ଓଡ଼ିଶାରେ ଗୋଟିଏ ଢମାଳି ବହୁଦିନ ଧରି ପ୍ରଚଳିତ ଥିଲା । ନୟାଗଡ଼ ସଂସ୍କୃତ, ଖଣ୍ଡପଡ଼ା ଗଣିତ, ଧରାକୋଟ ରାଜନୀତି, ଗଣିତ ବିଦ୍ୟାରେ ପାରଳାଖେମୁଣ୍ଡି ମନେ ରଖିଥିବୁ ନାତି । ସଂସ୍କୃତି, ସାହିତ୍ୟ ପାଇଁ ନୟାଗଡ଼ର ଯଶ ଉତ୍କଳରେ ସୁବିଦିତ ଥିଲା । ଏହି ଦରବାରରେ ଶୋଭାମଣ୍ଡନ କରୁଥିଲେ ଶିବଲୀଳାମୃତ କାବ୍ୟ ତଥା ଶ୍ରୀକୃଷ୍ଣ ଲୀଳାମୃତ କାବ୍ୟ ଗ୍ରନ୍ଥର ସ୍ରଷ୍ଟା ବିପ୍ର ନିତ୍ୟାନନ୍ଦ । ଏଇଠି ବି ପରିବର୍ଦ୍ଧିତ ହୋଇଥିଲେ ବିଶିଷ୍ଟ ବୈଷ୍ଣବ କବି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା, ଯାହାଙ୍କ ମଣିମା ଶୁଣିମା ହେଉ ଗରିବ ଡାକ ଜଣାଣ ହୃଦୟକୁ ପ୍ରେମ ସୁଧାରସରେ ଆହ୍ଲାଦିତ କରିଦିଏ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରିୟ ଦରବାର ଥିଲା ନୟାଗଡ଼,ଯେଉଁଠାରୁ ସେ ବୀରବର ଉପାଧ୍ୟାପ୍ରାପ୍ତ ହେବା ସହ କାବ୍ୟ ସାଧନାର ସୁବର୍ଣ୍ଣ ଶିଡ଼ି ଆରୋହଣ କରିବାର ଅପୂର୍ବ ସୁଯୋଗ ପ୍ରାପ୍ତ ହୋଇଥିଲେ। ଶୋଭାବତୀ କାବ୍ୟ ଗ୍ରନ୍ଥର ସ୍ରଷ୍ଟା ରାଜା ପୁରୁଷୋତ୍ତମ ସିଂ ମାନଧାତାଙ୍କର ସାରସ୍ୱତ ପୃଷ୍ଠପୋଷକତା ଥିଲା ଅନନ୍ୟ । ଓଡ଼ିଶାର ମହାନ୍ ହାସ୍ୟ ରସିକ ତଥା ବ୍ୟଙ୍ଗକବି ଉତ୍କଳଘଣ୍ଟ ଯଦୁମଣିଙ୍କ ପ୍ରିୟ ସହର ଥିଲା ନୟାଗଡ଼ । ସେ ସମୟରେ କବିସୂର୍ଯ୍ୟ ବଳଦେବ ରଥ, ବକ୍ରବାକ ଚକ୍ରପାଣି ପଟ୍ଟନାୟକ ଭଳି ବିଦ୍ଵାନ ପଣ୍ଡିତମାନେ ସାହିତ୍ୟ ଚର୍ଚ୍ଚା କରିବା ପାଇଁ ନୟାଗଡ଼ ଦରବାରକୁ ଆଗମନ କରୁଥିଲେ। ନାଟ୍ୟରଥୀ ଗୋବିନ୍ଦ ଶୂରଦେଓ, ପ୍ରଖ୍ୟାତ ଗବେଷକ ପଣ୍ଡିତ ବିନାୟକ ମିଶ୍ରଙ୍କ ଅତି ଆପଣାର ସହର ନୟାଗଡ଼ । ଏହି ସହରର ଧୂଳିମାଟିରେ ମଣିଷ ହୋଇଥିଲେ କବି ଦୁର୍ଗାମାଧବ ମିଶ୍ର ଓ ସାହିତ୍ୟକ ନୀଳମାଧବ ମିଶ୍ର । ଗାଳ୍ପିକ ନିମାଁଇ ପଟ୍ଟନାୟକ ଓ ସୁପ୍ରସିଦ୍ଧ ଅନୁବାଦକ ପ୍ରଫୁଲ ମହାନ୍ତିଙ୍କ ନିବାସସ୍ଥଳୀ ନୟାଗଡ଼ ସହର । କଣ୍ଠଶିଳ୍ପୀ ତାନସେନ୍ ସିଂ ଓ ନବ ମିଶ୍ରଙ୍କ ଲାଗି ନୟାଗଡ଼ ଗର୍ବତ । ତାନସେନ୍ ସିଂଙ୍କ ପିତା ରୁବେନ ସିଂ କେବଳ ଭାରତ ବିଖ୍ୟାତ ଫୁଟବଲ୍ ଖେଳାଳି ନ ଥିଲେ, ସେ ଥିଲେ ଜଣେ କଣ୍ଠଶିଳ୍ପୀ ଯାହାଙ୍କୁ ଓଡ଼ିଶାର ପରବର୍ତ୍ତୀ ସେହଗେଲ୍ କୁହାଯାଏ । ନୟାଗଡ଼ ଏକ ପୁଲକଭରା ସହର କହିଲେ ଅତ୍ୟୁକ୍ତି ହେବ ନାହିଁ, କାରଣ ଏହାର ପରିବେଶ ବିମୋହିତ କରେ ସାରସ୍ଵତ ସାଧକମାନଙ୍କୁ । ସେଥିପାଇଁ ପ୍ରଫେସର ଗଣେଶ୍ୱର ମିଶ୍ର କେବେ ରୁଷି ପାହାଡ଼ରେ ବାଘର ହେଣ୍ଟାଳ ଶୁଣନ୍ତି ତ କେବେ ଏଇଠି ବସି ହରିହର ମିଶ୍ର ଅଦୃଶ୍ୟ ନଟଙ୍କୁ ଧ୍ୟାନ କରନ୍ତି । ୨ୟ ରାମଚନ୍ଦ୍ର ମିଶ୍ରଙ୍କ ନାଟକ ଲେଖା ସରି ନାହିଁ କି ବିଜୟ ଚୌଧୁରୀଙ୍କ ନାଟ୍ୟ ନିର୍ଦ୍ଦେଶନା ଓ ମିଳନୀ କ୍ଲବର ମିଳନ ପର୍ବ ଏବେ ବି ମଳିନ ପଡ଼ିନାହିଁ । ଜିଲା ଲେଖକ ପରିଷଦ, ଜିଲା ପାଠକ ମଞ୍ଚ, ପରମ୍ପରା, ସେତୁବନ୍ଧ ଆଦି ବହୁ ସାରସ୍ଵତ ସଙ୍ଗଠନ ଏବେ ବି ଚଳଚଞ୍ଚଳ।
ଆଜିକୁ ପ୍ରାୟ ୫୨୭ ବର୍ଷ ପୂର୍ବେ ରୁଷି-ବଳରାମ ଦୁଇ ପାହାଡ଼ ମଧ୍ୟସ୍ଥ ଉପତ୍ୟକାରେ ଗଢ଼ି ଉଠିଥିଲା ଏକ ସୁନ୍ଦର ସହର । ରଳବର ବଘେଲ ବଂଶୀ ଶାସକ ବାଘା ସିଂହ ଥିଲେ ଏହି ସହରର ନିର୍ମାତା। ଏଇଠାକୁ ହିଁ ସେ ନିଜର ରାଜଧାନୀ(ଗଡ଼) ଉଠାଇ ଆଣିଲେ । ତେଣୁ ନା ହେଲା ନୂଆଗଡ଼ । ଏଇ ନୂଆଗଡ଼ କ୍ରମେ ନୟାଗଡ଼ ନାମ ଧାରଣ କରିଛି। ରାଜା ବାଘା ସିଂହଙ୍କ ଲାଗି ଏହା ବାଘୁଆ ନୟାଗଡ଼ ନାଁରେ ମଧ୍ୟ ପରିଚିତ । ସାମ୍ପ୍ରତିକ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ଵପୂର୍ଣ୍ଣ ସହର । ଏହାକୁ ଓଡ଼ିଶାର ଗଡ଼ଜାତର ଚାବିକାଠି କୁହାଯାଏ। ଅର୍ଥାତ୍ ବାରବାଟୀ କଟକ ଆଡୁ (ସମ୍ପ୍ରତି ଭୁବନେଶ୍ୱର ଆଡୁ) ପଶ୍ଚିମ ଆଡ଼କୁ ଗଲାବେଳେ ଏହିଠାରୁ ହିଁ ଆରମ୍ଭ ହୁଏ ପ୍ରକୃତ ଗଡ଼ଜାତ ଅଞ୍ଚଳକୁ ଯାତ୍ରା ।
ପଶ୍ଚିମରେ ଦଶପଲ୍ଲା, ବୌଦ୍ଧ, ସୋନପୁର, ବଲାଙ୍ଗୀର, ପାଟଣାଗଡ଼ ଆଦି ଗଡ଼ଜାତଗୁଡ଼ିକ ସହ ଏହା ବାଣିଜ୍ୟପଥ ମାଧ୍ୟମରେ ସଂଯୁକ୍ତ ହୋଇଥିବା ବେଳେ ଉତ୍ତରରେ ଖଣ୍ଡପଡ଼ା, ବଡ଼ମ୍ବା, ନରସିଂହପୁର, ହିନ୍ଦୋଳ, ଅନୁଗୋଳ ଓ ଦକ୍ଷିଣରେ ଘୁମୁସର ଦେଇ ଗଞ୍ଜାମରେ କ୍ଷୁଦ୍ରକ୍ଷୁଦ୍ର ଜମିଦାରି ଅଞ୍ଚଳ ସହ ସଂଯୁକ୍ତ । ସେହିଭଳି ଦକ୍ଷିଣପୂର୍ବରେ ରଣପୁର ଦେଇ ବାଣପୁର ସହ ଏହା ସଂଯୁକ୍ତ ।
ନୟାଗଡ଼ ଜିଲ୍ଲାକୁ ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୋଳ, କଟକ ଓ ଖୋର୍ଦ୍ଧା ଜିଲା । ଘେରିରହିଛି । ଭୌଗୋଳିକ ଦୃଷ୍ଟିରୁ ନୟାଗଡ଼ ୨୦.୧ ଉତ୍ତର ଅକ୍ଷାଂଶ ଓ ୮୫.୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ନୟାଗଡ଼ ସହରକୁ ଦୁଇପଟୁ ପାହାଡ଼ ଘେରି ରହିଛି। ୧୯୫୩ ମସିହାରେ ନୟାଗଡ଼ ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ମିଳିଛି । ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଏହା ମ୍ୟୁନିସିପାଲିଟିର ମାନ୍ୟତା ପାଇପାରିନାହିଁ । ବର୍ତ୍ତମାନର ସହର ୧୩ଟି ୱାର୍ଡ଼କୁ ନେଇ ଗଠିତ ।
ରାଜଧାନୀ ଭୁବନେଶ୍ଵର ଠାରୁ ନୟାଗଡ଼ ସହରର ଦୂରତା ୮୭ କି.ମି. । ଯାତାୟାତ ପାଇଁ ସଡ଼କ ପଥ ପ୍ରମୁଖ ମାଧମ ହୋଇଥିବା ବେଳେ ଟ୍ରେନ୍ ସୁବିଧା ମଧ୍ୟ ଉପଲବ୍ଧ । କିଛି ଦିନ ତଳେ ଏକ ବୈଠକ କରାଯାଇ ଭୁବନେଶ୍ୱରରୁ ଦୁଇଟି ଟାଉନ୍ ବସ୍ ଚାଲିବା ପାଇଁ ବନ୍ଦୋବସ୍ତ କରାଯାଉଛ।
ଜାତୀୟ ରାଜପଥ
ନୟାଗଡ଼ ସହର ମଧ୍ୟଦେଇ ଖୋଦ୍ଧା - ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥ ଯାଇଛି। ସେହିଭଳି ୨୧ନଂ, ରାଜ୍ୟ ରାଜପଥ ମଧ୍ୟ ସହର ଅତିକ୍ରମ କରିଛି ।
ସହରରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଏନ୍.ସି. ବାଳିକା ବିଦ୍ୟାଳୟ ସହ ୧୩ଟି ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି । ସେହିଭଳି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମହର୍ଷି ପବ୍ଲିକ ସ୍କୁଲ, ହୋଲି ଫ୍ୟାମିଲ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ଡିଏଭି ପବ୍ଲିକ ସ୍କୁଲ, ଜବାହର ନବୋଦୟ ବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନ ରହିଛି । ଉଚ୍ଚଶିକ୍ଷା ପାଇଁ ମଡ଼େଲ ଡିଗ୍ରୀ କଲେଜ, ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ, ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ଭଳି ଖ୍ୟାତିସମ୍ପନ୍ନ କଲେଜ ରହିଛି । ୟୁନିକ ମହାବିଦ୍ୟାଳୟ, ଇନପାୟାର ଭଳି ବିଭିନ୍ନ ଘରୋଇ ମହାବିଦ୍ୟାଳୟ ମଧ୍ୟ ଅଛି । ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ଜିଲାର ଗୌରବ ବଜାୟ ରଖିଛି । ପ୍ରତିବର୍ଷ ଯୁକ୍ତ ୨ ବିଜ୍ଞାନରେ ଏହି କଲେଜରୁ କେହି ନା କେହି ଟପ୍ପର କିମ୍ବା ଶ୍ରେଷ୍ଠ ୧୦ ତାଲିକାରେ ରହୁଛନ୍ତି । ବର୍ତ୍ତମାନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଉଭୟ ଯୁକ୍ତ ୨ ଓ ଯୁକ୍ତ ୩ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗରେ ମୋଟ ୪୬୫୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି । ଏହି ପଛୁଆ ଜିଲାର ବିକାଶ ପାଇଁ ଲାଠିପଡ଼ା ଠାରେ ଅଗଷ୍ଟ ୧୦ରେ ମଡ଼େଲ ଡିଗ୍ରୀ କଲେଜ ଉଦ୍ଘାଟନ କରାଯାଇଛି । ଏହା ଜିଲାର ଏକମାତ୍ର ସରକାରୀ କଲେଜ ହୋଇଥିବା ବେଳେ ଏଥିରେ ୪୦୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି ।
ନୟାଗଡ଼ ପୋଲିସ ଜିଲ୍ଲାରେ ୧୩ଟି ଥାନା ଓ ୧୨ଟି ଫାଣ୍ଡି ରହିଛି । ସହର ମଝିରେ ଟାଉନ ଥାନା ଥିଲା। ବେଳେ ସହର ଉପକଣ୍ଠରେ ସଦର ଥାନା ଅଛି ।
ଟାଉନ ଥାନା ଫୋନ ନଂ |
୦୬୭୫୩ ୨୫୨୧୦୦ |
ଟାଉନ ଥାନା ଅଧିକାରୀ – ରଶ୍ମିରଞ୍ଜନ ପଟ୍ଟନାୟକ |
୯୪୩୭୧୦୭୭୧୧ |
ସଦର ଥାନା |
୦୬୭୫୩ ୨୫୨୯୦୦ |
ସଦର ଥାନା ଅଧିକାରୀ – ମନୋରମା ମଲ୍ଲିକ ଫୋନ୍ ନଂ |
୮୯୧୭୫୭୫୧୦୪ |
ଜିଲାପାଳଙ୍କ କାର୍ଯ୍ୟାଳୟ |
୦୬୭୫୩ ୨୫୨୫୬୬ |
ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ |
୦୬୭୫୩ ୨୫୨୦୮୮ |
କଲ୍ୟାଣମଣ୍ଡପ
ବିବାହ, ବ୍ରତ ଆଦି କାର୍ଯ୍ୟକ୍ରମ ଲାଗି ସହରରେ ଏନ୍ଏସିର ୨ଟି କଲ୍ୟାଣମଣ୍ଡପ ରହିଛି । ସେହିଭଳି ଖଣ୍ଡପଡ଼ା ରୋଡ଼ ଓ ଝୁମ୍ପୁରିଠାରେ ୨ଟି ଘରୋଇ କଲ୍ୟାଣମଣ୍ଡପ ଅଛି ।
ଯାନବାହନ
ନୟାଗଡ଼ରେ ବର୍ଷକୁ ବର୍ଷ ଗାଡ଼ି ସଂଖ୍ୟା ବଢ଼ିବାରେ ଲାଗିଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରୁ ମିଳିଥିବା ସୂଚନା ଅନୁଯାୟୀ ୩ ବର୍ଷରେ ଜିଲ୍ଲାରେ ମୋଟ ୩୧୬୮ଟି ଯାନବାହନ ପଞ୍ଜୀକୃତ ହୋଇଛି। ୨୦୧୪-୧୫ରେ ୯୧୩୩, ୨୦୧୫୧୬ରେ ୧୧,୭୧୮ ଓ ୨୦୧୬୧୭ରେ ୧୨,୩୧୭ଟି ଯାନବାହନ ପଞ୍ଜିକୃତ ହୋଇଛି । ସେହିଭଳି ସହରରେ ୩ ବର୍ଷରେ ମୋଟ ୯୭୯୭ଟି ଯାନବାହନ ପଞ୍ଜୀକୃତ ହୋଇଛି । ୨୦୧୪-୧୫ରେ ୨୬୫୪, ୨୦୧୫-୧୬ରେ ୩୨୧୮ ଓ ୨୦୧୬-୧୭ରେ ୩୯୨୫ଟି ଯାନବାହନ ପଞ୍ଜିକୃତ ହୋଇଛି ।
ଭୋଟର
ସହରର ଭୋଟର ସଂଖ୍ୟା ୧୬,୮୫୩। ଏଥିମଧ୍ୟରୁ ୯୧୧୨ ପୁରୁଷ ଓ ୭୭୪୧ ଜଣ ମହିଳା । ନୟାଗଡ଼ ଏନ୍ଏସିର ୧୩ ୱାଡ଼ିରେ ୪୦୫୬ ପରିବାର ରହୁଛନ୍ତି।
ଶ୍ମଶାନ
ମୃତଦେହ ଦାହ ଲାଗି ସହରବାସୀଙ୍କ ପାଇଁ ଦୁଇଟି ଶ୍ମଶାନ ରହିଛି। ଗୋଟିଏ ସଦର ଥାନା ନିକଟରେ ଥିଲାବେଳେ ଆଉ ଗୋଟିଏ ଖଣ୍ଡପଡ଼ା ରୋଡ଼ସ୍ଥିତ ନିୟନ୍ତ୍ରିତ ବଜାର କମିଟି ( ଆରଏସି) ନିକଟରେ ଅଛି। ଆରଏମସି ନିକଟରେ ଥିବା ଶ୍ମଶାନଟି ଏନ୍ଏସି ତରଫରୁ ସଫା କରାଯାଉ ନ ଥିବାରୁ ସହରବାସୀ ୨ କିଲୋମିଟର ଦୂର ସଦର ଥାନା ନିକଟରେ ଥିବା ଶ୍ମଶାନରେ ମୃତଦେହ ସତ୍କାର କରୁଛନ୍ତି ।
ଜନସଂଖ୍ୟା
୨୦୧୧ ଜନଗଣନା ଅନୁସାରେ ନୟାଗଡ଼ ସହରର ଲୋକସଂଖ୍ୟା ହେଉଛି ୧୭,୦୩୦। ଏମାନଙ୍କ ମଧ୍ୟରୁ ପୁରୁଷ ୯୦୨୯ ହୋଇଥିବାବେଳେ ମହିଳାଙ୍କ ସଂଖ୍ୟା ହେଉଛି ୮୦୦୧୮ ।
ସିନେମା ହଲ
ସହରବାସୀଙ୍କ ମନୋରଞ୍ଜନ ପାଇଁ ଖଣ୍ଡପଡ଼ା ରୋଡ଼ଠାରେ ରାଧାକୃଷ୍ଣ ନାମରେ ଏକମାତ୍ର ସିନେମା ହଲ୍ ଅଛି । ସେହିଭଳି ଗୁଣ୍ଡିଚା ମନ୍ଦିରଠାରେ ଥିବା ନ୍ୟୁ ଜନତା ଟକିଜ୍ ଦୀର୍ଘବର୍ଷ ହେଲାଣି ବନ୍ଦ ହୋଇ ପଡ଼ିଛି।
ପ୍ରସିଦ୍ଧ ଉତ୍ସବ
ନୟାଗଡ଼ ସହରରେ ବିଭିନ୍ନ ପ୍ରକାର ଉତ୍ସବ ଧୁମଧାମରେ ପାଳିତ ହୁଏ । ପଣାସଂକ୍ରାନ୍ତିରେ ଦକ୍ଷିଣକାଳୀ । ମନ୍ଦିରରେ ଯାତ୍ରା, ଗୁଣ୍ଡିଚାରେ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା, କାର୍ତ୍ତିକ ପୂର୍ଣ୍ଣିମାରେ ସାଗର ପୁଷ୍କରିଣୀରେ ବୋଇତ ବନ୍ଦାଣ ଓ ଡିସେମ୍ବର ଶେଷଆଡ଼କୁ ଜିଲା ମହୋତ୍ସବ ସହରର ପ୍ରମୁଖ ଉତ୍ସବ ପାଲଟିଛି ।
ମେଡିକାଲ
ସହର ମଝିରେ ରହିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଜିଲା ମୁଖ୍ୟ ଚିକିତ୍ସାଳୟର । ସମୁଦାୟ ଶଯ୍ୟା ସଂଖ୍ୟା ୧୬୮। ଆଉଟଡୋରକୁ ପ୍ରତିଦିନ ହାରାହାରି ୩୦୦ ରୋଗୀ ଆସନ୍ତି । ଏଠାରେ ବିକେଇଏସ୍, ଆରଏସ୍ବିଇ, ଓଏସଟିଏଫ, ଜିକେଏସ୍ଵାଇ, ମହାପ୍ରୟାଣ, ନିରାମୟ ଯୋଜନା ଆଦି ସେବା ଉପଲବ୍ଧ । ପାଥୋଲୋଜି, ଇଏଟି, ଅର୍ଥୋପେଡ଼ିକ୍ସ ଆଦି ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି । ସେହିଭଳି ସହରରେ ୧୨ଟି ଘରୋଇ ହସ୍ପିଟାଲ୍ ଓ ନର୍ସିଂହୋମ୍ ଅଛି । ଶିଶୁମାନଙ୍କୁ ଉନ୍ନତମାନର ଚିକିତ୍ସା ପାଇଁ ଡିସେମ୍ବର ୨୦୧୬ ମସିହାରେ ମାତୃ ଓ ଶିଶୁ । ଚିକିତ୍ସାଳୟ ଉଦ୍ଘାଟିତ ହୋଇ କାର୍ଯ୍ୟକାରୀ ହେଉଛି ।
ଛେନାପୋଡ଼
ନୟାଗଡ଼ର ଛେନାପୋଡ଼ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଏଠାକାର ଛେନାପୋଡରେ ସ୍ୱତନ୍ତ୍ରତା ରହିଛି । ଛେନାପୋଡ଼ ଯୋଗୁ ପ୍ରସିଦ୍ଧ ହୋଇପାରିଛି ନୟାଗଡ଼ ସହର ।
ନୟାଗଡ଼କୁ ଥରେ ଯିଏ ଆସନ୍ତି ସେ ଛେନାପୋଡ଼ ଖାଇବା ସହ ଘରକୁ ନେବା କଥା ଭୁଲନ୍ତି ନାହିଁ । ସେଥିପାଇଁ ଲୋକଙ୍କ କହିବା କଥା ଯିଏ ଆସିଛି ନୟାଗଡ଼, କେବେ ନ ଭୁଲିବ ଖାଇବାକୁ ଛେନାପୋଡ଼ ।
ଜଳାଶୟ
ନୟାଗଡ଼ ଏନ୍ଏସି ଅଧୀନରେ ୮ଟି ଜଳାଶୟ ଅଛି । ଜିଲା ମୁଖ୍ୟ ଚିକିତ୍ସାଳୟ ପଛପଟେ ଦିଆନକବନ୍ଧ, ପୁରୁଣା ସହରଠାରେ ସାଗର ପୁଷ୍କରିଣୀ ରହିଛି । ସେହିଭଳି ସହରର ଅନେକ ସ୍ଥାନରେ ଆଉ ୬ଟି ଜଳାଶୟ ମଧ୍ୟ ଅଛି । ସହରର କେତେକ ସ୍ଥାନରେ ଜଳାଶୟକୁ କିଛି ଲୋକ କବ୍ଜା କରି ନେଉଥିଲେ ମଧ୍ୟ ଏନ୍ଏସି ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଦେଖିବାକୁ ମିଳୁଛି ।
ରେଳଷ୍ଟେଶନ
ଦୀର୍ଘଦିନ ପ୍ରତୀକ୍ଷା ପରେ ୧୯ ଜୁନ୍ ୨୦୧୭ରେ ନୟାଗଡ଼କୁ ଟ୍ରେନ ଗଡ଼ିଥିଲା । ରେଳ ଚଳାଚଳ କରିବା ଫଳରେ ଜିଲ୍ଲାବାସୀଙ୍କ ଦୀର୍ଘବର୍ଷର ସ୍ୱପ୍ନ ପୂରଣ ହୋଇଥିଲା । ବର୍ତ୍ତମାନ ଦୁଇଟି ଟ୍ରେନ୍ ନୟାଗଡ଼ ଟାଉନ ଷ୍ଟେଶକୁ ଚଳାଚଳ କରୁଛି । ଆଗାମୀ ଦିନରେ ଏକ୍ସପ୍ରେସ ଟ୍ରେନ୍ ଚାଲିବା ପାଇଁ ଯୋଜନା ଚାଲିଛି ।
ପାର୍କ
ଅବସର ସମୟରେ ମନକୁ ହାଲକା କରିବା ପାଇଁ ଏନ୍ଏସି ତରଫରୁ ଗୋଟିଏ ମାତ୍ର ପାର୍କ ରହିଛି । ନାରାୟଣ ପାର୍କ ନାମରେ ନାମିତ ଏହି ପାର୍କଟି ବହୁତ ଛୋଟ । ସେହିଭଳି ପୁରୁଣା ସହରସ୍ଥିତ ସାଗର ପୃଷ୍କରିଣୀରେ ବୋଟ୍ ଚଳାଇବା ଓ ବଲାଙ୍ଗୀବନ୍ଧ ଠାରେ ପର୍ଯ୍ୟଟନସ୍ଥଳୀ ଭାବେ ତିଆରି କରିବା ପାଇଁ ଏନ୍ଏସି ତରଫରୁ ଯୋଜନା କରାଯାଉଛି ।
ପର୍ଯ୍ୟଟନସ୍ଥଳୀ
ଜିଲାରେ ବହୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରହିଛି । ଜିଲାର ୮ ବ୍ଲକରେ ପ୍ରାୟ ୧୪ରୁ ଅଧିକ ପର୍ଯ୍ୟଟନସ୍ଥଳୀ ଅଛି । ରଣପୁର ମଣିନାଗ ମନ୍ଦିର ଓ ଅସୁରମାରୀ, କଣ୍ଟିଲୋ ନୀଳମାଧବ ପୀଠ, ଓଡ଼ଗାଁ ରଘୁନାଥଜୀଉ ପୀଠ, ଶରଣକୁଳ ଲଡ଼ୁବାବା ମନ୍ଦିର, ଦଶପଲ୍ଲା ମହାବୀର ଖୋଲ ମନ୍ଦିର, ନୟାଗଡ଼ ଦକ୍ଷିଣକାଳୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଦର୍ଶନୀୟପୀଠ। ସେହିଭଳି ଖଣ୍ଡପଡ଼ା ବ୍ଲକ ଧାମୂଳା ଓ ଗଣିଆ ବ୍ଲକ ବଡ଼ମୂଳରେ ଥିବା ସାତକୋଶିଆ ମ୍ୟାଣ୍ଡ ରିସର୍ଚ୍ଚର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ।
ଅଡ଼ିଟୋରିୟମ
ମନୋରଞ୍ଜନ ଓ ସଭାସମିତି ପାଇଁ ନୟାଗଡ଼ ସହରରେ ପଠାଣି ସାମନ୍ତ ନାମକ ଏକ ଅଡିଟୋରିୟମ ରହିଛି । ସେହିଭଳି ଜିଲା ପ୍ରଶାସନ ତରଫରୁ ୨ଟି ଅଡ଼ିଟୋରିୟମ ରହିଛି । ଗୋଟିଏ ଜିଲାପାଳଙ୍କ ସଦ୍ଭାବନା କକ୍ଷ ଓ ଅନ୍ୟଟି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଠାରେ ସୃଜନ ନାମରେ ହୋଇଥିବା ଏକ ସମ୍ମିଳନୀ କକ୍ଷ ।
ସଂଗୃହିତ –
Last Modified : 6/30/2020