অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତାରାତାରିଣୀ ମନ୍ଦିର

ମନ୍ଦିର ଅବସ୍ଥିତି

ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ହିନ୍ଦୁ ଧର୍ମର ଶକ୍ତି-ସ୍ୱରପିଣୀ ଦେବୀ ତାରାତାରିଣୀଙ୍କ ଏକ ମନ୍ଦିର । ଆମ ଦେଶରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି । ଏହି ପୀଠର ମହିମା ଯୋଗୁଁ ବେଶ ପ୍ରସିଦ୍ଧି ଲାଭ କରିଛି । ଓଡ଼ିଶାରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରେ ମା ତାରାତାରିଣୀଙ୍କ ପୀଠର ସ୍ୱାତନ୍ତ୍ର୍ୟତା ରହିଛି । ଏହି ପୀଠ ବୌଦ୍ଧ, ବୈଷ୍ଣବୀ, ତନ୍ତ୍ର ଓ ଶକ୍ତିପୀଠ ନାମରେ ପ୍ରସିଦ୍ଧି ଲାଭ କରିଛି ।

କିମ୍ବଦନ୍ତୀ

ସତ୍ୟଯୁଗରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀ ପିତାଙ୍କ ଅନିଚ୍ଛା ସତ୍ତ୍ୱେ ଶିବଙ୍କୁ ବିବାହ କରିଥିଲେ । ଥରେ ଦକ୍ଷ ପ୍ରଜାପତି ଏକ  ବିରାଟ ଯଜ୍ଞର ଆୟୋଜନ କଲେ ଏବଂ ସମସ୍ତ ଦେବଦେବୀଙ୍କୁ ଏଥିରେ ଯୋଗଦେବାକୁ ନିମନ୍ତ୍ରଣ କଲେ । ଦକ୍ଷ ଶିବଙ୍କର ଶ୍ମଶାନରେ ବାସ କରିବା ଓ ବିଚିତ୍ର ବେଶଭୂଷାକୁ ନାପସନ୍ଦ କରୁଥିଲେ । କନ୍ୟା ସତୀ ଇଚ୍ଛା ବିରୁଦ୍ଧରେ ଶିବଙ୍କୁ ବିବାହ କରିଥିବାରୁ ଦକ୍ଷ ଝିଅ ଜ୍ୱାଇଁଙ୍କୁ ଯଜ୍ଞକୁ ନିମନ୍ତ୍ରଣ କରିନଥିଲେ । ମହର୍ଷି ନାରଦଙ୍କଠାରୁ ପିତାଙ୍କ ଯଜ୍ଞର ବିରାଟ ଆୟୋଜନ ଶୁଣି ଶିବଙ୍କ ବାରଣ ସତ୍ତ୍ୱେ ବାପଘରକୁ ଯାଇ ଯଜ୍ଞସ୍ଥଳରେ ଉପସ୍ଥିତ ହେଲେ । ସତୀ ଯଜ୍ଞସ୍ଥଳରେ ପିତା ଦକ୍ଷ ପ୍ରଜାପତିଙ୍କୁ ଦେଖି ଝିଅଜ୍ୱାଇଁଙ୍କୁ ନିମନ୍ତ୍ରଣ କରିନଥିବା ବିଷୟରେ ଜିଜ୍ଞାସା କଲେ । କିନ୍ତୁ ପିତା ସତୀଙ୍କୁ ଶିବଙ୍କ ବିଷୟରେ ନାନା କଟୁକଥା କହିଲେ । ଫଳରେ ସତୀ ସ୍ୱାମୀ ଶିବଙ୍କ ଅପମାନକୁ ସହି ନପାରି ଯଜ୍ଞକୁଣ୍ଡରେ ଝାସ ଦେଲେ । ଏହି ଦୁଃସମ୍ବାଦ ପାଇ ଶିବ କ୍ରୋଧାନ୍ୱିତ ହେଲେ, ଅବିଳମ୍ବେ ଯଜ୍ଞସ୍ଥଳକୁ ଯାଇ ଦକ୍ଷଙ୍କ ଶିର ଛେଦନ କରିବା ସହିତ ଯଜ୍ଞସ୍ଥଳକୁ ଧ୍ୱଂସ ବିଧ୍ୱଂସ କରିଦେଲେ । ସତୀଙ୍କର ସେହି ଦଗ୍‌ଧୀଭୂତ ଶରୀରକୁ କାନ୍ଧରେ ପକାଇ ପାଗଳପ୍ରାୟ ଲକ୍ଷ୍ୟହୀନଭାବରେ ଘୂରିବୁଲିଲେ । ଶିବଙ୍କ ବିନା ସୃଷ୍ଟି ପରିଚାଳନା ଅସମ୍ଭବ ଜାଣି ଭଗବାନ୍‌ ବିଷ୍ଣୁ ସୁଦର୍ଶନ ଚକ୍ର ଦ୍ୱାରା ଶିବଙ୍କ କାନ୍ଧରେ ଥିବା ସତୀଙ୍କ ଦଗ୍‌ଧୀଭୂତ ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ । ସତୀଙ୍କ ପିଣ୍ଡ ଏକାବନଟି ସ୍ଥାନରେ ପଡ଼ିଥିଲା ଓ ଏକାବନଟି ସ୍ଥାନରେ ଏକାବନ ଶକ୍ତିପୀଠ ସୃଷ୍ଟି ହୋଇଥିଲା । ସତୀଙ୍କ ବକ୍ଷୋଜ ତାରା ତାରିଣୀ ପୀଠରେ ପଡ଼ିଥିଲା । ତେଣୁ ସତୀଙ୍କ ବକ୍ଷୋଜରୁ ତାରା ତାରିଣୀ ଭଉଣୀ ଦ୍ୱୟ ସୃଷ୍ଟିହୋଇ ଥିଲେ ।

ମାଆ ତାରା ତାରିଣୀ ବ୍ରହ୍ମର୍ଷି ବଶିଷ୍ଠଙ୍କ ଇଷ୍ଟଦେବୀ । ଥରେ ବଶିଷ୍ଠ ଏକ ଅଭିପ୍‌ସା ପୂରଣ ପାଇଁ ଦେବୀଦ୍ୱୟଙ୍କୁ ଆବାହନ କଲେ, ହେଲେ ଦେବୀଦ୍ୱୟ ଏଥିପ୍ରତି ଉଦାସୀନତା ଦେଖାଇଲେ । ଫଳରେ ବ୍ରହ୍ମର୍ଷି ରୁଷ୍ଟହୋଇ ଦେବୀଦ୍ୱୟଙ୍କୁ ଅପୂଜା ରହିବାକୁ ଅଭିଶାପ ଦେଲେ । କିନ୍ତୁ ଦେବୀଦ୍ୱୟ ଏଥିପାଇଁ ଅନୁତାପ କରିବାରୁ ବଶିଷ୍ଠ ଶାନ୍ତ ହେଲେ ଏବଂ କହିଲେ, କଳିଯୁଗର ମଧ୍ୟଭାଗରେ ତାଙ୍କର ଜ୍ୟେଷ୍ଠଭଗ୍ନୀ ଋଷିକୁଲ୍ୟା ନଦୀ ତୀରରେ ମୋର ମାନସ ପୁତ୍ର ବସୁ ପ୍ରହରାଜଙ୍କ ଘରେ ତୁମେଦୁହେଁ କିଛିଦିନ ଲାଳିତ ପାଳିତ ହେବାପରେ ତାରାତାରିଣୀ ପର୍ବତର ଶୀର୍ଷଦେଶରେ ପୂଜାପାଇବ ଓ ଶାପମୁକ୍ତ ହେବ । ସେତେଦିନ ପର୍ଯ୍ୟନ୍ତ ମାଆ ଲକ୍ଷ୍ମୀଙ୍କ ଚକ୍ଷୁକୋଣରେ ରହି ଶିବଙ୍କ ନିକଟରେ ନିଜକୁ ତଲୀନ ହେବାକୁ ଉପଦେଶ ଦେଲେ ।

ଅନ୍ୟଏକ କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ମହୀରାବଣ ରାମ ଲକ୍ଷ୍ମଣଙ୍କୁ ଅପହରଣ କରି ମାଆ କାଳୀଙ୍କ ପାଖରେ ବଳି ଦେବାର ସମ୍ବାଦ ଶୁଣି ଅଶୋକ ବନରେ ବନ୍ଦିନୀ ଥିବା ସୀତାମାତା କାନ୍ଦିଲେ । ତାଙ୍କ ଦୁଇ ଆଖିରୁ ଝରିପଡ଼ୁଥିବା ଲୁହରୁ ବିଭିନ୍ନ ଆୟୁଧରେ ସଜ୍ଜିତ ଅପୂର୍ବ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ଦୁଇଜଣ ଦେବୀ ଜାତ ହୋଇ ଶାପମୁକ୍ତ ହେଲେ ଏବଂ ସୀତାଙ୍କ ସେବା କରିବା ପାଇଁ ଇଚ୍ଛା ପ୍ରକଟ କଲେ । ସୀତାଙ୍କ ଆଦେଶରେ ହନୁମାନଙ୍କ ସହିତ ମିଶି ଦେବୀଦ୍ୱୟ ନିଜ ଅଙ୍ଗରୁ କାତ୍ୟାୟନୀ ଓ ଯୋଗିନୀଗଣଙ୍କୁ ସୃଷ୍ଟିକରି ମହୀରାବଣକୁ ବଧକଲେ । ସେଠାରୁ ଫେରି ମାତାସୀତାଙ୍କୁ ବିଦାୟ ପାଇଁ ଅନୁମତି ମାଗିବା ସମୟରେ ସୀତା ସେଦୁହିଁଙ୍କୁ ଋଷିକୁଲ୍ୟା ତୀରରେ ଅଗସ୍ତି ମୁନିଙ୍କ ଆଶ୍ରମ ନିକଟରେ ପ୍ରଭୁ ଶ୍ରୀରାମ ପ୍ରତିଷ୍ଠା କରିଥିବା ପଞ୍ଚାନନ ଏବଂ ତୁମ୍ବେଶ୍ୱରଙ୍କ ଲିଙ୍ଗ ଥିବା ତାରକାକ୍ଷ ମହାଗିରି ତଥା ତାରାତାରିଣୀ ପର୍ବତ ଚୂଡାଦେଶରେ ଗୋପନରେ ରହିବାକୁ ନିର୍ଦ୍ଦେଶ ଦେଲେ ଓ କଳିଯୁଗ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ ।

ଗଞ୍ଜାମର ଆଠଗଡ଼ ଅନ୍ତର୍ଗତ ବୀର ଜଗନ୍ନାଥ ଶାସନରେ କୁମାରୀ ନାମକ ଛୋଟଗାଁରେ ଏକ ମଧ୍ୟବିତ୍ତ ପରିବାରରେ ବସୁ ପ୍ରହରାଜ ନାମରେ ଏକ ମହାଜ୍ଞାନୀ ଓ ତାନ୍ତ୍ରିକ ଥିଲେ। ଏହାସତ୍ତ୍ୱେ ସେ ନିଃସନ୍ତାନ ଥିଲେ । ତେଣୁ ସେ ଦୁଇଟି କନ୍ୟା ସନ୍ତାନ ଆଣି ଲାଳନ ପାଳନ କରିଥିଲେ । ସେହି ଦୁଇ ରୂପସୀକନ୍ୟାଙ୍କ ଲାଳନ ପାଳନରେ ବସୁ ପ୍ରହରାଜ କୌଣସି ଅବହେଳା କରି ନଥିଲେ । ଦିନେ ସେ ଦୁଇଝିଅ ହଠାତ୍‌ ସମସ୍ତଙ୍କ ଅଜ୍ଞାତସାରରେ ଗୃହତ୍ୟାଗ କଲେ, ବାଟରେ କୌଣସି କାଚରାଠାରୁ ଚୁଡ଼ି ପିନ୍ଧିଥିଲେ ଏବଂ ବସୁ ପ୍ରହରାଜଠାରୁ ପ୍ରାପ୍ୟ ନେଇଯିବା ପାଇଁ କହିଥିଲେ । କିଛିଦିନ ଉତ୍ତାରୁ ପ୍ରହରାଜଙ୍କୁ ସ୍ୱପ୍ନହାତ ହେଲା ଯେ ସେ ଦୁଇଭଉଣୀଙ୍କର ତାରାତାରିଣୀ ପର୍ବତ ଉପରେ ଦେହାନ୍ତ ହୋଇଯାଇଛି । ତେଣୁ ସେମାନଙ୍କ ସ୍ମୃତିରକ୍ଷା ନିମନ୍ତେ ଦୁଇଟି ବିଗ୍ରହ ପ୍ରତିଷ୍ଠା କରି ବସୁ ପ୍ରହରାଜ ତନ୍ତ୍ର ସାଧନା ଦ୍ୱାରା ସେଥିରେ ପ୍ରାଣ ପ୍ରତିଷ୍ଠା କଲେ । ସେ ଦୁଇ ମୂର୍ତ୍ତି ଅଧୁନା ତାରା ଓ ତାରିଣୀ ନାମରେ ବିଖ୍ୟାତ । ଆଉମଧ୍ୟ ବସୁ ପ୍ରହରାଜଙ୍କ ଉପାଖ୍ୟାନ ଅନୁସାରେ, ଏକଦା ଏକ ପ୍ରସିଦ୍ଧ ତନ୍ତ୍ରପୀଠ ଥିଲା । ସବୁଜ ବନାନୀ ଭିତରେ ଏହି ଜନଶୂନ୍ୟ ସ୍ଥାନଟି ତନ୍ତ୍ର ସାଧନ ପାଇଁ ପ୍ରକୃଷ୍ଟ ସ୍ଥାନ ହୋଇଥିବା ଦୃଷ୍ଟିରୁ ଏହା ଏକ ତନ୍ତ୍ର ସାଧନାର ପୀଠ ଥିଲା ବୋଲି ପ୍ରମାଣିତ କରେ । ଅନ୍ୟଏକ କିମ୍ବଦନ୍ତୀର ବର୍ଣ୍ଣନା ଅନୁସାରେ ସେ ଦୁଇ ଭଉଣୀ ଅନ୍ତର୍ଦ୍ଧାନ ହେବା ପରେ, ପ୍ରହରାଜ ବହୁତ ଖୋଜା ଖୋଜି କଲେ ମଧ୍ୟ ନିରାଶ ହେବାକୁ ପଡ଼ିଲା । ସେଦିନ ରାତିଅଧରେ ସ୍ୱପ୍ନରେ ଦେବୀଦ୍ୱୟ ଦର୍ଶନ ଦେଇ ସବୁକିଛି କହି ପ୍ରସ୍ଥାନ କଲେ । ରାତିର ଶେଷପ୍ରହରରେ ଶଯ୍ୟାତ୍ୟାଗ କରି ସମସ୍ତଙ୍କ ଅଜ୍ଞାତସାରରେ ବସୁ ପ୍ରହରାଜ ଏକୁଟିଆ ତାରାତାରିଣୀ ପର୍ବତ ଉପରେ ପହଞ୍ଚିଲେ । ସେଠାରେ ଦେଖିଲେ ସନ୍ତାକୃତି ଦୁଇଟି ଶିଳା । ଏହି ଶିଳାଦ୍ୱୟ ଅମୃତରେ ଶିକ୍ତ ହୋଇ ଯନ୍ତ୍ର ଖୋଦିତ ଶହେତୋଳା ସୁବର୍ଣ୍ଣ ପଦକ ଉପରେ ବିରାଜମାନ କରିଛନ୍ତି । ଏହାପରେ ବିଶିଷ୍ଟ କାରିଗରଙ୍କୁ ଡକାଇ ବିଧି ଅନୁସାରେ ଅକ୍ଷୟତୃତୀୟା ଦିନ ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ମନ୍ଦିର ଦେହରେ ଦେବୀଙ୍କ ଦଶମହାବିଦ୍ୟା ତଥା ଷୋଡ଼ଶୀ, ବଗଳା, ଛିନ୍ନମସ୍ତା, ଧୁମାବତୀ, ମାତଙ୍ଗୀ, କମଳା, ଭୁବନେଶ୍ୱରୀ, ଭୈରବୀ ଓ କାଳୀଙ୍କର ପ୍ରସ୍ତର ମୂର୍ତ୍ତି ରହିଛି ।

ପୂଜାବିଧି

ମାଆଙ୍କର ପୂଜାର୍ଚ୍ଚନା ପ୍ରତ୍ୟୁଷରୁ ଆରମ୍ଭ ହୋଇଥାଏ । ପ୍ରଥମେ କାଳରାତ୍ରିକୁ ବନ୍ଦନା କରି, ଅଗଣାକୁ ଶୋଧ କରାଯାଇ ଦ୍ୱାରପାଳ ଗଙ୍ଗାଯମୁନାଙ୍କୁ ସ୍ନାନ କରାଯାଏ ଓ ସୂର୍ଯ୍ୟପୂଜା ଆରମ୍ଭ ହୁଏ । ତା’ପରେ ଦେଉଳଶୋଧ, ପାର୍ଶ୍ୱଦେବତାଙ୍କୁ ସ୍ନାନ କରାଯାଇ ମାଆଙ୍କର ନିଦ୍ରାଭଙ୍ଗ କରିବା ପାଇଁ ଘଣ୍ଟଶବ୍ଦ କରିବାର ବିଧି ରହିଛି । ପୂଜକ ପହଡ଼ ତ୍ୟାଗ କରିବାର ନିବେଦନ କରିଥାନ୍ତି । ମନ୍ଦିରର ଦ୍ୱାର ଖୋଲାଯାଇ ମାଆଙ୍କ ନିତ୍ୟକର୍ମ ସମାପନ କରାଯାଏ । ମୁଖ ପ୍ରକ୍ଷାଳନ, କାଠଲାଗି ପରେ ଚୁଆ, କର୍ପୂର, ସିନ୍ଦୂର, କସ୍ତୁରୀ, ଗୋରଚନା, ଜାଇଫଳ ପ୍ରଭୃତି ଦ୍ୱାରା ମାଆଙ୍କୁ ସ୍ନାନମାର୍ଜନା କରି ବେଶ କରାଯାଏ । ବାଳଧୂପ ଲାଗି ହୁଏ । ଏହା ସହ ପ୍ରାତ୍ୟହିକ ପଞ୍ଚ ଦେବତାଙ୍କର ପୂଜା ହୁଏ । ମାଆଙ୍କ ନିକଟରେ ବାଳଧୂପ ଲାଗି ସହ ଧୂପ ରୂପେ ଖେଚୁଡ଼ି ଓ ଡାଲମା ଲାଗି କରାଯାଏ । ମଙ୍ଗଳ ଆଳତି ଓ ପୁଷ୍ପାଞ୍ଜଳି ପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିରର ଦ୍ୱାର ଖୋଲାଯାଏ । ପରମ୍ପରା ଅନୁସାରେ ମଧ୍ୟାହ୍ନ ୧୨ଟା ୧୫ ମିନିଟ୍‌ରେ ମାଆଙ୍କୁ ମଧ୍ୟାହ୍ନ ଧୂପର ନୈବେଦ୍ୟ ସମର୍ପଣ କରାଯାଏ । ପୁନର୍ବାର ଦେଉଳ ଶୋଧ କରି ଶଙ୍ଖୁଡ଼ି ଭୋଗ ଯଥା- ଅନ୍ନ, ଡାଲି, ଖଟା, ଭଜା ପ୍ରଭୃତି ଲାଗି କରାଯାଏ । ନୀରାଜନା ପୁଷ୍ପାଞ୍ଜଳି ପରେ ମାଆଙ୍କର ପୁନରାୟ ପହୁଡ଼ ପଡେ । ମଧ୍ୟାହ୍ନ ଧୂପର ପ୍ରସାଦ ସାଧୁ, ସନ୍ଥ, ଅତିଥି ଓ ପୂଜକ ସମସ୍ତେ ଏକତ୍ର ଭୋଜନ କରନ୍ତି । ଏହା ମହାନ୍‌ ପ୍ରଥା ପ୍ରାୟତଃ ବିରଳ । ଅପରାହ୍‌ଣ ଦୁଇଟା ବେଳକୁ ମାଆ ପହୁଡ଼ ତ୍ୟାଗ କରିବା ପାଇଁ ପୂଜକ ନିବେଦନ କରିବା ସହ ମାଆଙ୍କର ମୁଖ ଧୌତ କରାଯାଇ ବେଶ କରାଯାଏ । ପାଦ ଅର୍ଘ୍ୟ, ଧୂପ, ଦୀପର ନୈବେଦ୍ୟ ଅର୍ପଣ ପରେ ଜନସାଧାରଣଙ୍କୁ ଦର୍ଶନ ପାଇଁ ସୁଯୋଗ ଦିଆଯାଏ । ପାଞ୍ଚଟା ପନ୍ଦର ମିନିଟ୍‌ରେ ସନ୍ଧ୍ୟାଆଳତି ଆରମ୍ଭ ହୁଏ । ମନ୍ଦିର ଶୁଦ୍ଧ କରାଯାଇ ବାଳଭୋଗ ସହିତ ଆଳତି କରାଯାଇଥାଏ । ଭକ୍ତଙ୍କ ଦର୍ଶନ ନିମନ୍ତେ ରାତି ସାଢ଼େ ଆଠଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହେ । ଏହାପରେ ରାତ୍ରିଧୂପ ଲାଗି ହୁଏ । ରାତି ଧୂପରେ ଶଙ୍ଖୁଡ଼ି ଭୋଗ ଲାଗି କରାଯାଏ । ରାତ୍ରି ଆଳତି ପରେ ମାଆ ପହୁଡ଼ ବିଜେ କରିଥାନ୍ତି । ପହୁଡ଼ ବିଜେ ପାଇଁ ପୂଜକ ମାଆଙ୍କୁ ପଲଙ୍କରେ ବିଜେ ହେବାକୁ ନିବେଦନ କରିଥାନ୍ତି । ସ୍ତୁତିପାଠ କରି ଆଲଟ କରିବାର ପ୍ରଥା ରହିଛି । ପହୁଡ଼ ପରେ ମନ୍ଦିର ବନ୍ଦ କରାଯାଏ । ଏହି ପୂଜାବିଧିରେ କେତେକ ସ୍ୱତନ୍ତ୍ର ଦିବସ ତଥା ଉତ୍ସବ ଓ ଯାନିଯାତ୍ରା ଉପଲକ୍ଷେ କିଛି ପରିବର୍ତ୍ତନ ଦେଖାଯାଏ । ଦୈନିକ ରୀତିରେ ମାଆଙ୍କ ନିକଟରେ ଚଣ୍ଡୀପାଠ ଓ ଯାଗଯଜ୍ଞ ମଧ୍ୟ କରାଯାଇଥାଏ । ମାଆଙ୍କର ସମସ୍ତ ପୂଜା ମାଳି କରିବାର ବିଧି ରହିଛି । କିନ୍ତୁ ଘୃତ ଯଜ୍ଞ ମନ୍ଦିର ପୁରୋହିତ କରନ୍ତି ।

ବଳିପ୍ରଥା

ତାରାତାରିଣୀ ପୀଠରେ ମଧ୍ୟଯୁଗରୁ ପ୍ରାୟ ୫ଶହ ବର୍ଷ ଧରି ବଳିପ୍ରଥା ପ୍ରଚଳନ ଥିବାର ସୂଚନା ମିଳେ । ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ଅନୁସାୟୀ ବିଂଶଶତାବ୍ଦୀର ଆରମ୍ଭରେ ବର୍ଷସାରା ମଙ୍ଗଳବାର ଓ ସଂକ୍ରାନ୍ତି ତିଥିରେ ମା’ଙ୍କଠାରେ ବହୁଳ ସଂଖ୍ୟାରେ ଛାଗ ବଳି ଦିଆଯାଉଥିଲା । ମୁଖ୍ୟତଃ ଚୈତ୍ରମାସର ୪ଗୋଟି ମଙ୍ଗଳବାରରେ ୧୦ହଜାରରୁ ଅଧିକ ଛେଳି ଓ ବୋଦା ବଳି ଦିଆଯାଉଥିଲା । ପାହାଡ ଉପରେ ବହୁ ସଂଖ୍ୟକ ବଳି ଦିଆଯାଉ ଯୋଗୁଁ ଏହା ଉପରକୁ ଯିବାକୁ ଥିବା ରାସ୍ତାଟି ରକ୍ତର ସୁଅରେ ଲାଲ ହୋଇଯାଉଥିଲା । ବର୍ତ୍ତମାନ ଏହି ପ୍ରଥା ବନ୍ଦ ହୋଇଯାଇଛି । ଏବେ ମାଆଙ୍କୁ ଆମିଷ ନୈବେଦ୍ୟ ଦିଆଯାଉଛି । ତମ୍ବାପାତ୍ରରେ ପଇଡ଼ ପାଣିକୁ ମଦ୍ୟ ରୂପରେ ମାଆଙ୍କୁ ଅର୍ପଣ କରାଯାଉଛି ।

ମଣ୍ଡନ ମାନସିକ

ନିଃସନ୍ତାନ ଥିବା ବ୍ୟକ୍ତି ସନ୍ତାନ ଆଶା କରି ଓ ରୋଗଗ୍ରସ୍ତ ଶିଶୁର ଆରୋଗ୍ୟ ଲାଭ ପାଇଁ ବାପାମାଆମାନେ ସନ୍ତାନର ପ୍ରଥମ କେଶ ମା’ଙ୍କ ପୀଠରେ ମଣ୍ଡନ କରିବା ପାଇଁ ମାନସିକ କରନ୍ତି, ମାନସିକ ପୂରଣ ହେବାପରେ ଏଠାରେ ବିଶେଷତଃ ଚୈତ୍ର ମଙ୍ଗଳବାରରେ ଏଥିପାଇଁ ପ୍ରବଳ ଭିଡ଼ ହୋଇଥାଏ ।

ଗମନାଗମନ

ମନ୍ଦିରକୁ ଯିବାକୁ ହେଲେ ୯୯୯ ପାହାଚ ଅତିକ୍ରମ କରିବାକୁ ପଡେ । ବର୍ତ୍ତମାନ ମନ୍ଦିର ଉପରକୁ ଯିବାପାଇଁ ରୋପ୍‌ୱେର ବ୍ୟବସ୍ଥା କରାଯାଇଛି ।

ଆଧାର -

"tourism.webindia123.com"



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate