ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / କଳାହାଣ୍ଡି ଜିଲ୍ଲା
ସେଆର କରନ୍ତୁ

କଳାହାଣ୍ଡି ଜିଲ୍ଲା

କଳାହାଣ୍ଡି ଜିଲ୍ଲା ସମ୍ବନ୍ଧରେ ସୂଚନା ।

ଜିଲ୍ଲା ସମ୍ବନ୍ଧରେ

କଳାହାଣ୍ଡିର ପ୍ରଥମ ଗେଜେଟିୟର ଅନୁସାରେ କଳାହାଣ୍ଡି ଜିଲ୍ଲା ପୂର୍ବ-ଗଡଜାତ କଳାହାଣ୍ଡି ରାଜ୍ୟ ଓ ଖରିଆ ଜମିଦାରୀ (ବର୍ତ୍ତମାନର ନୂଆପଡା ଜିଲ୍ଲା) କୁ ମିଶାଇ ଏବଂ ସେଥିରୁ କାଶୀପୁର ଥାନା ଅଞ୍ଚଳକୁ ଅଲଗା କରି ଗଠିତ ହୋଇଥିଲା । ୧୯୪୮ ମସିହାରେ ଗଡଜାତ ରାଜ୍ୟ ମିଶ୍ରଣ ହେବା ସମୟରେ କଳାହାଣ୍ଡିଗଡ ରାଜ୍ୟ ,ପାଟଣାଗଡ ରାଜ୍ୟ ଓ ସୋନପୁରଗଡ ରାଜ୍ୟ ମିଶାଇ କଳାହାଣ୍ଡି ଜିଲ୍ଲା ଗଠିତ ହୋଇଥିଲା ଯାହାର ସଦର ମହକୁମା ବଲାଙ୍ଗିର ଥିଲା । ୧ ନଭେମ୍ବର ମସିହା ୧୯୪୯ ରେ ପାଟଣା (ପରବର୍ତ୍ତୀ ସମୟରେ ବଲାଙ୍ଗିର ଜିଲ୍ଲା ), ସୋନପୁର ( ବର୍ତ୍ତମାନର ସୁବର୍ଣ୍ଣପୁର ଜିଲ୍ଲା ) କଳାହାଣ୍ଡିରୁ ଅଲଗା ହେଲା ଓ ବଲାଙ୍ଗିର ଜିଲ୍ଲା ଗଠିତ ହେଲା । କଳାହାଣ୍ଡି ଓ ନୂଆପଡାକୁ ମିଶାଇ ଗୋଟିଏ ଜିଲ୍ଲା ହେଲା ଏବଂ ଭବାନୀପାଟଣାକୁ ଏହାର ସଦର ମହକୁମା କରାଗଲା । କାଶୀପୁର ଥାନା ଅଞ୍ଚଳ ସହିତ ଭବାନୀପାଟଣା ମଧ୍ୟରେ କୌଣସି ସିଧା ସଳଖ ଯୋଗାଯୋଗ ନଥିବାରୁ ଏହାଦ୍ଵାରା ପ୍ରଶାସନିକ ଅସୁବିଧା ଅନୁଭୂତ ହେଲା । ୧ ଅଗଷ୍ଟ ୧୯୬୨ ରେ କାଶୀପୁର ଥାନା ଅଞ୍ଚଳକୁ କଳାହାଣ୍ଡିରୁ ପୃଥକ କରି କୋରାପୁଟ ସହିତ ମିଶାଗଲା । ପରବର୍ତ୍ତୀ ସମୟରେ ୨୭ ମାର୍ଚ୍ଚ ୧୯୯୩ ରେ ନୂଆପଡା ଉପଭାଗ (ଖରିଆ ଜମିଦାରୀ) ଅଲଗା ହୋଇ ନୂଆପଡା ଜିଲ୍ଲା ହେଲା।

କଳାହାଣ୍ଡି ନାମର ଉତ୍ପତ୍ତି :-

ଓଡିଆରେ “କଳାହାଣ୍ଡି” ର ଅର୍ଥ ହେଲା କଳା+ ପାତ୍ର (ହାଣ୍ଡି) ଅର୍ଥାତ କଳାରଙ୍ଗର ହାଣ୍ଡି । ଏହି ଜିଲ୍ଲାରେ ମୃତ୍ତିକା କୃଷ୍ଣ-କାର୍ପାସ ଶ୍ରେଣୀୟ ଏବଂ ମାଟିର ରଙ୍ଗ କଳା । କୁମ୍ଭାର ମାନେ ଏଥିରେ କଳା ରଙ୍ଗର ପାତ୍ର ତିଆରିକରି ଏହି ଜିଲ୍ଲା, ପଡୋଶୀ ଜିଲ୍ଲା ଏବଂ ରାଜ୍ୟମାନଙ୍କରେ ବିକ୍ରି କରିଥାନ୍ତି । ସମ୍ଭବତଃ ଏହାର ନାମର ଉତ୍ପତ୍ତି ଏଥିରୁ ହୋଇଥାଇପାରେ ବୋଲି ଅନୁମେୟ ।

କଳାହାଣ୍ଡି ନାମକରଣ ଉତ୍ପତ୍ତି ବିଷୟରେ କୌଣସି ଅଭିଲେଖ ବା ଦଲିଲ ନାହିଁ । ଏହା ଆଗରୁ କାରୁଣ୍ଡ ନାମରେ ପରିଚିତ ଥିଲା । ଲେଫ୍ଟନାଣ୍ଟ ଏଲ୍ଲିୟଟ ( ଉପ କମିଶନର ରାୟପୁର , ୧୮୫୬) ଙ୍କ ଅନୁସାରେ କଳାହାଣ୍ଡି ନାମ କାରୁଣ୍ଡ ନାମର ଓଡିଆ ଅପଭ୍ରଂଶ ମାତ୍ର । କଳାହାଣ୍ଡି ନାମରେ କୌଣସି ସ୍ଥାନ କିମ୍ବା ଗ୍ରାମ ନାହିଁ । କୋରାପୁଟ ଓ ବସ୍ତର ଅଞ୍ଚଳରେ ବହୁତ ସ୍ଥାନକୁ ଦୁଇ ପ୍ରକାରରେ ଉଚ୍ଚାରଣ କରାଯାଇଥାଏ । ଯଥା ବସ୍ତରର ଗ୍ରାମ ବକାଊଣ୍ଡ ଓଡିଆରେ ବକାହାଣ୍ଡି , ବାଜାଊଣ୍ଡକୁ ବଜାହାଣ୍ଡି , ନଲପାଊଣ୍ଡକୁ ନାଲଫାହାଣ୍ଡି ଓ କୁମାରଊଣ୍ଡକୁ କୁମାରହାଣ୍ଡି କୁହାଯାଇଥାଏ । ସେହିପରି କୋଟପାଡ ପାଖର ଗ୍ରାମ ଶସାହାଣ୍ଡି ଓ ପାପଡାହାଣ୍ଡିକୁ ବସ୍ତର ଅଞ୍ଚଳ ଲୋକମାନେ ଶାସଊଣ୍ଡ ଓ ପାପଡାଊଣ୍ଡ କହିଥାନ୍ତି । କିନ୍ତୁ ସେ ଯାହା ହେଉନା କାହିଁକି ୧୯୦୫ ପର ଠାରୁ ଯେତେବଳେ ଏହି ଅଞ୍ଚଳ ଇଂରେଜ ଶାସିତ ବଙ୍ଗଳା ରାଜ୍ୟଖଣ୍ଡ ସଙ୍ଗେ ମିଶିଲା , ଏହାର ନାମ କଳାହାଣ୍ଡି ଭାବରେ ବ୍ୟବହୃତ ହେଲା ।

ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ର କ୍ଷେତ୍ରଫଳ ହେଲା ପ୍ରାୟ ୭,୯୨୦ ବର୍ଗ କିଲୋମିଟର । ଏହି କ୍ଷେତ୍ରଫଳ ଉତ୍ତର ଅକ୍ଷାଂଶ ୧୯.୧୭୫୪୮୯ଂ ରୁ ୨୦.୪୫୪୫୧୭ଂ ଏବଂ ପୂର୍ବ ଦ୍ରାଘିମା ୮୨.୬୧୭୭୬୭ଂ ରୁ ୮୩.୭୯୪୮୭୪ଂ ମଧ୍ୟ ରେ ଅବସ୍ଥିତ । ଏହି ଜିଲ୍ଲା ଦକ୍ଷିଣ-ପଶ୍ଚିମ ଓଡିଶାରେ ଅବସ୍ଥିତ ଅଟେ । ଏହାର ଉତ୍ତର-ପଶ୍ଚିମ ଦିଗରେ ବଲାଙ୍ଗିର ଜିଲ୍ଲା ଏବଂ ନୂଆପଡା ଜିଲ୍ଲା ତଥା ଦକ୍ଷିଣ ଦିଗରେ ନବରଙ୍ଗପୁର ଜିଲ୍ଲା , କୋରାପୁଟ ଜିଲ୍ଲା ଓ ରାୟଗଡା ଜିଲ୍ଲା ଅବସ୍ଥିତ । ପଶ୍ଚିମରେ ଛତିଶଗଡ ରାଜ୍ୟ, ଉତ୍ତରରେ ବୌଦ୍ଧ ଏବଂ ଉତ୍ତର-ପୂର୍ବରେ କନ୍ଧମାଳ ଜିଲ୍ଲା ଅଛି ।

କଳାହାଣ୍ଡି ଜିଲ୍ଲା ର ଜଳବାୟୁ ଉଷ୍ମ ଓ ଶୁଷ୍କ ଅଟେ । କେବଳ ବର୍ଷା ଦୁଇ ମାସ ଛାଡିଦେଲେ ଏହାର ପାଣିପାଗ ଶୁଷ୍କ ଅଟେ । ଏଠାରେ ସର୍ବାଧିକ ତାପମାତା ୪୫+ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍ ମପା ଯାଇଛି । ଜିଲ୍ଲାର ହାରା ହାରି ବୃଷ୍ଟିପାତ ୧୩୭୮.୨୦ ମିଲିମିଟର । ଏଠାରେ ମୌସୁମୀ ଜୁନ ମାସ ଶେଷ ଆଡକୁ ଆରମ୍ଭ ହୁଏ ଓ ସେପ୍ଟେମ୍ବର ପର୍ଯ୍ଯନ୍ତ ଦେଖାଯାଏ ।

ଇତିହାସ

ମୃଗୟା ପାଇଁ ବା ଖାଦ୍ୟ ସଂଗ୍ରହ ପାଇଁ ବ୍ୟବହୃତ ହୋଇଥିବା ରୂକ୍ଷ ପ୍ରସ୍ତରର ଅସ୍ତ୍ର କଳାହାଣ୍ଡି ଜିଲ୍ଲାରେ ମିଳେ । ସେଥିରୁ ଆଦି ମାନବର ବୃତ୍ତାନ୍ତ ଜଣାଯାଏ । ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ, ନଦୀକୂଳରେ, ପର୍ବତ ଖୋଲରେ ଓ ଗୁମ୍ଫାମାନଙ୍କରେ ଏହି ସବୁ ଅସ୍ତ୍ର ବିକ୍ଷିପ୍ତଭାବରେ ଇତସ୍ତତଃ ପଡ଼ିଥିବାର ଦେଖାଯାଏ । ମାନ୍ଦ୍ରାଜର ହସ୍ତକୁଠାର ଶ୍ରେଣୀର ପ୍ରାଚୀନ ପ୍ରସ୍ତର ଯୁଗର ଅସ୍ତ୍ରମାନ ଗୁଡ଼ହାଣ୍ଡି ପର୍ବତମାଳାର ଏବଂ ଜଙ୍କନଦୀର ମାରାଗୁଡ଼ା ଉପତ୍ୟକାର ପାର୍ବତ୍ୟାଞ୍ଚଳର ପର୍ବତ ଖୋଲରୁ ଆବିଷ୍କୃତ ହୋଇଅଛି । ତେଲନଦୀ କୂଳସ୍ଥ ଛିଲପାରେ ଛେଦକ ଅସ୍ତ୍ର ନିର୍ମାଣଶାଳା ଆବିଷ୍କୃତ ହୋଇଅଛି । ଏଥିରୁ ଜିଲ୍ଲାର ପ୍ରସ୍ତର ଯୁଗୀୟ ସଭ୍ୟତାର ସୂଚନା ମିଳେ । ସେହି ନିର୍ମାଣ ଶାଳାରୁ ଚାଞ୍ଛିବା ଅସ୍ତ୍ର, ଅସ୍ୱାଗ୍ର, ବାଟୁଳି ଏବଂ କ୍ଷୁଦ୍ର କ୍ଷୁଦ୍ର ହସ୍ତ କୁଠାର ଆବିଷ୍କୃତ ହୋଇଅଛି । ପ୍ରାୟତଃ କ୍ୱାର୍ଟଜାଇଟ ନିର୍ମିତ କ୍ଷୁଦ୍ର କ୍ଷୁଦ୍ର ଅସ୍ତ୍ର ତେଲନଦୀ ଏବଂ ତାହାର ଉପନଦୀମାନଙ୍କର ଅବବାହିକାରେ ଦୃଷ୍ଟିଗୋଚର ହୁଏ । ଏହିସବୁ ସାଧାରଣତଃ କ୍ଷୁଦ୍ର ଏବଂ ଧାରୁଆ ଅସ୍ତ୍ର । ମାତ୍ର ତ୍ରିଭୁଜ ଓ ଟ୍ରାପିଜିୟମ ପରି ଜ୍ୟାମିତିକ ଚିତ୍ରର ଅସ୍ତ୍ର ମଧ୍ୟ ସମୟେ ସମୟେ ଦୃଷ୍ଟିଗୋଚର ହୁଏ । ନବୀନ ପ୍ରସ୍ତର ଯୁଗର ଚିକ୍କଣ ଶିଳାର ଅସ୍ତ୍ର ମଧ୍ୟ ପୂର୍ବୋକ୍ତ ସ୍ଥାନମାନଙ୍କରେ ମିଳେ । କୌତୁହଳର ବିଷୟ ଯେ, ଛିଲପା ଠାରେ ଚିକ୍କଣ ଶିଳା ନିର୍ମିତ ଅସ୍ତ୍ର ମଧ୍ୟରେ ଗାତଖୋଳିବା ଏବଂ ରନ୍ଧ୍ରକରିବା ଯନ୍ତ୍ର ମଧ୍ୟ ଦେଖାଯାଏ । ମାରାଗୁଡ଼ା ଉପତ୍ୟକାରେ ଆବିଷ୍କୃତ ନବୀନ ପ୍ରସ୍ତର ଯୁଗରେ ଏକତ୍ର ଯୋଡ଼ା ହୋଇଥିବା ଛଅଗୋଟି ଅସ୍ତ୍ର ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ସଂଗ୍ରହାଳୟରେ ରଖାଯାଇଅଛି ।

ଭବାନୀପାଟଣାଠାରୁ 64 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଗୁଡ଼ହାଣ୍ଡିଠାରେ ଓ ଖଡ଼ିଆଳର 10 କିଲୋମିଟର ଦକ୍ଷିଣସ୍ଥ ଯୋଗିମଠ ପାହାଡ଼ରେ କୃଷ୍ଣବର୍ଣ୍ଣ ମିଶ୍ରିତ ରକ୍ଷର୍ଣ୍ଣ ଗେରୁର ପ୍ରାଗୈତିହାସିକ ଚିତ୍ରାବଳୀ ଆବିଷ୍କୃତ ହୋଇଅଛି । ଗୁଡ଼ହାଣ୍ଡିଠାରେ ପ୍ରକୃତିକ ଗିରିବରୀମାନଙ୍କର ଚିତ୍ରାବଳୀ ପରିଶୋଭିତ । ତନ୍ମଧ୍ୟରୁ ଅଧିକାଂଶ ବର୍ଗକ୍ଷେତ୍ର, ସାମାନ୍ତରିକ କ୍ଷେତ୍ର, ବୃତ୍ତ ଓ ଅନ୍ୟାନ୍ୟ ଜ୍ୟାମିତିକ ଚିତ୍ର । ଏହି ଚିତ୍ରାବଳୀ ପ୍ରାୟତଃ ଲୁପ୍ତ ହୋଇଯାଇଅଛି । ଗୋଟିଏ ମୃଗୟାର ଦୃଶ୍ୟ ଏହି ଚିତ୍ରାବଳୀ ମଧ୍ୟରେ ସବୁଠାରୁ ବେଶୀ କୌତୁହଳୋଦ୍ଦୀପକ । ଗୋଟିଏ ଧାବମାନ ଗୟଳକୁ ଲକ୍ଷ୍ୟକରି ଜଣେ ଆଦିମାନବ ଗୋଟିଏ ପ୍ରସ୍ତରର ଅସ୍ତ୍ର ପ୍ରୟୋଗ କରୁଅଛି । ପ୍ରୟୋଗକାରୀର ହସ୍ତ ସାଧାରଣ ଅବସ୍ଥାକୁ ଫେରି ଆସିବା ପୂର୍ବରୁ ଅସ୍ତ୍ର ଲକ୍ଷ୍ୟସ୍ଥଳକୁ ଆଘାତ କରିଅଛି । ଫଳରେ ଆହତ ପ୍ରାଣୀଟି ମୁହଁ ବୁଲାଇ ମନୁଷ୍ୟକୁ ବିକଳ ଭାବରେ ଲକ୍ଷ୍ୟ କରୁଅଛି । ଏହା ଦେଖି ମନୁଷ୍ୟର ମୁଖମଣ୍ଡଳରେ ଆନନ୍ଦର ସଂକେତ ଫୁଟିଅଛି ଏବଂ ମୃଗୟାରେ ସଫଳତା ଜନିତ ଆନନ୍ଦାତିଶଯ୍ୟରେ ତାହାର ବକ୍ରାକୃତ କେଶରାଜି ତରଙ୍ଗାୟିତ ହୋଇ ଉଠିଅଛି  । ଗୁଡ଼ହାଣ୍ଡି ପର୍ବତର ଗୁମ୍ଫାରେ ମୃଗୟାର ଏହି ଜୀବନ୍ତ ଆଲେଖ୍ୟ କୁ ଅନୁମିତ ହୁଏ ଯେ, ଏହି ଗୁମ୍ଫା ସେହି ପ୍ରାଗୈତିହାସିକ ମନୁଷ୍ୟର ଆବାସ ଥିଲା । ବସ୍ତୁତଃ ଗୁଡ଼ହାଣ୍ଡି ଚିତ୍ରାବଳୀ ଆଦିମ କଳାକାରର ବିରାଟ ସଫଳତାର ପରିଚାୟକ ।

କିଭଳି ପହଁଞ୍ଚିବେ

ଜିଲ୍ଲା ର ମୁଖ୍ୟ ରେଳ ଷ୍ଟସନ ଗୁଡିକ ହେଲା ଜୁନାଗଡ ରୋଡ , ଭବାନୀପାଟଣା , କେଶିଙ୍ଗା ,ନର୍ଲା  କିନ୍ତୁ ଲାଞ୍ଜିଗଡ ଯିବାକୁ ହେଲେ ରାୟଗଡ଼ା ଜିଲ୍ଲା ର ଅମ୍ବାତୋଳା ରେଳ ଷ୍ଟେସନ ପାଖ ପଡେ  । ଅମ୍ବାତୋଳା ରେଳ ଷ୍ଟେସନ,   ବିଶ୍ଵନାଥପୁର ଠାରୁ ମାତ୍ର ୨.୫  କିମି   । ପାଖ  ଏୟାର ପୋର୍ଟ ଗୁଡିକ ହେଲା ଭୁବନେଶ୍ଵର ( ୪୧୮ କି. ମି. ) , ରାୟପୁର (୨୬୧ କି.ମି.)  , ବିଶାଖାପାଟଣା । କଳାହାଣ୍ଡି ରୁ ବିଭିନ୍ନ ଜିଲ୍ଲା ଓ ସହର କୁ ପ୍ରତି ଦିନ ବସ ସେବା ର ସୁବିଧା ଅଛି । ଯଥା କୋରାପୁଟ , ଗଞ୍ଜାମ ,କଟକ, ଭୁବନେଶ୍ଵର । ଓଡିଶା ସରକାର ଙ୍କ ଓ.ଏସ.ଆର.ଟି.ସି. ତଥା ଅଣ ସରକାରୀ ବସ ସେବା ର ସୁବିଧା ଅଛି ।

ପ୍ରମୁଖ ସହରକୁ ସଡକ ପଥ ରେ ଯୋଗାଯୋଗ ର ମାନଚିତ୍ର

ଜନସାଂଖିକ

୨୦୧୧ ଜନଗଣନା ଅନୁସାରେ

ପ୍ରକାର

ମୋଟ

ଅନୁସୂଚିତ ଜାତି

ଅନୁସୂଚିତ ଜନ ଜାତି

ଅନ୍ୟାନ୍ୟ

ଜିଲ୍ଲା ମୋଟ

୧୫୭୬୮୬୯

୨୮୬,୫୮୦

୪୪୯,୪୫୬

୮୪୦୮୩୩

ଗ୍ରାମାଞ୍ଚଳ

୧୪୫୪୮୮୨

୨୬୪୯୭୪

୪୪୦୭୭୫

୭୪୯୧୩୩

ସହରାଞ୍ଚଳ

୧୨୧୯୮୭

୨୧୬୦୬

୮୬୮୧

୯୧୭୦୦

ଲିଙ୍ଗ ଭିତ୍ତିକ ଜନସଂଖ୍ୟା ବିବରଣୀ

ପ୍ରକାର

ସମୁଦାୟ ପୁରୁଷ

ସମୁଦାୟ ମହିଳା

ଅନୁସୂଚିତ ଜାତି ପୁରୁଷ

ଅନୁସୂଚିତ ଜାତି ମହିଳା

ଅନୁସୂଚିତ ଜନ ଜାତି ପୁରୁଷ

ଅନୁସୂଚିତ ଜନ ଜାତି ମହିଳା

ଅନ୍ୟାନ୍ୟ ପୁରୁଷ

ଅନ୍ୟାନ୍ୟ ମହିଳା

ଜିଲ୍ଲା ମୋଟ

୭୮୭୧୦୧

୭୮୯୭୬୮

୧୪୨୧୩୩

୧୪୪୪୪୭

୨୨୧୧୭୧

୨୨୮୨୮୫

୪୨୩୭୯୭

୪୧୭୦୩୬

ଗ୍ରାମାଞ୍ଚଳ

୭୨୪୬୪୬

୭୩୦୧୩୬

୧୩୧୪୭୪

୧୩୩୫୦୦

୨୧୬୮୮୩

୨୨୩୮୯୨

୩୭୬୨୮୯

୩୭୧୮୪୪

ସହରାଞ୍ଚଳ

୬୨୪୫୫

୫୯୫୩୨

୧୦୬୫୯

୧୦୯୪୭

୪୨୮୮

୪୩୯୩

୪୭୫୦୮

୪୪୧୯୨

ସଂସ୍କୃତି ଏବଂ ଐତିହ୍ୟ

ଏହି ଜିଲ୍ଲା ସଂସ୍କୃତି ଏବଂ ଐତିହ୍ୟ ରେ ପରିପୂର୍ଣ । ଉଣେଇଶ ( ୧୯ ) ପ୍ରକାର ର କଳାକୃତି ନିମ୍ନ ରେ ଦିଆଗଲା ।

  1. ଘୁମୁରା :-୧୮/୨୦ କଳାକାର ଘୁମାର ଏବଂ ଘୁମୁରା ବାଦ୍ୟ କୁ ନେଇ ନୃତ୍ୟ ପରିବେଷଣ କରାଯାଇଥାଏ । ନୂଆଖାଇ , ଦଶହରା ଏବଂ ଅନ୍ୟାନ୍ୟ ପର୍ବ ପର୍ବାଣି ରେ ଏହା ପରିବେଷଣ ହୋଇଥାଏ । ଏହା କେବଳ ପୁରୁଷ ମାନଙ୍କ ଦ୍ଵାରା ପରିବେଷଣ କରା ଯାଇଥାଏ । ଏହା ଏକ ରଣ ବାଦ୍ୟ ବା ବୀର ବାଦ୍ୟ ରୂପରେ ପରିଚିତ । ପୁରା କାଳ ରେ ରଜା ଯୁଦ୍ଧ ବା ପାରିଧି କୁ ଯିବା ଆଗରୁ ଏହା ପରିବେଷଣ ହେଉଥିଲା ।
  2. ବଜାଶାଲ :-ଏହି ଲୋକ ନୃତ୍ୟ ରେ ୧୬/୧୮ ପୁରୁଷ ଓ ସ୍ତ୍ରୀ ମିଶିକରି ନାଚି ଥାନ୍ତି । ଏହା ସଧାରଣତଃ ବାହାଘର ଏବଂ ଅନ୍ୟାନ୍ୟ ପର୍ବ ପର୍ବାଣି ରେ ପରିବେଷଣ କରା ଯାଇଥାଏ । ନିଶାନ ,ଢୋଲ ,ମହୁରୀ , ତାସା ଆଦି ବାଦ୍ୟ ଯନ୍ତ୍ର ଏଥିରେ ବ୍ଯବହୃତ ହୋଇ ଥାଏ ।  ଭବାନୀପାଟଣା , କେସିଙ୍ଗା , ଜୁନାଗଡ , ଧର୍ମଗଡ  , କୋକସରା  ଇତ୍ୟାଦି ସ୍ଥାନରେ ନୃତ୍ୟ ହୋଇଥାଏ।
  3. ବନାବାଡି :- ବନାବାଡି କୁ ପୂର୍ବ ଓଡିଶା ରେ ଗଉଡ ବାଡି କୁହା ଯାଇଥାଏ । ୧୮/୧୬ କେବଳ ପୁରୁଷ ଲୋକ ଏହି ନାଚ ନାଚିଥାନ୍ତି । ଦୋଳ ପୁର୍ଣିମା ,ଚୈତ୍ର ପୁର୍ଣିମା ରେ ଏହିନାଚ ମୁଖ୍ୟତଃ ଗଉଡ ସଂପ୍ରଦାୟ ରେ ଦେଖିବାକୁ ମିଳେ । ଜୁନାଗଡ, ଭବାନୀପାଟଣା ଇତ୍ୟାଦି ସ୍ଥାନରେ ନୃତ୍ୟ ହୋଇଥାଏ ।
  4. ଶିଙ୍ଘ ବଜା :-୮/୧୦ ତାଲିମ ପ୍ରାପ୍ତ ବା ପ୍ରଶିକ୍ଷିତ ବାଦ୍ୟ କଳାକାର ଏହା ପରିବେଷଣ କରିଥାନ୍ତି । ଏଠାରେ ଶିଙ୍ଘ ନିଶାନ ରେ ଲଗା ଯାଇଥାଏ । ବାହାଘର ସମୟରେ ନିଶାନ ,ଢୋଲ ,ମହୁରୀ , ତାସା ଆଦି ବାଦ୍ୟ ଯନ୍ତ୍ର ବ୍ଯବହୃତ ହୋଇ ଥାଏ । ଭବାନୀପାଟଣା , ଥୁଆମୂଳ ରାମପୁର , ଲାଞ୍ଜିଗଡ , କୋକସରା  ଇତ୍ୟାଦି ସ୍ଥାନରେ ହୁଏ  ।
  5. ମାଦଲି :-୧୫ /୧୬ ଜଣ କଳାକାର ବିଭନ୍ନ ସାମାଜିକ ପର୍ବ ପର୍ବାଣି ରେ ଏହା ପରିବେଷଣ କରିଥାନ୍ତି । ବିଶେଷ କରି ଏହା କୃଷି ଜାତ ପର୍ବ ସଙ୍ଗେ ଜଡିତ । ଗଣ୍ଡ ଆଦିବାସୀ ସଂପ୍ରଦାୟ ରେ ଏହା ଏକ ସାମାଜିକ ପରମ୍ପରା । କୋକସରା , ଜୟପାଟଣା, ଜୁନାଗଡ, ଇତ୍ୟାଦି. ସ୍ଥାନରେ ହୁଏ ।
  6. ମାଦଲି :-୧୫ /୧୬ ଜଣ କଳାକାର ବିଭନ୍ନ ସାମାଜିକ ପର୍ବ ପର୍ବାଣି ରେ ଏହା ପରିବେଷଣ କରିଥାନ୍ତି । ବିଶେଷ କରି ଏହା କୃଷି ଜାତ ପର୍ବ ସଙ୍ଗେ ଜଡିତ । ଗଣ୍ଡ ଆଦିବାସୀ ସଂପ୍ରଦାୟ ରେ ଏହା ଏକ ସାମାଜିକ ପରମ୍ପରା ।
  7. ଦଣ୍ଡାରୀ :-୧୦/୧୫ ଜଣ କଳାକାର ହାତ ରେ ଛୋଟ କାଠି ଧରି ଶ୍ରୀ କୃଷ୍ଣ ଲୀଳା ର ବିଭିନ୍ନ କଳା କୁ ପରିବେଷଣ କରିଥାନ୍ତି । ଏହା ଦୋଳ ପୁର୍ଣିମା, ହୋଲି ଓ ଜନ୍ମାଷ୍ଟମୀ ସମୟରେ ବିଶେଷ ଭାବରେ ଦେଖିବାକୁ ମିଳେ ।
  8. ପାଇକ ଆଖଡା:- ୧୦/୧୫ ଜଣ ପାଇକ ଜାତି ର କଳାକାର ଏହି ନାଚ ଦଶହରା ସମୟରେ କରିଥାନ୍ତି । ଏହା ଏକ ରଣ ନୃତ୍ୟ । ଏହା ଛଡା ବିଭିନ୍ନ ସାମାଜିକ ଅନୁଷ୍ଠାନ ସମୟରେ ମଧ୍ୟ ଏହା ପରିବେଷଣ କରାଯାଇଥାଏ ।
  9. ଘୋଡେଲ:-୧୨/୧୫ ଜଣ କେବଳ ପୁରୁଷ କଳାକାର ଏହି ନାଚ କରି ଥାନ୍ତି । ପୂର୍ବ ବା ଉପକୂଳ ଓଡିଶା ର ରଣପା ନାଚ ଭଳି ଦେଖାଯାଏ । ଏହା ମଧ୍ୟ ଦଶହରା ସମୟରେ ନାଚି ଥାନ୍ତି ।
  10. ପୋଢ ମରା :-୧୫/ ୨୦ ଜଣ କନ୍ଧ ଆଦିବାସୀ କଳାକାର ଏହା ଚୌତ୍ର ପୁର୍ଣିମା ସମୟ ରେ ଏହା ପରିବେଷଣ କରି ଥାନ୍ତି । ଢାପ , ପୋଢ ସିଙ୍ଘ, ନିଶାନ,ଟିମିକିଡି ଭଳି ବାଦ୍ୟ ଯନ୍ତ୍ର ଏଥିରେ ବ୍ୟବହୃତ ହୋଇଥାଏ । ଆଦିବାସୀ ସଂସ୍କୃତି ରେ ଏହା ଏକ ଅନନ୍ୟ ନୃତ୍ୟ ଶୈଳୀ ।
  11. ସଲପ୍ ନିଶାନ :-୧୮ /୨୦ ଜଣ କନ୍ଧ ଆଦିବାସୀ କଳାକାର ଏହି ସଙ୍ଗୀତ ପରିବେଷଣ କରିଥାନ୍ତି ; ବିଶେଷ କରି ପୋଢମରା ପର୍ବ , ଚଇତ ପର୍ବ , ନୂଆଖାଇ ଇତ୍ୟାଦି ପର୍ବ ପର୍ବାଣି ରେ ଏହା ଦେଖିବାକୁ ମିଳେ । କନ୍ଧ ଆଦିବାସୀ ମାନଙ୍କ ର ଏହା ଏକ ବଶେଷ ସଂସ୍କୃତିକ ପରମ୍ପରା ।
  12. ଢାପ୍ :-ଏହି ଲୋକ ନୃତ୍ୟ ରେ ୧୬/୧୮ ପୁରୁଷ ଓ ସ୍ତ୍ରୀ ମିଶିକରି ସମୂହ ନୃତ୍ୟ ନାଚି ଥାନ୍ତି । ଏହା ଏକ ପ୍ରେମ ବିନିମୟ ନୃତ୍ୟ । ସେମାନେ ପରସ୍ପର ମଧ୍ୟରେ ପ୍ରେମ ଆଦାନ ପ୍ରଦାନ କରି ଥାନ୍ତି । ଏହି ନୃତ୍ୟ ମାଧ୍ୟମ ରେ ଢାପ୍ ଏକ ବିଶେଷ ଉପକରଣ ରେ ତିଆରି ହୋଇ ଥାଏ ଯାହାକି ନାଚ ରେ ବ୍ୟଭହୃତ ହୋଇଥାଏ । ଆଦିବାସୀ ସଂସ୍କୃତି ର ଏହା ଏକ ନିଆରା ନୃତ୍ୟ ।
  13. ସୁଆଙ୍ଗ :-୧୫ /୨୦ ଜଣ କଳାକାର ଏହି ନାଚ କରି ଥାନ୍ତି । ଏହା ଏକ ଲୋକ ନାଟ୍ୟ , ଯାହା ବିଭିନ୍ନ ପୌରଣିକ କଥା ଉପରେ ଆଧାରିତ । ଏହା ଏକ ଗିତୀନାଟ୍ୟ ଆକାର ରେ ବିଶେଷ କରି ସନ୍ଧ୍ୟ ସମୟ ରେ ପରିବେଷଣ ହୋଇଥାଏ । ବିଶେଷ କରି ଦଶହରା, ବିଭାଘର ଏବଂ ଜନ୍ମ ଦିନ ଭଳି ସମୟ ରେଏହି ନୃତ୍ୟ ପରିବେଷଣ ହୋଇଥାଏ । ଏହା ୬/୮ ଘଣ୍ଟା ପର୍ଯ୍ଯନ୍ତ ଚାଲିଥାଏ ।
  14. ବରିଆ :-୧୨/୧୪ ଜଣ ବିଶେଷ କରି ଅବିବାହିତ ଝିଅ ମାନେ ଏହି ଗୀତ ଗାଇଥାନ୍ତି ( ପଦ୍ୟାନ୍ତର ) । ଗୀତ ମଧ୍ୟମ ରେ ପ୍ରଶ୍ନ ଓ ଉତ୍ତର ଦୁଇ ଗୋଷ୍ଟି ମଧ୍ୟରେ ଆଦାନ ପ୍ରଦାନ ହୋଇଥାଏ । ଗାଁ ଅଞ୍ଚଳ ରେ ଏହା ଏକ ମନୋରଞ୍ଜନ ଧର୍ମି ଲୋକ ପରମ୍ପରା ।
  15. ଶଂଙ୍ଖ ବାଦ୍ୟ:-୧୨/୧୪ ଶଂଖୁଆ ବିଭିନ୍ନ ଶୁଭ କାର୍ଯ୍ୟ ତଥା ସାମାଜିକ ଅନୁଷ୍ଠାନ ସମୟରେ ଶଂଙ୍ଖ ବଜାଇଥାନ୍ତି ।
  16. ଘଣ୍ଟ ବାଦ୍ୟ :- ୧୬/ ୨୦ ଘଣ୍ଟଟୁଆ ବିଭିନ୍ନ ଶୁଭ କାର୍ଯ୍ୟ ତଥା ସାମାଜିକ ଅନୁଷ୍ଠାନ ସମୟରେ ଘଣ୍ଟ ବଜାଇଥାନ୍ତି ।
  17. ସଂକିର୍ତନ :-୨୦/୩୦ ଜଣ ପୁରୁଷ କଳାକାର ଖୋଳ, ଗିନି, ଘୁଙ୍ଗୁର ଇତ୍ୟାଦି ପରିଥାନ ପୁ୍ର୍ବକ ବିଭିନ୍ନ ଶୁଭ କାର୍ଯ୍ୟ ସମୟରେ ସଂକିର୍ତନ କରିଥାନ୍ତି । ବିଶେଷ କରି ଧାର୍ମିକ ଅନୁଷ୍ଠାନ ଗୁଡିକରେ ନାମ ଯଜ୍ଞ ସମୟରେ ଏହା ପରିବେଷଣ କରାଯାଇଥାଏ ।
  18. ପାଲା:-୪/୬ ଜଣ କଳାକାର ମିଶି କରି ପାଲା ପରିବେଷଣ କରିଥାନ୍ତି । ଏଥିରେ ପାଲା ଗାୟକ , ବୟାକ , ପାଳିଆ ପ୍ରଭୃତି ମୃଦଙ୍ଗ ଗିନି , ଚମର ଓ ଝାଞ୍ଜ ଧରି ବିଭିନ୍ନ ପୌରଣିକ ଓ ଐତିହାସିକ କଥା ବିଷୟ ବସ୍ତୁ ଉପରେ ପରିବେଷଣ କରିଥାନ୍ତି ।
  19. ଦାଶକାଠିଆ :-ଦାଶକାଠିଆ ଦୁଇଜଣ ପୁରୁଷ ବିଭିନ୍ନ ପୌରଣିକ ଓ ଐତିହାସିକ କଥା ଉପରେ ଆଧାରିତ ବିଷୟ ମାନ ପଦ୍ୟ ମାଧ୍ୟମରେ ପରିବେଷଣ କରନ୍ତି । ଏଥିରେ ଦୁଇଟି କାଠି କୁ ବାଦ୍ୟ ଯନ୍ତ୍ର ଭାବେ ବ୍ଯବହୃତ କରାଯାଇଥାଏ ।
  20. ରାହାସ :-ରାସ ପୂର୍ଣମୀ , ଦୋଳ ପୂର୍ଣମୀ, ଜନ୍ମାଷ୍ଟମୀ ରେ ୨୦/୩୦ ଜଣ ପୁରୁଷ ଓ ସ୍ତ୍ରୀ ଶ୍ରୀକୃଷ୍ଣ ଙ୍କର ରସ ଲିଳା ବିଷୟରେ ପରିବେଷଣ କରିଥାନ୍ତି । ସଂକିର୍ତନ ର ଅନ୍ୟ ଶୈଳୀ କହିଲେ ଅଚ୍ୟୁକ୍ତି ହେବ ନାହିଁ ।

ହସ୍ତଶିଳ୍ପ

କାଠ ଶିଳ୍ପ କାମ

କଳାହାଣ୍ଡି ତାର ଅଦ୍ଵିତୀୟ କାଠ ଖୋଦାଇ ମୂର୍ତ୍ତି କାମ ପାଇଁ ପ୍ରାସିଦ୍ଧ । ଏଠାରେ ମୁଖ୍ୟତଃ ସାଗୁଆନ କାଠ ଗଣ୍ଡି ଓ ଚେର ରୁ ସୁନ୍ଦର ସୁନ୍ଦର ମୂର୍ତ୍ତି ଓ ପ୍ରତିମୂର୍ତ୍ତି ସବୁ ତିଆରି କରାଯାଇଥାଏ ।

ଯଥା ଗଣେଷ , ଲକ୍ଷ୍ମୀ , ଗଣ୍ଡାର ,ହାତୀ , ଷଣ୍ଢ ଇତ୍ୟଦି  ବହୁ ପ୍ରକାର କାଠ ମୂର୍ତ୍ତି । ରାଜ୍ୟ ଓ ରାଜ୍ୟ ବାହାରକୁ ଏହି ସବୁ ମୂର୍ତ୍ତି ର ରପ୍ତାନି ମଧ୍ୟ ହୋଇଥାଏ ।

ଏହି ଖୋଦାଇ କାମ ପ୍ରଶିଖିତ କଳାକାର ଙ୍କ ଦ୍ଵାରା ହୋଇଥାଏ । ମୁଖ୍ୟତଃ ଖାଇରପଦର , ଧର୍ମଗଡ , ରେଙ୍ଗାଲପାଲ୍ଲୀ , ଜୟପାଟଣା ଓ ଭବାନୀପାଟଣା ଭଳି ଜାଗାରେ ଏହି କାମ ଦେଖିବାକୁ ମିଳେ ।

ପୋଡା ମାଟି ମୂର୍ତ୍ତି କାମ

ଟେରାକୋଟା ବା କୁମ୍ଭାର ଙ୍କ ଦ୍ଵାରା ପୋଡା ମାଟି ମୂର୍ତ୍ତି ।

ପାରମ୍ପାରିକ ଅନୁସାରେ ଓଡିଶା ରେ ସାଧାରଣତଃ ଦେବୀ ପୀଠରେ ଟେରାକୋଟା ମୂର୍ତ୍ତି ସବୁ ଦେଖିବାକୁ ମିଳିଥାଏ ।

ପାରମ୍ପରିକ ସହିତ ଆଧୁନିକ ମୂର୍ତ୍ତି ଓ ଘରୋଇ ଉପକରଣ ସବୁ ତିଆରି ହୋଇଥାଏ ।

ପଥର ଖୋଦାଇ କାମ

ପଥର ଖୋଦାଇ କାମ କଳାହାଣ୍ଡି ର ଗୋଟିଏ ମୁଖ୍ୟ ଶିଳ୍ପ ।

କନ୍ଧଗୁଡା ନାମକ ଏକ ସାହି ଯେଉଁଥିରେ ପ୍ରାୟ ୬୦ ପାରିବାରିକ କୌଳିକ ବୃତ୍ତି ଦ୍ଵାରା କିମ୍ବା ତାଲିମ ପ୍ରାପ୍ତ କାରିଗର ଏହି କାମ କରିଥାନ୍ତି ।

ସେମାନେ ବିଭିନ୍ନ ଦେବା ଦେବୀ ଙ୍କ ମୂର୍ତ୍ତି ଠାରୁ ଆରମ୍ଭ କରି ବିଭିନ୍ନ ଘରୋଇ ଉପକରଣ ଓ ଘର ସଜାଇବା ଜିନିଷ ମଧ୍ୟ କରିଥାନ୍ତି ।

ପାରମ୍ପରିକ ସହିତ ଆଧୁନିକ ମୂର୍ତ୍ତି ଓ ଘରୋଇ ଉପକରଣ ସବୁ ତିଆରି ହୋଇଥାଏ ।

ବାଉଁଶ ଶିଳ୍ପ କାମ

ବାଉଁଶ କେବଳ ଯେ ମଜୁଭୂତ ଓ ହାଲୁକା ପାଇଁ ପ୍ରସିଦ୍ଧ ନୁହେଁ , ଏହା ପରିବେଶ ମିତ୍ର ମଧ୍ୟ ଅଟେ ।

ନର୍ଲା, କର୍ଲାପାଟ ର ବାଉଁଶ ଶିଳ୍ପୀ ମାନେ ବିଭିନ୍ନ ଘରୋଇ ଉପକରଣ ଓ ଘର ସଜାଇବା ଜିନିଷ ବାଉଁଶ ରେ କରିଥାନ୍ତି ।

ଚୂଡ଼ା ପାହାଡ ର ପାଦ ଦେଶରେ ଥିବା ପହରିଆ ପଡା ର ଅଧିବାସୀ ବାଉଁଶ କୁ ନେଇ ବିଭିନ୍ନ ଉପକରଣ ପ୍ରସ୍ତୁତି କରନ୍ତି । ଏହା ଏହି ଅଧିବାସୀ ମାନଙ୍କ କୌଳିକ ବୃତ୍ତି ।

ସ୍ୱାସ୍ଥ୍ୟ

କରୋନା ଭୂତାଣୁର ସଂକ୍ରମଣରେ ବିଶ୍ଵର ଅଧିକାଂଶ ଦେଶ ସଂକ୍ରମିତ ହୋଇସାରିଛନ୍ତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ଏକ ଜରୁରୀକାଳୀନ ଜନସ୍ଵାସ୍ଥ୍ୟ ସମସ୍ୟା ଭାବରେ ଘୋଷଣା କରିଛନ୍ତି । ଏଥିପାଇଁ ସଚେତନତା ତଥା ପ୍ରତିଷେଧକ ଉପାୟ ଆପଣେଇବା ହିଁ ଏକନ୍ତ ଜରୁରୀ । କାର୍ଯ୍ୟସ୍ଥଳୀରେ ଏକାଧିକ ବ୍ୟକ୍ତି କାମ କରୁଥିବା ବେଳେ ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏହାର ପ୍ରତିରୋଧ ପାଇଁ ପ୍ରତ୍ୟେକ କାର୍ଯ୍ୟସ୍ଥଳୀରେ ପ୍ରତିଷେଧକ ଉପାୟ ଅବଲମ୍ବନର ବିଶେଷ ଆବଶ୍ୟକତା ଅଛି ।

ଆଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ବିଭିନ୍ନ ଶାଖା ଓ ତାର ବିବରଣୀ

ସଂଗଠନର ବିବରଣୀ, କାର୍ଯ୍ୟ ଓ କର୍ତ୍ତବ୍ୟ

ଜିଲ୍ଲାପାଳ ଯେ କୌଣସି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ଅଟନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହା ଏଭଳି ଏକ ସଂଗଠନ ଯାହାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ପ୍ରଶାସନିକ କାର୍ଯ୍ୟାବଳୀ ସମାହିତ କରିବାରେ ଜିଲ୍ଲାପାଳଙ୍କୁ ସହାୟତା କରିବା ସହିତ ପ୍ରଶାସନ ଜନତା ତଥା ସରକାରଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବା ଅଟେ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କଳାହାଣ୍ଡିରେ ଅନେକ ସାଂଗଠନିକ ବିଭାଗ ରହିଛି ଯାହା ବହୁବିଧ କାର୍ଯ୍ୟର ବିକୈନ୍ଦ୍ରୀକରଣ ପୂର୍ବକ ଏହାର ସୂଚାରୁ ସଂପାଦନା କରିଥାଏ ।

ସାଧାରଣ ଏବଂ ବିବିଧ ଶାଖା

ଏହି ଶାଖା ସାଧାରଣତଃ ଜନଗଣନା (କୃଷି ତଥା ପଶୁଗଣନା ମଧ୍ୟ), ଜିଲ୍ଲା ତଥା ରାଜ୍ୟ ମୁଖପତ୍ର, ସ୍ଵାଧୀନତା ସଂଗ୍ରାମୀ ସମନ୍ଧୀୟ ଭତ୍ତା, ଜନଅଭିଯୋଗ ପତ୍ର, ସରକାରୀ ତଥା ରାଜସ୍ଵ ଆବାସ ଗୁଡ଼ିକର ଆବଣ୍ଟନ, ସରକାରୀ ଛୁଟି ତଥା ଉତ୍ସବ ପାଳନ, କାର୍ଯ୍ୟଳୟସ୍ଥ ବିଭାଗ ଗୁଡ଼ିକର ଅନୁକ୍ଷଣ ପତ୍ର, ସାଂଗଠନିକ ନିୟମାବଳୀ, କେନ୍ଦ୍ରୀୟ ପତ୍ରସୂଚ଼ନା ତଥା ବିନିମୟ ଏବଂ ସହରାଞ୍ଚଳ ସ୍ଥାନୀୟ ବିକାଶ ସଂସ୍ଥା ସମ୍ବନ୍ଦୀୟ କାର୍ଯ୍ୟାବଳୀର ନିରୀକ୍ଷଣ ତଥା ସଂପାଦନା କରିଥାଏ । ରାଜ୍ୟକୁ ଏକ ସୂବିଧାପ୍ରଦାନକାରୀ ରୂପେ ପରିଗଣିତ କରାଇବା ଏହି ଶାଖାର ମୁଖ୍ୟ ଉଦ୍ଦେଶ୍ୟ ।

ଜଣେ ସରକାରୀ ଜିଲ୍ଲାପାଳଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏବଂ ଜଣେ ମୁଖ୍ୟ କିରାଣୀ, ଜଣେ ବରିଷ୍ଠ କିରାଣୀ, 4 ଜଣ କନିଷ୍ଠ କିରାଣୀ ଏବଂ ଜଣେ ପିଅନଙ୍କ ଦ୍ଵାରା ଏହି ଶାଖା ପରିଚାଳିତ ହୋଇଆସୁଅଛି ।

ନ୍ୟାୟିକ ଶାଖା

ସାଧାରଣ ତଥା ଫୌଜଦାରୀ ଆଇନ, ତତ୍ ସଂର୍ପକୀୟ ନ୍ୟାୟବସ୍ଥାର ପ୍ରତିପାଳନ, ମହିଳା ତଥା ଶିଶୁ ଏବଂ ସାମାଜିକ ଆନୁନ୍ନତ ବର୍ଗଙ୍କ ସୁରକ୍ଷା ଏବଂ ତତ୍ ସମ୍ବନ୍ଧୀୟ ବିଧିବ୍ୟବସ୍ଥା, ଅସ୍ତ୍ରଶସ୍ତ୍ର ଆଇନ ଏବଂ ଏହାର କାର୍ଯ୍ୟକାରିତା, ଚ଼ଳଚିତ୍ର ପ୍ରସାରଣ ସମ୍ବନ୍ଧୀୟ ନିୟମ, ଶ୍ରମିକ ତଥା କର୍ମଚାରୀଙ୍କର ଅନୁକମ୍ପା ସମ୍ବନ୍ଧୀୟ ନିୟମ, ବିଷ୍ପୋରକ ସଂପର୍କୀୟ ଆଇନ, ଷ୍ଟାମ୍ପ ନିୟମ, ଆଇନ ସହାୟତା ତଥା ହିଂସ୍ର ପଶୁଙ୍କର ସୁରକ୍ଷା ସଂପର୍କିତ ନାନାଦି ନିୟମ କାନୁନ ଏହି ଶାଖାରେ କାର୍ଯ୍ୟକାରୀ କରାଯାଇଥାଏ ।
ଏହି ଶାଖା ମଧ୍ୟ ଜଣେ ସହକାରୀ ଜିଲ୍ଲାପାଳଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟ କରିଥାଏ । ଏତତ୍ ଭିନ୍ନ ଏଠାରେ ଜଣେ ବରିଷ୍ଠ କିରାଣୀ 2 ଜଣ କନିଷ୍ଠ କିରାଣି ଏବଂ ଜଣେ ପିଅନ କାର୍ଯ୍ୟରତ ।

ସରକାରୀ ବିଧିବ୍ୟବସ୍ଥାରେ ବିକାଶର ପ୍ରଧାନ୍ୟ ଅଥିକ ଏବଂ ଭୂ- ଅଧିଗ୍ରହଣ ଶାଖା

ଜିଲ୍ଲାରା ଭୂ-ଅଧିଗ୍ରହଣ ସମ୍ବନ୍ଧୀୟ ନାନାଦି କାର୍ଯ୍ୟାବଳୀର ସୂଚାରୁ ସଂପାଦନା କରିଥାଏ । ଜଣେ ବରିଷ୍ଠ କିରାଣୀ, ଦୁଇଜଣ ରାଜସ୍ଵ କ୍ଷେତ୍ର ଅଧିକାରୀ ତଥା ଜଣେ ଅମିନ ବିଭିନ୍ନ ସମୟରେ ସରକାରଙ୍କ ଦ୍ଵାରା ପ୍ରଣୀତ ଭୂ – ଅଧିଗ୍ରହଣ ନିୟମାବଳୀ ଯଥା- ଭୂ – ଅଧିଗ୍ରହଣ ନିୟମ (1894), ଭୂ-ଅଧିଗ୍ରହଣରେ ସ୍ଵଚ୍ଛତା, ଯୁକ୍ତିଯୁକ୍ତ କ୍ଷତିପୂରଣ ତଥା ପୁନଃ ଥଇଥାନର ଅଧିକାର ଆଇନ 2013 ଇତ୍ୟାଦି ।

ଜିଲ୍ଲା ଜରୁରୀ କାଳୀନ ଶାଖା

କାର୍ଯ୍ୟାଳୟର ସାଂଗଠନିକ ଦୃଷ୍ଟିରୁ ଏବଂ ପ୍ରଶାସନିକ କାର୍ଯ୍ୟଧରା ପରିପ୍ରେକ୍ଷୀରୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଶାଖା ଅଟେ । ଏହି ଶାଖାର ଜିଲ୍ଲାର ନିତିଦିନିଆ ଅବସ୍ଥା ଯଥା- ବର୍ଷାର ମାତ୍ରା, ପରିମାଣ ଇତ୍ୟାଦିର ହିସାବ ପ୍ରଦାନ କରିଥାଏ । ଏତଦ୍ ଭିନ୍ନ ରେଡକ୍ରସ ତଥା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ବିଭିନ୍ନ ପ୍ରକାର ସହାୟତା ମଧ୍ୟ ଏହି ଶାଖାରେ ପ୍ରଦାନ କରାଯାଇଥାଏ । ବିଭିନ୍ନ ପ୍ରକାର ଅନୁକମ୍ପାମୂଳକ ସହାୟତା ଯଥା- ପାଣିରେ ବୁଡ଼ିବା ଜନିତ, ଦୁର୍ଘଟଣା, ସର୍ପାଘାତ ଜନିତ, ବାତ୍ୟା, ବନ୍ୟା ମରୁଡ଼ି, ଭୂ-କମ୍ପ ସୁନାମୀ, ଡ଼ଙ୍ଗାବୁଡି ଅତ୍ୟାଦି ମଧ୍ୟ ଏହି ଶାଖାରେ ସଂପାଦିତ ଏବଂ ପ୍ରଦାନ କରାଯାଇଥାଏ । ରାଜ୍ୟ ସରକାରଙ୍କର ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ର ଜିଲ୍ଲାର ଶାଖା ଏହି ଶାଖାରେ କାର୍ଯ୍ୟ କରିଥାଏ ।
ଏହି ଶାଖା ଜଣେ ସହକାରୀ ଜିଲ୍ଲାପାଳଙ୍କ ଦ୍ଵାରା ପରିଚାଳିତ ହୋଇଥାଏ । ଏତଦ୍ ବ୍ୟତୀତ ଏଠାରେ ଜଣେ ବରିଷ୍ଠ କିରାଣୀ, ଜଣେ ମୁ୍ଖ୍ୟ କିରାଣୀ ଏବଂ ଦୁଇଜଣ କନିଷ୍ଠ କିରାଣୀ ମଧ୍ୟ କାର୍ଯ୍ୟ କରୁଛନ୍ତି ।

ସଂସ୍ଥା ଶାଖା

ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ସଂସ୍ଥା ଶାଖାର ସ୍ଥାନ ସର୍ବାଗ୍ରେ । ସଂଗଠନର ପ୍ରତ୍ୟକଟି କର୍ମଚାରୀଙ୍କର କାର୍ଯ୍ୟ ଚିଠା ଏହି ଶାଖାରେ ସମାହିତ ହୋଇଥାଏ । ଜିଲ୍ଲା ସ୍ତରୀୟ ଅନ୍ୟାନ କାର୍ଯ୍ୟାଳୟର କାର୍ଯ୍ୟଧାରା ସଂପର୍କିତ ନିୟମ କାନୁନ ତଥା ନିର୍ଦ୍ଦେଶନାମା ଏହି ଶାଖାରୁ ହୋଇଥାଏ । ଏହା ଚ଼ତୁର୍ଥ ଶ୍ରେଣୀଠାରୁ ନେଇ ବିଭିନ୍ନ ବର୍ଗର କିରାଣୀ, ଦ୍ବିତୀୟ ଏବଂ ପ୍ରଥମ ଶ୍ରେଣୀ ପଦାଧିକାରୀ ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାକାଳ ସମ୍ବନ୍ଧିତ ନଥିପତ୍ର, କର୍ମଚାରୀଙ୍କ ଦରମା, ଭତ୍ତା, ପେନସନ୍, ବଦଳି ଏବଂ ଚାକିରୀରେ ପ୍ରବେଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ବିଭିନ୍ନ ପ୍ରକାର ପ୍ରଶାସନିକ ନ୍ୟାୟିକ କେଶ୍ ଇତ୍ୟାଦି କାର୍ଯ୍ୟର ସଂପାଦନ କରିଥାଏ ।

ଜଣେ ସହକାରୀ ଜିଲ୍ଲାପାଳ ଏହି ଶାଖାର କାର୍ଯ୍ୟାଭାରର ଦେଖାରେଖା କରିଥାନ୍ତି । ତାଙ୍କୁ ସାହାଯ୍ୟ କରିବା ନିମିତ୍ତ ଏହି ଶାଖାରେ ଜଣେ ମୁଖ୍ୟ କିରାଣୀ, ତିନି ଜଣ ବରିଷ୍ଠ ଏବଂ ଦୁଇଜଣ କନିଷ୍ଠ କିରାଣୀ ଏଂ ଜଣେ ପିଅନ ଅଛନ୍ତି ।

ବିକାଶ ଶାଖା

ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗ ଯଥା- ଗୃହ ଏବଂ ରାସ୍ତାନିର୍ମାଣ, କୃଷି ସମବାୟ, ମୃତ୍ତିକା ସଂରକ୍ଷଣ, ଉଦ୍ୟାନ କୃଷି, ଶିଳ୍ପ, ପଶୁ ପାଳନ, ଶିକ୍ଷା, ସ୍ଵାସ୍ଥ୍ୟ, ପଞ୍ଚାୟତ ଇତ୍ୟାଦିର ବିଭିନ୍ନ କାର୍ଯ୍ୟ ତଥା ଯୋଜନାର କାର୍ଯ୍ୟ କାରିତାର ଅନୁକ୍ଷଣ ଏହି ଶାଖା କରିଥାଏ ।

ତୌଜି ଶାଖା

ଜିଲ୍ଲା ଅନ୍ତର୍ଗତ 13 ଟି ତହସିଲର ରାଜସ୍ଵ ଅଦାୟ, ବିଭିନ୍ନ ତହସିଲ ସମ୍ବନ୍ଧୀୟଖାତା ଏବଂ ଚିଠାରେ ରୂପାୟନ ଓଡିଶା ଲଘୁ ଖଣିଜ ଦ୍ରବ୍ୟ ଆଇନ ଏବଂ ତତ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟର ସମୀକ୍ଷା ଏବଂ କାର୍ଯ୍ୟ ଏହି ଶାଖାରେ ସଂପାଦିକ ହୋଇଥାଏ ।

ଜିଲ୍ଲା ଭୂ- ଅଭିଲେଖାଗାର

ଜିଲ୍ଲାର ସମସ୍ତ ୧୩ ବ୍ଲକ ତହସିଲର ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟର ନଥି ପତ୍ର ତଥା ଅଭଲେକସବୁର ସଂଗ୍ରହ ତଥା ସଂରକ୍ଷଣ ଏହି ଶାଖାରେ ହୋଇଥାଏ। ଜଣେସହକାରୀ ଜିଲ୍ଲାପାଳଙ୍କସହିତ ଜଣେ ମୁଖ୍ୟକିରାଣୀ, ଜଣେ ବରିଷ୍ଟ କିରାଣୀ, ଜଣେ କନିଷ୍ଠ କିରାଣୀ ଏବଂ ଜଣେ ପିଅନ ଏହି ଶାଖାରେ ନିୟୋଜିତ ଅଛନ୍ତି ।

ରାଜସ୍ଵ ଶାଖା

ଜିଲ୍ଲାର ରାଜସ୍ଵ, ଜମି ଜମା ତଥା ତତ୍ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟାବଳୀର ସଂପାଦନା ରାଜସ୍ଵ ଶାଖାରେ ସମ୍ପନ୍ନ ହୋଇଥାଏ । ସରକାରଙ୍କଠାରୁ ବିଭିନ୍ନ ସମୟରେ ଆସୁଥିବା ରାଜସ୍ଵ ନୀତି, ନିୟମ, ବ୍ୟବସ୍ଥା ସମ୍ପର୍କୀୟ ନିୟମାବଳୀର କାର୍ଯ୍ୟାନୁକରଣ, ରାଜସ୍ଵ ବ୍ୟବସ୍ଥା ଅନ୍ତର୍ଗତ ସମସ୍ତ କାର୍ଯ୍ୟାଳୟ ଗୁଡ଼ିକର ସମୀକ୍ଷା, ତଥା ମାସିକ ରାଜସ୍ଵ ଅଧିକାରୀ ବୈଠକର ଭାର ଏହି ଶାଖା ଉପରେ ନ୍ୟସ୍ତ ଅଟେ ।

ଏହି ଶାଖାରେ ଜଣେ ସହକାରୀ ଜିଲ୍ଲାପାଳ, ଜଣେ ମୁଖ୍ୟ କିରାଣୀ, ଦୁଇଜଣ ବରିଷ୍ଠ କିରାଣୀ ଏବଂ ଜଣେ କନିଷ୍ଠ କିରାଣୀ ସହ ଜଦଣେ ପିଅନ କାର୍ଯ୍ୟରତ ।

ନିଜାରତ ଶାଖା

ଜିଲ୍ଲାପାଳଙ୍କର କାର୍ଯ୍ୟାଳୟର ସମସ୍ତ ଆର୍ଥିକ ଜମା ପୁଞ୍ଜିରହିସାବ ଏହି ଶାଖାରେ ସମାପନ ହୋଇଥାଏ । ରାଜସ୍ଵ ବିଭାଗ ବଙ୍ଗଳା, ପ୍ରଦକ୍ଷଣ ଗୃହ, ବିଶ୍ରାମ ଗୃହ ଗୁଡ଼ିକର ରକ୍ଷଣାବେଷଣର ଭାର ମଧ୍ୟ ଏହି ଶାଖା ଉପରେ ନ୍ୟସ୍ତ । କାର୍ଯ୍ୟଳୟସ୍ଥ ବିଭିନ୍ନ ଶାଖାର ରକ୍ଷଣାବେକ୍ଷଣ ତଥା ଦରକାରୀ ଏଙି ଶାଖାରେ ସମ୍ପନ୍ନ ହୋଇଥାଏ ।

ଜିଲ୍ଲା ନିର୍ବାଚ଼ନ କାର୍ଯ୍ୟାଳୟ-ଶାଖା

ଜିଲ୍ଲା ନିର୍ବାଚ଼ନ କାର୍ଯ୍ୟାଳୟ ସାଧାରଣ ନିର୍ବାଚ଼ନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ, ନୀତିନୟମ ତଥା ବିଧିବ୍ୟବସ୍ଥାର ତଦାରଖ କରିଥାଏ । ରାଜ୍ୟ ତଥା କେନ୍ଦ୍ର ନିର୍ବାଚ଼ନ ଆୟୋଗଙ୍କ ଦ୍ଵାରା ସମୟାନୁଯାୟୀ ପ୍ରଦତ୍ତ ସୂଚ଼ନାର ସଠିକ ରୂପାନ୍ତରଣ ଭାର ଏହି ଶାଖା ଉପରେ ନ୍ୟସ୍ତ ଅଟେ । ଜଣେ ସହକାରୀ ଜିଲ୍ଲାପାଳ, ଜଣେ ବରିଷ୍ଠ କିରାଣୀ, ଜଣେ ମୁଖ୍ୟ କିରାଣୀ, ଜଣେ କନିଷ୍ଠ କିରାଣୀ ଏବଂ ଜଣେ ପିଅନ ଏହି ଶାଖାରେ କାର୍ଯ୍ୟରତ ଅଟନ୍ତି ।

ଆପଦ ପ୍ରବନ୍ଧନ

ଓଡିଶା ରାଜ୍ୟ ବିପର୍ଯୟ ପରିଚାଳନା କତୃପକ୍ଷ

ବିପର୍ଯୟ ପ୍ରଶମନ କ୍ଷେତ୍ରରେଏକ ନୂତନ ଦିଗନ୍ତ . . . ନୂତନ ଆଶା ର ସମ୍ଭାର ।

  • ବିପର୍ଯୟ ପରିଚାଳନା କ୍ଷେତ୍ରରେ ଲାଇନ ବିଭାଗ ସହ ସମନ୍ଵୟ ସ୍ଥାପନ ।
  • ଦ୍ଵି-ପାକ୍ଷିକ ଏବଂ ବହୁ- ପାକ୍ଷିକ ବିତ୍ତୀୟ ସଂସ୍ଥା ସହ ଅନୁବନ୍ଧନ
  • U N ଏଜେନ୍ସି, ଅନ୍ତର୍ଜାତିକ, ଜାତୀୟ ଏବଂ ରାଜ୍ୟ ସ୍ତର ର NGOS ମାନଙ୍କ ସହ ଯୋଗସୂତ୍ର ସ୍ଥାପନ।
  • ବିପର୍ଯୟ ପରିଚାଳନା କ୍ଷେତ୍ର ରେ ସମ ସାମୟିକ ଅନୁଷ୍ଠାନ ମାନଙ୍କ ସହ ଅନୁବନ୍ଧନ।
  • ନିୟନ୍ତ୍ରଣ କକ୍ଷ ନମ୍ବର
  • ରାଜ୍ୟ ଜରୁରୀ ଅପାତକାଳୀନ ଇଓସି (ଭୁବନେଶ୍ବର ) ନି ଶୁକ୍ଳ ନମ୍ବର – ୧୦୭୦
  • ଅନ୍ୟ ଫୋନ -୦୬୭୪ – ୨୩୯୫୩୯୮ , ୨୩୯୫୫୩୧
  • ଫକ୍ସ -୨୩୯୧ ୮୭୧
  • ଜିଲ୍ଲା ଜରୁରୀ ଅପାତକାଳୀନ ଇଓସି( ଭୁବନେଶ୍ବର) – ୦୬୬୭୦- ୨୩୦୪୪୫

ପର୍ଯ୍ୟଟନ ସ୍ଥାନ

ଡୋକରିଚଞ୍ଚରା

କଳାହାଣ୍ଡି ଜିଲ୍ଲା ଓଡିଶା ର ଏକ ପୁରାତନ ତଥା ଐତିହ ସମ୍ପନ୍ନ ସ୍ଥାନ ଅଟେ । କଳାହାଣ୍ଡି ର ଅନେକ ପର୍ଯ୍ୟଟନ ସ୍ଥଳୀ ମାନଙ୍କ ଠାରୁ , ଏକ ଅନନ୍ୟ ଓ ସମ୍ପୂର୍ଣ ଭିନ୍ନ ପର୍ଯ୍ୟଟନ ସ୍ଥଳୀ ହେଉଛି ଡୋକରୀଚଞ୍ଚରା । କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଓ ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ବର୍ତ୍ତୀ ଅଞ୍ଚଳ ରେ ଏହା ଅବସ୍ଥିତ । ଡୋକରୀଚଞ୍ଚରା ରେ ଥିବା ଦୁଇଟି ପ୍ରମୁଖ ଜଳପ୍ରପାତ ପାଇଁ ଏହା ସାରା ଜିଲ୍ଲାରେ ପ୍ରସିଦ୍ଧ । ଗୋଟିଏ ହେଲା ଡୋକରୀଦର ଓ ଅନ୍ୟଟି ଭାନ୍ୟର ଘୁମର (ଦା ଭୈରବଦର) । ଏତଦ୍ ବ୍ୟତୀତ ଏହା ପାଖରେ ଥିବା ପ୍ରାକ ଐତିହାସିକ ଯୁଗର ଗୁଡାହାଣ୍ଡି ଗୁମ୍ଫା ଏହି ପର୍ଯ୍ୟଟନ ସ୍ଥଳୀ କୁ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି । ଗୁଡ ରେ ପରିପୂର୍ଣ ହାଣ୍ଡି ପରି ଦେଖାଯାଉଥିବାରୁ ଏହି ଗୁମ୍ଫାର ନାମ କରଣ ଏହି ପରି ହୋଇଛି ବୋଲି କିମ୍ବଦନ୍ତୀ କୁହେ ।

ଏହି ଗୁଡହାଣ୍ଡି ଗୁମ୍ଫାର ବିଶେଷତ୍ଵ ହେଉଛି ଏଥିରେ ଅବିଷ୍କୃତ ହୋଇଥିବା ପ୍ରାକ ଐତିହାସିକ ଯୁଗର ବିଭିନ୍ନ ଚିତ୍ର, ଶିଳାଲେଖ ତଥା ଗୁମ୍ଫାର କାନ୍ଥ ଗୁଡିକରେ ଖୋଦିତ ହୋଇଥିବା ବିଭିନ୍ନ ଚିତ୍ର । ଡ଼ୋକରୀଚଞ୍ଚରା ପରିବେଶ ମଧ୍ୟରେ ଥିବା ଏକ ପୁରାତନ ତଥା ପ୍ରାଚୀନ ଶ୍ରୀରାମ ମହାପ୍ରଭୁଙ୍କ ମନ୍ଦିର ଏହି ସ୍ଥଳୀ କୁ ଅଧ୍ୟାତ୍ମିକତାର ଏକ ବିଶେଷ ମାନ୍ୟତା ପ୍ରଦାନ କରିଛି । ପ୍ରତି ବର୍ଷ ଏହି ରାମ ମନ୍ଦିର ପରିସର ରେ ଶ୍ରୀ ରାମ ନବମୀ ମହୋତ୍ସବ ନଅ ଦିନ ଧରି ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ ।

ଏଠାରେ ଥିବା ଡ଼ୋକରୀଦର ଜଳପ୍ରପାତ ୨୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏବଂ ଏହି ଜଳ ଧାରା ର କଡେ କଡେ ଗଲେ ୨ କିମି ଯିବା ପରେ ପ୍ରସିଦ୍ଧ ଭାନ୍ୟରଘୁମର ( ବା ଭୈରବ ଧର ) ଜଳ ପ୍ରପାତ ଅଛି ଯାହା କି ୧୫୦ ଫୁଟ ଉଚ୍ଚ ଉପରୁ ପତିତ ହୋଇଥାଏ । କେଉଁ ଆବାହମାନ କାଳରୁ ଏହି ଅଂଚଳର ଆରାଧ୍ୟ ଦେବୀ ମା ଡ଼ୋକରୀ ଦେବୀ ଙ୍କୁ ଏହି ସ୍ଥଳୀରେ ପୂଜାର୍ଚ୍ଚନା କରାଯାଇଥାଏ । ଏହି ପର୍ଯ୍ୟଟନ ସ୍ଥଳୀ ର ବିଶେଷତ୍ଵ ହେଲା ପାଖରେ ଦଣ୍ଡାୟମାନ ହୋଇଥିବା ଯୋଗୀ ପାହାଡ଼ ଓ ରାଣୀ ପାହାଡ଼ ଯାହାକି ପ୍ରକୃତିକ ସବୁଦିମାରେ ଭରପୁର ରହିଛି ।

  • ପାଖ ରେଳ ଷ୍ଟେସନ :ଜୁନାଗଡ , ଭବାନୀପାଟଣା
  • ପାଖ ବିମାନ ବନ୍ଦର : ଭୁବନେଶ୍ଵର, ରାୟପୁର ,ବିଶାଖାପାଟଣା

କିପରି ପହଞ୍ଚିବେ : ଭୁବନେଶ୍ଵର, ରୁ ୫୫୦+କିମି ରାସ୍ତା, ବସ ଓ ରେଳ ପ୍ରତି ଦିନ ଚାଲିଥାଏ । ଭୁବନେଶ୍ଵର ରୁ ଭବାନୀପାଟଣା (କଳାହାଣ୍ଡି ଜିଲ୍ଲା ସଦର ମହକୁମା ) ଏବଂ ଭବାନୀପାଟଣା ରୁ ଭଡା ଗାଡି ଯୋଗେ କୋକସାରା ବ୍ଲକ ଦେଇ ଡୋକରିଚଞ୍ଚରା ଜଳ ପ୍ରପାତ କୁ ପହଞ୍ଚି ପାରିବେ ।

ଫୁର୍ଲିଝରଣ

ଫୁର୍ଲିଝରଣ ଭବାନୀପାଟଣା ଠାରୁ ପନ୍ଦର କିଲୋମିଟର ଦୂରରେ ଅବସ୍ଥିତ । ଏହା କର୍ଲାପାଟ ଅଭୟାରଣ୍ୟ ର ଏକ ଅଂଶ ବିଶେଷ । ଏହାର ଉଚ୍ଚତା ପ୍ରାୟ ୩୦ ଫୁଟ ।

ଏହି ଜଳ ପ୍ରପାତ ର ନିଜସ୍ୱ ସୁନ୍ଦରତା ଅଛି । ସୂର୍ଯ୍ୟ କିରଣ ପଡିଲେ ସୁନ୍ଦର ଇନ୍ଦ୍ରଧନୁ ସବୁ ଦେଖା ଯାଇଥାଏ ।

ଏହି ଜଳ ପ୍ରପାତ କୁ ଘେରି ରହିଛି ବଣ ପାହାଡ ଘେରା ଅପୂର୍ବ ମୋନହର ଦୃଶ୍ୟ । ବର୍ଷ ତମାମ ଏହି ପର୍ଯ୍ୟଟନ ସ୍ଥଳୀରେ ଓଡିଶା ରାଜ୍ୟ ର ବିଭିନ୍ନ ଜିଲ୍ଲା ମାନଙ୍କରୁ ତଥା ରାଜ୍ୟ ବାହାରୁ ଅନେକ ଲୋକ ଙ୍କ ଏଠାରେ ସମାଗମ ହୋଇଥାଏ ।

ପାଖ ରେଳ ଷ୍ଟେସନ : ଭବାନୀପାଟଣା

ଗୁଡହାଣ୍ଡି

ଗୁଡହାଣ୍ଡି ପର୍ବତ, ଖାଲିଗଡ ନାମକ ଏକ ଛୋଟ ଗ୍ରାମ ପାଖରେ ଅବସ୍ଥିତ ଯାହା ର ସୀମା ନବରଙ୍ଗପୁର ଜିଲ୍ଲା କୁ ଲାଗିଛି । ଏହା ଆମପାଣି ଠାରୁ ୧୭.୬ କିମି ଉତ୍ତର-ପୂର୍ବ ରେ ଅବସ୍ଥିତ ଏବଂ ଆମପାଣି , ଭବାନୀପାଟଣା ଠାରୁ ୭୭ କିମି ଦୂରରେ ଅବସ୍ଥିତ । ଗୁଡହାଣ୍ଡି ପର୍ବତ ରେ ପୁରାତନ ଯୁଗ ର କିଛି ଗୁମ୍ଫା ଅଛି ସେଥିରେ ଆଦିମାନବ ସଭ୍ୟତା ର କିଛି ପ୍ରସ୍ତର ଚିତ୍ର ଅଙ୍କା ହୋଇଥିବା ଦେଖିବାକୁ ମିଳି ଥାଏ । ତିନୋଟି ଛୋଟ ଗୋଲାକାର ପାହାଡ କୁ ମିଳିତ ଭାବେ ଗୁଡହାଣ୍ଡି କୁହାଯାଇଥାଏ ।

ଉତ୍ତର ଓ ଦକ୍ଷିଣ ପର୍ବତ ମାଳା ପୁର୍ବରେ ମିଶିଛି ଓ ପଶ୍ଚିମ ଦିଗରେ ଖୋଲା ସ୍ଥାନ ରହିଛି । ପୂର୍ବ କୁ ତିଖ ପଥର ସବୁ ଅଛି। ଏହାର ପାଦଦେଶରେ ପର୍ବତ ମାଳା କୁ ସାମନା କରି ଗୁମ୍ଫା ଗୁଡିକ ଧାଡି କରି ରହିଅଛି। ଉତ୍ତର ପଟର ଗୋଟିଏ ଗୁମ୍ଫା କୁ ଛାଡିଦେଲେ ଅନ୍ୟ ସମସ୍ତ ଗୁମ୍ଫା ଗୁଡିକ ଛୋଟ ଛୋଟ ଅଟେ । ଏହି ଜାଗା ଲାଲ ସିଲଟ ପଥର ଦ୍ଵାରା ଆଚ୍ଛାରିତ । ଦକ୍ଷିଣ ଧାଡିରେ ଥିବା କିଛି ଗୁମ୍ଫା ର ପ୍ରବେଶ ଦ୍ଵାର ରେ ଲାଲ ଓ କଳା ରଙ୍ଗ ର ପ୍ରସ୍ତର ଚିତ୍ର ସବୁ ଦେଖିବାକୁ ମିଳିଥାଏ। ଏହି ଐତିହାସିକ ସ୍ଥଳୀ ର ପର୍ଯ୍ୟନ୍ତ ଉପଯୁକ୍ତ ଅଧୟନ କରାଯାଇନାହିଁ କିନ୍ତୁ ସାଧାରଣତଃ ଅନୁମାନ କରାଯାଏ ଯେ ଏହି ଚିତ୍ରାଙ୍କନ ସବୁ ପ୍ରାୟ ସିନ୍ଧୁ ଘାଟି ସଭ୍ୟତା ସମୟ ର ହୋଇଥାଇ ପାରେ ।

ଆମାଠଗଡ

ଆମାଠଗଡ ଦୁର୍ଗ ତେଳନଦୀ ଉପତ୍ୟକା ର ପୂର୍ବ ତଟ କୁଳ ରେ ଅବସ୍ଥିତ । ଏହି ରାସ୍ତା ଦେଇ ନଦୀ ପାର ହୋଇ ବଲାଙ୍ଗିର ଜିଲ୍ଲା ଆଡକୁ ଯିବା ପାଇଁ ଯୋଗ ଯୋଗ ରହିଛି । ଏହି ଆମାଠଗଡ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ବିଲୁପ୍ତ ପ୍ରାୟ । ଏହି ସ୍ଥଳୀର ଅଦ୍ୟାବଥି କୌଣସି ଅଧୟନ କରାଯାଇ ପରି ନାହିଁ ତେଣୁ ଏହା ସମ୍ପର୍କ ରେ କୌଣସି ତଥ୍ୟ ସଠିକ ଭାବରେ କୁହାଯାଇ ନାହିଁ ।

ଅସୁରଗଡ

କଳାହାଣ୍ଡି ଜିଲ୍ଲା ର ନର୍ଲା ପୋଲିସ ଷ୍ଟେସନ ଅନ୍ତର୍ଗତ ଅସୁରଗଡ ଏକ ଛୋଟ ଗ୍ରାମ । ଏହା ନର୍ଲା ରୁ ୫ କିମି ଏବଂ ରୁପ୍ରା ରୋଡ ରେଳ ଷ୍ଟେସନ ରୁ ୨ କିମି ଦୂରରେ ଅବସ୍ଥିତ । ଗ୍ରାମ ଟି ଅନେକ କିମ୍ବଦନ୍ତୀ ନେଇ ପ୍ରସିଦ୍ଧ । କୁହାଯାଏ ଏହି ଅଞ୍ଚଳ ଟି ଅସୁର ରାଜା ଗୋସିଂହ ଦୈତ୍ୟ ଦ୍ଵାରା ଶାସିତ ଥିଲା । ବର୍ତ୍ତମାନ ଅସୁରଗଡ ଟି ଏକ ଭଗ୍ନ ଦୁର୍ଗ ର ଅଂଶ ବିଶେଷ ହୋଇ ରହିଛି । ଦୁର୍ଗ ର ଭଗ୍ନ ସ୍ତୂପ ଗୁଡିକ ସାନ୍ଦୁଲ ନଦୀ ର କୁଳ ରେ ତଥା ଏକ ଅଣ୍ଡାକୃତି ର ପ୍ରାୟ ୨୦୦ ଏକର ବିଶିଷ୍ଠ ପୁଷ୍କରଣୀ ଦ୍ଵାରା ଘେରି ରହିଛି । କୁହାଯାଏ ଏହାର ଚାରୋଟି ପ୍ରବେଶ ଦ୍ଵାର ରହିଛି ଏବଂ ପ୍ରତ୍ୟକ ପଥ ରେ ଜଣେ ଜଣେ ଦେବୀ ବା ଦେବ ପୂଜା ପାଇ ଆସିଥାନ୍ତି । ପୂର୍ବ ରେ ଗଙ୍ଗା ଦେବୀ , ପଶ୍ଚିମ ରେ କଳା ପାହାଡ , ଦକ୍ଷିଣ ରେ ବୈଷ୍ଣବୀ ଏବଂ ଉତ୍ତର ରେ ବୁଢା ରାଜା ପୂଜା ପାନ୍ତି । ଦୁର୍ଗ ମଧ୍ୟ ରେ ଏକ ଛୋଟ ଗାଁ ରହିଛି ଯେଉଁଠି ମାଁ ଡୋକରି ଦୁର୍ଗର ଅଧିଷ୍ଟ୍ରାତ୍ରୀ ଭାବରେ ପୂଜିତ ହୁଅନ୍ତି । ଏହା କିଛି ମାତ୍ରା ରେ ଅଧୟନ କରା ଯାଇଛି କିନ୍ତୁ ଆହୁରି ଗବେଷଣା ର ଅବଶ୍ୟକତା ରହିଛି ।

ଅମପାଣି
ଅମପାଣି , ଭବାନୀପାଟଣା ଠାରୁ ୭୭ କିମି ଦୂରରେ ଅବସ୍ଥିତ । ଅମପାଣି ପର୍ବତ ଶୃଙ୍ଖଳା ପ୍ରକୃତି ର ଏକ ମନୋରମ ଦୃଶ୍ୟ ଦେଖାଇ ଥାଏ । ହଳଦୀଗୁଣ୍ଡି ଘାଟିରେ ସକାଳେ ଓ ସନ୍ଧ୍ଯା ରେ ସୂର୍ଯ୍ୟ କିରଣ ପ୍ରତିଫଳିତ ହୋଇ ବସ୍ତୁ ସବୁ ଅଦ୍ଭୁତ ହଳଦିଆ ରଙ୍ଗ ଦେଖା ଯାଇଥାଏ ।

ଅଂଚଳ ଅଧୀନରେ ଥିବା ବେହେରା ଜଙ୍ଗଲରେ ହରିଣ ସମ୍ବର ତଥା ବାଘ ଅନେକ ସମୟରେ ଦେଖିବାକୁ ମିଳନ୍ତି ।

ଏହି ଅଂଚଳର ଲୋକେ ଭୈରବ ବା ବୁଢା ରାଜାଙ୍କୁ ନିଜର ଅଧିଷ୍ଠ ଦେବତା ଭାବରେ ପୂଜା କରିଥାନ୍ତି । ପ୍ରତ୍ୟକ ବର୍ଷ ବୁଢା ରାଜାଙ୍କର ଦଶହରା ପର୍ବ ମହାଆଡମ୍ବର ରେ ପାଳିତ ହୁଏ ।

ବେଲଖଣ୍ଡି

କେସିଙ୍ଗା ରେଳଷ୍ଟେସନଠାରୁ 32 କି.ମି. ଦୂରତାରେ ଅବସ୍ଥିତ ବେଲଖଣ୍ଡି ଶୈବପୀଠ ଦୁଇଟିନଦୀ ଯଥା ଉତେଇ ନଦୀ ଓ ତେଲ ନଦୀର ସଂଗମସ୍ଥଳୀ ଅଟେ । ଏହି ଦୁଇଟି ନଦୀ ମିଳିତ ଭାବରେ ଯାଇ ମହାନଦୀ ସହିତ ପୁନଶ୍ଚ ମିଶି ଯାଆନ୍ତି । ବେଲଖଣ୍ଡି ଶୈବପୀଠ ର ଆଧ୍ୟାତ୍ମିକ ପୃଷ୍ଠଭୂମି ତଥା ପ୍ରତ୍ନପତ୍ତ୍ଵିକ ବିଶେଷତ୍ଵ ରହିଛି ।

୧୨ସହ ଶତାବ୍ଦୀ ସମୟର ଅନେକ ମୂର୍ତ୍ତି ଓ ପ୍ରସ୍ତର କାରୁକାର୍ଯ୍ୟ ଏହି ଅଂଚଳ ରୁ ଅବିଷ୍କୃତ ହୋଇଅଛି । ବିଶେଷ କରି ସପ୍ତମାତୃକା, ଉମା-ମହେଶ୍ଵର ଙ୍କର ମୂର୍ତ୍ତିସବୁ ଆବିଷ୍କାର କରାଯାଇ ମନ୍ଦିର ପ୍ରାଙ୍ଖଣରେ ଥିବା ଏକ ଛୋଟ ସଂଗ୍ରାହଳୟ ( ମ୍ୟୁଜିୟମ ) ରେ ରଖାଯାଇଅଛି । କଳାହାଣ୍ଡି ଜିଲ୍ଲାର ଏହା ଏକ ପର୍ଯ୍ୟଟନ ସ୍ଥଳୀ ଅଟେ ଏବଂ ସଦର ମହକୁମା ଭବାନୀପାଟଣା ଠାରୁ ୬୭ କି ମି ଦ୍ଵର ରେ ଅବସ୍ଥିତ ।

ଜୁନାଗଡ

କଳାହାଣ୍ଡି ଗଡ ର ବୁର୍ବ ରାଜଧାନୀ ହେଉଛି ଜୁନାଗଡ ଯାହା କି ନାଗ ବଂଶୀ ରାଜା ମାନଙ୍କ ଦ୍ଵାରା ଶାସିତ କରା ଯାଉଥିଲା ।

ଏଠାରେ ମା ଲଙ୍କେଶ୍ଵରୀ ଙ୍କ ପ୍ରସିଦ୍ଧ ପୀଠ ରହିଛି ଏବଂ ଅଞ୍ଚଳ ର ଆରାଧ୍ୟ ଦେବୀ ଭାବରେ ସେ ପୂଜା ପାନ୍ତି । କୁହାଯାଏ ସତୀ ପ୍ରଥା ର ବିଶେଷ ପ୍ରଚଳନ ଏ ଅଞ୍ଚଳ ରେ ଥିବା ପୁରାତନ କାଳକୃତି ରୁ ଅନୁମାନ କରା ଯାଏ ।

କିନ୍ତୁ ଇଂରେଜ ରାଜୁତି କାଳ ରେ ଏହା ସମ୍ପୂର୍ଣ ନିଷେଧ କରାଯାଇଥିଲା।

କର୍ଲାପାଟ

କର୍ଲାପାଟ ଭୟାରଣ୍ୟ ଭବାନୀପାଟଣା ଠାରୁ ମାତ୍ର ୧୦ -୧୨ କିମି ଠାରୁ ଆରମ୍ଭ ହୋଇଥାଏ । ଥୁଆମୂଳ ରାମପୁର ଅଞ୍ଚଳ ର ଏକ ଅଂସ ବିଶେଷ ହେଉଛି କର୍ଲାପାଟ ଭୟାରଣ୍ୟ ।

ଏହି ଠାରେ ଥିବା ଖଣ୍ଡଆଲ ଜଳ ପ୍ରପାତ , ତଥା ମା ମାଣିକେଶ୍ଵରୀଙ୍କ ମନ୍ଦିର ଦର୍ଶକ ଙ୍କ ପାଇଁ ଏକ ମନୋରମ ପରିବେଶ ସୃଷ୍ଠୀ କରିଥାଏ ।

ପୂର୍ବେ ଏହି ଅଞ୍ଚଳ ରେ ନାଗ ବଂଶ ର ସାମନ୍ତ ରାଜା ମାନେ ଶାସନ କରି ଆସୁଥିଲେ । ଅଭୟାରଣ୍ୟ ମାନ୍ୟତା ପାଇବା ପରେ ଜଙ୍ଗଲ ଇ ଜୀବ ଜନ୍ତୁ ଙ୍କ ସୂରକ୍ଷା ପାଇବା ପାଇଁ ସରକାର ଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆ ଯାଉଛି । ବର୍ତ୍ତମାନ ମଧ୍ୟ ଏହି ଭୟାରଣ୍ୟ ଅନେକ ଜୀବ ଜନ୍ତୁ ସୁରକ୍ଷିତ ଅବସ୍ଥା ରେ ବିଚରଣ କରୁଛନ୍ତି ।

ମୋହନଗିରି

ମଦନପୁର ରାମପୁର ର ମୋହନଗିରି ଗ୍ରାମ କଳାହାଣ୍ଡି ଜିଲ୍ଲା -କନ୍ଧମାଳ ଜିଲ୍ଲା ସୀମାରେ ଅଛି ।

ଏହା ମଦନପୁର ରାମପୁର ସହର ଠାରୁ ୩୫ କି. ମି. ଦୂରରେ ଅଛି ।

ଗ୍ରାମଟି କାଳି ଗଙ୍ଗା ପାହାଡ ଶୃଙ୍ଖଳ ମଧ୍ୟ ରେ ରହିଛି । ଏକ ପ୍ରାଚୀନ ଭଗ୍ନ ଶିବ ମନ୍ଦିର ଏହି ଆଞ୍ଚଳ ର ବିଶେଷତ୍ଵ କୁ ପରିପୃଷ୍ଠ କରି ପାରିଛି।

ରାବଣଧାର

ରାବଣଧାର ଜଳ ପ୍ରପାତ ଭବାନୀପାଟଣା ଠାରୁ ମାତ୍ର ୧୨ .୫ କିମି ଦୂରରେ ଅଛି। ଏହା ର ଚତୁର୍ପାସ୍ଵ ରେ ପ୍ରକୃତି ର ମନୋରମ ସୌନ୍ଦର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳେ । ଜଳ ପ୍ରପାତ ର ତଳେ ସରକାରଙ୍କ ତରଫରୁ ଏକ କ୍ଷୁଦ୍ର ଜଳ ପ୍ରକଳ୍ପ ଭଟ।ଙ୍ଗପଦର ଡ୍ୟାମ ନାମରେ କରାଯାଇଅଛି ଯାହାକି ଅନେକ ଚାଷୀଙ୍କ କୃଷି ପାଇଁ ଏକ ବରଦାନ ଭାବରେ ଫଳପ୍ରସ୍ତ ହୋଇଅଛି ।

ରାବଣଧାର ଜଳପ୍ରପାତ ଦୁଇଗୋଟି ଜଳପ୍ରପାତ କୁ ନେଇ ପ୍ରସିଦ୍ଧ । ଗୋଟିଏ ହେଲା ଛୋଟ ରାବଣଧାର ଓ ଅନ୍ୟଟିହେଲା ବଡ ରାବଣଧାର । ବର୍ଷ ତମାମ ଏହି ଅଞ୍ଚଳକୁ ଅନେକ ପର୍ଯ୍ୟଟକଙ୍କ ସମାଗମ ହୁଏ ଏବଂ ସବୁ ସମୟରେ ବଣଭୋଜି କରିବା ପାଇଁ ବହୁତ ଲୋକ ଏଠାକୁ ଆସି ପ୍ରକୃତିକ ପରିବେଶର ମଜା ଉଠାଇ ଥାଆନ୍ତି ।

ମା ମାଣିକେଶ୍ଵରୀ କଳାହାଣ୍ଡି ର ଆରାଧ୍ୟ ଦେବୀ

ଭବାନୀପାଟଣା ଜିଲ୍ଲା ର ମୁଖ୍ୟ ପ୍ରଶାଶନିକ କେନ୍ଦ୍ର । ଭବାନୀପାଟଣା ଠାରୁ  ବିଭିନ୍ନ ପସନ୍ଦ ସ୍ଥାନ କୁ ଯାଇହେବ ଯାହା କି ଟୁରିଷ୍ଟ ମାନଚିତ୍ର ରେ ଦର୍ଶା ଯାଇଅଛି ।

କର୍ଲା ପାଟ ଅଭୟାରଣ୍ୟ, ଜଳ ପ୍ରପାତ , ଗୁଡାହାଣ୍ଡି , ଡୋକରିଚଞ୍ଚରା , ଜୁନାଗଡ ଇତ୍ୟାଦି ଯାହାରେ ଦର୍ଶାଯାଇଛି । ମା ମାଣିକେଶ୍ଵରୀ କଳାହାଣ୍ଡି ର ଆରାଧ୍ୟ ଦେବୀ , ତାଙ୍କ ମନ୍ଦିର ଭବାନୀପାଟଣା ର ମୁଖ୍ୟ ଆକର୍ଷଣ ।

ନାଗରିକ ସେବା

ସରକାରଙ୍କ ତରଫ ରୁ ମିଳୁଥିବା ନାଗରିକ ସେବା ଗୁଡିକ ବିଷୟରେ ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ।

ବିଭିନ୍ନ ସରକାରୀ ବିଭାଗ ଜରୁରୀ ନମ୍ବର

ବିଭିନ୍ନ ସରକାରୀକୁ ଯୋଗାଯୋଗ କରିବା ପାଇଁ ଜରୁରୀ ନମ୍ବର ବିଷୟରେ ସୂଚନା ଦିଆଯାଇଛି । ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ।

ଆଧାର - "କଳାହାଣ୍ଡି ଡିଷ୍ଟ୍ରିକ ପୋର୍ଟାଲ"

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top