অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହିଳା ସଶକ୍ତିକରଣ ଓ ଆମ ସମାଜ

ଉପକ୍ରମ

ଆମ ଦେଶର ମୋଟ୍ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧାଂଶ ହେଉଛନ୍ତି ମହିଳା। ଏଣୁ ଆମ ଦେଶର ପ୍ରଗତି ନିମନ୍ତେ ମହିଳାମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଭାବେ ସଶକ୍ତିକରଣ କରିବାର ଆବଶ୍ୟକତା ରହିଛି। ଦେଶର ସାମଗ୍ରିକ ବିକାଶ ପାଇଁ ମହିଳାମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାର ପ୍ରୟୋଜନ ରହିଛି। ସମାଜରେ ନିଜକୁ ସୁରକ୍ଷିତ ମଣୁଥିବା ନାରୀଟିଏ ନିଜକୁ ଆତ୍ମନିର୍ଭରଶୀଳ କରିବା ସହିତ ସମାଜର ପ୍ରଗତିର ଯୋଗଦାନ କରିପାରିବ।

ଅନ୍ତର୍ଜାତୀୟ ମହିଳା ଦିବସ

ମହିଳାମାନଙ୍କର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ସଫଳତାକୁ ମନେ ରଖିବା ସହ ଏହାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଉଛି। ସମାଜରେ ନାରୀକୁ ସମାନ ଅଧିକାର ଓ ସମ୍ମାନ ଦେବା ଲକ୍ଷ୍ୟରେ ଏହି ଦିବସଟି ଉତ୍ସର୍ଗୀକୃତ କହିଲେ ଭୁଲ ହେବନାହିଁ।

ମହିଳାମାନଙ୍କୁ ସଶକ୍ତ

ସଂପ୍ରତି ନାରୀ ଆଉ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ନରହି ପୁରୁଷଙ୍କ ସହ ସମକକ୍ଷ ହୋଇ ଆତ୍ମନିର୍ଭଶୀଳ ହେବା ପାଇଁ ଚେଷ୍ଟା କରୁଛି। ପାରିବାରିକ ଦାୟିତ୍ୱ ଏବଂ କର୍ମକ୍ଷେତ୍ର ଦୁଇଟି ମଧ୍ୟରେ ତାଳମେଳ ରକ୍ଷା କରି ଆଗକୁ ବଢିବାକୁ ପ୍ରୟାସ କରୁଛି। ଏଥିପାଇଁ ତାକୁ ଦୈନନ୍ଦିନ ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡୁଛି। ଏହାସତ୍ୱେ ସମାଜରେ ସମ୍ମାନର ସହ ବଂଚିବାକୁ ସେ ତାର ସଂଘର୍ଷ ଜାରି ରଖିଛି। ଆଜି ମଧ୍ୟ ଆମ ସମାଜରେ ଅନେକ ମହିଳା ଅଶିକ୍ଷା, ବାଲ୍ୟ ବିବାହ, ଯୌତୁକ ପ୍ରଥା, ଯୌନ ଉତ୍ପୀଡନା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମହିଳାମାନଙ୍କର ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜାନାମାନ ରହିଛି।

ସେଗୁଡିକ ହେଲା ସମସ୍ତଙ୍କୁ ମାଗଣାରେ ସର୍ବନିମ୍ନ ଶିକ୍ଷା, ସମସ୍ତ ମହିଳାଙ୍କ ସୁସ୍ଥ ଜୀବନଧାରଣ ପାଇଁ ଯୋଜନା ଏବଂ ମହିଳାମାନଙ୍କ ପାଇଁ ବ୍ୟାପକ କର୍ମ ନିଯୁକ୍ତିର ଯୋଜନା ଇତ୍ୟାଦି। ଭାରତର ସମ୍ବିଧାନ ଅନୁଯାୟୀ ସର୍ବନିମ୍ନ ଶିକ୍ଷା ପାଇଁ ୧୪ ବର୍ଷ ଯାଏଁ ମାଗଣା ଶିକ୍ଷା ବ୍ୟବସ୍ଥା କରାଯାଇଛି। ମହିଳାମାନଙ୍କ ପ୍ରଜନନ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସେହିପରି ଆର୍ଥିକ ଦୃଷ୍ଟିକୋଣରୁ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସ୍ୱୟଂସହାୟକ ଦଳ ଗଠନ ଏବଂ ଏହା ମାଧ୍ୟମରେ ରୋଜଗାରର ଅବସର ସୃଷ୍ଟି କରାଯାଇଛି। ମହିଳାମାନଙ୍କୁ ନିର୍ବାଚନରେ ସଂରକ୍ଷଣ ସୁବିଧା ମଧ୍ୟ ପ୍ରଦାନ କରାଯାଇଛି।

ମହିଳାଙ୍କ ସୁରକ୍ଷା

ଏହାବାଦ୍ ମହିଳାଙ୍କ ସୁରକ୍ଷା ପାଇଁ ମଧ୍ୟ ଆମ ଦେଶରେ ବିଭିନ୍ନ ପ୍ରକାରର ଆଇନ ରହିଛି। ସ୍ୱାବଲମ୍ବୀ ହେବା ପାଇଁ ପ୍ରତ୍ୟେକ ମହିଳାର ଶିକ୍ଷାଗ୍ରହଣ ଓ କାର୍ଯ୍ୟ କରିବାର ଅଧିକାର ରହିଛି। ମହିଳାଙ୍କୁ ଏଥିରୁ ବଂଚିତ କରିବା ଅପରାଧ। ମାତ୍ର ଏସବୁ ସତ୍ୱେ ଆମ ସମାଜରେ ଅନେକ ମହିଳା ବିିଭିନ୍ନ ପ୍ରକାରର ଶୋଷଣର ଶିକାର ହେଉଛନ୍ତି। ଏଥିପାଇଁ ଲୋକଙ୍କ ମାନସିକତାରେ ପରିବର୍ତନ ଆସିବା ଜରୁରୀ। ମହିଳାମାନଙ୍କର ବିଭିନ୍ନ ସମସ୍ୟା ପ୍ରତି ଆମକୁ ସମ୍ବେଦନଶୀଳ ହେବାକୁ ପଡିବ। ଆଜିମଧ୍ୟ ଶୋଷଣର ଶିକାର ହେଉଥିବା ମହିଳାଟି ଏହାର ପ୍ରତିରୋଧ କରିବାକୁ କୁଣ୍ଠାବୋଧ କରୁଛି। ସମାଜ ତା ଉପରେ ହିଁ ଅଙ୍ଗୁଳି ଉଠାଇବା ଭୟରେ ସେ ଚୁପ୍ ରହୁଛି। ଏଥିପାଇଁ ପୋଲିସ ଷ୍ଟେସନ, ହସ୍ପିଟାଲ ଓ କୋର୍ଟରେ ଏହି ଧରଣର ମାମଲାର ପରିଚାଳନା କରୁଥିବା ବ୍ୟକ୍ତିମାନେ ଅଭିଯୋଗକାରିଣୀଙ୍କୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରିବା ଉଚିତ୍। ଏଥିପାଇଁ ଆମକୁ ହିଁ ପ୍ରୟାସ କରିବାକୁ ପଡିବ ଯେପରି ପିଲାଟି ଦିନରୁ କନ୍ୟା ସନ୍ତାନକୁ ତାର ପରିବାରବର୍ଗ ସମାଜରେ କିପରି ସଂସ୍କାର ମୁତାବକ ଚଳିବାକୁ ହେବ ସେ ସମ୍ପର୍କରେ ଶିକ୍ଷା ଦେଇଥାନ୍ତି। ଠିକ୍ ସେହପରି ପିଲାଟି ବେଳରୁ ଯଦି ଆମେ ମହିଳାଙ୍କୁ କିପରି ବ୍ୟବହାର କରାଯିବ ତଥା ସମ୍ମାନ ଦିଆଯିବ ସେ ସମ୍ପର୍କରେ ଶିଖାଇ ପାରିଲେ ହୁଏତ ଆଗାମୀ ପୀଢି ମହିଳାଙ୍କ ପ୍ରତି ସମ୍ବେଦନଶୀଳ ହେବ। ଏହାସହିତ ମହିଳାମାନେ ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଆଇନ କାନୁନ ବିଷୟରେ ଅବଗତ ହେବା ଆବଶ୍ୟକ।

ଆଧାର -ସୁଚରୀତା ସାହୁ (ମାର୍ଚ୍ଚ-୮, ଅର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ)

Last Modified : 6/29/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate