ଓଡିଶା ଇତିହାସର ଲେଖକ ଡକ୍ଟର ହରେକୃଷ୍ଣ ମହତାବ ଆଜି ଓଡିଶାରେ ଇତିହାସ ପ୍ରସଙ୍ଗ ହୋଇଯାଇଛନ୍ତି । ସ୍ଵାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଓ ନୂଆକରି ଗଢାଯାଇଥିବା ଓଡିଶା ପ୍ରଦେଶକୁ ସମୃଦ୍ଧ କରିବା ପାଇଁ ତାଙ୍କର ତାଙ୍କର କାର୍ଯ୍ୟକାରିତା ଜାଣିହୁଏ ତାଙ୍କ ଦ୍ଵାରା ରଚିତ ଆତ୍ମଜୀବନୀ – ସାଧନାରପଥେ ଓ ଆରବସାଗରକୁ ଚିଲିକା ଦ୍ଵୟରୁ ।
ଡକ୍ଟର ମହତାବଙ୍କ ଜନ୍ମ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ , ମୃତ୍ୟୁ ୧୯୮୭ ମସିହା ଜାନୁୟାରୀ ୨ ତାରିଖରେ । ମହତାବଙ୍କ ଜନ୍ମସ୍ଥାନ ଅଗରପଡା , ଭଦ୍ରକ । ମାତା ତୋହଫା ବିବି ଓ ବାପା କୃଷ୍ଣ ଚରଣ ଦାସ । ଅଜା ଜଗନ୍ନାଥଙ୍କର ପୁତ୍ର ସନ୍ତାନ ନ ଥିବାରୁ ସେ ଅଜାଙ୍କ ଘରକୁ ପୁଅହୋଇ ଆସିଥିବାରୁ , ସେ ପରିଚିତ ହେଲେ ହରେକୃଷ୍ଣ ଦାସ ରୁ ହରେକୃଷ୍ଣ ମହତାବ । ଦରିଦ୍ର ପରିବାରରୁ ସେ ରାଜପରିବାରକୁ ସ୍ଥାନାନ୍ତର ହେଲେ ବି ନିଜ ମଧ୍ୟରେ ଥିବା ଜିନିୟ ଚରିତ୍ର (ଡି. ଏନ. ଏ) କୁ ଅତୁଟ ରଖିପାରିଥିଲେ । ରାଜକୀୟ ସୌଭାଗ୍ୟ ଓ ଐଶ୍ଵର୍ଯ୍ୟ କୁ ପଛରେ ଛାଡି , ଜନ୍ମମାଟି ପ୍ରଦେଶ ତଥା ଦେଶର ଅଗଣିତ ଜନତାଙ୍କ ସ୍ଵାର୍ଥକୁ ସେ ଅଧିକ ପ୍ରାଧାନ୍ୟ ଦେଇଛନ୍ତି ଜମିଦାରର ଝଟା ତାଙ୍କ ଉପରେ ପଡିନଥିଲା । ପରୋକ୍ଷରେ ଭାରତର ସ୍ଵାଧୀନତା ସଂଗ୍ରାମୀ ଭାବରେ ଅନେକ ବର୍ଷ ମାସ ଧରି ଜଣେ ନିସମ୍ବଳ ବ୍ୟକ୍ତିଭାବେ , ଏପରିକି ସମୟେ ସମୟେ ପଇସା ଅଭାବରୁ ସେ , ଭୋକିଲା ରହିବାର ଜୀବନାନୁଭବ ଅଙ୍ଗେ ନିଭେଇଥିଲେ । ସମାଜ ଜୀବନରେ ଜନଗଣଙ୍କଦ୍ଵାରା ହରେକୃଷ୍ଣ ମହତାବ ଯେପରି ନିଜସ୍ଵ ସ୍ଵତନ୍ତ୍ରକରଣୀ ପାଇଁ ନିଆରା ପରିଚୟର ଅଧିକାରୀ ସାହିତ୍ୟ ରଚନାରେ ସେ ନିଜର ଅଲଗା ଶୈଳୀପାଇଁ ସେହିପରି ପାଠକମାନଙ୍କ ଦ୍ଵାରା ଆଦୃତ ।
ଡଃ ମହତାବଙ୍କର ନିଜସ୍ଵ ଏକ ରଚନାଶୈଳୀ ରହିଛି । ତାଙ୍କ ଲେଖାବଳୀରୁ ପାଠକ ସତେ ଯେପରି ମହତାବଙ୍କ କଣ୍ଠସ୍ଵର ଶୁଣିପାରେ । ସେହିପରି ପାଠକ ପାଠ କରିବା ସମୟରେ , ଅକୃତ୍ରିମ ଭାବରେ ପୃଷ୍ଠାପରେ ପୃଷ୍ଠା ଗଡାଇ ଚାଲିଥାଏ । ସେ ସାପ୍ତାହିକ ପ୍ରଜାତନ୍ତ୍ରର ପୃଷ୍ଠା ହେଉ କିମ୍ବା ଦୈନିକ ପ୍ରଜାତନ୍ତ୍ରର ଗାଁ ମଜିଲିସ୍ ପ୍ରବନ୍ଧ ହୋଇଥାଉ । ଏଥିରେ ସ୍ଵତଃ ବ୍ୟାପକ ଅର୍ଥରେ ଯେଉଁ ଗାଉଁଲି ତୁଳନା ଫୁଟି ପଡିଥାଏ । ତାହା ଗୁଣଗ୍ରାହୀ ପାଠକଙ୍କ ଦ୍ଵାରା ଉପଭୋଗ୍ୟ ହୋଇଥାଏ । ପରିଣତ ବୟସର ବହୁ ପୂର୍ବରୁ ଡଃ ମହତାବ ତାଙ୍କ ଆତ୍ମଜୀବନୀ ରଚନା କରିଯାଇଛନ୍ତି । ସୁଦୀର୍ଘ ଜନ ଜୀବନରେ ଅକଥନୀୟ ଦୁଖଃ ଓ ସ୍ଵାଧୀନତା ସଂଗ୍ରାମର ସୈନିକରୁ ପୁରୋଧା ହୋଇ ସେ ଯେଉଁ ବିଚିତ୍ର ଅନୁଭବ ଓ ଅନୁଭୂତି ସାଉଁଟି ଥିଲେ ତାହାରି ପ୍ରାମାଣିକ ଚିତ୍ର ହେଉଛି ତାଙ୍କର ଆତ୍ମଜୀବନୀ । ଡଃ ମହତାବଙ୍କ ଆତ୍ମଜୀବନୀ ଦୁଇ ଭାଗରେ ବିଭକ୍ତ । ପ୍ରଥମ ଖଣ୍ଡ , “ ସାଧନାର ପଥେ ” ରେ ରହିଛି ତାଙ୍କ ଜନ୍ମ କାଳରୁ କର୍ମମୟ ଜୀବନର ସଂଗ୍ରାମୀ ଅନୁଭବ (୧୮୯୯ ରୁ ୧୯୫୦) । ଦ୍ଵିତୀୟ ଖଣ୍ଡ “ ଆରବ ସାଗରରୁ ଚିଲିକା ” ରେ ରହିଛି (୧୯୫୬ ରୁ ୧୯୬୦) ପର୍ଯ୍ୟନ୍ତ ତାଙ୍କ ମୁଖ୍ୟମନ୍ତ୍ରୀତ୍ଵ ସମୟରେ ହୋଇଥିବା କାର୍ଯ୍ୟକ୍ରମ । ଦ୍ଵିତୀୟ ଖଣ୍ଡ ସଂକ୍ଷିପ୍ତ ହେଲେ ବି , ଏହା ପ୍ରତ୍ୟକ ଓଡିଆ ଜାଣିବା ନିତାନ୍ତ ଆବଶ୍ୟକ । ନବ ଉତ୍କଳର ନିର୍ମାତା – “ ମହତାବ ” ଙ୍କୁ ଏଥିରୁ କିଛି ମାତ୍ରାରେ ଚିହ୍ନିହୁଏ । ୧୯୬୦ ରୁ ୧୯୮୭ ପର୍ଯ୍ୟନ୍ତ ବ୍ୟଥିତ କରିଥାଏ । “ ଆତ୍ମଜୀବନୀ ” ସବୁ ସମୟରେ ଅସମ୍ପୂର୍ଣ୍ଣ ଏବଂ ଉପସଂହାରହୀନ ହୋଇଥାଏ ।
‘ ସମାଧାନର ପଥେ ’ ରେ ଡଃ ମହତାବ ଆତ୍ମସମୀକ୍ଷାକୁ ଗୁରୁତ୍ଵଦେଇ ଅନ୍ୟମାନଙ୍କୁ ଜଣାଇବାକୁ ଯେତେଇଚ୍ଛା , ତା ଅପେକ୍ଷା ନିଜକୁ ଓ ନିଜ କଥାକୁ ଆତ୍ମମନ୍ଥନ କରିଛନ୍ତି । ତେଣୁ ଅନ୍ୟମାନଙ୍କ ଆତ୍ମଜୀବନୀ ଠାରୁ ଡଃ ମହତାବଙ୍କ “ ସାଧନାର ପଥେ ” ଆତ୍ମଜୀବନୀ ଭିନ୍ନ ସ୍ଵାଦର । ଉକ୍ତ ନାମକରଣଟିରେ ଡଃ ମହତାବଙ୍କ ଜୀବନଦର୍ଶନ ଓ ବିଶେଷ ଦୃଷ୍ଟିଭଙ୍ଗୀର ନିଦର୍ଶନ ରହିଅଛି । “ ସାଧନାର ପଥେ ” ଆତ୍ମଜୀବନୀ ସାରମର୍ମ ବେଶ୍ ଚମତ୍କାର । ଜୀବନ ଅନାଦି ଅନନ୍ତ । ବ୍ୟକ୍ତିଗତ ଜୀବନରେ ମୃତ୍ୟୁ ଅଛି । କିନ୍ତୁ ମଣିଷ ଜୀବନରେ ମୃତ୍ୟୁ କାହିଁ ? ତେଣୁ ସାଧନା ନିରନ୍ତର ଚାଲିବ । ସାଧନାର ପଥରେ ମଣିଷ ଜନ୍ମ ଜନ୍ମାନ୍ତର ଅବିଶ୍ରାନ୍ତ ଚାଲିଛି । କୌଣସି ବ୍ୟକ୍ତିର ଜୀବନ ତୁଚ୍ଛ କି ମୂଲ୍ୟହୀନ ନୁହେଁ । ପ୍ରତ୍ୟକ ନିଜ ଜୀବନ କାଳରେ କିଛି ନା କିଛି ସାଧନା ସମ୍ପାଦନ କରୁଛନ୍ତି । ଡକ୍ଟର ମହତାବ ଗୋଟିଏ ଦୃଷ୍ଟିରୁ ବିଚାରକତି ନିଜକୁ ଅନ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ଭାବିଛନ୍ତି ସେପରି ସେ ତାଙ୍କ ବିଶିଷ୍ଟତାକୁ ଭୁଲି ନାହାନ୍ତି । ଏଠାରେ ଆଇନଷ୍ଟାଇନଙ୍କ କିଛି କଥା ସ୍ଵତଃ ମନକୁ ଆସିଥାଏ । ସେ କହିଛନ୍ତି ସାଧାରଣ ମଣିଷ ଅଜ୍ଞାତସାରରେ ସାଧନାର ପଥରେ ଚାଲିଥାନ୍ତି । ଜୀବନ ସମ୍ବନ୍ଧରେ ଖୁବ୍ କମ୍ ଲୋକଙ୍କର ବୋଧଶକ୍ତି ଜାଗ୍ରତ ହୋଇଥାଏ । ଜଳରେ ଥିବା ମାଛ ଯେପରି ଜଳ ବିଷୟରେ ଅଜ୍ଞ , ସେମିତି ଅନେକ ଜୀବନ ସମ୍ବନ୍ଧରେ ଚେତନାହୀନ ହୋଇଥାନ୍ତି । ଅନ୍ୟପକ୍ଷରେ ଡଃ ମହତାବଙ୍କ ବୋଧଶକ୍ତି ପ୍ରଖର , ଯଦ୍ଵାରା ନିଜ ଜୀବନର ବୈଶିଷ୍ଟ୍ୟକୁ ପ୍ରତିପାଦିତ କରିପାରିଛନ୍ତି ।
ଦ୍ଵିତୀୟଖଣ୍ଡ “ ଆରବ ସାଗରରୁ ଚିଲିକା ” ଆତ୍ମଜୀବନୀ ପୁସ୍ତକ ମହତାବଙ୍କ ଘଟଣାବହୁଳ ଜୀବନର ସଂକ୍ଷିପ୍ତ ପରିପ୍ରକାଶ । କର୍ମବାଦୀ ଡକ୍ଟର ମହତାବ , ୧୯୪୬ ମସିହାରୁ ୧୯୫୦ ପର୍ଯ୍ୟନ୍ତ ଓଡିଶାର ମାନ୍ୟବର ପ୍ରଧାନମନ୍ତ୍ରୀ ରହିଥିଲେ । ଦେଶର ପରାଧୀନତାକୁ ମର୍ମେ ମର୍ମେ ଉପଲବ୍ଧି କରିଥିବା ଡକ୍ଟର ମହତାବ , ସ୍ଵାଧୀନ ଭାରତରେ ଜନଗଣଙ୍କ ପ୍ରତିନିଧି ରୂପେ ଶାସନର ଡୋରି ଧରିଥିଲେ । ଦେଶର ଶିଳ୍ପ ମନ୍ତ୍ରୀ , ବମ୍ବେର ରାଜ୍ୟପାଳ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ପଦକୁ ମଣ୍ଡନ କରିଥିଲେ ତେଣୁ ୧୯୫୬ ରୁ ୧୯୬୦ ମଧ୍ୟରେ କର୍ମମୟ ଜୀବନ ଅର୍ଥାତ୍ ରାଜ୍ୟପାଳରୁ ତାଙ୍କର ମୁଖ୍ୟମନ୍ତ୍ରୀ କଥାକୁ - “ ଆରବସାଗର (ବମ୍ବେ) ରୁ ଚିଲିକା (ଓଡିଶା) ” ନାମରେ ନାମିତ କରିଛନ୍ତି । ଓଡିଶାର କଳେବର , ସଂସ୍କୃତି , ସ୍ୱାସ୍ଥ୍ୟ , ଶିକ୍ଷା , ଶିଳ୍ପ , ଭାସ୍କର୍ଯ୍ୟ , କୃଷି , ସାହିତ୍ୟ , ରାଜନେତା ସୃଷ୍ଟି କରିବାର ଅଦମ୍ୟ ପରାକାଷ୍ଠା ର ପ୍ରତୀକ ଥିଲେ ସେ । ତେଣୁ ଓଡିଶାର ଅନ୍ତରାତ୍ମାକୁ ପ୍ରଗତି ଓ ବିକାଶ ର ଧାରାକୁ ଆୟମାରମ୍ଭ କରି ପରପିଢି ପାଇଁ ଉଦାହରଣ ସୃଷ୍ଟି କରିପାରିଥିଲେ । ସମସ୍ତ କାର୍ଯ୍ୟକ୍ରମ ମଧ୍ୟରେ ସାହିତ୍ୟକୁ ସଦାସର୍ବଦା ପ୍ରାଥମିକତା ଦେଉଥିଲେ – ଯଥା – “ ଓଡିଶାର ସର୍ବମୁଖୀ ଉନ୍ନତି ସାଧନ ସାହିତ୍ୟର ପ୍ରଗତିବିନା ସମ୍ଭବନୁହେଁ । ” ବୋଲି ତାଙ୍କର ଧାରଣା ଥିଲା ସେ ଏପ୍ରିଲ ୧୯୬୨ ଝଙ୍କାରରେ ଲେଖିଥିଲେ - ସାହିତ୍ୟିକ ଏକ ବ୍ୟକ୍ତି ବିଶେଷ ନୁହେଁ । ସେ ଏକ ଭାବଧାରାର ଅଗ୍ରଦୂତ ଓ ପ୍ରତିନିଧି :
ସାମାଜିକ ଉଦ୍ଦେଶ୍ୟ ସାଧନ ହେଉଛି ଆଜିର ପରିସ୍ଥିତିରେ ସାହିତ୍ୟର କର୍ତ୍ତବ୍ୟ ।
ବସ୍ତୁତଃ , ଆତ୍ମ ଉପଲବ୍ଧି ଉପରେ ଆତ୍ମଜୀବନୀ ଚମତ୍କାରିତା ନିର୍ଭର କରିଥାଏ । ତେଣୁ ଅନେକଙ୍କ ମତରେ , ଏହା ଏକ ଇତିହାସ ନୁହେଁ , କି ଧାରାବାହିକ ଜୀବନ ବର୍ଣ୍ଣନା ନୁହେଁ , ଆତ୍ମଜୀବନୀ ହେଉଛି ମଣିଷର ଆତ୍ମବିବର୍ତ୍ତନର କାହାଣୀ ମାତ୍ର । ଡକ୍ଟର ମହତାବଙ୍କ ଆତ୍ମଜୀବନୀ ମଧ୍ୟରେ ଗୋଟିଏ ନୂଆ ଯୁଗର ସାଧନା ଓ ସିଦ୍ଧି ପ୍ରକାଶିତ ହୋଇଅଛି । ଓଡିଶା ତଥା ଭାରତ ଇତିହାସର ପୃଷ୍ଠ ଭୂମିରେ ନିଜ ଗାଥାକୁ ଏପରି ଭାବେ ବର୍ଣ୍ଣନା କରିଛନ୍ତି ଯେ , ଏହା ମଧ୍ୟରୁ ଇତିହାସକୁ ଭିନ୍ନ କରି ଦେଖି ହେବ ନାହିଁ । ତେଣୁ “ ସାଧନାର ପଥେ ” , “ ଆରବସାଗରରୁ ଚିଲିକା ”, ଆଗାମୀ ପିଢି ପାଇଁ ଐତିହାସିକ “ ରେଫରେନ୍ସ ବୁକ୍ ” ହୋଇ ରହିବ । ଉକ୍ତ ପୁସ୍ତକ ଦୁଇଟି , ଓଡିଶାର ଇତିହାସ , ପ୍ରଗତି ଓ ତାଙ୍କ କର୍ମମୟ ଜୀବନର ଏକ ସମନ୍ଵୟ କହିଲେ ଭୁଲ ହେବ ନାହିଁ । ଡକ୍ଟର ମହତାବଙ୍କ ନିରବିଚ୍ଛିନ୍ନ ସାହିତ୍ୟ ସାଧନାରେ ଓଡିଆ ସାହିତ୍ୟ ସମ୍ଭାରକୁ କେବଳ ପୃଷ୍ଠ , ବଳିଷ୍ଠ କରିନାହାଁନ୍ତି , ବରଂ ବହୁ ନୂତନ ଶୈଳୀର ଦୃଷ୍ଟାନ୍ତ ଛାଡିଯାଇଛନ୍ତି ଯାହା ପରକାଳରେ ଅନେକ ଓଡିଆ ଆତ୍ମଜୀବନୀ ରଚକଙ୍କ ଅନୁସରଣୀୟ ହୋଇଛି ।
ଆଧାର : ଓଡ଼ିଶା ସାହିତ୍ୟ ପରିଷଦ
Last Modified : 12/20/2019