অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତମାଖୁ ସେବନ ଓ ମହିଳାଙ୍କ ସ୍ୱାସ୍ଥ୍ୟ

ଉପକ୍ରମ

ସାଧାରଣତଃ ଦେଖାଯାଇଥାଏ ଯେ, ପୁରୁଷମାନେ ହିଁ ଧୂମପାନ କରିଥାନ୍ତି । ହେଲେ ବର୍ତ୍ତମାନ ମହିଳାମାନେ ମଧ୍ୟ ଧୂମପାନ ଭଳି କୁଅଭ୍ୟାସକୁ ଆପଣେଇ ନେଇଛନ୍ତି । ବିଗତ ୫୦ ବର୍ଷ ମଧ୍ୟରେ ମହିଳାମାନଙ୍କ ଧୂମପାନ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମୃତ୍ୟୁହାର ୩ଗୁଣ ଅଧିକ ହୋଇଯାଇଛି । ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧୦ ଲକ୍ଷରୁ ଅଧିକ ମହିଳା ଧୂମପାନ କରୁଥିବା ବେଳେ ସେମାନଙ୍କର  ହୃଦଘାତ, ଫୁସ୍ ଫୁସ୍ ଜନିତ କର୍କଟ ରୋଗ ହେବାର ବିପଦ ( ରିସ୍କ) ମଧ୍ୟ ବଢିଯାଇଛି । ଆମ ଦେଶରେ ଖୁବ୍ କମ୍ ମହିଳା ସକ୍ରିୟ ଧୂମପାନ କରୁଥିଲେ ମଧ୍ୟ ଅଧିକାଂଶ ମହିଳା ଓ ଶିଶୁ ନିଷ୍କ୍ରିୟ ଧୂମପାନ ( ପାଶିଭ ସ୍ମୋକିଂ ବା ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଂ) ର ଶିକାର ହେଉଛନ୍ତି ।

ନିଷ୍କ୍ରିୟ ଧୂମପାନଜନିତ ସମସ୍ୟା

ନିଷ୍କ୍ରିୟ ଧୂମପାନ ପାଇଁ ୩୫ ବର୍ଷରୁ ଉର୍ଦ୍ଧ୍ଵ ମହିଳା ପୁରୁଷମାନଙ୍କ ଅପେକ୍ଷା କରୋନାରି ଧମନୀଜନିତହୃଦଘାତ, ହୃଦରୋଗ ଉଚ୍ଚ ରକ୍ତଚାପରେ ବେଶି ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡିଥାନ୍ତି । ଏହାଛଡା ଧୂମପାନ କରୁଥିବା ମହିଳାମାନେ କ୍ରନିକ୍ ଶ୍ଵାସଜନିତ ରୋଗ ଯଥା ଏଫିସିମା ବ୍ରୋଙ୍କାଇଟିସ୍ ଓ ଫୁସ୍ ଫୁସ୍ ଜନିତ ରୋଗ ବେଶି ଭୋଗିଥାନ୍ତି । ପରିବାରରେ ପୁରୁଷ ବ୍ୟକ୍ତିମାନେ ଧୂମପାନ କାଲେ ମହିଳା ଓ ଶିଶୁମାନେ ମଧ୍ୟ ନିଷ୍କ୍ରିୟ ଧୂମପାନ ଯୋଗୁଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭୋଗ କରିଥାନ୍ତି ଏବଂ ଅଳ୍ପ ବୟସରେ ହୃଦ୍ ରୋଗ ହୃଦ୍ ଘାତ, ଶ୍ଵାସ ରୋଗ ତଥ୍ୟବ ଫୁସ୍ ଫୁସ୍ କର୍କଟ ରୋଗ ଭୋଗିବା ସହ ଅନ୍ୟାନ୍ୟ ସମସ୍ୟାର ଶିକାର ହୋଇଥାନ୍ତି । ନିଷ୍କ୍ରିୟ ଧୂମପାନ ଯୋଗୁଁ ଶିଶୁମାନେ ୫ ବର୍ଷ ବେଳକୁ ପ୍ରାୟ ୫୦୦ ସିଗାରେଟ୍ ପିଇସାରିଥିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ନିକୋଟିନର ବିଷ ମା’ର ନିଃଶ୍ଵାସ ଦେଇ ରକ୍ତରେ ମିଶିଥାଏ ଏବଂ ଗର୍ଭଧାରଣ ସମୟରେ ତାହା ରକ୍ତରେ ଶିଶୁ ଦେହକୁ ଯାଇ ଅସଂଖ୍ୟ ରୋଗ ସୃଷ୍ଟି କରିଥାଏ । ସେହିଭଳି ଶିଶୁ ଜନ୍ମ ହେଲାପରେ ଶିଶୁର ବିଭିନ୍ନ ପ୍ରକାର ଶ୍ଵାସ ରୋଗ କ୍ରନିକ ଛାତି ରୋଗ ଆଲର୍ଜି, ଥଣ୍ଡା କାଶ ଆଦି ଲାଗି ରହିଥାଏ। ତେଣୁ ଘରେ ଧୂମପାନ କଲେ ମହିଳା ଓ ଶିଶୁମାନେ ବିଶେଷଭାବରେ ଆକ୍ରାନ୍ତ ହୋଇଥାନ୍ତି। ଗର୍ଭବତୀ ମହିଳା ନିଷ୍କ୍ରିୟ ଭାବରେ ସିଗାରେଟ୍ ର ଧୂଆଁ ନିଃଶ୍ଵାସ ବାଟେ ନେଲେ ଗର୍ଭସ୍ଥ ଶିଶୁଟି ବିଶେଷ ଭାବରେ ଆକ୍ରାନ୍ତ ହୋଇଥାଏ ।

ସକ୍ରିୟ ଧୂମପାନଜନିତ ସମସ୍ୟା

ନିଷ୍କ୍ରିୟ ଧୂମପାନ ତୁଳନାରେ ଏହା ଅଧିକ କ୍ଷତିକାରକ । କିଶୋରୀ ବୟସରେ ନିଶାଦ୍ରବ୍ୟ ସେବନ ( ହିରୋଇନ୍)  ବା ଧୂମପାନ କଲେ ମାସିକ ଋତୁସ୍ରାବର ଆରମ୍ଭ ବିଳମ୍ବରେ ହୋଇଥାଏ ( ଡିଲେଡ୍ ମେନାର୍କି)ଏବଂ ଅନିୟମିତ ଋତୁସ୍ରାବ ଆଦି ସମସ୍ୟା ଦେଖାଦେଇଥାଏ । ଏମାନଙ୍କ ଶରୀରର ବୃଦ୍ଧି ( ଷ୍ଟାଣ୍ଟାର୍ଡ ଗ୍ରୋଥି ) ହୁଏ  ନାହିଁ । ଅଭ୍ୟୁଲେଶନ୍ ବା’ ଡିମ୍ବକୋଷରୁ ଡିମ୍ବ ନିର୍ଗତ ଠିକ୍ ଭାବେ ହୋଇପାରେ ନାହିଁ ଏ ପ୍ରକାର ଝିଅମାନେ ବିବାହ ପରେ ଶୀଘ୍ର ଗର୍ଭଧାରଣ କରିପାରନ୍ତି ନାହିଁ । ତେଣୁ ସେମାନଙ୍କରଠାରେ ପ୍ରାଥମିକ ବନ୍ଧ୍ୟାଦୋଷ   ଦେଖାଦେଇଥାଏ । ଏପରି ଗର୍ଭଧରଣ କଲାପରେ ସେମାନଙ୍କର ବାରମ୍ବାର ଗର୍ଭନଷ୍ଟ, ଅପରିଣତ ପ୍ରସାବ ତଥା ଅପରିଣତ ଶିଶୁ ଜନ୍ମ ହୋଇଥାଏ ।

ଗର୍ଭାବସ୍ଥାରେ ଧୂମପାନର ପ୍ରଭାବ

ଏହି ଅବସ୍ଥାରେ ତାବାକୋରେ ଥିବା ନିକୋଟିନ୍ ଶରୀର ଭିତରକୁ ଯିବା ଦ୍ଵାରା ଜରାୟୁକୁ ରକ୍ତ ଯୋଗାଉଥିବା ଧମନୀ ଅଣଓସାରିଆ ହୋଇଯାଏ । ତେଣୁ ଶିଶୁଟି ଗର୍ଭରେ ଭଲଭାବେ ବଢିପାରେ ନାହିଁ ( ଇଣ୍ଟ୍ରା ଯୁଟେରାଇନ ଗ୍ରୋଥ ରିଟାର୍ଡେସନ୍) ଏବଂ ଗର୍ଭରେ ଶିଶୁର ମୃତ୍ୟୁ ମଧ୍ୟ ହୋଇଥାଏ ।

ଏହାଛଡା ଶିଶୁ ବିକଳାଙ୍ଗ ହେବାର ମଧ୍ୟ ଆଶଙ୍କା ଥାଏ । ପ୍ରସବ ସମୟରେ ଜରାୟୁର ଅସ୍ଵାଭାବିକ ସଂକୋଚନ ଓ ପ୍ରସାରଣ ହେତୁ ସ୍ଵାଭାବିକ ପ୍ରସବ ( ନର୍ମୋଲ୍ ଡେଲିଭରି) ହୋଇ ନ ପାରି ସିଜରିଆନ୍ ସେକସନ ହୋଇଥାଏ ।

ଏହି କ୍ଷତ ଶୁଖିବାକୁ ଡେରି ହୋଇଥାଏ । ଏହାଛଡା ସଦ୍ୟ ପ୍ରସୂତିମାନେ ମଧ୍ୟ ଶିଶୁକୁ ଠିକ୍ ଭାବରେ ସ୍ତନ୍ୟପାନ କରାଇପାରି ନ ଥାନ୍ତି । ସ୍ଥଳ ବିଶେଷରେ ଏହା ଅସ୍ଥାନିକ ଗର୍ଭ ବା ଏକ୍ତୋପିକ୍ ପ୍ରେଗନାନ୍ସି କରିଥାଏ ।

ମେନୋପଜ ଓ ଧୂମପାନ

ଯେଉଁ ମହିଳାମାନେ ମାସିକ ଋତୁସ୍ରାବର ବିରତି ବା ମେନୋପଜ୍ ପରେ ଧୂମପାନ କରୁଥାନ୍ତି, ସେମାନେ ମାନସିକ ଅବସାଦ ଭୋଗିଥାନ୍ତି । ଟିକିଏ ଟିକିଏ କଥାରେ ଚିଡିଚିଡା ହୋଇଯାନ୍ତି ଏବଂ ବିରକ୍ତି ଭାବ ପ୍ରକାଶ କରିଥାନ୍ତି । ଏହାଛଡା ପୁରୁଷମାନଙ୍କ ଭଳି ଏମାନେ ମଧ୍ୟ କାଶ, କୃନିକ୍ ରେସପିରେଟୋରି ଡିଜିଜ୍, ଶ୍ଵାସ, ଦୃଦ୍ ରୋଗ ଓ ଫୁସ୍ ଫୁସ୍ କର୍କଟ ରୋଗ ଭୋଗିଥାନ୍ତି । ମାସିକ ଋତୁସ୍ରାବ ପରେ ହେଉଥିବା ଜଟିଳତା ଯଥା – ଦେହରୁ ଝାଳ ବୋହିବା ରାତିରେ ବାରମ୍ବାର ନିଦ ଭାଙ୍ଗିବା ମୁତ୍ର ସଂକ୍ରମଣ ଆଦି ଏମାନଙ୍କ ଠାରେ ଅଧିକ ପରିମାଣରେ ଦେଖାଦେଇଥାଏ । ଏମାନଙ୍କର ହାଡ ପୋରିଆ ରୋଗ ଖୁବ୍ ଶୀଘ୍ର ମନକୁ ମନ ହାତ ଓ ଗୋଡ ହାଡ ଭାଙ୍ଗିଯାଏ ଏବଂ ସେମାନେ ଅକର୍ମଣ୍ୟ ହୋଇପଡନ୍ତି । ଯେଉଁମାନେ ଖଇନି ଓ ଧୂଆଁପତ୍ର ବ୍ୟବହାର କରନ୍ତୁ ସେମାନେ ମଧ୍ୟ ମୁଖଗହ୍ଵର କର୍କଟ ରୋଗ ଭୋଗିଥାନ୍ତି । ଏହାଛଡା ନିୟମିତ ଧୂମପାନ କରୁଥିବା ମହିଳାମାନଙ୍କର ସ୍ୱାସ୍ଥ୍ୟହାନି, ମାନସିକ ଅବସାଦ ହେବା ସହ ସୌନ୍ଦର୍ଯ୍ୟ ହାନି ମଧ୍ୟ ହୋଇଥାଏ । ସେମାନଙ୍କର ଦୁର୍ବଳ ସ୍ୱାସ୍ଥ୍ୟ ସହ ଓଠ କଳା ପଡିଯାଏ ଏବଂ ମୁହଁର ଆକର୍ଷଣ କମିଯାଏ ।

ତମାଖୁ ସେବନ ଦ୍ଵାରା ଜୀବନର ଦୁଃଖକୁ ସିଗାରେଟ୍ ଭଳି ଫୁଙ୍କି ଉଡାଇଦେବା ସହଜ ବୋଲି ଅନେକେ ଭାବନ୍ତି । କିନ୍ତୁ ସିଗାରେଟ୍ ଟି ଜଳି ଜଳି ଲିଭିଯାଇ ମୁଠାଏ ପାଉଁଶରେ ପରିଣତ ହେବାଭଳି ସେମାନଙ୍କ ଜୀବନ କେତେବେଳେ ଯେ ନିଃଶେଷ ହୋଇଯାଏ ସେମାନେ ତାହା ଜାଣିପାରନ୍ତି ନାହିଁ । ସର୍ବସାଧାରଣ ସ୍ଥାନରେ ଧୂମପାନ ନିଷେଧ ଆଇନ ସରକାରୀସ୍ତରରେ ପାଳନ କରାଯାଉଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ପୃଥିବୀରେ ଧୂମପାନ ଜନିତ ମୃତ୍ୟୁସଂଖ୍ୟା ବଢିଚାଲିଛି । ପ୍ରତିବର୍ଷ ପ୍ରାୟ ୫.୨ ନିୟୁତ ବ୍ୟକ୍ତି ଏଥିପାଇଁ ମୃତ୍ୟୁବରଣ କରଛନ୍ତି । ସକ୍ରିୟ ଧୂମପାନ ଭଳି ନିଷ୍କିୟ ଧୂମପାନ ମଧ୍ୟ ବିଶେଷ ଭାବରେ କ୍ଷତିକାରକ । ପରିବାରରେ ପୁରୁଷ ଲୋକ ଧୂମପାନ କାଲେ ମହିଳା ଓ ଶିଶୁ ନିକୋଟିନ୍ ବିଷରେ ଆକ୍ରାନ୍ତ ହୋଇଥାନ୍ତି ଏବଂ କୌଣସି ଡ଼ିଓଏସ ନ ଥାଇ ଦଣ୍ଡ ମଧ୍ୟ ଭାଗ କରିଥାନ୍ତି । ତେଣୁ ସମସ୍ତେ ମିଳିମିଶି ଧୂମପାନ ଓ ତମାଖୁ ସେବନ କରୁଥିବା ବ୍ୟକ୍ତିଙ୍କୁ ରୋଗମୁକ୍ତ ଜୀବନଜାପାନ କରିବାର ଏକ ନୂତନ ରାସ୍ତା ଦେଖାଇବା ସହ ଜୀବନର ସୁଖ ଦୁଃଖ, ଆଲୁଅ, ଅନ୍ଧାରକୁ ଆନନ୍ଦରେ ଗ୍ରହଣ ପୂର୍ବକ ସମ୍ପୁର୍ଣ୍ଣରୂପେ ତମାଖୁ ବର୍ଜନ କରି ଏକ ତମାଖୁବିହୀନ ବିଶ୍ଵ ଗଢିବାର ଶପଥ ନେବା ଦରକାର ।

ଆଧାର - ସ୍ୱାସ୍ଥ୍ୟ ଡାଏରୀ

Last Modified : 12/31/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate