অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗରିବ, ପ୍ରବାସୀ, କୃଷକ, କ୍ଷୁଦ୍ର ବ୍ୟବସାୟୀ ଓ ଉଠାଦୋକାନୀଙ୍କ ପାଇଁ ସ୍ୱଳ୍ପ ଓ ଦୀର୍ଘକାଳୀନ

ଗରିବ, ପ୍ରବାସୀ, କୃଷକ, କ୍ଷୁଦ୍ର ବ୍ୟବସାୟୀ ଓ ଉଠାଦୋକାନୀଙ୍କ ପାଇଁ ସ୍ୱଳ୍ପ ଓ ଦୀର୍ଘକାଳୀନ

  1. ପ୍ରବାସୀ ଶ୍ରମିକମାନଙ୍କ ପାଇଁ 2 ମାସ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଣ
  2. ମାର୍ଚ୍ଚ 2021 ସୁଦ୍ଧା ସାରା ଦେଶରେ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା ଲାଗୁ କରାଯିବ, ଏହାଦ୍ବାରା ସାରା ଦେଶର ଯେକୌଣସି ସୁଲଭ ମୂଲ୍ୟ ଦୋକାନରୁ ପ୍ରବାସୀ ଶ୍ରମିକମାନେ ପିଡିଏସ ରାସନ ପାଇପାରିବେ
  3. ପ୍ରବାସୀ ଶ୍ରମିକ ଓ ସହରାଞ୍ଚଳ ଗରିବଙ୍କ ପାଇଁ ଶସ୍ତା ଆବାସିକ କମ୍ପ୍ଲେକ୍ସ ଯୋଜନା ଆସିବ
  4. ଶିଶୁ ମୁଦ୍ରା ଋଣଗ୍ରହିତାମାନଙ୍କୁ 12 ମାସ ପାଇଁ 2 ପ୍ରତିଶତ ସୁଧ ଛାଡ଼-1500 କୋଟି ଟଙ୍କାର ସହାୟତା
  5. ଉଠାଦୋକାନୀମାନଙ୍କୁ 5000 କୋଟି ଟଙ୍କାର ଋଣ ସୁବିଧା
  6. ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅନ୍ତର୍ଗତ ଏମଆଇଜି ପାଇଁ ଋଣ ସଂଯୁକ୍ତ ସବସିଡି ଯୋଜନାର ସମ୍ପ୍ରସାରଣ ମାଧ୍ୟମରେ ଆବାସିକ କ୍ଷେତ୍ର ଏବଂ ମଧ୍ୟମ ଆୟବର୍ଗ ପାଇଁ 70,000 କୋଟି ଟଙ୍କାର ସହାୟତା
  7. କାମ୍ପା ପାଣ୍ଠି ଉପଯୋଗ କରି ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ 6000 କୋଟି ଟଙ୍କା
  8. ନାବାର୍ଡ ଜରିଆରେ କୃଷକମାନଙ୍କୁ 30,000 କୋଟି ଟଙ୍କାର ଅତିରିକ୍ତ ଜରୁରିକାଳୀନ କାର୍ଯ୍ୟଶୀଳ ପୁଞ୍ଜି ଯୋଗାଇ ଦିଆଯିବ
  9. କିଷାନ କ୍ରେଡିଟ କାର୍ଡ ଯୋଜନା ଅନ୍ତର୍ଗତ 2.5 କୋଟି କୃଷକଙ୍କୁ 2 ଲକ୍ଷ କୋଟି ଟଙ୍କାର ଋଣ ସହାୟତା

ପ୍ରବାସୀ ଶ୍ରମିକ, ଉଠାଦୋକାନୀ, ପ୍ରବାସୀ ସହରାଞ୍ଚଳ ଗରିବ, କ୍ଷୁଦ୍ର ବ୍ୟବସାୟୀ, ସ୍ବାବଲମ୍ବୀ ନାଗରିକ, କ୍ଷୁଦ୍ର ଚାଷୀ ଓ ଆବାସିକ କ୍ଷେତ୍ର ପାଇଁ ନିମ୍ନୋକ୍ତ ସ୍ୱଳ୍ପ ଓ ଦୀର୍ଘକାଳୀନ ସହାୟତା ଯୋଜନା ଘୋଷଣା କରାଯାଇଛି :-

ପ୍ରବାସୀ ଶ୍ରମିକମାନଙ୍କ ପାଇଁ 2 ମାସ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଣ

ପ୍ରତ୍ୟେକ ପ୍ରବାସୀ ଶ୍ରମିକ ପିଛା 5କିଗ୍ରା ଖାଦ୍ୟଶସ୍ୟ ଓ ପ୍ରତ୍ୟେକ ପରିବାର ପିଛା 1 କିଗ୍ରା ଚଣା ଡାଲି ଦୁଇ ମାସ ପର୍ଯ୍ୟନ୍ତ (ମେ ଓ ଜୁନ, 2020) ମାଗଣାରେ ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟଗୁଡ଼ିକୁ ଅତିରିକ୍ତ ଖାଦ୍ୟଶସ୍ୟ ଆବଣ୍ଟନ କରାଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କିମ୍ବା ରାସନ କାର୍ଡ ନଥିଲେ ମଧ୍ୟ ଯେକୌଣସି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ଫସି ରହିଥିବା ପ୍ରବାସୀମାନେ ଏହି ସହାୟତା ପାଇବା ଲାଗି ସକ୍ଷମ ହୋଇପାରିବେ । ଏହି ଯୋଜନା ଅନୁଯାୟୀ, ପ୍ରକୃତ ହିତାଧିକାରୀଙ୍କୁ ବିତରଣ ନିମନ୍ତେ ଏକ ବ୍ୟବସ୍ଥା ବିକଶିତ କରିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦିଆଯିବ। 8 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଓ 50 ହଜାର ମେଟ୍ରିକ ଟନ ଚଣା ଏଥିପାଇଁ ଆବଣ୍ଟିତ ହେବ। ଏହି ଯୋଜନାର ସମ୍ପୂର୍ଣ୍ଣ ବ୍ୟୟଭାର 3500 କୋଟି ଟଙ୍କା ଭାରତ ସରକାର ବହନ କରିବେ ।

ମାର୍ଚ୍ଚ 2021 ସୁଦ୍ଧା ସାରା ଦେଶରେ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା ଲାଗୁ କରାଯିବ, ଏହାଦ୍ବାରା ସାରା ଦେଶର ଯେକୌଣସି ସୁଲଭ ମୂଲ୍ୟ ଦୋକାନରୁ ପ୍ରବାସୀ ଶ୍ରମିକମାନେ ପିଡିଏସ ରାସନ ପାଇପାରିବେ

ରାସନ କାର୍ଡ ପୋର୍ଟେବିଲିଟି ପାଇଁ ଆରମ୍ଭ କରାଯାଇଥିବା ପାଇଲଟ ଯୋଜନାକୁ 23ଟି ରାଜ୍ୟକୁ ସମ୍ପ୍ରସାରିତ କରାଯିବ। ଜାତୀୟ ରାସନ କାର୍ଡ ପୋର୍ଟେବିଲିଟି ମାଧ୍ୟମରେ ଅଗଷ୍ଟ, 2020 ସୁଦ୍ଧା 83 ପ୍ରତିଶତ ପିଡିଏସ ଜନସଂଖ୍ୟାର 67 କୋଟି ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯାଇପାରିବ । ମାର୍ଚ୍ଚ 2021 ସୁଦ୍ଧା 100 ପ୍ରତିଶତ ଜାତୀୟ ପୋର୍ଟେବିଲିଟି ହାସଲ କରାଯିବ । ଏହା ହେବ ପ୍ରଧାନମନ୍ତ୍ରୀଙ୍କ ପ୍ରଯୁକ୍ତି ପରିଚାଳିତ ସଂସ୍କାର ବ୍ୟବସ୍ଥାର ଅଂଶବିଶେଷ। ଏହି ଯୋଜନା ଫଳରେ ଦେଶର ଯେକୌଣସି ପିଡିଏସ କେନ୍ଦ୍ରରୁ ପ୍ରବାସୀ ଶ୍ରମିକ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ପିଡିଏସ ରାସନ ସାମଗ୍ରୀ ପାଇପାରିବେ। ଫଳରେ ସାରା ଦେଶରେ ଲଗାତାର ସ୍ଥାନାନ୍ତରିତ ହେଉଥିବା ଲୋକ, ବିଶେଷ କରି ପ୍ରବାସୀ ଶ୍ରମିକମାନେ ପିଡିଏସ ଯୋଜନାର ଲାଭ ପାଇପାରିବେ ।

ପ୍ରବାସୀ ଶ୍ରମିକ ଓ ସହରାଞ୍ଚଳ ଗରିବଙ୍କ ପାଇଁ ଶସ୍ତା ଆବାସିକ କମ୍ପ୍ଲେକ୍ସ ଯୋଜନା ଆସିବ

ପ୍ରବାସୀ ଶ୍ରମିକ ଓ ସହରାଞ୍ଚଳ ଗରିବ ଲୋକମାନଙ୍କୁ କମ ଭଡ଼ାରେ ରହିବା ସୁବିଧା ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାର ଏକ ଯୋଜନା ଆରମ୍ଭ କରିବେ। ପ୍ରବାସୀ ଶ୍ରମିକ, ସହରାଞ୍ଚଳ ଗରିବ ଏବଂ ଛାତ୍ରଛାତ୍ରୀମାନଙ୍କୁ ଶସ୍ତା ଭଡ଼ା ଆବାସିକ କମ୍ପ୍ଲେକ୍ସ ସାମାଜିକ ନିରାପତ୍ତା ଏବଂ ଉନ୍ନତ ଜୀବନ ଧାରଣ ସୁବିଧା ପ୍ରଦାନ କରିବ। ସହରାଞ୍ଚଳରେ ସରକାରୀ ପାଣ୍ଠିରେ ହେଉଥିବା ଘରଗୁଡ଼ିକୁ ପିପିପି ମୋଡରେ ରିହାତି ପ୍ରଦାନ କରାଯାଇ କମ ଭଡ଼ାଭିତ୍ତିକ ଆବାସିକ କମ୍ପ୍ଲେକ୍ସରେ‍ ପରିଣତ କରାଯିବ । ଉତ୍ପାଦନ ୟୁନିଟ, ଶିଳ୍ପ, ବିଭିନ୍ନ ସଂସ୍ଥା, ଏବଂ ବିଭିନ୍ନ ସଂଘ ସେମାନଙ୍କ ଘରୋଇ ଜମିରେ ଶସ୍ତା ଆବାସିକ କମ୍ପ୍ଲେକ୍ସ ତିଆରି କରି ସେଗୁଡ଼ିକୁ ପରିଚାଳିତ କରିବେ। ଏହାଛଡ଼ା ଶସ୍ତା ଆବାସିକ କମ୍ପ୍ଲେକ୍ସ ବିକାଶ ଓ ପରିଚାଳନା ଲାଗି ଏହି ମାର୍ଗରେ ରାଜ୍ୟ ସରକାରୀ ସଂସ୍ଥା/କେନ୍ଦ୍ର ସରକାରୀ ସଂଗଠନଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବ। ମନ୍ତ୍ରଣାଳୟ/ବିଭାଗ ଦ୍ବାରା ଏହି ଯୋଜନାର ସଠିକ ବିବରଣୀ ଜାରି କରାଯିବ।

ଶିଶୁ ମୁଦ୍ରା ଋଣଗ୍ରହିତାମାନଙ୍କୁ 12 ମାସ ପାଇଁ 2 ପ୍ରତିଶତ ସୁଧ ଛାଡ଼-1500 କୋଟି ଟଙ୍କାର ସହାୟତା

ଶିଶୁ ମୁଦ୍ରା ଋଣଗ୍ରହିତା, ଯେଉଁମାନେ 50,000 ଟଙ୍କାରୁ କମ ଋଣ ନେଇଥିବେ ସେମାନଙ୍କୁ 12 ମାସ ପାଇଁ 2ପ୍ରତିଶତ ସୁଧ ଛାଡ଼ ସୁବିଧା ଭାରତ ସରକାର ପ୍ରଦାନ କରିବେ । ବର୍ତ୍ତମାନ ମୁଦ୍ରା ଶିଶୁ ଋଣର ମୋଟ ପରିମାଣ 1.62 ଲକ୍ଷ କୋଟି ଟଙ୍କା ରହିଛି। ସୁଧ ଛାଡ଼ ଜରିଆରେ ସରକାର ପାଖାପାଖି 1500 କୋଟି ଟଙ୍କାର ସହାୟତା ପ୍ରଦାନ କରିବେ।

ଉଠାଦୋକାନୀମାନଙ୍କୁ 5000 କୋଟି ଟଙ୍କାର ଋଣ ସୁବିଧା

ବର୍ତ୍ତମାନର ପରିସ୍ଥିତି ଯୋଗୁ ଉଠାଦୋକାନୀମାନେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ପୁଣିଥରେ ସେମାନଙ୍କ ବ୍ୟବସାୟ ଆରମ୍ଭ କରିବା ଲାଗି ସହଜ ଋଣ ପ୍ରଦାନ କରିବା ସକାଶେ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରାଯିବ। ଏହି ଯୋଜନା ଅନ୍ତର୍ଗତ, ପ୍ରତ୍ୟେକ ବ୍ୟବସାୟକୁ ମିଳୁଥିବା 10,000 ଟଙ୍କାର ପ୍ରାରମ୍ଭିକ କାର୍ଯ୍ୟଶୀଳ ପୁଞ୍ଜି ସୀମାକୁ ବ୍ୟାଙ୍କ ଋଣ ସୁବିଧା ପାଇଁ ବୃଦ୍ଧି କରାଯିବ। ଏହି ଯୋଜନାରେ ସହରାଞ୍ଚଳ ଉଠାଦୋକାନୀଙ୍କ ସମେତ ସହର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବ୍ୟବସାୟ କରୁଥିବା ଉଠାଦୋକାନୀମାନଙ୍କୁ ମଧ୍ୟ ସାମିଲ କରାଯିବ । ଡିଜିଟାଲ ପଇଠ ବ୍ୟବସ୍ଥାର ଉପଯୋଗ ଏବଂ ସମୟୋପଯୋଗୀ ପରିଶୋଧ ପାଇଁ ନଗଦ ରିହାତି ମଧ୍ୟ ଯୋଗାଇ ଦିଆଯିବ। ଏହି ଯୋଜନାରେ 50 ଲକ୍ଷ ଉଠାଦୋକାନୀ ଲାଭବାନ ହେବେ ଏବଂ ସେମାନଙ୍କୁ 5000 କୋଟି ଟଙ୍କାର ପୁଞ୍ଜି ଯୋଗାଇ ଦିଆଯିବ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅନ୍ତର୍ଗତ ଏମଆଇଜି ପାଇଁ ଋଣ ସଂଯୁକ୍ତ ସବସିଡି ଯୋଜନାର ସମ୍ପ୍ରସାରଣ ମାଧ୍ୟମରେ ଆବାସିକ କ୍ଷେତ୍ର ଏବଂ ମଧ୍ୟମ ଆୟବର୍ଗ ପାଇଁ 70,000 କୋଟି ଟଙ୍କାର ସହାୟତା

ମଧ୍ୟମ ଆୟ ବର୍ଗ (6ରୁ 18 ଲକ୍ଷ ଟଙ୍କା ମଧ୍ୟରେ ବାର୍ଷିକ ଆୟ ଥିବା)ର ଲୋକମାନଙ୍କ ପାଇଁ ଋଣ ସଂଯୁକ୍ତ ସବସିଡି ଯୋଜନାକୁ ମାର୍ଚ୍ଚ 2021 ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ । ଏହା ଫଳରେ 2020-21 ଆର୍ଥିକ ବର୍ଷରେ 2.5 ଲକ୍ଷ ମଧ୍ୟମ ଆୟ ବର୍ଗର ପରିବାର ଉପକୃତ ହେବେ ଏବଂ ଆବାସିକ କ୍ଷେତ୍ରରେ 70,000 କୋଟି ଟଙ୍କାର ନିବେଶ ପାଇଁ ବାଟ ଖୋଲିବ। ଏହା ଆବାସିକ କ୍ଷେତ୍ରରେ ବହୁସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଇସ୍ପାତ, ସିମେଣ୍ଟ, ପରିବହନ ଏବଂ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀର ଚାହିଦାକୁ ବୃଦ୍ଧି କରିବ।

କାମ୍ପା ପାଣ୍ଠି ଉପଯୋଗ କରି ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ 6000 କୋଟି ଟଙ୍କା

କ୍ଷତିପୂରଣ ବନୀକରଣ ପରିଚାଳନା ଏବଂ ଯୋଜନା କର୍ତ୍ତୃପକ୍ଷ (କାମ୍ପା) ଅଧୀନରେ ଆନୁମାନିକ 6000 କୋଟି ଟଙ୍କା ବ୍ୟୟ କରାଯିବ। ଏହି ଅର୍ଥକୁ ସହରାଞ୍ଚଳ ସମେତ ଅନ୍ୟ ଅଞ୍ଚଳରେ ବନୀକରଣ ଓ ଚାରାରୋପଣ କାର୍ଯ୍ୟ, କୃତ୍ରିମ ଚାରା ସୃଷ୍ଟି, ସହାୟକ ପ୍ରାକୃତିକ ଚାରା ସୃଷ୍ଟି, ବନୀକରଣ ପରିଚାଳନା, ମୃତ୍ତିକା ଓ ଆର୍ଦ୍ରତା ସଂରକ୍ଷଣ କାର୍ଯ୍ୟ, ଜଙ୍ଗଲ ସୁରକ୍ଷା, ଜଙ୍ଗଲ ଓ ବନ୍ୟପ୍ରାଣୀ ସଂକ୍ରାନ୍ତ ଭିତ୍ତିଭୂମି ବିକାଶ, ବନ୍ୟପ୍ରାଣୀ ସୁରକ୍ଷା ଏବଂ ପରିଚାଳନା ଆଦି କାର୍ଯ୍ୟରେ ବିନିଯୋଗ କରାଯିବ। ଏହି ଯୋଜନା ପାଇଁ ଭାରତ ସରକାର ତୁରନ୍ତ 6 ହଜାର କୋଟି ଟଙ୍କା ଅନୁମୋଦନ କରିବେ। ଏହା ସହରାଞ୍ଚଳ, ଉପନଗର, ଗ୍ରାମୀଣ ଏବଂ ଜନଜାତି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ନାବାର୍ଡ ଜରିଆରେ କୃଷକମାନଙ୍କୁ 30,000 କୋଟି ଟଙ୍କାର ଅତିରିକ୍ତ ଜରୁରିକାଳୀନ କାର୍ଯ୍ୟଶୀଳ ପୁଞ୍ଜି ଯୋଗାଇ ଦିଆଯିବ

ଗ୍ରାମୀଣ ସମବାୟ ବ୍ୟାଙ୍କ ଏବଂ ଆରଆରବିଗୁଡ଼ିକୁ ଫସଲ ଋଣ ଆବଶ୍ୟକତା ପୂରଣ କରିବା ଲାଗି ନାବାର୍ଡ ପକ୍ଷରୁ ଅତିରିକ୍ତ ପୁନଃ-ଅର୍ଥଲଗାଣ ସହାୟତା ଯୋଗାଇ ଦିଆଯିବ। ଏହି ପୁନଃପୁଞ୍ଜିଲଗାଣ ସୁବିଧା ପ୍ରତ୍ୟକ୍ଷ ଏବଂ ସହଜରେ ଉପଲବ୍ଧ ହେବ। ସାଧାରଣ ପ୍ରକ୍ରିୟାରେ ନାବାର୍ଡ ପକ୍ଷରୁ ଦିଆଯାଉଥିବା 90,000 କୋଟି ଟଙ୍କାକୁ ଛାଡ଼ି ଏହି ଅତିରିକ୍ତ ସହାୟତା ପ୍ରଦାନ କରାଯିବ । ଏହା ପାଖାପାଖି 3 କୋଟି କୃଷକ, ବିଶେଷ କରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଲାଭାନ୍ବିତ କରିବ ଏବଂ ଏହା ସେମାନଙ୍କ ରବି ଚାଷ ପରବର୍ତ୍ତୀ ଓ ଚଳିତ ଖରିଫ ଋତୁର ଆବଶ୍ୟକତାକୁ ପୂରଣ କରିବ।

କିଷାନ କ୍ରେଡିଟ କାର୍ଡ ଯୋଜନା ଅନ୍ତର୍ଗତ 2.5 କୋଟି କୃଷକଙ୍କୁ 2 ଲକ୍ଷ କୋଟି ଟଙ୍କାର ଋଣ ସହାୟତା

କିଷାନ କ୍ରେଡିଟ କାର୍ଡ ଜରିଆରେ ପିଏମ-କିଷାନ ହିତାଧିକାରୀମାନଙ୍କୁ ରିହାତି ଦରରେ ଋଣ ପ୍ରଦାନ ଲାଗି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବ। ଏହି ଯୋଜନାରେ ମତ୍ସ୍ୟଚାଷୀ ଓ ପଶୁପାଳନ କୃଷକମାନଙ୍କୁ ସାମିଲ କରାଯିବ । ଏହା କୃଷି କ୍ଷେତ୍ରରେ ଅତିରିକ୍ତ 2 ଲକ୍ଷ କୋଟି ଟଙ୍କାର ନଗଦ ନିବେଶ କରିବ। ଏଥିରେ 2.5 କୋଟି କୃଷକ ସାମିଲ ହେବେ।

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate