିମାଣରେ ବଢ଼ିଯାଇଛି । ସାଧାରଣ ରୋଗୀ ଶ୍ଵାସ ଏବଂ ସି.ଓ.ପି.ଡ଼ି ରୋଗକୁ ଅଲଗା କରିପାରନ୍ତି ନାହିଁ । ହିନ୍ଦୀ ଭାଷୀମାନେ ଏହାକୁ ଦମା ଏବଂ ଓଡ଼ିଆ ଓ ବଙ୍ଗଳା ଭାଷୀମାନେ ଏହାକୁ ଶ୍ଵାସ କହନ୍ତି । ଡ଼ାକ୍ତରମାନେ ଏହାକୁ ସ୍ପାଇରୋମେଟ୍ରି ପରୀକ୍ଷା ଦ୍ଵାରା ଅଲଗା କରନ୍ତି ।

ସି.ଓ.ପି.ଡ଼ି କ'ଣ ?

ସି.ଓ.ପି.ଡ଼ି ଗୋଟିଏ ପ୍ରକାର ଠାର । ଏହାର ପୁରା ନାମ କ୍ରନିକ ଅବଷ୍ଟ୍ରକଟିଭ ପଲମୋନାରି ଡିଜିଜ । ଆମର ଶ୍ଵାସ ନଳୀ ଓଲଟା ବରଗଛ ଭଳି । ସି.ଓ.ପି.ଡ଼ି ରୋଗରେ ଶ୍ଵାସନଳୀ ସବୁ ଫୁଲିଯାଇ ସରୁ ହୋଇଯାଏ । ତାହା ଔଷଧ କିମ୍ବା ଇନହେଲେସନ ଚିକିତ୍ସା ମାଧ୍ୟମରେ ଆଉ ପୂର୍ବାବସ୍ଥାକୁ ଫେରେନାହିଁ ।

ଶ୍ୱାସ ରୋଗରେ ଶ୍ଵାସନଳୀ ଚିକିତ୍ସା ଦ୍ଵାରା ପୂର୍ବ ଅବସ୍ଥାକୁ ଫେରିଯାଏ । ଥରେ ସି.ଓ.ପି.ଡ଼ି ରୋଗ ଆରମ୍ଭ ହେଲେ ବଢିଚାଲେ । ଏହି ରୋଗ ପୃଥିବୀରେ ମୃତ୍ୟୁର ଚତୁର୍ଥ ପ୍ରମୁଖ କାରଣ । ପ୍ରଥମ କର୍କଟ, ଦ୍ଵିତୀୟ ହୃଦରୋଗ, ତୃତୀୟ-ସଂକ୍ରମଣ ଜୀବାଣୁ ଓ ଭୂତାଣୁ ଜନିତ ରୋଗ । ସିଗାରେଟ, ବିଡି ସମେତ ବିଭିନ୍ନ ପ୍ରକାର ତମାଖୁ ସେବନ, ଏପରିକି ସିଗାରେଟ ପିଉଥିବା ଲୋକଙ୍କ ସଙ୍ଗେ ଦୀର୍ଘଦିନ ଧରି କାରବାର ହେଉଥିବା ଲୋକଙ୍କର ଏହି ରୋଗ ବେଶି ହୋଇଥାଏ ।

ରୋଷେଇ ପାଇଁ ବ୍ୟବହୃତ ହେଉଥିବା ଗୋବର ଘଷି, କଞ୍ଚା ଦର ଶୁଖିଲା କାଠ, ଶୁଖିଲା ପତ୍ରର ଧୂଆଁ ଆଦି ସ୍ତ୍ରୀ ଲୋକଙ୍କ ଠାରେ ଏହି ରୋଗର ମୁଖ୍ୟ କାରଣ । ଦିନକର ରୋଷେଇ ଧୂଆଁ ଚାରିଶହ ସିଗାରେଟ ପିଇବା ସଙ୍ଗେ ସମାନ ।

ଏହା ବ୍ୟତୀତ ବାୟୁ ପ୍ରଦୂଷଣ ଏହି ରୋଗର ପ୍ରମୁଖ କାରଣ । ଛୋଟ କାରଖାନାରୁ ନିର୍ଗତ ଧୁଆଁ ବାୟୁମଣ୍ଡଳକୁ ଦୂଷିତ କରି ନିକଟବର୍ତ୍ତୀ ଲୋକ ଓ ଶ୍ରମିକଙ୍କ ସି.ଓ.ପି.ଡ଼ି ରୋଗର ମୁଖ୍ୟ କାରଣ ହୋଇଥାଏ । ସି.ଓ.ପି.ଡ଼ି ଆଜମା ନୁହେଁ । ଆଜମା ଠାରୁ ବହୁଗୁଣରେ କ୍ଷତିକାରକ । ଏହି ରୋଗ ଫୁସଫୁସ ବ୍ୟତୀତ 'ହୃଦରୋଗ, ପେପଟିକ ଅଲସର, ଅଷ୍ଟିଓପୋରୋସିସ (ହାଡ଼ପୋରିଆ) ମାନସିକ ଅବସାଦ ଭଳି ବହୁ ରୋଗର କାରଣ ।

ସି.ଓ.ପି.ଡ଼ି ଚିହ୍ନିବା କିପରି

ମାସ ମାସ ବର୍ଷ ବର୍ଷ ଧରି ଏହି ଲୋକମାନେ କାଶନ୍ତି । କାଶରେ ଖଙ୍କାର କାଢ଼ନ୍ତି । ଅଣନିଃଶ୍ଵାସୀ ହୋଇଯାଆନ୍ତି । କିନ୍ତୁଡ଼ାକ୍ତରଙ୍କୁ ଦେଖାନ୍ତି ନାହିଁ । ସେମାନେ ଏହାକୁ ସିଗାରେଟ ଓ ବିଡ଼ି ଖିଆ ଯୋଗୁଁ ହେଉଛି ବୋଲି ଭାବି ସମ୍ଭାଳି ନିଅନ୍ତି । ରୋଗ ବଢ଼ିଗଲେ କାଶ, ଶ୍ଵାସ ଓ ଦମା ସହ ଅଣନିଶ୍ବାଶ୍ଵାସୀ ହୁଅନ୍ତି । ଛାତି ଦମଦମ  ପଡ଼େ । ନଖ ନୀଳ ହୋଇଯାଏ । ପରସ୍ରା କମ ହୁଏ । ବହୁ ଦୁର୍ବଳ ଲାଗେ  ଭୋକ ହୁଏ ନାହିଁ।

ଓଜନ କମିଯାଇଥାଏ । ମନରେ ବିଭିନ୍ନ ପ୍ରକାର ଭାବନା ଓ ଦୁଃଖ ସୃଷ୍ଟି ହୋଇଥାଏ । ଆଣ୍ଠୁଗଣ୍ଠି ଦରଜ ହୁଏ । ରୋଗ ଅଧିକ ବଢ଼ିଗଲେ, ଏକ ସମୟରେ ୬ ମିଟର ଚାଲିବା କଷ୍ଟକର ହୋଇଥାଏ । ସ୍ଫାଇରୋମିଟର ଫୁଙ୍କି ହୁଏ ନାହିଁ । ଏହାର ମାତ୍ରା ୫୦ ତଳେ ରହେ ।

ଏହି ରୋଗକୁ ଭଲ କରିହୁଏ ନାହିଁ । ସାରା ଜୀବନ ଔଷଧ ଖାଇବାକୁ ପଡ଼େ । ଧୂମପାନରୁ ବିରତି ସାଙ୍ଗକୁ ସବୁପ୍ରକାର ତମାଖୁ ସେବନରୁ ବିରତି ହେବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଯେଉଁମାନେ ଏହା କରିପାରୁନାହାଁନ୍ତି, ସେମାନେ ନିକୋଟିନ୍ ରିପ୍ଲେସମେଣ୍ଟ ଥେରାପି, ବ୍ୟୁଥ୍ରୋପିଅନ, ବାରେନିକ୍ଲିନର ସିଗାରେଟ ଭଳି ଔଷଧ ଖାଇ ତମାଖୁ ଛାଡ଼ିବା ଉଚିତ ।

ଯେଉଁ ସି.ଓ.ପି.ଡ଼ି ରୋଗୀମାନେ ଆରମ୍ଭ ଅବସ୍ଥାରେ ଅଛନ୍ତି, ସେମାନେ ସବୁପ୍ରକାର ଧୂମପାନ ଛି କରି ଛାଡ଼ିଦେବା ଭଲ। । କଫ, ଏବଂ ଖଙ୍କାର ସବୁଠିକ ଭାବେ ପାଟିରୁ ସଫା କରିବା ଭଲ । ନିଶ୍ଵାସ ଏବଂ ପ୍ରଶ୍ଵାସ ନେବାର କେତେକ ସ୍ଵତନ୍ତ୍ର କୌଶଳ ରହିଛି, ସେଗୁଡ଼ିକୁ ଡ଼ାକ୍ତରଙ୍କୁ ପଚାରି ବୁଝିନେବା ଭଲ । ଏହାବ୍ୟତୀତ ଯୋଗ, ବ୍ୟାୟାମ, ପ୍ରାଣାୟାମ, ସୁନିଦ୍ରା ଆଦି ଠିକ ଭାବରେ ହେବା ଆବଶ୍ୟକ । ସୁଷମ ଖାଦ୍ୟ ଖାଇ ଶରୀରକୁ ହୃଷ୍ଟପୃଷ୍ଟ ରଖିବା ମଧ୍ୟ ଏହି ରୋଗ ପାଇଁ ଖୁବ ଗୁରୁତ୍ଵପୂର୍ଣ୍ଣ ।

ରୋଗ ବଢ଼ିଗଲେ ଅମ୍ଳଜାନ ନେବା କିମ୍ବା ନନଇନଭାସିଭା ଭେଣ୍ଟିଲେସନ ବାଇପାପ ମେସିନ ଦ୍ଵାରା ନେଲେ ଉପକାର ମିଳିଥାଏ ।

ରୋଗୀଙ୍କୁ ମଧ୍ୟ ମାନସିକ ଏବଂ ଶାରୀରିକ ସ୍ତରରେ ଶିକ୍ଷା ଦିଆଯାଇଥାଏ । ଏହି ରୋଗର ଚିକିତ୍ସା ପାଇଁ ବିଭିନ୍ନ ପ୍ରକାର ଔଷଧ ଯଥା ଇନହେଲର, ନେବ୍ରଲାଇଜର, ଆସିବ୍ରୋଫାଇଲିନ, ରୋଫିମିଲାଷ୍ଟ ଆଦି ଭଳି ବହୁ ନୂତନ ପ୍ରକାର ମିଳିଲାଣି ।

ସଂଗୃହିତ : ଡାକ୍ତର ନିରଞ୍ଜନ ତ୍ରିପାଠୀ, ଜୀବନ ବିକାଶ, ନିମ ସାହି, କଟକ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate