অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭୃଣର ଲିଙ୍ଗ ନିରୁପଣ ଠାରୁ ଦୂରେଇ ରୁହନ୍ତୁ

ଭୃଣର ଲିଙ୍ଗ ନିରୁପଣ ଠାରୁ ଦୂରେଇ ରୁହନ୍ତୁ

ଲିଙ୍ଗ ନିରୁପଣ

ଭୃଣର ଲିଙ୍ଗ ନିରୂପଣ ଠାରୁ ଦୂରେଇ ରୁହନ୍ତୁଲିଙ୍ଗ ନିରୁପଣ ଅର୍ଥ ହେଉଛି ଗର୍ଭରେ ଥିବା ଭୃଣକୁ ଚିହ୍ନଟ କରିବା ଏବଂ କନ୍ୟା ଭୃଣ ହୋଇଥିଲେ ତାକୁ ନଷ୍ଟ କରିଦେବା । ଆମ ଦେଶରେ ୧୯୯୪ ମସିହାରୁ ଏହାକୁ ଆଇନ ଦ୍ଵାରା ନିଷିଦ୍ଧ କରାଯାଇଛି ।

ତଥାପି ଏବେ ଏହା ବେଆଇନ୍ ଭାବେ ଚାଲୁରହିଛି । ଫଳରେ ଆମ ଜନସଂଖ୍ୟାରେ ମହିଳାମାନଙ୍କ ଅନୁପାତ କମିଯାଉଛି । ଓଡିଶାରେ ମଧ୍ୟ ପରିସ୍ଥିତି ଅନୁରୂପ ହୋଇଛି ।

ଆମ ରାଜ୍ୟରେ ୧୯୮୧ ଜନଗଣନାରେ ଜନ୍ମରୁ ୬ବର୍ଷ ବୟସ ଭିତରେ ପ୍ରତି ୧୦୦୦ ପୁଅଙ୍କ ପାଇଁ ୯୯୫ ଜଣ ଝିଅ ଥିବାବେଳେ ୨୦୦୧ ଜନଗଣନାରେ ଏହି ଅନୁପାତ ହ୍ରାସ ପାଇଁ ୯୫୩ ଜଣ ଝିଅ ରେ ପହଞ୍ଚିଛି । ବାସ୍ତବରେ ଏହା ଏକ ଚିନ୍ତାର ବିଷୟ ହୋଇଛି ।

ଲିଙ୍ଗ ନିରୁପଣ ଆମ ସାମାଜରେ ମହିଳାମାନଙ୍କ ନିମ୍ନ ସାମାଜିକ ଆର୍ଥିକ ଓ ଧର୍ମଗତ କାରଣରୁ ଅଧିକାଂଶ ପରିବାରରେ ଝିଅ ଅପେକ୍ଷାରେ ପୁଅକୁ ଅଧିକ ପସନ୍ଦ କରନ୍ତି । ଆମର ସାମାଜିକ ମାନସିକତା ଯୋଗୁଁ ଝିଅମାନେ ସର୍ବଗୁଣ ସଂପନ୍ନା ହୋଇମଧ୍ୟ ଅବହେଳା ଓ ପକ୍ଷପାତିତାର ଶିକାର ହୋଇଥାନ୍ତି । ବିଶେଷତଃ ଖାଦ୍ୟପେୟ, ଶିକ୍ଷା ଦୀକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପାତର ଅନ୍ତରର ପରିସରର ଅପେକ୍ଷାକୃତ ଅଧିକ ।

ଲିଙ୍ଗ ନିରୁପଣର କାରଣ

ପରିବାର ତଥା ସମାଜରେ ଝିଅକୁ ସାଧାରଣତଃ ବୋଝ ବୋଲି ଭାବନ୍ତି । ଏହାର ବିଭିନ୍ନ କାରଣ ରହିଛି ।

  • ଆମ ସମାଜରେ ବୃଦ୍ଧି ପାଉଥିବା ଯୌତୁକ ପ୍ରଥାର ପ୍ରଭାବ ।
  • ପରିବାରର ଲୋକେ ଝିଅଠାରୁ ପୁଅଭଳି ଆଶା କରନ୍ତି ନାହିଁ, କାରଣ ଝିଅକୁ “ପରଗୋତ୍ରୀ” “ପରଘରୀ” ଓ “ପରଧନ” ବୋଲି ଧରି ନିଆଯାଏ ।
  • ପୁଣି ଧାର୍ମିକ ବିଶ୍ଵାସ ଅନୁସାରେ ବାପା, ମାଆଙ୍କ ମୃତ୍ୟୁ ପରେ ପୁଅ ହିଁ ମୁଖାଗ୍ନି ଦେଇପାରିବେ । ଝିଅଙ୍କୁ ଏଥିପାଇଁ ଏପର୍ଯ୍ୟନ୍ତ ସାମାଜିକ ସ୍ଵୀକୃତି ମିଳିନାହିଁ ।

ଲିଙ୍ଗ ନିରୁପଣ କିପରି ଜଣାଯାଏ

ଅଲଟ୍ରାସାଉଣ୍ଡ ମେସିନ୍ ବା ଅନ୍ୟ କେତେକ ପରୀକ୍ଷା ଦ୍ଵାରା ଲିଙ୍ଗ ନିରୁପଣ କରାଯାଏ । କିନ୍ତୁ ଏପରି ପରୀକ୍ଷା କରିବା ବା କରାଇବାକୁ ଆଇନ୍ ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରିଛି । ପି.ସି. ଏଣ୍ଡ ପି.ଏନ୍.ଡି.ଟି. ଏକ୍ଟ ୧୯୯୪ ଦ୍ଵାରା ଏହାକୁ ନିଷିଦ୍ଧ କରାଯାଇଛି।

ଲିଙ୍ଗ ନିରୁପଣ ଗର୍ଭପାତଠାରୁ ଭିନ୍ନ

ଲିଙ୍ଗ ନିରୁପଣ କରିବା ଏବଂ ଗର୍ଭପାତ କରାଇବା ସମାନ ବୋଲି କେତେକ ଭାବନ୍ତି : କିନ୍ତୁ ବାସ୍ତବରେ ଦୁଇଟି ଯାକ ଏକାକଥା ନୁହେଁ । ୧୯୭୨ ମସିହାରୁ ପ୍ରଚଳିତ ଏମ୍.ଟି.ପି ଆଇନ୍ ଅନୁଯାୟୀ କେତୋଟି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଗର୍ଭପାତକୁ ଆଇନ୍ ଅନୁମୋଦିତ କରାଯାଇଛି ଯଥା ;

  • ଗର୍ଭ ରହିବା ଦ୍ଵାରା ଯଦି ଜଣେ ମହିଳାଙ୍କ ଜୀବନ ପ୍ରତି ବିପଦଥାଏ କିମ୍ବା ତାଙ୍କ ଶରୀରକୁ ଯଦି ବଡ ଧରଣର କ୍ଷତିର ଆଶଙ୍କା ଥାଏ ।
  • ଶିଶୁଟି ଜନ୍ମ ହେଲେ ଯଦି ତାର ଶାରୀରିକ ବା ମାନସିକ ଅସ୍ଵାଭାବିକତା ଯୋଗୁଁ ଗୁରୁତ୍ଵର ଭାବେ ବିକଳାଙ୍ଗ ହେବାର ସମ୍ଭାବନା ଥାଏ ।
  • ଗର୍ଭ ନିରୋଧକ ବ୍ୟବହାର କରିବା ସତ୍ତ୍ୱେ ଯଦି ଗର୍ଭ ସଞ୍ଚାର ହୁଏ ।
  • ଯଦି ଧର୍ଷଣ ଜନିତ କାରଣରୁ ଗର୍ଭ ରହିଥାଏ ।

ଏସବୁ ପରିସ୍ଥିତିରେ ଗର୍ଭପାତ କରାଯାଇପାରିବ ; କିନ୍ତୁ ପି.ସି. ଏଣ୍ଡ ପି. ଏନ.ଡି.ଟି.ଏକ୍ଟ ଅନୁଯାୟୀ ଭୃଣର ଲିଙ୍ଗ ନିରୁପଣ କରିବା ବା କରାଇବା କିମ୍ବା ଏ ସଂପର୍କରେ ବିଜ୍ଞାପନ ଦେବାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ଏଣୁ ଗର୍ଭପାତ ଓ ଲିଙ୍ଗ ନିରୁପଣ ମଧ୍ୟରେ ଥିବା ଏହି ପ୍ରଭେଦକୁ ବୁଝିବା ଉଚିତ୍ ।

ସମାଜ ଉପରେ ଲିଙ୍ଗ ନିରୁପଣର ପ୍ରଭାବ

ବିଭିନ୍ନ ପ୍ରଭାବ ଭିତରୁ ଏଠାରେ ଅଳ୍ପ କେତୋଟି ଦର୍ଶାଯାଇଛି ।

  • ସମାଜରେ ଝିଅ ବା ମହିଳାଙ୍କ ତୁଳନାରେ ପୁଅ ବା ପୁରୁଷଙ୍କ ସଂଖ୍ୟା ଅଧିକ ହୋଇଯିବ । ଫଳରେ ଆମର ସାମାଜିକ ସନ୍ତୁଳନ ନଷ୍ଟ ହୋଇଯିବ ।
  • ଏହାର ପରିଣାମ ସ୍ୱରୂପ ଝିଅ ବା ମହିଲାମାନଙ୍କର ଚାଲାଣ ବଢିଯିବ ।
  • ଝିଅ ଓ ମହିଳାଙ୍କ ଅପହରଣ ବୃଦ୍ଧିପାଇବ ।
  • ଏକାଧିକ ପତି ବିବାହ ସଂଖ୍ୟା ବଢିବ ।
  • ଧର୍ଷଣ ଓ ଅତ୍ୟାଚାର ବଢିଯିବ ।

ପୁଅ ଣ ହୋଇ ଝିଅ ଜନ୍ମ ହେଲେ ସାଧାରଣତଃ ସ୍ତ୍ରୀକୁ ଦାୟୀ କରାଯାଏ ଏବଂ ସବୁଦୋଷ ତାଙ୍କର ମୁଣ୍ଡରେ ଲଦି ଦିଆଯାଏ; କିନ୍ତୁ ପୁଅ ହେବ ବା ଝିଅ ହେବାଟା ସ୍ଵାମୀ ବା ପୁରୁଷ ଉପରେ ହିଁ ନିର୍ଭର କରେ । ତାହା ଏକ ବୈଜ୍ଞାନିକ ତତ୍ତ୍ଵ ଉପରେ ଆଧାରିତ ବିଷୟ ଅର୍ଥାତ୍ “ଏକ୍ସ ଓ ୱାୟ” କ୍ରୋମୋଜମ୍ ର ସଂଯୋଗ ଉପରେ ଏହା ନିର୍ଭର କରେ ।

ଆଇନଗତ ବ୍ୟବସ୍ଥା ଓ ଦଣ୍ଡବିଧାନ

ପି.ସି. ଏଣ୍ଡ ପି.ଏନ.ଡି.ଟି. ଏକ୍ଟ ଲିଙ୍ଗ ନିରୁପଣକୁ ବିଶେଷକରି ଭୃଣ ନଷ୍ଟ ପାଇଁ ଲିଙ୍ଗ ନିରୁପଣକୁ ନିଷିଦ୍ଧ କରିଛି । ଏଥିରେ ନିମ୍ନୋକ୍ତ ଦଣ୍ଡବିଧାନ ରହିଛି ।

  • ଯଦି ଲିଙ୍ଗ ନିରୁପଣ କରିବେ, ଆଇନତଃ ସେମାନଙ୍କୁ ୩ ବର୍ଷ ଜେଲ ଏବଂ ୧୦,୦୦୦/- ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇପାରିବ ।
  • ତା ପରେ ଯେତେଥର ଦୋଷୀ ସାବ୍ୟସ୍ତ ହେବେ, ଏହି ଜେଲ ଦଣ୍ଡ ୫ ବର୍ଷକୁ ଏବଂ ଜୋରିମାନା ୫୦,୦୦୦/- ଟଙ୍କାକୁ ବୃଦ୍ଧି କରାଯାଇପାରିବ ।
  • ପ୍ରଥମ ଥର ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ, ସେହି ଡାକ୍ତରଙ୍କ ନାମକୁ ମେଡିକାଲ କାଉନସିଲ୍ ଅଫ ଇଣ୍ଡିଆର ପଞ୍ଜିକରଣ ତାଲିକାକୁ ୫ ବର୍ଷ ପାଇଁ ବାଦ୍ ଦିଆଯାଇପାରିବ ।
  • ପରିବର୍ତ୍ତୀ ଏହି ଅପରାଧ ନିମନ୍ତେ ସ୍ଥାୟୀ ଭାବେ ସବୁଦିନ ପାଇଁ ତାଙ୍କ ନାମବାଦ୍ ଦିଆଯାଇପାରିବ ।

ଏହି ଆଇନ୍ ଅନୁଯାୟୀ ସମସ୍ତ ଅଲଟ୍ରା ସାଉଣ୍ଡ ପରୀକ୍ଷା କେନ୍ଦ୍ର ପଞ୍ଜିକୃତ ହେବା ବାଧ୍ୟତା ମୂଳକ ଏବଂ ଏକ ସାଇନ୍ ବୋର୍ଡ ଲଗାଇବାକୁ ହେବ, ଯେଉଁଥିରେ ଲେଖାଥିବ:

“ଲିଙ୍ଗ ନିରୁପଣ କରିବା, ଭୃଣର ଲିଙ୍ଗ ଜାଣିବା ଓ ଜଣାଇବା ସଂପୂର୍ଣ୍ଣ ରୂପେ ବେଆଇନ” । ଏହି ବୋର୍ଡକୁ ସାଧାରଣରେ ଦେଖିପାରିବା ଭଳି ଜାଗାରେ ଲଗାଯିବା ଦରକାର ।

ଜଣେ ମହିଳାଙ୍କ ଭୃଣର ଲିଙ୍ଗ ଜାଣିବା ଓ ଜଣାଇବା ସଂପୂର୍ଣ୍ଣରୂପେ ପରୀକ୍ଷାକେନ୍ଦ୍ରର ବା ବିଶେଷଜ୍ଞଙ୍କର ସାହାଯ୍ୟ ଖୋଜନ୍ତି ବା ଏଥିପାଇଁ ପ୍ରବର୍ତ୍ତାନ୍ତି, ତେବେ –

  1. ତାଙ୍କୁ ମଧ୍ୟ ୩ ବର୍ଷ ଜେଲ ଦଣ୍ଡ ଏବଂ / କିମ୍ବା ୫୦,୦୦୦/-ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇପାରିବ।
  2. ପରିବର୍ତ୍ତୀଥର ଅପରାଧ ନିମନ୍ତେ ଏହି ଦଣ୍ଡ ୫ବର୍ଷ ଜେଲ ଏକ ଲକ୍ଷ ଟଙ୍କା ଜୋରିମାନାକୁ ବୃଦ୍ଧି କରାଯାଇପାରିବ । ଲିଙ୍ଗ ନିରୁପଣ କରାଯାଏ ବୋଲି ଯେଉଁ ବ୍ୟକ୍ତି ବା ବ୍ୟକ୍ତିମାନେ ବିଜ୍ଞାପନ ଦେବେ, ସେମାନଙ୍କୁ :
    • ୩ ବର୍ଷ ଜେଲ ଏବଂ /କିମ୍ବା ୧୦,୦୦୦/- ଟଙ୍କା ଜୋରିମାନାରେ ଦଣ୍ଡିତ କରାଯିବ।
    • ଯଦି ଏହି ଅପରାଧ ସେମାନେ ଚାଲୁରଖନ୍ତି, ତେବେ ତାଙ୍କୁ ଦୈନିକ ୫୦୦ ଟଙ୍କା ଜୋରିମାନା କରାଯିବ ।

ଲିଙ୍ଗ ନିରୁପଣ ସଂପର୍କରେ ଅଭିଯୋଗ

ଲିଙ୍ଗ ନିରୁପଣ ସଂପର୍କରେ ଖାଲି ଜାଣିଲେ ଚଳିବ ନାହିଁ । ଏହା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ପଡିବ । ଏ ସଂପର୍କରେ କାହା ପାଖରେ ଅଭିଯୋଗ କରାଯିବ, ତାହା ଜାଣିବା ନିହାତି ଆବଶ୍ୟକ ।

ଆପଣ ଲିଙ୍ଗ ନିରୁପଣ ହେଉଥିବା ସଂପର୍କରେ ଜାଣିବା ମାତ୍ରେ ପ୍ରାଧିକୃତ, କର୍ତ୍ତୃପକ୍ଷଙ୍କୁ ଜଣାଇଦେବେ । ସେମାନେ ହେଲେ –

  1. ରାଜ୍ୟ ସ୍ତରରେ ପରିବାର କଲ୍ୟାଣ ନିର୍ଦ୍ଦେଶକ, ଭୂବନେଶ୍ଵର
  2. ଜିଲ୍ଲା ସ୍ତରରେ ଜିଲ୍ଲାପାଳ ।

ପଦକ୍ଷେପ

  • ନିର୍ଦ୍ଦିଷ୍ଟ ଅଭିଯୋଗ ପାଇବା ପରେ ଉପରୋକ୍ତ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିପାରିବେ ।
  • ଲିଙ୍ଗ ନିରୁପଣ ହେବାର ଅଭିଯୋଗ ମିଳିଲେ, ପରୀକ୍ଷା କେନ୍ଦ୍ରର ପରିସରକୁ ସର୍ଚ୍ଚ କରାଯାଇପାରିବ ।
  • ଲିଙ୍ଗ ନିରୁପଣର ନିର୍ଦ୍ଦିଷ୍ଟ ପ୍ରମାଣ ମିଳିଲେ, ସେହି କେନ୍ଦ୍ରଟିକୁ ବନ୍ଦ ବା ସିଲ୍ କରି ଦିଆଯିବ ଏବଂ ଅପରାଧୀଙ୍କ ବିରୁଦ୍ଧରେ ଅଦାଲତରେ କେସ୍ କରାଯିବ ।

ଲିଙ୍ଗ ନିରୁପଣକୁ ନିବାରଣ

ଲିଙ୍ଗ ନିରୁପଣ ଏକ ସାମାଜିକ କଳଙ୍କ । ଏଣୁ ଏହାର ନିବାରଣ ନିମନ୍ତେ କେତୋଟି କାମ କରିବାକୁ ପଡ଼ିବ । ସେଗୁଡ଼ିକ ହେଉଛି –

  • ଲିଙ୍ଗ ନିରୁପଣ ସଂପର୍କିତ ସୂଚନା ପାଇବା ମାତ୍ରେ ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ ।
  • ଲିଙ୍ଗ ନିରୁପଣ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରନ୍ତୁ ।
  • ଲିଙ୍ଗ ନିରୁପଣ ଓ ଏହାର କୁପରିଣାମ ସଂପର୍କରେ ଲୋକଙ୍କୁ ସଚେତନ କରାନ୍ତୁ ।
  • ଯୌତୁକ ପ୍ରଥାର ବିଲୋପ ନିମନ୍ତେ ଆନ୍ତରିକ ଉଦ୍ୟମ କରନ୍ତୁ ବିଶେଷ କରି ଯୁବସମାଜକୁ ବୁଝାନ୍ତୁ ।
  • ଝିଅମାନଙ୍କୁ ପାଠପଢାଇ ଆର୍ଥିକ ସ୍ୱାବଲମ୍ବନଶୀଳ କରିବା ପାଇଁ ସାହାଯ୍ୟ କରନ୍ତୁ ।
  • ପୁରୁଷ ପ୍ରଧାନ ସମାଜରେ ଝିଅ ବା ମହିଳାଙ୍କ ସ୍ଥିତିକୁ ସୁଦୃଢ କରିବା ଓ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଆବଶ୍ୟକ ପ୍ରଚେଷ୍ଟା କରନ୍ତୁ ।
  • ଜନ ଜାଗରଣ ଅଭିଯାନରେ ଗଣମାଧ୍ୟମ ଏବଂ ଲୋକପ୍ରିୟ ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସଂପୃକ୍ତ କରାନ୍ତୁ।

ଆଧାର – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

Last Modified : 7/9/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate