ପ୍ରତିମା ସାହୁଙ୍କର ପରିଚୟ

ପ୍ରତିମା ସାହୁ, ବୟସ ପାଖାପାଖି ୩୫ ରୁ ୪୦ । ଘର କେନ୍ଦ୍ରପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ ସଂସାରଫଳ ଗ୍ରାମରେ । ପରିବାରରେ ଅଛନ୍ତି ୬ଜଣ ସଦସ୍ୟ । ଘରର ଆର୍ଥିକ ଭାର କିଛିଟା କମ୍ କରିବା ଲାଗି ୨୦୦୬ରେ ସେ ଆଶାକର୍ମୀଭାବେ କାମ କଲେ ।

ଆଶାକର୍ମୀ ଭାବେ ଦାୟିତ୍ଵ

ଆଉ ନିଜର ଦାୟିତ୍ଵ ସୁଚାରୁରୂପେ ତୁଲାଇଲେ । ନିଷ୍ଠାର ସହ ସଂସାରଫଳ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପହଞ୍ଚି ଜନ୍ମରୁ ୧ବର୍ଷ ଶିଶୁମାନଙ୍କୁ ସଂକ୍ରମକ ଟିକା ନେବା କ୍ଷେତ୍ରରେ ମା’ ମାନଙ୍କୁ ସଚେତନ କଲେ । ତା’ସହ ଗର୍ଭବତୀ ମହିଳାଙ୍କୁ ନିଜର ଯତ୍ନ କିଭଳି ନେବେ ସେ ସମ୍ପର୍କରେ ସଚେତନ କରାଇଲେ ।

ଏସବୁବାଦ ଗ୍ରାମର ଏକ ଘଟଣା ତାଙ୍କୁ ଖୁବ୍ ବ୍ୟଥିତ କରିଥିଲା । ଦାଦନ ଖଟିବାକୁ ଯାଉଥିବା ଗାଁର ଅନେକ ଯୁବକ ଏଡ୍ସରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଥିଲେ । ତେଣୁ ସେ ଆଗେଇ ଆସିଲେ ଗାଁର ଯୁବକମାନଙ୍କୁ ଏ ରୋଗ ସମ୍ପର୍କରେ ସଚେତନ କରାଇବା ପାଇଁ । ତା’ସହ ଗାଁର ଅପାଠୁଆ ଯୁବତୀମାନଙ୍କୁ ବି ଏ ନେଇ ସଚେତନ କରାଇବେ । ପ୍ରତିମାଙ୍କର ଏଭଳି ନିଷ୍ଠାପର କର୍ମର ଖବର ଚାରିଆଡେ ପ୍ରଚାର ହୋଇଗଲା ।

ସମ୍ମାନିତ

ଶେଷରେ ଜିଲାପାଳ ତାଙ୍କୁ ୨୦୦୭ ଓ ୨୦୦୯ ରେ ସମ୍ମାନିତ କଲେ । ଏହା ତାଙ୍କୁ ପ୍ରେରଣା ଯୋଗାଇଲା ଆହୁରି କିଛି ସମାଜ ସଂସ୍କାରମୂଳକ କାର୍ଯ୍ୟ କରିବାକୁ ।

ଗାଁ ମହିଳାଙ୍କ ପାଇଁ ପ୍ରେରଣା

ସେ ଗାଁର ବିଭିନ୍ନ ବର୍ଗର ମହିଳାମାନଙ୍କୁ ଏକଜୁଟ୍ କରି ଏକ ମଦ ବିରୋଧୀ ମଞ୍ଚ ଗଠନ କଲେ । ଆଉ ଏକ ମଦ ଦୋକାନକୁ ବନ୍ଦ କରିଦେଲେ । ଏବେ ସେ ଗାଁକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଅଭିଯାନରେ ଲାଗିଛନ୍ତି ।

ଯେବେ ଯେବେ ନାରୀ ଘରର ଏରୁଣ୍ଡି ଡେଇଁଛି ସଫଳତା ତା’ ପାଦ ଛୁଇଁଛି । ଆଉ ପ୍ରମାଣିତ କରିଦେଇଛି ସେ ନୁହେଁ ଦୂର୍ବଳା।

ଆଧାର – ଶିବାନୀ