ଖାଉଟି ମାନଙ୍କର ଅଧିକାର, ସୁରକ୍ଷା, କ୍ଷତିଗ୍ରସ୍ତ, ହେଲେ ତା’ର ପ୍ରତିକାର ଓ କ୍ଷତିପୂରଣ ପାଇଁ “ଖାଉଟି ସୁରକ୍ଷା ଆଇନ ୧୯୮୬” ପ୍ରଚାଳନ କରାଯାଇଛି । ଏହି ଆଇନ କେନ୍ଦ୍ର ସରକାରଙ୍କ ଦ୍ଵାରା ନିଷିଦ୍ଧ ହୋଇନଥିବା ସମସ୍ତ ଦ୍ରବ୍ୟ ଓ ସେବାପାଇଁ ପ୍ରଯୁଜ୍ୟ । ସରକାରୀ ଘରୋଇ ଓ ସମବାୟ ସଂସ୍ଥାର ପ୍ରତି ଏହାର ବ୍ୟବସ୍ଥା ପ୍ରଯୁଜ୍ୟ । ଏହାଦ୍ଵାରା ଖାଉଟିମାନଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ଅଛି । ଏ ଆଇନ ପ୍ରଚଳିତ ସମସ୍ତ ଆଇନ୍ ର ପରିପୂରକ ଅଟେ ।
ଏହି ଆଇନ୍ ରେ ଖାଉଟିମାନଙ୍କ ଅଧିକାର ସ୍ପଷ୍ଟ କରାଯାଇଛି । ପ୍ରତ୍ୟକ ଖାଉଟିଙ୍କର ନିରାପତ୍ତା ଅଧିକାର, ଜାଣିବାର ଅଧିକାର, କିଣିବାର ଅଧିକାର, ଆପତ୍ତି ଅଭିଯୋଗ କରିବା ଅଧିକାର, ଶିକ୍ଷା ଅଧିକାର, ସୁସ୍ଥ ପରିବେଶ ଅଧିକାର, ପ୍ରତିନିଧିତ୍ଵ ଅଧିକାର ଓ ବାସନ୍ଦ କରିବା ଅଧିକାର ରହିଛି ।
ଖାଉଟି କିଏ – ଆମେ ସମସ୍ତେ ସେବା ଓ ଦ୍ରବ୍ୟର ଖାଉଟି । ଜଣେ ବ୍ୟକ୍ତି ଯିଏ କୌଣସି ଦ୍ରବ୍ୟ ମୂଲ୍ୟ ଦେଇ କ୍ରୟ କରିବା, କ୍ରୟ ମୂଲ୍ୟ ଦେବାର ପ୍ରତିଶୃତି ଦେବା କିମ୍ବା କ୍ରୟ ମୂଲ୍ୟର ଆଂଶିକ ମୂଲ୍ୟ ଦେବା ପାଇଁ ପ୍ରତିଶୃତି ଦିଏ । ଯିଏ ଦ୍ରବ୍ୟଟିକୁ ବ୍ୟବହାର କରିବା ପାଇଁ ପ୍ରକୃତ କ୍ରେତାଙ୍କ ସ୍ଵୀକୃତି ପ୍ରାପ୍ତ ହୁଅନ୍ତି ଓ ସେମାନେ ସମସ୍ତେ ଖାଉଟି ।
ଯିଏ ଭଡା ଆକାରରେ ସେବା ଗ୍ରହଣ କରନ୍ତି ଓ ସେଥିପାଇଁ ମୂଲ୍ୟ ଦିଅନ୍ତି କିମ୍ବା ଆଂଶିକ ମୂଲ୍ୟ ଦେଇ ବାକି ଅଂଶ ଦେବପାଇଁ ପ୍ରତିଶୃତି ଦେଇଥାନ୍ତି କିମ୍ବା ମୂଲ୍ୟ ଦେବାପାଇଁ ପ୍ରତିଶୃତିବଦ୍ଧ ହୁଅନ୍ତି । ଯିଏ ଭଡା ନେଇଥିବା ବ୍ୟକ୍ତିଙ୍କ ସ୍ଵୀକୃତିରେ ସେବା ଉପଭୋଗ କରନ୍ତି ସେମାନେ ସମସ୍ତେ ଖାଉଟି ।
ସେବା ଦେବାପାଇଁ ନିଯୁକ୍ତ କରାଯାଇଥିବା ବ୍ୟକ୍ତିବିଶେଷଙ୍କୁ ତ୍ରୁଟି ବା ଅବହେଳା ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିବା ଉପଭୋକ୍ତା ।
ଆପତ୍ତି ଅଭିଯୋଗ କିଏ ଦାଏର କରିବେ – ଖାଉଟି ନିଜେ, ସ୍ଵେଚ୍ଛାସେବୀ ଖାଉଟି ସଂଗଠନ, କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ।
ଏଥିପାଇଁ କୌଣସି କୋର୍ଟ ଫିସ୍ ଓ ଅନ୍ୟାନ୍ୟ ଖର୍ଚ୍ଚ ଲାଗେ ନାହିଁ । ଅଭିଯୋଗକାରୀ ନିଜେ, ସ୍ଵେଚ୍ଛାସେବୀ ଖାଉଆତି ସଂଗଠନ ମାଧ୍ୟମରେ କିମ୍ବା ଡାକଯୋଗେ ପତ୍ର ଦାଖଲ କରିପାରିବେ । କାରଣ ଉଦ୍ଭବ ହେବାର ୨ ବର୍ଷ ମଧ୍ୟରେ ଅଭିଯୋଗ ଦାଖଲ କରାଯାଇପାରିବ । ଦ୍ରବ୍ୟ ବା ସେବାର କ୍ଷତି ୫ ଲକ୍ଷ ଟଙ୍କା ମଧ୍ୟରେ ହେଲେ ଜିଲ୍ଲା ଫୋରମ, ୫ ଲକ୍ଷରୁ ୨୦ ଲକ୍ଷ ମଧ୍ୟରେ ହେଲେ ରାଜ୍ୟ କମିଶନ ଏବଂ ୨୦ ଲକ୍ଷ ଟଙ୍କାରୁ ଅଧିକ ହେଲେ ଜାତୀୟ କମିଶନଙ୍କ ଠାରେ ଅଭିଯୋଗ ପତ୍ର ଦାଖଲ କାରାଯିବ । ଏଥିପାଇଁ କୌଣସି ସାକ୍ଷ୍ୟ ଦେବାକୁ ପଡେ ନାହିଁ ।
ଆଧାର - ଏମ୍.ଏମ୍. ପବ୍ଲିକେସନ
Last Modified : 6/27/2019