অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫୁଲବାଣୀ

ଉପକ୍ରମ

ବୈଭବଶାଳୀ ଓଡିଶାର ମଧ୍ୟଭାଗରେ ବିଦ୍ୟମାନ କନ୍ଧମାଳ ଜିଲା ଭାବଗତ ଦୃଷ୍ଟିରୁ ଦେଖିଲେ ଓଡିଶା ମାତୃକାର ନାଭିକେନ୍ଦ୍ର ଭାବେ ସୁବାସିତ ଫୁଲର ସହର ଫୁଲବାଣୀ ।ତେଣୁ କୁହାଯାଏ ଓଡିଶାର ନାଭିକେନ୍ଦ୍ର ଏଇ ମୋ ପ୍ରିୟ ଫୁଲବାଣୀ । ସୁନାର ସକାଳ ଏଠି ରୂପାର ରଜନୀ । ତରଙ୍ଗାୟିତ ସବୁଜ ପାହାଡ ବୈଦୁର୍ଯ୍ୟମୟ ଶୋଭା ପାଇଁ କେହି କେହି ଏହାକୁ ଶୈଳଶ୍ରୀ ମଧ୍ୟ କହିଥାନ୍ତି । ଫୁଲବାଣୀ ଗୋଟେ ନିଆରା ସହର । ଖୁବ୍ ଚିହ୍ନା ଚିହ୍ନା ନାଆଁ ଆପଣାପଣର ଘର । ନାମ କରଣ ଦୃଷ୍ଟିକୋଣରୁ କିଏ କହେ ଫୁଲ ଓ ବାଣୀ ନାମରେ ଦୁଇଟି ଝିଅଙ୍କ ତ୍ୟାଗ ତିତିକ୍ଷାର କଥା ଓ ଗାଥା । ଦରଦିମାନେ କହନ୍ତି, କବି, ଭାବୁକ, ରସଗ୍ରାହୀ ସରଳ ଜୀବନ ଚିତ୍ରରୁ ଶୁଭେ ଫୁଲର ବାସ୍ନା ଓ ବାଣୀର କଳନା । ଫୁଲବାଣୀ ସହର ସାକାର ସ୍ଵରୂପର ଗୋଟିଏ ଅପୂର୍ବ ମାନଚିତ୍ର । ପ୍ରତିଦିନ ସାଲୁଙ୍କାର ଶୀତଳ ଜଳ ରାଶିରେ ସେ ସ୍ନାନ କରେ । କଙ୍କଣ ପରି ପଡି ରହିଥିବା, ସହରକୁ ଘେରି ରହିଅବା ରାସ୍ତାକୁ ସେ ହାତରେ ବଳା କରି ପିନ୍ଧେ । ସରଗୀ ଫୁଲରେ ଗଭା ସଜାଏ । ମନ୍ଦିରର ମଙ୍ଗଳ ଧ୍ଵନିରେ ସେ ଧ୍ୟାନମଗ୍ନ ହୁଏ । ଶୀତର କୁହୁଡିରେ ସେ ଶ୍ଵେତବର୍ଣ୍ଣା ଶାଢ଼ି ପିନ୍ଧେ । ପାହାଡର ସେ ପାଖରୁ ଉଠୁଥିବା ଉଦୟ ରାଗ ସୂର୍ଯ୍ୟକୁ ସେ ମଥାର ଟିକିଲି କରି ନାଏ । ଅଙ୍କା ବଙ୍କା ସର୍ପିଳ ରାସ୍ତାରେ ଗଛମାନ ଫୁଲ ପକାନ୍ତି । ବନ ରାଜ୍ୟରୁ ଭାସିଆସେ ପକ୍ଷୀଙ୍କ କଳରବ । ତିଳ ତଣ୍ଡୁଳିତ ଛାଇରେ ଓଦା ଓଦା ମାଟି ଓ ମନ । କାନପାତି ଶୁଣିଲେ ଜଣାପଡେ ଜନପଦ ଜନଜୀବନର ମଧୁର ସାଙ୍ଗୀତିକ ମୂର୍ଚ୍ଛନା ।

ଫୁଲବାଣୀ ସହର ଏକ ଐତିହାସିକ ରୂପରେଖର ଗୋଟିଏ ଦୃଷ୍ଟାନ୍ତ । ପୃଥିବୀ ମାନଚିତ୍ର ପରି ବିଷୁବରେଖା ଏହାର ମୁଖ୍ୟ ସଡକ । ଯାହାକି ସ୍ଥିତି ଓ ଅବସ୍ଥିତି ଦୃଷ୍ଟିରୁ ସିମଳା, କାଶ୍ମଶ୍ରୀର ଭଳି ପ୍ରତୀୟମାନ ହୁଏ । ପ୍ରତି ପ୍ରବେଶ ଦ୍ଵାରରେ ଦେବା ଦେବୀଙ୍କ ତୋରଣ ଏହାର ପ୍ରାକୃତିକ ପରିବେଷ୍ଟନୀକୁମହିମାମୟ କରେ । କେଉଁଠି ମା' ନାରାୟଣୀ ତ କେଉଁଠି ମା’ ବରାଳ ଦେବୀ, ପୁଣି କେଉଁଠି ଜଗତରନାଥ ତ କେଉଁଠି ମହାକାଳେଶ୍ଵର I

ଉତ୍ତୁଙ୍ଗ ଶିଖରୀର ବୈଦୁର୍ଯ୍ୟମୟ ସବୁଜିମା ପରିମଣ୍ଡଳ, ଶୀତଳ ସୁଶୋଭିତ ପ୍ରକୃତି ଏ ସହରକୁ କରିଛି ସୌନ୍ଦର୍ଯ୍ୟ ବିମଣ୍ଡିତା । ପ୍ରତିବେଶୀ ଓ ପ୍ରବାସୀଙ୍କ ପଦଚିହ୍ନ ଓ କଥାମାନ ଏହାର କବିତା । ନୀରବତା, ନିରବଚ୍ଛିନ୍ନ ନିରାଜନା, ଗୁରୁଗମ୍ଭୀର ଆବେଶ ସମସ୍ତଙ୍କୁ ଦେଇଛି ପ୍ରେରଣା । ପ୍ରବାସୀ ମଣିଷର ଉଦାସକୁ ସ୍ଵାଭାବ ସୁଲଭତାରେ ମୋଚନ କରି ମାଟି ପ୍ରତି ମୋହଗ୍ରସ୍ତ କରି ପାରୁଥିବା ମାଟି ଫୁଲବାଣୀ । ଫୁଲର ମହକ ଯେତିକି ମୁଗ୍ଧକରେ ତତୋଽଧିକ ମୋହାଚ୍ଛନ୍ନ କରେ ଏହାର ବାଣୀ ଚିତ୍ର । କଥା କବିତାରେ, ନୃତ୍ୟ ସଂଗୀତରେ, ଜୀବନ ଜିଗୀଷାରେ ଫୁଲବାଣୀ ଗୋଟେ ସ୍ୱପ୍ନର ସହର । ସୁଗନ୍ଧିତ ପୁଷ୍ପପୁର । ଏ ସହର ସ୍ମୃତିପଖଳା, ମନ ମେଖଳାର ଗୋଟିଏ ସହର । ମାଆର ପଣତ ପରି ଅଭୟଦାୟୀ, ସୃଜନ ସମ୍ପଦ ଖୁବ୍ ମିଠା ମିଠା ଓ ସ୍ୱତନ୍ତୁ । ମାଆର ମମତା ପରି ଅଭୁଲା ଏହାର ମାଟି, ପାଣି ଓ ପବନ । ଏଠି ସକାଳ ଯେମିତି ମନ୍ତ୍ରମୁଗ୍ଧକରେ । ସଞ୍ଜ ସେପରି ମୁର୍ହୂମୁର୍ହୂ ଆବେଦନ ପ୍ରଦାନ କରେ । ସଞ୍ଜ ଆଳତିରେ ଆକାଶର ତାରା ଫୁଟେ । ଝଙ୍କାଳିଆ ଗଛ ଉପରେ ଜହ୍ନମାମୁ ଗୀତ ଶୁଣାଏ । ନିଜେଘାତ ରାତିରେ କିଏ ଜଣେ ଧୋରେ ବାଇଆ ଧୋ ଗୀତ ଶୁଣାଇ ଦିଏ । ଭାଇଚାରାର ସହର ଫୁଲବାଣୀ । ଶୀତୁଆ କାକରରେ, ବର୍ଷାର ବର୍ଣ୍ଣବିଭାରେ ଅଥବା ଗ୍ରୀଷ୍ମର ଗହଣାରେ ସେ ସର୍ବଦା ଭିନ୍ନ ତଥା ଅନନ୍ୟ । ସୁନ୍ଦର ସହର, ଫୁଲର ସହର, ପ୍ରୀତିର ସହର, ମିତ୍ର ଓ ମାନଚିତ୍ରର ସହର ଫୁଲବାଣୀ ସର୍ବଦା ସମସ୍ତଙ୍କୁ ହାତଠାରି ଡାକେ ।

ଭୌଗୋଳିକ ସ୍ଥିତି

ଓଡିଶାର ମଧ୍ୟଭାଗ ହେଉଛି କନ୍ଧମାଳ । ଭୌଗୋଳିକ ଦୃଷ୍ଟିରୁ ଫୁଲବାଣୀ ୨୦ ଡିଗ୍ରୀଉତ୍ତର ଅକ୍ଷାଂଶ ଓ ୮୪ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତ୍ତନଠାରୁ ପ୍ରାୟତଃ ୩ଶହରୁ ୧୧.୦୦ମିଟର ଉଚ୍ଚରେ ରହିଛି ଫୁଲବାଣୀ । କନ୍ଧମାଳ ମାନଚିତ୍ର ଦେଖିଲେ ଫୁଲବାଣୀ ସହର ପାଇଛି ପୌର ସଂସ୍ଥାର ମାନ୍ୟତା । ୮୦୨୧ ବର୍ଗ କିମି ପରିମିତ ଏହି ଜିଲାର ୧୨ଟି ବ୍ଳକ ମଧ୍ୟରେ ଫୁଲବାଣୀର ପରିଚୟ ଓ ପରବେଷ୍ଟନୀ ଖୁବ୍ ସ୍ଵତନ୍ତ୍ର ଓ ଆମୋଦପ୍ରଦ ।

ଐତିହାସିକ ଦୃଷ୍ଟିକୋଣ

କନ୍ଧମାଳ ଜିଲାର ଐତିହାସିକ ପଦଧ୍ଵନି ମଧ୍ୟ ଆମକୁ ପ୍ରେରଣା ଦିଏ । ଇତିହାସରୁ ଜଣାପଡେ ଏହି ଅଞ୍ଚଳକୁ ବହୁ ରାଜାମାନେ ଶାସନ କରୁଥିଲେ । ଜି.ଉଦୟଗିରିରେ ଭଞ୍ଜ ବଂଶ ନିରବଚ୍ଛିନ୍ନ ଭାବେ ଏକ ହଜାର ବର୍ଷ ଶାସନ କରିଥିଲେ । କନ୍ଧମାଳର କିଛି କିଛି ଅଞ୍ଚଳ ସେତେବେଳେ ଆଟବିକ ରାଜ୍ୟ ତ କେବେ ମହାକାନ୍ତାର । ପୁଣି କେବେ ତୋଷାଳୀ, କଙ୍ଗୋଦ ଓ ତ୍ରିକଳିଙ୍ଗ ଭାବେ ପରିଚୟ ପାଇଥଲା । ମଗଧ ସମ୍ରାଟ ଅଶୋକଙ୍କ ଶିଳାଲିପି ଅନୁଯାୟୀ କଳିଙ୍ଗ ସୀମାନ୍ତରେ ଜନଜାତି ଅଧୁଷିତ କେତେକ ସ୍ଵାଧୀନ ଆଟବିକ ରାଜ୍ୟର ସୂଚନା ମିଳେ । ଏହି ଆଟବିକ ରାଜ୍ୟକୁ ଅଶୋକ ଜୟ କରି ନ ଥିଲେ । ଏଣୁ ଫୁଲବାଣୀ ବା କନ୍ଧମାଳ ଜିଲା ସେତେବେଳର ଐତିହାସିକ ଆଟବିକ ରାଜ୍ୟର ମାନ୍ୟତା ପାଇଥିଲା ।

ସିନେମା ହଲ

ସହରରେ ଗୋଟିଏ ମାତ୍ର ସିନେମା ହଲ ରହିଛି । ଯାହା ବହୁ ପୁରୁଣା । ଗୋଟିଏ ହଲ ହେତୁ ବହୁ ଭିଡ ଏଠାରେ ଜମିଥାଏ । ଯାହାର ନାମ ଶ୍ରଦ୍ଧାଞ୍ଜଳି ସିନେମା ହଲ ।

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ ଫୁଲବାଣୀ ସହରର ଜନ ସଂଖ୍ୟା ହେଉଛି ୩୭ ହଜାର ୯୧୩ । ସେମାନଙ୍କ ମଧ୍ୟରୁ ମହିଳା ୧୮ ହଜାର ୬ ଓ ପୁରୁଷ ୧୯ ହଜାର ୩୧୩ ।

ଯାନବାହନ

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ୩ ବର୍ଷ ମଧ୍ୟରେ ଏବଂ ଆଜି ପର୍ଯ୍ୟନ୍ତ ୧୬ ହଜାର ୬୭୮ ମୋଟର ଯାନବାହନ ରେଜିଷ୍ଟ୍ରେଶନ ହୋଇଛି । ସେଥିମଧ୍ୟରୁ ୨୦୧୪-୧୫ରେ ୩୭୦୬, ୨୦୧୫ –୧୬ ରେ ୪୪୪୩, ୨୦୧୬ – ୧୭ ରେ ୪୭୨୦ ଏବଂ ଡିସେମ୍ବର ୧୬ସୁଦ୍ଧା ୩୮୧୯ ମୋଟର ଯାନ ପଞ୍ଜୀକରଣ ହୋଇଛି ।

କଲ୍ୟାଣମଣ୍ଡପ

ଫୁଲବାଣୀ ପୌର ପରିଷଦର ଗୋଟିଏ ମାତ୍ର କଲ୍ୟାଣ ମଣ୍ଡପ ଯଥା ବିଜୁ କଲ୍ୟାଣ ମଣ୍ଡପପୌର ପରିଷଦ କାର୍ଯ୍ୟାଳୟ ପାଖରେ ରହିଛି । ଏଠାରେ ବିବାହ, ବ୍ରତଘର, ଶୁଭକାର୍ଯ୍ୟ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହୋଇଥାଏ ।

ଶ୍ମଶାନ

ଫୁଲବାଣୀ ପୌର ପରିଷଦ ଅଧୀନରେ ୧୫ ଶ୍ମଶାନ ରହିଛି । ନାରାୟଣୀ ମନ୍ଦିର ପାଖା, ୪ ନଂ. ଓ. ୯ ନଂ. ୱାର୍ଡ ବିଶେଷ ପରିଚିତ । ଏଥସହ ସମସ୍ତ ୱାର୍ଡରେ ଶ୍ମଶାନ ନିର୍ମାଣ ହୋଇଛି ।

ଜଳାଶୟ

ଫୁଲବାଣୀ ସହର ମଧ୍ୟରେ ୭ ଜଳାଶୟ(ବନ୍ଧ) ରହିଛି । ଯାହା ବହୁ ପୁରାତନ । ଯାହା ବଡବନ୍ଧ ଓ ସାନବନ୍ଧ ନାମରେ ପରିଚିତ ।

ଜାତୀୟ ରାଜପଥ

କନ୍ଧମାଳ ଜିଲା। ଦେଇ ୨ ଜାତୀୟ ରାଜପଥ ଯାଇଛି । ଗୋଟିଏ ଗୋପାଳପୁର-ରାୟପୁର ଏନ୍.ଏଚ୍ ୫୯ ଓ ଅନ୍ୟଟି ଭଞ୍ଜନଗର-ଚାରିଛକ ୧୫୭ନଂ. ଜାତୀୟ ରାଜପଥ । ଫୁଲବାଣୀ ସହର ଦେଇ ଏହି ୧୫୭ ନଂ. ଜାତୀୟ ରାଜପଥ ଯାଇଛି ।

ପର୍ଯ୍ୟଟନ ସ୍ଥଳୀ

ଫୁଲବାଣୀ ସହରରେ ପର୍ଯ୍ୟଟନ ସ୍ଥଳୀ ଭାବେ ପୁତୁଡି ଜଳପ୍ରପାତ ଓ ପିଲା ସାଲାକି ଡ୍ୟାମ ରହିଛି । ଶୀତଋତୁ କଥା ଛାଡ, ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟଙ୍କ ଭିଡ ଲାଗିଥାଏ ।

ଏହାର ମନୋରମ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ବିଭିନ୍ନ ସମୟରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ଏହା ପ୍ରକୃତିର ଭୂତ୍ସର୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହାକୁ ଯିଏ ଥରେ ଦେଖିଥାଏ ତା'ର ମନମୁଗ୍ଧ ହୋଇଥାଏ ।

ଶିକ୍ଷାନୁଷ୍ଠାନ

ଫୁଲବାଣୀରେ ସରକାରୀ ଭାବେ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟଳୟ,ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟଳୟ, ସରକାରୀ ବହୁବୃତ୍ତି  ବିଦ୍ୟାଳୟ, ସରକାରୀ ଆଇଟିଆଇ ପ୍ରତିଷ୍ଠାନ ରହିଛି । ସହରରେ ସର୍ବପୁରାତନ ଏଜେଓ ଉଚ୍ଚ ବିଦ୍ୟାଳୟ ରହିଛି । ଅଧିକାଂଶ ପିଲା । ଏଠାରୁ ପଢ଼ି ଜିଲା ସମେତ ରାଜ୍ୟରେ ନାମ କମାଇ ପାରିଛନ୍ତି । ଅନୁରୂପ ଭାବେ ବାଳିକା ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, କାର୍ମେଲ ଇଂଲିଶ ମିଡିୟମ ସ୍କୁଲ, ପବ୍ଲିକ ସ୍କୁଲ, ଶିଶୁ ମନ୍ଦିର, ସ୍ଵାମୀ ଚିଦାନନ୍ଦ ଇଂଲିଶ ମିଡିୟମ ସ୍କୁଲ, ପୋଲିସ ଉଚ୍ଚ ବିଦ୍ୟାଳୟ, ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟ ଆଦି ରହିଛି ।

ପାର୍କ

ସହରରେ ୪ ପାର୍କ ରହିଛି । ଗୋଟିଏ ଟାଉନ ଥାନା ସମ୍ମୁଖ ମଧୁ ଉଦ୍ୟାନ, ବ୍ଳକ ଶିକ୍ଷାଧ୍ୟକାରୀଙ୍କ କାର୍ଯ୍ୟାଳୟକୁ ଲାଗି ରହିଛି ବିଜୁ ପଟ୍ଟନାୟକ ପାର୍କ,କରୋନେଶନ ପଢିଆରେ ଫିଟନେସ ପାର୍କ ଓ ଡାକପାଲା ରାସ୍ତାରେ ନେହେରୁପାର୍କ ରହିଛି । କିଛି ପାର୍କକୁ ବୁଲିଯିବା ପାଇଁ ପୌର ପରିଷଦ ପକ୍ଷରୁ ଟିକେଟ ବ୍ୟବସ୍ଥା କରଯାଇଛି ।

ମେଡିକାଲ

ଫୁଲବାଣୀରେ ରହିଛି ଜିଲା ମୁଖ୍ୟ ଚିକିତ୍ସାଳୟ । ଏଠାରେ ଭେଷଜ, ଶଲ୍ୟ, ଅସ୍ଥିଶଲ୍ୟ, ଶିଶୁ ବିଭାଗ, ସ୍ତ୍ରୀ ଓ ପ୍ରସୂତି, ଚକ୍ଷୁବିଭାଗ, ସଂକ୍ରମଣ ୱାର୍ଡ, କ୍ଲବ ଫୁଟ ୱାର୍ଡ, କେମୋଥେରାପି ୟୁନିଟ, ଅପରେଶନ ଥିଏଟର, ଯକ୍ଷ୍ମା ବିଭାଗ, ମା' ଓ ଶିଶୁଙ୍କ ପାଇଁ ସ୍ଵତନ୍ତ୍ର ୱାର୍ଡ, କଙ୍ଗାରୁ ମଦର କେୟାର ୟୁନିଟ, ସିକ୍ ନିଓନାଟାଲ କେୟାର ୟୁନିଟ, ଏକ୍ସରେ ୟୁନିଟ, ଡିଜିଟାଲ ଏକ୍ସ-ରେ ୟୁନିଟ, ଅଲଟ୍ରାସାଉଣ୍ଡ ୟୁନିଟ, ରକ୍ତ ପରୀକ୍ଷା ଗାର, ତ୍ରେସିଂ ତୁମ, ୨୪ ଘଣ୍ଟିଆ ଔଷଧ ବଣ୍ଟନ କେନ୍ଦ୍ର, ଆମ୍ବୁଲାନ୍ ସେବା, ହେଲ୍ମ ଡେସ୍ପ, ରୋଗୀଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ, ଉଜଳ ଆଲୋକ ବ୍ୟବସ୍ଥା, ଅବସର ବିନୋଦନ ପାଇଁ ଟେଲିଭିଜନ ବ୍ୟବସ୍ଥା, ସିସିଟିଭି କ୍ୟାମେରା, ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ବୀମା ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା, ଓଡିଶା ସରକାରଙ୍କ ରାଜ୍ୟ ସ୍ଵାସ୍ଥ୍ୟ ବୀମା ଯୋଜନା, ଜନନୀ ଓ ଶିଶୁ ସୁରକ୍ଷା କଲ୍ୟାଣ ଯୋଜନା ଉପଲବ୍ଧ ଅଛି ।

ସ୍ଵତନ୍ତ୍ର ଚିକିତ୍ସା

କ୍ଲବ ଫୁଟ ୱାର୍ଡ,କେମୋଥେରାପି ୟୁନିଟ, ଅପରେଶନଥିଏଟର, ମା' ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ, କଙ୍ଗାରୁ ମଦର କେୟାର ୟୁନିଟ, ସିକ ନିଓନାଟାଲ ୟୁନିଟ, ଡିଜିଟାଲ ଏକ୍ସ-ରେ, ଅଲଟ୍ରାସାଉଣ୍ଡ ୟୁନିଟ ଅଛି।

ରାସ୍ତା

ଫୁଲବାଣୀ ପୌର ପରିଷଦ ଅଧୀନରେ ପ୍ରାୟତଃ୨୦୦କିଲୋମିଟର ରାସ୍ତା ଅଛି । ସେଥିରୁ ୧୮୪.୫୦ କିମି ପକ୍କା ଓ ୧୪.୫୦ କିମି କଳା ରାସ୍ତା ରହିଛି ।

ଥାନା ଓ ଫାଣ୍ଡି

ଫୁଲବାଣୀ ସହରରେ ଦୁଇଟି ଥାନା ରହିଛି । ଗୋଟିଏ ଟାଉନ ଥାନା ଓ ଅନ୍ୟଟି ସଦର ଥାନା ।

ଟାଉନ ଥାନା ଅଧିକାରୀ

ରେବତୀ ଶବର,୦୬୮୪୨ – ୨୫୩୮୨୦ / ୯୪୩୮୦୪୫୫୦୮

ସଦର ଥାନା ଅଧିକାରୀ

ରାଧାକାନ୍ତ ସାହୁ,୦୬୮୪୨ – ୨୧୧୦୦୪/ ୯୪୩୮୨୩୮୩୮୭

ପ୍ରସିଦ୍ଧ ଉତ୍ସବ

ପ୍ରତି ଦୁଇ ବର୍ଷର ଅନ୍ତରାଳରେ କନ୍ଧମାଳ ଜିଲାର ଫୁଲବାଣୀ ସହରରେ ପ୍ରସିଦ୍ଧ ଉତ୍ସବ ଭାବେ ମା' ନାରାୟଣୀଙ୍କ ଯାତ୍ରା ପାଳନ କରାଯାଏ । ଅମଲାପଡା ମା’ ବ୍ରାହ୍ମଣୀ ଦେବୀ, ଫୁଲବାଣୀ ସାହି ମା' ବରାଳ ଦେବୀ, ନଦୀଖଣ୍ଡି ସାହି ବ୍ୟାଘ୍ର ଦେବୀ ଓ ମା’ ନାରାୟଣୀ ୪ ଭଉଣୀ ଭାବେ ପରିଚିତ । ୩ ଭଉଣୀ ଯାଇ ମା' ନାରାୟଣୀଙ୍କୁ ଆମନ୍ତ୍ରଣ କରି ଯାତ୍ରା ଅସ୍ଥାୟୀ ମଣ୍ଡପକୁ ଆଣିଥାନ୍ତି । ସେଠାରେ ମାସେ ଧରି ଯାତ୍ରା ଚାଲେ । ମା'ଙ୍କ ରୀତିନୀତି ଅନୁସାରେ ସବୁ କାର୍ଯ୍ୟ ହୋଇଥାଏ । ପ୍ରତି ଗଳିକନ୍ଦି ମା' ବୁଲି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଅନୁରୂପ ଭାବେ ମା’ ବରାଳ ଦେବୀ ହେଉଛନ୍ତି ଜିଲାର ଅଧିଷ୍ଠାତ୍ରୀ ଦେବୀ । ଦଶହରା ବେଳେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାକାର୍ଯ୍ୟ ସମ୍ପାଦିତ ହୋଇଥାଏ । ସେହିପରି ପୂର୍ବରୁ ଏଠାରେ ଶୀତ ଉସବ ହୋଇ ଆସୁଥିଲା । ଗତବର୍ଷରୁ ତାହା ବନ୍ଦ ହୋଇଯାଇଛି । ଅନୁରୂପ ଭାବେ ଜିଲା ଉତ୍ସବ ପାଳନ ବନ୍ଦ ହୋଇ ଯାଇଥିଲେ ମୋର୍ସ ଏଥର ଏହି ଉତ୍ସବ ପାଳନ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ମା' ବରାଳ ଦେବୀ

କନ୍ଧମାଳ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା' ବରାଳ ଦେବୀଙ୍କ ମନ୍ଦିର ଫୁଲବାଣୀକୁଲାଗି ଖଜୁରିପଡା ବ୍ଳକରେ ରହିଛି । ସେହିପରି ଫୁଲବାଣୀରେ ମା' ନାରାୟଣୀ,ବ୍ରାହ୍ମଣୀ ଦେବୀ, ଜଗନ୍ନାଥ ଏବଂ ଦଧିବାମନ ମନ୍ଦିର ରହିଛି । ଅନୁରୂପ ଭାବେ ହନୁମାନ ଏବଂ ଶିବ ମନ୍ଦିର ମଧ୍ୟ ରହିଛି ।

ନିକଟବର୍ତ୍ତୀ ନଦୀ

କନ୍ଧମାଳ ଜିଲା ପାହାଡିଆ ଅଞ୍ଚଳ । ଏଠାରେ ପାଣିର ବହୁ ଅଭାବ । ଜିଲା ତଥା ଫୁଲବାଣୀ ସହର ଦେଇ ଯାଇଥିବା ସାଲୁଙ୍କି ନଦୀ ହେଉଛି ସମସ୍ତଙ୍କ ପ୍ରାଣକେନ୍ଦ୍ର । ଏକ ମାତ୍ର ଏହି ନଦୀ ଉପରେ ଜିଲାବାସୀ ନିର୍ଭର କରିଥାନ୍ତି । ଯାହା ସହରକୁ ଲାଗି ବିଭିନ୍ନ ଆଡକୁ ତାର ଗତିପଥ ବଦଳାଇଛି ।

ଅଧିକ ଜାଣିବା ପାଇଁ

http://www.ouat.nic.in

ସଂଗୃହିତ -

  • ରାକେଶ କୁମାର ରାଉତ
  • କିଶୋର ପଟ୍ଟନାୟକ ପର୍ଣ୍ଣକୁଟିର, ଫୁଲବାଣୀ

 

Last Modified : 3/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate