অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମୂତ୍ରାଙ୍ଗ ସଂକ୍ରମଣ

ଉପକ୍ରମ

ମୂତ୍ରାଙ୍ଗ ସଂକ୍ରମଣ (Urinary Tract) ଅର୍ଥ ମୂତ୍ର ପ୍ରସ୍ତୁତ କରିବା ଯନ୍ତ୍ର ବୃକକ (Kidney), ମୂତ୍ର ପରିବହନ ନଳୀ (Ureter), ମୂତ୍ରାଶୟ (Urinary Bladder) ଓ ନିଷ୍କାସନ ନଳୀ (Urethra) ସମୂହର ଯେ କୌଣସି ଅଂଶର ସଂକ୍ରମଣ । ଏହାର ବିଭିନ୍ନ ଅଂଶ ଜୀବାଣୁ ଦ୍ଵାରା ସଂକ୍ରମିତ ହୋଇଥାଏ । ନିମ୍ନ ମୂତ୍ରାଙ୍ଗ ବା ମୂତ୍ରାଶୟ ସଂକ୍ରମଣକୁ ସିସ୍ଟାଇଟିସ (Cystitis), ପରିବହନ ନଳୀର ପ୍ରାରମ୍ଭିକ ଅଂଶ ସଂକ୍ରମଣକୁ ପାଏଲୋନେଫ୍ରାଇଟିସ୍, ନିଷ୍କାସନ ନଳୀ ସଂକ୍ରମଣକୁ ୟୁରେଥ୍ରାଇଟିସ୍ (Urethritis) କୁହାଯାଏ । ନିମ୍ନ ମୂତ୍ରାଙ୍ଗ ସଂକ୍ରମଣରେ ମୂତ୍ରତ୍ୟାଗ ସମୟରେ ଯନ୍ତ୍ରଣା ହୁଏ, ବାରମ୍ବାର ପରିସ୍ରା ହୁଏ ଓ ମୂତ୍ରାଶୟ ଖାଲି ଥିଲେ ମଧ୍ୟ ପରିସ୍ରା କରିବାକୁ ଅନୁଭବ ହୁଏ । ବୃକ୍‌କ ସଂକ୍ରମଣ ହେଲେ ଉପରଲିଖିତ ଲକ୍ଷଣ ସ‌ହିତ ଜ୍ୱର ଓ ପେଟ ଦୁଇ ପାଖରେ ଯନ୍ତ୍ରଣା ହୁଏ । କ୍ୱଚିତ ପରିସ୍ରା ରକ୍ତାକ୍ତ ହୁଏ । ରୋଗୀ ଅତି ଛୋଟ ବା ଅତି ବୟସ୍କ ହୋଇଥିଲେ ଲକ୍ଷଣ ଅନିଶ୍ଚିତ ବା ଅନିର୍ଦ୍ଦିଷ୍ଟ ଥାଏ ।

ଏହି ସଂକ୍ରମଣ ନିମନ୍ତେ ଅନେକ ଜୀବାଣୁ ଓ କବକ ଦାୟୀ ଥିଲେ ମଧ୍ୟ ମୂଖ୍ୟତଃ ଏସ୍କେରିସିଆ କୋଲାଇ ଜୀବାଣୁ ଯୋଗୁ ଏହି ରୋଗ ହୁଏ । ଏହି ସଙ୍କଟ ସୃଷ୍ଟି କରିବାରେ ମହିଳା ଯୌନାଙ୍ଗ, ଯୌନ ସମ୍ପର୍କ, ଡାଏବେଟିସ, ମୋଟାପା ଓ ପାରିବାରିକ ଇତିହାସ ମାନଙ୍କ ଭୂମିକା ଥାଏ । ଯୌନ କ୍ରିଡ଼ା ଏହାର ସଙ୍କଟ ସୃଷ୍ଟି ନିମନ୍ତେ ଦାୟୀ ଥିଲେ ମଧ୍ୟ ଏହି ରୋଗକୁ ଯୌନ ସଞ୍ଚାରିତ ରୋଗ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଏ ନାହିଁ । ମୂତ୍ରାଶୟ ସଂକ୍ରମଣ ପରେ ବୃକ୍‌କ ସଂକ୍ରମଣ ହେଉଥିଲେ ମଧ୍ୟ ତାହା ରକ୍ତ ବାହିତ ସଂକ୍ରମଣ ଯୋଗୁ ହୋଇପାରେ । ଯୁବତୀ ଓ ସୁସ୍ଥ ମହିଳାଙ୍କର କେବଳ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ । ଅନିଶ୍ଚିତ ଲକ୍ଷଣ ଥଲେ ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ହୁଏ କାରଣ ସଂକ୍ରମଣ ନ ଥାଇ ମଧ୍ୟ ଜୀବାଣୁ ରହିପାରେ । ଚିକିତ୍ସା ନିସ୍ଫଳ ହେଲେ ବା ଜଟୀଳ ଥିଲେ ପରିସ୍ରା କଲଚର ଉପକାରୀ ହୁଏ ।

ରୋଗ ଜଟିଳ ନ ଥିଲେ ମୂତ୍ରାଙ୍ଗ ସଂକ୍ରମଣରେ କିଛି ଦିନ ପାଇଁ ନାଇଟ୍ରିଫୁରାଣ୍ଟଏନ ବା ଟ୍ରାଇମେଥୋପ୍ରିମ/ସଲ୍‌ଫାମେଥୋକ୍ସାଜୋଲ ଭଳି ଆଣ୍ଟିବାୟୋଟିକ ଦିଆଯାଏ । ବିଭିନ୍ନ ଆଣ୍ଟିବାୟୋଟିକ ନିମନ୍ତେ ପ୍ରତିରୋଧ ବଢ଼ୁଛି । ଜଟିଳ ରୋଗରେ ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ ଆବଶ୍ୟକ ହୁଏ । ୨ ବା ୩ ଦିନ ମଧ୍ୟରେ କିଛି ଉପଶମ ନ ହେଲେ ଅଧିକ ନିର୍ଣ୍ଣୟାତ୍ମକ ପରୀକ୍ଷା କରାଯାଏ । ଫେନାଜୋପାଇରିଡିନ ଦେଲେ ଲକ୍ଷଣ ଉପଶମ ହୋଇପାରେ । ପରିସ୍ରାରେ ଶ୍ୱେତ ରକ୍ତ କଣିକା ଥାଇ ଲକ୍ଷଣ ନ ଥିଲେ ଆଣ୍ଟିବାୟୋଟିକ ଆବଶ୍ୟକ ହୁଏ ନାହିଁ, କିନ୍ତୁ ଗର୍ଭାବସ୍ଥା ଏହାର ଏକ ବ୍ୟତିକ୍ରମ । ବାରମ୍ବାର ସଂକ୍ରମଣ ହେଉଥଲେ ଲକ୍ଷଣ ଆରମ୍ଭ ହେବା ମାତ୍ରେ ଅଳ୍ପ ଦିନ ନିମନ୍ତେ ଆଣ୍ଟିବାୟୋଟିକ ଦିଆଯାଏ ବା ପ୍ରତିଷେଧ ନିମନ୍ତେ ଦୀର୍ଘକାଳୀନ ଆଣ୍ଟିବାୟୋଟିକ ଦିଆଯାଏ ।

ପ୍ରତିବର୍ଷ ପ୍ରାୟ ୧୫୦ ନିୟୁତ ଲୋକ ମୂତ୍ରାଙ୍ଗ ସଂକ୍ରମଣ ରୋଗରେ ପିଡ଼ିତ ହୁଅନ୍ତି । ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଏହି ରୋଗ ବେଶୀ ହୁଏ । ମହିଳାଙ୍କର ରୋଗ ସାଧାରଣତଃ ଜୀବାଣୁ ଯୋଗୁ ହୁଏ । ଯେ କୌଣସି ବର୍ଷର ଅନୁଶୀଳନରେ ଦେଖାଯାଏ ୧୦% ମହିଳାଙ୍କର ଏହି ରୋଗ ଅଛି ଓ ୫୦% ମହିଳା ଜୀବନର କୌଣସି ନା କୌଣସି ସମୟରେ । ଏହି ରୋଗର ଶୀକାର ହୁଅନ୍ତି । ପ୍ରାୟ ୧୬ରୁ ୩୫ ବର୍ଷ ବୟସ ମଧ୍ୟରେ ଏହି ରୋଗ ହୁଏ । ବାରମ୍ବାର ଏହି ରୋଗ ହୋଇପାରେ  ପୁରାକାଳରେ ଏହି ରୋଗ ଥିଲେ ମଧ୍ୟ ଖ୍ରୀ:ପୂ: ୧୫୫୦ରେ ପ୍ରଥମେ ଲିଖିତ ଏବର୍ସ ପାପିରସରେ ଏହାର ବର୍ଣ୍ଣନା ଦେଖିବାକୁ ମିଳେ .

ଚିହ୍ନ ଓ ଲକ୍ଷଣ

ମୂତ୍ରାଶୟ ସଂକ୍ରମଣକୁ ନିମ୍ନ ମୂତ୍ରାଙ୍ଗ ସଂକ୍ରମଣ ଅନ୍ତର୍ଭୁକ୍ତ କରାଯାଏ । ପରିସ୍ରା କଲାବେଳେ ଜଳାପୋଡା ହୁଏ ଓ ବହୁତ ଥର ପରିସ୍ରା ଲାଗେ । ଅଧିକ ଯନ୍ତ୍ରଣା ହୁଏ ନାହିଁ ବା ମହିଳାମାନଙ୍କର କୌଣସି ଯୌନାଙ୍ଗ ନିଷ୍କାସନ ହୁଏ ନାହିଁ । ସ୍ଥଳ ବିଶେଷରେ ଅଳ୍ପ । ଅଧିକ ଲକ୍ଷଣ ପ୍ରକାଶ ପାଏ  ଏବଂ ସୁସ୍ଥ ମହିଳାମାନଙ୍କର ପ୍ରାୟ ୬ ଦିନ ପର୍ଯ୍ୟନ୍ତ ଲକ୍ଷଣ ପ୍ରକାଶ ପାଏ । ପେଟ ତଳ ପଟେ ଥିବା ଅସ୍ଥି ଉପର ସ୍ଥାନରେ ବା ଅଣ୍ଟାରେ କଷ୍ଟ ଅନୁଭବ ହୁଏ । ପାଏଲୋନେଫ୍ରାଇଟିସ୍ ରୋଗ ହେଲେ ପେଟର ଦୁଇ ପାର୍ଶ୍ଵରେ କଷ୍ଟ ହୁଏ, ଜର ହୁଏ, ବାନ୍ତି ବାନ୍ତି ଲାଗେ ବା ବାନ୍ତି ହୁଏ । କ୍ଵଚିତ ପରିସ୍ରାରେ ରକ୍ତ ପଡେ ବା ପୂଜ ପଡେ।

ଶିଶୁଠାରେ ସଂକ୍ରମଣ

ପିଲାମାନଙ୍କର ସଂକ୍ରମଣରେ ଜର ହୁଏ । ସେଥି ନିମନ୍ତେ ୨ ବର୍ଷ ବୟସରୁ କମ୍ ଝିଅ ଓ ସୁନ୍ନତ କରାଯାଇଥିବା ପୁଅମାନଙ୍କର ଜର ହେଲେ ପରିସ୍ରା କଲଚର କରିବାକୁ ଉପଦେଶ ଦିଆଯାଏ । ଶିଶୁମାନେ ଏହି ସମୟରେ ଅଳ୍ପ ଖାଆନ୍ତି, ବାନ୍ତି କରନ୍ତି, ବେଶି ଶୁଅନ୍ତି । କାମଳ ରୋଗର ଲକ୍ଷଣ ମଧ୍ୟ କେଖାଯାଏ । ଅଧିକ ବୟସର ପିଲାମାନଙ୍କର ମୂତ୍ରାଶୟ ନିୟନ୍ତ୍ରଣ ରହେନି, ପରିସ୍ରା ବୋହିଯାଏ ।

ବୟସ୍କ ଲୋକ ଠାରେ ସଂକ୍ରମଣ

ବୟସ୍କ ଲୋକଙ୍କର ଉପର ଲିଖିତ ଲକ୍ଷଣ ପ୍ରାୟ ଦେଖଯାଏ ନାହିଁ । ପରିସ୍ରା ବୋହିଯିବା, ମାନସିକ ପରିବର୍ତ୍ତନ ହେବା କିମ୍ବା ଦୁର୍ବଳତା ଅନୁଭବ କରିବା ଲକ୍ଷଣ ସବୁ ଦେଖାଯାଏ । ବେଳେ ବେଳେ ରକ୍ତ ପୂଜ-ବିଷାକ୍ତ ହେବା ଭଳି ଲକ୍ଷଣ ଦେଖାଯାଏ । ଅଧିକ ବୟସ୍କ ବ୍ୟକ୍ତିମାନଙ୍କର ଡେମେନ୍ସିଆ ବା ପୂର୍ବରୁ ପରିସ୍ରା ବୋହୁଥିବା ଲକ୍ଷଣ ଥିଲେ ରୋଗ ନିର୍ଣ୍ଣୟରେ ଅସୁବିଧା ହୁଏ ଓ ସଙ୍ଗେ ସଙ୍ଗେ ରୋଗ ଧରି ହୁଏ ନାହିଁ ।

କାରଣ

ଏହା ଏକ ଜୀବାଣୁ ଜନିତ ରୋଗ ଓ ମୂଖ୍ୟତଃ ଇ-କୋଲାଇ ବା ଜୀବାଣୁ ଏହି ରୋଗ ୮୦ ରୁ ୮୫% ଲୋକମାନଙ୍କଠାରେ ସୃଷ୍ଟି କରେ । ସ୍ଟାଫିଲୋକୋକସ୍ ସାପ୍ରୋଫାଇଟିକସ୍ (Staphylococcus saprophyticus) ୫ ରୁ ୧୦% ଲୋକଙ୍କଠାରେ ଦେଖାଯାଏ । ମୂତ୍ରାଙ୍ଗରେ କିଛି ଅସୁବିଧା ଥିଲେ ବା ମୂତ୍ର ନଳୀ ପ୍ରୟୋଗ କଲେ ଅନ୍ୟ ଜୀବାଣୁ ଯଥା କ୍ଲେବସିଲା, ପ୍ରୋଟିଅସ, ସୁଡୋମୋନାସ୍ ଓ ଏଣ୍ଟେରୋବ୍ୟାକ୍ଟର (Enterobacter) ଏହି ରୋଗ ସୃଷ୍ଟିରେ ସହାୟକ ହୁଅନ୍ତି । ରକ୍ତଗତ ସ୍ଟାଫିଲୋକୋକସ୍ ଅରିଅସ୍ (Staphylococcus aureus) ସଂକ୍ରମଣ ଥିଲେ ମୂତ୍ରାଙ୍ଗର ମଧ୍ୟ ସଂକ୍ରମିତ ହୁଏ । ବହୁତ ଅଳ୍ପ କ୍ଷେତ୍ରରେ ଭୁତାଣୁ ଓ କବକ ଦ୍ଵାରା ସଂକ୍ରମଣ ହୁଏ ।

ଲିଙ୍ଗରେ ସଂକ୍ରମଣ

ନାରୀମାନଙ୍କର ମୂତ୍ର ନିଷ୍କାସନ ନଳୀ ମଳଦ୍ଵାରର ଅତି ନିକଟରେ ଥିବାରୁ ସଂକ୍ରମଣ ସମ୍ଭାବନା ଅଧିକ ରହେ । ଅଳ୍ପ ବୟସ୍କା ଯୁବତୀ ଯେତେ ଅଧିକ ଯୌନ ସମ୍ଭୋଗ କରିବେ ସେତେ ଅଧିକ ସଂକ୍ରମଣ ହେବ । ୭୫ ରୁ ୯୦% ମୂତ୍ରାଶୟ ସଂକ୍ରମଣ ଯୌନ ସଂମ୍ଭୋଗ ଯୋଗୁ ହୁଏ । ଏଣୁ ବିବାହ ପରେ ପରେ ଏହି ରୋଗ ହେଲେ ହନିମୁନ ସିସ୍ଟାଇଟିସ୍(honeymoon cystitis) ହୋଇଛି ବୋଲି କୁହାଯାଏ । ଶୁକ୍ରାଣୁମାରୀ ଔଷଧ ଯୋଗୁ ସଂକ୍ରମଣ ସମ୍ଭାବନା ବଢିଯାଏ । ଋତୁ ବିରତି(Menopause) ପରେ ଯୌନ କ୍ରିୟା ଏତେ ସଂକ୍ରମଣ କରାଏ ନାହିଁ । ଏହି ସମୟରେ ଏସ୍ଟ୍ରୋଜେନ ହରମୋନ କ୍ଷରଣ ଦେହରେ କମିଯିବା ହେତୁ ଯୋନି ପଥରେ ରକ୍ଷାକାରୀ ଯୋନିପଥ ବିଜାଣୁ ସଂଖ୍ୟା କମିଯାଏ । ଏଣୁ ସଂକ୍ରମଣ ଅଧିକ ହୁଏ।

ମୂତ୍ର ନିସ୍ତାରକ ନଳୀ

ମୂରାଶୟରେ ପରିସ୍ରା ରହି ମଧ୍ୟ ପରିସ୍ରା ନ ବାହାରିଲେ ମୂତ୍ର ନିସ୍ତାରକ ନଳୀ ପ୍ରୟୋଗ କରି ବାହାର କରାଯାଏ । ଏହି ପ୍ରୟୋଗ ଦ୍ଵାରା ମୂତ୍ରାଙ୍ଗ ସଂକ୍ରମଣ ଅଧିକ ହୁଏ । ଏଣୁ ଏହି ନଳୀ ପ୍ରୟୋଗ ସମୟରେ ବହୁ ଅଧିକ ଯତ୍ନ ସହ ଜୀବାଣୁ ମୁକ୍ତ ପଦ୍ଧତି ଅବଲମ୍ବନ କରାଯାଏ ।

ଅନ୍ୟାନ୍ୟ

  • ଡାଏବେଟିସ୍ ଥିଲେ, ସୁନ୍ନତ ହୋଇଥିଲେ, ବଡ ପ୍ରୋଷ୍ଟେଟ ଥିଲେ, ଓ ପାରିବାରିକ ଇତିହାସ ଥିଲେ ମୂତ୍ରାଙ୍ଗ ସଂକ୍ରମଣ ଅଧିକ ହୁଏ ।
  • ମେରୁ ଦଣ୍ଡ ଆଘାତ ହେଲେ ପରିସ୍ରା ବନ୍ଦ ହୋଇଯିବା ଦ୍ଵାରା ବାରମ୍ବାର ନଳୀ ଭର୍ତି କରି ପରିସ୍ରା ବାହାର କରିବାକୁ ପଡେ । ଏଣୁ ଅଧିକ ସଂକ୍ରମଣ ହୁଏ ।

ରୋଗ ସୃଷ୍ଟି

ମଣିଷର ଅନ୍ତ ନଳୀରୁ ଜୀବାଣୁ ବାହାରି ମୂତ୍ର ନିଷ୍କାସନ ପଥ ଦେଇ ମୂତ୍ରାଶୟରେ ପ୍ରବେଶ କରନ୍ତି । ମହିଳାମାନଙ୍କର ଏହି ପଥରେ ଅଧିକ ହେବା ଦେଖାଯାଏ । ମୂତ୍ରାଶୟ ଭିତରେ ପ୍ରବେଶ କରି ତାହାର କାନ୍ଥରେ ଲାଖି ରହି ଏକ ବାୟୋଫିଲମ୍ ସୃଷ୍ଟି କରନ୍ତି ଯାହା ପ୍ରତିରୋଧ ପ୍ରଣାଳୀକୁ ପ୍ରତିରୋଧ କରେ । ଏହା ଛଡା ରକ୍ତ ଓ ଲସିକା ମାଧ୍ୟମରେ ମଧ୍ୟ ଜୀବାଣୁ ଆସି ସଂକ୍ରମଣ କରନ୍ତି ।

ରୋଗ ନିରୋଧ

ଜନ୍ମ ନିରୋଧ ବଟିକା ବା କଣ୍ଡୋମ୍ ବ୍ୟବହାର ଓ ସହବାସ ପରେ ମୂତ୍ର ତ୍ୟାଗ କଲେ ସଂକ୍ରମଣ ହେବନାହିଁ: ଏ କଥା ପ୍ରମାଣିତ ହୋଇ ନାହିଁ । ସେହି ଭଳି ଅନ୍ତଃ ବସ୍ତ୍ର, ମଳ ମୂତ୍ର ତ୍ୟାଗ ପରେ ନିଜସ୍ଵ ସ୍ଵାସ୍ଥ୍ୟ ରକ୍ଷା ପ୍ରଣାଳୀ ଓ ସ୍ନାନ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ ଯାହା ସଂକ୍ରମଣ ନ ହେବାରେ ସାହାଯ୍ୟ କରିବ । ଟାମ୍ପନ ଓ ଡୁସ ବ୍ୟବହାରର ଫଳ ବିଷୟରେ ମଧ୍ୟ ପରିକ୍ଷିତ ବିବରଣୀ ନାହିଁ । ବାରମ୍ବାର ସଂକ୍ରମିତ ହେଉଥିବା ମହିଳାମାନଙ୍କୁ ଡାଏଫ୍ରାମ ତଥା ଶୁକ୍ରାଣୁନାଶୀ ଔଷଧ ବ୍ୟବହାର କରିବାକୁ ନିଷେଧ କରାଯାଉଛି । କ୍ରାନବେରି ରସ ବା ବଟିକା ଖାଇଲେ କମ ହୁଏ କିନ୍ତୁ ବେଶୀ ଦିନ ବ୍ୟବହାରର ଫଳ ଜଣା ନାହିଁ । ଏହା ଦୁଇ ଥର ଖାଇଲେ ଉତ୍ତମ ।

ଔଷଧ

ପୁନଃପୌନିକ ରୋଗ ହେଲେ ପ୍ରତ୍ୟହ ଆଣ୍ଟିବାୟୋଟିକ ବ୍ୟବହାର ଉପାଦେୟ ଅଟେ । ଔଷଧ ମଧ୍ୟରେ ନାଇଟ୍ରୋଫୁରାଣ୍ଟଏନ୍, ଟ୍ରାଇମେଥୋପ୍ରିମ/ସଲଫାମେଥୋକ୍ସାଜୋଲ୍ ଅଧିକ ବ୍ୟବହୃତ ହୁଏ । ମେଥେନାମିନ୍ ବ୍ୟବହାର କଲେ ମୂତ୍ରାଶୟରେ ଫରମାଲଡେହାଇଡ୍ ତିଆରି ହୋଇଯାଏ ଓ ଏହା ନିମନ୍ତେ ସ୍ଵତଃ ପ୍ରତିରୋଧା ହୋଇ ପାରେ ନାହିଁ । ସହବାସ ଯୋଗୁ ହେଉଥିଲେ ଔଷଧ ବ୍ୟବହାର ଆବଶ୍ୟକ । ଋତୁସ୍ରାବ ବନ୍ଦ ପରେ ଜୋନିପଥରେ ଏସ୍ଟ୍ରୋଜେନ ବ୍ୟବହାର କଲେ ବାରମ୍ବାର ହେଉଥିବା ରୋଗ କମ୍ ହୁଏ । ୨୦୧୧ ମସିହା ସୁଦ୍ଧା କେତେଗୁଡିଏ ଟୀକା ପ୍ରସ୍ତୁତ କରିବାକୁ ଚେଷ୍ଟା ଚାଲିଛି ।

ଶିଶୁଙ୍କଠାରେ

ବୃକକର କୌଣସି ସମସ୍ୟା ନ ଥିଲେ ପୁନଃପୌନିକ ସଂକ୍ରମଣ ଯୋଗୁ ମାତ୍ର୍ ୦.୩୩% ପିଲାଙ୍କର କିଡନି/ବୃକକ ରୋଗ ହୁଏ । ରୋଗ ନ ହେବା ପାଇଁ ଆଣ୍ଟିବାୟୋଟିକ ବ୍ୟବହାର ଉତ୍ସାହପ୍ରଦ ନୁହେଁ ।

ରୋଗ ନିର୍ଣ୍ଣୟ

ଉପଯୁକ୍ତ ଲକ୍ଷଣ ଦେଖାଗଲେ ରୋଗ ନିର୍ଣ୍ଣୟରେ ଅସୁବିଧା ହୁଏ ନାହିଁ ଓ ଔଷଧ ଦିଆ ଯାଇପାରେ । ଜଟୀଳ ଥିଲେ ପରିସ୍ରା ଆନାଲିସିସ୍ କରି ସେଥିରେ ନାଇଟ୍ରାଇଟ, ଶ୍ଵେତ ରକ୍ତ କଣିକା ତଥା ତାହାର ଇଷ୍ଟରେଜ ଅଛି କି ନାହିଁ ଦେଖିବାକୁ ପଡେ । ଅଣୁବୀକ୍ଷଣ ଯନ୍ତ୍ର ଦ୍ଵାରା ପରିସ୍ରାରେ ଜୀବାଣୁ, ଲୋହିତ ରକ୍ତ କଣିକା, ଶ୍ଵେତ ରକ୍ତ କଣିକା ଉପସ୍ଥିତି ନିର୍ଣ୍ଣୟ କରାଯାଇ ରୋଗ ଚିହ୍ନଟ କରାଯାଏ । ପରିସ୍ରା କଲଚରରେ ଜୀବାଣୁ କଲୋନି ସଂଖ୍ୟା ୧୦୩ ମି.ଲି. ବା ତା ଠାରୁ ଅଧିକ ହେଲେ ସଂକ୍ରମଣ ଅଛି ବୋଲି ଧରାଯାଏ । ସୁଗ୍ରାହିତା (Sensitivity) ପରୀକ୍ଷା ଦ୍ଵାରା କେଉଁ ଔଷଧ ଉପକାର କରିବ ତାହା ଜଣାପଡ଼ିବ । ବିଯୁକ୍ତାତ୍ମକ କଲଚର ଥିଲେ ମଧ୍ୟ ଆଣ୍ଟିବାୟୋଟିକ ଦ୍ଵାରା ମହିଳାମାନେ ଉପକାର ପାଆନ୍ତି । ବୟସ୍କ ଲୋକମାନଙ୍କ ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ।

ବର୍ଗୀକରଣ

ମୂତ୍ରାଶୟ ସଂକ୍ରମଣକୁ ନିମ୍ନ ମୂତ୍ରାଙ୍ଗ (lower urinary tract infection) ସଂକ୍ରମଣ କହନ୍ତି ।

  1. ଉର୍ଦ୍ଧ୍ଵ ମୂତ୍ରାଙ୍ଗ ସଂକ୍ରମଣକୁ ପାୟେଲୋନେଫ୍ରାଇଟିସ୍ କହନ୍ତି ।
  2. ପରିସ୍ରାରେ ଜୀବାଣୁ ଥାଇ କୌଣସି ଲକ୍ଷଣ ନ ଥିଲେ ଲକ୍ଷଣ ବିହୀନ ଜୀବାଣୁ ପରିସ୍ରା (asymptomatic bacteriuria) କୁହାଯାଏ ।
  3. ବହୁମୂତ୍ର, ଗର୍ଭାବସ୍ଥା, ପୁରୁଷ ରୋଗୀ ଓ ପ୍ରତିରୋଧ ଶକ୍ତି ବିହୀନ ରୋଗୀ; ଏହି ଭଳି ଲୋକଙ୍କର ଉର୍ଦ୍ଧ୍ଵ ମୂତ୍ରାଙ୍ଗ ସଂକ୍ରମଣ ହେଲେ ତାହାକୁ ଜଟୀଳ ମୂତ୍ରାଙ୍ଗ ସଂକ୍ରମଣ କହନ୍ତି ।
  4. ସୁସ୍ଥ ଋତୁ ବିରତି ହୋଇଥିବା ମହିଳାଙ୍କର ରୋଗକୁ ଜଟୀଳତା ବିହୀନ ସଂକ୍ରମଣ କହନ୍ତି ।
  5. ଶିଶୁମାନଙ୍କର ଜର ଥିଲେ ଉପର ଅଂଶର ସଂକ୍ରମଣ ଥିବା ଧରାଯାଏ ।

ରୋଗର ପରୀକ୍ଷା

ପିଲାମାନଙ୍କ ରୋଗ ନିର୍ଣ୍ଣୟ ନିମନ୍ତେ ଯୁକ୍ତତ୍ମକ ପରିସ୍ରା ସୂଚନା ଆବଶ୍ୟକ । ପରିସ୍ରା ସଂଗ୍ରହ ବେଳେ ବାହାର ଜୀବାଣୁ ମିଶ୍ରିତ ଥିବା ସମ୍ଭାବନା ରହେ । ପରିସ୍ରା ଦ୍ଵାର ସଫା କରି ସାରି ପରିସ୍ରା କରୁଥିବା ବେଳେ ମଝି ଧାରରୁ ଗୋଟିଏ ପରିସ୍କାର ଜୀବାଣୁ ମୂକ୍ତ ପାତ୍ରରେ ପରିସ୍ରା ସଂଗ୍ରହ କଲେ ଉତ୍ତମ ସୂଚନା ମିଳେ । ଦୁଇ ବର୍ଷରୁ କମ ବୟସର ପିଲାମାନଙ୍କ ନିମନ୍ତେ ରେନାଲ୍ ଅଲଟ୍ରାସାଉଣ୍ଡ ଓ ମୂତ୍ର ତ୍ୟାଗ ବେଳେ ସିସ୍ଟୋୟୁରେଥ୍ରୋଗ୍ରାମ ପରୀକ୍ଷା କରିବା ନିମନ୍ତେ ଆମେରିକାନ୍ ଏକାଡେମି ଅଫ୍ ପେଡିଆଟ୍ରିକ୍ସ ଉପଦେଶ ଦେଇଛି । ଛଅ ବର୍ଷ ବୟସରୁ କମ ପିଲାମାନଙ୍କର ନିୟମିତ ଇମେଜିଙ୍ଗ କରିବାକୁ ଉପଦେଶ ଦିଆଯାଏ ।

ଭେଦାତ୍ମକ ରୋଗ ନିର୍ଣ୍ଣୟ

ପ୍ରାୟ ସମ ଲକ୍ଷଣ ପ୍ରକାଶ କରୁଥିବା ଅନ୍ୟ ରୋଗ ବିଷୟରେ ଜାଣିବା ଆବଶ୍ୟକ । ମହିଳାଙ୍କର ସର୍ଭିସାଇଟିସ୍ ବା ଭାଜାଇନାଇଟିସ୍ ରୋଗ ଥାଇ ପାରେ । ଯୁବକମାନଙ୍କର କ୍ଲାମିଡିଆ ଟ୍ରାକୋମାଟିସ୍ କିମ୍ବା ଗନେରିଆ ରୋଗ ଥାଇ ପାରେ । ପୁରୁଷମାନଙ୍କର ପ୍ରୋସ୍ଟାଇଟିସ ରୋଗ ମଧ୍ୟ ଧ୍ୟାନରେ ରଖିବାକୁ ପଡେ ।

ଚିକିତ୍ସା

ଏହି ରୋଗର ମୂଖ୍ୟ ଔଷଧ ହେଲା ଆଣ୍ଟିବାୟୋଟିକ । ପୋଡାଜଳା ହେଉଥିଲେ କିଛି ଦିନ ପାଇଁ ଫେନାଜୋପାଇରିନ୍ ଦିଆ ଯାଇପାରେ, କିନ୍ତୁ ଏହାର ମେଥେମୋଗ୍ଲୋବିନେମିଆ ଜଟୀଳତା ଧ୍ୟାନରେ ରଖି ଚିକିତ୍ସା କରିବାକୁ ପଡେ । ଯନ୍ତ୍ରଣା ସକାଶେ ପାରାସେଟାମଲ୍ ଔଷଧ ଦିଆଯାଏ । ବାରମ୍ବାର ସଂକ୍ରମଣ ଭୋଗୁଥିବା ମହିଳାଙ୍କୁ ନିଜେ ପୂର୍ବରୁ ବ୍ୟବହାର କରିଥିବା ଔଷଧ କିଣି ଖାଇବାକୁ ପରାମର୍ଶ ଦିଆଯାଏ ।

ରୋଗର ଉପଶମ

ଏହି ଅବସ୍ଥାରେ ସେଫାଲୋସ୍ପୋରିନ୍, ଟ୍ରାଇମେଥୋପ୍ରିମ/ସଲଫାମେଥୋକ୍ସାଜୋଲ, ନାଇଟ୍ରୋଫୁରାଣ୍ଟଏନ୍ ଓ ଫ୍ଲୋରୋକୁଇନୋଲୋନ ଔଷଧ ଦିଆଯାଏ । ଟ୍ରାଇମେଥୋପ୍ରିମ ବା ସଲଫାମେଥୋକ୍ସାଜୋଲ ତଥା ଫ୍ଲୋରୋକୁଇନୋଲୋନ ଔଷଧ ତିନି ଦିନ ଦେଲେ ୟଥେଷ୍ଟ ହୁଏ । ନାଇଟ୍ରୋଫୁରାଣ୍ଟଏନ୍ ୫ରୁ ୭ ଦିନ ଦିଆଯାଏ । ଔଷଧ ଦେବାର ୩୬ ଘଣ୍ଟା ଭିତରେ ରୋଗ ଉପଶମ ଆରମ୍ଭ ହୁଏ । ବିନା ଚିକିତ୍ସାରେ ମଧ୍ୟ ୫୦% ଲୋକ କିଛି ଦିନ ବା କିଛି ସପ୍ତାହ ମଧ୍ୟରେ ଆରୋଗ୍ୟ ଲାଭ କରନ୍ତି । ପ୍ରଥମରୁ ଫ୍ଲୋରୋକୁଇନୋଲୋନ ଦେଲେ ଔଷଧ ପ୍ରତିରୋଧ ସୃଷ୍ଟି ହୁଏ, ତେଣୁ ଆମେରିକାର ଇନଫେକ୍ସସ ଡିଜିଜ ସୋସାଇଟି ଏହା ଦେବାକୁ ମନା କରେ । କେତେକ ଦେଶରେ ଟ୍ରାଇମେଥୋପ୍ରିମ/ସଲଫାମେଥୋକ୍ସାଜୋଲ ନ ଦେଇ କେବଳ ଟ୍ରାଇମେଥୋପ୍ରିମ ଦେବାକୁ ନିର୍ଦ୍ଦେଶ ଥାଏ । ଶିଶୁମାନଙ୍କୁ ତିନି ଦିନ ଔଷଧ ଦେଲେ ଯଥେଷ୍ଟ ।

ପାଏଲୋନେଫ୍ରାଇଟିସ୍

ଏହି ରୋଗ ନିର୍ଣ୍ଣୟ ହେବା ସଙ୍ଗେ ସଙ୍ଗେ ପାଟିରେ ବା ଶିରାରେ ଆଣ୍ଟିବାୟୋଟିକ ଦିଆଯାଏ । ୧୦%ରୁ କମ୍ ଔଷଧ ପ୍ରତିରୋଧ ଥିବା ସ୍ଥାନରେ ସିପ୍ରୋଫ୍ଲୋକ୍ସାସିନ୍ ଦିଆଯାଏ । ଅଧିକ ପ୍ରତିରୋଧ ଥିଲେ ଶିରା ମାଧ୍ୟମରେ ସେଫଟ୍ରିଆକ୍ସନ ଦିଆଯାଏ । ସାଂଘାତିକ ହୋଇଥିଲେ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ଆବଶ୍ୟକ । ଦୁଇ ତିନି ଦିନ ଚିକିତ୍ସା ପରେ ଉନ୍ନତି ନ ହେଲେ ମୂତ୍ର ନଳୀ ବାଧା ବା ପଥର ଥିବା ସନ୍ଦେହ କରିବା ଆବଶ୍ୟକ ।

ରୋଗ ଅନୁଶୀଳନ

ମହିଳାମାନେ ବାରମ୍ବାର ଭୋଗୁଥିବା ରୋଗମାନଙ୍କ ଭିତରେ ମୂତ୍ରାଙ୍ଗ ସଂକ୍ରମଣ ଅନ୍ୟତମ । ୧୬ ରୁ ୩୫ ବର୍ଷ ବୟସ୍କ ମହିଳାଙ୍କର ଅଧିକ ରୋଗ ହୁଏ । ୧୦% ମହିଳା ପ୍ରତି ବର୍ଷ ଭୋଗନ୍ତି ଓ ୬୦% ମହିଳା ଜୀବନ କାଳ ମଧ୍ୟରେ ଥରେ ହେଲେ ଭୋଗନ୍ତି । ମହିଳା ରୋଗୀଙ୍କ ସଂଖ୍ୟା ପୁରୁଷ ରୋଗୀ ସଂଖ୍ୟାର ୪ଗୁଣ ଥାଏ । ପାଏଲୋନେଫ୍ରାଇଟିସ୍ ରୋଗ ଅନ୍ୟ ନିମ୍ନ ମୂତ୍ରାଙ୍ଗ ସଂକ୍ରମଣ ଅପେକ୍ଷା ୨୦ ରୁ ୩୦ ଭାଗ କମ । ପାଏଲୋନେଫ୍ରାଇଟିସ୍ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୪୦% ରୋଗୀ ଡାକ୍ତରଖାନାରୁ ରୋଗ ଆଣି ଥାଆନ୍ତି । ପରିସ୍ରାରେ ଜୀବାଣୁ ଥାଇ ଲକ୍ଷଣ ନ ଥିବା ସନ୍ତାନ ଜନ୍ମକାରୀ ମହିଳା ସଂଖ୍ୟା ୨ ରୁ ୭% ଥିବା ବେଳେ କେୟାର ହୋମରେ ଥିବା ବୟସ୍କ ମହିଳାମାନଙ୍କର ସଂଖ୍ୟା ୫୦% ଥାଏ । ୭୫ ବର୍ଷ ବୟସ୍କ ପୁରୁଷମାନଙ୍କର ସଂଖ୍ୟା ୭ ରୁ୧୦% ରହେ । ଲୋକ ସଂଖ୍ୟାର ୧୦% ପିଲା ବେଳେ ଏହି ରୋଗ ଭୋଗିବା ସମ୍ଭାବନା ଥାଏ । ୩ ବର୍ଷ ବୟସରୁ କମ ସୁନ୍ନତ ହୋଇଥିବା ପିଲାମାନଙ୍କର ଅଧିକ ସଂକ୍ରମଣ ହୁଏ । ଏକ ବର୍ଷ ବୟସରୁ କମ ଝିଅଙ୍କର ଏହି ପୁଅ ପିଲାମାନଙ୍କଠାରି କମ ହୁଏ । ଏହି ହିସାବ କିନ୍ତୁ ସ୍ଥାନ ଅନୁସାରେ ବଦଳି ପାରେ ।

ରୋଗ ଚିହ୍ନଟ

ଆମେରିକାରେ ପ୍ରତି ବର୍ଷ ୭ ନିୟୁତ ରୋଗୀ ଚିହ୍ନଟ ହୁଅନ୍ତି, ଏକ ନିୟୁତ ରୋଗୀ ଜରୁରୀ ସେବାକୁ ଆସନ୍ତି ଓ ଏକ ଲକ୍ଷ ରୋଗୀ ଆଡମିସନ ହୁଅନ୍ତି । କାର୍ଯ୍ୟ ଦିବସ ହ୍ରାସ ଜନିତ ଓ ଚିକିତ୍ସା ଖର୍ଚ୍ଚ ଜନିତ ଅର୍ଥର ପରିମାଣ ବହୁତ ଅଧିକ ହୁଏ । ଆମେରିକାରେ ୧.୬ ବିଲିଅନ ଡଲାର ପ୍ରତିବର୍ଷ ଏଥି ନିମନ୍ତେ ଖର୍ଚ୍ଚ ହୁଏ ।

ଇତିହାସ

ଖ୍ରୀ.ପୂ. ୧୫୫୦ ରେ ଏବର୍ସ୍ ପାପିରସ ଉପରେ ଏହି ରୋଗ ବିଷରେ ପ୍ରଥମ ଲିଖିତ ବିବରଣି ଅଛି । ସେତେବେଳେ ମିଶରରେ ଏହାକୁ "ମୂତ୍ରାଶୟରୁ ଉତ୍ତାପ ପରିବ୍ୟାପ୍ତ ରୋଗ" କୁହାଯାଉଥିଲା । ୧୯୩୦ ମସିହାରେ ଆଣ୍ଟିବାୟୋଟିକ ଆବିର୍ଭାବ ପୂର୍ବରୁ ଏହାକୁ ରକ୍ତ ସ୍ରାବ ପଦ୍ଧତି, ବିଭିନ୍ନ ଗୁଳ୍ମ ଲତା ଓ ବିଶ୍ରାମ ଦ୍ଵାରା ଚିକିତ୍ସା ହେଉଥିଲା ।

ଗର୍ଭାବସ୍ଥାରେ

ଗର୍ଭାବସ୍ଥାରେ ପ୍ରୋଜେସ୍ଟେରନ ହରମୋନ୍ ଅଧିକ ମାତ୍ରାରେ ବୋହୁଥିବାରୁ ମାଂସ ପେଶୀମାନଙ୍କର ଟୋନ (Tone) ଅଧିକ ହୁଏ । ମୂତ୍ରାଶୟରୁ ମୂତ୍ର ଏହି ଅଧିକ ଟୋନ ଯୋଗୁ ଉପରକୁ ଉଠି ବୃକକ ପର୍ଯ୍ୟନ୍ତ ଯାଏ ଓ ଏହା ସଂକ୍ରମିତ ହୁଏ । ଗର୍ଭାବସ୍ଥାରେ ଲକ୍ଷଣ ବିହୀନ ଜୀବାଣୁ ମିଶ୍ରିତ ପରିସ୍ରା ସଂକଟ ଜନକ ନ ହେଲେ ମଧ୍ୟ ୨୫ ରୁ ୪୦% ବୃକକ ସଂକ୍ରମଣ ସଂକଟ ରହେ । ତେଣୁ ପରିସ୍ରାରେ ଜୀବାଣୁ ବାହାରିଲେ ଲକ୍ଷଣ ନ ଥିଲେ ମଧ୍ୟ ସେଫାଲେକ୍ସିନ କିମ୍ବା ନାଇଟ୍ରୋଫୁରାଣ୍ଟଏନ ଔଷଧ ଦିଆଯାଏ । ବୃକକ ସଂକ୍ରମଣ ହେଲେ ଅପରିପକ୍ଵ ଶିଶୁ ଜନ୍ମ ବା ପ୍ରି-ଏକ୍ଲାମ୍ପସିଆ ହେବାର ସମ୍ଭାବନା ରହେ । ଏଥିରେ ବାତ ମାରିବା ସମ୍ଭାବନା ବହୁତ ଅଧିକ ରହେ ।

ଆଧାର -

"Urinary Tract Infection"

"Study Guide for Pathophysiology"



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate