ଶିଶୁ ଯୌନଗତ ହିଂସା ଆଇନ ୧୪ ନଭେମ୍ବର ୨୦୧୨ରେ ଯୌନଗତ ହିଂସାରୁ ଶିଶୁମାନଙ୍କୁ ସୁରକ୍ଷା (ପ୍ରୋଟେକସନ ଅଫ୍ ଚିଲଡ୍ରେନ ଫ୍ରମ୍ ସେକ୍ସୁଆଲ ଅଫେନସେସ୍ ଆକ୍ଟ) ନାମକ ଏକ ନୂଆ ଆଇନ ପ୍ରଣୟନ ହୋଇଥିଲା । ବିଶେଷ କରି ୧୮ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଯୌନଗତ ହିଂସାକୁ ରକ୍ଷା କରିବା ଲାଗି ଏହା ଉଦ୍ଦିଷ୍ଟ ଥିଲା । ଆଇନର ଲକ୍ଷ୍ୟ ଓ ଆଭିମୁଖ୍ୟ ଏହି ଆଇନର ବିଭିନ୍ନ ଲକ୍ଷ୍ୟ ଓ ଆଭିମୁଖ୍ୟଗୁଡିକ ହେଲା : ଯୌନଗତ ନିର୍ଯାତନାରୁ ଶିଶୁମାନଙ୍କୁ ସୁରକ୍ଷା କରିବା । ବଳପୂର୍ବକ ବା ପ୍ରରୋଚିତ ଯୌନଗତ କାର୍ଯ୍ୟକଳାପରୁ ଶିଶୁମାନଙ୍କୁ ରକ୍ଷା କରିବା । ତଦନ୍ତ, ଅପରାଧ ଗୁଡିକର ବିଚାର ତଥା ପ୍ରମାଣଗୁଡିକୁ ରେକର୍ଡ ଅନ୍ତର୍ଭୁକ୍ତ କରିବା କ୍ଷେତ୍ରରେ ଏକ ସାମୂହିକ ଆଇନଭିତିକ ବ୍ୟବସ୍ଥା ମାମଲାଗୁଡିକର ତ୍ଵରିତ ବିଚାର ସକାଶେ ସ୍ପେଶାଲ କୋର୍ଟ ପ୍ରତିଷ୍ଠା କରିବା । ଆଇନର ତଥ୍ୟ ୧୮ବର୍ଷ ବୟସରୁ କମ ବୟସର ବାଳକ ଓ ବାଳିକାମାନଙ୍କ ପ୍ରତି ହେଉଥିବା ସମସ୍ତ ପ୍ରକାର ଯୌନ ଅପରାଧ କୁ ଏହାର ପରିସରଭୁକ୍ତ କରାଯାଇଛି । ସେହିପରି ଯୌନଗତ ହିଂସା ଓ ଧର୍ଷଣର ସଂଜ୍ଞାକୁ ଅଧିକ ପରିବ୍ୟାପ୍ତ କରାଯାଇଛି । ତଦନ୍ତ ଓ ବିଚାର ସମୟରେ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା ଅବଲମ୍ବନ କରାଯାଇଥିବା ବେଳେ ଦୋଷୀ କୁ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି । ତେବେ ଏହି ନୂଆ ଆଇନ ସମ୍ପର୍କରେ ଗଣମାଧ୍ୟମରେ ବିଶେଷ କିଛି ପ୍ରକାଶିତ ହୋଇପାରିନାହିଁ ଏବଂ ଶିଶୁମାନଙ୍କ ବିରୋଧରେ ହେଉଥିବା ଯୌନହିଂସା ପରିପ୍ରେକ୍ଷୀରେ ପୋଲିସ ପୂର୍ବରୁ ଥିବା ଆଇପିସି ଧାରାଗୁଡ଼ିକ ପ୍ରୟୋଗ କରୁଥିବା ପରିଲକ୍ଷିତ ହେଉଛି । ତେବେ ଜାନୁଆରୀ ୨୦୧୩ରେ ନୂଆଦିଲ୍ଲୀରେ ୨୩ବର୍ଷ ବୟସ୍କା ଜଣେ ମେଡିକାଲ ଛାତ୍ରୀଙ୍କୁ ଗଣଧର୍ଷଣ ଓ ହତ୍ୟା ପରେ ଦେଶବ୍ୟାପୀ ପ୍ରବଳ ବିରୋଧ କରଯାଇଥିଲା ଏବଂ ଭାରତରେ ମହିଳାମାନଙ୍କ ବିରୋଧରେ ହେଉଥିବା ଯୌନହିଂସା ଆର୍ନ୍ତଜାତିକ ସ୍ତରରେ ଦୃଷ୍ଟିଆକର୍ଷଣ କରିଥିଲା । ଯୌନହିଂସା ରୋକିବା କ୍ଷେତ୍ରରେ ଭାରତରେ ପ୍ରଚଳିତ ଆଇନ ଯଥେଷ୍ଟ କି ନୁହେଁ ସେ ସମ୍ପର୍କରେ ଗଣମାଧ୍ୟମରେ ବିତର୍କ ପ୍ରକାଶ ପାଇଥିଲା । ଏହି ଘଟଣା ପରେ ଯୌନଗତ ହିଂସା ରୋକିବା ସକାଶେ ଏକ ନୂଆ ଆଇନ ତିଆରି କରିବା ପାଇଁ ସରକାର ସ୍ଵର୍ଗତ ଜଷ୍ଟିସ ଜେ.ଏସ.ବର୍ମାଙ୍କ ନେତୃତ୍ଵରେ ଏକ କମିଟି ଗଠନ କରିଥିଲେ । ଏହି କମିଟିର ସୁପାରିଶଗୁଡିକ ଅନୁସାରେ ସଂସଦରେ ଏକ ବିଲ ଦାଖଲ ହୋଇଥିଲା ଏବଂ ୩ ଏପ୍ରିଲ ୨୦୧୩ରେ ସଂଶୋଧିତ ଆଇନ ବଳବତର ହୋଇଥିଲା । ଏଥିରେ ଭାରତୀୟ ପିଙ୍ଗଳ କୋଡ (ଆଇପିସି), ଅପରାଧ ଆଚରଣ ସଂହିତା (ସିଆରପିସି) ଓ ଭାରତୀୟ ପ୍ରମାଣ ଆଇନ (ଆଇଇଏ ) ରେ କେତେକ ଆବଶ୍ୟକୀୟ ପରିବର୍ତନ କରାଯାଇଥିଲା । ପୋସ୍କା ଆଇନ,୨୦୧୨ ଏହି ଆଇନ ଅନୁସାରେ କେଉଁମାନେ ଅନ୍ତର୍ଭୁକ୍ତ ହୋଇ ପାରିବେ : ଯେକୌଣସି ପୁଅ ବା ଝିଅ ଯାହାର ବୟସ ୧୮ବର୍ଷରୁ କମ୍ ହୋଇଥିବ । ଶିଶୁମାନଙ୍କ ଉପରେ ହେଉଥିବା ଯୌନଗତ ହିଂସା ପରିପ୍ରେକ୍ଷୀରେ ଏହି ଆଇନ ହେଉଛି ସମ୍ପୂର୍ଣ୍ଣ ନିରପେକ୍ଷ । ଏହାଛଡା ପୋସ୍କୋ ଆଇନରେ “ଧର୍ଷଣ” ଶବ୍ଦ ବ୍ୟବହୃତ ହୋଇନଥାଏ ଏବଂ ଏହା ବଦଳରେ “ଯୌନଗତ ଅତ୍ୟାଚାର“ ବ୍ୟବହୃତ ହୋଇଥାଏ । ଏହି ସଂଜ୍ଞା ଅଧିକ ବ୍ୟାପକ ଏବଂ ଏପରିକି ବିଭିନ୍ନ ପ୍ରକାର ଅପ୍ରାକୃତିକ ଯୌନକ୍ରିୟାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଧାରା ୩: ଯୌନ ଅତ୍ୟାଚାର : ଏକ ଶିଶୁ ବା ଶରୀରର କୌଣସି ଅଂଶରେ ଯୌନ ନିର୍ଯାତନା ବା ଅପ୍ରାକୃତିକ କ୍ରିୟା । ଧାରା ୭: ଯୌନଗତ ଅତ୍ୟାଚାର :ଯୌନଗତ ଭାବନା ଥାଇ ଏକ ଶିଶୁକୁ ଛୁଇଁବା । ଧାରା ୧୧: ଯୌନଗତ ନିର୍ଯ୍ୟାତନା : ଯୌନକାମନା ରଖି କିଛି କହିବା, ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିବା, ଶରୀରର କିଛି ଅଂଶ ଦେଖାଇବା, ଯୌନୋଦ୍ଦୀପକ ଦୃଶ୍ୟ ଦେଖାଇବା । ଶିଶୁର କୌଣସି ଅଂଶ ପ୍ରଦର୍ଶନ କରିବା, ଶିଶୁକୁ ବିଭିନ୍ନ ଭାବେ ବ୍ୟବହାର କରିବା, ଯୌନୋଦ୍ଦୀପକ ଦୃଶ୍ୟ ଦେଖାଇବା ଲାଗି ଧମକ ଦେବା । ଧାରା ୧୩ ଓ ଧାରା ୧୫ :ଯୌନୋଦ୍ଦୀପକ ଦୃଶ୍ୟ: ଯୌନୋଦ୍ଦୀପକ ଦୃଶ୍ୟ ଉଦ୍ଦେଶ୍ୟରେ ଶିଶୁକୁ ବ୍ୟବହାର କରିବା । ବ୍ୟବସାୟିକ କାର୍ଯ୍ୟକଳାପ ସକାଶେ ଜଣେ ଶିଶୁର ଯୌନୋଦ୍ଦୀପକ ଦୃଶ୍ୟକୁ ମହଜୁଦ କରିବା । ପୋସ୍କୋ ଆଇନ ଅନୁସାରେ ସମସ୍ତ ଅପରାଧକୁ ଅତି ଗୁରୁତର ଅପରାଧ ବୋଲି ବିବେଚନା କରାଯିବ । ଏଣୁ ସେଗୁଡିକ କ୍ଷେତ୍ରରେ ଜାମିନ ମିଳିବ ନାହିଁ ଏବଂ ଜ୍ଞାତସାରରେ ଘଟିଥିବା ଅପରାଧ ବୋଲି ବିବେଚନା କରାଯିବ ଏବଂ କୋର୍ଟ ଜରିଆରେ ସେଗୁଡିକର ବିଚାର କରାଯିବ । ଆଧାର – ଦୈନିକ ମାନବିକତାର କଥା