অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗର୍ଭଧାରଣ ପୂର୍ବ ଓ ଜନ୍ମ ପୂର୍ବ ନିଦାନ କୌଶଳ

ଗର୍ଭଧାରଣ ପୂର୍ବ ଓ ଜନ୍ମ ପୂର୍ବ ନିଦାନ କୌଶଳ

ଉପକ୍ରମ

୨୦୦୧ ମସିହାର ଜନଗଣନା ଅନୁଯାୟୀ ଶିଶୁ ଲିଙ୍ଗ ଅନୁପାତ (ପ୍ରତି ଏହ ହଜାର ପୁରୁଷ)ରେ ଯଥେଷ୍ଟ ବ୍ୟବଧାନ ପରିଲକ୍ଷିତ ହୋଇଛି । ୧୯୮୧ ମସିହା ପରଠାରୁ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ସର୍ବ ଭାରତୀୟ ସ୍ତରରେ ୧୯୯୧ ମସିହାରେ ଝିଅଙ୍କ ଅନୁପାତ ୯୪୫ ଥିଲା, ଯାହାକି ୨୦୦୧ ମସିହାରେ ୯୨୭କୁ ହ୍ରାସ ପାଇଛି । ଉତ୍ତର ପଶ୍ଚିମ ରାଜ୍ୟଗୁଡିକରେ ଏହି ବ୍ୟବଧାନ ବେଶ୍ ଅଧିକ । ୨୦୦୧ ମସିହା  ଜନଗଣନା ଅନୁଯାୟୀ ଭାତରର ଧନୀ ରାଜ୍ୟ ଭାବରେ ପରିଚିତ ପଞ୍ଜାବ ଓ ହରିୟାନାରେ ଶିଶୁ ଲିଙ୍ଗ  ଅନୁପାତ ଯଥାକ୍ରମେ ୭୯୮ ଓ ୮୨୦ । ପଞ୍ଜାବ ଓ ହରିୟାନା ପରେ ଚଣ୍ଡିଗଡ (୮୪୫),ଦିଲ୍ଲୀ (୮୯୮) ଗୁଜୁରାଟ (୮୮୩) ଓ ହିମାଚଳ ପ୍ରଦେଶରେ (୮୯୬) ଏହି ଅନୁପାତ ସର୍ବନିମ୍ନ । ଓଡିଶାରେ ଏହି ଅନୁପାତ ୧୯୯୧ ମସିହାରେ ୯୬୭ ଥିଲା, ଯାହାକି ୨୦୦୧ ମସିହାରେ ୯୫୩ କୁ ହ୍ରାସ ପାଇଛି ।

ମସିହା

୧୯୮୧

୧୯୯୧

୨୦୦୧

ଭାରତ

୯୭୯

୯୪୫

୯୨୭

ଓଡ଼ିଶା

୧୦୦୩

୯୬୭

୯୫୩

 

ଶିଶୁ ଲିଙ୍ଗ ଅନୁପାତରେ କ୍ରମାଗତ ହ୍ରାସ ଓ ଏହାର ପରିଣାମ ଭବିଷ୍ୟତରେ ନିଶ୍ଚିତ ଭାବରେ ଭୟଙ୍କର ରୂପ ଧାରଣ କରିବ । ଉଦାହରଣ ସ୍ୱରୂପ :

  • ରାଜସ୍ଥାନର  ଜଐସଲମେର ଜିଲ୍ଲାର ଦେବ୍ରା ଗ୍ରାମବାସୀବୃନ୍ଦ ୧୧୦ ବର୍ଷ ପରେ ୧୯୯୭ ମସିହାରେ ବରଯାତ୍ରୀଙ୍କୁ ସ୍ଵାଗତ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ।
  • ଗୁଜୁରାଟ ଓ ରାଜସ୍ଥାନ ସୀମାରେ ଏକ ପରିବାରର ଆଠ ଜଣ ଭାଇ ଗୋଟିଏ ଝିଅକୁ ବିବାହ କରିଥିଲେ ।

୧୯୭୧ ମସିହାରେ ଆଇନ୍ ସମ୍ମତ ଗର୍ଭପାତ (ମେଡିକାଲ ଟରମିନେଶନ ଅଫ୍ ପ୍ରେଗ୍ନାନ୍ସି /MTP) ନାମରେ ଏକ ଆଇନ୍ ପ୍ରଣୟନ ହେଲା । ଯଦି କୌଣସି ମହିଳା ଧର୍ଷଣ, ଗଣ ଧର୍ଷଣ, ଗର୍ଭ ନିରୋଧ ପଦ୍ଧତିର ବିଫଳତା ହେତୁ ଗର୍ଭବତୀ ହୋଇଥାଆନ୍ତି କିମ୍ବା ଗର୍ଭବତୀ ମହିଳାଟିର ମାନସିକ ତଥା ଶାରୀରିକ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥାଏ କିମ୍ବା ଗର୍ଭଧାରଣ ହେତୁ ଜୀବନହାନୀର ଆଶଙ୍କା ଥାଏ, ତେବେ MTP ଆଇନ୍ ଅନୁଯାୟୀ ଆଇନ୍ ସମ୍ମତ ଗର୍ଭପାତ କରାଯାଇ ପାରିବ । ମହିଳାଙ୍କର ନିଜ ଶରୀର ଉପରେ ଅଧିକାର ପାଇଁ ଅନେକ ବର୍ଷ ଧରି ମହିଳା ଆନ୍ଦୋଳନ ଯେଉଁ ଦାବୀ କରୁଥିଲା, ଏହି ଆଇନ୍ ଦ୍ଵାରା କେତେକାଂଶରେ ସେହି ଦାବୀ ପୂରଣ ହୋଇପାରିଛି । କିନ୍ତୁ ଲିଙ୍ଗ ନିରୂପଣ କରି କନ୍ୟାଭ୍ରୂଣର ହତ୍ୟା ଏହି ଆଇନ୍ ର ଉଦ୍ଦେଶ୍ୟ ନୁହେଁ । ୧୯୭୫ ମସିହାରେ ସର୍ବ ଭାରତୀୟ ଚିକିତ୍ସା ବିଜ୍ଞାନ ଅନୁଷ୍ଠାନ (AIIMS) ଭ୍ରୂଣର କାଜିନେଟାଲ୍ ବିକୃତି ସମ୍ପର୍କରେ ଜାଣିବା ପାଇଁ ଏକ ବୈଜ୍ଞାନିକ କୌଶଳର (ଆମିନୋସେଣ୍ଟିସିସ୍) ବ୍ୟବହାର ଆରମ୍ଭ କଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି କୌଶଳକୁ ଲିଙ୍ଗ ନିରୂପଣ ଓ ପରେ କନ୍ୟାଭ୍ରୂଣ ହତ୍ୟା ଭଳି ଜଘନ୍ୟ ଅପରାଧ ନିମନ୍ତେ ଅପବ୍ୟବହାର କରାଗଲା । ଶିଶୁ ଲିଙ୍ଗ ଅନୁପାତ ହ୍ରାସ ସଙ୍ଗେ ଲିଙ୍ଗ ନିରୂପଣ କୌଶଳର ସିଧାସଳଖ ସମ୍ପର୍କ ରହିଛି ।

ଲିଙ୍ଗ ନିରୂପଣର ଲୋକପ୍ରିୟତାର ମୂଳ କାରଣ ହେଉଛି ଆମ ଦେଶରେ ପ୍ରଚଳିତ କେତେକ ସାମାଜିକ, ଧାର୍ମିକ ଓ ଅର୍ଥନୈତିକ ପ୍ରଥା ଯାହାକି ପୁତ୍ରଜନ୍ମକୁ ପ୍ରାଧାନ୍ୟ ଦେଇଥାଏ । ପିତାମାତା କନ୍ୟା ସନ୍ତାନକୁ ଏକ ବୋଝ ବୋଲି ଭାବନ୍ତି । କନ୍ୟା ସନ୍ତାନକୁ ଅନ୍ୟର ସମ୍ପତ୍ତି ବୋଲି ଭାବି ଏହାର ଶିକ୍ଷା ଓ ସ୍ଵାସ୍ଥ୍ୟର ଖର୍ଚ୍ଚକୁ ଅର୍ଥର ଅପବ୍ୟବହାର ବୋଲି ଭାବନ୍ତି । ପୁତ୍ର ସନ୍ତାନ ଭବିଷ୍ୟତରେ ସେମାନଙ୍କର ବୃଦ୍ଧାବସ୍ଥାର ସାହାରା ଓ ପରିବାର ଭରଣପୋଷଣର ଦାୟିତ୍ଵ ନେବା ଆଶାରେ ତାକୁ ସବୁ କ୍ଷେତ୍ରରେ ପ୍ରାଧାନ୍ୟ ଦେଇ କନ୍ୟା ସନ୍ତାନକୁ ଅବହେଳା କରିଥାନ୍ତି । କେତେକ ଅର୍ଥ ପିପାଶୁ ଡାକ୍ତର, ଆଇନଗତ କଟକଣାର ଦ୍ଵାହି ଦେଇ ଲୋକଙ୍କଠାରୁ ପ୍ରଚୁର ପରିମାଣରେ ଅର୍ଥ ଆଦାୟ କରି ନିର୍ବିଘ୍ନରେ କନ୍ୟାଭ୍ରୂଣ ହତ୍ୟା କରୁଛନ୍ତି ।

ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୂଣ ହତ୍ୟା ଉପରେ ଅଙ୍କୁଶ ଜାରି ହୋଇଥିଲେ ସୁଦ୍ଧା, ବହୁତ ସ୍ଥାନରେ ଏହା ଲୁଚଛପା ଭାବେ ଚାଲିଛି। ପ୍ରତ୍ୟେକ ଦିନ ଅସୁମାରୀ କନ୍ୟା ସନ୍ତାନଙ୍କ ଜୀବନକୁ ମା’ ପେଟ ଭିତରେ ଭ୍ରୂଣବସ୍ଥାରେ ହତ୍ୟା କରାଯାଉଛି । କନ୍ୟାଭ୍ରୂଣ ହତ୍ୟା ନାରୀଜାତି ଉପରେ ଆଚରିତ ହିଂସାର ଏକ ଜ୍ଵଳନ୍ତ ନିଦର୍ଶନ । ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୂଣ ହତ୍ୟା ଦିନକୁ ଦିନ ଯେପରି ବଢିଚାଲିଛି ଏହା ଉଦ୍ବେଗର ବିଷୟ ।

ଲିଙ୍ଗ ନିରୂପଣ ଓ ପରେ କନ୍ୟାଭ୍ରୂଣ ହତ୍ୟା ହିଁ ଶିଶୁ ଲିଙ୍ଗ ଅନୁପାତରେ ଦୃତ ହ୍ରାସର ମୁଖ୍ୟ କାରଣ ବୋଲିଜାଣିବା ପରେ ଆଇନ୍ ପ୍ରଣୟନ କରି ଏହା ଉପରେ ଅଙ୍କୁଶ ଜାରି କରାଗଲା । ଆଇନ୍ ସମ୍ମତ ଗର୍ଭପାତ ଅନୁଚିତ ବ୍ୟବହାରର ପ୍ରତିରୋଧ ନିମନ୍ତେ ୧୯୯୪ ମସିହାରେ ପ୍ରିନାଟାଲ ଡାଇଗନୋଷ୍ଟିକ ଟେକ୍ନିକସ୍(ରେଗୁଲେସନ୍ ଓ ପ୍ରିଭେନ୍ସନ୍ ଅଫ୍ ମିସ୍ଇଉଜ୍)/ଜନ୍ମ ପୂର୍ବ ନିଦାନ କୌଶଳ (ଅପବ୍ୟବହାର ଓ ପ୍ରତିରୋଧ )ନାମରେ ଏକ ଆଇନ୍ ପ୍ରଣୟନ ହେଲା । ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରିବା ପରେ କନ୍ୟାଭ୍ରୂଣ ନଷ୍ଟ କରି, କେବଳ ପୁତ୍ର ପ୍ରାପ୍ତ କରିବା ପାଇଁ ଇଚ୍ଛୁକ ବ୍ୟକ୍ତି ଓ ଅର୍ଥ ପିପାଶୁ ଡାକ୍ତରଙ୍କୁ ଏ ପ୍ରକାର ଅପରାଧରୁ ନିବୃତ୍ତ କରିବା ଏହି ଆଇନ୍ ର ଏକକ ଲକ୍ଷ ।

  1. ଆଇନ୍ ଅନୁଯାୟୀ
    • ପି.ଏନ.ଡି ଟେଷ୍ଟ କରୁଥିବା ବ୍ୟକ୍ତି/ ଚିକିତ୍ସକ, ଗର୍ଭବତୀ ମହିଳା ବା ତାଙ୍କ ସମ୍ପର୍କୀୟଙ୍କୁ ଭାଷା, ସଙ୍କେତ ବା ଅନ୍ୟ କୌଣସି ମାଧ୍ୟମରେ ଭ୍ରୂଣର ଲିଙ୍ଗ ସମ୍ପର୍କରେ କୌଣସି ତଥ୍ୟ ପ୍ରକାଶ କରିପାରିବେ ନାହିଁ ।
    • କେତେକ ନିର୍ଦ୍ଧିଷ୍ଟ ପରିସ୍ଥିତି ବ୍ୟତୀତ ଅନ୍ୟ ସମୟରେ କୌଣସି ବ୍ୟକ୍ତି ବିଶେଷ, ଜେନେଟିକ୍ ପରାମର୍ଶ କେନ୍ଦ୍ର ବା ଜେନେଟିକ ପରୀକ୍ଷାଗାର ବା କୌଣସି ଘରୋଇ ଚିକିତ୍ସାଳୟ ପି.ଏନ.ଡି ଟେଷ୍ଟ ବା ଅଲଟ୍ରାସୋନୋଗ୍ରାଫି କରିପାରିବେ ନାହିଁ । ସେଗୁଡିକ ହେଲା –
      • କ୍ରୋମୋଜୋମାଲ୍ ଅବ୍ୟବସ୍ଥା
      • ଜେନେଟିକ୍ ବା ମେଟାବୋଲିକ୍ ଅସୁସ୍ଥତା
      • ହୋମୋଗ୍ଲୋବିନୋପାଥିସ୍ ବା ଲାଲ୍ ରକ୍ତ କଣିକାର ରୋଗ
      • ଲିଙ୍ଗଗତ ରୋଗ / ଅବ୍ୟବସ୍ଥା
      • ଜନ୍ମଗତ ଅସ୍ଵାଭାବିକତା
    • ଏପ୍ରକାର କୌଣସି ପରିସ୍ଥିତିରେ ଗର୍ଭସ୍ଥ ଶିଶୁର ଅବସ୍ଥା ନିରୂପଣ ସମ୍ଭବ ଏବଂ କରାଯାଇପାରେ ଯଦି :
      • ଗର୍ଭବତୀ ନାରୀର ବୟସ ୩୫ ବର୍ଷରୁ ଊର୍ଦ୍ଧ୍ଵ ।
      • ଗର୍ଭବତୀଙ୍କର ଦୁଇ ବା ଅଧିକ ଗର୍ଭପାତ ବା ଶିଶୁ ନଷ୍ଟ ହୋଇସାରିଛି ।
      • ଗର୍ଭବତୀ ଯଦି ରଡିଏସନ୍, ବିଭିନ୍ନ ଔଷଧ (କ୍ଷତିକାରକ) ତଥା କେମିକାଲ ଯେଉଁ  ଗମ୍ଭୀର ରୋଗର ସଂକ୍ରମିତ ହୋଇଥାଆନ୍ତି ।
      • ଗର୍ଭବତୀଙ୍କର ପରିବାରରେ ଯଦି ମାନସିକ ଅନଗ୍ରସର ଓ ଭିନ୍ନକ୍ଷମ ତଥା ଅନ୍ୟାନ୍ୟ ଜେନେଟିକ୍ ରୋଗର ଇତିହାସ ଥାଏ ।
  2. ଏହି ଆଇନ୍ ଅନୁଯାୟୀ ଏକ କେନ୍ଦ୍ର ପର୍ଯ୍ୟବେକ୍ଷଣ ପରିଷଦ ଗଠିତ ହେବ । ଏହାର କାର୍ଯ୍ୟ ହେଉଛି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଗୀୟ କର୍ତ୍ତୃପକ୍ଷ ନିଯୁକ୍ତି କରିବା (ଆଇନର କାର୍ଯ୍ୟକାରିତା ଓ ଦୋଷୀର ଦଣ୍ଡ ବିଧାନ ପାଇଁ) ଓ ଉପଦେଷ୍ଟା  ମଣ୍ଡଳୀ ଗଠନକରିବା (ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଉପଦେଶ ଦେବା ଓ ସାହାଯ୍ୟ କରିବା ପାଇଁ ) ତେବେ ଏହି ଆଇନ୍ କୌଣସି ଦିଗରୁ MTP ଆଇନ୍ ର  ପରିପନ୍ଥୀ ନୁହେଁ ।
  3. ୨୦୦୧ ମସିହା ଜନଗଣନା ବିବରଣୀ ଅନୁଯାୟୀ ସ୍ତ୍ରୀ-ପୁରୁଷ ଲିଙ୍ଗ ଅନୁପାତ (୯୩୩) ଓ ଶିଶୁ ଲିଙ୍ଗ ଅନୁପାତ (୯୨୭) ଆଶ୍ଚର୍ଯ୍ୟଜଣକ ଭାବେ ହ୍ରାସ ହେବ ପରେ  ପି.ଏନ୍.ଡି.ଟି. ୧୯୯୪ ଆଇନ୍ ରେ ସଂଶୋଧନ ଅଣାଗଲା । ସଂଶୋଧିତ ଗର୍ଭଧାରଣ ପୂର୍ବ ଓ ଜନ୍ମ ପୂର୍ବ ନିଦାନ କୌଶଳ (ନିୟନ୍ତ୍ରଣ ଓ ଅପବ୍ୟବହାର ପ୍ରତିରୋଧ )ପି.ସି. ଏବଂ   ପି.ଏନ୍.ଡି.ଟି. ଆଇନ୍ ୨୦୦୨, ତା ୧୭ । ୧। ୨୦୦୩ ଠାରୁ କାର୍ଯ୍ୟକରି ହେଲା । ଜାମ୍ମୁ-କାଶ୍ମୀର ବ୍ୟତିରକେ ସମଗ୍ର ଭାତରବର୍ଷ ଏହି ଆଇନ୍ ର ପରିସରଭୁକ୍ତ ଅଟେ । ଏହି ଆଇନ୍ ଅନୁଯାୟୀ ଲିଙ୍ଗ ନିରୂପଣ ଓ ଏହାର ପ୍ରକାଶ/ ଉନ୍ମୋଚନ ଓ ଲିଙ୍ଗ ନିରୂପଣ ସମ୍ବନ୍ଧୀୟ ବିଜ୍ଞାପନ ପ୍ରକାଶ କରିବା ନିଷିଦ୍ଧ କରାଗଲା।

ପି.ସି. ପି.ଏନ୍.ଡି.ଟି ଆଇନ ୨୦୦୨

  1. ଏହି ଆଇନ୍ ରେ ଉଲ୍ଲିଖିତ ମୁଖ୍ୟ ନିୟମ ଗୁଡିକ ହେଲା :
    • ଲିଙ୍ଗ ମନୋନୟନ ଓ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ନିଷେଧ ।
    • ପି.ଏନ୍.ଡି. ଟେଷ୍ଟ କରୁଥିବା ବ୍ୟକ୍ତି, ଭାଷା, ସଙ୍ଗେତ ବା ଅନ୍ୟ କୌଣସି ମାଧ୍ୟମରେ ଗର୍ଭସ୍ଥ ଶିଶୁର ଲିଙ୍ଗ ବିଷୟରେ ଗର୍ଭବତୀ ମହିଳା ବା ତାଙ୍କ ସମ୍ପର୍କୀୟଙ୍କୁ ତଥ୍ୟ ପ୍ରଦାନ କରିବେ ନାହିଁ।
    • ଅଲଟ୍ରାସାଉଣ୍ଡ କରୁଥିବା ପ୍ରତ୍ୟେକଟି କେନ୍ଦ୍ର ପଞ୍ଜିକୃତ  ହେବା ଆବଶ୍ୟକ । ଆବଶ୍ୟକୀୟ ଯୋଗ୍ୟତା (ରାଜ୍ୟ ମେଡିକାଲ ରେଜିଷ୍ଟାରରେ ପଞ୍ଜିକୃତ ଏଲୋପାଥି ଡାକ୍ତର )ଥିବା ଡାକ୍ତର ଅଲଟ୍ରାସାଉଣ୍ଡ କରିପାରିବେ।
    • ଅଲଟ୍ରାସୋନୋଗ୍ରାଫି ହେଉଥିବା ପ୍ରତ୍ୟେକ କେନ୍ଦ୍ରରେ ଇଂରାଜୀ ଆ ସ୍ଥାନୀୟ ଭାଷାରେ ଦୃଷ୍ଟି ଆକର୍ଷଣ ହେଉଥିବା ସ୍ଥାନରେ ନାମ ଫଳକ ପ୍ରର୍ଦଶିତ ହେବା ଜରୁରୀ । ଯାହାକି ସୁସ୍ପଷ୍ଟ ଭାବେ ଦର୍ଶାଇବ ।
  2. ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଅବୈଧ
    • କୌଣସି ଡାକ୍ତର ବା କେନ୍ଦ୍ର ଦ୍ଵାରା କୌଣସି ଉପାୟରେ ଲିଙ୍ଗ ମନୋନୟନ ଓ ନିରୂପଣ ସମ୍ପନ୍ଧୀୟ ବିଜ୍ଞାପନ ଦଣ୍ଡନୀୟ।
    • ପ୍ରତ୍ୟେକ ନିର୍ମାଣକାରୀ ସଂସ୍ଥା ତଥ୍ୟ ଦେବେ ଯେ, କେଉଁ କେଉଁ ଚିକିତ୍ସାଳୟ ଓ ବ୍ୟକ୍ତି ବିଶେଷକୁବ ଅଲଟ୍ରାସାଉଣ୍ଡ ମେସିନ୍ ବିକ୍ରି କରିଛନ୍ତି।
    • ପ୍ରତ୍ୟେଟି ଅଲଟ୍ରାସାଉଣ୍ଡ ବିବରଣୀରେ  ପି.ଏନ୍.ଡି ଟେଷ୍ଟ କରୁଥିବା ବ୍ୟକ୍ତି ଘୋଷଣା (ଲିଖିତ )କରିବେ ଯେ ଗର୍ଭସ୍ଥ ଭ୍ରୂଣର ଲିଙ୍ଗ ନିରୂପଣ ବା ଉନ୍ମୋଚନ କରିନାହାନ୍ତି ।
  3. ପରୀକ୍ଷା ପୂର୍ବରୁ ଗର୍ଭବତୀ ମହିଳା ଘୋଷଣା (ଲିଖିତ)କରିବେ ଯେ ସେ ଭ୍ରୂଣର ଲିଙ୍ଗ ଜାଣିବାକୁ ଚାହାନ୍ତି ନାହିଁ ।
    • ସବୁ କେନ୍ଦ୍ରରେ ଏକ ରେଜିଷ୍ଟାରରେ ପ୍ରତ୍ୟେକଟି ସ୍କାନିଙ୍ଗର ନିମ୍ନଲିଖିତ ବିବରଣୀ ରହିବା ଆବଶ୍ୟକ
    • ନାମ ଓ ଠିକଣା
    • ସ୍ଵାମୀ/ସ୍ତ୍ରୀ /ବାପାଙ୍କ ନାମ
    • କେଉଁଦିନ ସେମାନେ ପ୍ରଥମେ ଆସିଥିଲେ
    • ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର
  4. ସମସ୍ତ ପଞ୍ଜିକୃତ ଜେନେଟିକ୍ କାଉନସେଲିଂ ସେଣ୍ଟର, ଜେନେଟିକ ସେଣ୍ଟର, ଜେନେଟିକ୍ ଲାବୋରୋଟୋରୀ, ଜେନେଟିକ୍ କ୍ଲିନିକ୍, ଅଲଟ୍ରାସାଉଣ୍ଡ କ୍ଲିନିକ୍ ରେ ନିଯୁକ୍ତ କର୍ମଚାରୀମାନେ ଏକ ନିର୍ଦ୍ଦିଷ୍ଟ ଆଚରଣ ବିଧିର ଅନୁକରଣ କରିବା ବିଧେୟ ।
  5. ଆଇନ୍ ର ସ୍ଵଚ୍ଛଳ କାର୍ଯ୍ୟକାରୀତା ଏବଂ ଯାଞ୍ଚ କରିବା ପାଇଁ ପ୍ରତି ରାଜ୍ୟରେ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷଣ  ପରିଷଦ ଓ ବିଭାଗୀୟ କର୍ତ୍ତୃପକ୍ଷ ଗଠିତ ହେବ ।
  6. ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଧିକ କ୍ଷମତା ଦିଆଯିବ ଯେପରି ସେମାନେ ଲିଙ୍ଗ ନିରୂପଣରେ ସାହାଯ୍ୟ କରୁଥିବା ମେସିନ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଅନୁସନ୍ଧାନ ଜବତ କରିପାରିବେ ଓ ଆଇନ ଉଲ୍ଲଘଂନ କରୁଥିବା ଅନୁଷ୍ଠାନକୁ ବନ୍ଦ କରିପାରିବେ ।
  7. କୌଣସି ବ୍ୟକ୍ତି ଉପଜିଲ୍ଲାସ୍ତରୀୟ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଅଭିଯୋଗ ଜିଲ୍ଲାସ୍ତରୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ପାରିବେ । ଠିକ୍ ସେହିପରି ଜିଲ୍ଲାସ୍ତରୀୟ କର୍ତ୍ତୃପକ୍ଷଙ୍କ ବିପକ୍ଷରେ ଅଭିଯୋଗ ରାଜ୍ୟସ୍ତରୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ପାରିବେ ।
  8. ୨୩ଟି ନିର୍ଦ୍ଦିଷ୍ଟ ପରିସ୍ଥିତିରେ (ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଦ୍ଵାରା ନିର୍ଦ୍ଧାରିତ ) ଗର୍ଭବତୀ ମହିଳା ଓ ଭ୍ରୂଣର ଅବସ୍ଥା ଜାଣିବା ପାଇଁ ଅଲଟ୍ରାସାଉଣ୍ଡ୍ କରାଯାଇ ପାରିବ ।

ପଞ୍ଜିକରଣ

  1. ଅଲଟ୍ରାସାଉଣ୍ଡ୍ କରୁଥିବା ପ୍ରତ୍ୟେକଟି କେନ୍ଦ୍ର, ବ୍ୟକ୍ତି ଓ ଅଲଟ୍ରାସାଉଣ୍ଡ୍ ମେସିନ୍ ପଞ୍ଜିକୃତ ହେବା ଆବଶ୍ୟକ ।
    • ପଞ୍ଜିକରଣ ନିମିତ୍ତ ଜେନେଟିକ୍ କାଉନସେଲିଂ କେନ୍ଦ୍ର, ଜେନେଟିକ୍ କେନ୍ଦ୍ର, ଜେନେଟିକ୍ ପରୀକ୍ଷାଗାରର ମାଲିକ / ସତ୍ତ୍ଵାଧିକାରୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ (ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ) ଦରଖାସ୍ତ ଦେବେ । ଏଥିପାଇଁ ତାଙ୍କୁ ଫର୍ମ ଏ ପୂରଣ କରି, ତା’ ସହିତ ଡିମାଣ୍ଡ ଡ୍ରାଫ୍ଟ ଦେବାକୁ ପଡିବ ।
    • ବିଭାଗୀୟ କର୍ତ୍ତୃପକ୍ଷ , ସ୍ଥାନ, ସେଠାରେ  କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ବ୍ୟବହୃତ ହେବାକୁ ଥିବା ଉପକରଣ ଗୁଡିକର ନିରୀକ୍ଷଣ କରିବା ପରେ ଉପଦେଷ୍ଟା ମଣ୍ଡଳୀରେ ତାଙ୍କ ବିବରଣୀ ଉପସ୍ଥାପନ କରିବେ । ବିବରଣୀ ସନ୍ତୋଷଜନକ ହୋଇଥିଲେ ୯୦ ଦିନ ଭିତରେ ପଞ୍ଜିକରଣ ସାର୍ଟିଫିକେଟ ମିଳିବ ।
    • ପଞ୍ଜିକରଣ   ସାର୍ଟିଫିକେଟ୍ ରେ କ୍ଲିନିକ୍ ରେ କେତୋଟି ଅଲଟ୍ରାସାଉଣ୍ଡ ମେସିନ୍ ଅଛି ତାହା ଉଲ୍ଲେଖ କରାଯାଇଥାଏ । ନୂତନ ମେସିନ୍ କିଣାଗଲେ, କିଣିବାର ୩୦ ଦିନ ମଧ୍ୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପଡ଼ିବ ।
    • ପ୍ରତ୍ୟେକ ପଞ୍ଜିକରଣ ଅବଧି ୫ ବର୍ଷ । ପଞ୍ଜିକରଣର ନବୀକରଣ ପାଇଁ ସମୟ ସୀମା ସମ୍ପୂର୍ଣ୍ଣ ହେବାର ୩୦ ଦିନ ପୂର୍ବରୁ ଫର୍ମ-ଏ ରେ ପୁନଃ ଦରଖାସ୍ତ କରିବାକୁ ପଡ଼ିବ ।
    • ସମୟସୀମା ସମ୍ପୂର୍ଣ୍ଣ ହେବା ପରେ ଯଦି ପୁନଃ ଆବେଦନ ନ ହୋଇଛି ତେବେ କ୍ଲିନିକ୍ ପଞ୍ଜିକୃତ ନୁହେଁ ବୋଲି ଧରି ନିଆଯିବ ଓ ବ୍ୟବହାର ହେଉଥିବା ମେସିନ୍କୁ  ଆଇନ୍ ଅନୁଯାୟୀ ସିଲ୍ କରିଦିଆଯିବ ।
    • ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଦୃଷ୍ଟିଗୋଚର ହେବା ସ୍ଥାନରେ ପଞ୍ଜିକୃତ ସାର୍ଟିଫିକେଟ୍ ପ୍ରଦର୍ଶିତ ହେବା ଜରୁରୀ । ଏହା ବ୍ୟତୀତ ଇଂରାଜୀ ଓ ସ୍ଥାନୀୟ ଭାଷାରେ ନାମଫଳକରେ ସୂଚିତ କରିବେ ।
  2. ପି.ଏନ୍.ଡି.ଟି.ଆଇନ୍ ଅନୁଯାୟୀ ଲିଙ୍ଗ ନିରୂପଣ ଏକ ଦଣ୍ଡନୀୟ ଅପରାଧ ଏବଂ ଏଠାରେ ଏହା କରାଯାଏ ନାହିଁ ।
    • ଜରୁରୀକାଳୀନ ପରିସ୍ଥିତିରେ ଅଲଟ୍ରାସାଉଣ୍ଡ୍ ମେସିନ୍କୁ ଗାଡିରେ ନିଆଯାଇ ବ୍ୟବହାର କରାଯାଇପାରିବ । କିନ୍ତୁ ଗାଡି ମାଲିକର ଅଞ୍ଚଳର ବିଭାଗୀୟ କର୍ତ୍ତୃପକ୍ଷଙ୍କ ପକ୍ଷରେ ପାଖରେ ଗାଡି ପଞ୍ଜିକୃତ କରିବାକୁ ପଡ଼ିବ । ଏହି ଆଇନ୍ ର ଉଲ୍ଲଘଂନ କ୍ଷେତ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଭିଯୋଗ ପତ୍ର ଗ୍ରହଣ କରିପାରିବେ ।
    • ଏହି ଆଇନର ଉଲ୍ଲଘଂନ ପରିଲକ୍ଷିତ ହେଲେ, ନିଜ ଅଞ୍ଚଳର ଉପଯୁକ୍ତ କ୍ଷମତା ସମ୍ପନ୍ନ ବ୍ୟକ୍ତିଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ, ଅଥବା ନିମ୍ନଲିଖିତ ଠିକଣାରେ ଅଭିଯୋଗ କରନ୍ତୁ ।
  3. ବିଭାଗୀୟ  କର୍ତ୍ତୃପକ୍ଷ ଓ ଉପଦେଷ୍ଟା ମଣ୍ଡଳୀ
    • ପି.ସି. ଏବଂ ପି.ଏନ.ଡି.ଟି. ଆଇନ୍ ର କାର୍ଯ୍ୟକାରିତା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିବା ଓ ଉପଦେଶ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉପଦେଷ୍ଟା ମଣ୍ଡଳୀ ଗଠନ କରିବେ । ରାଜ୍ୟସ୍ତରଠାରୁ ଆରମ୍ଭ କରି ଉପଜିଲ୍ଲାସ୍ତର ଯାଏ ଉପଦେଷ୍ଟା ମଣ୍ଡଳୀ ରହିବେ ।
    • ପ୍ରତ୍ୟେକ ଉପଦେଷ୍ଟା ମଣ୍ଡଳୀ ଆଠ ଜଣ ସଦସ୍ୟଙ୍କୁ (ସ୍ୱାସ୍ଥ୍ୟ ବିଶେଷଜ୍ଞ –ତିନି ଜଣ, ସମାଜ ସେବକ- ତିନି ଜଣ, ଆଇନ ବିଶେଷଜ୍ଞ – ଜଣେ, ସୂଚନା ଓ ପ୍ରସାରଣ ବିଭାଗ – ଜଣେ ) ନେଇ ଗଠିତ ହେବା ଉଚିତ ।
    • କୌଣସି ଅନୁଷ୍ଠାନର ପଞ୍ଜିକରଣ, ନବୀକରଣ, ରଦିକରଣ ଓ ବାତିଲ କରିବା ସମୟରେ ବିଭାଗୀୟ କର୍ତ୍ତୃପକ୍ଷ ଉପଦେଷ୍ଟା ମଣ୍ଡଳୀର ପରାମର୍ଶ ନେବେ ।
    • ଏହି ମଣ୍ଡଳୀ ଆଇନର ପ୍ରଭାବଶାଳୀ କାର୍ଯ୍ୟକାରୀତା  ପାଇଁ ଓ ଆଇନ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଦିଗରେ ଉପଦେଶ ଦେବ । ଏହି ମଣ୍ଡଳୀର ବୈଠକ ପ୍ରତ୍ୟେକ ଦୁଇ ମାସରେ ଥରେ  ହେବ । ଏହି ବୈଠକରେ ଆଇନ୍ ର କାର୍ଯ୍ୟକାରୀତା ଜନିତ ପ୍ରତିବନ୍ଧକ ଓ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଏ । ବିଭାଗୀୟ କର୍ତ୍ତୃପକ୍ଷ ଉପଦେଷ୍ଟା ମଣ୍ଡଳୀର ପ୍ରତ୍ୟେକ ବୈଠକରେ ଯୋଗ ଦେବା ଉଚିତ ।
    • ଏହି ମଣ୍ଡଳୀ ଦ୍ଵାରା ବିଭିନ୍ନ ସ୍ତରରୁ ଏହି ଆଇନ୍ ସମ୍ବନ୍ଧୀୟ ମତାମତ ମିଳେ ।
    • ବିଭାଗୀୟ କର୍ତ୍ତୃପକ୍ଷ ଉପଦେଷ୍ଟା ମଣ୍ଡଳୀର ଅନୁମୋଦନ ମାନିବାକୁ ବାଧ୍ୟ ନୁହଁନ୍ତି ।
    • ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ପ୍ରତ୍ୟେକ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ନାମଫଳକରେ ଉପଦେଷ୍ଟା ମଣ୍ଡଳୀଙ୍କ ନାମ ଓ ଟେଲିଫୋନ୍ ନମ୍ବର ଲେଖାଯିବା ଉଚିତ ।

ଆଧାର - ଡିପାଟମେଣ୍ଟ ଅଫ ହେଲଥ ଆଣ୍ଡ ଫ୍ୟାମିଲି ୱେଲଫେୟାର, ଓଡ଼ିଶା ସରକାର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate