ନୂଆଁଖାଇ (ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା) ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଁଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ( ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ ।
ଏହା ନୂଆଁଖାଇ ପରବ ନାମରେ ଜଣାଶୁଣା । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଆମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରଥାଏ। ଚାଷୀ ପ୍ରଥମକରି ଆମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କ ଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ଏଥି ନିମନ୍ତେ ଆଗରୁ "ଲଗନ" ବା "ତିଥି" ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଆଦିର ଭୋଗ କରାଯାଇଥାଏ ।
ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା ।
ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ । ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତାକରାଯାଇ ସର୍ବସମ୍ମତ କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ ଋଷି ପଞ୍ଚମ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି ।
କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ । ପୂର୍ବାଞ୍ଚଳରେ ଏହା ଆଶ୍ଵିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଅଛି । କାରଣ ଏହି ନବାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନରେ ବ୍ୟବହୃତ ହୋଇଥାଏ । ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ (ମହାଳୟା) ପରଠାରୁ ଶ୍ରାଦ୍ଧ ଦେବାର ବ୍ୟବସ୍ଥା ଅଛି
ଏହା ସମଗ୍ର ଓଡ଼ିଶାରେ ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ନବାନ୍ନ ଦିନ ଘରେ ଉପସ୍ଥିତ ହେବାକୁ ଚେଷ୍ଟା କରିଥାନ୍ତି, ଯେଉଁମାନେ ନିଜ ଭିଟାମାଟିକୁ ଆସି ନ ପାରନ୍ତି, ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି । ବିଶେଷକରି ସୁରତ, ବିଶାଖାପାଟଣା, ମୁମ୍ବାଇ ଓ ଦିଲ୍ଲୀ ଆଦି ସହରରେ ଏହା ପାଳନ କରାଯାଇଥାଏ ।
ଏହି ଦିନଟିର ଅମୃତବେଳା ବା ଶୁଭବେଳା ଜ୍ୟୋତିଷମାନଙ୍କ ଦ୍ଵାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଭକ୍ଷଣ କରିଥାନ୍ତି । ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ମଣ୍ଡାପିଠା ନିଜ ନିଜ ଘରେ ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ (ମାଉଳୀ), ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ଖାଇଥାନ୍ତି ।
ଖାଇସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୁଏ । ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗୀରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାନ୍ତି ।
ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।
ନୂଆଁଖାଇ ପରଦିନକୁ ନୂଆାଖାଇ ବାସି ବୋଲି କୁହାଯାଏ । ଏହି ଦିନଟିକୁ ମଉଜ ମଜଲିସର ଦିନ ଭାବେ ପାଳନ କରାଯାଏ । ନୂଆଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗଲାଗି କରୁଥିବାରୁ ସେଦିନ ପ୍ରାୟତଃ କେହି ଆଇଁଷ ଖାଆନ୍ତି ନାହିଁ । ସେଥିପାଇଁ ଏହି ଦିନ ଆଇଁଷ ଖାଇଥାନ୍ତି ।
ପଶ୍ଚିମ ଓଡ଼ିଶାର କବି ହଳଧର ନାଗଙ୍କ କବିତାରୁ ନୂଆାଖାଇ ଉପରେ ଏକ ଛୋଟ ପଂକ୍ତି-
ଜିଇଁଛୁ ବେଲକେ ଆସି ଭାଏ ବନ୍ଧୁ, ହେମା ନୂଆଖାଇ ଭେଟ୍ ସଂସାର ଡୋର୍ ଥି ବନ୍ଧା ହୋଇଥିମା ଗାଁ ଯାକର ହେଇ ମେଟ୍
ଆଧାର -
Last Modified : 3/17/2020