ସଫଳ ଉଦ୍ୟମ ସମୟ ସହ ଛୋଟ ବୟସର ପିଲା ମାନଙ୍କର ଶିକ୍ଷା ପ୍ରତି ସଭିଙ୍କର ଧ୍ୟାନ ବଢି ବଢି ଯାଉଛି। ବିଶେଷ କରି ଝିଅ ମାନଙ୍କର ପାଠପଢା ଉପରେ ଏବେ ସମସ୍ତଙ୍କର ନଜର। ସରକାରଙ୍କର ‘ବେଟି ବଚାଓ, ବେଟି ପଢାଓ’ ଅଭିଯାନ ଏହି ଦିଗରେ ଏକ ବିଶାଳ ପଦକ୍ଷେପ। ଏପରି ପଦକ୍ଷେପ ସବୁ ଦ୍ଵାରା ବର୍ତ୍ତମାନ ଅଧିକରୁ ଅଧିକ ଲୋକେ ଶିକ୍ଷା ଯେ ଦେଶର ବିକାଶରେ କେତେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିଭାଏ, ତାହା ବୁଝିପାରିଲେଣି। ଏସବୁ ସତ୍ତ୍ୱେ ମଧ୍ୟ ୨୦୧୬ ମସିହାରେ ରାଜଧାନୀ ଦିଲ୍ଲୀରେ ସରକାରୀ ସ୍କୁଲ ମାନଙ୍କରେ ପଢୁଥିବା ଝିଅ ମାନଙ୍କ ସଂଖ୍ୟା ହ୍ରାସ ଦେଖିବାକୁ ମିଳିଥିଲା। ପ୍ରାଥମିକ ଏବଂ ମଧ୍ୟ ଇଂରାଜୀ ସ୍କୁଲ ମାନଙ୍କରେ ଶୌଚାଳୟ ଓ ଝିଅଙ୍କର ରୃତୁସ୍ରାବ ସମୟରେ ତାଙ୍କୁ ଉପଯୁକ୍ତ ସୁବିଧା ନ ମିଳୁଥିବା ହେଉଛି ଏହାର ମୁଖ୍ୟ କାରଣ। ଦିଲ୍ଲୀର ଜଣେ ସ୍କୁଲ ଛାତ୍ରୀ, ଶରଣ୍ୟା ଏହି ପରିସଂଖ୍ୟାନ ଦେଖି ଖୁବ ହତାଶ ଅନୁଭବ କରିଥିଲେ। ରୃତୁସ୍ରାବର ସମସ୍ୟା ଯେତେବେଳେ ସେ ବୁଝିଲେ ଯେ ରୃତୁସ୍ରାବ ସମୟରେ ଉପଯୁକ୍ତ ସୁବିଧା ଏବ ସ୍ବଚ୍ଛତା ଉତ୍ପାଦ ନ ମିଳୁଥିବାରୁ ଧୀରେ ଧୀରେ ଛାତ୍ରୀ ମାନଙ୍କ ସଂଖ୍ୟା ହ୍ରାସ ପାଉଛି, ସେ ଏ ନେଇ ନିଜେ କିଛି କରିବାକୁ ସ୍ଥିର କଲେ। ଶରଣ୍ୟା ନିଜର ଜଣେ ବାନ୍ଧବୀ ଅମୀୟା ବିଶ୍ବନାଥନଙ୍କୁ ତାଙ୍କର ଏହି ଉଦ୍ୟମରେ ତାଙ୍କୁ ସହଯୋଗ କରିବାକୁ କହିଲେ। ଏମିତି ଜନ୍ମ ନେଲା ପ୍ରୋଜେକ୍ଟ ସଶକ୍ତ। ଏହି ଦୁଇ ଜଣ କିଶୋରୀ ଡ଼ିଏଲଏଫ ଗୁଡ଼ଗାଓଁରେ ଥିବା ଶ୍ରୀରାମ ସ୍କୁଲର ମୌଳସାରି କ୍ଯାମ୍ପସରେ ଏକାଦଶ ଶ୍ରେଣୀର ଛାତ୍ରୀ। ଶରଣ୍ୟା ନିଜ ସାଙ୍ଗ ଅମୀୟା ଏନକେ ସହ ମିଶି ସେପ୍ଟେମ୍ବର ୨୦୧୬ରୁ ସାନିଟାରୀ ପ୍ୟାଡ ବାଣ୍ଟିବା ଆରମ୍ଭ କଲେ। ସେମାନେ ନିଷ୍ପତ୍ତି ନେଲେ ଯେ ମହିଳା ଓ ଝିଅ ମାନଙ୍କୁ ବର୍ଷ ସାରା ସାନିଟାରୀ ପ୍ୟାଡ ଯୋଗାଇଦେବେ। ସେମାନେ ଆଉ ଏକ ସମସ୍ଯା ମଧ୍ୟ ବୁଝିଥିଲେ ଏବଂ ଜାଣିଲେ ଯେ ଏହି ମହିଳା ମାନଙ୍କୁ ନିଜ ଶରୀରକୁ ଜାଣିବା ଏବଂ ବୁଝିବା କେତେ ମାତ୍ରାରେ ଜରୁରୀ। ସେଥିପାଇଁ ସେମାନେ ଏ ବିଷୟରେ ନାନା କର୍ମଶାଳା ଆୟୋଜନ କରିବାର ନିଷ୍ପତ୍ତି ନେଇଛନ୍ତି। ଏହି କାର୍ମଶାଳା ମାନଙ୍କରେ ନାରୀ ଶରୀର କିପରି ଭାବେ କାମ କରେ ସେ ନେଇ ମହିଳା ଓ କିଶୋରୀ ମାନଙ୍କୁ ସଚେତନ କରାଯିବ। ବ୍ୟବହୃତ ସାନିଟାରୀ ପ୍ୟାଡ ଖୋଲାରେ ଫିଙ୍ଗିଲେ ପରିବେଶ ପ୍ରତି ହେଉଥିବା ହାନିକାରକ ପ୍ରଭାବକୁ ବୁଝି ସେମାନେ ବାୟୋ-ଡିଗ୍ରେଡ଼େବଲ ସାନିଟାରୀ ପ୍ୟାଡ ଯୋଗାଇବାକୁ ସ୍ଥିର କରିଛନ୍ତି। ଏଇ ଝିଅ ଦୁଇଜଣ ଖୁବ ସକ୍ରିୟ ଏବଂ ନିକଟସ୍ଥ ସ୍କୁଲକୁ ଯିବା ପୂର୍ବରୁ ସେଠାକାର ସ୍ଥାନୀୟ ଡାକ୍ତର ତଥା ଅନ୍ୟାନ୍ୟ ତଥ୍ୟ ବିଷୟରେ ସର୍ବେକ୍ଷଣ କରିବା ପରେ ଯାଇଥାନ୍ତି। କର୍ମଶାଳା ଶେଷ ହେବା ପରେ ସେମାନେ ନିଜେ ସାନିଟାରୀ ପ୍ୟାଡର ପ୍ରଥମ ବକ୍ସ ବଣ୍ଟନ କରି ଆସିଥାନ୍ତି ଏବଂ ପରେ ମାସିକ ଭାବେ ନିୟମିତ ପଠାଇଥାନ୍ତି। ଦଶମ ଶ୍ରେଣୀରେ ପଢୁଥିବା ସମୟରେ ସେମାନେ ଏପରି କର୍ମଶାଳା ଆରମ୍ଭ କରିଥିଲେ। ସେମାନେ ବୁଝନ୍ତି ଯେ ଧୀରେ ଧୀରେ ନିଜ ପାଠ୍ୟକ୍ରମରେ ଆଗକୁ ଯିବା ସହ ସେମାନଙ୍କୁ ନିଜର ପାଠପଢା ପ୍ରତି ବେଶି ସମୟ ଦେବାକୁ ହେବ। କିନ୍ତୁ ଦୁହେଁ ଝିଅ ମାନେ ଯେ ସ୍କୁଲ ପାଠ କେବଳ ସ୍ବଚ୍ଛତା କାରଣରୁ ଛାଡିଦିଅନ୍ତୁ ତାହା ମଧ୍ୟ ସ୍ଵୀକାର କରିପାରିବେ ନାହିଁ। ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ ନିଶ୍ଚୟ କିନ୍ତୁ ଦୁହେଁ ସେଥିପାଇଁ ତିଆର ଅଛନ୍ତି। ଏହି ଅଞ୍ଚଳରେ ଥିବା ଅନେକ ଏନଜିଓ ତାଙ୍କର ଉଦ୍ୟମକୁ ଦେଖି ତାଙ୍କୁ ସାନିଟାରୀ ପ୍ୟାଡ ବଣ୍ଟନରେ ସାହାଯ୍ୟ କରିବାକୁ ଆଗଭର ହେଲେଣି। ନିଜର ପ୍ରତିବଦ୍ଧତା ଏବଂ ଯୋଜନାବଦ୍ଧ ପଦକ୍ଷେପ ସହ ସେମାନେ ଆଗକୁ ଯାଇ ଆହୁରି ଅନେକ ସ୍କୁଲ ମାନଙ୍କୁ ନିଜର ଏହି ନେଟୱର୍କରେ ସାମିଲ କରିବାର ଲକ୍ଷ୍ୟ ରଖିଛନ୍ତି। ଆଧାର ଓଡିଶା ରିପୋଟର