ହୋମ / ସ୍ଵାସ୍ଥ୍ୟ / ମହିଳା ସ୍ଵାସ୍ଥ୍ୟ / ଗର୍ଭାବସ୍ଥା ରେ ସ୍ଵାସ୍ଥ୍ୟ / କରୋନା ସଂକ୍ରମଣରୁ ଗର୍ଭବତୀ ମହିଳାଙ୍କୁ ସୁରକ୍ଷା
ସେଆର କରନ୍ତୁ

କରୋନା ସଂକ୍ରମଣରୁ ଗର୍ଭବତୀ ମହିଳାଙ୍କୁ ସୁରକ୍ଷା

ଗର୍ଭବତୀ ମହିଳା ମାନେ କରୋନା ସଂକ୍ରମଣରୁ କିପରି ଦୂରେଇ ରଖିବେ ସେ ବିଷୟରେ ସୂଚନା I

କରୋନା ଭୁତାଣୁ

ବର୍ତ୍ତମାନ ସମଗ୍ର ପୃଥିବୀବାସୀଙ୍କ ଚିନ୍ତାର କାରଣ ସାଜିଛି କରୋନା ଭାଇରସ୍‌। ସମସ୍ତଙ୍କ ଲାଗି ଏହି ରୋଗ ବିପଜ୍ଜନକ ହୋଇଥିଲେ ହେଁ ମଧୁମେହ ରୋଗୀ, ହୃଦ୍‌ରୋଗୀ, ଶ୍ୱାସରୋଗୀ, ବୃଦ୍ଧ ଓ ଛୋଟ ପିଲାମାନଙ୍କ ଠାରେ ଏହି ରୋଗ ହେବାର ଆଶଙ୍କା ବେଶି। ସର୍ବୋପରି ଗର୍ଭବତୀଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ଏହି ରୋଗର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ତେଣୁ ଏ ସମୟରେ ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁର ସୁରକ୍ଷା ଲାଗି ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।

ଖୁବ୍‌ କମ୍‌ ସମୟ ମଧ୍ୟରେ ସମଗ୍ର ପୃଥିବୀରେ ଭୟ ଏବଂ ଦୁଃଖର ବାତାବରଣ ଖେଳାଇ ଦେଇଛି କୋଭିଡ୍‌-୧୯ ଭୂତାଣୁ ବା କରୋନା ଭାଇରସ୍‌। ବିଶେଷକରି ସ୍ପର୍ଶ ମାଧ୍ୟମରେ ସଂକ୍ରମିତ ହେଉଥିବା ଏହି ଛୋଟ ଭୂତାଣୁ ଥରେ ସଂକ୍ରମିତ ହେଲେ ନା କେବଳ ଚିକିତ୍ସା କରିବା କଷ୍ଟସାଧ୍ୟ ହୋଇପଡୁଛି ବରଂ ବର୍ତ୍ତମାନ ସୁଦ୍ଧା ଏହା ହଜାର ହଜାର ଜୀବନହାନିର କାରଣ ସାଜିଛି । ତେବେ ସାଧାରଣ ମଣିଷଙ୍କ ତୁଳନାରେ ମଧୁମେହ ରୋଗୀ, ହୃଦ୍‌ରୋଗୀ, ଶ୍ୱାସରୋଗୀ,ବୃଦ୍ଧ ଓ ଛୋଟ ପିଲା ଏବଂ ସର୍ବୋପରି ଗର୍ଭବତୀଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ଏହି ରୋଗର ଆଶଙ୍କା ବେଶି। ଏହି ମହାମାରୀକୁ ରୋକିବା ଲାଗି ସତେଚନତା ଏବଂ ସତର୍କତା ହିଁ ଏକମାତ୍ର ଅସ୍ତ୍ର। ଜାଣି ରଖନ୍ତୁ ଗର୍ଭାବସ୍ଥାରେ କେଉଁ ସବୁ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ।

ଗର୍ଭାବସ୍ଥାରେ କେଉଁ ସବୁ ଦିଗ ପ୍ରତି ସତର୍କ

ବର୍ତ୍ତମାନ ପରିସ୍ଥିତିରେ ଗର୍ଭବତୀଙ୍କୁ ଅତି ଆବଶ୍ୟକ ନ ହେଲେ ଆଦୌ ଘରୁ ବାହାରିବା ଠିକ୍‌ ନୁହେଁ। ବିଶେଷକରି ନିଜକୁ ଜନଗହଳିଠାରୁ ଦୂରେଇ ରଖିବା ଉଚିତ। ବସ୍‌ଷ୍ଟାଣ୍ଡ୍‌, ରେଳ ଷ୍ଟେଶନ ଓ ବିମାନ ବନ୍ଦରକୁ ନ ଯିବା ଭଲ। ଏମିତିକି ସାର୍ବଜନୀନ ଗହଳି ସ୍ଥାନରେ ଯୋଗଦେବା ବି ଠିକ୍‌ ନୁହେଁ। ଯିବା ନିହାତି ଜରୁରୀ ହେଲେ ମୁହଁ ଓ ନାକରେ ୩ ଲେୟାର ଥିବା ମାସ୍କ ପିନ୍ଧନ୍ତୁ। ତେବେ ସେଠାରେ କୌଣସି ଜିନିଷ ଛୁଇଁବା ଏବଂ ସାଧାରଣ ଜାଗାରେ ପରିବେଷିତ ହେଉଥିବା ଖାଦ୍ୟ ଖାଇବାଠାରୁ ନିଜକୁ ନିବୃତ୍ତ ରଖନ୍ତୁ ।

ଗର୍ଭବତୀଙ୍କୁ ଚେକ୍‌ଅପ୍‌ ଲାଗି ଡାକ୍ତରଖାନା ଯିବାକୁ ହେଲେ ମାସ୍କ ପିନ୍ଧିବା ସହ ବିଶେଷ ସତର୍କତା ଅବଲମ୍ବନ କରିବା ଜରୁରୀ। କାରଣ କରୋନା ରୋଗୀଙ୍କ କାଶ ଏବଂ ଛିଙ୍କ ଦ୍ୱାରା ଡ୍ରପ୍‌ଲେଟ୍‌ ସଂକ୍ରମଣ ମାଧ୍ୟମରେ ଲକ୍ଷ ଲକ୍ଷ ଭୂତାଣୁ ସ୍ପ୍ରେଡ୍‌ ହୋଇ ରୋଗ ଆଶଙ୍କା ବୃଦ୍ଧି କରିଥାଏ। ଗର୍ଭବତୀ ନିଜେ ମଧ୍ୟ କାଶିଲେ, ଛିଙ୍କିଲେ ମୁହଁରେ ରୁମାଲ ବା ଟିସୁ ପେପର ଦେବା ଦରକାର।

କିମ୍ବା ବାହାରୁ ଫେରିବା ପରେ ଭଲ ଭାବେ ଧୋଇହେବା ସହ ପିନ୍ଧିଥିବା ପୋଷାକ ସଫା କରିନିଅନ୍ତୁ ।

ସାବୁନ କିମ୍ବା ହ୍ୟାଣ୍ଡୱାଶ୍‌ରେ ହାତ ଧୋଇବା ଆବଶ୍ୟକ। ଏମିତିକି କବାଟ ହ୍ୟାଣ୍ଡେଲ, ଟେଲିଫୋନ୍‌, କମ୍ପ୍ୟୁଟର କିବୋର୍ଡ, ଟେବୁଲ ବା କୌଣସି ଜୈବିକ ପଦାର୍ଥର ସଂସ୍ପର୍ଶରେ ଆସିଲେ ମଧ୍ୟ ହାତ ସଫା କରିବା ଆବଶ୍ୟକ। ମୋବାଇଲ ଫୋନ୍‌ ଅଧିକ ବ୍ୟବହାର ହେଉଥିବାରୁ ଏହା ସାନିଟାଇଜରରେ ପୋଛିବା ଦରକାର । ପରିବାରରେ ବା ପଡ଼ିଶାରେ କେହି କରୋନା ପ୍ରଭାବିତ ଦେଶରୁ ଫେରିଥାନ୍ତି ତେବେ ସଂକ୍ରମଣର ଆଶଙ୍କା ଦ୍ୱିଗୁଣିତ ହୋଇଯାଏ। ତେଣୁ ଏଭଳି ପରିସ୍ଥିତିରେ ଗର୍ଭବତୀଙ୍କୁ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ଆବଶ୍ୟକ ।

ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ

ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ଏହି ରୋଗରେ ଆକ୍ରାନ୍ତ ହେଲେ ପ୍ରଥମେ ସାଧାରଣ ଥଣ୍ଡା, ଜ୍ୱର ଭଳି ଲକ୍ଷଣ ଦେଖାଦିଏ। ରୋଗ ବଢ଼ିଲେ ଅତ୍ୟଧିକ ଜ୍ୱର, କାଶ, ଗଳା ଦରଜ, ଛିଙ୍କ, ନାକରୁ ପାଣି ବୋହିବା, କ୍ଳାନ୍ତି, ମୁଣ୍ଡବ୍ୟଥା, ଦେହ ହାତ ଘୋଳା ବିନ୍ଧା, ବାନ୍ତି ହେବା ବା ଲାଗିବା, ଥକିପଡ଼ିବା, ଶୀତ ଲାଗିବା, ପେଟ ଗୋଳମାଳ, ଝାଡ଼ା ଆଦି ଲକ୍ଷଣ ମାନ ଦେଖାଯାଇଥାଏ। ଯଦିଓ ବର୍ତ୍ତମାନ ପାଣିପାଗ ପରିବର୍ତ୍ତନ ଯୋଗୁ ଅନେକଙ୍କ ଠାରେ ଏଭଳି ସମସ୍ୟା ଦେଖାଦେଉଛି, ତଥାପି ଏଭଳି ଲକ୍ଷଣ ଦେଖାଦେବା ମାତ୍ରେ ଅବହେଳା ନ କରି ମନଇଚ୍ଛା ଔଷଧ ଖାଇବା କିମ୍ବା ଘରୋଇ ଉପଚାର କରିବା ବଦଳରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶକ୍ରମେ ସମସ୍ତ ଟେଷ୍ଟ କରାଇବା ଆବଶ୍ୟକ।

ଅଧିକ ଜାଣିବା ପାଇଁ

କରୋନା ସଂକ୍ରମଣ ବିଷୟରେ ଅଧିକ ଜାଣିବା ପାଇଁ କରନ୍ତୁ  କ୍ଲିକ କରନ୍ତୁ i

ଆଧାର - ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର

0.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top