অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗତ ଏକବର୍ଷ ମଧ୍ୟରେ ଓଡିଶାର ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ବଢ଼ିଛି ତିନିଗୁଣ

ଗତ ଏକବର୍ଷ ମଧ୍ୟରେ ଓଡିଶାର ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ବଢ଼ିଛି ତିନିଗୁଣ

ଉଦ୍ୟୋଗ କ୍ଷେତ୍ରରେ ଓଡିଶାର ନାରୀ

ଉଦ୍ୟୋଗ ଥିଲା ଦିନେ ଏକ ପୁରୁଷଙ୍କ ଦୁର୍ଗ। କିନ୍ତୁ ଧୀରେ ଧୀରେ ଏଥିରେ ମହିଳା ସାମିଲ ହେଲେ। ପ୍ରତି ବର୍ଷ ଏଥିରେ ମହିଳାଙ୍କର ଯୋଗଦାନ ବଢିବାକୁ ଲାଗିଛି। ମହିଳାଙ୍କ ପାଇଁ ଉଦ୍ୟୋଗୀ ହେବା ଏତେ ସହଜ ପାଠ ନୁହେଁ। କିନ୍ତୁ ଖୁସି ଖବର ଯେ ଆମ ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ବଢିଛି।

ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ଯେ ରାଜ୍ୟରେ ମହିଳା ମାନଙ୍କ ଦ୍ଵାରା ପରିଚାଳିତ ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗ ଗୁଡିକର ସଂଖ୍ୟା ୨୦୧୨-୧୩ ରେ ୮୮୬ରୁ ୨୦୧୪-୧୫ରେ ୨୯୪୩କୁ ବୃଦ୍ଧି ପାଇଛି। ଗତ ତିନି ବର୍ଷ ମଧ୍ୟରେ ଷ୍ଟାର୍ଟଅପ ମାନଙ୍କରେ ପୁଞ୍ଜି ବିନିଯୋଗର ହାର ମଧ୍ୟ ୫୦ କୋଟି ରୁ ୧୦୪ କୋଟି ଯାଏ ବଢିଛି। ମହିଳା ଉଦ୍ୟୋଗୀ ମାନେ ଓଡିଶାରେ ଏହା ଫଳରେ ଯଥେଷ୍ଟ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିପାରିଛନ୍ତି। ବର୍ତ୍ତମାନ ପରିପ୍ରେଖୀରେ ଏହି ପରିସଂଖ୍ୟାନ ଖୁବ ଗୁରୁତ୍ଵପୂର୍ଣ୍ଣ ଅଟେ। ଅଭିବୃଦ୍ଧି କୁ ତ୍ଵରାନ୍ଵିତ କରିବା ପାଇଁ ଅଧିକ ସଂଖ୍ୟକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି ବୋଲି ରଘୁରାମ ରାଜନ ଶନିବାର ଦିନ କହିଛନ୍ତି।

ଏହି ଅବସରରେ ୟୌରଷ୍ଟୋରି ଓଡିଶାର କିଛି ମହିଳା ଉଦ୍ୟୋଗୀଙ୍କ ଉପରେ କରିଥିବା କିଛି କାହାଣୀ ଉପରେ ନଜର ପକାଇବା।

ତାରା ଦାସ, ୬୩ ବର୍ଷ, ରାଜାମଣି ଫୁଡ୍ସର ପ୍ରତିଷ୍ଠାତା

ରାଜ୍ୟର ଜଣେ ସଫଳ ମହିଳା ଉଦ୍ୟୋଗପତି ହେଉଛନ୍ତି ତାରା ଦାସ । ତାଙ୍କୁ ଏବେ ୬୩ ବର୍ଷ ବୟସ । ସେ ରାଜାମଣି ଫୁଡ୍ସ ପ୍ରତିଷ୍ଠା କରିଛନ୍ତି । ତାରା କହନ୍ତି ଯେତେବେଳେ ସେ ବ୍ୟବସାୟ କରିବାକୁ ଆରମ୍ଭ କଲେ ତାଙ୍କ ଆର୍ଥିକ ଅବସ୍ଥା ବହୁତ ଖରାପ ଥିଲା । ତାଙ୍କ ସ୍ୱାମୀଙ୍କୁ ସେ ହରାଇ ସାରିଥିଲେ । ସ୍ୱାମୀଙ୍କ କିଡନୀ ପ୍ରତିରୋପଣ ଚିକିତ୍ସା ବିଫଳ ହେବାରୁ ସେ ପରଲୋକ ଗମନ କରିଥିଲେ । ଏହି ଘଟଣାରେ ତାରା ସମ୍ପୂର୍ଣ୍ଣ ମର୍ମାହତ ହୋଇପଡ଼ିବା ସହ ନିରାଶ ହୋଇପଡ଼ିଥିଲେ । ସ୍ୱାମୀଙ୍କ ଚିକିତ୍ସା ବାବଦରେ ଅନେକ ଅର୍ଥ ଖର୍ଚ୍ଚ ହୋଇଯାଇଥିଲା । ସେ ଶାରିରୀକ, ମାନସିକ ଓ ଆର୍ଥିକ ଭାବେ ଭାଙ୍ଗି ପଡ଼ିଥିଲେ । ସେ ନିଜର କାରବାର ୨ କିଲୋ ଚାଉଳ ଓ ଦେଶୀ ଗୁଡ଼କୁ ନେଇ ଆରମ୍ଭ କରିଥିଲେ । ସେଥିରୁ ସେ ଆରିସା କରି ବିକ୍ରି କରିଥିଲେ । ତାଙ୍କ ଆରିସାର ଚାହିଦା ବଢ଼ିବାରୁ ସେ ଅଧିକରୁ ଅଧିକ ଅର୍ଥ ସେଥିରେ ନିବେଶ କଲେ । ଦୀର୍ଘ ୬ ବର୍ଷର ସଂଘର୍ଷ ପରେ ତାଙ୍କ ଦ୍ୱାରା ପ୍ରସ୍ତୁତ ଆରିସା ସାରା ରାଜ୍ୟ, ଦେଶ ଏଭଳିକି ବିଦେଶରେ ଚର୍ଚ୍ଚିତ ହୋଇସାରିଲାଣି ।

 

ଇନ୍ଦୀରା ମହାପାତ୍ର, ୫୭, ମାଲିକ, ସ୍ମୃତି ଗ୍ୟାସ୍

ମହିଳାମାନେ କିଭଳି ସ୍ୱାବଲମ୍ବୀ ହେବା ଦରକାର ତାହା ଇନ୍ଦୀରା ମହାପାତ୍ରଙ୍କ କାହାଣୀ ପଢ଼ିଲେ ପ୍ରେରଣା ମିଳିଥାଏ । ସେ ଜଣେ ସାହସୀ, ସ୍ୱାବଲମ୍ବୀ ଓ ସ୍ୱାଧୀନ ଚେତନା ଥିବା ମହିଳା । ୧୯୮୫ରେ ସେ ଯେତେବେଳେ ନିଜର ବିତରଣ ଏଜେନ୍ସି ଆରମ୍ଭ କରିଥିଲେ ତାଙ୍କୁ ବହୁ ସମସ୍ୟା ସାମ୍ନା କରିବାକୁ ପଡ଼ିଥିଲା । ଜଣେ ବିତରକଙ୍କୁ ସରକାର ଯେଉଁ ସହାୟତାଯୋଗାଇ ଦେବା କଥା ତାହା ଦେଇ ନଥିଲେ । ନିଜେ ସେ ବିଭିନ୍ନ ସରକାର ଅଫିସ୍ ଦୌଡ଼ିଥିଲେ ସିଲିଣ୍ଡର ରଖିବା ପାଇଁ ଗୋଦାମ ଘର ଖଣ୍ଡିଏ ପାଇବାକୁ । ସେ କହନ୍ତି ଏ ପୁରୁଷ ପ୍ରଧାନ ସମାଜରେ ମହିଳାଙ୍କୁ କିଛି ବି ଜିନିଷ ସହଜରେ ମିଳେ ନାହିଁ । ସରକାରଙ୍କ ପକ୍ଷରୁ ତାଙ୍କୁ ସହାୟତା ମିଳିଲା ନାହିଁ । କିନ୍ତୁ ହାର ମାନି ନ ଥିଲେ ଇନ୍ଦୀରା । ଏକ ବ୍ୟାଙ୍କରୁ ଋଣ ନେଇ ଜମି କିଣି ସେ ନିଜର ଗୋଦାମ ପ୍ରତିଷ୍ଠା କରିଥିଲେ ।

ସୁପ୍ରୀତି ମିଶ୍ର, ନିର୍ଦେଶକ ଇସିପି ଇଣ୍ଡଷ୍ଟ୍ରି

ସୁପ୍ରୀତି ମିଶ୍ର ହେଉଛନ୍ତି ଇସିପି ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ନିର୍ଦ୍ଦେଶିକା । ସେ ନିଜ ବାପାଙ୍କ କାରବାରରେ ପ୍ରଥମେ ସହାୟତା କରିବା ପରେ ନିଜର ବ୍ୟବସାୟ ଖୋଲିଥିଲେ । ଦୁଗ୍ଧ କ୍ଷେତ୍ରର ବିକାଶ ପାଇଁ ସେ ନିଜର ସଂସ୍ଥା “ଗୋ ବିକାଶ’ ଆରମ୍ଭ କରିଥିଲେ । ସୁପ୍ରୀତି କହନ୍ତି ଯେ ନିଜର କାରବାର ଆରମ୍ଭ କରିବାର ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଗରିବ ଚାଷୀଙ୍କୁ ଜୀବନ ଜୀବିକାର ଏକ ଉତ୍କୃଷ୍ଟ ମାଧ୍ୟମ ପ୍ରଦାନ କରିବା । ବିଶେଷ କରି ମହିଳା ଚାଷୀ ଓ ଗ୍ରାମୀଣ ମହିଳାଙ୍କୁ ସେ ସଶକ୍ତ କରିବାକୁ ଚାହୁଁଥିଲେ । ସେ ନର୍ଥ ଓଡ଼ିଶା ଫାରମର୍ ମଲ୍ଟି ପରପସ୍ କୋଅପରେଟିଭ୍ ସୋସାଇଟି ଗଠନ କରିଛନ୍ତି । ଏହି କୋଅପରେଟିଭ୍ ସୋସାଇଟି ମହିଳା ଓ ଚାଷୀମାନେ ଉତ୍ପାଦନ ଓ ପ୍ରସ୍ତୁତ କରୁଥିବା ସାମଗ୍ରୀଗୁଡ଼ିକର ବିଜ୍ଞାପନ କରିବା ସହ ତାହାର ବିକ୍ରି ଓ ରପ୍ତାନି କରୁଛି । ତାଙ୍କ ସଂସ୍ଥା ପାଇଁ କାମ କରୁଥିବା ୮୦% ମହିଳା ହେଉଛନ୍ତି ଉପେକ୍ଷିତ ଓ ବିଧବା ।

ଶ୍ରୁତି ନରୂଲା, ୨୯, ମାଲିକ, Cupcakes-n-More

ଗୃହିଣୀରୁ ଉଦ୍ୟୋଗୀରେ ପରିଣତ ହୋଇଥିବା ଶ୍ରୁତି ପ୍ରଥମେ ଘରେ କେକ୍ ଡିଜାଇନ୍ କରୁଥିଲେ । ତାହାକୁ ଦେଖିବା ପରେ ପରିବାର ଲୋକ ପ୍ରଭାବିତ ହେବା ସହ ବନ୍ଧୁ ପରିଜନ ମଧ୍ୟ ପ୍ରଭାବିତ ହୋଇଥିଲେ । ବନ୍ଧୁମାନେ ତାଙ୍କୁ କେକ୍ ତିଆରି କରିବା ପାଇଁ କହୁଥିଲେ । ଏବେ ସେ ନିଜର ଏକ ବେକରି ଘରୁ ଚଳାଉଛନ୍ତି । ପ୍ରତି ମାସରେ ୧୦୦ରୁ ଅଧିକ କେକ୍ ଡିଜାଇନ୍ କରି ପଠାଇବା ପାଇଁ ତାଙ୍କ ପାଖକୁ ବରାଦ ଆସୁଛି । ଗତବର୍ଷ ଅଗଷ୍ଟରେ ଶ୍ରୁତି ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଏଥିରେ ତାଙ୍କୁ ନିଜର ସ୍ଵାମୀ ବହୁତ ସହାୟତା ପ୍ରଦାନ କରିଛନ୍ତି । ଶ୍ରୁତି Cupcakes-n-More ନାମକ ବେକେରି ପ୍ରତିଷ୍ଠା କରିଛନ୍ତି ।

ଜାଗି ମଙ୍ଗତ୍ ପଣ୍ଡା, ପରିଚାଳନା ନିର୍ଦେଶିକା, ଓରଟେଲ୍ କମୁ୍ୟନିକେସନ୍

ଓଡ଼ିଶା କେବୁଲ୍ ଟିଭି କ୍ଷେତ୍ରରେ ବିପ୍ଳବ ଆଣିଥିଲା ଓରଟେଲ୍ କମୁ୍ୟନିକେସନର ସଫଳତା ପଛରେ ରହିଛନ୍ତି ଜଣେ ମହିଳା । ସେ ହେଉଛନ୍ତି କଂପାନିର ପରିଚାଳନା ନିର୍ଦେଶିକା ଜାଗି ମଙ୍ଗତ ପଣ୍ଡା । ବଜାର ଓ ଲୋକମାନଙ୍କ ଆବଶ୍ୟକତାକୁ ଭଲ ଭାବେ ବୁଝିବା ସହ ସେ କେବୁଲ୍ ଟିଭିକୁ ରାଜ୍ୟର ଘରେ ଘରେ ପହଂଚାଇ ପାରିଛନ୍ତି । ତାଙ୍କ ଉଦ୍ୟମରେ ଓରଟେଲ୍ ଏବେ ଡିଜିଟାଲ୍ ସେଟ୍ ଟପ୍ ବକ୍ସଠାରୁ ଆରମ୍ଭ କରି କେବୁଲ୍ ଜରିଆରେ ଇଂଟରନେଟ୍ ଆଦି ସୁବିଧା ଲୋକମାନଙ୍କୁ ପ୍ରଦାନ କରୁଛି । ସହରାଚଂଳ ବିଶେଷ କରି ଭୁବନେଶ୍ୱରରେ ଓରଟେଲ୍ କମୁ୍ୟନିକେସନ୍ ଘରେ ଘରେ ଏକ ପରିଚିତ ନାମ ।

ରତ୍ନମାଳା ସ୍ୱାଇଁ, ନିର୍ଦେଶିକା, ଡିଏନ୍ ହୋମ୍ସ

ଗଞ୍ଜାମ ଜିଲ୍ଲାର ଏକ ଛୋଟ ସହରରେ ଏକ ସ୍ଵଚ୍ଛଳ ପରିବାରେ ଜନ୍ମଗ୍ରହଣ କରିଥିଲେ ରତ୍ନମାଳା। ପଢ଼ା ସରିବା ପରେ ଅନ୍ୟ ସହପାଠିନୀଙ୍କ ସହ ରତ୍ନମାଳା ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (BDA) ଅଧୀନରେ ପ୍ରଶିକ୍ଷଣ ନେଲେ। ପ୍ରଥମ ମହିଳା ଠିକାଦାର ଭାବେ କାମ ଆରମ୍ଭ କରିଥିଲେ। ଅର୍ଥ ଅଭାବରୁ ଦିନେ ସେ ରାଜ୍ୟ ବାହାରକୁ ଯାଇ ଉଚ୍ଚଶିକ୍ଷା ଲାଭର ସ୍ଵପ୍ନକୁ ସାକାର କରିପାରି ନଥିଲେ, ଆଉ ଏବେ ବିଜିନେସ୍ ମିଟିଂ ପାଇଁ ତାଙ୍କୁ ମାସରେ ବାରମ୍ବାର ବାହାରକୁ ଯିବାକୁ ପଡ଼ୁଛି । ସେଦିନ ସାଇକେଲ ଚଢ଼ି ଭୁବନେଶ୍ୱର ସାରା ଖରାରେ ପଇଁତରା ମାରୁଥିବା ଏ ସ୍ଵପ୍ନଦ୍ରଷ୍ଟା ମହିଳା ଜଣକ ଏବେ ସଫଳ ଉଦ୍ୟୋଗୀ ଭାବେ ପରିଚିତ । ଦିନେ ଛାତ୍ର ଆନ୍ଦୋଳନ ନେତୃତ୍ୱ ନେଇଥିବା ସାହସୀ ତରୁଣୀ ଜଣକ ଆଜି ପୂର୍ବ ଭାରତରେ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଏକମାତ୍ର ମହିଳା ଉଦ୍ୟୋଗୀ କହିଲେ ଅତ୍ୟୁକ୍ତି ହେବନାହିଁ ।

Aadhar

Ruchikia panigrahi (freelancer journalist)



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate