ଆମ ହାତରେ ଆମରି ଭାଗ୍ୟ । ଏମିତି କିଛି ଭାବନା ରହିଛି ପୁନେରେ ରହୁଥିବା ୧୭ ଜଣ ଏଡସ୍ ପୀଡିତ ପିଲାମାନଙ୍କର । ଯେଉଁମାନଙ୍କ ଦାୟିତ୍ୱ ନେଉଛନ୍ତି ମହେଶ ଓ ତାଙ୍କ ପତ୍ନୀ ସୁଜାତା । କେବଳ ଏତିକି ନୁହେଁ, ଆଖପାଖ ଗାଁରେ ରହୁଥିବା ଏଡସ୍ ପୀଡିତ ପିଲାମାନଙ୍କର ଯତ୍ନ ମଧ୍ୟ ନେଉଛନ୍ତି ଏହି ଦମ୍ପତ୍ତି । ବ୍ୟାଙ୍କ୍ ମ୍ୟାନେଜର ଚାକିରି କରିଥିବା ମହେଶ ଏହି କାମ କରିବା ପାଇଁ ଚାକିରି ଛାଡିଦେଇଛନ୍ତି । ସୁଜାତାଙ୍କୁ ବିବାହ କରିବା ସମୟରେ ମଧ୍ୟ ଘର ଲୋକେ ପ୍ରବଳ ବିରୋଧ କରିଥିଲେ । କାରଣ ସୁଜାତାଙ୍କ ପିତାମାତାଙ୍କ ମୃତ୍ୟୁ ଏଡସ୍ ଯୋଗୁଁ ହୋଇଥିଲା ।
ମହେଶ ଓ ସୁଜାତା ମହାରାଷ୍ଟ୍ରର ସତାରା ଜିଲ୍ଲାର ଏକ ଗାଁରେ ରୁହନ୍ତି । ସୁଜାତାଙ୍କ ପିତାମାତାଙ୍କୁ ଏଡସ୍ ରୋଗ ହୋଇଥିଲା ଓ ଏହା ଜଣାପଡିଲା ବେଳକୁ ବହୁତ ବିଳମ୍ବ ହୋଇସାରିଥିଲା । ଛଅ ମାସ ମଧ୍ୟରେ ହିଁ ସେମାନଙ୍କ ମୃତ୍ୟୁ ହୋଇଗଲା । ତେବେ ସୁଜାତାଙ୍କୁ ଏହି ରୋଗ ନଥିଲା । କିନ୍ତୁ ସଚେତନତା ଅଭାବରୁ ଗାଁ ଲୋକେ ସୁଜାତାଙ୍କୁ ଏକ ଘରକିଆ କରିଦେଲେ । ସେତେବେଳକୁ ମହେଶ ଏକ ବ୍ୟାଙ୍କରେ ଚାକିରି କରୁଥାନ୍ତି । ସେ ଏହା ଜାଣିଲା ପରେ ସୁଜାତାଙ୍କୁ ସାହାଯ୍ୟ କରିବାକୁ ସ୍ଥିର କଲେ । ଏଭଳିକି ତାଙ୍କୁ ବିବାହ ପାଇଁ ମଧ୍ୟ ନିଷ୍ପତି ନେଲେ । ଯାହାକୁ ମହେଶଙ୍କ ଘର ଲୋକ କଡା ବିରୋଧ କଲେ ଓ ମହେଶକୁ ବୁଝାଇବାକୁ ଚେଷ୍ଟା କଲେ । ମହେଶଙ୍କ ପରିବାର ଧନୀକ ବର୍ଗର ଥିଲା ଓ ସୁଜାତା ଅତ୍ୟନ୍ତ ଗରିବ ପରିବାର ଝିଅ ଥିଲେ । ତେଣୁ ଏହି ବିବାହ ମେଳ ଖାଇବ ନାହିଁ ବୋଲି ମଧ୍ୟ ମହେଶଙ୍କ ପିତାମାତା ତାଙ୍କୁ କହିଲେ । କିନ୍ତୁ ମହେଶ ନିଜ ନିଷ୍ପତ୍ତିରୁ ଓହରିଲେ ନାହିଁ। ସୁଜାତାଙ୍କୁ ବିବାହ କରିବା ପରେ ସେ ଗାଁ ଛାଡିଲେ । ସେ ଭାବିଥିଲେ - ଘର ଲୋକ ଓ ଗାଁ ଲୋକ ସିନା ତାଙ୍କ ଭାବନାକୁ ବୁଝି ନାହାନ୍ତି, କିନ୍ତୁ ତାଙ୍କ ସାଙ୍ଗସାଥୀ ଓ ଶୁଭେଚ୍ଛୁ ତାଙ୍କୁ ବୁଝିପାରିବେ । କିନ୍ତୁ ମହେଶଙ୍କୁ ଝଟକା ଲାଗିଲା ଯେତେବେଳେ ଯେ କେହି ବି ସୁଜାତାଙ୍କୁ ଏଡସ୍ ହୋଇଛି ବୋଲି ଶୁଣିଲା, ସେ ତାଙ୍କ ଠାରୁ ଦୂରେଇ ରହିଲା । ଏଭଳିକି ସେ ମଧ୍ୟ ବାଧ୍ୟ ହୋଇ ଭାବିଲେ, ପ୍ରକୃତରେ ସେ କଣ ଗୋଟେ ଭୁଲ କରିଦେଲେ କି ?
ଏହାପରେ ମହେଶ ଚିନ୍ତାକଲେ ଯଦି ପିତାମାତଙ୍କୁ ଏଡସ୍ ହୋଇଥିଲା ବୋଲି ଜଣେ ଭଲ ଝିଅକୁ ସମାଜରୁ ଏମିତି ବ୍ୟବହାର ସହିବାକୁ ପଡୁଛି, ତେବେ ଯେଉଁ ପିଲାମାନେ ଏଚଆଇଭି ପୀଡିତ ଅଛନ୍ତି, ସେମାନଙ୍କ ଅବସ୍ଥା କଣ ହେଉଥିବ ! ଏହା ପରେ ମହେଶ ଓ ସୁଜାତା ପୁନେ ଆସିଲେ । ମହେଶ ଚାକିରି ଛାଡି ଏଚଆଇଭି ପୀଡିତ ପିଲାଙ୍କ ପାଇଁ କାମ କରିବାକୁ ସ୍ଥିର କଲେ । ଏଡସ୍ କ୍ଷେତ୍ରରେ କାମ କରୁଥିବା ଏକ ସ୍ୱେଚ୍ଛାସେବୀ ସଂସ୍ଥା ସହ ସେ ସାମିଲ ହେଲେ । ଏହି ସଂସ୍ଥା ମାଧ୍ୟମରେ ସେ ଗାଁ ଗାଁ ବୁଲି ଲୋକଙ୍କୁ ଏଚଆଇଭି ପ୍ରତି ସଚେତନ କରାଇଲେ । ଏହି ସମୟରେ ସେ ଦେଖିଲେ ଗୋଟିଏ ଆଦିବାସୀ ଗାଁରେ ଗୋଟିଏ ପିଲାକୁ ଗାଁ ବାହାରେ ରଖାଯାଇଛି । କାରଣ ତାର ଦେହ ପଚି ଯାଇଥିଲା । ଏଡସ୍ ହୋଇଥିବାରୁ ତାକୁ କେହି ହସ୍ପିଟାଲ୍ ନେବାକୁ ପ୍ରସ୍ତୁତ ନଥିଲେ । ତାକୁ ଦେଖି ମହେଶ ଓ ତାଙ୍କ ପତ୍ନୀ ସୁଜାତା ସେହି ପିଲାକୁ ପୁନେ ଆଣି ଚିକିତ୍ସା କରାଇଲେ । ଏହା ପରେ ସେମାନେ ଗାଁ ଗାଁ ବୁଲି ଏମିତି ଏଡସ୍ ଗ୍ରସ୍ତ ପିଲାଙ୍କୁ ଆଣିଲେ ଯାହାର କେହି ନାହିଁ ।
ଆଜି ଏମାନେ ୧୭ ପିଲାଙ୍କୁ ନିଜ ପିଲାଙ୍କ ପରି ପାଳୁଛନ୍ତି । ମହେଶଙ୍କ କହନ୍ତି, “ମୁଁ ପିଲାଙ୍କୁ କୁହେ, ଆମକୁ ମାଗି କରି ନୁହେଁ, ବଂର ସଂଘର୍ଷ କରି ମରିବାକୁ ହେବ। ” ଏହି କାରଣରୁ ମହେଶ କେବେ ବି ସାହାଯ୍ୟ ମାଗିବା ପାଇଁ ଯାଇନାହାନ୍ତି । ଆଜି ନିଜ ପାଖରେ ଥିବା ପିଲାଙ୍କ ସହାୟତାରେ ପରଫ୍ୟୁମ, ଫିନାଇଲ୍, ଫ୍ଲାୱାର ପଟ୍, ଗ୍ରିଟିଂ କାର୍ଡ, ଦ୍ୱୀପ ଓ ମହମବତୀ ଆଦି ତିଆରି କରୁଛନ୍ତି । ଏହା ଦ୍ୱାରା ପିଲାମାନେ ଆତ୍ମନିର୍ଭର ହୋଇ ପାରୁଛନ୍ତି । ଏଠାକାର ଜିନିଷପତ୍ର ସବୁ ଆଇଟି କମ୍ପାନୀକୁ ବିକ୍ରି କରାଯାଏ । ମହେଶ କହନ୍ତି, ଏହି ପିଲାମାନଙ୍କୁ ଖାଇବା ଅପେକ୍ଷା ପିରବାରର ସ୍ନେହ ଦରକାର । କାରଣ ପରିବାର କଣ ଏମାନଙ୍କୁ ଜଣାନାହିଁ ।
ମହେଶ ଓ ସୁଜାତଙ୍କ ସହ ରହୁଥିବା ୧୭ ଜଣ ଏଡସ୍ ଗ୍ରସ୍ତ ଆଦିବାସୀ ପିଲା ସରକାରୀ ସ୍କୁଲ ଯାଉଛନ୍ତି । ଏମାନଙ୍କ ମଧ୍ୟରେ ୭ ଝିଅ ଅଛନ୍ତି । ଏମାନଙ୍କ ବୟସ ୬ରୁ ୧୬ ବର୍ଷ ବୟସ ମଧ୍ୟରେ । ଏମାନେ ଭଲ ପାଠ ପଢୁଛନ୍ତି । ଦୁଇ ଜଣ ଝିଅ ଦଶମ କ୍ଲାସରେ ପଢୁଛନ୍ତି ।
ଏହି ସବୁ ପିଲାଙ୍କର ଚିକିତ୍ସା ପାଖରେ ଥିବା ଏକ ସରକାରୀ ହସ୍ପିଟାଲ୍ରେ ଚାଲିଛି । ସୁଜାତା କହନ୍ତି, ସେମାନେ କାମ ଆରମ୍ଭ କରିବା ବେଳେ ପୁନେରେ ଏକ ଘର ଭଡାରେ ମିଳିଥିଲା । ସେଠାକାର ପଡୋଶୀମାନଙ୍କ ବ୍ୟବହାର ଭଲ ନଥିଲା । କିନ୍ତୁ ସମୟକ୍ରମେ ସେମାନଙ୍କ ଚିନ୍ତାଧାରା ମଧ୍ୟ ବଦଳିଗଲା । ସେହି ଲୋକମାନେ ଏବେ ସେମାନଙ୍କ ସହ ଉଠାବସା କରୁଛନ୍ତି । ଏମିତିକି ଜରୁରୀ ସମୟରେ ସାହାଯ୍ୟ ମଧ୍ୟ କରୁଛନ୍ତି ।
ପୁନେର ଆଖପାଖ ଗାଁରେ ନିଜ ପରିବାର ସହ ରହୁଥିବା ଏଡସ୍ ପୀଡିତ ପିଲାମାନଙ୍କ ଦେଖାଶୁଣା ମଧ୍ୟ କରୁଛନ୍ତି ଏହି ଦମ୍ପତ୍ତି । ମହେଶ ଓ ସୁଜାତାଙ୍କ ବିବାହକୁ ୯ ବର୍ଷ ପୂରିଗଲାଣି । ଆଜି ଏମାନଙ୍କର ୭ ବର୍ଷର ପୁଅ ଅଛି । ଯିଏ ଏଚଆଇଭି ପୀଡିତ ପିଲାମାନଙ୍କ ସହ ମିଶି ସ୍କୁଲ ଯାଉଛି, ସେମାନଙ୍କ ସହ ଖେଳୁଛି ଓ ଖାଉଛି । ମହେଶଙ୍କ ସ୍ୱପ୍ନ ଯେ ଏହି ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରହିବା ବ୍ୟବସ୍ଥା ହେଉ, ଯେଉଁଠାରେ ସେମାନେ ଆହୁରି ସ୍ୱଚ୍ଛନ୍ଦରେ ରହିପାରିବେ ।
ଆଧାର - Akhand social worker, freelance journalist
Last Modified : 12/11/2019