অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦଶହରା

ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଓଡ଼ିଶା ଭିନ୍ନ ବିଭିନ୍ନ ଭାରତୀୟ ରାଜ୍ୟରେ ଏହା ଦଶେରା, ନବରାତ୍ରି, ଦୁର୍ଗା ପୂଜା ନାମରେ ସମାନ ସମୟରେ ପାଳିତ । ଏହା ଆୟୁଧ ପୂଜା ବା ଅସ୍ତ୍ରପୂଜା ନାମରେ ଓଡ଼ିଶାରେ ଆଗରୁ ପାଳିତ ହେଉଥିଲା ଯାହା ପରେ ବଙ୍ଗରୁ ଆରମ୍ଭ ମାଟି ମୂର୍ତ୍ତି ନିର୍ମାଣ କରି ଦୁର୍ଗା ପୂଜା ଅଥବା ଉତ୍ତର ଭାରତରେ ପାଳିତ "ନବରାତ୍ରି" ସହିତ ପାଳିତ ହୋଇଆସୁଛି । ଦଶହରା ଅବସରରେ ଖଣ୍ଡା, ଢାଲ,ଲଙ୍ଗଳ ଲୁହା, କରଣୀ ଆଦି ବିଭିନ୍ନ ପାରମ୍ପାରିକ ଯନ୍ତ୍ର ଓ ଉପକରଣ ଆଦି ଏହି ଦିନ ପୂଜା କରାଯାଇଥାଏ ।

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିଭିତ୍ତିକ ଉପକରଣ ହଳ-ଲଙ୍ଗଳ, ଐତିହାସିକ ଯୁଦ୍ଧରେ ଅରି ପରାହତ ନିମନ୍ତେ ବ୍ୟବହାର ହୋଇଥିବାରୁ ଖଣ୍ଡା, ଢାଲ ଆଦି ଉପକରଣ ତଥା ନଥିକରଣରେ ମୁଖ୍ୟ ଭୂମିକା ନିଭାଇଥିବାରୁ କରଣୀ ଆଦି ଉପକରଣକୁ ଏହି ଦିନ ପୂଜା କରାଯାଇଥାଏ । ଏହା ଓଡ଼ିଶାର ବିଭିନ୍ନ ଜାତିର ଲୋକଙ୍କ କୌଳିକ ପେଷାର ଉପକରଣମାନଙ୍କ ପ୍ରତି ଅଙ୍ଗୀକାରବଦ୍ଧତାକୁ ଦର୍ଶାଇବା ନିମନ୍ତେ ପାଳିତ ହୋଇଥାଏ ।

ଦୁର୍ଗା ପୂଜା

ମହିଷାସୁରମର୍ଦିନୀ ମା’ ଦୁର୍ଗାଙ୍କର ବିଜୟ ଗାଥାର ନିଦର୍ଶନ ଦେବୀ ଭାଗବତ, ମାର୍କଣ୍ଡେୟ ପୁରାଣ ଆଦିରେ ବର୍ଣ୍ଣିତ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜ ଦ୍ଵାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷ ରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳ ଦ୍ଵାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗ ଦ୍ଵାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ଵିନରେ ଏହି ପୂଜା କରିଥିଲେ, ସେବେ ଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ଵିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ । ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ,ଏହା ଦେବତାମାନଙ୍କ ଦ୍ଵାରା ମା’ ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ ।

କିମ୍ବଦନ୍ତୀ

ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ । ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମା’ର ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ, ସେହି ଧରିତ୍ରୀ ରାଣୀର ବୟଃପ୍ରାପ୍ତିରେ ଉତ୍‌ଫୁଲ୍ଲ ହୋଇ ଜନ-ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରେ, ମାତ୍ର ଏକ ସାର୍ବଜନୀନ ପୂଜା ରୂପେ ଶାରଦୀୟ ଦେବୀପୂଜା ହିଁ ଅଧିକ ଲୋକପ୍ରିୟତା ଅର୍ଜନ କରିଅଛି । ଏହି ମହାନ୍ ଶାରଦୀୟ ପର୍ବ ଭାରତର ପୁରପଲ୍ଲୀରେ ଦଶହରା ପର୍ବରୂପେ ପାଳନ କରାଯାଏ । ଏହି ପର୍ବର ମୂଳ ଲକ୍ଷ୍ୟ ହେଉଛି ଦେବୀ ଉପାସନା । ଦୁର୍ଗାପୂଜା ପରି ଦଶହରା ପର୍ବ ମଧ୍ୟ ବର୍ଷକରେ ଦୁଇଥର ପାଳନ କରାଯାଏ । ଜ୍ୟେଷ୍ଠମାସ ଶୁକ୍ଳଦଶମୀ ହେଉଛି ଗଙ୍ଗାମା’ତାଙ୍କର ଜନ୍ମଦିବସ I ଏହିଦିନ ଗଙ୍ଗାପୂଜା କରି ଗଙ୍ଗାନଦୀରେ ସ୍ନାନ କଲେ ତ୍ରିବିଧ ପାପ ଖଣ୍ଡନ ହୁଏ ବୋଲି ଏହି ତିଥିକୁ ‘ଦଶହରା’ ବା ‘ଦଶବିଧ’ ପାପହରଣ ଦିବସ କୁହାଯାଏ । ଏହି ତିଥିଟି ଲୋକମୁଖରେ ‘ଗଙ୍ଗା ଦଶହରା’ ନାମରେ ପରିଚିତ I ଅନ୍ୟ ଦଶହରା ପର୍ବଟି ଆଶ୍ୱିନ ମା’ସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳିତ ହୁଏ I ଏହି ଦୁର୍ଗାପୂଜାର ଶେଷ ଦିବସ । ଏହି ଦଶହରା ପର୍ବ ଭାରତରେ ସର୍ବଜନବିଦିତ ପର୍ବ । ତେଣୁ ‘ଦଶହରା’ କହିଲେ ସମସ୍ତ ଆଶ୍ୱିନ ଶୁକ୍ଳ ଦଶମୀକୁ ହିଁ ବୁଝନ୍ତି । ଏହି ପବିତ୍ର ଦଶହରା ଦିବସରେ ରାମଚନ୍ଦ୍ର ମାତୃଶକ୍ତି ବନଦୁର୍ଗାଙ୍କୁ ସ୍ତୁତି କରି ରାବଣର ନିଧନ ଉଦ୍ଦେଶ୍ୟରେ ଲଙ୍କା ଅଭିମୁଖେ ବିଜୟଯାତ୍ରା କରିଥିବାରୁ ଏହି ତିଥିକୁ ‘ବିଜୟା ଦଶମୀ’ କୁହାଯାଏ । ପୁଣି ଏହି ଦିବସର ଅବ୍ୟବହିତ ପୂର୍ବରୁ ସିଂହବାହିନୀ ଆଦ୍ୟା ଶକ୍ତି ଦୁର୍ଗା ଦୁର୍ଦ୍ଦମନୀୟ ମହିଷାସୁରକୁ ବଧ କରି ଦେବତାମାନଙ୍କର ମଙ୍ଗଳ ବିଧାନ କରିଥିଲେ । ଦେବୀଙ୍କ ସହ ଦାନବମାନଙ୍କର ଯୁଦ୍ଧ କନ୍ୟାମା’ସ ବା ଆଶ୍ୱିନ ମା’ସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ଧରି ଚାଲିଥିଲା । ଶୁକ୍ଳ ଅଷ୍ଟମୀ ଓ ନବମୀ ତିଥିରେ ମହାମାରୁ ହୋଇଥିଲା । ମହିଷାସୁର ସମେତ ସମସ୍ତ ଅସୁର ବଂଶ ନିପାତ ହେଲେ । ମହାମାରୁ ନବମୀ ରାତିର ଅନ୍ଧକାର ସହ ତ୍ରୈଲୋକ୍ୟରୁ ଅମଙ୍ଗଳର ଛାୟା ଅପସରି ଗଲା, ଶୁକ୍ଳ ଦଶମୀରେ ସବୁପ୍ରକାର ଶୁଭକାର୍ଯ୍ୟର ଆରମ୍ଭ ହେଲା । ଏହିଦିନ ଜଗତର ଦୁଃଖ ହରଣ ହୋଇଥିବାରୁ ଏହା ‘ଦୁଃଖହା ଦଶମୀ’ ନାମରେ ଖ୍ୟାତି ଲାଭ କରିଅଛି ବୋଲି ଆଦିକବି ଶୂଦ୍ରମୁନି ସାରଳା ଦାସ ‘ଚଣ୍ଡୀପୁରାଣ’ରେ ଲେଖିଛନ୍ତି । ‘ଦୁଃଖହା ଦଶମୀ’ ଦିନ ମହାଦଶାରୁ ଉଦ୍ଧାର ପାଇ ଦେବତାମାନେ ମହାଶକ୍ତି ବ୍ରହ୍ମମୟୀ ଦୁର୍ଗତିନାଶିନୀ ଦୁର୍ଗାଙ୍କୁ ସ୍ତୁତି କରିଥିବାରୁ ଏହି ତିଥିରେ ଦୁର୍ଗାଙ୍କର ଆରାଧନା କରାଯାଏ ।

ଦେବୀ ମାହାତ୍ମ୍ୟ’ ମତେ: ‘ଚଣ୍ଡୀ’ ଶୁଣି ରାଜ୍ୟଭ୍ରଷ୍ଟ ରାଜା ସୁରଥଙ୍କର ମୋହ ତୁଟିଯିବା ପରେ ସେ ଦୁର୍ଗାପୂଜାର ପରମ୍ପରା ସୃଷ୍ଟି କରିଥିଲେ । ଦେବୀପୀଠଗୁଡ଼ିକରେ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ବ୍ୟାପୀ ପୂଜା ଅନୁଷ୍ଠିତ ହୁଏ । ଏହାକୁ ଷୋଳପୂଜା କୁହାଯାଏ । ଶୁକ୍ଳପକ୍ଷ ସପ୍ତମୀ ଦିନ ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପିତ ହୁଏ । ଅଷ୍ଟମୀଦିନ ମହାଷ୍ଟମୀ ପୂଜା ଓ ବଳିଦାନ କରାଯାଏ । ‘ବଳି’ ଶବ୍ଦର ଅର୍ଥ ହେଉଛି ଉପହାର । ଜଗତଜନନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଉପହାର ଦେବାକୁ ପଡେ । ତେଣୁ ଦେବୀପୂଜାରେ ବଳିଦାନର ବ୍ୟବସ୍ଥା ରହିଅଛି I ନବମୀ ଦିନ ରକ୍ତମୁଖା ଦେବୀଙ୍କୁ ଶାନ୍ତ କରିବା ପାଇଁ ଶାନ୍ତି ବୋଦା ପଡେ । ଦଶମୀ ଦିନ ମହା ସମାରୋହରେ ମୃଣ୍ମୟୀ ଦେବୀ ପ୍ରତିମା ଓ ଘଟ ବିସର୍ଜନ କରାଯାଏ I ପୁରୀଠାରେ ଦଶହରା ପରଦିନ ଦୁର୍ଗାଙ୍କର କ୍ରୋଧାନ୍ୱିତା ଶକ୍ତି ‘ଗୋସାଣୀ ଯାତ’ ଏବଂ ଏହି ତିଥିକୁ ଗୋସାଣୀ ଏକାଦଶୀ କୁହାଯାଏ I ଶାରଦୀୟ ଦୁର୍ଗାପୂଜାରେ ମହାସ୍ନାନ ବଳି ଏବଂ ହୋମର ବ୍ୟବସ୍ଥା ଥିବାରୁ ଏହାକୁ ‘ମହାପୂଜା’ ମଧ୍ୟ କୁହାଯାଏ । ବିବିଧ କାରଣରୁ ଦଶହରା ପର୍ବ ପାଳନ କରାଯାଉଥିବାରୁ ଏହା ଏକ ମହାନ ପାର୍ବଣରେ ପରିଣତ ହୋଇଅଛି । ଏହି ପର୍ବର ମହତ୍ତ୍ୱ ବିଷୟରେ ଦେବୀ ପୁରାଣରେ କୁହାଯାଇଛି ଯେ ଏହା ଏକ ମହାନ, ପବିତ୍ର ବ୍ରତ ଏବଂ ଏହି ବ୍ରତ ପାଳନ କଲେ ସିଦ୍ଧି ଲାଭ ହୁଏ ଓ ଶତ୍ରୁମାନେ ପରାଜିତ ହୁଅନ୍ତି I କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭର ପୂର୍ବରୁ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ବନଦୁର୍ଗାଙ୍କର ଆରାଧନା କରିବା ପାଇଁ ଉପଦେଶ ଦେଇଥିଲେ । ଇତିହାସ ପ୍ରସିଦ୍ଧ ଛତ୍ରପତି ଶିବାଜୀ ମଧ୍ୟ ମୋଗଲମାନଙ୍କ ସହ ଯୁଦ୍ଧ କରିବା ସମୟରେ ଦୁର୍ଗାଙ୍କର ଉପାସନା କରିଥିଲେ I ଦଶହରା ପର୍ବରେ ଦେବୀଙ୍କ ଶକ୍ତିର ପ୍ରତିଷ୍ଠା ପାଇଁ ଖଡ୍ ଗ ପୂଜା କରାଯାଏ I ଦଶହରା ଦିନ ଗୁରୁବାର ପଡ଼ିଲେ ଗୃହିଣୀମାନେ ପରିବାରର ମଙ୍ଗଳ ଲାଗି ସୁଦଶାବ୍ରତ ପାଳନ କରି ଗୃହଲକ୍ଷ୍ମୀଙ୍କ ପୂଜା କରନ୍ତି I ଭାଦ୍ରବ ମାସ ଶୁକ୍ଳ ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ସୋମନାଥ ବ୍ରତର ଉଦ୍ ଯାପନ ପର୍ବ ମଧ୍ୟ ଦଶହରା ତିଥିରେ ପାଳିତ ହୁଏ I ପରମ- ଈଶ୍ୱରୀ ଦେବୀ ଦୁର୍ଗା ବିଶ୍ୱର ସକଳ ବସ୍ତୁରେ ପରିବ୍ୟାପ୍ତ I ସେ ମହାବିଦ୍ୟା, ମହାମାୟା ମହାଯୋଗେଶ୍ୱରୀ । ତାଙ୍କର ‘କ୍ଷର’ ବା ଶେଷ ନଥିବାରୁ ସେ ‘ଅକ୍ଷରା’ I

ଦେବୀ ଭାଗବତର ମତେ, ରାବଣର ନିଧନ ପାଇଁ ବ୍ରହ୍ମାଙ୍କ ପରାମର୍ଶ ମତେ ଶ୍ରୀରାମ ବସନ୍ତ କାଳରେ ଦେବୀପୂଜା କରିବାକୁ ଚାହିଁଲେ। କାରଣ, ଶରତକାଳ ଅକାଳ, ଆଷାଢ‍଼ ଶୁକ୍ଳ ଏକାଦଶୀ (ହରିଶୟନ ଏକାଦଶୀ) ଠାରୁ ହେମନ୍ତ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦେବତାମାନେ ନିଦ୍ରା ଯାଆନ୍ତି । ବ୍ରହ୍ମାଙ୍କ ନିର୍ଦ୍ଦେଶ ମତେ ଶ୍ରୀରାମଚନ୍ଦ୍ର କନ୍ୟାରାଶିର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଦେବୀଙ୍କ ଅକାଳ ବୋଧନ ନିମନ୍ତେ ପୂଜାର ଆୟୋଜନ କରିଥିଲେ । ଶ୍ରୀରାମ ଧ୍ୟାନ ବଳରେ, ଦେବୀ କୁମାରୀ ରୂପରେ ବିଲ୍ଵବୃକ୍ଷ ଶାଖାରେ ଶାୟିତ ଥିବା ଜାଣିପାରି, ସକାଳେ କଳ୍ପାରମ୍ଭ ଓ ସନ୍ଧ୍ୟାବେଳେ ବିଲ୍ଵବୃକ୍ଷମୂଳେ ଆରମ୍ଭ କଲେ ଦେବୀଙ୍କ୍ ବୋଧନ । ଏହାପରେ ସପ୍ତମୀ ତିଥିରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ । ସେତେବେଳେ ମଧ୍ୟ ଦେବୀ ସୁପ୍ତ ଅବସ୍ଥାରେ ଥିବାରୁ ଅଷ୍ଟମୀ ତିଥିରେ ଯୋଗିନୀଗଣଙ୍କୁ ଆହ୍ଵାନ କରି ଦେବୀଙ୍କୁ ପୁଣି ପୂଜା କଲେ । ଆଗତ ଯୋଗିନୀଗଣଙ୍କ କୋଳାହଳରେ ଦେବୀ କେବଳ କଡ଼ ଲେଉଟାଇ ପୁଣି ଶୋଇଲେ । ଏହା ପରେ ଅଷ୍ଟମୀର ଶେଷ ଓ ନବମୀର ଆରମ୍ଭ ବା ସନ୍ଧିକ୍ଷଣ ସମୟରେ ଶ୍ରୀରାମଚନ୍ଦ୍ର କଲେ ସନ୍ଧିପୂଜା । ଅଷ୍ଟମୀର ଚବିଶ ମିନଟ ଓ ନବମୀର ଚବିଶ ମିନଟ, ଏହିପରି ମୋଟ ଅଠଚାଳିଶ ମିନଟ ଧରି ଦେବୀ ଚାମୁଣ୍ଡାଙ୍କର ଏହି ବିଶେଷ ସନ୍ଧିପୂଜା କରିଥିଲେ । ଶ୍ରୀରାମ ଚାମୁଣ୍ଡାଙ୍କୁ ଆବାହନ କରି ଦେବୀ ଦୁର୍ଗାଙ୍କୁ ଉଠାଇବା ପାଇଁ ନିବେଦନ କଲେ । ଚାମୁଣ୍ଡାଙ୍କ ସହଯୋଗ ଫଳରେ ନବମୀ ତିଥିରେ ଦେବୀ ଦୁର୍ଗା ଜାଗ୍ରତ ହେଲେ । ଏତିକିବେଳେ ସେ ଦେବୀଙ୍କୁ କୁମାରୀ ରୂପରେ ଦର୍ଶନ କରି ଯୋଗିନୀମାନଙ୍କ ସହିତ ବିଶେଷ ପୂଜା କରି ଏକାସାଙ୍ଗେ ଶହେଆଠ ନୀଳପଦ୍ମ ଅର୍ପଣ କରିଥିଲେ । ସେହି ଦିନଠାରୁ କୁମାରୀ ରୂପୀ ଦେବୀଙ୍କର ପୂଜାର ଆରମ୍ଭ ।

ଘଟପୂଜା ପରମ୍ପରା

ଶରତକାଳୀନ ଦୁର୍ଗା ହେଉ ଅଥବା ବାସନ୍ତି ଦୁର୍ଗାପୂଜା, ଏଥିରେ ମୂର୍ତ୍ତି ସ୍ଥାପନ କରାଯାଇ ଜୀବନ୍ୟାସ କର୍ମ ସହ ପୂଜା ନିୟମ ପ୍ରଣୟନ ହେଉଥିଲେ ମଧ୍ୟ ଘଟସ୍ଥାପନ ଜନିତ ପୂଜା ଆବହମାନ କାଳରୁ ପ୍ରଚଳିତ । ବିଭିନ୍ନ ଭାବରେ ମୂର୍ତ୍ତିପୂଜାର ଆଦର ବଢିଥିଲେ ମଧ୍ୟ ମୂଳ ତତ୍ତ୍ୱକୁ ବାଦ ଦେବା ସମ୍ଭବ ହୋଇନାହିଁ । ବାସନ୍ତୀ ଦୁର୍ଗାପୂଜା ବିଶେଷ ଭାବେ ପାଳିତ ହୋଇ ନ ଥାଏ । ଅନ୍ୟପକ୍ଷରେ ଶରତକାଳୀନ ଦୁର୍ଗାପୂଜା ଏବେ ସାର୍ବଜନୀନ ପୂଜାର ସ୍ୱୀକୃତି ପାଇଛି, କିନ୍ତୁ ଉଭୟ ପୂଜା ଏବଂ ତା’ର ବିଧାନ ପ୍ରାୟତଃ ସମାନ ।

ଶରତକାଳୀନ ପୂଜା ଏବଂ ବାସନ୍ତୀପୂଜା ବ୍ୟତୀତ ଦକ୍ଷିଣ ଓଡ଼ିଶାରେ ଅନ୍ୟ ଦିନରେ ମା’ଙ୍କର ସ୍ୱପ୍ନାଦେଶ ଅଥବା ଆଜ୍ଞାମାଳ ପରିପ୍ରେକ୍ଷୀରେ ବିଧିବ୍ୟବସ୍ଥା ଅନୁଯାୟୀ ମଧ୍ୟ ମା’ଙ୍କର ପୂଜା ଅର୍ଚ୍ଚନା କରାଯାଏ । ଏଠାରେ ମଧ୍ୟ ଘଟ ସ୍ଥାପନ ଏବଂ ଘଟପୂଜା ଦେଖିବାକୁ ମିଳେ I ଏପରିକି ଘଟକୁ ମୁଣ୍ଡରେ ଧରି ପରିକ୍ରମା କରାଯିବାର ବିଧି ରହିଛି ।

ମୂର୍ତ୍ତିପୂଜା ମାତ୍ର ଦୁଇଶହ ବର୍ଷ ଭିତରେ ଦେଖିବାକୁ ମିଳିଲା । ତେବେ ପ୍ରଥମେ ଧାତୁ ନିର୍ମିତ ମୂର୍ତ୍ତି ଦେଖିବାକୁ ମିଳୁଥିଲା ବେଳେ ମାତ୍ର ୧୦୦ ରୁ ୧୫୦ ବର୍ଷ ମଧ୍ୟରେ ମାଟି ନିର୍ମିତ ମୂର୍ତ୍ତିର ବ୍ୟାପକ ପ୍ରସାର ଘଟିଛି । କିନ୍ତୁ ପ୍ରାରମ୍ଭରୁ ପ୍ରଚଳିତ ଘଟପୂଜା ଏବେ ବି ଅନୁଷ୍ଠିତ ହେଉଛି । ଆମର ସଂସ୍କୃତି ଅନୁଯାୟୀ ବିଭିନ୍ନ ପୂଜା ପଞ୍ଚଭୂତ ଉପରେ ଆଧାରିତ । ତାହା ହେଉଛି କ୍ଷିତ୍, ଅପ୍, ମରୁତ୍ ଏବଂ ବ୍ୟୋମ୍ । ମନୁଷ୍ୟ ପ୍ରଥମେ ମାଟିକୁ ପୂଜାକଲା I କାରଣ ଏହି ମାଟି ତାକୁ ରହିବା ପାଇଁ ଆଶ୍ରୟ ଦେଲା ଏବଂ ସେହିମାଟିରୁ ଉତ୍ପାଦିତ ଫଳ ଖାଇ ସେ ବଞ୍ଚିଲା । ସେହିପରି ଜଳ (ଅପ୍)କୁ ଜୀବନ ବୋଲି କହିଲା । ସେ ଜାଣିଥିଲା ଜଳ ବିନା ଜୀବନ ଅସମ୍ଭବ । ତେଣୁ ଭିନ୍ନ ଭିନ୍ନ ଜଳାଶୟ ବା ନଦୀକୂଳରେ ଗଢିଉଠିଲା ଜନବସତି । ପରବର୍ତ୍ତୀ ସମୟରେ କେତେକ ନଦୀ ତୀର୍ଥକ୍ଷେତ୍ର ରୂପେ ପରିଗଣିତ ହେଲେ । ତେଜର ମୂର୍ତ୍ତିମନ୍ତ ରୂପ ସୂର୍ଯ୍ୟଙ୍କୁ ଈଶ୍ୱର ଭାବେ ଗ୍ରହଣ କରାଗଲା । ଅବଶ୍ୟ ଅଗ୍ନିକୁ ଗ୍ରହଣ କଲା ଏହାପରେ । ପବନ (ମରୁତ) ଏବଂ ଆକାଶ (ବ୍ୟୋମ)କୁ ମଧ୍ୟ ନିଜର ପୂଜ୍ୟ ଭାବେ ସ୍ୱୀକୃତି ଦିଆଗଲା । ସମୟର ଧାରାରେ ଏହି ପଞ୍ଚଭୂତ ଯାହା ସହ ସମ୍ପର୍କିତ ସେମାନଙ୍କୁ ମଧ୍ୟ ଈଶ୍ୱରୀୟ ସତ୍ତାର ଅଂଶ ବା ଈଶ୍ୱର ଭାବେ ଗ୍ରହଣ କରାଯାଇଛି । ଯେପରି ବୃକ୍ଷକୁ ବୃକ୍ଷଦେବତା ଏବଂ ଶିଳା, ଧାତୁ ପ୍ରଭୃତି ପୂଜନୀୟ ହେଲେ । ଏହି ମହାପଞ୍ଚଭୂତମନଙ୍କ ଧର୍ମଗତ ସ୍ୱଭାବ ହେଲା- ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ । ପୁନଃ ଏଗୁଡ଼ିକ ଆମର ପଞ୍ଚଇନ୍ଦ୍ରୀୟ ଅର୍ଥାତ୍ କର୍ଣ୍ଣ, ଚର୍ମ, ଚକ୍ଷୁ,ଜିହ୍ଵା ଓ ନାସା ଦ୍ୱାରା ଗୃହିତ ହୋଇଥାନ୍ତି ।

ବର୍ତ୍ତମାନ ଦେଖିବା ଏହି ଘଟରେ ଆମେ କେଉଁ କେଉଁ ଦେବତାଙ୍କୁ ଆବାହନ କରିଥାଉ । ଅବଶ୍ୟ ଜଳରେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ ଏବଂ କାବେରୀର ପବିତ୍ର ଭାବଧାରାକୁ ସମ୍ମିଶ୍ରଣ କରାଯାଏ । ଗୋଟିଏ ଘଟ ମଧ୍ୟରେ ଅର୍ଥାତ ବିନ୍ଦୁ ମଧ୍ୟରେ ସିନ୍ଧୁର ପରିକଳ୍ପନା ହୋଇଥାଏ । ସେହିପରି ବିଘ୍ନ ବିନାଶକ ଗଣନାୟକ, ଜଳର ଦେବତା ବରୁଣ, ଇନ୍ଦ୍ର ଏବଂ ଦଶଦିଗପାଳ, ସୂର୍ଯ୍ୟଙ୍କ ସହ ନବଗ୍ରହ ଏବଂ ଗ୍ରାମଦେବତୀଙ୍କୁ ଆବାହନ କରି ଘଟରେ ସ୍ଥାପନା କରାଯାଇ ପୂଜା କରାଯାଏ । ଅନ୍ୟ ପକ୍ଷରେ ଘଟ ମୁଖରେ ଶିବ, କଣ୍ଠରେ ବିଷ୍ଣୁ, ତଳ ଭାଗରେ ବ୍ରହ୍ମା, ମଧ୍ୟଭାଗରେ ଅଷ୍ଟାଦଶ ମାତୃଗଣ, କୁକ୍ଷୀରେ ସପ୍ତସାଗର, ସପ୍ତଦ୍ୱୀପ ପୃଥିବୀ ଏବଂ ଉଦରରେ ସମସ୍ତ ତୀର୍ଥକୁ ସ୍ମରଣ କରି ପୂଜା କରାଯାଏ ।

ନବମୀରେ କୁମାରୀ ପୂଜା

ଶ୍ରୀରାମଚନ୍ଦ୍ର ରାବଣଙ୍କୁ ବଧ କରିବା ପାଇଁ ଶରତ କାଳରେ ଶ୍ରୀ ଶ୍ରୀ ଦୁର୍ଗାପୂଜା କରିଥିଲେ । ଏହାକୁ ‘ଅକାଳବୋଧନ’ କୁହାଯାଏ । କାରଣ ଶରତକାଳ ସୂର୍ଯ୍ୟ ଦକ୍ଷିଣାୟନ କରନ୍ତି । ଶ୍ରାବଣ ମାସରୁ ପୌଷମାସ ସୂର୍ଯ୍ୟଙ୍କ ଦକ୍ଷିଣାୟନ; ମାଘରୁ ଆଷାଢ଼ ସୂର୍ଯ୍ୟଙ୍କର ଉତ୍ତରାୟନ । ଦକ୍ଷିଣାୟନ ଦେବତାଙ୍କର ରାତ୍ରି । ତେଣୁ ଉତ୍ତରାୟନ ଦେବତାଙ୍କ ଆରାଧନାର ପ୍ରକୃଷ୍ଟ ସମୟ । ରାବଣ, ବ୍ରହ୍ମାଙ୍କ ବରରେ ଅପାରଶକ୍ତିର ଆଧିକାରୀ ହୋଇଥିବାରୁ ତାଙ୍କୁ ବଧ କରିବା ନିମନ୍ତେ ଦେବୀଙ୍କ କୃପା ଆବଶ୍ୟକ । ତେଣୁ ବ୍ରହ୍ମା ଶ୍ରୀରାମଚନ୍ଦ୍ରଙ୍କୁ ଶରତ କାଳରେ ଦେବୀଙ୍କ କଳ୍ପାରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ । ଶ୍ରୀରାମଚନ୍ଦ୍ର ଦ୍ୱନ୍ଦ୍ୱରେ ପଡ଼ିଲେ । ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ନିର୍ଦ୍ଦେଶ ଓ ଦେବଦେବୀଙ୍କର ଦକ୍ଷିଣାୟନ । ଦେବୀ ଜାଗ୍ରତ ନା ନିଦ୍ରିତ ? ଦେବୀ ଏବେ ଆବିର୍ଭୂତ ହେବେ ତ ? ତେଣୁ ସେ ଧ୍ୟାନମଗ୍ନ ହୋଇ ଜାଣିପାରିଲେ ଦେବୀ ତ୍ରିଶାଖା ବିଲ୍ୱଦଳରେ ‘କୁମାରୀ’ କନ୍ୟା ରୂପେ ଶାୟିତ । ଏହି ଦୃଶ୍ୟ ଅବଲୋକନ କରି ବିଭୋର ହେଲେ ଶ୍ରୀରାମଚନ୍ଦ୍ର । ଦେବୀଙ୍କୁ ଜାଗ୍ରତ କରାଇବେ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଷଷ୍ଠୀଦିନ ‘ବିଲ୍ୱାଧିବାସ’ କଲେ ଶ୍ରୀରାମଚନ୍ଦ୍ର । ଷଷ୍ଠୀପରେ ସପ୍ତମୀରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ ମଧ୍ୟ ଦେବୀଙ୍କର ନିଦ୍ରାଭଙ୍ଗ ହେଲାନି । ଅଷ୍ଟମୀରେ ଯୋଗିନୀମାନଙ୍କୁ ଡାକି ବିଶେଷ ପୂଜାକରିଲେ ଶ୍ରୀରାମ । ତେଣୁ ଅଷ୍ଟମୀର ଶେଷ ଦଣ୍ଡ ଓ ନବମୀର ପ୍ରଥମ ଦଣ୍ଡ(୨୪+୨୪=୪୮ମିନିଟ) ସନ୍ଧିକ୍ଷଣରେ ପୂଜା କଲେ । ଏହାକୁ ‘ସନ୍ଧିପୂଜା’ କୁହାଯାଏ । ଚାମୁଣ୍ଡା ଦେବୀଙ୍କ ସହାୟତାରେ ଶ୍ରୀରାମଚନ୍ଦ୍ର ଏହି ‘ସନ୍ଧିପୂଜା’ କରିଥିଲେ । ଏହି ପୂଜା ପରେ ଅର୍ଥାତ୍‌ ନବମୀ ଦିନ ଦେବୀ ଜାଗ୍ରତ ହେଲେ ଏବଂ ପୁନର୍ବାର ‘କୁମାରୀ’ ରୂପରେ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ ଦେଲେ । ତେଣୁ ନବମୀ ଦିନ କୁମାରୀ ପୂଜାର ପ୍ରଚଳନ ଅଛି । କୁମାରୀ ସାକ୍ଷାତ ଯୋଗିନୀ, ପରମାଦେବୀ ପୁଣି ପରମପ୍ରକୃତି । ଶ୍ରୀ ଶ୍ରୀ ଚଣ୍ଡୀରେ ଉଲ୍ଲେଖ ଅଛି ‘ସ୍ତ୍ରୀୟା ସମସ୍ତା ସକଳ ଜଗତ ସୁ’ ଅର୍ଥାତ୍‌ ସମସ୍ତ ସ୍ତ୍ରୀ ଜାତି ବ୍ରହ୍ମମୟୀ, ମହାମାୟା ଜଗଜ୍ଜନନୀଙ୍କର ଏକ ଅଂଶ ବିଶେଷ । ପ୍ରତି ନାରୀ ଭଗବତୀଙ୍କ ଅଂଶ ହେଲେ ମଧ୍ୟ କୁମାରୀଙ୍କ ମଧ୍ୟରେ ଭଗବତ୍‌ ସତ୍ତା ବିଶେଷ ଭାବରେ ପ୍ରକାଶିତ । ତନ୍ତ୍ରମତେ ଷୋହଳ ବର୍ଷ ପର୍ଯ୍ୟନ୍ତ ଅବିବାହିତା କନ୍ୟାଙ୍କୁ କୁମାରୀ କୁହାଯାଏ । ଯେତେଦିନ ପର୍ଯ୍ୟନ୍ତ କନ୍ୟା ଋତୁମତୀ ନ ହୁଅନ୍ତି ସେତେଦିନ ପର୍ଯ୍ୟନ୍ତ ‘କୁମାରୀ’ ତାହା କୁସୁମପରି ପବିତ୍ର । ତେଣୁ ସେତେଦିନ ପର୍ଯ୍ୟନ୍ତ କନ୍ୟା ଦେବସେବାରେ ନିବେଦିତ ହୋଇପାରିବେ । ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ କୁମାରୀ ରୂପରେ ଦର୍ଶନ କରିଥିଲେ ଏବଂ ପୂଜା କରିଥିଲେ ମଧ୍ୟ ପରବର୍ତ୍ତୀକାଳରେ ଶ୍ରୀଶ୍ରୀ ରାମକୃଷ୍ଣ ଓ ତାଙ୍କର ଶିଷ୍ୟ ବିବେକାନନ୍ଦ ଏହାର ବହୁଳ ପ୍ରଚାର କରିଥିଲେ ଏବଂ ରାଣୀ ରାସମଣୀ ଦେବୀଙ୍କ ଦ୍ୱାରା କୁମାରୀ ପୂଜାକରାଇ ଏହାର ପ୍ରସାର ମଧ୍ୟ କରିଥିଲେ। କାରଣ କୁମାରୀଙ୍କ ମଧ୍ୟରେ ଭଗବତ୍‌ ସତ୍ତା ଅନୁଭବ କରିଥିଲେ । ଏଣୁ ଦୁର୍ଗାପୂଜାର ନବମୀ ରାତ୍ରିରେ କେତେକ ବ୍ରାହ୍ମଣ ବଂଶୀୟ ସାତରୁ ଆଠ ବର୍ଷର କନ୍ୟାକୁ ପାଦରେ ଅଳତା, ଆଖିରେ କଜ୍ଜଳ ଓ କପାଳରେ ଚନ୍ଦନ ଟିପା ଦେଇ ସୁନ୍ଦର ଭାବରେ ସଜାଇ ନୂତନ ଶାଢ଼ି ପରିଧାନ କରାଇ ବିଭିନ୍ନ ଉପଢ଼ୌକନ ଦେଇ ପୂଜା କରାଯାଏ । ଏହାକୁ ‘କୁଆଁରୀ ଲକ୍ଷ୍ମୀ’ ପୂଜା କୁହାଯାଏ । ଓଡ଼ିଶାର ସବୁ ପୂଜାମଣ୍ଡପରେ ନବମୀ ଦିନ କୁମାରୀ ପୂଜା କରା ନ ଗଲେ ମଧ୍ୟ କଟକ ଜିଲ୍ଲାର ପୁନଙ୍ଗ ଗ୍ରାମର ଘୋଷଘର ପୂଜାମଣ୍ଡପରେ ଆବାହମାନକାଳରୁ କୁମାରୀ ପୂଜା ହୋଇଆସୁଛି । କଥିତ ଅଛି, ଯେଉଁମାନେ ଏହି ପୂଜା ଦର୍ଶନ କରନ୍ତି, ସେମାନେ ଚତୁବର୍ଗ ଫଳ ପାଆନ୍ତି । କୁମାରୀ ପୂଜା ହେଉଛି ନାରୀଜାତି ପ୍ରତି ସମ୍ମାନ ପ୍ରଦର୍ଶନର ଏକ ପ୍ରକ୍ରିୟା ମାତ୍ର ।

ପୂଜାବିଧି

ଜନ୍ମାଷ୍ଟମୀ ଅବସରରେ ନଦୀରୁ ମାଟି ଉଦ୍ଧାର କରାଯାଏ,ଯାହା ଦଶହରାର ପ୍ରଥମ ବିଧି।ଏହା ପରେ କାରିଗରମାନେ ମୂର୍ତ୍ତି ଗଠନରେ ବ୍ୟସ୍ତ ରୁହନ୍ତି । ପବିତ୍ର ମହାଳୟା ଅବସରରେ ମା’ ଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡ଼ି ଚଢାଯାଏ । ମହାଳୟା ଠାରୁ ପ୍ରକୃତ ଦୁର୍ଗାପୂଜା ଆରମ୍ଭ ହୁଏ । କାରଣ ଏହି ଦିନ ଠାରୁ ଦୁର୍ଗାପୂଜା ମଧ୍ୟରେ ୧୦ ଦିନ ସମୟ ରହିଥାଏ, ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି । ପ୍ରକୃତ ପୂଜାବିଧି ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ ।

  • ଷଷ୍ଠୀ: ଅଧିବାସ, ବିଲ୍ୱବରଣ, ମା’ ଙ୍କୁ ସ୍ଵାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ । ବେଲଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ । ଶେଷରେ ରାତ୍ରୀ କାଳରେ ଦେବୀ ପ୍ରତିମାର ଚକ୍ଷୁରେ ରଙ୍ଗ ଦେଇ ଚକ୍ଷୁଦାନ ସମ୍ପନ୍ନ ହୁଏ ଓ ମନ୍ତ୍ରଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯାଏ ।
  • ସପ୍ତମୀ: ସପ୍ତମୀରେ ନବପତ୍ରିକା ପୂଜା କରାଯାଏ, ଯେଉଁ ଥିରେ କଦଳୀ, ସାରୁ, ମାଣସାରୁ, ହଳଦୀ, ଅଶୋକ, ଡାଳିମ୍ବ, ବେଲ, ଜୟନ୍ତି ଓ ଧାନ ଏହି ନଅ ଜାତି ପତ୍ରଦ୍ଵାରା ଦୁର୍ଗାଙ୍କର ଗୋଟିଏ ମୁର୍ତ୍ତି ଗଠନ କରି ପୂଜା କରିବାର ବିଧି ଏହା ପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ । ଚଣ୍ଡିପାଠହୋମ: ଦେବୀମାହାତ୍ମ୍ୟ (ମାର୍କଣ୍ଡେୟ ପୂରାଣାନ୍ତର୍ଗତ ଦୁର୍ଗାଙ୍କ ବିଷୟ ବର୍ଣ୍ଣନାତ୍ମକ ଗ୍ରନ୍ଥ) ଗ୍ରନ୍ଥର ଆବୃତ୍ତି ସହ ହୋମ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଏ ।
  • ଅଷ୍ଟମୀ: ଅଷ୍ଟମୀରେ ହୁଏ ମା’ ଙ୍କ ମୂଖ୍ୟ ସନ୍ଧିପୂଜା । ମହାଷ୍ଟମୀର ଶେଷ ଦଣ୍ଡ ଓ ମହାନବମୀର ଆଦ୍ୟ ଦଣ୍ଡର ମଧ୍ୟକାଳୀନ ସମୟକୁ ସନ୍ଧି ସମୟ କୁହାଯାଏ । ଶାସ୍ତ୍ର ବିଧି ଅନୁସାରେ ଶାରଦୀୟ ଓ ବାସନ୍ତୀ ଦୁର୍ଗାପୂଜାରେ ଏହି ସନ୍ଧି କାଳହିଁ ଦେବୀଙ୍କୁ ବଳି ଦେବର ପ୍ରଶସ୍ତ ସମୟ । ଏହି ସମୟରେ ମା’ ଙ୍କ ପାଖରେ ବଳି ଦିଆଯାଏ । ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା, ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତିକଖାରୁ ବଳି ଦିଆଯାଉଛି । ଓଡ଼ିଶାରେ ଏହିଦିନ ମହିଳାମାନେ ଶାଢ଼ୀ, ଫେଣୀ ଇତ୍ୟାଦି ଆଣି ମା’ ଙ୍କ ପାଖରେ ଭୋଗ କରିସାରିବା ପରେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି ।
  • ନବମୀ: ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ।କଟକର ଅଲିଶାବଜାର, ଚାନ୍ଦିନୀ ଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛଭୋଗ କରିଥାନ୍ତି ।
  • ଦଶମୀ: ଘଟ ବିସର୍ଜନ ଓ ଭସାଣି । ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ଵାତନ୍ତ୍ର । ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କାନ୍ଦବୋବାଳି କରିଥାନ୍ତି । ଏହା ସହିତ ମହିଳାମାନେ ସିନ୍ଦୁର ଖେଳ କରିଥାନ୍ତି । ଅନେକ ସ୍ଥାନରେ ସିନ୍ଦୁର ଖେଳ ପ୍ରତିଯୋଗିତା ହୁଏ । ଏହି ଦିବସର  ପ୍ରମ୍ମୁଖଭୋଗ ଦହି ପଖାଳ ।

ଇତିହାସର ଆଇନାରେ କଟକ ଦଶହରା

ହଜାର ବର୍ଷର ଐତିହାସିକ ସହର କଟକର ପାର୍ବଣର ପରମ୍ପରା ନିଆରା । କଟକରେ ଶାରଦୀୟ ଦଶହରା ପୂଜାର ସ୍ଵତନ୍ତ୍ର ମାଦକତା ଓ ମହକ ରହିଛି । ଶତାଧିକ ବର୍ଷ ହେବ ଏଠାରେ ପାର୍ବଣ ପାରମ୍ପରିକ ରୀତିରେ ପାଳିତ ହୋଇ ଆସୁଛି ।ଏକଦା ଏହି ପାର୍ବଣର ମୁଖ୍ୟ ଆକର୍ଷଣ ଥିଲା ଜରି ଓ ଚାନ୍ଦି ମେଢ । ଏବେ ବିଭିନ୍ନ ପୂଜା କମିଟି ପକ୍ଷରୁ ଯୁଗର ଚାହିଦା କୁ ଦୃଷ୍ଟିରେ ରଖି ସୁନା ମେଢ ନିର୍ମାଣ ପାଇଁ ଏକ ପ୍ରକାର ପ୍ରତିଯୋଗୀତା ଦେଖା ଦେଇଛି  ।

କଟକ ଦୁର୍ଗାପୂଜା କେବେ ଆରମ୍ଭ ହେଲା ତାହାର ସେମିତି କିଛି ନିର୍ଦ୍ଧିଷ୍ଟ ପ୍ରମାଣ ନଥିଲେ ମଧ୍ୟ ଏହା ଷୋଡଶ ଶତାବ୍ଦୀରେ ଆରମ୍ଭ ହୋଇଥିବାର ବୁଦ୍ଧିଜୀବୀ ମାନେ ମତ ଦିଅନ୍ତି ।ଗବେଷକ ମାନଙ୍କ ମତରେ ଏହି ଶାରଦୀୟ ଉତ୍ସବର ପରମ୍ପରା ଶ୍ରୀ ଚୈତନ୍ୟ ଦେବଙ୍କ ଓଡିଶା ଆଗମନ ସମୟରୁ ହିଁ ଆରମ୍ଭ ହୋଇଥିଲା ।ଶ୍ରୀ ଚୈତନ୍ୟ ଦେବ କେତେକ ବୈଷ୍ଣବ ସଂପ୍ରଦାୟର ବଙ୍ଗୀୟ ପରିବାର ସହ ୧୫୧୦ ଖ୍ରୀଷ୍ଟାବ୍ଦ ରେ ପୁରୀ ଆସିଥିଲେ ଠିକ ଏହା ପରେ ପରେ କଟକ ଆସି ବାଲୁବବଜାରସ୍ଥିତ ବିନୋଦ ବିହାରୀ ମନ୍ଦିରରେ ଅବସ୍ଥାନ କରୁଥିଲେ ଏହି ସମୟରେ ହିଁ  ତାଙ୍କ ଦ୍ଵାରା ମାଁ’ଙ୍କ ଘଟ ପୂଜା ଆରମ୍ଭ ହୋଇଥିଲା ।ସେ ପ୍ରଥମେ ପିତୁଳା ଦୁର୍ଗା ମୂର୍ତ୍ତି ସ୍ଥାପନ କରି ପୂଜା କରିଥିଲେ ।ଏହି ଘଟଣା କର୍ମରୁ କଟକ ଦୁର୍ଗାପୂଜାର ଶୃଷ୍ଠୀ ବୋଲି ବିଶ୍ବାସ|

ବିନୋଦବିହାରୀକୁ ପୂଜା ମଣ୍ଡପ କଟକର ସର୍ବପୁରାତନ  ଦେବୀ ମଣ୍ଡପ ରୂପେ ଏବଂ ଏଠାକାର ଦୂର୍ଗାଙ୍କୁ ବଡ ଭଉଣୀ ରୂପେ ବିବେଚନା କରାଯାଏ ।ଏହିଠାରୁ ଆରମ୍ଭ ହୋଇଥିବା ମା ଙ୍କର ପୂଜା ଅର୍ଚନା ଦୀର୍ଘ ପାଞ୍ଚ ଶହ ବର୍ଷ ହେବ କଟକରେ ବିଭିନ ସ୍ଥାନରେ ବିଧିବଦ୍ଧ ଭାବେ ପାଳିତ ହୋଇ ଆସୁଛି |

ଏବେ ଆସନ୍ତୁ ଦ୍ରୁଷ୍ଟି ପକାଇବା ବର୍ତ୍ତମାନ କଟକ ସହରର କିଛି ପ୍ରମୁଖ ମେଢର ଇତିହାସ ସମ୍ପର୍କରେ |

ଚୌଧୁରି ବଜାର ପୂଜା କମିଟି

ଏଠାରେ ଶହେ ବର୍ଷ ରୁ ଅଧିକ ସମୟ ହେବ ଚାଲିଛି ଦୁର୍ଗାପୂଜା ।୧୯୫୬ ମସିହାରେ ଦୁର୍ଗାପୂଜା ଅବସରରେ ଓଡିଶା ର ପ୍ରଥମ ଚାନ୍ଦି ମେଢ ଏଠାରେ ଶୋଭା ପାଇଥିଲା ।ସବୁବେଳେ ନୂଆ ନୂଆ ଚିନ୍ତା କରୁଥିବା ଏହି ପୂଜା କମିଟି ୧୯୯୯ରେ ପ୍ରଥମକରି ମା ଙ୍କ ପାଇଁ ସୁନା ମୁକୁଟ ତିଆରି କରିଥିଲେ ।ଓଡିଶାର ପ୍ରଥମ ଚାନ୍ଦି ମେଢ ଓ ମେଢରେ ପ୍ରଥମ ସୁନା କାମ ଭାବେ ସାରା ରାଜ୍ୟରେ ଏହାର ସୁନାମ ରହିଛି ।

କଟକ ଚଣ୍ଡୀ ରୋଡ – ଶେଖ ବଜାର ପୂଜା କମିଟି

ପ୍ରଥମେ ୧୮୭୫ରେ ଏହି ଅଞ୍ଚଳର କିଛି ଯୁବକଙ୍କ ଦ୍ଵାରା ହର ପାର୍ବତୀ ଙ୍କ ମୂର୍ତ୍ତି ପୂଜା ଆରମ୍ଭ ହୋଇଥିଲା ।୧୯୦୨ ମସିହାରୁ ବଙ୍ଗୀୟ ମତରେ ପୂଜକ ତିନିକଡି ଚକ୍ରବର୍ତ୍ତୀଙ୍କ ଦ୍ଵାରା ଦୁର୍ଗାପୂଜା ଆରମ୍ଭ ହୋଇଥିଲା ।ମଣ୍ଡପରେ ପ୍ରଥମେ ଜରି ମେଢ ଶୋଭା ପାଉଥିଲା ।୧୯୯୧ରେ  ତରକସି କାରିଗର ସ୍ଵର୍ଗତ ରାମଚନ୍ଦ୍ର ସାହୁଙ୍କ ଦ୍ଵାରା ସହରର ଦ୍ଵିତୀୟ ଚାନ୍ଦିମେଢ ପ୍ରସ୍ତୁତ ହୋଇଥିଲା । ପ୍ରତିବର୍ଷ ଦଶମୀରେ   ଦହି ପଖାଳ ଓ ଶାଗ ଭୋଗ ହଜାର ହଜାର ଭକ୍ତଙ୍କ ମଧ୍ୟର ବଣ୍ଟନ କରାଯାଇଥାଏ । ମା କଟକ ଚଣ୍ଡୀଙ୍କ ମୁଖ୍ୟ ପୂଜକ ପବିତ୍ର ମହାଷ୍ଟମୀ ଦିନ ୧୦୮ ସନ୍ଧ୍ୟା ଆଳତି କରିବାର ବିଧି ରହିଛି । ଏଠାକାର ଅନ୍ୟ ଏକ ବିଶେଷତ୍ଵ ହେଲା  ମନଲୋଭା ଆଲୋକ ସଜ୍ୟା,  ସଞ୍ଜ ହେଲା ମାତ୍ରେ ମେଢ ଓ ଆଲୋକ ସଜ୍ୟା ଦେଖିବାକୁ ଖୁବ ଗହଳି ଲାଗିଥାଏ ।

ମଙ୍ଗଳାବାଗ ପୂଜା କମିଟି

୧୮୮୫ରେ ଲୋକନାଥ ତିହାଡି ନାମକ ଜଣେ ବ୍ୟକ୍ତି  ମଙ୍ଗଳବାଗରେ ହରପାର୍ବତୀଙ୍କ ପ୍ରତି ମୂର୍ତ୍ତି ନିର୍ମାଣ କରି ପୂଜା ଆରମ୍ଭ କରିଥିଲେ ।୧୯୪୮ ମସିହା ଅକ୍ଟୋବର ୧୪ ତାରିଖରେ ଦଶହରା ଅବସରରେ ହରପାର୍ବତୀଙ୍କ ପରିବର୍ତ୍ତେ ମ ଜଗତଜନନୀ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପୂଜା ଆରମ୍ଭ ହେଲା ।ଏଠାକାର ଜରିମେଢ ବେଶ ସ୍ଵତନ୍ତ୍ର ଓ ଆକର୍ଷଣୀୟ ।୨୦୧୧ରେ ଏଠାରେ ମା ଦୂର୍ଗାଙ୍କ ସମେତ ପାର୍ଶ୍ଵ ଦେବାଦେବୀଙ୍କ ପାଇଁ ସୁନାର ମୁକୁଟ ନିର୍ମାଣ ହୋଇ ପୂଜାରେ  ଶୋଭା ପାଉଛି |

ଚାଉଳିଆଗଞ୍ଜ ପୂଜା କମିଟି

ଏଠାକାର ଦୁର୍ଗାପୂଜା ମେଢ କଟକ ସହରର ଅନ୍ୟତମ ସର୍ବ ପୁରାତନ ମେଢ ।୧୯୨୫ ମସିହାରେ ଏଠାରେ ଏକ ଚାଳଘରେ ଆରମ୍ଭ ହୋଇଥିଲା ହର ପରବତୀଙ୍କ ପୂଜା ।ଦୀର୍ଘବର୍ଷ ପରେ ୧୯୬୨ରେ ହରପାର୍ବତୀଙ୍କ ପରିବର୍ତ୍ତେ ମା ଦୂର୍ଗାଙ୍କ ପୂଜା ଆରମ୍ଭ ହେଲା ।୨୦୦୮ ମସିହା ଠାରୁ ଏଠାରେ ଦେବୀଙ୍କୁ ସୁନା ମୁକୁଟ ଲାଗି କରାଯାଇଥାଏ ।ଏଠାରେ ଦୁର୍ଗାପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାଜ ସଜ୍ଜ୍ୟା ପ୍ରତି ବିଶେଷ ଗୁରୁତ୍ଵ ଦିଆଯାଇଥାଏ ।

ବାଲୁ ବଜାର ପୂଜା କମିଟି

ବାଲୁବଜାର ସ୍ଥିତ ପୂଜା ମଣ୍ଡପ କଟକ ତଥା ସମଗ୍ର ଓଡିଶାର ସର୍ବ ପୁରାତନ ପୂଜା ମଣ୍ଡପ ଅଟେ ।ଏହିଠାରୁ ହିଁ  ଓଡିଶାରେ ଦୁର୍ଗା ପୂଜା ଆରମ୍ଭ ହୋଇଥିବାର ବିଶ୍ଵାସ ରହିଛି । ଏହି ପୂଜା ମଣ୍ଡପର ସ୍ଵତନ୍ତ୍ର ବୈଶିଷ୍ଟ୍ୟ ରହିଛି । ଏଠାକାର ପୂଜା ମଣ୍ଡପରେ ମା’ଙ୍କ ମୂର୍ତ୍ତିରେ ପ୍ରକୃତିକ ରଙ୍ଗ ତଥା ଖଣ୍ଡ ହଳଦୀ, କେନ୍ଦୁ, ତେନ୍ତୁଳି ଇତ୍ୟାଦି ଦିଆଯାଇ ଗଠନ କରାଯାଏ ।ସମ୍ପୂର୍ଣ ନିଷ୍ଠା ଓ ଶ୍ରଦ୍ଧା ସହ ଏଠାରେ ମାଙ୍କ ଆରାଧନା କରଯାଇଥାଏ ।

ଅଲିସା ବଜାର ପୂଜା କମିଟି

ଆଲିସା ବଜାରସ୍ଥିତ ପୂଜା ମଣ୍ଡପ କଟକ ସହରର ଏକ ପ୍ରମୁଖ ପୂଜା ମଣ୍ଡପ ।ଏହାର ଚିତାକର୍ଷକ ମୃଣ୍ମୟୀ ମୂର୍ତ୍ତି ଓ ସୁସଜ୍ଜିତ ଆଲୋକ ସଜ୍ଜ୍ୟା ଦର୍ଶକ ମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିଥାଏ ।ଏହା ସହରର ଅନ୍ୟତମ ପୁରାତନ ପୂଜା ମଣ୍ଡପ ।ମା ଙ୍କ ମେଢରେ ଆଲୋକ ଶଯ୍ୟା ଏହି ଠାରୁ ହିଁ ଆରମ୍ଭ ହୋଇଥିଲା ।ଖୁବ ଚିତାକର୍ଷକ ହୋଇଥାଏ ମା ଙ୍କ ମେଢ ଓ ଆଖ ପାଖ ର ଆଲୋକ ଶଯ୍ୟା ଏହି ସାହିରେ ।

କଟକ ସହରର ଦଶହରା ଦେଶର ପର୍ବପର୍ବାଣି ମାନଚିତ୍ରରେ ସୃଷ୍ଟି କରିଛି ଏକ ସ୍ଵତନ୍ତ୍ର ମର୍ଯ୍ୟାଦା ।କଲିକତା ଓ ମହିଶୂର ପରି କଟକ ଦଶହରାର ସ୍ଥାନ ସ୍ଵତନ୍ତ୍ର ।ଏଠାକାର ଦଶହରା ଭାଇଚାରା , ସ୍ଵାଭିମାନ ଓ ପରମ୍ପରାର ଭିତ୍ତିଭୂମି ଉପରେ ପର୍ଜ୍ୟବେସିତ । ଏହି ପର୍ବକୁ ଜାତି , ଧର୍ମ , ବର୍ଣ୍ଣ  ନିର୍ବିଶେଷରେ ଆବାଳବୃଦ୍ଧବନିତା ଏକ ସାର୍ବଜନୀନ ଗଣ ଉତ୍ସବ ଭାବରେ ପାଳନ କରନ୍ତି ।

କଟକ ଦଶହରା ର ଅନ୍ୟତମ ପ୍ରମୁଖ ଆକର୍ଷଣ  ମେଢ ଗୁଡିକରେ ହୋଇଥିବା ନିଖୁଣ ତାରକାଶୀ କାମ ।ଏହା ଛଡା ସୁସଜିତ ତୋରଣ, ଆକର୍ଷଣୀୟ ଆଲୋକ ଶଯ୍ୟା ଓ ପାରମ୍ପରିକ ରୀତି ନୀତି ରେ ମା ଙ୍କ ଆରାଧନା, କଟକର ଦଶହରା କୁ ନିଆରା କରିଥାଏ ।ପିଲା ରୁ ବୁଢା ସଭିଏଁ ସଞ୍ଜ ହେଲା ମାତ୍ରେ ବାହାରି ପଡନ୍ତି ଏହାକୁ ମନ ଭରି ଉପଭୋଗ କରିବାକୁ।ଆଧୁନିକତାର ସ୍ପର୍ଶ କଟକର ଦଶହରା ରେ ବହୁ କିଛି ପରିବର୍ତ୍ତନ  ଆଣି ଥିଲେ ମଧ୍ୟ ଆଜି ମଧ୍ୟ ଏହାର ଅନନ୍ୟ ପରମ୍ପରା ଓ ଆକର୍ଷଣ ଆଜି ମଧ୍ୟ ଅକ୍ଷୁର୍ଣ ରହିଛି ।

ଆଧାର -

  1. ଦଶହରା
  2. କଟକ ଦଶହରା

Last Modified : 5/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate