অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିମଳେଶ୍ଵର ଦେଉଳ

ବିମଳେଶ୍ଵର ଅବସ୍ଥିତି

ସମ୍ବଲପୁର ଜିଲ୍ଲାରମାନେଶ୍ଵର ବ୍ଳକ ଅନ୍ତର୍ଗତ ହୁମା ଗାଁର ଶେଷମୁଣ୍ଡରେ ବହିଯାଉଥିବା ମହାନଦୀ କୂଳରେ ବାବା ବିମଳେଶ୍ଵର ପୂଜା ପାଇ ଆସୁଛନ୍ତି । ଏହି ମନ୍ଦିର ଭୁପୃଷ୍ଠ ଆଡ଼କୁ ଢଳି ରହିଥିବାରୁ ଏହା ବକ୍ର ଦେଉଳ ଭାବେ ପରିଚିତ । ମନ୍ଦିରକୁ ଲାଗିରହିଥିବା ନଦୀଘାଟରେ ଦେଖାଯାଉଥିବା ଈଷତ୍ ଲାଲ ରଙ୍ଗର କୁଡ଼ୋ ମାଛ ହୁମାର ଅନ୍ୟତମ ଆକର୍ଷଣ ।

ସେମାନେ ପୋଷାମାଛ ପରି । ଏଠାରେ ଭଗବାନ ବିଷ୍ଣୁ ମୀନ ଅବତାରରେ ଅଛନ୍ତି ବୋଲି ବିଶ୍ଵାସ କରାଯାଏ । ଥରେ ଜଣେ ବୃଦ୍ଧ ଏହି ସ୍ଥାନର ଗୋଟିଏ କୁଡ଼ୋ ମାଛକୁ ପନିକିରେ କାଟିବା ଉଦ୍ୟମ କରନ୍ତେ ନିଜେ ପଥର ପାଲଟି ଯାଇଥିବା ପ୍ରବାଦ ଅଛି ।

କିମ୍ବଦନ୍ତୀ

ହୁମାର ବିମଳେଶ୍ଵର ଶିବଲିଙ୍ଗ ପାତାଳୀ ଓ ସ୍ଵଂୟ ଭୂଗର୍ଭରୁ ଆତ୍ମ ପ୍ରକାଶ କରିଛନ୍ତି । କିମ୍ବଦନ୍ତୀ ଅନୁସାରେ, ଏହି ଶିବଲିଙ୍ଗ ଉପରେ ଗୋଟିଏ ଗାଈର କ୍ଷୀର ଆପେ ସ୍ରବିତ ହେଉଥିଲା । ପ୍ରତିଦିନ ଗାଈର ପହ୍ନା ଶୁଷ୍କ ହେଉଥିବା ଦେଖି ଗାଇର ମାଲିକ ଗାଈଆଳକୁ ସନ୍ଦେହ କରି ନିଜେ ଗାଇକୁ ଗୋପନରେ ଜଗିବାକୁ ଆସୁଲା । ସେ ସ୍ଵତଃ ଗାଈର କ୍ଷୀର ଶିବଲିଙ୍ଗ ଉପରେ ଝରୁଥିବାରୁ ଦେଖି ଆଶ୍ଚର୍ଯ୍ୟହୋଇ ଏକଥା ପ୍ରଘଟ୍ଟ କରନ୍ତେ, ସେବେଠାରୁ ବାବା ବିମଳେଶ୍ଵରଙ୍କ ମହିମା ପ୍ରକଟିତ ହୋଇ ପୂଜର୍ଚ୍ଚନା ଆରମ୍ଭ ହେଲା ।

ନିର୍ମାଣ କାଳ

ହୁମା ମନ୍ଦିରର ନିର୍ମାତା ଓ ନିର୍ମାଣ କାଳ ସମ୍ପର୍କରେ ଅନେକ ବିବାଦ ଥିଲେ ସୁଦ୍ଧା ଲୋକପ୍ରିୟ ମତବାଦ ଅନୁସାରେ ଏହାକୁ ସମ୍ବଲପୁରର ପଞ୍ଚମ ରାଜା ବଳିୟାର ସିଂହଦେବ ୧୬୬୦ ରୁ ୧୬୮୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମାଣ କରିଥିଲେ ।  ମାତ୍ର ଜୈନିକ ବ୍ରିଟିଶ ସେଟଲମେଣ୍ଟ ଅଫିସର ଏ.ଏମ.ରସେଲ୍ଙ୍କ ଏକ ବନ୍ଦୋବସ୍ତ ଆଦେଶନାମା ଅନୁସାରେ ସମ୍ବଲପୁରର ପ୍ରଥମ ରାଜା ବଳରାମ ଦେବ ହୁମା ଗ୍ରାମଠାରେ ଏହି ମନ୍ଦିର ନିର୍ମାଣ ନିମନ୍ତେ ୬ ଖଣ୍ଡ ମୌଜା ପ୍ରଦାନ କରିଥିଲେ । ଏକ କୋର୍ଟ ଆଦେଶନାମାରେ ଅନ୍ୟ ଜଣେ ବ୍ରିଟିଶ ଜଜ୍ ମଧ୍ୟ ଏହି ଉକ୍ତିକୁ ସମର୍ଥନ କରିଛନ୍ତି । ସୁତରାଂ କେତେକ ଐତିହାସିକଙ୍କ ମତରେ ହୁମା ମନ୍ଦିରକୁ ସମ୍ବଲପୁରର ପଞ୍ଚମରାଜା ପରିବର୍ତ୍ତେ ପ୍ରଥମ ରାଜା ବଳରାମ ଦେବ କିମ୍ବା ତାଙ୍କ କୈଣସି ନିକଟ ସମ୍ପର୍କୀୟ ନିର୍ମାଣ କରେଇଥିବା ଯୁକ୍ତି କରନ୍ତି । ଏପରି ହେଲେ ମନ୍ଦିରର ନିର୍ମାଣ କାଳ ଆହୁରି ପୁରାତ୍ତନ ହୋଇ ୧୫୪୫ ରୁ ୧୫୬୦ ଖ୍ରୀଷ୍ଟାବ୍ଦ ଧରାଯିବ ।

ମନ୍ଦିର ବକ୍ର ହେବାର କାରଣ

ମନ୍ଦିରଟି ପ୍ରାୟ ୨୦୦ ଫୁଟ ଲମ୍ବ ଓ ୧୨୦ ଫୁଟ ପ୍ରସ୍ଥ ବିଶିଷ୍ଟ ଏକ ଆୟତାକୃତି ଆଧାରକ୍ଷେତ୍ର ଉପରେ ଅବସ୍ଥାପିତ । ମୂଖ୍ୟ ମନ୍ଦିର ବିମଳେଶ୍ଵର ପଶ୍ଚିମ ଦିଗକୁ ୪୭o କୋଣରେ ସ୍ପଷ୍ଟ ଢଳିକରି ଅଛି । ଏହି ବକ୍ରତାର କାରଣ ରହସ୍ୟାବୃତ୍ତ ଏବଂ ବିବାଦ ବଳୟରେ । କେତେକଙ୍କ ମତରେ ବର୍ଷାଦିନେ ମହାନଦୀର ବନ୍ୟା ସମୟରେ ପ୍ରବାହିତ ପ୍ରବଳ ସ୍ରୋତର ଆଘାତରୁ ରକ୍ଷାକରିବା ପାଇଁ ମନ୍ଦିରକୁ ନିର୍ମାଣ କାଳରୁ ହିଁ ଜାଣିଶୁଣି ବକ୍ରକରି ଗଢାଯାଇଛି । ଆଉ କେତେକଙ୍କ ମତରେ ମନ୍ଦିର ନିର୍ମାଣ ସମୟରେ ସିଧା ଥିଲା । ସମୟ କ୍ରମେ ମହାନଦୀର ପ୍ରବଳ ସ୍ରୋତରେ ମନ୍ଦିର ନଦୀପାର୍ଶ୍ଵସ୍ଥ ଭିତିଭୂମି ଦବିଯାଇ ମନ୍ଦିରର ବକ୍ରତା ସୃଷ୍ଟି ହେଲା ।

ଅନ୍ୟାନ୍ୟ ଆକର୍ଷଣ

ଦେଉଳ ପଛପଟେ ପାହାଚ ଅତିକ୍ରମ କରି ତଳକୁ ଖସିଲେ ମହାନଦୀରେ ଖେଳୁଥିବା ଅସଂଖ୍ୟ କୁଡ଼ୋ ମାଛ ଦେଖାଯାଆନ୍ତି । ସେଠାକୁ ଯାଇଥିବା ପର୍ଯ୍ୟଟକମାନଙ୍କ ହାତରୁ ନିର୍ଭୟରେ ଖାଦ୍ୟ ଖାଇଥାନ୍ତି । ଏହି ମାଛମାନେ କେଉଁ ପ୍ରାଜାତିର ଓ ସେମାନେ କେବେଠାରୁ ଏହି ସ୍ଥାନରେ ବାସକରିଆସୁଛନ୍ତି ସେ ନେଇଏ ଆଜିଯାଏଁ କୈଣସି ଠିକ ପ୍ରମାଣ ମିଳିନାହିଁ । ଦେଉଳ ନିକଟସ୍ଥ କୁନ୍ଦେରେ କୁଦାରେ ଅଛି ଶ୍ୟାମାକାଳୀଙ୍କ ପୀଠ । ଦେଉଳ ନିକଟରୁ ଡଙ୍ଗାରେ ଯିବାକୁ ପଡ଼େ କୁନ୍ଦେର କୁଦପାଖକୁ ।

ଆଧାର-

"www.orissatourism.org"



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate