অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିର୍ଯାତନା, ଲିଙ୍ଗଗତ ବିଭେଦରୁ ଚାକିରି ଛାଡୁଛନ୍ତି ମହିଳା

ନିର୍ଯାତନା, ଲିଙ୍ଗଗତ ବିଭେଦରୁ ଚାକିରି ଛାଡୁଛନ୍ତି ମହିଳା

ପାତରଅନ୍ତର

କର୍ମଜୀବୀ ମହିଳା, ବିଶେଷକରି ଯେଉଁମାନେ ଘରୋଇ ସଂସ୍ଥାଗୁଡିକରେ ନିଯୁକ୍ତ ଅଛନ୍ତି, ସେମାନଙ୍କ ମଧ୍ୟରେ ଚାକିରି ଛାଡିଦେବାର ପ୍ରବଣତା ବୃଦ୍ଧି ପାଉଛି ।

କର୍ମସ୍ଥଳରେ ଲିଙ୍ଗଗତ ପ୍ରଭେଦ ନେଇ ପାତରଅନ୍ତର ଭାବ ଏବଂ ବିଭିନ୍ନ ପ୍ରକାର ନିର୍ଯାତନା ସେମାନଙ୍କୁ ଚାକିରି ଛାଡିବାକୁ ବାଧ୍ୟ କରୁଛି ବୋଲି ନିକଟରେ ପ୍ରକାଶିତ ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି ।

କର୍ମସଂସ୍ଥାନ ତ୍ୟାଗର କାରଣ

ରିପୋର୍ଟ ଅନୁସାରେ, ଚାକିରି ଛାଡୁଥିବା ୪୦ ପ୍ରତିଶତ ବିବାହିତ ମହିଳା ବିଭିନ୍ନ କାରଣ ଦର୍ଶାଇଛନ୍ତି । କେତେକ ମା’ ସେମାନଙ୍କ ପିଲାଙ୍କ ସକାଶେ କର୍ମସଂସ୍ଥାନ ତ୍ୟାଗ କରୁଥିବାବେଳେ ଆଉ କେତେକ ଲିଙ୍ଗଗତ ତାରତମ୍ୟକୁ ଦାୟୀ କରିଛନ୍ତି । ସମାନ କାର୍ଯ୍ୟ ସକାଶେ ପୁରୁଷ ସହକର୍ମୀଙ୍କୁ ଯେଉଁ ଦରମା ମିଳୁଛି ତା’ଠାରୁ ମହିଳାଙ୍କୁ ଆପେକ୍ଷାକୃତ କମ୍ ମିଳୁଛି । ଅନ୍ୟ କେତେକେ ଦର୍ଶାଇଛନ୍ତି ଯେ, କର୍ମକ୍ଷେତ୍ରରେ ଯୌନ ନିର୍ଯାତନା, ବିଭିନ୍ନ ପ୍ରକାର ହଇରାଣ ହରକତ ହୋଇଥିବା କାରଣରୁ ଚାକିରି ଛାଡିଛନ୍ତି । ଭାରତୀୟ ଶିଳ୍ପ ବାଣିକ ମହାସଂଘ (ଆସୋଚାମ) ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ଆନ୍ତର୍ଜାତିକ ମହିଳା ଦିବସର ଅବ୍ୟବହିତ ପୂର୍ବରୁ ହୋଇଥିବା ଏହି ସର୍ଭେରୁ ଉପରୋକ୍ତ ତଥ୍ୟମିଳିଛି । ଆସୋଚାମ ପକ୍ଷରୁ ଅହମ୍ମଦାବାଦ, ବାଙ୍ଗାଲୋର, ଚଣ୍ଡିଗଡ, ମାଡ୍ରାସ, ଦିଲ୍ଲୀ, ହାଇଦ୍ରାବାଦ, ଜୟପୁର, ଲକ୍ଷ୍ନୌ, ବମ୍ବେ ଏବଂ ପୁଣେ ସମେତ ୧୦ଟି ସହରର ୫୦୦ ମହିଳାଙ୍କୁ ଏହି ସର୍ଭେରେ ସାମିଲ କରାଯାଇଥିଲା ।

ସର୍ଭେରେ ସାମିଲ ୨୫ ପ୍ରତିଶତ ମହିଳାଙ୍କ କହିବା କଥା ହେଉଛି, କର୍ମକ୍ଷେତ୍ରରେ  ନିରାପତ୍ତାର ଅଭାବ ରହୁଛି । କର୍ମସଂସ୍କୃତି  ମଧ୍ୟ ଅତ୍ୟନ୍ତ ନିମ୍ନମାନର । ତେଣୁ ସେମାନେ ବାଧ୍ୟ ହୋଇ ଚାକିରି ଛାଡିଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ଚାକିରି ଛାଡିବାର କାରଣ ଉଚ୍ଚଶିକ୍ଷା ବୋଲି ମଧ୍ୟ ଦର୍ଶାଇଥିଲେ । ତେବେ ଅଧିକାଂଶଙ୍କ ଉତ୍ତର ଥିଲା କର୍ମସ୍ଥଳୀରେ ନିର୍ଯାତନା । ମାତୃତ୍ଵ ଯୋଗୁ ପରିବାରରେ ସମୟର ଅଭାବ କାରଣରୁ ପ୍ରାଥମିକ ଭାବେ ମହିଳାମାନେ ଚାକିରି ଛାଡିବାକୁ ଚିନ୍ତା କରିଥାଆନ୍ତି । ସର୍ଭେରେ ଅଂଶଗ୍ରହଣ କରିଥିବା ୨୦୦କର୍ମଜୀବୀ ମହିଳାଙ୍କ ମଧ୍ୟରୁ ୮୦ ଜଣ ଏହି ମତ ଦେଇଛନ୍ତି । କର୍ମକ୍ଷେତ୍ରରେ ହଇରାଣ ହେଉଥିବାରୁ ଅନେକ ମହିଳା କର୍ମନିଯୁକ୍ତି କୁ ପ୍ରତ୍ୟାଖ୍ୟାନ କରିଥାଆନ୍ତି ବୋଲି ସର୍ଭେରେ ସାମିଲ ୩୦ ପ୍ରତିଶତ କର୍ମଜୀବୀ କହିଛନ୍ତି । ବିଶେଷକରି ଦୀର୍ଘ ଚାକିରି କାଳରେ ମଧ୍ୟ ପଦୋନ୍ନତି ମିଳୁ ନ ଥିବା, କାର୍ଯ୍ୟରେ ଚାପ ବୃଦ୍ଧି କରାଯାଉଥିବାରୁ ସେମାନେ ବିଚଳିତ ହୋଇପଡିଥାଆନ୍ତି । ଫଳରେ ଚାକିରି ଛାଡି ଚାଲିଆସୁଥିବାକୁ ଇଚ୍ଛା କରନ୍ତି ।

ଅନ୍ୟ କେତେକ କର୍ମଜୀବୀ ମହିଳା କହିଛନ୍ତି ଯେ,ସେମାନଙ୍କ ବିରୋଧରେ ହେଉଥିବା ଅନ୍ୟାୟ ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଉଥିଲେ ମଧ୍ୟ ସେମାନେ ଉପଯୁକ୍ତ ପଦକ୍ଷେପ ନେଇ ନ ଥାନ୍ତି । ଯାହାଫଳରେ ସେମାନଙ୍କୁ ହଇରାଣ କରୁଥିବା କର୍ମଚାରୀ ଅଧିକ ପ୍ରତିକ୍ରିୟାଶୀଳ ହୋଇ ନିର୍ଯାତନା ଦେଇଥାଆନ୍ତି । ଏହା ଅସହ୍ୟ ହେବାରୁ ଚାକିରି ଛାଡି ଚାଲିଆସିବାକୁ ପଡିଥାଏ । କେତେକ ମହିଳା କହିଛନ୍ତି ଯେ, ସେମାନେ କାର୍ଯ୍ୟ କରୁଥିବା ଅନୁଷ୍ଠାନରେ ଅଭିଯୋଗ ଶୁଣିବାର କୌଣସି ବ୍ୟବସ୍ଥା ରଖାଯାଇନାହିଁ। ନ୍ୟାୟିକ ଆବଶ୍ୟକତା ପୂରଣ କରି ମହିଳାଙ୍କୁ ନିରାପତ୍ତା ଯୋଗାଇବା ଅନେକ ସଂସ୍ଥାରେ ସମ୍ଭବ ହେଉନାହିଁ । ଯାହାଫଳରେ ମହିଳାମାନେ ନିଜକୁ ଅସୁରକ୍ଷିତ ମାନେ କରି ଚାକିରି ଛାଡିଦେଉଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଆଧାର – ଦୈନିକ ଧରିତ୍ରୀ

Last Modified : 12/16/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate