ମହିଳାମାନଙ୍କ ଯକ୍ଷ୍ମାରୋଗ କଥା ବିଚାରକୁ ନେଲେ ଦେଖିବା ଯେ ଗର୍ଭାବସ୍ଥାରେ ପ୍ରାୟ ଶତକଡା ୫ ପ୍ରତିଶତ ମହିଳା ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇଥାନ୍ତି ବା ଯକ୍ଷ୍ମାରୋଗ ସହ ଗର୍ଭଧାରଣ କରିଥାନ୍ତି । ଗର୍ଭାବସ୍ଥା ଏକ ଷ୍ଟ୍ରେସଫୁଲ ପିରିଅଡ୍ ବା ମାନସିକ ଓ ଶାରୀରିକ ଚାପର ସମୟ ଏବଂ ଏହି ସମୟରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ରୋଗ ବ୍ୟାପିବାର ଆଶଙ୍କା ଥାଏ ।
ତେଣୁ ଛାତି ରୋଗ ବିଶେଷଜ୍ଞ ଏବଂ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କର ମିଳିତ ଉଦ୍ୟମରେ ଏହି ରୋଗର ଚିକିତ୍ସା କରାଇବା ଆବଶ୍ୟକ ।
ଯକ୍ଷ୍ମାରୋଗ ଭୋଗୁଥିବା ମହିଳାମାନଙ୍କର ଏଚ.ଆଇ.ଭି ପଜିଟିଭ୍ ରୋଗୀଙ୍କର ଛାତିରେ ଯକ୍ଷ୍ମାରୋଗ ହେବା ସହ ଅନ୍ୟ ଅଙ୍ଗରେ ମଧ୍ୟ ଯକ୍ଷ୍ମାରୋଗ ହୋଇଥାଏ । ଏଚ.ଆଇ.ଭି - ପଜିଟିଭ୍ ରୋଗୀଙ୍କ ମଧ୍ୟରୁ ଶତକଡା ୧୪ ପ୍ରତିଶତ ରୋଗୀ ଯକ୍ଷ୍ମାରୋଗ ଭୋଗିଥାନ୍ତି ।
ଶତକଡା ୫୦ରୁ ୭୫ ଭାଗ ଗର୍ଭବତୀ ମହିଳାଙ୍କର ଯକ୍ଷ୍ମାରୋଗର ଲକ୍ଷଣ ଦେଖା ଦେଇ ନ ଥାଏ ଏବଂ ଅନେକ ଗର୍ଭବତୀ ମହିଳାଙ୍କର କିଛି ଲକ୍ଷଣ ନ ଥିବାରୁ ଏହି ରୋଗର ଚିହ୍ନଟରେ ଅସୁବିଧା ହୋଇଥାଏ । ଗର୍ଭାବସ୍ଥାରେ ମହିଳା ଯକ୍ଷ୍ମା ରୋଗର ଲକ୍ଷଣ ପ୍ରାୟ ଅନ୍ୟ ମହିଳା ଯକ୍ଷ୍ମା ରୋଗୀଙ୍କ ଭଳି ବେଳେ ବେଳେ ହୋଇଥାଏ । ଅନ୍ୟମାନଙ୍କର କାଶ ଓ କଫ, ଓଜନ ହ୍ରାସ, ରାତିରେ ଝାଳ ବୋହିଯିବା, ସନ୍ଧ୍ୟାରେ ଜ୍ଵର ହେବା କ୍ଲାନ୍ତ ଲାଗିବା, ବେଳେବେଳେ କଫରେ ରକ୍ତ ପଡିବା ଆଦି ଲକ୍ଷଣମାନ ଦେଖା ଦେଇଥାଏ । ଗର୍ଭବତୀ ମହିଳାଙ୍କର ଉପୋରକ୍ତ ଲକ୍ଷଣ ସହ ଓଜନ କମିଗଲେ, ଏବଂ ପରିବାର ବା ପଡୋଶୀ ଯକ୍ଷ୍ମା ରୋଗୀଙ୍କ ସଂସ୍ପର୍ଶରେ ଆସିଲେ ଏହା ହୋଇଥାଏ । ଏହାଛଡା ପରୀକ୍ଷା କଲେ ବେକାର ଲିମ୍ପ୍ ନୋଡ ବାଗୁଲି ବଢିଥିବା ସହ ଛାତିରେ କଫର ଶବ୍ଦ ଓ ପୋଷ୍ଟଟସିଭ୍ ରାଲ୍ ଶୁଣାଯାଇଥାଏ ।
ମାଣ୍ଟୁକ୍ସ ଟେଷ୍ଟ, ଛାତି ଏକ୍ସରେ , କଫ ପରୀକ୍ଷା, କଫ କଲଚର୍, ରକ୍ତର ସିରମ୍ ଆଣ୍ଟିବଡି ଟେଷ୍ଟ , ମଲିକ୍ୟୁଲାର ଡାଏଗ୍ନୋଷ୍ଟିକ ଟେଷ୍ଟ ଓ ଔଷଧ ରେଜିଷ୍ଟାଣ୍ଡ ଟେଷ୍ଟ ଆଦି କରାଯାଇ ତାପରେ କେମୋଥେରାପି ଦିଆଯାଏ । ଏହି ଚିକିତ୍ସା ଡଟସ୍ ମେଥଡ୍ ରେ ଦିଆଯାଇଥାଏ । ଏହା ପଲମୋନାରୀ ମେଡ଼ିସିନ୍ ବିଶେଷଜ୍ଞମାନେ ଦେଇଥାନ୍ତି । ଏହା ନିଶ୍ଚିତ ଯେ , ଜରାୟୁ ଓ ଡିମ୍ବବାହୀ ନଳୀରେ ଯକ୍ଷ୍ମାରୋଗ ହେଲେ ବନ୍ଧ୍ୟାଦୋଷ ହୋଇଥାଏ । ଗର୍ଭ ସମୟରେ ୬ ରୁ ୯ ମାସ ଯାଏଁ ଯକ୍ଷ୍ମାରୋଗର ଚିକିତ୍ସା କଲେ , ଗର୍ଭସ୍ଥ ଶିଶୁ କମ୍ ଓଜନର ହେବା ସହ ଛୋଟ ଶିଶୁ ହୋଇଥାଏ , ଏବଂ ଅପରିଣତ ପ୍ରସାବ (ଶତକଡା ୨୩ ରୁ ୬୪ ପ୍ରତିଶତ) ହୋଇଥାଏ । ଯଦି ଅନିୟମିତ ବା ଅସଂପୂର୍ଣ୍ଣ ଭାବରେ ଯକ୍ଷ୍ମାରୋଗ ପାଇଁ ଚିକିତ୍ସା କରାଯାଏ , ତେବେ ଶିଶୁର ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏହାଛଡା ଗର୍ଭାବସ୍ଥାରେ ଉଚ୍ଚରକ୍ତଚାପ , ରକ୍ତହୀନତା , କଷ୍ଟସାଧ୍ୟ ପ୍ରସବ ଏବଂ ପ୍ରସବପରେ ଅତ୍ୟଧିକ ରକ୍ତ କ୍ଷରଣ ହୋଇଥାଏ । ତେବେ ଗର୍ଭାବସ୍ଥାରେ ଯକ୍ଷ୍ମାରୋଗରୁ ଆରୋଗ୍ୟ ହେବାପାଇଁ ଔଷଧ ନ ଖାଇଲେ , ଜଟିଳତାର ମାତ୍ରା ଅଧିକ ହୁଏ ଏବଂ ଯକ୍ଷ୍ମା ପାଇଁ ସଂପୂର୍ଣ୍ଣ ଔଷଧ ଖାଇଲେ , ମା ଓ ଶିଶୁଙ୍କ ପାଇଁ ଜଟିଳତାର ହାର କମିଯାଏ ।
ଗର୍ଭଧାରଣର ଯକ୍ଷ୍ମା ଉପରେ ପ୍ରଭାବ :ଗର୍ଭାବସ୍ଥା ଅପେକ୍ଷା ପ୍ରସବପରେ ଏହା ବେଶୀ ସଂକ୍ରମିତ ତେବେ ଉପଯୁକ୍ତ ଔଷଧ ସେବନ ଦ୍ଵାରା ଗର୍ଭାବସ୍ଥା , ପ୍ରସବ ସମୟରେ ବିଶେଷ ଅସୁବିଧା ହୋଇ ନ ଥାଏ ।
ଯକ୍ଷ୍ମାରୋଗରେ ଗର୍ଭଧାରଣ ପୂର୍ବରୁ ପରାମର୍ଶ : ଯେଉଁ ମହିଳାଙ୍କୁ ଗର୍ଭଧାରଣ ପୂର୍ବରୁ ଯକ୍ଷ୍ମାରୋଗ ହୋଇଥାଏ ସେମାନେ ତାଙ୍କର ଚିକିତ୍ସା ସଂପୂର୍ଣ୍ଣକରି , ଅନ୍ତତଃପକ୍ଷେ ୨ ବର୍ଷପରେ ଗର୍ଭଧାରଣ କରିବା ଆବଶ୍ୟକ, କିନ୍ତୁ ତଥାପି ଯଦି ଜଣେ ଗର୍ଭଧାରଣ କରିବାକୁ ଇଛାପ୍ରକାଶ କରନ୍ତି , ତେବେ ଗର୍ଭାବସ୍ଥାରେ ମା’ ଓ ଶିଶୁଙ୍କ ପାଇଁ କି କି ଜଟିଳତାର ସାମ୍ନା କରିବାକୁ ହୁଏ ଏବଂ ଏହା ସହ ଗର୍ଭାବସ୍ଥାରେ ମଧ୍ୟ ଚିକିତ୍ସା ପାଇଁ ଔଷଧ ଖାଇଲେ ସେ କିପରି ଆରୋଗ୍ୟ ହେବେ ତାହା ମଧ୍ୟ ଜାଣିବା ଜରୁରୀ । ଗର୍ଭାବସ୍ଥାରେ ଯକ୍ଷ୍ମା ପାଇଁ ଔଷଧ ସେବନ କରିବା ଅତି ପ୍ରୟୋଜନ । କାରଣ ଏହି ସମୟରେ ଔଷଧ ନଖାଇଲେ, ମା’ ଓ ଶିଶୁଙ୍କ ପାଇଁ ଜଟିଳତା ହେବା ସହ , ଖୁବ୍ ଜରୁରୀ । ତେବେ ଗର୍ଭଧାରଣପୂର୍ବରୁ ରିଫାସ୍ପିସିନ ଖାଇଥିଲେ ଗର୍ଭ ନିରୋଧକ ବଟିକା ବିଶେଷ କାମ ଦେଇ ନଥାଏ । ତେଣୁ ଗର୍ଭନିରୋଧକପାଇଁ ବାରିଅର୍ ମେଥଡ୍ କଣ୍ଡୋମ୍ ବ୍ୟବହାର କରିବା ଆବଶ୍ୟକ ।
ଛାତିରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଗର୍ଭାବସ୍ଥାରେ ଚିକିତ୍ସା କରାଇବା ବିଧେୟ । ଗର୍ଭଧାରଣର ପ୍ରଥମ ୩ମାସରେ ଠିକ୍ ପରିମାଣରେ ଯକ୍ଷ୍ମା ଚିକିତ୍ସା ପାଇଁ ଔଷଧ ଖାଇବା ଦରକାର । ଗର୍ଭାବସ୍ଥାରେ ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟରେ ଗର୍ଭବତୀ ରୋଗୀକୁ ଆଉଥରେ ଭଲ କରି ଦେଖିବା ଆବଶ୍ୟକ । ବେଶୀ ପରିଶ୍ରମ ନ କରି ବିଶ୍ରାମ କରିବା , ସୁଷମଖାଦ୍ୟ ତଥା ଯକ୍ଷ୍ମା ପାଇଁ ଠିକ୍ ଡୋଜ୍ ରେ ଔଷଧ ଖାଇବା ଜରୁରୀ । ଏହାଛଡା ଲୌହସାର , ଫଲିକ ଏସିଡ ଓ ଭିଟାମିନ୍ ମଧ୍ୟ ଖାଇବା ପ୍ରୟୋଜନ । ଏହି ରୋଗୀଙ୍କର ସାଧାରଣ ପ୍ରସବ ପାଇଁ ଛାଡି ଦିଆଯାଏ । ଯଦି ଅନ୍ୟ କିଛି ଅସୁବିଧା ଥାଏ , ତେବେ ସିଜରିଆନ ସେକ୍ସନ କରାଯାଏ । ପ୍ରସବପରେ ଯେଉଁମାନଙ୍କର ଯକ୍ଷ୍ମାରୋଗ ବିଶେଷ ଅସୁବିଧା କରୁଥାଏ ସେମାନଙ୍କୁ ହସ୍ପିଟାଲରେ ୨ – ୩ ସପ୍ତାହ ଯାଏଁ ରଖାଯାଏ । ସ୍ପୁଟମ ନେଗେଟିଭ ମାନେ ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିବେ । କିନ୍ତୁ ଯେଉଁ ମା’ମାନେ ସ୍ପୁଟମ ପଜିଟିଭ୍ ହୋଇଥାନ୍ତି ସେମାନେ ସ୍ତନ୍ୟପାନ କରାଇବା ଉଚିତ୍ ନୁହେଁ । ପ୍ରଥମ ଗର୍ଭାମାନେ ପ୍ରସବ ପରେ ଗର୍ଭନିରୋଧକ ପ୍ରଣାଳୀ ବ୍ୟବହାର କରିବା ଏବଂ ବହୁଗର୍ଭା ମାନେ ଜନ୍ମ ନିରୋଧକ ଅସ୍ତ୍ରୋପ୍ରଚାର କରାଇବା ଭଲ ।
ସୂଚନାଯୋଗ୍ୟ ସଚେତନତାର ଅଭାବ, ଦାରିଦ୍ର୍ୟ, ଏଚ.ଆଇ.ଭି. ର ପ୍ରାବଲ୍ୟ ଓ ଏହାଦ୍ୱାରା ଆକ୍ରାନ୍ତ ଲୋକଙ୍କ ସଂଖ୍ୟାଧିକତା , ଔଷଧର ରେଜିଷ୍ଟାନ୍ସ ପାଇଁ ପୁଣିଥରେ ଯକ୍ଷ୍ମାରୋଗ ଲୋକମାନଙ୍କ ପାଇଁ ମୁଖ୍ୟ ସମସ୍ୟା ସୃଷ୍ଟି କରିଛି । ଚଳିତମାସ ୨୪ ତାରିଖରେ ପାଳିତ ହେଉଛି ବିଶ୍ଵ ଯକ୍ଷ୍ମାରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ରୋଗୀଙ୍କୁ ସଂପୂର୍ଣ୍ଣ ଆରୋଗ୍ୟ କରାଇବା । ତେବେ ଉପଯୁକ୍ତ ସମୟରେ ଚିହ୍ନଟ ଓ ସଂପୂର୍ଣ୍ଣ ଭାବରେ ଚିକିତ୍ସା ହୋଇପାରିଲେ ଗର୍ଭାବସ୍ଥାରେ ମଧ୍ୟ ଜଣେ ଯକ୍ଷ୍ମାରୋଗୀ ସୁସ୍ଥ ରହିବା ସହ ଗର୍ଭସ୍ଥ ଶିଶୁ ମଧ୍ୟ ନିରାପଦରେ ରହିପାରିବ ।
ଆଧାର – ଡା . ସରୋଜିନୀ ଷଡଙ୍ଗୀ
Last Modified : 9/19/2019