ଧୂମପାନ ର ପ୍ରଭାବ କିଛିଦିନ ତଳେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ଭାରତୀୟମାନେ ଗୋଟିଏ ବର୍ଷରେ ୩ହଜାର ୮ଶହ କୋଟି ଟଙ୍କାର ସିଗାରେଟ୍ ଟାଣି ଧୂଆଁ କରି ଉଡାଇ ଦିଅନ୍ତି। ଏମିତି ଦେଖିଲେ ଆମ ଦେଶରେ ପାନ, ଧୂଆଁପତ୍ର, ଗୁଡ଼ାଖୁ ଓ ମଦ ପରି ନିଶାଦ୍ରବ୍ୟ କାହିଁ କେଉଁ ଆବହମାନ କାଳରୁ ବ୍ୟବହୃତ ହୋଇଆସୁଛି। ହେଲେ ସିଗାରେଟ୍ ହେଉଛି ଏମିତି ଏକ ନିଶା ଯାହା ଏଠାରେ ପ୍ରଚଳିତ ହେବା ଏକଶହ ବର୍ଷରୁ ଅଧିକ ହେବ ନାହିଁ। ଟୋବାକୋ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସଞ୍ଚାଳକ ଉଦୟନ ଲାଲଙ୍କ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଯେଉଁ ତଥ୍ୟ ମିଳିଛି ତାହା ସମସ୍ତଙ୍କୁ ଚମକାଇ ଦେଇଛି। ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ପ୍ରାୟ ଏକ କୋଟି ୫୦ ଲକ୍ଷ ଲୋକ ବର୍ଷକୁ ପ୍ରାୟ ୯୫୦ କୋଟି ସିଗାରେଟ୍ ଟାଣନ୍ତି। ସିଗାରେଟ୍ର ଯଦି ହାରାହାରି ମୂଲ୍ୟ ଗୋଟିକୁ ୪ ଟଙ୍କା ହୁଏ ତେବେ ମୋଟ୍ ୩ହଜାର ୮ଶହ କୋଟି ଟଙ୍କାର ସିଗାରେଟ୍ ଏଠାରେ ଟଣାଯାଏ। ତେବେ ଗତ ୨୦ ବର୍ଷ ଭିତରେ ସିଗାରେଟ୍ ଟାଣୁଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି ବୋଲି ମଧ୍ୟ ଉକ୍ତ ରିପୋର୍ଟରୁ ଜଣାପଡ଼ିଛି। ୧୯୮୫ରେ ପ୍ରାୟ ୨୩ ପ୍ରତିଶତ ଲୋକ ସିଗାରେଟ୍ ଟାଣୁଥିଲେ। ୨୦୦୫ରେ ଏହା ହ୍ରାସ ପାଇ ୧୪ ପ୍ରତିଶତରେ ପହଞ୍ଚିଥିଲା। ଏଥିରେ ଆଉ ଗୋଟିଏ କଥା ମଧ୍ୟ ଜଣାପଡ଼ିଛି ଯେ, ୧୯୮୫ରେ ୯୫୦ କୋଟି ସିଗାରେଟ୍ ଭାରତରେ ବିକ୍ରି ହୋଇଥିବା ବେଳେ ୨୦୦୫ରେ ମଧ୍ୟ ଏହି ସଂଖ୍ୟାର ସିଗାରେଟ୍ ବିକ୍ରି ହୋଇଥିଲା। ସାଧାରଣତଃ ଭାରତୀୟ ମାନଙ୍କ ମଧ୍ୟରୁ ପ୍ରାୟ ୫୫ ପ୍ରତିଶତ ଲୋକ ସିଗାରେଟ୍ ସହିତ ବିଡ଼ି, ଗଣ୍ଢେଇ, ପାନ, ଗୁଟ୍କା ଆଦି ରୂପରେ ତମ୍ୱାଖୁ ବ୍ୟବହାର କରନ୍ତି। ଏମାନଙ୍କ ଭିତରୁ ପ୍ରାୟ ଦେଢକୋଟି ଲୋକ କେବଳ ସିଗାରେଟ୍ ଟାଣନ୍ତି। ରିପୋର୍ଟ ଅନୁସାରେ ପ୍ରତ୍ୟେକ ବର୍ଷ ସିଗାରେଟ୍ର ମୂଲ୍ୟ ବୃଦ୍ଧି ଘଟୁଥିବାରୁ ନିମ୍ନ ମଧ୍ୟବିତ୍ତ ପରିବାରର ଲୋକେ ସିଗାରେଟ୍ ସ୍ଥାନରେ ବିଡ଼ି ପିଇବାକୁ ପସନ୍ଦ କରୁଛନ୍ତି। ଅର୍ଥାତ୍ ସିଗାରେଟ୍ ପିଉଥିବା ଲୋକଙ୍କଠାରୁ ବିଡ଼ି ପିଉଥିବା ଲୋକଙ୍କ ସଂଖ୍ୟା ୮ ଗୁଣା ଅଧିକ। ବିଶ୍ୱରେ ୧୧୫ କୋଟିରୁ ଅଧିକ ଲୋକ ଧୂମପାନ ଅଭ୍ୟାସର ଶିକାର ହୋଇଛନ୍ତି। ଏମାନେ ପ୍ରାୟ ୬ ହଜାର ୧ ଶହ କୋଟି ସିଗାରେଟ୍ ପ୍ରତିବର୍ଷ ଟାଣନ୍ତି। ଏଥିରେ ସ୍ତ୍ରୀ ଏବଂ ପୁରୁଷ ଉଭୟ ସାମିଲ ଅଛନ୍ତି। ବିକଶିତ ଦେଶରେ ୪୧ ପ୍ରତିଶତ ପୁରୁଷ ଓ ୨୧ ପ୍ରତିଶତ ମହିଳା ଧୂମପାନ କରନ୍ତି। ବିକାଶଶୀଳ ଦେଶରେ ୫୦ ପ୍ରତିଶତ ପୁରୁଷ ଓ ୮ ପ୍ରତିଶତ ମହିଳା ଧୂମପାନ କରିଥାନ୍ତି। ପ୍ରଶ୍ନ ଉଠୁଛି ତମ୍ୱାଖୁ ସ୍ୱାସ୍ଥ୍ୟ ପାଇଁ ଖରାପ, ଏହା ଜାଣିବା ସେତ୍ତ୍ୱ ଏତେଲୋକ ଧୂମପାନ କରନ୍ତି କାହିଁକି? ଏହାର ପ୍ରଭାବ କ’ଣ ସ୍ୱାସ୍ଥ୍ୟ ଉପରେ ପଡୁନାହିଁ? ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ହିସାବ ଅନୁସାରେ ସିଗାରେଟ୍ର ପ୍ରଭାବ ପଡ଼ିବା ବେଳକୁ ୩୦ରୁ ୪୦ ବର୍ଷ ଲାଗିଯାଏ। ଫଳରେ ଲୋକେ ପ୍ରାୟତଃ ଏଥିପ୍ରତି ଅବହେଳା କରିଥାନ୍ତି। ତମ୍ୱାଖୁ ସେବନ ଦ୍ୱାରା ବିଶ୍ୱରେ ପ୍ରତ୍ୟେକ ବର୍ଷ ୩୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁ ମୁହଁକୁ ଠେଲିହୋଇ ଯାଆନ୍ତି। ଅର୍ଥାତ୍ ପ୍ରତ୍ୟେକ ସେକେଣ୍ଡରେ ଜଣେ ବ୍ୟକ୍ତି ଏଥିରେ ମୃତ୍ୟୁବରଣ କରୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁସାରେ ଆଜିସୁଦ୍ଧା ଧୂମପାନ କାରଣରୁ ପୃଥିବୀରେ ଯେତିକି ଲୋକ ମୃତ୍ୟୁବରଣ କରିଛନ୍ତି ସେତିକି ଲୋକ କୌଣସି ଜୀବାଣୁ ବା ବିଜାଣୁ ଦ୍ୱାରା ମରିନାହାନ୍ତି। ହାତଗଣତି କେତେଜଣ ସିଗାରେଟ୍ ଉପିାଦକଙ୍କ ଲାଭ ପାଇଁ ଆଜି ମଧ୍ୟ ଆମେ ଲୋକଙ୍କ ସାମୁହିକ ଭାବରେ ଜୀବନହାନି କରିଚାଲିଛୁ। ଧୂମପାନ କରୁଥିବା ଲୋକର ଶରୀର ତ କ୍ଷତିଗ୍ରସ୍ତ ହୁଏ। ଆଖପାଖ ଅଞ୍ଚଳରେ ଥିବା ଲୋକ ଯେଉଁମାନେ କି ଧୂମପାନ କରନ୍ତି ନାହିଁ ସେମାନେ ମଧ୍ୟ ପରୋକ୍ଷ ଭାବେ ଧୂମପାନ ଦ୍ୱାରା ପ୍ରଭାବିତ ହୁଅନ୍ତି। ଯଦି ଆପଣ ନିଜେ ଧୂମପାନ କରନ୍ତି ନାହିଁ ମାତ୍ର ଆପଣଙ୍କ ନିଃଶ୍ୱାସରେ ତମାଖୁ ଧୂଆଁ ଶରୀରକୁ ଯାଏ ତେବେ ଫୁସ୍ଫୁସ୍ରେ କ୍ୟାନ୍ସର ହେବାର ଆଶଙ୍କା ରହିଛି। ଧୂମପାନ ଦ୍ୱାରା ମଧ୍ୟ ଶ୍ୱାସ, କାଶ ଏଲର୍ଜି ପରି ରୋଗ ଶରୀରରେ ସୃଷ୍ଟି ହୁଏ। ମହିଳାମାନେ ବି ପଛରେ ନାହାନ୍ତି ମହାନଗର ଏବଂ ସହରମାନଙ୍କରେ ଯୁବତୀ ଓ ମହିଳାମାନେ ଅଧିକ ମାତ୍ରାରେ ଧୂମପାନ କରୁଥିବାର ଦେଖିବାକୁ ମିଳୁଛି। ନିକଟରେ ହୋଇଥିବା ଏକ ସର୍ଭେଅନୁସାରେ ମହିଳାମାନଙ୍କ କ୍ଷେତ୍ରରେ ଧୂମପାନ ଅଭ୍ୟାସ ଧୀରେ ଧୀରେ ବୃଦ୍ଧି ପାଉଛି। ଏହା ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତର ଭାବେ ପ୍ରଭାବିତ କରୁଛି। ଆମ ଦେଶରେ ୧୬ ପ୍ରତିଶତ ମହିଳା ଧୂମପାନ କରୁଛନ୍ତି। ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କ କ୍ଷେତ୍ରରେ ଧୂମପାନ ମୃତ୍ୟୁସଂଖ୍ୟା ଅଧିକ। ମୁଖ ଗହ୍ୱର ଓ ଫୁସ୍ଫୁସ୍ କ୍ୟାନ୍ସର ମହିଳାମାନଙ୍କ କ୍ଷେତ୍ରରେ ଗତ ୨୦ ବର୍ଷ ମଧ୍ୟରେ ୨ ଗୁଣା ବୃଦ୍ଧି ପାଇଛି। ଧୂମପାନ ଗର୍ଭବତୀ ମହିଳା ପାଇଁ ଅତ୍ୟନ୍ତ ମାରାତ୍ମକ ସାବ୍ୟସ୍ତ ହୋଇଥାଏ। ଏପରି ମାଆର ପିଲା ଦୁର୍ବଳ, ରୋଗୀଣା, ଚିଡିଚିଡ଼ା ଅଥବା ବିକଳାଙ୍ଗ ହୋଇଥାଏ। ଏଥିରେ ଗର୍ଭବତୀ ନ ହେବାର ଆଶଙ୍କା ମଧ୍ୟ ଅଧିକ ବଢିଯାଏ। ଧୂମପାନ ଅଭିବୃଦ୍ଧି ପାଇଁ ପତ୍ରପତ୍ରିକା, ଖବରକାଗଜ, ଟିଭି ଚ୍ୟାନେଲମାନଙ୍କର ମନଲୋଭା ବିଜ୍ଞାପନ ସବୁ ଅନେକ ମାତ୍ରାରେ ଦାୟୀ। ନିକଟରେ କୌଣସି ଚଳଚ୍ଚିତ୍ରରେ ଧୂମପାନ ଦୃଶ୍ୟ ରହିବ ନାହିଁ ବୋଲି ଏକ ନିଦ୍ଦେର୍ଶନାମା ଜାରି ହୋଇଛି। ତେବେ ଭବିଷ୍ୟତରେ ଯେ ସଠିକ୍ ଭାବେ ଏହାକୁ ପାଳନ କରାଯିବା ସେ ନେଇ ମଧ୍ୟ ସନ୍ଦେହ ରହିଛି। ଧୂମପାନକୁ ପ୍ରୋତ୍ସାହନ ଦେଉଥିବା ବଡ଼ ବଡ଼ ବିଜ୍ଞାପନରେ କୌଣସି ନିର୍ଦ୍ଦିଷ୍ଟ ସିଗାରେଟ ଟାଣିବା ଦ୍ୱାରା ବାହାଦୂରୀ, ସଫଳତା ବୃଦ୍ଧି ପାଇବା ସହ ବ୍ୟକ୍ତିତ୍ୱ ପରିପୃଷ୍ଟ ହେଉଛି ବୋଲି ଭ୍ରମ ସୃଷ୍ଟି କରାଯାଇଥାଏ। କିନ୍ତୁ ବାସ୍ତବିକ କ୍ଷେତ୍ରରେ ଦେଖିଲେ, ସିଗାରେଟ ପ୍ୟାକେଟ୍ରେ ସଁଷ୍ଟ ଲେଖା ହୋଇଥାଏ ‘ସିଗାରେଟ ଟାଣିବା ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ’। ଆଧାର : ଓଡିଶା ଟିମସ