অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯୌନ ସମ୍ପର୍କ ସମ୍ବନ୍ଧୀୟ ଜରୁରୀ ଆଇନ୍

ଯୌନ ସମ୍ପର୍କ ସମ୍ବନ୍ଧୀୟ ଜରୁରୀ ଆଇନ୍

ଉପକ୍ରମ

ମଣିଷ ତଥା ଅନ୍ୟାନ୍ୟ ସମସ୍ତ ପ୍ରାଣୀ ଯୌନ  କ୍ରିୟାରେ ଲିପ୍ତ ହେବା ଏକ ପ୍ରାକୃତିକ ପ୍ରବୃତ୍ତି ଅଟେ । ଉକ୍ତ କ୍ରିୟା ପାଇଁ ଅନ୍ୟ ପ୍ରାଣୀମାନଙ୍କର ସ୍ଥାନ, କାଳ ଓ ପାତ୍ରରେ କୌଣସି ପ୍ରତିବନ୍ଧକ ନଥାଏ । ମାତ୍ର ମଣିଷ ମାନଙ୍କ ପାଇଁ ପାରିବାରିକ, ତଥା ଆଇନଗତ ପ୍ରତିବନ୍ଧକ ମାନ ଅଛି । ଆଇନଗତ ପ୍ରତିବନ୍ଧକ ଗୁଡିକ ଭଙ୍ଗ କଲେ ମଣିଷ ଦଣ୍ଡିତ ହୋଇଥାଏ ।

ଯୌନ ସମ୍ପର୍କ ଜାଣିବା ନିମନ୍ତେ  ଜରୁରୀ ଆଇନ୍

  1. ଯେ କୌଣସି ପ୍ରାପ୍ତ ବୟସ୍କ ଅବିବାହିତ ନର ଓ ନାରୀ ଆପୋଷ ବୁଝାମଣା ଓ ରାଜି ଖୁସିରେ ପରସ୍ପର ମଧ୍ୟରେ ଯୌନ – ସମ୍ପର୍କ ସ୍ଥାପନ କଲେ ତାହା ଆଇନ୍ ସିଦ୍ଧ ଅଟେ । ଏଥିପାଇଁ ସେମାନଙ୍କୁ ଆଇନ୍ ଗତ ଦଣ୍ଡ ମିଳିବ ନାହିଁ । ଜାତି, ଧର୍ମ ଓ ସମ୍ପ୍ରଦାୟର ଭେଦଭାବରୁ ହୁଏତ ବେଳେ ବେଳେ ଏଥିପାଇଁ ପାରିବାରିକ ଓ ସାମାଜିକ କନ୍ଦଳ ଉପୁଜିପାରେ, ମାତ୍ର ଆଇନ୍ ଗତ କନ୍ଦଳ ଉପୁଜିବ ନାହିଁ । ଏପରି କ୍ଷେତ୍ରରେ ଗୋଟିଏ ଢଗ ପ୍ରଚଳିତ ଅଛି, ତାହାହେଲା – ‘ମିଆଁ ବିବି ରାଜି, ତୋ କ୍ୟା କରେଗା କାଜି’।
  2. ଏକ ନମ୍ବର ପଏଣ୍ଟ୍ ଅନୁସାରେ ଜଣେ ପୁରୁଷ ଓ ଜଣେ ସ୍ତ୍ରୀ ଯୌନ କ୍ରିୟାରେ ଲିପ୍ତ ରହିଲେ ତାହା ଅପରାଧ ହେବ ନାହିଁ, ମାତ୍ର ଏପରି ଯୌନ କ୍ରିୟା ଯଦି ବେଶ୍ୟାବୃତ୍ତି ପାଇଁ ସ୍ଥାପନ ହୁଏ ତେବେ ତାହା ଆଇନ୍ ସିଦ୍ଧ ନୁହେଁ । ଏଥିପାଇଁ I.T.P.A. Act ରେ ଉଭୟଙ୍କୁ ଦଣ୍ଡ ମିଳିବ । ମନେ ରଖିବାକୁ ହେବ ଯେ, ବିବାହର ପ୍ରତିଶ୍ରୁତି ଦେଇ ମିଳାମିଶା କଲେ କିମ୍ବା ଯୌନକ୍ରିୟା କଲେ ଏବଂ ତଦ୍ଦ୍ଵାରା ପିଲା ଜନ୍ମ ହେଲେ ସୁଦ୍ଧା ଏହା ‘ବିବାହ’ ହେବ ନାହିଁ  । ‘ବିବାହ’ର ସୁବିଧା ନେବାକୁ ହେଲେ ‘ବିବାହ ଆଇନ୍’ ମୁତାବକ ବିବାହ କରିବାକୁ ପଡିବ ।
  3. କୌଣସି ପୁରୁଷ ଜଣେ ଅବିବାହିତ ଝିଅକୁ ଅଥବା ଜଣେ ବିଧବାଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କ ରାଜି ଖୁସିରେ ତାଙ୍କ ସହିତ ଯୌନକ୍ରିୟା ସ୍ଥାପନ କରି  ପରମୁହୁର୍ତ୍ତରେ ଏପରିକି ମହିଳା ଜଣକ ଗର୍ଭବତୀ ହେବା ପରେ ବିବାହ ପାଇଁ ମନା କରିଦେଲେ ତଥାପି ପୁରୁଷ ଜଣଙ୍କର ଯୌନକ୍ରିୟା ଧର୍ଷଣ ଦୋଷରେ ପଡିବ ନାହିଁ । ଏଣୁ ମହିଳାମାନେ ଏଭଳି ମିଥ୍ୟା ପ୍ରତିଶୃତିରେ ଭଳି ନଯାଇ ସତର୍କ ରହିବା ଉଚିତ୍ । ଏଭଳି ଦୁର୍ଘଟଣାରେ ମହିଳାମାନେ କେବଳ ସିଭିଲ୍ ମକଦ୍ଦମା କରି ନିଜର ଦୂରାବସ୍ଥା ପାଇଁ ଡାମେଜ୍ ଦାବି କରିପାରିବେ ଓ ଉପରୋକ୍ତ ଯୌନ ସମ୍ପର୍କରୁ ଜନ୍ମିତ ଶିଶୁମାନଙ୍କ ପାଇଁ ଭରଣ ପୋଷଣ ଦାବି କରିପାରିବେ ।
  4. କୌଣସି ଅବିବାହିତ ପୁରୁଷ ଷୋହଳ ବର୍ଷରୁ କମ୍ ହୋଇଥିବା ଝିଅ ସହିତ, ସେହି ଝିଅର ରାଜି, ପରାମର୍ଶ, ଅଥବା ଅନୁରୋଧ ରକ୍ଷା କରି ବା ଯେ କୌଣସି କାରଣରୁ ହେଉ ଯଦି ଯୌନ ସମ୍ପର୍କ ସ୍ଥାପନ କରନ୍ତି ତେବେ ତାହା ଧର୍ଷଣ ଅଟେ । ଏଥିପାଇଁ ପୁରୁଷକୁ ଧର୍ଷଣ ଜନିତ ଦଣ୍ଡ ମିଳିବ । ଝିଅକୁ କୌଣସି ଦଣ୍ଡ ମିଳିବ ନାହିଁ ।
  5. ଜଣେ ମହିଳାଙ୍କୁ ଏକାଧିକ ଲୋକ ଧର୍ଷଣ କଲେ ତାହା ଗଣ ଧର୍ଷଣ  ନାମରେ ପରିଚିତ । ଆଇନ୍ ରେ ଏଥିପାଇଁ ଶକ୍ତ ଦଣ୍ଡର ବ୍ୟବସ୍ଥା ଅଛି ।
  6. ଜଣେ ବ୍ୟକ୍ତିଙ୍କର ସ୍ତ୍ରୀ କୋର୍ଟରେ ଡିଗ୍ରି ବଳରେ କିମ୍ବା ପ୍ରଚଳିତ ପ୍ରଥା ଅନୁଯାୟୀ ସ୍ଵାମୀଙ୍କ ଠାରୁ ଅଲଗା ରହୁଥିବା ଅବସ୍ଥାରେ ତାଙ୍କ ବିନା ମତରେ ତାଙ୍କ ସହିତ ସ୍ଵାମୀ ଜଣଙ୍କ ଯୌନକ୍ରିୟା ସ୍ଥାପନ କଲେ ସେଥିପାଇଁ ଜେଲ୍ ଓ ଜୋରିମାନା ଦଣ୍ଡରେ ଦଣ୍ଡିତ ହେବେ ।
  7. ଜଣେ ସରକାରୀ କର୍ମଚାରୀଙ୍କ ଆଇନ୍ ଗତ କଷ୍ଟୋଡିରେ ଥିବା ମିହିଳାଙ୍କ ସହିତ ସେହି ସରକାରୀ କର୍ମଚାରୀ ଜଣକ ଯଦି ତାଙ୍କୁ ଫୁସୁଲା ଫୁସୁଲି କରି ଓ ତାଙ୍କ ମତ ନେଇ ଯୌନକ୍ରିୟା କରନ୍ତି ତାହା ମଧ୍ୟ ଅପରାଧ ଓ ସେଥିପାଇଁ ସେ ଜେଲ୍ ଓ ଜୋରିମାନା ଦଣ୍ଡରେ ଦଣ୍ଡିତ ହେବେ ।
  8. ଜେଲ୍ ସୁପରିଟେଣ୍ଡେଣ୍ଟ ଅଥବା ରିମାଣ୍ଡ ହୋମ୍ ରେ ଥିବା ଅଧିକାରୀମାନେ ମହିଳା ଜଣଙ୍କୁ ଫୁସ୍ଲେଇ ଓ ତାଙ୍କ ମତ ନେଇ ଯୌନକ୍ରିୟା ସ୍ଥାପନ କଲେ ମଧ୍ୟ ଜେଲ୍ ଓ ଜୋରିମାନା ଦଣ୍ଡରେ ଦଣ୍ଡିତ ହେବେ  ।
  9. ଡାକ୍ତରଖାନା ଥିବା ମହିଳାମାନଙ୍କୁ ଡାକ୍ତର କିମ୍ବା ଡାକ୍ତରଖାନାର କୌଣସି ଷ୍ଟାଫ୍ ଫୁସୁଲା ଫୁସୁଲି କରି ମହିଳାଙ୍କ ମତ ନେଇ ତାଙ୍କ ସହିତ ଯୌନକ୍ରିୟା ସ୍ଥାପନ କଲେ, ଜେଲ୍ ଓ ଜୋରିମାନାରେ ଦଣ୍ଡିତ ହେବେ ।
  10. ଅପ୍ରାକୃତିକ ଉପାୟରେ ପୁରୁଷ ଓ ସ୍ତ୍ରୀମାନଙ୍କ ସଙ୍ଗରେ ଯୌନକ୍ରିୟା କରିବା କିମ୍ବା ପଶୁମାନଙ୍କ ସହିତ ଯୌନକ୍ରିୟା ସ୍ଥାପନ କଲେ ସେଥିପାଇଁ ଦଣ୍ଡ ବିଧାନ ଅଛି ।
  11. ଉପେରୋକ୍ତ  ୪ ନମ୍ବର ଘଟଣାରେ ଜାଦୁ ପୁରୁଷ ବିବାହିତ ହୋଇଥାଆନ୍ତି, ତେବେ ସେ ଧର୍ଷଣ ପାଇଁ ଦଣ୍ଡିତ ହେବା ସଙ୍ଗେ ସଙ୍ଗେ  ନିଜର ସ୍ତ୍ରୀଙ୍କ ପ୍ରତି  ମାନସିକ ନିର୍ଯ୍ୟାତନା କରୁଛନ୍ତି ବୋଲି IPC ରେ 498-A ଧାରାରେ ମଧ୍ୟ ଦଣ୍ଡିତ  ହେବେ ।
  12. ଉପରୋକ୍ତ  ଘଟଣାରେ ଯଦି ଝିଅ ଜଣକ ବିବାହିତ ହୋଇ ଷୋହଳ  ବର୍ଷରୁ କମ୍ ବୟସ୍କ ହୋଇଥିବେ ଏବଂ ତାଙ୍କ ସହିତ ସ୍ଵାମୀ ବିନା ଯେ କୌଣସି ପୁରୁଷ ଯୌନକ୍ରିୟାରେ ଲିପ୍ତ ରହନ୍ତି , ତେବେ ପୁରୁଷ ଜଣକ ଧର୍ଷଣ ପାଇଁ ଦଣ୍ଡିତ ହେବା ସଙ୍ଗେ ସଙ୍ଗେ ଆଡଲ୍ଟ୍ରି ରେ ମଧ୍ୟ ଦଣ୍ଡିତ ହେବେ ।
  13. ଯଦି ମହିଳା ଜଣକ ଷୋହଳ ବର୍ଷରୁ ଅଧିକ ହୋଇ ବିବାହିତ ଅଛନ୍ତି ତାଙ୍କ ସହିତ ତାଙ୍କର ନିଜ ଖୁସିରେ ମଧ୍ୟ (ତାଙ୍କ ସ୍ଵାମୀଙ୍କ ଅଜ୍ଞାତ ସାରରେ) ଯୌନ ସମ୍ପର୍କ ସ୍ଥାପନ କଲେ ପୁରୁଷ ଜଣଙ୍କ ଆଡଲ୍ଟ୍ରି ଦୋଷରେ ଦଣ୍ଡିତ ହେବେ । ଏଥିପାଇଁ ସ୍ତ୍ରୀ ଲୋକ ଲୋକ ଜଣକ କୌଣସି ଦଣ୍ଡ ପାଇବେ ନାହିଁ ।
  14. ଯେ କୌଣସି ପୁରୁଷ ମଧ୍ୟ ଯେ କୌଣସି ସ୍ତ୍ରୀଙ୍କ ସହିତ ତାଙ୍କ ବିନା ରାଜିରେ ଯୌନ ସମ୍ପର୍କ ସ୍ଥାପନ କଲେ ଏହା ଧର୍ଷଣ ହେବ ଓ ଏଥିପାଇଁ ଧର୍ଷଣଜନିତ ଦଣ୍ଡ ମିଳିବ ।
  15. ଜଣେ ବିବାହିତ  ପୁରୁଷ ମଧ୍ୟ ତାଙ୍କ ନିଜ ସ୍ତ୍ରୀଙ୍କ ସହିତ ଯାହାଙ୍କର ବୟସ ପନ୍ଦର ବର୍ଷରୁ କମ୍ ତାଙ୍କ ସହିତ ଯୌନକ୍ରିୟା କଲେ ଏହାକୁ ଧର୍ଷଣ ବୋଲି ଧରାଯିବ । ମାତ୍ର ଏଥିପାଇଁ କୋହଳ ଦଣ୍ଡ ବ୍ୟବସ୍ଥା ଅଛି ।
  16. ଜଣେ ମସ୍ତିସ୍କ ବିକୃତି ଥିବା ମହିଳାଙ୍କର ଅଥବା ନିଶାସକ୍ତ ଥିବା ମହିଳାଙ୍କର ମତ  ନେଇ ତାଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କଲେ ମଧ୍ୟ ତାହା ଧର୍ଷଣ ହେବ।
  17. ଜଣେ ମହିଳାଙ୍କୁ ଶାରୀରିକ ଆଘାତ ଦେବା ତଥା ମାରିଦେବାର ଭୟ ଦେଖାଇ କିମ୍ବା ସେ ମହିଳାଙ୍କର ଅନ୍ୟ କୌଣସି ଆପଣାର ଲୋକଙ୍କୁ ଉପରୋକ୍ତ ମତେ  ଅତ୍ୟାଚାର କରାଯିବ ବୋଲି କହି ଏହାପରେ ମହିଳା ଜଣଙ୍କ ମତ ନେଇ ତାଙ୍କ ସହିତ ଯୌନକ୍ରିୟା କଲେ ତାହା ଧର୍ଷଣ ଅଟେ ।
  18. ବିବାହିତ ମହିଳାଙ୍କ ମତ ନେଇ ମଧ୍ୟ ତାଙ୍କ ସହିତ (ତାଙ୍କ ସ୍ଵାମୀଙ୍କ ଅଜ୍ଞାତ ସାରରେ )ଯେ କୌଣସି କାରଣରୁ ଯୌନ ସମ୍ପର୍କ ସ୍ଥାପନ କଲେ ପୁରୁଷ ଜଣକ ଆଡଲ୍ଟ୍ରି ଦୋଷରେ ଦଣ୍ଡିତ ହେବେ ।
  19. ସ୍ତ୍ରୀ ଜଣକ ବିଧବା ହୋଇଥିଲେ ତାଙ୍କ ରାଜିରେ ତାଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କଲେ ଏହା  ଆଡଲ୍ଟ୍ରି ଅପରାଧ ହେବ ନାହିଁ । ମାତ୍ର ବିଧବା ଜଣକ ୧୬ ବର୍ଷରୁ କମ୍ ହୋଇଥିଲେ ଧର୍ଷଣ ଅପରାଧ ହେବ ।
  20. ମହିଳା ଜଣଙ୍କ ଯେ କୌଣସି ବୟସର ହୁଅନ୍ତୁ ନା କାହିଁକି ଏବଂ ତାଙ୍କର ଯଦି ନାବାଳକ ସହିତ ଯୌନକ୍ରିୟା ହୋଇଥାଏ ଏବଂ ଏପରି କାର୍ଯ୍ୟ ପାଇଁ ମହିଳା ଜଣଙ୍କ ସମ୍ପୂର୍ଣ୍ଣ ଦାୟୀ ଥିଲେ ମଧ୍ୟ ତାଙ୍କୁ କୌଣସି ଦଣ୍ଡ ମିଳିବ ନାହିଁ । ମାତ୍ର ମହିଳା ଜଣକ ବିବାହିତ ଥିଲେ ଉପରୋକ୍ତ କର୍ମ ପାଇଁ ନାବାଳକ ଜଣକ ମଧ୍ୟ ଆଡଲ୍ଟ୍ରିରେ  ପଡିବେ । ମହିଳାଙ୍କ ବୟସ ୧୬ରୁ କମ୍ ଥିଲେ ନାବାଳକ ଜଣକ ଧର୍ଷଣ ଅପରାଧରେ ପଡ଼ିବେ ।
  21. ଉପରୋକ୍ତ ୨୦ ନମ୍ବର ଘଟଣା ପାଇଁ ନାବାଳକ ଜଣକୁ ଆଘାତ କଲେ ବୋଲି ମହିଳା ଜଣକୁ ସ୍ଥଳ ବିଶେଷରେ ଦଣ୍ଡ ମିଳିପାରେ ।
  22. ଯଦି କୌଣସି ପୁରୁଷ ବା ମହିଳା ଏକ ଭୟଙ୍କର ରୋଗରେ ପୀଡିତ ହୋଇ ଉକ୍ତ ରୋଗକୁ ଲୁଚାଇ ଅନ୍ୟ ଜଣଙ୍କ ସହିତ ଯୌନକ୍ରିୟା ସ୍ଥାପନ କରନ୍ତି, ତେବେ ଏଥିପାଇଁ ତାଙ୍କୁ ଆଘାତ ଦୋଷରେ ଦଣ୍ଡିତ କରାଯିବ ।
  23. ବିବାହିତ ସ୍ତ୍ରୀ ଜଣକ ଅସୁସ୍ଥ ଥିଲେ ଅଥବା ଅତ୍ୟନ୍ତ ମାନସିକ ଦୁଶ୍ଚିନ୍ତାଗ୍ରସ୍ତ ଥିବା ବେଳେ ପୁରୁଷ ଜଣକ ତାଙ୍କ ସ୍ତ୍ରୀ ସହିତ ତାଙ୍କ ବିନା ରାଜିରେ ଯୌନକ୍ରିୟା ସ୍ଥାପନ କଲେ ଓ ଏହା ବାରମ୍ବାର ଘଟାଇଲେ ସ୍ତ୍ରୀ ଲୋକ ଜଣକ ଏଥିପାଇଁ କାନୁନୀ ବିଚ୍ଛେଦ ବା ବିବାହ ବିଚ୍ଛେଦ ଡିଗ୍ରୀ ପାଇଁ ମୋକଦ୍ଦମା କରିପାରିବେ ।
  24. ଜଣେ ପୁରୁଷ ଅନ୍ୟ ଜଣେ ସ୍ତ୍ରୀ ଲୋକକୁ ବିବାହ ନ କରି ମଧ୍ୟ ତାଙ୍କର ବିବାହିତ ସ୍ଵାମୀ ବୋଲି ପ୍ରତାରଣା କରି ଯୌନକ୍ରିୟା ସ୍ଥାପନ କଲେ ଏଥିପାଇଁ ତାଙ୍କୁ ୪୯୩ ଦଫାରେ ଦଣ୍ଡ ମିଳିବ ।
  25. ଜଣେ ପୁରୁଷ ବା ସ୍ତ୍ରୀଲୋକର ପ୍ରଥମ ବିବାହ ବଳବତ୍ତର ଥିବା ଅବସ୍ଥାରେ ସେ ଯଦି ଅନ୍ୟ ଜଣକୁ ବିବାହ କରନ୍ତି, ତେବେ, ଏଥିପାଇଁ ସେ ଦ୍ଵିତୀୟ ବିବାହ Bigamy ଦୋଷରେ ଦଣ୍ଡିତ ହେବେ । ଏଭଳି ଦଣ୍ଡରେ କେବଳ ମୁସଲମାନ ପୁରୁଷମାନେ ତାଙ୍କର ଧର୍ମ ଜନିତ ସୁବିଧା ହେତୁ ଦଣ୍ଡିତ ହେବେ ନାହିଁ । ସେମାନେ ଏକକାଳୀନ ଚାରୋଟି ସ୍ତ୍ରୀ ବିବାହ କରି ରଖିପାରିବେ। ଅନ୍ୟ ସବୁ ଧର୍ମର ପୁରୁଷ ଓ ସ୍ତ୍ରୀ ତଥା ମୁସଲମାନ Bigamy (୨ୟ ବିବାହ) କଲେ ଦଣ୍ଡ ପାଇବେ।
  26. ସର୍ବ ଶେଷରେ ମାନେ ରଖିବାକୁ ହେବ ଯେ ମହିଳାଙ୍କ ବୟସ ୧୬ ବର୍ଷରୁ କମ୍ ହୋଇଥିଲେ ତାଙ୍କ ସହିତ ଯୌନକ୍ରିୟା କଲେ ଧର୍ଷଣ  ଅପରାଧରେ ଦଣ୍ଡିତ ହେବେ । ଏପରି କ୍ଷେତ୍ରରେ ମହିଳାଙ୍କର ରାଜି ଅରାଜିରେ କୌଣସି ଯାଆ ଆସ ନାହିଁ।
  27. ସେହିପରି ନିଜର ସ୍ତ୍ରୀଙ୍କ ବୟସ ୧୫ ବର୍ଷରୁ କମ୍ ହୋଇଥିଲେ ତାଙ୍କ ସହିତ ଯୌନକ୍ରିୟା କଲେ ମଧ୍ୟ ଦଣ୍ଡ ମିଳିବ । ଏଣୁ ପୁରୁଷମାନେ ଯୌନକ୍ରିୟା କରିବା ପୂର୍ବରୁ ସ୍ତ୍ରୀମାନଙ୍କର ବୟସ ଉପରେ ନିଶ୍ଚୟ ଗୁରୁତ୍ଵ ଦେବେ, ନଚେତ୍ ଧର୍ଷଣ ଅପରାଧରେ ପଡିଯାଇ ପାରନ୍ତି । ଯୌନକ୍ରିୟାରେ ଲିପ୍ତ ପୁରୁଷର ବୟସ ଯାହା ହେଉନା କାହିଁକି ସେଥିପାଇଁ କୌଣସି ଅପରାଧ ହେବ ନାହିଁ ।

ଆଧାର - ଓଡିଶା ଆଇନ ସମୀକ୍ଷା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate