ଖାଉଟି ସୁରକ୍ଷା ଆଇନ କ’ଣ ? ଖାଉଟି ମାନଙ୍କର ଅଧିକାର, ସୁରକ୍ଷା, କ୍ଷତିଗ୍ରସ୍ତ, ହେଲେ ତା’ର ପ୍ରତିକାର ଓ କ୍ଷତିପୂରଣ ପାଇଁ “ଖାଉଟି ସୁରକ୍ଷା ଆଇନ ୧୯୮୬” ପ୍ରଚାଳନ କରାଯାଇଛି । ଏହି ଆଇନ କେନ୍ଦ୍ର ସରକାରଙ୍କ ଦ୍ଵାରା ନିଷିଦ୍ଧ ହୋଇନଥିବା ସମସ୍ତ ଦ୍ରବ୍ୟ ଓ ସେବାପାଇଁ ପ୍ରଯୁଜ୍ୟ । ସରକାରୀ ଘରୋଇ ଓ ସମବାୟ ସଂସ୍ଥାର ପ୍ରତି ଏହାର ବ୍ୟବସ୍ଥା ପ୍ରଯୁଜ୍ୟ । ଏହାଦ୍ଵାରା ଖାଉଟିମାନଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ଅଛି । ଏ ଆଇନ ପ୍ରଚଳିତ ସମସ୍ତ ଆଇନ୍ ର ପରିପୂରକ ଅଟେ । ଏହି ଆଇନ୍ ରେ ଖାଉଟିମାନଙ୍କ ଅଧିକାର ସ୍ପଷ୍ଟ କରାଯାଇଛି । ପ୍ରତ୍ୟକ ଖାଉଟିଙ୍କର ନିରାପତ୍ତା ଅଧିକାର, ଜାଣିବାର ଅଧିକାର, କିଣିବାର ଅଧିକାର, ଆପତ୍ତି ଅଭିଯୋଗ କରିବା ଅଧିକାର, ଶିକ୍ଷା ଅଧିକାର, ସୁସ୍ଥ ପରିବେଶ ଅଧିକାର, ପ୍ରତିନିଧିତ୍ଵ ଅଧିକାର ଓ ବାସନ୍ଦ କରିବା ଅଧିକାର ରହିଛି । ଖାଉଟି କିଏ – ଆମେ ସମସ୍ତେ ସେବା ଓ ଦ୍ରବ୍ୟର ଖାଉଟି । ଜଣେ ବ୍ୟକ୍ତି ଯିଏ କୌଣସି ଦ୍ରବ୍ୟ ମୂଲ୍ୟ ଦେଇ କ୍ରୟ କରିବା, କ୍ରୟ ମୂଲ୍ୟ ଦେବାର ପ୍ରତିଶୃତି ଦେବା କିମ୍ବା କ୍ରୟ ମୂଲ୍ୟର ଆଂଶିକ ମୂଲ୍ୟ ଦେବା ପାଇଁ ପ୍ରତିଶୃତି ଦିଏ । ଯିଏ ଦ୍ରବ୍ୟଟିକୁ ବ୍ୟବହାର କରିବା ପାଇଁ ପ୍ରକୃତ କ୍ରେତାଙ୍କ ସ୍ଵୀକୃତି ପ୍ରାପ୍ତ ହୁଅନ୍ତି ଓ ସେମାନେ ସମସ୍ତେ ଖାଉଟି । ଯିଏ ଭଡା ଆକାରରେ ସେବା ଗ୍ରହଣ କରନ୍ତି ଓ ସେଥିପାଇଁ ମୂଲ୍ୟ ଦିଅନ୍ତି କିମ୍ବା ଆଂଶିକ ମୂଲ୍ୟ ଦେଇ ବାକି ଅଂଶ ଦେବପାଇଁ ପ୍ରତିଶୃତି ଦେଇଥାନ୍ତି କିମ୍ବା ମୂଲ୍ୟ ଦେବାପାଇଁ ପ୍ରତିଶୃତିବଦ୍ଧ ହୁଅନ୍ତି । ଯିଏ ଭଡା ନେଇଥିବା ବ୍ୟକ୍ତିଙ୍କ ସ୍ଵୀକୃତିରେ ସେବା ଉପଭୋଗ କରନ୍ତି ସେମାନେ ସମସ୍ତେ ଖାଉଟି । ସେବା ଦେବାପାଇଁ ନିଯୁକ୍ତ କରାଯାଇଥିବା ବ୍ୟକ୍ତିବିଶେଷଙ୍କୁ ତ୍ରୁଟି ବା ଅବହେଳା ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିବା ଉପଭୋକ୍ତା । ଆପତ୍ତି ଅଭିଯୋଗ କିଏ ଦାଏର କରିବେ – ଖାଉଟି ନିଜେ, ସ୍ଵେଚ୍ଛାସେବୀ ଖାଉଟି ସଂଗଠନ, କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର । ଆଇନ୍ ପରିସରଭୁକ୍ତ ହେଉଥିବା କ୍ଷେତ୍ର ବ୍ୟବସାୟୀଙ୍କର ଅସାଧୁ କାରବାରଯୋଗୁଣ କ୍ଷତି ସହିବା । ଖାଉଟି ଦ୍ରବ୍ୟ ନିମ୍ନମାନର ହେବା । ବର୍ଣ୍ଣିତ ସେବାରେ ଅବକ୍ଷୟ ହେବା । ପଦାର୍ଥର ପ୍ରକୃତ ଉଲ୍ଲିଖିତ ମୂଲ୍ୟଠାରୁ ଅଧିକ ନେବା । ଔଷଧ କିମ୍ବା ଖାଦ୍ୟ ପଦାର୍ଥ ବିକ୍ରୀ ହେବା ସମୟସୀମା ଅତିକ୍ରମ ହେବାପରେ ବିକ୍ରୀ ହେଉଥିଲେ ଯାହା ଜୀବନ ପ୍ରତି ନିରାପଦ ନୁହେଁ, ସେ କ୍ଷେତ୍ରରେ ସମସ୍ତ ଔଷଧ କିମ୍ବା ଖାଦ୍ୟପଦାର୍ଥ । ଗୃହଯୋଗାଣରେ ଅବହେଳା, ନିର୍ମାଣରେ ତ୍ରୁଟି, ଠକେଇ ଓ ରକ୍ଷଣାବେକ୍ଷଣ ସମସ୍ୟା । ଯେ କୌଣସି ସେବା କ୍ଷେତ୍ରରେ ତ୍ରୁଟି,ବିଚ୍ୟୁତି । ଖାଉଟିଙ୍କୁ ଦିଆଯାଇଥିବା ସୁରକ୍ଷା ବିକ୍ରୀତ ପଦାର୍ଥର ତ୍ରୁଟି ସୁଧାରିବା । ମୂଲ୍ୟ ଫେରସ୍ତ ଦେବା । ପଦାର୍ଥ ବଦଳାଇ ଦେବା । କ୍ଷତି ପାଇଁ କ୍ଷତିପୂରଣ ଦେବା । ଅଭିଯୋଗ ଦାଖଲ ପଦ୍ଧତି ଏଥିପାଇଁ କୌଣସି କୋର୍ଟ ଫିସ୍ ଓ ଅନ୍ୟାନ୍ୟ ଖର୍ଚ୍ଚ ଲାଗେ ନାହିଁ । ଅଭିଯୋଗକାରୀ ନିଜେ, ସ୍ଵେଚ୍ଛାସେବୀ ଖାଉଆତି ସଂଗଠନ ମାଧ୍ୟମରେ କିମ୍ବା ଡାକଯୋଗେ ପତ୍ର ଦାଖଲ କରିପାରିବେ । କାରଣ ଉଦ୍ଭବ ହେବାର ୨ ବର୍ଷ ମଧ୍ୟରେ ଅଭିଯୋଗ ଦାଖଲ କରାଯାଇପାରିବ । ଦ୍ରବ୍ୟ ବା ସେବାର କ୍ଷତି ୫ ଲକ୍ଷ ଟଙ୍କା ମଧ୍ୟରେ ହେଲେ ଜିଲ୍ଲା ଫୋରମ, ୫ ଲକ୍ଷରୁ ୨୦ ଲକ୍ଷ ମଧ୍ୟରେ ହେଲେ ରାଜ୍ୟ କମିଶନ ଏବଂ ୨୦ ଲକ୍ଷ ଟଙ୍କାରୁ ଅଧିକ ହେଲେ ଜାତୀୟ କମିଶନଙ୍କ ଠାରେ ଅଭିଯୋଗ ପତ୍ର ଦାଖଲ କାରାଯିବ । ଏଥିପାଇଁ କୌଣସି ସାକ୍ଷ୍ୟ ଦେବାକୁ ପଡେ ନାହିଁ । ଖାଉଟିର ଅଧିକାର ଧନ ଓ ଜୀବନ ପ୍ରତି ବିପଦ ହେଉଥିବା ଦ୍ରବ୍ୟ କାରବାରଠାରୁ ରକ୍ଷା ପାଇବା । ଅସାଧୁ ବ୍ୟବସାୟ କବଳରୁ ରକ୍ଷା ପାଇବା ପାଇଁ ଦ୍ରବ୍ୟର ଗୁଣ, ସାମର୍ଥ୍ୟ ବିଶୁଦ୍ଧତା, ମାନ ଓ ମୂଲ୍ୟ ସମ୍ବନ୍ଧରେ ଜାଣିବା । ପ୍ରତିଯୋଗିତା ମୂଳକ ମୂଲ୍ୟର ବିଭିନ୍ନ ଜିନିଷ ପ୍ରତି ଭରସା । ଅସାଧୁ ବ୍ୟବସାୟୀଙ୍କ ଶୋଷଣ ବିରୁଦ୍ଧରେ ପ୍ରତିକାର ଚାହିଁବା । ଯଥା ସମ୍ଭବ ଖାଉଟି ସୁରକ୍ଷା ବିଚାର ମଞ୍ଚରେ ସ୍ଵାର୍ଥରକ୍ଷା ପାଇଁ ନ୍ୟାୟ ପାଇବା । ଅଭିଯୋଗ ପତ୍ର ଲେଖିବାର ପ୍ରଣାଳୀ ଅଭିଯୋଗକାରୀଙ୍କ ନାମ ଓ ଠିକଣା । ଯେଉଁ ବ୍ୟକ୍ତି / ସଂସ୍ଥା ବିରୁଦ୍ଧରେ ଅଭିଯୋଗ କରୁଛନ୍ତି ତାଙ୍କର ନାମ ଓ ଠିକଣା । ଅଭିଯୋଗର ବିଶଦ ବିବରଣୀ ଓ ଆଗରୁ ଅପରପକ୍ଷକୁ ଆଦାନ ପ୍ରଦାନ କରିଥିବା ଚିଠିପତ୍ରର ବିଶଦ ବିବରଣୀ ଓ ରସିଦ୍ ଆଣିଥିଲେ ତାହାର ବିବରଣୀ । କ୍ଷତିର ପରିମାଣ ଓ କାହାର ଅବହେଳା ଯୋଗୁଁ ଓ କିପରି ହୋଇଛି, ସେଥିପାଇଁ କାହାକୁ ଦାୟୀ କରୁଛନ୍ତି । କ’ଣ ପ୍ରତିକାର ଓ କେତେ ପରିମାଣର କ୍ଷତିପୂରଣ ଚାହୁଁଛନ୍ତି ଓ କାହାଠାରୁ ଆଦାୟ ହେବେ ସେ ବିଷୟରେ ବିବରଣୀ । ଅଭିଯୋଗ ପ୍ରମାଣ ପାଇଁ ଯାହା କାଗଜପତ୍ର ଓ ସାକ୍ଷ୍ୟ ପ୍ରମାଣ ଅଛି ତା’ର ନକଲ ଓ ଆବଶ୍ୟକସ୍ଥଳେ ସତ୍ୟପାଠ । ଆଧାର - ଏମ୍.ଏମ୍. ପବ୍ଲିକେସନ