অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହାଇପୋଥାଇରଏଡ

ଥାଇରଏଡ ହରମୋନ୍  କଣ ?

ଆମ ବେକରେ ଥାଇରଏଡ ନାମରେ ଏକ ଗ୍ରନ୍ଥି ଅଛି  । ଏହାକୁ ଅନ୍ତଃସ୍ରାବୀ ଗ୍ରନ୍ଥି କୁହାଯାଏ  । ଏହାର ଓଜନ ୧୨-୨୦ ଗ୍ରାମ ମଧ୍ୟରେ  । ଦେଖିବାକୁ ପ୍ରଜାପତି ଭଳି ଡେଣା ମେଲାଇ ବେକ ଉପର ହାଡର ଦୁଇପଟରେ ଅଛି  । ଅନୁମାନ କରନ୍ତୁ, ଜଣେ ଷାଠିଏ କେଜି ଓଜନର ଲୋକର ଥାଇରଏଡ ଓଜନ ମାତ୍ର ୧୨ ଗ୍ରାମ  । ଏଥିରୁ ଦୈନିକ ଖୁବ୍ କମ୍ ଥାଇରଏଡ ହରମୋନ୍ ବାହାରିଥାଏ  । ଥାଇରଏଡ ଗ୍ରନ୍ଥି ଦୁଇପ୍ରକାର ଅନ୍ତଃସ୍ରାବୀ ରସ (ହରମୋନ୍) ବାହାର କରେ – ଥାଇରକ୍ସିନ୍ ଏବଂ ଟ୍ରାଇଓଡୋ ଥାଇରୋନିନ୍  ।

ଏହି ହରମୋନ୍ ଅତ୍ୟନ୍ତ ଶକ୍ତିଶାଳୀ  । ଏହାର ଅଭାବ ହେଲେ ତାହା ହାଇପୋଥାଇରଏଡ ଏବଂ ଅଧିକ ହେଲେ ଥାଇରୋଟକ୍ସିକୋସିସ୍ ରୋଗ ହୋଇଥାଏ  । ଏହି ଦୁଇ ହରମୋନ୍ ମିଶି ଶହେସିସି ରକ୍ତରେ ମାତ୍ର ୧୦ମାଇକ୍ରୋଗ୍ରାମ୍  । ମାତ୍ର, ଏତିକି ହରମୋନ୍ ରେ ଅସନ୍ତୁଳନ ହେଲେ ଶରୀର ରୂପୀ ବ୍ରହ୍ମାଣ୍ଡରେ ପ୍ରଳୟ ହୋଇଥାଏ  । ଏହାର ମାତ୍ରା ଅଧା ହେଲେ ସାରା ଜୀବନ ଥାଇରଏଡ ଔଷଧ ଖାଇବାକୁ ପଡେ  । କାରଣ, ଅନ୍ୟ ବିକଳ୍ପ ନାହିଁ  ।

ହାଇପୋଥାଇରଏଡ ରୋଗ କିପରି ହୁଏ?

ଥାଇରଏଡ ହରମୋନ୍ କମ୍ ହୋଇଗଲେ ହାଇପୋଥାଇରଏଡ ରୋଗ ହୁଏ  । ଏହି ରୋଗର ମୁଖ୍ୟ କାରଣ ଆୟୋଡିନ ଭଳି ପଦାର୍ଥର ଖାଦ୍ୟରେ ଅଭାବ ଓ ଶରୀର ସୁରକ୍ଷାକାରୀ ରକ୍ଷକ କୋଷମାନେ ଥାଇରଏଡ ଗ୍ରନ୍ଥିକୁ ଆପେଆପେ ଖାଇଯିବା  । ଥାଇରଏଡ ହରମୋନ୍ ଶିଶୁ ମାତୃଗର୍ଭରେ ରହିବାର ତିନିମାସରୁ ମୃତ୍ୟୁପର୍ଯ୍ୟନ୍ତ କ୍ଷରଣ ହୋଇଥାଏ  ।

ଜନ୍ମଠାରୁ ଯେକୌଣସି ବୟସରେ ହାଇପୋଥାଇରଏଡ ରୋଗ ହୋଇପାରେ  । ପିଲାଦିନରୁ ଏହି ରୋଗ ହେଲେ ପିଲା ଖାଇପାରେନାହିଁ, ଭୋକ ହୁଏନାହିଁ, ତା’ର ମାଂସ ପେଶୀ ଟାଣ ହୁଏନାହିଁ, ଦୁର୍ବଳ ଲାଗେ, ଚର୍ମ ଶୁଖିଲା ହୋଇ ବେଙ୍ଗଚର୍ମ ପରି ହୋଇଯାଏ   ।  ପିଲାର ଉଚ୍ଚତା ବଢେ ନାହିଁ ଏବଂ ୧୦ବର୍ଷ ବେଳକୁ ପିଲା ବାମନ ଭଳି ହୋଇଯାଇଥାଏ  । ଏହାକୁ କ୍ରେଟିନିଜିମ୍ କହନ୍ତି  । ପାଠ ପଢିଲେ କିଛି ମନେ ରହେନାହିଁ  । ସବୁବେଳେ ବୋକା ପରି ଲାଗେ  ।

ମହିଳାମାନଙ୍କୁ ଅଧିକ ହାଇପୋଥାଇରଏଡ ରୋଗ ହୁଏ  । ସେମାନେ ମୋଟା ହୋଇଯାଆନ୍ତି  । ସୁନ୍ଦର ହୋଇଥିଲେ ବି ମୁହଁ, ଆଖିପତା ଫୁଲିଯାଏ ଏବଂ ଅସୁନ୍ଦର ଦେଖାଯା’ନ୍ତି  । ମୁହଁରେ କଳାକଳା ଦାଗ ହୋଇଯାଏ  । ମୁଣ୍ଡ ଏବଂ ଆଖିପତାରୁ କେଶ ଉପୁଡିଯାଏ  । ପେଟ ସଫା ହୋଇପାରେନି  । ବେଳେବେଳେ ୩ଦିନରେ ଥରେ ପାଇଖାନା ଯିବାକୁ ହୁଏ  । କୋମଳ ସ୍ଵର ଥିଲେ ବି କର୍କଶ ହୋଇଯାଏ  । ମାସିକ ଋତୁସ୍ରାବ ଦୁଇ-ତିନିମାସ ବନ୍ଦ ହୋଇଯାଏ (ଆମିନୋରିଆ) ଏବଂ ପରେ ଅଧିକ ଋତୁସ୍ରାବ ହୁଏ (ମେନୋରେଜିଆ)  । ସମ୍ଭୋଗ ଇଚ୍ଛା କମିଯାଏ  । ଶ୍ଵାସକ୍ରିୟାରେ କଷ୍ଟ ହୁଏ  । କୌଣସି କାମରେ ମନ ଲାଗେ ନାହିଁ  । ସବୁ କଥାରେ ହାଲିଆ ଲାଗେ  । ଏପରିକି କ’ଣ କାମ କରିବେ ବୋଲି ମନେ ନପଡ଼ିବାରୁ କାମ ଅଧାରୁ ଯାଇ ଘୁଙ୍ଗୁଡି ମାରି ଶୋଇପଡନ୍ତି  । ଫଳରେ ବହୁ ପାରିବାରିକ ସମସ୍ୟା ସୃଷ୍ଟି ହୋଇଥାଏ  ।

ହାଇପୋଥାଇରଏଡ ସମସ୍ୟାରେ କଣ ହୁଏ ?

ହାଇପୋଥାଇରଏଡ ସମସ୍ୟାରେ ଗର୍ଭସଞ୍ଚାର ହୁଏନାହିଁ  । ଗର୍ଭ ରହିଲେ ମଧ୍ୟ ପିଲା ଠିକ୍ ଭାବେ ବଢିପାରେନି  । କେତେକ କ୍ଷେତ୍ରରେ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟେ  ନଚେତ୍ ମୃତଶିଶୁ ଜନ୍ମ ନିଏ  । କେତେକଙ୍କର କାନକୁ ମଧ୍ୟ ଭଲ ଶୁଣାଯାଏନି  । ଦେହରେ ସବୁବେଳେ ପୋକ ଚାଲିଲା ଭଳି ଝିମ୍ ଝିମ୍ ହୁଏ  । କମ୍ ଖାଇଲେ ସୁଦ୍ଧା ଓଜନ ବଢି ପାଦ ଫୁଲିଯାଏ  ।

ହାଇପୋଥାଇରଏଡ  ରୋଗରେ ଶରୀରରେ ଯେତେପ୍ରକାର ଅଙ୍ଗ ଅଛନ୍ତି, ସବୁ ଅଙ୍ଗରେ ଥିବା ରୋଗର ଲକ୍ଷଣ ପ୍ରକାଶ ପାଇଥାଏ  । ତେଣୁ ସତର୍କ ଦୃଷ୍ଟିରେ ରୋଗ ଚିହ୍ନିବା ଆବଶ୍ୟକ  । ଡାକ୍ତରମାନେ ଏହି ପ୍ରକାର ରୋଗୀଙ୍କୁ ଦେଖିବାମାତ୍ରେ ଚିହ୍ନିଦିଅନ୍ତି । ମାତ୍ର ଗୋଟିଏ ଲାବୋରେଟୋରୀ ପରୀକ୍ଷାରେ ଏହି ରୋଗ ଚିହ୍ନା ପଡିଥାଏ, ଯାହାର ନାଁ- ଥାଇରଏଡ ଫଙ୍କସନ୍ ଟେଷ୍ଟ  । ଚିକିତ୍ସା ମଧ୍ୟ ବହୁତ ଶସ୍ତା  । ସକାଳେ ମାତ୍ର ଗୋଟିଏ ଥାଇରକ୍ସିନ୍ ବଟିକା ଖାଲି ପେଟରେ ଖାଇବ  । ଏତିକି ନକଲେ ସାରା ଜୀବନ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗିବା ସାର ହେବ  ।

ସଂଗୃହିତ – ଡାକ୍ତର ନିରଞ୍ଜନ ତ୍ରିପାଠୀ

Last Modified : 7/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate