ପ୍ରମୁଖ ବୈଶିଷ୍ଟ୍ୟ 45 ହଜାର କୋଟି ଟଙ୍କା ଲେଖାଏଁ ମିଳିବ ଦୁଇଟି ପର୍ଯ୍ୟାୟରେ ଲକଡାଉନ କାଳରେ ପଇଠ ହେବାକୁ ଥିବା ଅର୍ଥକୁ ସ୍ଥଗିତ ରଖିବାକୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ନିଷ୍ପତ୍ତି, ଲକଡାଉନ ପରେ 3ଟି କିସ୍ତିରେ ବିନା ସୁଧରେ ପଇଠ ହେବ ଅର୍ଥ କେନ୍ଦ୍ରୀୟ ଶକ୍ତି ଉତ୍ପାଦକ ଓ ଟ୍ରାନ୍ସମିସନ କମ୍ପାନୀଗୁଡ଼ିକ ଡ଼ିସକମକୁ ଶତକଡା 20 ରୁ 25 ଭାଗ ପର୍ଯ୍ୟନ୍ତ ରିହାତି ଦେବା ନେଇ ବିଚାର କରିବାକୁ ମନ୍ତ୍ରଣାଳୟର ପ୍ରସ୍ତାବ ଖାଉଟିମାନଙ୍କୁ ସଞ୍ଚିତ ଅର୍ଥ ଦେବାକୁ ଡ଼ିସକମକୁ ପରାମର୍ଶ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ 90 ହଜାର କୋଟି ଟଙ୍କାର ପ୍ୟାକେଜ ଚାପଗ୍ରସ୍ତ ଡ଼ିସକମଗୁଡିକୁ ସହାୟତା ପ୍ରଦାନ ଲାଗି କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ 90 ହଜାର କୋଟି ଟଙ୍କାର ପ୍ୟାକେଜ ଦେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପତ୍ର ଲେଖିଛନ୍ତି । 14 ତାରିଖ ଦିନ ଏସଂକ୍ରାନ୍ତରେ ପତ୍ର ଲେଖାଯାଇଛି । ଶକ୍ତି କ୍ଷେତ୍ରରେ ଏହି ପ୍ୟାକେଜ ପ୍ରଦାନ ଯୋଗୁଁ ଡ଼ିସକମର ବିଦ୍ୟୁତ ବଣ୍ଟନ ନେଇ ଉପୁଜିଥିବା ସମସ୍ୟା ଲାଘବ ହୋଇପାରିବ । ଆତ୍ମନିର୍ଭର ଭାରତ ଅଭିଯାନର ଅଂଶସ୍ଵରୂପ ଶକ୍ତି ଅର୍ଥ ନିଗମ (ପିଏଫସି) ଓ ଗ୍ରାମାଞ୍ଚଳ ବିଦ୍ୟୁତକରଣ ନିଗମ (ଆରଇସି) ଜରିଆରେ 90 ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଭାରତ ସରକାର ଗତ 13 ତାରିଖ ଦିନ ନିଷ୍ପତ୍ତି ନେଇଛନ୍ତି । ଉଭୟ ପିଏଫସି ଏବଂ ଆରଇସି ଡ଼ିସକମକୁ 10 ବର୍ଷ ପର୍ଯ୍ୟନ୍ତ ସ୍ଵତନ୍ତ୍ର ଦୀର୍ଘମିଆଦି ଋଣ ପ୍ରଦାନ କରିବେ । ରାଜ୍ୟ ଓ କେନ୍ଦ୍ରଶାସିତ ସରକାରଙ୍କୁ ଲେଖାଯାଇଥିବା ପତ୍ରରେ ଦର୍ଶାଯାଇଛି ଯେ, ଆରଇସି ଏବଂ ପିଏଫସି ତୁରନ୍ତ ଡ଼ିସକମକୁ ଋଣ ପ୍ରଦାନ କରିବେ । ଏହି ଋଣ ପ୍ରଦାନକାରୀ ଚଳନ୍ତି ପୁଞ୍ଜି ଉଦୟ (ୟୁଡିଏୱାଇ) ନିୟମାବଳୀ ଅନୁସାରେ ପ୍ରଦାନ କରାଯିବ । ଉଦୟ ଚଳନ୍ତି ପୁଞ୍ଜି ପରିସରଭୁକ୍ତ ହୋଇନଥିବା ଡ଼ିସକମଗୁଡିକ ମଧ୍ୟ ଏହି ଋଣ ପାଇପାରିବେ । ତେବେ ସେମାନଙ୍କୁ ରାଜ୍ୟ ସରକାରଙ୍କ ଠାରୁ ବିଦ୍ୟୁତ ଦେୟ ଓ ସବସିଡ ବାବଦ ଅର୍ଥ ମିଳୁଥିବ । ଏହି ଋଣଗୁଡିକ ଦୀର୍ଘମିଆଦି ଏବଂ ଡ଼ିସକମର ଚଳନ୍ତି ପୁଞ୍ଜି ଆବଶ୍ୟକତାର ବିରୁଦ୍ଧାଚରଣ କରୁନଥିବାରୁ ଋଣ ପ୍ରଦାନରେ କୌଣସି ଅସୁବିଧା ହେବନାହିଁ । ଏଥିସହିତ ଯେଉଁ ଡ଼ିସକମ ଗୁଡିକ ଉଦୟ ଦ୍ଵାରା ପ୍ରଣିତ ଚଳନ୍ତି ପୁଞ୍ଜି ପରିସରକୁ ଆସୁନଥିବେ ବା ରାଜ୍ୟ ସରକାରଙ୍କ ଠାରୁ କୌଣସି ଅର୍ଥ ପାଉନଥିବେ ସେ କ୍ଷେତ୍ରରେ ସମ୍ପୃକ୍ତ ରାଜ୍ୟ ଗୁଡିକ କଟକଣାରେ ରିହାତି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିପାରିବେ । ଚିଠିରେ ଆହୁରି ଦର୍ଶାଯାଇଛି ଯେ, କୋଭିଡ-19 ବୈଶ୍ଵିକ ମହାମାରୀ ଓ ସେଥିପାଇଁ ଲାଗୁ ଲକଡାଉନ ଯୋଗୁଁ ଶକ୍ତି କ୍ଷେତ୍ରରେ ବ୍ୟାପକ ଆର୍ଥିକ ଅବ୍ୟବସ୍ଥା ଦେଖାଦେଇଛି । ଏଭଳି ପରିସ୍ଥିତିରେ ଶକ୍ତି କ୍ଷେତ୍ରକୁ ଆର୍ଥିକ ପ୍ୟାକେଜ ଏହାର ଆର୍ଥିକ ସ୍ଥିତିରେ ସୁଧାର ଆଣିବ । ଏହି ଅର୍ଥର ବିନିଯୋଗ କରି ଡ଼ିସକମ ଶକ୍ତି ଉତ୍ପାଦନକାରୀ କମ୍ପାନୀ ଗୁଡ଼ିକୁ ଅଧିକାଂଶ ବକେୟା ଅର୍ଥ ପଇଠ କରିପାରିବ । ଏହା ଶକ୍ତି କ୍ଷେତ୍ରରେ ଆର୍ଥିକ ଦେଣନେଣ ସୁଚାରୁରୂପେ ସମ୍ପାଦନ ହେବାରେ ସାହାଯ୍ୟ କରିବ । ଏହି ଋଣ ପ୍ରଦାନ ଯୋଗୁଁ ଡ଼ିସକମ ବକେୟା ଅର୍ଥ ପରିଶୋଧ କରିପାରିବ । ପ୍ୟାକେଜ ବାବଦ ମୋଟ 90 ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଦୁଇଟି କିସ୍ତିରେ 45 ହଜାର କୋଟି ଟଙ୍କା ଲେଖାଏଁ ପ୍ୟାକେଜ ଅର୍ଥ ଦିଆଯିବ । ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପ ଲକଡାଉନ କାଳରେ ବନ୍ଦ ହୋଇଥିବାରୁ ଶକ୍ତି ଚାହିଦା ଅନେକ ହ୍ରାସ ପାଇଛି । ଶକ୍ତି କ୍ରୟ ରାଜିନାମା ଅନୁସାରେ ଡ଼ିସକମ ଶକ୍ତି ଉପଯୋଗ ନହେଲେ ମଧ୍ୟ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପଇଠ କରିଥାଏ । ଲକଡାଉନ କାଳରେ ଶକ୍ତି ଉପଯୋଗ ନକରି ମଧ୍ୟ ଏହି ଅର୍ଥ ପଇଠ କରୁଥିବାରୁ ଡ଼ିସକମକୁ ଆର୍ଥିକ ବୋଝ ସମ୍ଭାଳିବାକୁ ପଡୁଛି । ସେ ଦୃଷ୍ଟିରୁ ଏହି ପ୍ୟାକେଜ ବେଶ ଉପଯୋଗୀ ହୋଇପାରିବ । ଆଧାର - "ପିଆଇବି"