କେଉଁ ଆବାହମାନ କାଳରୁ ପ୍ରକୃତିର ନୈସର୍ଗିକ ସ୍ପର୍ଶରେ ସବୁଜିମା ବଣ ପାହାଡ଼, ନଦନଦୀର ଜୀବନ୍ତ ପରିବେଶରେ ସ୍ଥିତପ୍ରଜ୍ଞ ଭାବେ ଜୁନାଗଡ଼ ସହର ଇତିହାସର ମୂକସାକ୍ଷୀ ରୂପେ ସଂସ୍କୃତି, ଐତିହ୍ୟର କାହାଣୀକୁ ଅନବରତ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ବଖାଣି ଚାଲିଛି । ନିଜର ପ୍ରଶସ୍ତ ହୃଦୟରେ ‘ଛଅ କୋଡ଼ି ବନ୍ଧ, ନଅ କୋଡ଼ି ତୋଟା’ ବହନ କରିଛି । କୁଳୁକୁଳୁ ନାଦିନୀ ହାତୀନଦୀ ମନ୍ଦିର ମାଳିନୀ ଜୁନାଗଡ଼ର ପଦଧୌତ କରି ଅତୀତର ଲହୁଲୁହାଣ ଇତିହାସର ଅବ୍ୟକ୍ତ କୋହ ତା’ର ବ୍ଳକୁ ତଳେ ଚାପି ରଖୁଛି । କଳାହାଣ୍ଡିର ୧୮ଟି ଗଡ଼ ମଧ୍ୟରେ ଶ୍ରେଷ୍ଠତ୍ୱ ହାସଲ କରିଥିବା ଜୁନାଗଡ଼ ସମଗ୍ର ଦକ୍ଷିଣ କୋଶଳରେ ଜେନାବଳିଗଡ଼ ନାମରେ ସୁପରିଚିତ ଥିଲା । ତା’ର ରକ୍ଷାକାରିଣୀ, ଶଙ୍ଖଚକ୍ର ଧାରିଣୀ, ବିଶ୍ଵକଲ୍ୟାଣୀ - ଜଗଜ୍ଜନନୀ ମା’ ଲଙ୍କେଶ୍ଵରୀ ସେହି ଅନାଦି କାଳରୁ ଜୁନାଗଡ଼ର ଇଷ୍ଟଦେବୀ ଭାବରେ ପୂଜା ପାଇ ଆସୁଛନ୍ତି । ବିଭିନ୍ନ କିମ୍ବଦନ୍ତୀର ଭିତ୍ତିଭୂମିକୁ ନେଇ ଜଣାପଡ଼େ ଯେ, ରାଜା କୌଣସି ରାଜ୍ୟ ଜୟ କରି ସେହି ପରାଜିତ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀଙ୍କୁ ଆଣି ନିଜ ରାଜ୍ୟରେ ପ୍ରତିଷ୍ଠିତ କରାଇ ପୂଜା ଆରାଧନା କରିଥାନ୍ତି । ଦକ୍ଷିଣର ଜନୈକ ରାଜା ଲଙ୍କାଗଡ଼ ବିଜୟ କରି ଲଙ୍କାର ଦେବୀ ଲଙ୍କେଶ୍ଵରୀଙ୍କୁ ଜୁନାଗଡ଼ଠାରେ ସ୍ଥାପିତ କରାଇଥିଲେ । ରାଜାଙ୍କ ସହିତ ଲଙ୍କାର ଅନୁଚର ମାନେ ମଧ୍ୟ ଏହି ଜୁନାଗଡ଼ରେ ଅବସ୍ଥାପିତ ହୋଇ ବଙ୍କାନାମରେ ନାମିତ ହେଲେ । ମୁଖ୍ୟତଃ ବଙ୍କାମାନେ ଥିଲେ ଏକ ଦୁର୍ଘର୍ଷ, ପରାକ୍ରମୀ ଯୁଦ୍ଧଖୋର ଜାତି । କଳାହାଣ୍ଡି ବ୍ୟତୀତ ଏହି ଜାତିର ଅବାସୀମାନେ ଅନ୍ୟତ୍ର ଦୃଷ୍ଟିଗୋଚର ହୁଅନ୍ତି ନାହିଁ । ବଙ୍କା ରାଜପୁତମାନେ ସେହି ସମୟରୁ ଜୁନାଗଡ଼ରେ ଲଙ୍କେଶ୍ଵରୀଙ୍କୁ ରାଜଦେବୀ ଭାବରେ ପୂଜା କରି ଆସୁଛନ୍ତି । ବିଜୟର ସ୍ମାରକୀ ସ୍ଵରୂପ ଦେବୀଙ୍କ ଦୁଇପାର୍ଶ୍ୱରେ ଥିବା ଦୁଇଟି ଖଣ୍ଡା ଏହାର ଦ୍ୟୋତକ ଅଟେ । ସେ ହେଉଛନ୍ତି ଶକ୍ତିର ଉତ୍ସ, ପାପର ସଂହାରକାରିଣୀ ଓ ଧର୍ମର ସଂସ୍ଥାପନକାରିଣୀ ‘ଜୟ ମା’ ଲଙ୍କେଶ୍ଵରୀ’ ଉଦଘୋଷରେ ସେ ଥିଲେ ଶକ୍ତିର ଏକ ପ୍ରବାହିତ ତରଙ୍ଗ ଓ ସୈନିକଙ୍କ ପ୍ରାଣର ପ୍ରମୁଖ କେନ୍ଦ୍ରବିନ୍ଦୁ । ଏଣୁ ଦେବୀଙ୍କ ସୁପରିଚିତ ବିଜୟ ପର୍ବର ଉତ୍ସାହ, ଉଦ୍ଦୀପନା ଭରା ଚେତନାର ଉତ୍ସବ ମୁଖର ‘ଖଣ୍ଡାବସା’ ପର୍ବ ବୋଲି ଅନୁମିତ ହୁଏ ।
ଅତୀତର ପୃଷ୍ଠା ଅବଲୋକନ କଲେ ଅନେକ ଗୁଢ଼ ରହସ୍ୟ ଉଦ୍ଘାଟିତ ହୋଇପାରିବ । ଅତୀତରେ ଜୁନାଗଡ଼ ଜେନାବଳିଗଡ଼ ନାମରେ ସମଗ୍ର ମହାକାନ୍ତାରରେ ପଶ୍ଚିମ ଲଙ୍କା ନାମରେ ବିଦିତ ଥିଲା । ଏହାର ଚତୁଃପାର୍ଶ୍ଵରେ ବର୍ତ୍ତମାନ ସୁଦ୍ଧା ଗଡ଼ଖାଇର କେତେକ ଅଂଶ ପରିବେଷ୍ଟନୀ ହୋଇଥିବାର ଦୃଷ୍ଟାନ୍ତ ଦେଖାଯାଏ । ତେଣୁ ଏହା ଜୁନା ବା ପୁରୁଣାଗଡ଼ ଭାବରେ ନାମିତ ହୋଇଥିବାର ଅନୁମେୟ କରାଯାଏ । ମହାକାନ୍ତାରର ଇନ୍ଦ୍ରାବତୀ ଉପତ୍ୟକା ଓ ବସ୍ତର (ମଧ୍ୟପ୍ରଦେଶ) ଅଞ୍ଚଳକୁ ନେଇ ବଜ୍ରକୋଟ ମଣ୍ଡଳ ଭାବେ ବେଶ୍ ଜଣାଶୁଣା ଥିଲା । କାଲାଚୁରୀ, ସୋମବଂଶୀ, ଗଙ୍ଗବଂଶୀ ପରେ ନାଗବଂଶୀମାନେ କ୍ରମଶଃ ବିହାରର ମାଳଭୂମି ଛୋଟନାଗପୁରରୁ ଆସି ଏହି ଗଡ଼ରେ ରାଜୁତି କରିଥିବାର ନଜିର ମିଳେ ।
ଚତୁର୍ଭୁଜା ମା’ ଲଙ୍କେଶ୍ଵରୀ ପଦ୍ମାସନା ତିନିହସ୍ତରେ ଆୟୁଧ ଓ ଏକ ହସ୍ତରେ ଅଭୟ ବରଦା । ବଜ୍ରକୋଟ ମଣ୍ଡଳର ଅଧୁରୀ ରୂପେ ସେ ସମଗ୍ର ଦକ୍ଷିଣ କୋଶଳରେ ସୁପରିଚିତ ଥିଲେ । ଏହି ପ୍ରତ୍ୟକ୍ଷ ଦେବୀ ମାନବୀର ରୂପଧାରଣ କରି କୁଆଁରୀ କନ୍ୟାମାନଙ୍କ ସାଥିରେ ବୋରିଆ ଓ ଲୁଲୁକାନି( ଲୁଚକାଳି) ଖେଳୁଥିଲେ । ଏଭଳି ଅନେକ ଅଲୌକିକ ଘଟଣାବଳିର ଉନ୍ମୋଚନ କରନ୍ତି ଲଙ୍କେଶ୍ଵରୀଙ୍କ ପୂଝାରୀ ଶ୍ରୀଯୁକ୍ତ ବଦ୍ରିନାରାୟଣ ପଣ୍ଡା । ସେ କହନ୍ତି ଯେ ସ୍ଵର୍ଗତ ରାମଚନ୍ଦ୍ର ପଣ୍ଡା ପୂଝାରୀ ଥିବା ସମୟର ଏକ କିମ୍ବଦନ୍ତୀ ଘଟଣା । ଅପରାହ୍ନ ସମୟ ରାସ୍ତାଘାଟ ଶୂନଶାନ, ଖାଁ ଖାଁ ପରିବେଶ ଆହୁରି ନିଶୂନ କରୁଥିଲା । ମୁହୁର୍ଭଗୁଡ଼ିକ ସମୟର ସାୟରୀ ଭିତରେ । ସେହି ଅବେଳରେ ରାସ୍ତାରେ ଆସୁଥିବା ଏକ ଚୁଡ଼ିହାରୀ ମନ୍ଦିର ସମ୍ମୁଖରେ ଚୁଡ଼ି ବିକ୍ରୟ କରିବା ପାଇଁ ଡାକଦେଲେ । କିଛି ସମୟ ପରେ ଜଣେ ଔଜସ୍ୱାନି, ସୌନ୍ଦର୍ଯ୍ୟର ପରିପାଟୀ ସମ୍ମୋହନକାରୀ ରମଣୀ ମନ୍ଦିର ଭିତରକୁ ଆସି । ଚୁଡ଼ିହାରୀଠାରୁ ଚୁଡ଼ି ପିନ୍ଧି ଥିଲେ ଏବଂ ତାଙ୍କ ବାପା ଆସିଲେ ଟଙ୍କା ପୌଠ କରିବେ ବୋଲି ପ୍ରତିଶ୍ରୁତି ଦେଇ ଚୁଡ଼ିହାରୀକୁ ପ୍ରତୀକ୍ଷା କରିବା ପଡ଼ିବାରୁ ଇନ୍ଦ୍ରଙ୍କୁ ଆରାଧନା କରାଗଲା ଓ ଇନ୍ଦ୍ର ଖୁଣ୍ଟି ପୋତା ହୋଇଥିଲା । ଏ ପର୍ଯ୍ୟନ୍ତ ଖଣ୍ଡାବସା ପର୍ବର ଶୁଭାରମ୍ଭ ହେଲେ ସେହି ଇନ୍ଦ୍ରଖୁଣ୍ଟି ଭିତରେ ଗୋଟିଏ ଖୁଣ୍ଟ ପୋତନ୍ତି ଓ ତା’ ଉପରେ ତିନିଟି ଟୋକେଇ ରଖାଯାଏ । ଜୁନାଗଡ଼ର ସେହି ପଡ଼ାକୁ କାଳ କ୍ରମେ ଇନଖୁଟିପଡ଼ା ନାମରେ ନାମିତ କରାଯାଇଛି । ଲଙ୍କା ଓ ଲଙ୍କେଶ୍ଵର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ କହିଲେ ଅତ୍ୟୁକ୍ତି ହେବ ନାହିଁ । ସୋନପୁର, ଦେପୁର ଓ ଜୁନାଗଡ଼ଠାରେ ଲଙ୍କେଶ୍ଵରୀ ସ୍ଥାପିତ ହୋଇଛନ୍ତି । ବସ୍ତର (ମଧ୍ୟପ୍ରଦେଶ)ର ଇଷ୍ଟଦେବୀ ଦନ୍ତେଶ୍ଵରୀଙ୍କୁ ଦନ୍ତାବାଡ଼ରୁ ଜେନାବଳି ପାଟଣାର ରାଜା ଆଣି କଳାହାଣ୍ଡିରେ ଅବସ୍ଥାପିତ କରାଇଛନ୍ତି ଏବଂ ଦଶହରା ସମୟରେ ଲଙ୍କେଶ୍ଵରୀଙ୍କ ଫୁଲମାଳ (ଆଜ୍ଞାମାଳ) ଯାହାକି ଅନୁମତିର ଏକ ସଙ୍କେତ ଅଟେ । ତେଣୁ ଦନ୍ତେଶ୍ଵରୀଙ୍କ ପାଖରେ ଆଜ୍ଞାମାଳ ପହଞ୍ଚିଲେ ହିଁ ପର୍ବର ଶୁଭାରମ୍ଭ ହୁଏ । ମା’ଙ୍କ ପବିତ୍ର ବିଜୟ ଓ ହର୍ଷଉଲ୍ଲାସର ପର୍ବ “ଖଣ୍ଡାବସା’ ହୁଏ । ଆଶ୍ମିନ ମୂଳାଷ୍ଟମୀ ଦିନ ଜେନାବଳି ପାଟଣାର ନାଗବଂଶୀୟ ରାଜାଦେବୀଙ୍କ ଖଣ୍ଡାକୁ ଚାଉଳ ଉପରେ ବସାନ୍ତି । ତେଣୁ ଏହି ପାରମ୍ପରିକ ପର୍ବ ଖଣ୍ଡାବସା ନାମରେ ସମଗ୍ର କଳାହାଣ୍ଡିରେ ସୁପ୍ରସିଦ୍ଧ ଲାଭ କରିଛି ।
ତନ୍ତ୍ର ଆରାଧନାର ଆହୁରି ଏକ ବିଶେଷତ୍ଵ ଏ ମନ୍ଦିରରେ ଅଛି । ପ୍ରତି ସଂକ୍ରାନ୍ତିରେ ଦେବୀଙ୍କ ଚକ୍ରେଶ୍ଵରୀ ପୂଜାରେ ଅନେକ ପ୍ରତିଷ୍ଠିତ ବ୍ରାହ୍ମଣ ନିଶାଦ୍ଧରେ ଦେବୀଙ୍କ ସମ୍ମୁଖରେ ବସି ଚର୍ବି, ଚୋଷ୍ୟ, ଲେଦ୍ୟ ଇତ୍ୟାଦିରେ ପୂଜା କରନ୍ତି । ସେ ସମୟ ରେ ଶକ୍ତି ଆରାଧନାର ଏକମାତ୍ର ଲକ୍ଷ୍ୟ ଥିଲା ନିଜ ରାଜ୍ୟ ସୀମାକୁ ବୃଦ୍ଧି କରି ଏକ ଶକ୍ତିଶାଳୀ । ରାଜ୍ୟରେ ପରିଣତ କରିବା ଓ ନିଜକୁ ବଳଶାଳୀ ରାଜା ରୂପେ ପ୍ରତିପାଦିତ କରିବା । ରାଜଧାନୀ ଜେନାଗଡ଼ ବିଜୟବାର୍ତ୍ତା ବହନକରି । । ତାଙ୍କର ଜୟଗାନ କରି ଚାଲିଛି ଅନବରତ ଇତିହାସର ସ୍ଵର୍ଣ୍ଣିମ ଇସ୍ତାହାରରେ । ପ୍ରଳୟ ଓ ସୃଷ୍ଟିର ଲୁଚକାଳି ଏବେ ବି ଚଳଚଞ୍ଚଳ । ହେଉଛି ସମୟର ଉତ୍ତନପାଦ ମଧ୍ୟରେ ତାଙ୍କର ଚରଣ ଯୁଗଳ ତଳେ । । ଏହି ଗଡ଼ର ଅପୁଲକ ହସରେ ସେ ତଲ୍ଲୀନ ହୋଇ ଫୁଲି ଉଠନ୍ତି ଓ କେବେ ଦୁଃଖର କୋରସ ଭିତରେ କେଇ ଟୋପା ଲୁଣି ଲୁହ ଝରାଉଛନ୍ତି । ଜେନାଗଡ଼ରୁ ଜୁନାଗଡ଼ ପର୍ଯ୍ୟନ୍ତ ଲମ୍ବିଥିବା ଏକ ଦିଗନ୍ତହୀନ ଇତିହାସ ନିଜ ବକ୍ଷରେ ଧାରଣ କରି ସ୍ମତିର ଏକ ଚାରି ଚଉତା ଇସ୍ତାହାର ଲିପିବଦ୍ଧ କରି ରଖୁଛନ୍ତି । ସେହି ଆଶିଷ ଦାୟିନୀ ମା’ଙ୍କ ଚରଣ କମଳରେ ମଥାନତ ହୋଇ ସମସ୍ତଙ୍କ ସୁଖ ଓ ଶାନ୍ତିର କାମନା କରୁଛି । ‘ସର୍ବେ ଭବନ୍ତୁ ସୁଖନୀ, ସର୍ବେ ସନ୍ତୁ ନିରାମୟା ।”
ଆଧାର - ଇ ମଗାଜିନ
Last Modified : 4/26/2020