ଦୀପାବଳୀ ଏକ ଭାରତୀୟ ପର୍ବ । ଏହା ଆଲୁଅର ପର୍ବ ଭାବରେ ପାଳନ କରାଯାଇଥାଏ । ଏହି ପର୍ବ ନାନାଦି କାରଣ ହେତୁ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ ।ହିନ୍ଦୁମାନଙ୍କ ପାଇଁ ଦୀପାବଳୀ ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ ।
ଜୈନ ଅନୁଗାମୀମାନଙ୍କ ପାଇଁ ଏହା ୫୨୭ରେ ମହାବୀରଙ୍କର ମୋକ୍ଷ ବା ନିର୍ବାଣ ପ୍ରାପ୍ତିର ଦିନ ଭାବରେ ପାଳନ କରାଯାଇଥାଏ ।
ଏକଦଶଦର୍ଶି ମୋଗଲ ସମ୍ରାଟ ଔରଙ୍ଗଦେବଙ୍କ ଦ୍ଵାରା ଶିଖଧର୍ମର ଷଷ୍ଠଗୁରୁ ହରଗୋବିନ୍ଦ ସିଂହ ବନ୍ଦୀହୋଇ କାରାକୋଠରୀରେ ଆବଦ୍ଧ ହୋଇଥିଲେ । ଅଗଣିତ ଶିଖ ଧର୍ମାବଲମ୍ବୀଙ୍କ ଦୃଢବିରୋଧ ଯୋଗୁଁ ପରିଶେଷରେ ତାଙ୍କୁ କାରାମୁକ୍ତ କରାଗଲା । ତାଙ୍କୁ ସ୍ଵାଗତକରିବା ପାଇଁ ସେତେବେଳେ ସ୍ଵର୍ଣ୍ଣମନ୍ଦିରକୁ ଦୀପରେ ସଜାଯାଇଥିଲା । ସେ ଏହି ଦୀପାବଳୀଦିନ କାରାମୁକ୍ତ ହୋଇ ଥିବାରୁ, ଏହିଦିନଟିକୁ ଅନ୍ଧାରରୁ ଆଲୋକସନ୍ଧାନ ପ୍ରାପ୍ତିର ଦିବସ ରୂପେ ଶିଖ ସମ୍ପ୍ରଦାୟ ପାଳିଆସୁଛନ୍ତି । ପାରମ୍ପରିକ ଭାବେ ଏହିଦିନରେ ଶିଖମାନେ ଗୋଇନ୍ଦୱ।ଲ୍ ସାହିବ ଗୁରୁଦ୍ଵାରକୁ ତୀର୍ଥକରି ଯାଆନ୍ତି ।
କାର୍ତ୍ତିକ ଅମାଵାସ୍ୟା ରେ ଦୀପାବଳୀ ଉତ୍ସବ ପାଳନ କରାଯାଏ । ଏହି ପର୍ବ ପ୍ରାୟ ସମସ୍ତ୍ରେ ପାଳନ କରନ୍ତି । ଘରେ ଘରେ ସେଦିନ ଦୀପ ଜଳେ, ବାଣ ଫୁଟାଯାଏ । ଶ୍ରାଦ୍ଧ କରାଯାଏ । ପିଠାପଣା ହୁଏ । ଦୀପାବଳୀ ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ । ଏହି ଦୀପାବଳୀ ଅମାବାସ୍ୟାକୁ ଲୋକାକ୍ତି ରେ ପୟାଅମାବାସ୍ୟା କହନ୍ତି ।
ସତ୍ୟଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଲେ । ଅଯୋଧ୍ୟାର ସମସ୍ତନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ । ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହିଦିନ ଟିକୁ ବହୁ ଯାକଜମକରେ ପାଳନ କରନ୍ତି ।
ଶ୍ରୀକୃଷ୍ଣ ଓ ନରକାସୁର
ଶ୍ରୀକୃଷ୍ଣ ଅତ୍ୟାଚାରୀ ନରକାସୁରକୁ କୃଷ୍ଣ ଚତୁର୍ଦଶୀ ଦିନ ବଧ କରିଥିଲେ ତେଣୁ ଖୁସିରେ ଆଲୋକର ଉତ୍ସବ ପାଳିତ ହେଇଥିଲା । ଏହି ଦିନ କୁ ନରକ ଚତୁର୍ଦ୍ଦଶୀ କୁହଯାଏ । ଏ ଦିନ ସୂର୍ୟୋଦୟ କାଳ ରେ ସମସ୍ତ ଶରୀର ରେ ସୁଗନ୍ଧ ତୈଳ ଲଗାଇ ଗାଧୋଈବାର ପ୍ରଥା ଅଛି ।
ଦ୍ଵାପରଯୁଗରେ ଶ୍ରୀକୃଷ୍ଣ ରାକ୍ଷସ ନରକାସୁରକୁ ମାରି ଚଉଷଠିସହସ୍ର ରାଜକନ୍ୟାଙ୍କୁ ଉଦ୍ଧାରକଲା ପରେ ଇନ୍ଦ୍ରମାତାଙ୍କୁ ନରକା ଦ୍ଵାରା ଅପହୃତ ମଣିକୁଣ୍ଡଳକୁ ଫେରାଇବାକୁ ସତ୍ୟଭାମାଙ୍କୁ ନେଇ ସ୍ଵର୍ଗକୁ ଯାଇଥିଲେ । ସତ୍ୟଭାମାଙ୍କ ଅନୁରୋଧରେ ପାରିଜାତ ବୃକ୍ଷର ଚାରାଟିଏ ଆଣିବାକୁ ଗଲାବେଳେ ଇନ୍ଦ୍ରଙ୍କ ସହିତ ସମସ୍ତଦେବତା ବାଧାଦେବାରୁ ଏକାକି ସବୁଦେବତାଙ୍କୁ ପରାସ୍ତ କରି ପାରିଜାତ ବୃକ୍ଷ ସହ ଅନେକ ଧନରତ୍ନ ନେଇ ଏହିଦିବସରେ ଦ୍ଵାରକା ଫେରିଥିଲେ । ତେଣୁ ଦ୍ଵାରକାବାସୀ ପ୍ରଭୁଙ୍କୁ ସ୍ଵାଗତ ଜଣାଇ ସମଗ୍ରନଗରୀକୁ ଦୀପମାଳାରେ ସଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ ।
ଋକ ବେଦ
ଋକ୍ ବେଦରୁ ସୂଚନା ମିଳେ ଯେ, ପୃଥିବୀ ଏକଦା ଘୋର ଅନ୍ଧକାର ଭିତରେ ବୁଡି ରହିଥିଲା । କାଳ କ୍ରମେ ସୂର୍ଯ୍ୟଙ୍କ କିରଣ ପାଇ ପୃଥିବୀ ଦିନେ ଆଲୋକିତ ହେଲା । ଏହାକୁ ମନେ ରଖିବା ପାଇଁ ଦୀପାବଳୀ ଉତ୍ସବ ପାଳନ କରାଯାଏ ।
ମୋଗଲ ଯୁଗର ପ୍ରସିଦ୍ଧଐତିହାସିକ ଆବୁଲ ଫଜୀଲ ତାଙ୍କର ଆଇନ ଆକବରୀରେ ମୋଗଲ ଶାସନକାଳୀନ ବଣିକ, ଆଲୋକ ଜ୍ଜଳନ୍ତ ଓ ଅକ୍ଷକ୍ରୀଡା ନାମକ ଦୀପାବଳୀ ଆଧାରିତ ମନୋଜ୍ଞ ଉପକଥାର ଉଲ୍ଲେଖ କରିଛନ୍ତି । ଆଲବରୁଣୀରେ ମୋଗଲ ସମ୍ରାଟଙ୍କ ଲମ୍ବା ବାଉଁଶ ପୋତି ତା'ର ଅଗରେ ଶିକାରେ ଆକାଶପ୍ରଦୀପ ଜାଳିବାକଥା ବରୋଦା ସଂଗ୍ରହାଳୟରେ ରଖାଯାଇଥିବା ପ୍ରାଚୀନ ଆକାଶପ୍ରଦୀପ ଅତୀତରେ ଦୀପାବଳୀ ପାଳନ କରାଯାଉଥିବାର ପ୍ରମାଣ ଦିଏ।
ଚାଣକ୍ୟ ଓ ଚୋଳବଂଶକାଳୀନ ଉତ୍ସବ ପରମ୍ପରାରେ ଦୀପାବଳୀପାଳନ ହେଉଥିବାର କନୌଜବଂଶୀୟ ରାଜା ହର୍ଷବର୍ଦ୍ଧନଙ୍କ କାଳଜୟୀ ଅମରକୃତି ନାଟକ ନାଗାନନ୍ଦରୁ ଜଣାପଡେ ।
ଗୁପ୍ତବଂଶୀୟ ସମ୍ରାଟ ଦ୍ଵିତୀୟଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ, ପବିତ୍ର ଦୀପାବଳୀ ତିଥିରେ ସିଂହାସନ ଆରୋହଣ କରିଥିବାରୁ ତା'ର ସ୍ମାରକୀ ରୂପେ ଦୀପାବଳୀ ଦିନଠାରୁ ଗୁପ୍ତାଦ୍ଧର ପ୍ରଚଳନ ହୋଇଥିଲା ।
ଏହି ଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦେଇସାରି କାଉଁରିଆ କାଠି ଜାଳନ୍ତି । କାଉଁରିଆ କାଠି ଜାଳିବାବେଳେ ଉଚ୍ଚାରଣ କରନ୍ତି।
ବଡ଼ ବଡୁଆ ହୋ
ଅନ୍ଧାରରେ ଆସ ଆଲୁଅରେ ଯାଅ,
ପୁରୁଷୋତ୍ତମରେ ମହାପ୍ରସାଦ ଖାଇ
ବାଇଶି ପାବଛରେ
ବଡ଼ଗଡାଉ ଥାଅ ।
ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ଵର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି । ଅସଂଖ୍ୟ ଭକ୍ତ ସେଦିନ ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ବି ଜାଳନ୍ତି । ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି ।
ପିତୃ ଲୋକଂ ପରିତାଜ୍ୟ
ଆଗତା ଯେ ମହାଳୟେ
ଇଜ୍ଜ୍ଵଳେ ଜ୍ୟୋତିଷାଂ ମାର୍ଗେ
ପ୍ରପଦ୍ୟନ୍ତୋ ବ୍ରଜନ୍ତୁତେ ।
କାର୍ତ୍ତିକ ପୂର୍ଣ୍ଣିମାରେ ଜଗନ୍ନାଥଙ୍କୁ ଦୀପଦାନ କରାଯାଇ ବନ୍ଦାପନା କରାଯାଏ । ଯେଉଁ ଭକ୍ତ ଦୀପଦାନ, ବନ୍ଦାପନା ଦର୍ଶନ କରନ୍ତି , ସେ ଅନ୍ତ କାଳରେ ବିଷ୍ଣୁ ଲୋକକୁ ଗମନ କରନ୍ତି ବୋଲି ବିଶ୍ଵାସ ରହିଛି ।
ଦୀପାବଳୀ ଭାରତ, ନେପାଳ, ଶ୍ରୀଲଙ୍କା, ମିଆଁମାର, ମରିସସ, ଗୁଏନା, ତ୍ରିନିଦାଦ ଓ ଟବାଗୋ, ସୁରିନେମ, ମାଲେସିଆ, ସିଙ୍ଗାପୁର, ଓ ଫିଜିରେ ଏକ ସରକାରୀ ଛୁଟିଦିନ ଭାବରେ ଘୋଷିତ ।
ଆଧାର -
Last Modified : 12/21/2019