অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଟନସିଲାଇଟିସ

ଉପକ୍ରମ

ଟନସିଲାଇଟିସ କହିଲେ ଗଳାରେ ଥିବା ଟନସିଲ ଗ୍ରନ୍ଥିର ପ୍ରଦାହ ରୋଗକୁ ବୁଝାଏ । ଭୁତାଣୁ ବା ଭାଇରସ ଓ ଜୀବାଣୁ ଆକ୍ରମଣ ଯୋଗୁ ଏହି ରୋଗ ମନୁଷ୍ୟ ଶରୀରରେ ହୁଏ । ଗ୍ରୁପ A ଷ୍ଟ୍ରେପ୍ଟୋକୋକସ ଜୀବାଣୁ ଯୋଗୁ ଏହି ରୋଗ ହେଲେ ଷ୍ଟ୍ରେପଥ୍ରୋଟ (Streptothroat) କୁହାଯାଏ ।

ଔଷଧ ଦିଆ ହେଉ ବା ନ ହେଉ, ଏହି ରୋଗ ଅଧିକାଂଶ କ୍ଷେତ୍ରରେ ଭଲ ହୋଇଯାଏ । ତିନି ଦିନ ମଧ୍ୟରେ ୪0% ଲୋକ ଭଲ ହୋଇଯାଆନ୍ତି, ଏକ ସପ୍ତାହ ମଧ୍ୟରେ ୮୫ % ଲୋକ ଭଲ ହୋଇ ଯାଆନ୍ତି ।

ଚିହ୍ନ ଓ ଲକ୍ଷଣ

  • ଗଳାଦାହ (Sore throat)
  • ଟନସିଲ ଲାଲ ଦେଖାଯାଏ ଓ ଫୁଲିଥିବା ଦେଖାଯାଏ ।
  • ଖାଇଲା ବେଳେ କଷ୍ଟ ହୁଏ ।
  • ଉଚ୍ଚ ତାପମାତ୍ରା ଜ୍ଵର ହୁଏ ।
  • କାଶ
  • ମୁଣ୍ଡ ବଥା
  • ଥକ୍କା ଲାଗିବା
  • ଶୀତ ଲାଗିବା
  • ଅସୁସ୍ଥ
  • ଟନସିଲରେ ପୂଜ ଦେଖାଯାଏ
  • ବେକର ଲସିକା ଗ୍ରନ୍ଥି ଫୁଲିଯାଏ ।
  • କାନ ଓ ବେକରେ ଯନ୍ତ୍ରଣା ହୁଏ ।
  • ଅଳ୍ପ ଲକ୍ଷଣ
  • ବାନ୍ତି ଲାଗିବା
  • ପାକସ୍ଥଳୀରେ କଷ୍ଟ
  • ଜିଭ ଉପରେ କୋଟିଙ୍ଗ ହେବା
  • ନିଶ୍ଵାସ ଦୁର୍ଗନ୍ଧ ହେବା (halitosis)
  • ସ୍ଵର ପରିବର୍ତ୍ତନ
  • ମୁହଁ ଖୋଲିବାକୁ କଷ୍ଟ ହୁଏ । ଉଗ୍ର ଟନସିଲାଇଟିସ ହେଲେ ଟନସିଲ ଉଜ୍ଜ୍ଵଳ ଲାଲ ଦେଖା ଯାଇ ଓ ଠାଏ ଠାଏ ପୂଜ ଦେଖାଯାଏ । ବାରମ୍ବାର ଟନସିଲାଇଟିସ ହେଲେ ଟନସିଲୋଲିଥ (Tonsillolith) ହୁଏ ।

କାରଣ

ଟନସିଲାଇଟିସ ହେବାର ଅତି ସାଧାରଣ କାରଣମାନଙ୍କ ମଧ୍ୟରେ ଭୁତାଣୁ ମୂଖ୍ୟ ସ୍ଥାନ ଅଧିକାର କରେ ।ମୂଖ୍ୟ ଭୁତାଣୁ ମାନଙ୍କର ନାମ: ଆଡେନୋଭାଇରସ, ରାଇନୋଭାଇରସ, ଇନଫ୍ଲୁଏଞ୍ଜା ଭାଇରସ, କରୋନାଭାଇରସ ଓ ରେସ୍ପିରେଟରି ସିନ୍ସିଟିଆଲ ଭାଇରସ । ଏହି ରୋଗ ଅନ୍ୟ କେତେକ ଭୁତାଣୁ ଦ୍ଵାରା ମଧ୍ୟ ହୁଏ ଯଥା ଏପସ୍ଟେନ-ବାର ଭୁତାଣୁ, ହର୍ପେସ ସିମ୍ପ୍ଲେକ୍ସ ଭୁତାଣୁ, ସାଇଟୋମେଗାଲୋ ଭୁତାଣୁ ଓ ଏଚ.ଆଇ.ଭି. ଭୁତାଣୁ । ଦ୍ଵିତୀୟରେ ଏହି ରୋଗ ସଂକ୍ରମଣ କରାଉଥିବା ଜୀବାଣୁ ନାମ: ଗ୍ରୁପ୍ ଏ ବିଟା-ହେମୋଲିଟିକସ ସ୍ଟ୍ରେପ୍ଟୋକୋକସ ଯାହା ସ୍ଟ୍ରେପ୍ ଥ୍ରୋଟ ରୋଗ କରାଏ । ସ୍ଵଳ୍ପ ସାଧାରଣ ଜୀବାଣୁ ନାମ: ସ୍ଟାଫିଲୋକୋକସ ଅରିଅସ (ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକସ ଅରିଅସ), ସ୍ଟ୍ରେପ୍ଟୋକୋକସ ନିମୋନି, ମାଇକୋପ୍ଲାଜ୍ମା ନିମୋନି, କ୍ଲାମିଡିଆ ନିମୋନି, ପର୍ଟୁସିସ୍, ଫୁସୋବ୍ୟାକ୍ଟେରିଅମ, ଡିପଥେରିଆ, ସିଫିଲିସ୍ ଓ ଗନେରିଆ । କିଛି ଅଣବାୟୁଜୀବି ଜୀବାଣୁ ଏହି ରୋଗ କରିବା ସମ୍ଭାବନା ଥିବା କଥା କେତେକ ପରୀକ୍ଷା ଦ୍ଵାରା ଜଣାପଡ଼ୁଛି । ସାଧାରଣ ପରିସ୍ଥିତିରେ ଭୁତାଣୁ ଓ ଜୀବାଣୁ ବାୟୁ ମାଧ୍ୟମରେ ନାକ ଓ ପାଟି ବାଟ ଦେଇ ଗଳାରେ ପ୍ରବେଶ କରନ୍ତି ଯେଉଁଠାରେ ଟନସିଲ ଦ୍ଵାରା ଛାଣି ହୋଇଯାଆନ୍ତି । ଏହି ଟନସିଲରେ ଶ୍ଵେତ ରକ୍ତ କଣିକା ଓ ପ୍ରତିରୋଧ ପ୍ରଣାଳୀ ଦ୍ଵାରା ପ୍ରଦାହକାରୀ ସାଇଟିକାଇନେଜ ଯଥା ଫସ୍ଫୋଲାଇପେଜ ଏ୨ ଦ୍ଵାରା ଭୁତାଣୁ ଓ ଜୀବାଣୁ ନଷ୍ଟ ହୋଇଯାଆନ୍ତି ଓ ଏହା ଯୋଗୁ ଜ୍ଵର ମଧ୍ୟ ହୁଏ । ଏହି ସଂକ୍ରମଣ ପାର୍ଶ୍ଵବତ୍ତୀ ସ୍ଥାନ ଫାରିଙ୍କ୍ସରେ ମଧ୍ୟ ପ୍ରଦାହ ସୃଷ୍ଟ କରେ । ବେଳେ ବେଳେ ସ୍ପାଇରୋକେଟା ଓ ଟ୍ରେପାନୋମା ଦ୍ଵାରା ଟନସିଲାଇଟିସ ହେଲେ ତାହାକୁ ଭିନସେଣ୍ଟ ଆଞ୍ଜିନା ବା ପ୍ଲଟ- ଭିନସେଣ୍ଟ ଆଞ୍ଜିନା କୁହାଯାଏ ।

ରୋଗ ନିର୍ଣ୍ଣୟ

  • ନିମ୍ନରେ ପ୍ରଦତ୍ତ ପରୀକ୍ଷା ଦ୍ଵାରା ଟନସିଲାଇଟିସ ନିର୍ଣ୍ଣୟ କରାଯାଏ ।
  • ରକ୍ତ କଲ୍‌ଚର - ରୋଗୀର ଟନସିଲରୁ ସ୍ଵାବ ନେଇ ବ୍ଲଡ ଅଗର ପ୍ଲେଟରେ କଲ୍‌ଚର କଲେ ୨ ଦିନ ପରେ ରୋଗ ଜୀବାଣୁ ଚିହ୍ନା ପଡ଼େ । ଗୋଟିଏ କଲ୍‌ଚର ଦ୍ଵାରା ୯୦% ରୁ ୯୫% ସ୍ଟ୍ରେପ୍ଟୋକୋକସ ଜୀବାଣୁ ସଠିକ ଭାବେ ନିର୍ଣ୍ଣୟ କରାଯାଏ ।
  • ପି.ସି.ଆର. - ପଲିମରେଜ ଚେନ ରିଆକ୍‌ସନ୍
  • ଆଣ୍ଟିସ୍ଟ୍ରେପ୍ଟୋଲାଇସିନ ଓ ଟାଇଟର

ଚିକିତ୍ସା

ଟନସିଲାଇଟିସ ରୋଗର ଲକ୍ଷଣ ଜନିତ ଅସ୍ଵସ୍ତି କମେଇବା ନିମନ୍ତେ ଚିକିତ୍ସା -

ଯନ୍ତ୍ରଣା, ପ୍ରଦାହ ଓ ଜ୍ଵର କମେଇବା ନିମନ୍ତେ ପାରାସେଟାମଲ, ଆଇବୁପ୍ରୋଫେନ ଇତ୍ୟାଦି ଦିଆଯାଏ ।

ଗଳା ଅସୁବିଧା କମେଇ ନିମନ୍ତେ ଉଷୁମ ଲୁଣ ପାଣି କୁଳି, ବିଭିନ୍ନ ଲଜେଞ୍ଜ । ଜୀବାଣୁ ମାରିବା ନିମନ୍ତେ - ଗ୍ରୁପ ଏ ସ୍ତ୍ରେପ୍ଟୋକୋକସ ଜୀବାଣୁ ଯୋଗୁ ହେଉଥିବା ଜଣା ପଡ଼ିଲେ ଆଣ୍ଟିବାୟୋଟିକ ପେନିସିଲିନ, ଆମୋକ୍ସିସିଲିନ ପ୍ରଥମ ପସନ୍ଦ ହିସାବରେ ଦିଆଯାଏ । ସେଫାଲୋସ୍ପୋରିନ୍ ଓ ମାକ୍ରୋଲାଇଡ ଔଷଧ ପେନିସିଲିନ ବଦଳରେ ଦିଆଯାଇ ପାରେ । ପେନିସିଲିନ୍ ଆଲର୍ଜି ଥିଲେ ତା ବଦଳରେ ଏରିଥ୍ରୋମାଇସିନ ଦିଆଯାଏ । ପେନିସିଲିନରେ ଭଲ ନ ହେଲେ କ୍ଲିଣ୍ଡାମାଇସିନ୍ କିମ୍ଵା ଆମୋକ୍ସିସିଲିନ କ୍ଲାଭୁଲାନେଟ ଦିଆଯାଏ । ଭାଇରସ ଦ୍ଵାରା ରୋଗ ହୋଇଥିଲେ ପ୍ରାୟ ଏକ ସପ୍ତାହ ମଧ୍ୟରେ ଭଲ ହୋଇଯାଏ । ସ୍ଥାୟୀ ଟନସିଲାଇଟିସ ରୋଗ ହୋଇଥିଲେ ଅପରେସନ (Tonsillectomy) ଦ୍ଵାରା କାଢ଼ି ଦିଆଯାଏ ।

ଆଧାର - "ମେଡ଼ିସିନ ନେଟ"

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate