অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିରାପଦ ମାତୃତ୍ଵ

ଉପକ୍ରମ

ମା’ ଶବ୍ଦକୁ ଛାଡିଦେଲେ ବୋଧହୁଏକୌଣସି ଦ୍ଵିତୀୟ ଶବ୍ଦ ନାହିଁ; ଯାହା ପ୍ରାଣରେ ଶୀତଳତା ଭରିଦେବା ସହ ଛାତିରେ ଭରସାର ଢେଉ ଖେଳାଇଥାଏ । ମାତୃତ୍ଵ ନାରୀର ସହଜାତ ପ୍ରବୃତ୍ତି ମାତୃତ୍ଵ ଜେନ ନାରୀକୁ ପୂର୍ଣ୍ଣତାପ୍ରଦାନ ସହିତ ସୌଭାଗ୍ୟବତୀ କରିଥାଏ । ଗର୍ଭଧାରଣ ପରଠାରୁ ନାରୀ ଅନ୍ତରରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୋଇଥାଏ । ମା’ ବକ୍ଷରୁ ଝରୁଥିବା ଅମୃତ ଧାରା ପାନ କରି ଶିଶୁଟି ବଡ ହୁଏ ।

ସନ୍ତାନ ପ୍ରସବର ଆନନ୍ଦ ଅନେକ ସମୟରେ ନାରୀକୁ ମୃତ୍ୟୁ ମୁଖକୁ ଠେଲି ଦେଇଥାଏ । ସବୁ ମା’ ସମଭାବରେ ଭାଗ୍ୟବତୀ ନୁହଁନ୍ତି । ସନ୍ତାନ ପ୍ରସାବ ପୂର୍ବରୁ କିମ୍ବା ସନ୍ତାନ ପ୍ରସାବ ପରେ ଯତ୍ନ ଅଭାବରୁ ଅନେକ ମା’ ଆଖି ବୁଜିଥାନ୍ତି । ଅସମୟରେ ଆଖି ବୁଜିଦେଉଥିବା ମା’ଙ୍କ ଦୁର୍ଭାଗ୍ୟ ଯେତିକିକରୁଣ, ମା’ ଛେଉଣ୍ଡ ନବଜାତକଙ୍କ ଭବିଷ୍ୟତ ମଧ୍ୟ ସେତିକି ଅନିଶ୍ଚିତ ।

ମାତୃତ୍ଵର ସୁରକ୍ଷା

ଗର୍ଭାବସ୍ଥାରୁ ଆରମ୍ଭ କରି ପ୍ରସବ ଓ ପ୍ରସବ ପରବର୍ତ୍ତୀ ଚିକିତ୍ସା ସୁବିଧା ପାଇବା ସହିତ ଗର୍ଭବତୀ ନାରୀ ସୁସ୍ଥ ରହିବା ଅର୍ଥ ହେଉଛି ନିରାପଦ ମାତୃତ୍ଵ । ମାତୃତ୍ଵ ସୁରକ୍ଷା କହିଲେ ଆମେ ସାଧାରତଃ ଉଭୟ ମା’ ଓ ଶିଶୁର ସୁରକ୍ଷାକୁ ବୁଝିଥାଉ । ନିରାପଦ ମାତୃତ୍ଵନିମନ୍ତେ ଗର୍ଭବତୀ ମହିଳା ଏବଂ ପରିବାରର ସଦସ୍ୟ ସଚେତନ ହେବା ଆବଶ୍ୟକ । ସୁସ୍ଥ, ଶିକ୍ଷିତା ଓ ସଚେତନ ମା’ ଟିଏ ହିଁ ସୁସ୍ଥ ଶିଶୁକୁ ଜନ୍ମ ଦେବା ସହ ସମାଜର କର୍ଣ୍ଣଧାର ହୋଇପାରିବ । ଭାରତରେ ପ୍ରତି ୫ ମିନିଟ୍ ରେ ଜେନ ମହିଳା ଗର୍ଭଜନିତ କାରଣରୁ ପ୍ରାଣ ହରାଇଥାନ୍ତି । ଦେଶରେ ପ୍ରତିବର୍ଷ ୧ ଲକ୍ଷ ୨୧ ହଜାର ମହିଳା ଏହି କାରଣରୁ ପ୍ରାଣ ହରାଉଛନ୍ତି । ଗର୍ଭଧାରଣ ଜନିତ କାରଣରୁ ବିକାଶଶୀଳ ଦେଶରୁ ମାତୃ ମୃତ୍ୟୁ ହାର ବିକଶିତ ଦେଶରେ ହେଉଥିବା । ମୃତ୍ୟୁ ହାର ଠାରୁ ୩୬ ଗୁଣ ଅଧିକ । ଆମ ରାଜ୍ୟରେ ମାତୃ ମୃତ୍ୟୁହାର ୧ ଲକ୍ଷରେ ୨୫୮ ରହିଛି । ମାତୃମୃତ୍ୟୁ ହରଡ଼ ଅନେକ କାରଣ ରହିଛି । ଗର୍ଭାବସ୍ଥାରେ ରକ୍ତହୀନତା ଯୋଗୁଁ ୧୯ ପ୍ରତିଶତ, ରୋଗ ଜୀବାଣୁ ସଂକ୍ରମଣ ଯୋଗୁଁ ୧୧ ପ୍ରତିଶତ, ଅସୁରକ୍ଷିତ ଗର୍ଭପାତ ଯୋଗୁଁ ୨୮ ପ୍ରତିଶତ, ମାରାତ୍ମକ ରୋଗ ଯୋଗୁଁ ୮ ପ୍ରତିଶତ, ବୟସାଧିକ ଗର୍ଭଧାରଣ ଯୋଗୁଁ ୩୪ ପ୍ରତିଶତ ମାତୃ ମୃତ୍ୟୁ ଘଟିଥାଏ । ପ୍ରସବ ସମୟରେ ୨୫ ପ୍ରତିଶତ ପ୍ରସବର ୭ ଦିନ ପରେ ୨୦ ପ୍ରତିଶତ, ପ୍ରସବର ୨ ରୁ ୬ ସପ୍ତାହ ମଧ୍ୟରେ ୫ ପ୍ରତିଶତ ମହିଳା ମୃତ୍ୟୁର ଶିକାର ହୋଇଥାନ୍ତି ।

ମାତୃତ୍ଵ ଓ ସନ୍ତାନ ପ୍ରସବ

କମ୍ ବୟସରେ ମାତୃତ୍ଵ ଓ ସନ୍ତାନ ପ୍ରସାବରେ କମ୍ ସମୟ ବ୍ୟବଧାନ ହିଁ ମାତୃମୃତ୍ୟୁର ପ୍ରମୁଖ କାରଣ । ସାଧାରଣତଃ ସନ୍ତାନ ପ୍ରସବର ବୟସ ୧୫ ରୁ ୪୫ ବର୍ଷ ହୋଇଥିଲେ ମଧ୍ୟ ୧୮ ବର୍ଷରୁ ଉର୍ଦ୍ଧ୍ଵ ଓ ୪୦ ବର୍ଷରୁ କମ୍ ବୟସର ମହିଳା ଗର୍ଭବତୀ ହେବା ନିରାପଦ । ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆନେଟିଙ୍କାରଙ୍କ ଦ୍ଵାରା ପ୍ରକାଶିତ ତଥ୍ୟରୁ ଜଣାଯାଏ, ବିଶ୍ଵର ମୋଟ ଲୋକସଂଖ୍ୟାର ୧୫ ପ୍ରତିଶତ ଭାରତରେ କମ୍ ବୟସରେ ବିବାହକରିଥାନ୍ତି । ତେଣୁ ୧୮ ବର୍ଷରୁ କମ୍ ବଯସର ମା’ ସୁସ୍ଥ ଶିଶୁକୁ ଜନ୍ମ ଦେଇପାରିବ ନା ନିଜେ ସୁସ୍ଥ ରହିପାରିବ । ଅଳ୍ପ ବୟସରେ ଗର୍ଭଧରଣ କରୁଥିବା କିଶୋରଙ୍କ ଅସ୍ଥି ଦୁର୍ବଳ ହେବାର ଆଶଙ୍କା ବୃଦ୍ଧି କରିଥାଏ । ଏକ ତୃତୀୟାଂଶ କିଶୋରୀ ଏହି ରୋଗର ଶିକାର ହୋଇଥାନ୍ତି ।

ପୋଷକ

ଗର୍ଭସ୍ଥ ଶିଶୁ ନିଜର ବିକାଶ ପାଇଁ ମା’ଠାରୁ ସମସ୍ତ ପୋଷକ ଗ୍ରହଣ କରିଥାଏ । ତେଣୁ ଗର୍ଭଧାରଣ ସମୟରେ ମା’ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଆବଶ୍ୟକ କରେ । ଗର୍ଭବତୀ ମା’ ଓ ଗର୍ଭସ୍ଥ ଶିଶୁର ଅବିବୃଦ୍ଧି ପାଇଁ ଆବଶ୍ୟକୀୟ ପୁଷ୍ଟିସାର, ଶ୍ଵେତସାର, ଭିଟାମିନ୍ ଓ ଧାତବଲବଣ ଆବଶ୍ୟକ ହୁଏ । ତେଣୁ ଗର୍ଭବତୀ ମହିଳା ଡାଲି ଜାତୀୟ ଖାଦ୍ୟ, କ୍ଷୀର, ଦହି ମାଛ ମାଂସ ଭାତ, ରୁଟି ଘିଅ, ଲହୁଣି, ଶାଗ ସଜନା ଛୁଇଁ, କଞ୍ଚା କଦଳୀ, ସବୁଜ ପାରିବା ଆଦି ଖାଇବା ଉଚିତ୍ । ଶରୀରରେ ଲୌହସାର ଠିକ୍ ରହିବାପାଇଁ ତଥା ଗର୍ଭାବସ୍ଥାରେ ରକ୍ତହୀନତା ନହେବାପାଇଁ ୧୦୦ ଟି ଲୌହ ବଟିକା ୩ ମାସ ପାଇଁ ଗର୍ଭବତୀ ମହିଳା ଖାଇବା ଉଚିତ୍ । ଗର୍ଭବତୀ ମହିଳାଙ୍କ ପାଇଁ ସରକାରୀ ସ୍ତରରେ ପୁଷ୍ଟିକର ଖାଦ୍ୟ ଯୋଗାଣ ଓ ଔଷଧ ବଣ୍ଟନ କରାଯାଉଛି । ଏସବୁର ସଦୁପଯୋଗ ଆବଶ୍ୟକ ।

ଆଧାର - ସ୍ୱାସ୍ଥ୍ୟ ଡେକ୍ସ

ଡାକ୍ତରଙ୍କ ଅନୁସାରେ ନିରାପଦା ମାତୃତ କ'ଣ

ମାତୃତ୍ଵ

ମାତୃତ୍ଵ ପ୍ରଭୁଙ୍କର ଏକ  ସାର୍ଥକ ସୃଷ୍ଟି, ଏକ ସୁନ୍ଦର ସ୍ଵପ୍ନ  । ସେ ସ୍ଵପ୍ନ ସାକାର ହୁଏ, ଯେତେବେଳେ ମା’ର କୋଳ ପୂର୍ଣ୍ଣ କରି ଏକ ସୁସ୍ଥ ଶିଶୁଟିଏ ଜନ୍ମ ନିଏ । ତେବେ ମାତୃତ୍ଵର ଏ ପଥ ସବୁବେଳେ ନିରାପଦ ନୁହେଁ । ଟିକିଏ ଅସାବଧାନତାରେ ଗର୍ଭ ଓ ପ୍ରସବଜନିତ ଜଟିଳତା ସହ ମା’ ଓ ଶିଶୁର ଜୀବନ ବିପଦାପନ୍ନ ହୋଇଥାଏ   ।

ନିଜ ସନ୍ତାନକୁ ଜନ୍ମଦେବା ଏକ ନାରୀ ଜୀବନରେ ସବୁଠୁ ଖୁସିର, ମୂହୁର୍ତ୍ତ  । ହେଲେ ଦୁଃଖର ବିଷୟ ଯେ, ଅନେକ ଏହି ସୁଖରୁ ବଞ୍ଚିତ ହୋଇଥାନ୍ତି  । କାରଣ ବର୍ତ୍ତମାନ ଏକବିଂଶ ଶତାବ୍ଦୀରେ ମଧ୍ୟ ପ୍ରତ୍ୟକ ମିନିଟ୍ ରେ ପୃଥିବୀର କୌଣସି ନା କୌଣସି ସ୍ଥାନରେ ନିଶ୍ଚିତ ଭାବରେ ଗୋଟିଏ ମହିଳା ଗର୍ଭଜନିତ ତଥା ପ୍ରସବଜନିତ କାରଣରୁ ମୃତ୍ୟୁବରଣ କରୁଛନ୍ତି  । ସେ କୈଶୋର ବା ଆଦ୍ୟଯୌବନରେ ପାଦଦେଇଥିବା ବାଳିକା ବଧୂଟିଏ ହୋଇପାରେ ଯିଏ କି ମାନସିକ ବା ଶାରୀରିକ ସ୍ତରରେ ଶିଶୁଟିକୁ ଜନ୍ମ ଦେବା ପାଇଁ ଆପ୍ରାଣ ଉଦ୍ୟମ କରିଥାଏ  କିମ୍ବା ସେ ଗୋଟିଏ ବୟସ୍କା ମହିଳା ହୋଇଥାଇପାରେ ଯିଏ କି ଅନେକ ସନ୍ତାନ ଥିବା ଏକ ବଡ ପରିବାରକୁ  ଚଳାଇବାକୁ ଅକ୍ଲାନ୍ତ ପରିଶ୍ରମ କରିଥାଏ ତେଣୁ ଗୋପନୀୟ ଭାବରେ ନିଜର ଅବାଞ୍ଛିତ ଗର୍ଭନଷ୍ଟ କରିଥାଏ  । ମହିଳାମାନେ ଡାକ୍ତର ଓ ଚିକିତ୍ସା ତଥା ରକ୍ତ ଓ ଔଷଧ ଅଭାବରୁ ମୃତ୍ୟୁମୁଖରେ ପଡିଥାନ୍ତି  । ଗୋଟିଏ ମା’ର ମୃତ୍ୟୁ ଏକ ପରିବାରର କ୍ଷତି ନୁହେଁ, ଏହା ଏକ ସାମାଜିକ କ୍ଷତି, ଏହା ସାରା ଦେଶର କ୍ଷତି  ।

ମେଟରନାଲ୍ ମୋର୍ଟାଲିଟି

ପ୍ରତ୍ୟକ ମାତୃ ମୃତ୍ୟୁ ବା’ ମେଟରନାଲ୍ ମୋର୍ଟାଲିଟି ସହ ପ୍ରାୟ ୧୫ ଜଣ ମହିଳା ଦୁର୍ବଳ ଓ ରୁଗଣ ସ୍ୱାସ୍ଥ୍ୟ ସହ ବଞ୍ଚି ରହନ୍ତି ଏବଂ ଏଥିପାଇଁ ପରିବାରରୁ ବିତାଡିତ ମଧ୍ୟ ହୋଇଥାନ୍ତି  । ତେଣୁ ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥାର ଏକ ସମ୍ମିଳନୀରେ ଡ.ମାଲକମ୍ ପଟମ୍ କହିଥିଲେ ଯେ, ପୃଥିବୀରେ ମାତୃ ମୃତ୍ୟୁ  ଏଭଳି ଭାବରେ ଭାବରେ ଘଟୁଛି ଯେପରି ଏକ ବିରାଟ ଜେଟ୍ ବିମାନ ପ୍ରତି ଚାରି ଘଣ୍ଟାରେ ଭୟାବହ ଦୁର୍ଘଟଣାର ଶିକାର ହେଉଛି ଏବଂ ତା’ ଭିତରେ ବସିଥିବା ପ୍ରାୟ ୨୫୦ମହିଳା ଯାତ୍ରୀ  ଏକ ସଙ୍ଗରେ ମୃତ୍ୟୁମୁଖରେ ପଡ଼ୁଛନ୍ତି  । ସାରା ବିଶ୍ଵରେ ପ୍ରତିବର୍ଷ ମାତୃ ମୃତ୍ୟୁସଂଖ୍ୟା ୬ ଲକ୍ଷ ।  ଏହା ମଧ୍ୟରୁ ୯୯ ଭାଗ ମୃତ୍ୟୁ ପ୍ରାୟ ବିକାଶୋନ୍ମୁଖୀ ଦେଶରେ ଘଟିଥାଏ  । ସାରା ବିଶ୍ଵର ଶତକଡା ୪୬ ଭାଗ ମାତୃ ମୃତ୍ୟୁ କେବଳ ଭାରତ, ପାକିସ୍ତାନ ଏବଂ ବାଂଲାଦେଶରେ ହୋଇଥାଏ  ।

ଦୃତ ଗତିରେ ମାତୃ ମୃତ୍ୟୁ ହାରକୁ ରୋକିବା ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥା ୧୯୮୭ ମସିହାରେ ନାଇରୋବି କେନିଆଠାରେ ନିରାପଦ ମାତୃତ୍ଵର କେତେକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଲେ  । ଏହାର ଉଦ୍ଦେଶ୍ୟ ଥିଲା ଝିଅ ଓ ମା’ ମାନଙ୍କର ଜୀବନଜାପାନ ଶୈଳୀକୁ ସ୍ୱାସ୍ଥ୍ୟ ଓ ସାମାଜିକ ସ୍ତରରେ ଅଭିବୃଦ୍ଧି କରିବା  । ପ୍ରଗତିବାଦୀ ରାଷ୍ଟ୍ରଗୁଡିକରେ ୨୨ ଜଣ ପ୍ରତି ଏକ ଲକ୍ଷ ହେବା ବେଳେ ପ୍ରଗତିଶୀଳ ରାଷ୍ଟ୍ରଗୁଡିକରେ ଏହାର ମାତ୍ରା ୨୦ ଜଣ ଅଧିକ ଏବଂ ୨୦୨୦ ସୁଦ୍ଧା ମାତୃମୃତ୍ୟୁ ହାର ଶତକଡା ୮୦ ଭାଗ ଓ ଶିଶୁମୃତ୍ୟୁହାର ଶତକଡା ୪୦ ଭାଗ କମାଇବା ପାଇଁ ସ୍ଥିର କରଯାଇଥିଲା  । ଏହି ନିରାପଦ ମାତୃତ୍ଵର ପ୍ରଥମ ଯତ୍ନ ମା’ ଗର୍ଭରେ ଥିବା କନ୍ୟା ଶିଶୁ ଠାରୁ ହିଁ ଆରମ୍ଭ ହୋଇଥାଏ  ।

ମାତୃ ମୃତ୍ୟୁର ପ୍ରତ୍ୟକ୍ଷ କାରଣ

ଶତକଡା ୭୫ ଅବାଞ୍ଛିତ ଓ ଦୂଷିତ ଗର୍ଭପାତ, ୧୩ ପ୍ରତିଶତ ଆସ୍ଥାନିକ (ଡିମ୍ବବାହୀ ନଳୀରେ) ଗର୍ଭପାତ, ୭ ପ୍ରତିଶତ ଗର୍ଭପାତ ପୂର୍ବରୁ ଓ ପରେ ରକ୍ତସ୍ରାବ, ୨୫ ପ୍ରତିଶତ ବ୍ୟାହାତ ଗର୍ଭପାତ, ୮ ଭାଗ ଦୂଷିତ, ୧୫ ପ୍ରତିଶତ ସୂତିକାଜ୍ଵର  ।

ପରୋକ୍ଷ କାରଣଗୁଡିକ ହେଉଛି

୨୫  ପ୍ରତିଶତ ରକ୍ତହୀନତା, ହୃଦବକ୍ଷରୋଗ, ମଧୁମେହ ରୋଗ, ଥାଇରଏଡ ରୋଗ, କାମଳ ରୋଗ ଓ ମ୍ୟାଲେରିଆ  ।

କେଉଁ କାରଣ ଯୋଗୁ ଏହା ହୋଇଥାଏ

ବୟସ-୧୫ ବର୍ଷରୁ କମ୍ କିମ୍ବା ୩୫ ବର୍ଷରୁ ଅଧିକ, ଅଳ୍ପ ବ୍ୟବଧାନରେ ବାରମ୍ବାର ଗର୍ଭଧାରଣ ଓ ଅଧିକ ସନ୍ତାନ ଜନ୍ମ କରିଥିବା ମା’, ଦାରିଦ୍ର୍ୟ, ଅର୍ଥ ଓ ଶିକ୍ଷା ଅଭାବ, ଗର୍ଭାବସ୍ଥାରେ ଯତ୍ନ ଓ ଗର୍ଭପାତ ପରେ ଯତ୍ନର ଅଭାବ, ଅବାଞ୍ଛିତ ଗର୍ଭପାତ  । ଆବଶ୍ୟକତାଠାରୁ କମ୍ ପରିମାଣରେ ସେବା ଓ ଯେତେ ସେବା ମିଳୁଛି ସେଗୁଡିକ ଠିକ୍ ଭାବରେ ଉପଯୋଗ ନ ହେବା, ରାସ୍ତାଘାଟର ସୁବିଧା ଓ ରେଫେରାଲ୍ ସୁବିଧାର ଅଭାବ ଏବଂ ପୁଅଝିଅ ମଧ୍ୟରେ ସାମାଜିକ ପ୍ରଭେଦ  । ମାତୃମୃତ୍ୟୁର ପ୍ରଥମ ଓ ପ୍ରଧାନ କାରଣ  ହେଉଛି ମହିଳାମାନଙ୍କର ଶୋଚନୀୟ ସାମାଜିକ ସ୍ଥିତି  । ଏହାଛଡା ଲିଙ୍ଗଭେଦ ଓ ଲିଙ୍ଗଗତ ବୈଷମ୍ୟ ମଧ୍ୟ ମାତୃମୃତ୍ୟୁର ଅନ୍ୟ ଏକ କାରଣ  । ସେମାନେ ନିରକ୍ଷର  ହୋଇଥିବାରୁ ଉପାର୍ଜନକ୍ଷମା ହୋଇପାରନ୍ତି ନାହିଁ ଏବଂ ସମ୍ବଳହୀନା ହୋଇଥାନ୍ତି, ସେମାନେ ପ୍ରାଥମିକ ସ୍ତରରେ ଶିକ୍ଷାଦାନରୁ ମଧ୍ୟ ବଞ୍ଚିତ ହୋଇଥାନ୍ତି  । ଏହାଛଡା ସେମାନେ ଘରକାମ ସହ ପ୍ରଚୁର କାମ କରି କ୍ଲାନ୍ତ ହୋଇପଡନ୍ତି  । ଘରେ ସବା ଶେଷରେ ଖାଆନ୍ତି ଏବଂ ସବୁଠାରୁ କମ୍ ଖାଆନ୍ତି  । କେବଳ ସେତିକି ନୁହେଁ, ପ୍ରସୂତିକାଳୀନ କୌଣସି ପରୀକ୍ଷା ବା ସାହାଯ୍ୟ ନେଇପାରନ୍ତି ନାହିଁ, ସୁଷମ ଖାଦ୍ୟ ଖାଆନ୍ତି ନାହିଁ କିମ୍ବା ଡାକ୍ତରଖାନାରେ ପ୍ରସବ କଥା ତ’ ଦୂରର କଥା ବିଶେଷଜ୍ଞ, ଅଭିଜ୍ଞ ଚିକିତ୍ସକ ବା ତାଲିମପ୍ରାପ୍ତ ଅଭିଜ୍ଞ ଧାଈ ବା ସେବିକାଙ୍କର ସାହାଯ୍ୟ ନେଇପାରନ୍ତି ନାହିଁ  ।

ବିରାପଦ ମାତୃତ୍ଵର ଗୁରୁତ୍ଵ

ଗର୍ଭାବସ୍ଥାରେ ପ୍ରଥମ ସୋପାନରୁ ମା’ର ଯତ୍ନ ନିଆଗଲେ ମା’ ମାନେ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇପାରିବେ  । ଏଥିପାଇଁ ପରିବାର ତଥା ଗାଁ ଗହଳିରେ ସଚେତନତା ସୃଷ୍ଟି ସର୍ବଦା ଜରୁରୀ  । ମହିଳାମାନଙ୍କ ପାଇଁ ଖାଦ୍ୟ ଓ ଶିକ୍ଷାର ମାନ ବଢାଇବାକୁ ହେଲେ ସମାଜରେ ତାଙ୍କର ସ୍ଥିତିର ଉନ୍ନତି କରିବା ଉଚିତ  । ତେଣୁ ଏକ ବିଂଶ ଶତାବ୍ଦୀରେ ନିରାପଦ ମାତୃତ୍ଵ ଓ ସୁସ୍ଥ ଶିଶୁ ପାଇଁ ପଦକ୍ଷେପ ଗୁଡିକ ହେଲା ଆମ ଦେଶରେ “ଏମର୍ଜେନ୍ସି ଅବଷ୍ଟ୍ରେଟିକ ସର୍ଭିସ୍” ତ୍ୱରାନ୍ୱିତ କରିବା  । ଏହାଛଡା ନାରୀ ଶିକ୍ଷାର ଅଗ୍ରଗତି, ନାରୀମାନଙ୍କ ପାଇଁ ଉପଯୁକ୍ତ କର୍ମସଂସ୍ଥାନ ଦେବା ଜରୁରୀ ପରିବାର ନିୟନ୍ତ୍ରଣର ବିଭିନ୍ନ ଉପାୟମାନ ରେଡିଓ, ଟେଲିଭିଜନ ଓ ଖବରକାଗଜ ଜରିଆରେ ଗ୍ରାମାଞ୍ଚଳରେ ପରିବେଷଣ କରିବା ଉଚିତ  । ବିକାଶଶୀଳ ଦେଶ ଭଳି ଆମ ଭାରତ ବର୍ଷରେ ମଧ୍ୟ ଅନେକ ନାରୀ ସଫଳତାର ଶୀର୍ଷତମ ସ୍ଥାନରେ ପହଞ୍ଚିଛନ୍ତି  । ତେଣୁ ଏକ ଆତ୍ମତୃପ୍ତିର ସ୍ମିତହାସ୍ୟ ସହ ମା; ଓ ସୁସ୍ଥ ଶିଶୁର ପରିକଳ୍ପନା ହିଁ ଆମକୁ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଦେବ  ।

ସଂଗୃହିତ – ଡ. ସରୋଜିନୀ ଷଡଙ୍ଗୀ

ଗର୍ଭଧାରଣ ଓ ପ୍ରସବ ସମ୍ପର୍କିତ ସମସ୍ୟା

ଗର୍ଭଧାରଣ  ଓ ପ୍ରସବ  ସମ୍ପର୍କିତ  ସମସ୍ୟା  ଯୋଗୁଁ  ପ୍ରତିଦିନ ପ୍ରାୟ ୧୪୦୦ ମହିଳା ମୃତ୍ୟୁବରଣ କରିଥାଆନ୍ତି । ପ୍ରତି ହଜାରରେ  ଦଶରୁ  ଅଧିକଙ୍କ  କ୍ଷେତ୍ରରେ  ଗର୍ଭଧାରଣ  ସମୟରେ ଜଟିଳତା ଦେଖାଯାଇଥାଏ । ଏଥିରୁ ଅଧିକାଂଶ କ୍ଷେତ୍ରରେ ମା ଓ ଶିଶୁ ଦୁହିଁଙ୍କ ଜୀବନ ପ୍ରତି ବିପଦ ରହିଥାଏ  କିମ୍ବା ସେମାନେ ଅକ୍ଷମ ହୋଇଯାଆନ୍ତି ।

ଗର୍ଭବତୀ ହେବା ଆଗରୁ  ମହିଳାଙ୍କର ସ୍ୱାସ୍ଥ୍ୟ ଭଲ ଥିଲେ, ସେ ଯଥେଷ୍ଟ ପୃଷ୍ଟିକର ଖାଦ୍ୟ ପାଉଥିଲେ, ପ୍ରତ୍ୟକ  ଗର୍ଭଧାରଣ ସମୟରେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ପାଖରେ ଅତି କମରେ ଚାରିଥର ପରୀକ୍ଷା କରି ନେଇଥିଲେ ଏବଂ ପ୍ରସବ  ସମୟରେ ଜଣେ ଡାକ୍ତର, ନର୍ସ ବା ଧାଈ ଭଳି ପ୍ରଶିକ୍ଷିତ ସହାୟକର ସାହାଯ୍ୟ ନେଲେ ପ୍ରସବ କାଳରେ ଦେଖା ଯାଉଥିବା ବିଭିନ୍ନ  ବିପଦ ବେଶ୍ କମିଯାଏ । ତା’ଛଡା ମହିଳା ଜଣକ ପ୍ରସବ କରିବାର ୧୨ ଘଣ୍ଟା ଯାଏଁ ଏବଂ ୬ ସପ୍ତାହ ପରେ ମଧ୍ୟ ଡାକ୍ତରଙ୍କ  ପରାମର୍ଶ ନେବା ଉଚିତ ।

ପ୍ରସବ ପୂର୍ବ ଏବଂ ପର ସମୟରେ ସେବା ଯୋଗାଇବା, ପ୍ରସବ ସମୟରେ ସହାୟତା କରିବା ସମ୍ପର୍କରେ ସ୍ୱାସ୍ଥ୍ୟକର୍ମୀଙ୍କୁ  ପ୍ରଶିକ୍ଷଣ ଦେବା ଏବଂ ଗର୍ଭଧାରଣ ଓ ପ୍ରସବ ସମୟରେ ଜଟିଳ ସମସ୍ୟାରେ ପଡୁଥିବା ମହିଳାଙ୍କର ସ୍ଵତନ୍ତ୍ର ଯତ୍ନ ନେବା ଓ  ବିଶେଷଜ୍ଞଙ୍କ ପାଖକୁ ପଠାଇବାର ବ୍ୟବସ୍ଥା କରିବା ହେଉଛି ସରକାରଙ୍କର ବିଶେଷ ଦାୟିତ୍ଵ । ଗର୍ଭବତୀ ମହିଳାଙ୍କ ଆବଶ୍ୟକ  ସେବା ସମେତ ସମସ୍ତ ପ୍ରକାର ମହିଳା ବିରୋଧୀ ପାତରଅନ୍ତରକୁ ଦୂର କରିଦେବା ପାଇଁ ଏକ ଆନ୍ତର୍ଜାତିକ ଚୁକ୍ତିକୁ ଅଧିକାଂଶ   ସରକାର ଅନୁମୋଦନ କରିଛନ୍ତି ।

ନିରାପଦ  ମାତୃତ୍ଵ

  • ଗର୍ଭଧାରଣ ଏବଂ ପ୍ରସବ ସମୟରେ ଦେଖାଯାଉଥିବା ସମସ୍ୟାର ସତର୍କ ସୂଚନା ସବୁକୁ ପରିବାରର ସମସ୍ତେ ଜାଣି ପାରୁଥିବା ଆବଶ୍ୟକ । ଏପ୍ରକାର  ଅସୁବିଧା ଆସିଲେ ସାଙ୍ଗେ ସାଙ୍ଗେ ତା’ର ସାହାଯ୍ୟ ପାଇଁ ପ୍ରସ୍ତୁତ ଥିବା ମଧ୍ୟ ଜରୁରୀ।
  • ଗର୍ଭଧାରଣ ସମୟରେ ଜଣେ ଡାକ୍ତର, ନର୍ସ ବା ପ୍ରଶିକ୍ଷିତ ଧାଈ ଭଳି ଉପଯୁକ୍ତ ତାଲିମପ୍ରାପ୍ତ ସହାୟକ ଅତି କମରେ  ଚାରିଥର ପରୀକ୍ଷା କରିବା ଉଚିତ ଏବଂ  ପ୍ରତ୍ୟକ ପ୍ରସବ ସମୟରେ ସେମାନେ ସାହାଯ୍ୟ କରିବା ଦରକାର ।
  • ଗର୍ଭବତୀ ଥିବା ସମୟରେ ସବୁ ମହିଳା ପୃଷ୍ଟିକର ଖାଦ୍ୟ ଖାଇବା ଓ ଯଥେଷ୍ଟ ବିଶ୍ରାମ ନେବା ଉଚିତ ।
  • ଧୂମପାନ, ମଦ, ନିଶାଦ୍ରବ୍ୟ, ବିଷାକ୍ତ ଓ ପ୍ରଦୂଷକ ଜିନିଷ ଉଭୟ ଗର୍ଭବତୀ ମହିଳା ଏବଂ ଶିଶୁ ପାଇଁ କ୍ଷତିକାରକ ।
  • ଅନେକ ଗୋଷ୍ଠୀ ମଧ୍ୟରେ ମହିଳା ଥିବା ସମୟରେ ଏଭଳି ନିର୍ଯ୍ୟାତନା ଦେବା ଗୋଟିଏ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା । ଗର୍ଭବତୀ  ଥିବା  ସମୟରେ  ଏଭଳି  ନିର୍ଯ୍ୟାତନା  ଭୟ ମହିଳା  ଓ ଗର୍ଭରେ ଥିବା ଶିଶୁ ପାଇଁ ହାନିକାରକ।
  • ଶିକ୍ଷିତ ଓ ସ୍ୱାସ୍ଥ୍ୟବତୀ ଏବଂ ଶିଶୁ ଓ କିଶୋର ଅବସ୍ଥାରେ ପୃଷ୍ଟିକର ଖାଦ୍ୟ ପାଇଥିବା ମହିଳାଙ୍କର ପରବର୍ତ୍ତୀ ସମୟରେ   ଗର୍ଭଧାରଣ ଓ  ପ୍ରସବ  କରିବାରେ  କମ ଅସୁବିଧା ହୋଇଥାଏ ।
  • ବିଶେଷ କରି ଗର୍ଭବତୀ ଥିବା ବେଳେ ଓ ଶିଶୁ ଜନ୍ମ କରିବା ସମୟରେ ପ୍ରତ୍ୟକ ମହିଳାଙ୍କର ଉତ୍ତମ ସ୍ୱାସ୍ଥ୍ୟ ସେବା  ପାଇବାର ଅଧିକାର ରହିଛି । ଏହି ସ୍ୱାସ୍ଥ୍ୟ ସେବା ଯୋଗାଉଥିବା କର୍ମୀ ବୈଷୟିକ ଦୃଷ୍ଟିରୁ ଦକ୍ଷ ହୋଇଥିବା ଏବଂ ମହିଳାଙ୍କୁ  ସେ ସମ୍ମାନ ଦେଖାଉଥିବା ଉଚିତ ।

କେତେକ ସୂଚନା

  1. ଗର୍ଭଧାରଣ ଏବଂ ପ୍ରସବ ସମୟରେ ଦେଖାଯାଉଥିବା ସମସ୍ୟାର ସତର୍କ ସୂଚନା ସବୁକୁ ପରିବାରର  ସମସ୍ତେ ଜାଣିପାରୁଥିବା ଆବଶ୍ୟକ । ଏପ୍ରକାର  ଅସୁବିଧା ଆସିଲେ ସାଙ୍ଗେ ସାଙ୍ଗେ ତା’ର ସାହାଯ୍ୟ ପାଇଁ ପ୍ରସ୍ତୁତ ଥିବା ମଧ୍ୟ  ଜରୁରୀ ।
  2. ପ୍ରତ୍ୟକ ଗର୍ଭଧାରଣ ସହ କିଛି ବିପଦ ରହିଥାଏ । ଅଧିକାଂଶ ଜଟିଳତା ବିଷୟରେ ଆଗୁଆ ଜାଣିହୁଏ । ପ୍ରଥମ ପ୍ରସବ  ଉଭୟ ମାଆ ଓ ଶିଶୁ ପାଇଁ ବିପଦଜନକ । ପ୍ରତ୍ୟକ ଗର୍ଭଧାରଣ ସମୟରେ ଜଣେ ଗର୍ଭବତୀ ମହିଳାଙ୍କର ଅତି କମରେ  ଚାରିଥର ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଇବା ଉଚିତ । ପ୍ରସବ  ପାଇଁ  ଉପଯୁକ୍ତ  ସ୍ଥାନ  ବାଛିବାରେ ଡାକ୍ତର, ନର୍ସ ବା ଧାଈ ଭଳି  ଜଣେ ପ୍ରଶିକ୍ଷିତ ସହାୟକଙ୍କ  ପରାମର୍ଶ ନେବା ଉଚିତ ।

    ଗର୍ଭଧାରଣ ଓ ପ୍ରସବ ସମୟରେ ଏବଂ ପ୍ରସବ ପରେ କୌଣସି ପ୍ରାକସୂଚନା ନଦେଇ ମଧ୍ୟ ବିପଦଜନକ ସମସ୍ୟା  ଆସିପାରେ। ତେଣୁ ସବୁ ପରିବାର ସେଥି ପ୍ରତି  ସଚେତନ ରହିଥିବା ଓ ପାଖର ସ୍ୱାସ୍ଥ୍ୟ କେନ୍ଦ୍ର ବିଷୟରେ ଜାଣିଥିବା ଦରକାର । କୌଣସି ଅସୁବିଧା ପାଇଁ ଯୋଜନା ଓ ଅର୍ଥ ପ୍ରସ୍ତୁତ କରି ରଖିଥିବା ମଧ୍ୟ ଆବଶ୍ୟକ । ଫଳରେ ଯେକୌଣସି ସମୟରେ ମହିଳା  ଜଣକୁ ସେମାନେ ସଠିକ ସ୍ୱାସ୍ଥ୍ୟ ସେବା ଯୋଗାଇପାରିବେ । ଯଦି ସମ୍ଭବ ହୁଏ ତେବେ ମହିଳା ଜଣକୁ ସ୍ୱାସ୍ଥ୍ୟକେନ୍ଦ୍ର ପାଖକୁ  ଅସ୍ଥାୟୀ ଭାବରେ ନେଇଯିବା ଉଚିତ ।

    ପ୍ରସବଟି କଷ୍ଟକର ହେବାର ସମ୍ଭାବନା ଜଣାପଡିଲେ ଡାକ୍ତରଖାନା ବା ପ୍ରସବ କେନ୍ଦ୍ରରେ ପ୍ରସବ କରାଇବା ଉଚିତ । ସବୁ  ପ୍ରସବ, ବିଶେଷ କରି ପ୍ରଥମ ପ୍ରସବ, ଡାକ୍ତରଖାନା ବା ପ୍ରସବ କେନ୍ଦ୍ରରେ ହେବା ଉଚିତ ।

    ପ୍ରତ୍ୟକ ପରିବାର କାରଣ ତଥା ସମସ୍ୟାର ସତର୍କ ସୂଚନା ବିଷୟରେ ଜାଣିଥିବା ଉଚିତ । ଗର୍ଭଧାରଣ ପୂର୍ବରୁ ବିପଦର କେତେକ କାରଣ

    • ପୂର୍ବ ପ୍ରସବ ଠାରୁ ଦୁଇ ବର୍ଷରୁ କମ ସମୟ ବ୍ୟବଧାନ ।
    • ୧୮ ବର୍ଷରୁ କମ୍ ବୟସର କିଶୋରୀ ବା ୩୫ ବର୍ଷରୁ ଅଧିକ ବୟସର ମହିଳା ।
    • ପୂର୍ବରୁ ଚାରୋଟି ବା ଅଧିକ ସନ୍ତାନ ଥିବା ମହିଳା ।
    • ମହିଳାର ପୂର୍ବ ପ୍ରସବରେ ସମୟ ପୂର୍ବରୁ ଜନ୍ମ ବା ୨ କି.ଗ୍ରା ଓଜନରୁ କମ ଓଜନିଆ ଶିଶୁର ଜନ୍ମ ।
    • ମହିଳାଙ୍କ ପୂର୍ବ ପ୍ରସବରେ ଅସୁବିଧା ହୋଇଥିଲା ବା ଅସ୍ତ୍ରୋପ୍ରଚାର ହୋଇଥିଲା।
    • ମହିଳାର ଓଜନ ୩୮ କି.ଗ୍ରା ରୁ କମ୍ ହୋଇଥିଲେ ।
    • ସାମାଜିକ ପ୍ରଥାରେ ମହିଳାଙ୍କ ଜନନାଙ୍ଗ କଟା ହୋଇଥିଲେ ।

    ଗର୍ଭଧାରଣ ସମୟରେ ସତର୍କ ସୂଚନା

    • ଓଜନ ନବଢିଲେ (ଗର୍ଭବତୀ ଥିବା ସମୟରେ ଓଜନ ଅତି କମରେ ୬ କି.ଗ୍ରା ବଢିବା ଉଚିତ ) ।
    • ରକ୍ତହୀନତା, ଆଖିପତା ଶେତା ଦିଶିବା (ସୁସ୍ଥ ସମୟରେ ଆଖିପତା ଲାଲ ବା ଗୋଲାପୀ ଦେଖାଯାଏ), ଅଧିକ କ୍ଲାନ୍ତ  ହୋଇପଡିବା ବା ସହଜରେ ଧଇଁସଇଁ ହୋଇଯିବା।
    • ଗୋଦା, ହାତ ବା ମୁହଁ ଅସ୍ଵାଭାବିକ ଭାବରେ ଫୁଲିଯିବା ।
    • ଗର୍ଭସ୍ଥ ଶିଶୁ ବିଶେଷ ଗତିଶୀଳ ନହେବା ବା  ସ୍ଥିର ରହିବା ।

    ଯଥାଶୀଘ୍ର ସାହାଯ୍ୟ ନେବା ପାଇଁ ସଙ୍କେତ

    • ଗର୍ଭବତୀ ଥିବା ସମୟରେ ଯୋନିରୁ ରକ୍ତସ୍ରାବ, ପ୍ରସବ ପରେ ପ୍ରବଳ ବା ନିୟମିତ ରକ୍ତସ୍ରାବ ।
    • ପ୍ରଚଣ୍ଡ ମୁଣ୍ଡ ବ୍ୟଥା ବା ପେଟ ବ୍ୟଥା ।
    • ପ୍ରବଳ ବା ନିୟମିତ ବାନ୍ତି ।
    • ଭୀଷଣ ଜ୍ଵର ।
    • ପ୍ରସବର ଯଥା ସମୟ ପୂର୍ବରୁ ପାଣି ବାହାରିବା ।
    • ଦେହ ଛାଟିପିଟି ହେବା ପ୍ରବଳ ଯନ୍ତ୍ରଣା ।
    • ଲମ୍ବା ସମୟ ଧରି ପ୍ରସବ ବେଦନା ହେବା
  3. ଗର୍ଭଧାରଣ ସମୟରେ ଜଣେ ଡାକ୍ତର, ନର୍ସ ବା ପ୍ରଶିକ୍ଷିତ ଧାଈ ଭଳି ଉପଯୁକ୍ତ ତାଲିମପ୍ରାପ୍ତ ସହାୟକ ଅତି  କମରେ ଚାରିଥର ପରୀକ୍ଷା କରିବା ଉଚିତ  ଏବଂ ପ୍ରତ୍ୟକ ପ୍ରସବ ସମୟରେ ସେମାନେ ସାହାଯ୍ୟ କରିବା ଦରକାର ।
  4. ପ୍ରତିଥର ଗର୍ଭଧାରଣ ବେଳେ ବିଶେଷ ଧ୍ୟାନ ଦେବା ଆବଶ୍ୟକ, କାରଣ କିଛି ବଡ ସମସ୍ୟା ଆସିବାର ସମ୍ଭାବନା  ସବୁବେଳେ ରହିଥାଏ । ଗର୍ଭବତୀ  ମହିଳା  ସ୍ୱାସ୍ଥ୍ୟକେନ୍ଦ୍ରକୁ ଗଲେ ବା ଗର୍ଭବତୀ ହେବା କଥା ଜାଣିବା ପରେ ଉପଯୁକ୍ତ ସ୍ୱାସ୍ଥ୍ୟ  ସହାୟତା ନେଲେ ଅଧିକାଂଶ ବିପଦକୁ ଏଡାଇ ଦିଆଯାଇପାରିବ । ପ୍ରତି  ଗର୍ଭଧାରଣ ସମୟ ମଧ୍ୟରେ ଅତିକମରେ ଚାରିଥର, ପ୍ରସବ ପରେ ୧୨ ଘଣ୍ଟା ଯାଏଁ ଏବଂ ପ୍ରସବର ୬ ସପ୍ତାହ ପରେ ପରୀକ୍ଷା କରାଇବା ଉଚିତ ।

    ଗର୍ଭଧାରଣ ସମୟରେ ଯଦି ରକ୍ତସ୍ରାବ ବା ପେଟ ବ୍ୟଥା ହୁଏ ବା ଉପରେ ଦିଆଯାଇଥିବା କୌଣସି ସତର୍କ ସୂଚନା  ଦେଖାଯାଏ, ତେବେ ସାଙ୍ଗେ ସାଙ୍ଗେ ସ୍ୱାସ୍ଥ୍ୟକର୍ମୀ ବା ପ୍ରଶିକ୍ଷିତ ପ୍ରସବ ସହାୟତାଙ୍କ ପରାମର୍ଶ ନେବା ଉଚିତ ।

    ଜଣେ  ପ୍ରଶିକ୍ଷିତ ପ୍ରସବ ସହାୟକ ପ୍ରସବ ସମୟରେ ସହାୟତା କରିବା ସହ ପ୍ରସବର ୧୨ ଘଣ୍ଟା ପର ଯାଏଁ ମା ଓ  ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରିପାରିଲେ ମା ’ ଓ ଶିଶୁ ଅସୁସ୍ଥ ହେବା ବା ତାଙ୍କର ମୃତ୍ୟୁ ହେବାର ସମ୍ଭାବନା କମିଯିବ ।

    ତଳ ଉପାୟରେ ଜଣେ କୁଶଳୀ ପ୍ରସୂତି ସହାୟକ (ଡାକ୍ତର, ନର୍ସ ବା ପ୍ରଶିକ୍ଷିତ ଧାଈ) ବିପଦମୁକ୍ତ ଗର୍ଭଧାରଣରେ  ଓ  ଶିଶୁକୁ ସ୍ୱାସ୍ଥ୍ୟବାନ ରଖିବାରେ ସାହାଯ୍ୟ  କରିପାରିବେ :-

    • ଗର୍ଭଧାରଣର ପ୍ରଗତି ପରୀକ୍ଷା କରିବେ, ତାହେଲେ ଯଦି କୌଣସି ଅସୁବିଧା ଆସେ ମହିଳାଙ୍କୁ ପ୍ରସବ ପାଇଁ ସାଙ୍ଗେ  ସାଙ୍ଗେ ଡାକ୍ତରଖାନାକୁ  ନେଇଯିବା ହେବ ।
    • ଉଚ୍ଚ ରକ୍ତଚାପ ଉଭୟ ମାଆ ଓ ଶିଶୁ ପାଇଁ ବିପଦଜନକ, ତେଣୁ ତାହା ଉପରେ ଧ୍ୟାନ ରଖି ।
    • ରକ୍ତହୀନତା  ପାଇଁ  ନିୟମିତ ପରୀକ୍ଷା କରି ଓ  ଦରକାର ଅନୁସାରେ ଲୌହ  / ଫୋଲେଟ ପରିପୂରକ ଯୋଗାଇ।
    • ଜୀବସାରର ଅଭାବ ଦେଖାଯାଉଥିବା ଅଞ୍ଚଳରେ ମାଆ  ଓ ତା’ର ନବଜାତ ଶିଶୁକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ  ଯଥେଷ୍ଟ  ପରିମାଣର  ଜୀବସାର ଦେଇ ।
    • ଗର୍ଭଧାରଣ ସମୟରେ କୌଣସି ସଂକ୍ରମଣ, ବିଶେଷ କରି ମୂତ୍ରନଳୀ ଓ ଯୌନ ରୋଗ ସଂକ୍ରମଣ, ପରୀକ୍ଷା କରି ଉପଯୁକ୍ତ  ଆଣ୍ଟିବାୟୋଟିକ  ଦ୍ଵାରା ଚିକିତ୍ସା କରାଇ ।
    • ଗର୍ଭବତୀ ମହିଳା ଓ ତା’ ନବଜାତ ଶିଶୁକୁ ଧନୁଷ୍ଟଙ୍କାର ରୋଗରୁ ରକ୍ଷା କରିବା ପାଇଁ ଦୁଇଟି ଇଞ୍ଜେକ୍ସନ ଦେଇ ।
    • ଖାଦ୍ୟରେ କେବଳ ଆୟୋଡିନଯୁକ୍ତ ଲୁଣର ବ୍ୟବହାର ପାଇଁ  ଗର୍ଭବତୀ ମହିଳାଙ୍କୁ ପ୍ରୋତ୍ସାହିତ କରି, ଏହା ତାଙ୍କୁ ଗଳଗଣ୍ଡ  ରୋଗରୁ  ଏବଂ  ଶିଶୁକୁ ମାନସିକ ଓ ଶାରୀରିକ ଅକ୍ଷମତାରୁ ରକ୍ଷା କରିବ ।
    • ଗର୍ଭରେ ଶିଶୁ ଠିକ୍ ଭାବରେ ବାଢୁଛି ବୋଲି ପରୀକ୍ଷା କରି ।
    • ଆବଶ୍ୟକ ହେଲେ ମେଲେରିଆ ଔଷଧ ଦେଇ
    • ମା’କୁ ପ୍ରସବ ପାଇଁ ପ୍ରସ୍ତୁତ ରଖିବା ସହ ସ୍ତନ୍ୟପାନ ପାଇଁ ଓ ନିଜ ତଥା ନବଜାତ ଶିଶୁର ଯତ୍ନ ବିଷୟରେ ଉପଦେଶ ଦେଇ
  5. ଗର୍ଭବତୀ ମହିଳା ଏବଂ ତା’ ପରିବାର ଲୋକଙ୍କୁ କେଉଁଠି ପ୍ରସବ କରାଇବା ଉଚିତ ତାହା ଜଣାଇ ଏବଂ ପ୍ରସବ ସମୟରେ ବା ପରେ ସମସ୍ୟା ଦେଖାଦେଲେ କିପରି ସାହାଯ୍ୟ ପାଇବେ ବୁଝାଇ ।
    • ଯୌନ ସଂକ୍ରମିତ ରୋଗରୁ କିପରି ଦୂରେଇ ରହିହେବ ସେ ବିଷୟରେ ଉପଦେଶ ଦେଇ
    • ସ୍ଵଇଚ୍ଛାରେ ଏବଂ ବିଶ୍ଵାସନୀୟ ଭାବରେ ଏଚ.ଆଇ.ଭି. ପରୀକ୍ଷା କରି ଓ ପରାମର୍ଶ ଦେଇ । ପ୍ରତ୍ୟକ ମହିଳାଙ୍କ ସ୍ଵଇଚ୍ଛାରେ  ଓ ଗୋପନୀୟ  ଭାବରେ ଏଚ.ଆଇ.ଭି. ପରୀକ୍ଷା ଓ ପରାମର୍ଶ ନେବାରେ ଅଧିକାର ଅଛି । ସଂକ୍ରମିତ ବା ସଂକ୍ରମିତ ହେବାର  ସମ୍ଭାବନା  ଥିବା  ଗର୍ଭବତୀ  ମହିଳା  ବା ନୂଆ ପ୍ରସୂତି ମାଆ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ପରାମର୍ଶ ନେଇ କିପରି ନିଜ ଶିଶୁକୁ  ସଂକ୍ରମଣରୁ  ରକ୍ଷା  କରି  ହେବ  ଏବଂ  ନିଜର  ଯତ୍ନ  ନେବେ ବୁଝିବା ଉଚିତ ।

    ପ୍ରସବ ସମୟରେ କୁଶଳୀ ସହାୟକ ଜାଣନ୍ତି

    • କେତେବେଳେ ପ୍ରସବ ବେଦନା ବହୁତ ଲମ୍ବା ହେଉଛି  (୧୨ ଘଣ୍ଟାରୁ ଅଧିକ) ଏବଂ କେତେବେଳେ ଡାକ୍ତରଖାନାକୁ ଯିବା  ନିତାନ୍ତ ଜରୁରୀ
    • କେତେବେଳେ ଓ କିପରି ସ୍ୱାସ୍ଥ୍ୟ ସେବା ପାଇହେବ
    • କିପରି ସଂକ୍ରମଣର ଭୟ କମାଯିବ (ପରିଷ୍କାର ହାତ, ଯନ୍ତ୍ରପାତି, ପ୍ରସବ ଅଞ୍ଚଳ)
    • ଶିଶୁର ଅବସ୍ଥିତି ଠିକ ନଥିଲେ, କ’ଣ କରାଯିବା ଉଚିତ
    • ମାଆ ଦେହରୁ ବହୁ ପରିମାଣରେ ରକ୍ତସ୍ରାବ ହେଲେ କ’ଣ କରିବା ଦରକାର
    • କେତେବେଳେ ନାଡି କାଟିବା କଥା ଏବଂ କିପରି ତା’ର ଯତ୍ନ ନେବା ଦରକାର
    • ଶିଶୁର ଶ୍ଵାସକ୍ରିୟା ଆରମ୍ଭ  ଣହେଲେ କ’ଣ କରିବା ଦରକାର
    • ଶିଶୁ ଜନ୍ମ ପରେ ତାକୁ କିପରି ଶୁଖାଇବା ଏବଂ ଉଷୁମ ରଖିବା ଦରକାର
    • ଜନ୍ମ ପରେ ପରେ କିପରି ଶିଶୁକୁ ମା’କ୍ଷୀର ଖୁଆଇବା ଦରକାର ସେ ବିଷୟରେ ପରାମର୍ଶ ଦେବା
    • ଶିଶୁ ଜନ୍ମ ପରେ ଗର୍ଭର ଫୁଲ ବା ଭୃଣ ଆବରଣକୁ କିପରି ସୁରକ୍ଷିତ ଭାବରେ ବାହାର କରିବା ଏବଂ ମାଆର ଯତ୍ନ ନେବା
    • ଅନ୍ଧତ୍ଵରୁ ରକ୍ଷା କରିବା ପାଇଁ କିପରି ଶିଶୁର ଆଖିରେ ଅନୁମୋଦିତ ଔଷଧ ପକାଇବା

    ପ୍ରସବ ପରେ ଜଣେ କୁଶଳୀ ସହାୟକ କ’ଣ କରିବା ଉଚିତ

    • ପ୍ରସବ ପରେ ପରେ ୧୨ ଘଣ୍ଟା ଯାଏଁ ଏବଂ ପ୍ରସବର ଛଅ ସପ୍ତାହ ପରେ ମହିଳାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ।
    • କିପରି ଆଉ ଗୋଟିଏ ଗର୍ଭଧାରଣକୁ ରୋକାଯିବା ବା ଘୁଞ୍ଚାଇ ହେବ ସେ ବିଷୟରେ ଉପଦେଶ ଦେବା ।
    • କିପରି ଏଚ.ଆଇ.ଭି. ପରି ଯୌନ ସଂକ୍ରମିତ ରୋଗକୁ ଏଡାଇ ହେବ ବା କିପରି ଶିଶୁ ମାନଙ୍କୁ ଏହି ପ୍ରକାର ସଂକ୍ରମଣରୁ  ମୁକ୍ତ ରଖିହେବ, ସେ ବିଷୟରେ ମହିଳା ମାନଙ୍କୁ ଉପଦେଶ ଦେବା।
  6. ଗର୍ଭବତୀ ଥିବା ସମୟରେ ସବୁ ମହିଳା ପୃଷ୍ଟିକର ଖାଦ୍ୟ ଖାଇବା ଓ ଯଥେଷ୍ଟ ବିଶ୍ରାମ ନେବା ଉଚିତ ।
  7. ଜଣେ ଗର୍ଭବତୀ ମହିଳା ତା’ର ପରିବାର ଯୋଗାଇ ପାରୁଥିବା ସବୁ ଠାରୁ ଭଲ ଖାଦ୍ୟ ଖାଇବା ଉଚିତ । କ୍ଷୀର, ଫଳ, ପନିପରିବା, ମାଂସ, ମାଛ, ଅଣ୍ଡା, ଶସ୍ୟ, ମଟରଦାନା, ବିନ୍ ଆଦି ଏହିଭଳି କିଛି ଖାଦ୍ୟ । ଏହିସବୁ ଖାଦ୍ୟ ଗର୍ଭଧାରଣ  ସମୟରେ ଖାଇବାରେ କିଛି ବିପଦ ନଥାଏ ।

    ଗର୍ଭବତୀ ଥିବା ସମୟରେ ଲୌହ, ଜୀବସାରର ଏବଂ ଫୋଲିକ ଅମ୍ଳ ଥିବା ଖାଦ୍ୟ ଖାଇଲେ ମହିଳା ଜଣକ ସୁସ୍ଥ ସବଳ  ଅନୁଭବ କରିବ । ଏହି ଉପାଦାନ ମାଂସ, ମାଛ, ଅଣ୍ଡା, ସବୁଜ ପନିପରିବା, କମଳା ଜାତୀୟ ଫଳ ଏବଂ ପରିବାରୁ ଯଥେଷ୍ଟ  ପରିମାଣରେ ମିଳିଥାଏ । ରକ୍ତହୀନତାର ପ୍ରତିକାର ପାଇଁ ସ୍ୱାସ୍ଥ୍ୟକର୍ମୀ ମାନେ  ଲୌହ ବଟିକା ଯୋଗାଇ ପାରିବେ । ଜୀବସାର କ ଅଭାବ ଦେଖା ଯାଉଥିବା ଅଞ୍ଚଳରେ ସେମାନେ ଜୀବସାର କ ଯୋଗାଇ ସଂକ୍ରମଣ ରୋକିପାରିବେ । ଗର୍ଭବତୀ ମହିଳା  ପ୍ରତିଦିନ ୧୦,୦୦୦ ଆନ୍ତର୍ଜାତିକ ଏକକ  (ଏ.ୟୁ.) ବା ସପ୍ତାହକୁ ୨୫୦୦୦ ଆନ୍ତର୍ଜାତିକ ଏକକ (ଏ.ୟୁ.) ରୁ ଅଧିକ  ପରିମାଣର ଜୀବସାର କ ଖାଇବା ଉଚିତ ନୁହେଁ ।

    ଆୟୋଡିନଯୁକ୍ତ ଲୁଣ ବ୍ୟବହାର କରିବା ଉଚିତ । ଯେଉଁ ମହିଳାଙ୍କ ଖାଦ୍ୟରେ ଯଥେଷ୍ଟ ପରିମାଣର ଆୟୋଡିନ ନଥାଏ, ସେମାନଙ୍କ  କ୍ଷେତ୍ରରେ  ଗର୍ଭନଷ୍ଟ  ହୋଇପାରେ କିମ୍ବା ମାନସିକ ବା ଶାରୀରିକ ଭାବେ ଅକ୍ଷମ ଶିଶୁ ଜନ୍ମ ହେବାର ସମ୍ଭାବନା  ଥାଏ ।

    ଗଳା ଫୁଲି ରହିବା ଗଳଗଣ୍ଡ ରୋଗର ଲକ୍ଷଣ ଏବଂ ମହିଳା କମ୍ ପରିମାଣର ଆୟୋଡିନ୍ ପାଉଥିବାର ଏହା ସ୍ପଷ୍ଟ  ସଙ୍କେତ । ମହିଳାଙ୍କର ରକ୍ତହୀନତା, ମେଲେରିଆ ବା କୃମି ରୋଗ ଥିବାର ସମ୍ଭାବନା ଥିଲେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ପରାମର୍ଶ କରିବା  ଉଚିତ ।

  8. ଧୂମପାନ, ମଦ, ନିଶାଦ୍ରବ୍ୟ, ବିଷାକ୍ତ ଓ  ପ୍ରଦୂଷକ ଜିନିଷ ଉଭୟ ଗର୍ଭବତୀ ମହିଳା ଏବଂ ଶିଶୁ ପାଇଁ  କ୍ଷତିକାରକ ।
  9. ବିଡି, ସିଗାରେଟ ଖାଇଲେ ବା ଅନ୍ୟ କେହି ଧୂମପାନ କରୁଥିବା ଜାଗାରେ ରହିଲେ, ମଦ ପିଇଲେ ବା ନିଶା ଔଷଧ  ସେବନ କଲେ  ଗର୍ଭବତୀ  ମହିଳା  ନିଜର  ସ୍ୱାସ୍ଥ୍ୟହାନୀ କରିବା ସହ ଗର୍ଭସ୍ଥ ଶିଶୁର ମଧ୍ୟ କ୍ଷତି ଘଟାଇଥାଏ । ଗର୍ଭବତୀ ଥିବା  ସମୟରେ କେବଳ ନିହାତି ଜରୁରୀ ହେଲେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶରେ ହିନ କୌଣସି ଔଷଧ ଖାଇବା ଉଚିତ ।

    ଗର୍ଭବତୀ ମହିଳା ଧୂମପାନ କଲେ, ଅନେକ ସମୟରେ ଜନ୍ମ ବେଳେ ତାଙ୍କ ଶିଶୁର ଓଜନ କମ୍ ହୁଏ ଏବଂ ତାକୁ  ଅଧିକାଂଶ ସମୟରେ ଥଣ୍ଡା, କାଶ, ନିମୋନିଆ  କିମ୍ବା ଶ୍ଵାସରୋଗ ହୁଏ ।

    ଶିଶୁର ଉପଯୁକ୍ତ ଶାରୀରିକ  ଓ ମାନସିକ ବୃଦ୍ଧି ପାଇଁ ଗର୍ଭବତୀ ମହିଳା ଏବଂ ଛୋଟ ଶିଶୁକୁ ଧୂଆଁପତ୍ର  ଓ ରୋଷେଇର  ଧୂଆଁ, କୀଟନାଶକ, ତୃଣନାଶକ  ଏବଂ  ଅନ୍ୟ  ବିଷ ତଥା ସୀସା ପରି ପ୍ରଦୂଷକ ଠାରୁ ଦୂରେଇ ରଖିବା ଆବଶ୍ୟକ । ସୀସା  ମୁଖ୍ୟତଃ ସୀସାନଳୀର ବୁହା ହେଉଥିବା ପାଣିରୁ ଆସିଥାଏ ।

  10. ଅନେକ ଗୋଷ୍ଠୀ ମଧ୍ୟରେ ମହିଳା ଏବଂ ଶିଶୁଙ୍କୁ ଶାରୀରିକ ନିର୍ଯ୍ୟାତନା ଦେବା ଗୋଟିଏ ଗୁରୁତର ସ୍ୱାସ୍ଥ୍ୟ  ସମସ୍ୟା । ଗର୍ଭବତୀ  ଥିବା  ସମୟରେ  ଏଭଳି  ନିର୍ଯ୍ୟାତନା ଉଭୟ ମହିଳା ଓ ଗର୍ଭରେ ଥିବା ଶିଶୁ ପାଇଁ ହାନିକାରକ।
  11. ଯଦି କୌଣସି ଗର୍ଭବତୀ ମହିଳା ନିର୍ଯ୍ୟାତିତା ହୁଅନ୍ତି, ତେବେ ଏହା ଉଭୟ ମହିଳା ଓ ଶିଶୁ ଉପରେ ବହୁତ ଖରାପ  ପ୍ରଭାବ ପକାଇଥାଏ । ଗର୍ଭବତୀ ମହିଳା ଶାରୀରିକ ନିର୍ଯ୍ୟାତନା ପାଇଲେ ଭବିଷ୍ୟତରେ ଗର୍ଭବତୀ ହେବା ସମ୍ଭାବନା କମିଯାଏ । ତା’ପରିବାର ଲୋକ ଏଥିପ୍ରତି ଦୃଷ୍ଟି ଦେବା ଉଚିତ ଏବଂ ତାକୁ  ନିର୍ଯ୍ୟାତନା  ଦେଉଥିବା ବ୍ୟକ୍ତି ଠାରୁ ଦୂରେଇ ରଖିବା ଜରୁରୀ ।

    ମହିଳା ଲେଖି ପଢି ଜାଣିଥିଲେ ନିଜର ଓ ନିଜ ପରିବାରର ସ୍ୱାସ୍ଥ୍ୟର ସୁରକ୍ଷା କରିପାରେ । ଝିଅ ଅତିକମ୍ ରେ ସାତବର୍ଷ  ପାଠ ପଢିଥିଲେ, ବିନା ପାଠ  ବା  ଅଳ୍ପ  ପାଠ ପଢିଥିବା ଝିଅ ତୁଳନାରେ କମ୍ ବୟସରେ ଗର୍ଭବତୀ ହେବା ଏବଂ ଶୀଘ୍ର ବାହା  ହେବା ଭଳି କାମ କରିବାର ସମ୍ଭାବନା କମ୍ ।

  12. ଶିକ୍ଷିତ ସ୍ୱାସ୍ଥ୍ୟବତୀ ଏବଂ ଶିଶୁ ଓ କିଶୋର ଅବସ୍ଥାରେ ପୃଷ୍ଟିକର ଖାଦ୍ୟ ପାଇଥିବା ମହିଳାଙ୍କର ପରବର୍ତ୍ତୀ  ସମୟରେ ଗର୍ଭଧାରଣ ଓ ପ୍ରସବ  କରିବାରେ  କମ  ଅସୁବିଧା ହୋଇଥାଏ ।
  13. ଶିଶୁ ଓ କିଶୋର ବୟସରେ ବିନ୍ ତଥା ଅନ୍ୟ ଡାଲି ଜାତୀୟ ଖାଦ୍ୟ, ଶସ୍ୟ, ସବୁଜ ପନିପରିବା ଏବଂ ଲାଲ / ହଳଦିଆ / କମଳା  ରଙ୍ଗର  ପାରିବା  ଓ  ଫଳ  ଆଦି  ପୃଷ୍ଟିକର ଖାଦ୍ୟ ଖାଇଥିଲେ ଗର୍ଭଧାରଣ ଓ ପ୍ରସବ ସମୟର ସମସ୍ୟା ଅନେକ କମ  ହୋଇଥାଏ । ଏହା ସହ କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟ, ଅଣ୍ଡା, ମାଛ, କୁକୁଡା ଏବଂ  ମାଂସ ମଧ୍ୟ ଖାଇବା ଉଚିତ ।

    ସାମାଜିକ ପ୍ରଥାରେ ଝିଅ ବା ମହିଳାର ଜନନାଙ୍ଗ କଟା ହେବା ଫଳରେ ତାଙ୍କ ଯୌନାଙ୍ଗ ଓ ମୂତ୍ରନଳୀରେ ଗୁରୁତର  ସଂକ୍ରମଣ ସୃଷ୍ଟି ହୋଇପାରେ । ଏଥିଯୋଗୁ  ବାନ୍ଧ୍ୟାତ୍ଵ ବା ମୃତ୍ୟୁ ମଧ୍ୟ ଆସିପାରେ । ଜନନାଙ୍ଗ ଏଭଳି କଟା ହୋଇଥିଲେ ତାହା  ପ୍ରସବ ସମୟରେ ଜଟିଳ ସମସ୍ୟା ସୃଷ୍ଟି କରିଥାଏ । ଝିଅ ଓ ମହିଳାଙ୍କ  ମାନସିକ  ସ୍ୱାସ୍ଥ୍ୟରେ ମଧ୍ୟ ଏହା ସମସ୍ୟା ଆଣିଥାଏ ।

  14. ବିଶେଷ କରି ଗର୍ଭବତୀ ଥିବା ବେଳେ ଓ ଶିଶୁ ଜନ୍ମ କରିବା ସମୟରେ ପ୍ରତ୍ୟକ ମହିଳାଙ୍କର ଉତ୍ତମ ସ୍ୱାସ୍ଥ୍ୟ  ସେବା ପାଇବାର ଅଧିକାର ରହିଛି । ଏହି  ସ୍ୱାସ୍ଥ୍ୟ  ସେବା ଯୋଗାଉଥିବା କର୍ମୀ ବୈଷୟିକ ଦୃଷ୍ଟିରୁ ଦକ୍ଷ ହୋଇଥିବା ଏବଂ  ମହିଳାଙ୍କୁ ସେ ସମ୍ମାନ ଦେଖାଉଥିବା ଉଚିତ।
  15. ମହିଳାମାନେ ଗର୍ଭଧାରଣ ବେଳେ, ପ୍ରସବ ସମୟରେ ଏବଂ ପ୍ରସବ ପରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଓ ସ୍ଵାସ୍ଥ୍ୟଗତ  ଉପଦେଶ ପାଇପାରିଲେ ଗର୍ଭଧାରଣ ଓ  ପ୍ରସବ  ସମ୍ପର୍କିତ ଅଧିକାଂଶ ସମସ୍ୟା ଏଡାଇ ଦେଇ ହେବ ।

    ଡାକ୍ତର, ନର୍ସ ବା ଧାଈ ଭଳି ଜଣେ କୁଶଳୀ ପ୍ରସବ ସହାୟକଙ୍କର ସେବା ପାଇବାର ଏବଂ ଆବଶ୍ୟକ ସ୍ଥଳେ  ଜରୁରୀ କାଳୀନ  ପ୍ରସୂତି  ଯତ୍ନ  ପାଇବାର  ଅଧିକାର  ପ୍ରତ୍ୟକ ମହିଳାଙ୍କର ରହିଛି । ଉତ୍ତମ ସ୍ୱାସ୍ଥ୍ୟସେବା ମହିଳାଙ୍କୁ ସୂଚନା  ଓ  ପରାମର୍ଶ ଦେଇ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନ ନିସ୍ପତି ନେବା ଦିଗରେ ସକ୍ଷମ କରାଏ । ମାତୃତ୍ଵ  ସେବା ପାଇବାକୁ ଚାହୁଁଥିବା  ମହିଳା ସହଜରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପାରିବା ଜରୁରୀ । ସ୍ଵାଷ୍ୟସେବା ପାଇବାରେ ଆର୍ଥିକ ସମସ୍ୟା ତାଙ୍କୁ ବାଧା ଦେବା  ଉଚିତ  ନୁହେଁ । ସ୍ୱାସ୍ଥ୍ୟସେବା ଯୋଗାଉଥିବା ବ୍ୟକ୍ତିଙ୍କର ଏ ଦିଗରେ ଯଥେଷ୍ଟ ଦକ୍ଷତା ଥିବା ଆବଶ୍ୟକ । ମହିଳାଙ୍କୁ ସମ୍ମାନ  ଦେଖାଇବା, ମହିଳାଙ୍କର  ଗୋପନୀୟତାର  ଅଧିକାରକୁ ଦେବା ଦିଗରେ ସେମାନଙ୍କର ତାଲିମ ଥିବା ମଧ୍ୟ ଜରୁରୀ ।

ଆଧାର - ୟୁନିସେଫ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate