ଖୁଦୁରୁକୁଣି ଓଷା ଏକ ପାରମ୍ପାରିକ ଓଡ଼ିଆ ଓଷା । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ ।
ଏହା କୁଆଁରୀ ଓଡ଼ିଆ ଝିଅ ପାଳନ କରିଥାନ୍ତି । ଏଥିରେ ଖୁଦୁରୁକୁଣି ମା ମଙ୍ଗଳା ବା ଦୁର୍ଗାଙ୍କର ପୂଜା ଅର୍ଚନା କରାଯାଇଥାଏ ।
ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ ।
ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜ ମାନେ ଯାତନା ଦେବା ଓ ଖୁଦୁରୁକୁଣିଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ ।ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି ।
କିମ୍ବଦନ୍ତୀ ଅନୁସାରେ ପୁରାତନ ଯୁଗରେ ସାତଜଣ ସାଧବ ଭାଇ ବୋଇତରେ ଦୂରଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ବର୍ଷରେ ଗୋଟିଏ ଦିନରେ ସେମାନେ ଘରକୁ ଲେଉଟିଆ ଆସୁଥିଲେ । ଏହି ଦିନ ତାଙ୍କର ଗୋଟିଏ ମାତ୍ର ଭଉଣୀ ତଅପୋଇ ଏହି ଓଷା ଭାଇମାନଙ୍କର ଶୁଭ ମନାସିବା ପାଇଁ ପାଳୁଥିଲେ । ସେହି ଦିନଠାରୁ କୁଆଁରୀମାନେ ଏହା କରିବାର ବିଧି ରହିଅଛି ।
ଏହା ଏକ ଭାଦ୍ରବ ମାସର ରବିବାରରେ ପଡ଼ିଥାଏ । ଏହି ଦିନ ସକାଳୁ କୁଆଁରୀ ଝିଅମାନେ ଖୁଦୁରୁକୁଣି ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କଣ୍ଟିଆଳି କାକୁଡ଼ି ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି । ତେବେ ଖୁଦଭଜା ଠାକୁରାଣିଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ ଓ ତାହାଙ୍କୁ "ଖୁଦରଙ୍କୁଣି" ବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ ଯାହା ପାଇଁ ତାହାଙ୍କର ନାମ ଖୁଦୁରୁକୁଣି ହୋଇଅଛି । ଝିଅମାନେ ଗାଧୋଇ ପାଧୋଇ କନିଅର, ଚମ୍ପା, ଗୋଡ଼ିବବାଣ, ମାଳତୀ, ମନ୍ଦାର କଇଁ ଆଦି ଫୁଲ ତୋଳି ମାଟିରେ ବା ବାଲିରେ ଛୋଟ ଛୋଟ ଦେଉଳ ତୋଳି ତାହାକୁ ଫୁଲରେ ସଜାଇଥାନ୍ତି ଓ ସେଥିରେ ଠାକୁରାଣିଙ୍କୁ ଅଧିଷ୍ଠିତ କରାଇ ପୂଜା କରିଥାନ୍ତି ଓ ଯେଝା ଘରକୁ ଲେଉଟିଆସିଥାନ୍ତି । ତାହା ପରେ ସେମାନେ ଅଢ଼େଇ ମୁଠା ଉଷୁନା ଚାଉଳରେ ବିନା ଲୁଣରେ ଭାତ ରାନ୍ଧିଥାନ୍ତି । ଭାତ ରନ୍ଧା ହେଲା ପରେ ସେଥିରେ ଲୁଣ ମିଶାଇଥାନ୍ତି । ଏହାର କାରଣ ଅଜଣା । ଏହା ପରେ ସେମାନେ ଫୁଲ ମାଳ କରି ଠାକୁରାଣୀଙ୍କୁ ସଜାଇଥାନ୍ତି । ଗାଁମାନଙ୍କରେ ଖୁଦୁରୁକୁଣିଙ୍କୁ ଢିଙ୍କିଶାଳରେ ପୂଜା କରାଯାଇଥାଏ । ଏହି ଜାଗାଟିକୁ ଗୋବରରେ ଲିପା ପୋଛା କରି ସେଠାରେ ଦେବୀଙ୍କୁ ଅଧିଷ୍ଠିତ କରାଯାଇଥାଏ । ଏଥିରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ । ଫୁଲରେ ତୋରଣ ସବୁ ତିଆରି କରାଯାଇଥାଏ । ଦିନ ସାରା ଏହି ସଜାଣିରେ ସମୟ ବିତିବା ପରେ ସଞ୍ଜବେଳରେ ପୂଜା ଆରମ୍ଭ ହୋଇଥାଏ । ପାଳନ ବେଳେ ଝିଅମାନେ ଗୀତ ବୋଲିଥାନ୍ତି:
“ଆମ ଭାଲକୁଣ୍ଡି ଖାଏ ଲିଆ, ତୁମ ଭାଲକୁଣ୍ଡି ମୁହଁରେ ନିଆଁ ।“
ଏଥିରେ ଝିଅମାନେ ତଅପୋଇ ଗୀତ ଗାଇଥାନ୍ତି । ପିଢ଼ି ପରେ ପିଢ଼ି ଏହି ଗୀତ ଲୋକ ସାହିତ୍ୟ ଭାବରେ ଲୋକମୁଖରେ ଆଜି ଯାଏଁ ଚଳିଆସୁଅଛି । ଏବେ ଏହା ଛପା ହୋଇ ମିଳୁଅଛି । ପ୍ରଥମ ପାଳିରେ ଦୁର୍ଗାଙ୍କର ମହିଷାସୁର ବଧ ବାବଦରେ ବଖଣାଯାଇଅଛି । ୨ୟ ପାଳିଟି ହେଉଛି "ତଅପୋଇ", ଏଥିରେ ଏହି ସାଧବ ଝିଅର ଦୟନୀୟ କାହାଣୀ, ଭାଉଜମାନଙ୍କର ଦୂରାଚାର, ସାନ ଭାଉଜଙ୍କ ଦୟା ଓ ତଅପୋଇର ଉଦ୍ଧାର ଆଦି ବଖଣାଯାଇଅଛି । ଏହି ଦୁଇଟି ପାଳି ଏହି ଓଷାରେ ପଢ଼ାଯାଇଥାଏ । ପ୍ରଥମଟିରେ ଦୁର୍ଗାଙ୍କର ଅସୁର ଶକ୍ତିର ବିନାଶ ଓ ଦ୍ଵିତୀୟଟିରେ ତଅପୋଇର ଦୁଃଖ, କଷଣକୁ ସହିବା ଓ ତାହାପରର ଆନନ୍ଦ ଏହି ଓଷାର ମୁଖ୍ୟ ବିଷୟ ହୋଇଥାଏ । ପୂଜା ଓ ବନ୍ଦାପନା ଶେଷରେ ଖୁଦୁରୁକୁଣିଙ୍କ ମୂର୍ତ୍ତୀକୁ ଜଳ-ବିସର୍ଜନ କରାଯାଇଥାଏ ।
ଆଧାର -
Last Modified : 1/5/2020