অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାଲେଶ୍ଵର ପ୍ରେରଣା ସାଜିଛନ୍ତି ପଙ୍କଜିନୀ

ପଙ୍କଜିନୀଙ୍କ ସହାୟତା

ଗାଁରେ କାହାର ଦେହ ଖରାପ ହେଲେ, ସମସ୍ତେ ପଙ୍କଜିନୀଙ୍କ ସହାୟତା ଲୋଡନ୍ତି । ସେ ମଧ୍ୟ କାହାରିକୁ ନିରାଶ କରନ୍ତି ନାହିଁ । ଗାଁ ଲୋକଙ୍କ କହିବା ଅନୁଯାୟୀ, ସେ ସେମାନଙ୍କ ପାଇଁ ଜଣେ ଦେବୀ ସଦୃଶ ।

ଦେଖିବାକୁ ପତଳି ଓ ଡେଙ୍ଗୀ । ଆଚରଣରେ ଅତି ଶାନ୍ତ ୪୦ ବର୍ଷୀୟ ପଙ୍କଜିନୀ ବେହେରା । ବାଲେଶ୍ୱର ଜିଲ୍ଲାର ଭଞ୍ଜଚୁରା ଗାଁର ସେ ଆଶାକର୍ମୀ । କିନ୍ତୁ ସେ ସ୍ୱତନ୍ତ୍ର । ସେବାକୁ ବ୍ରତ କରିଥିବା ଏହି ଆଶାକର୍ମୀ ଜଣଙ୍କ, ଏହି ଗାଁମର ଅନେକ ଜୀବନ ବଞ୍ଚାଇବା ସହ ଅନେକ ଗର୍ଭବତୀଙ୍କୁ ମାତୃତ୍ୱର ସୁଖ ପାଇବାରେ ସାହାଯ୍ୟ କରି ପାରିଛନ୍ତି । ଗାଁରେ କାହାର ଦେହ ଖରାପ ହେଲେ, ସମସ୍ତେ ପଙ୍କଜିନୀଙ୍କ ସହାୟତା ଲୋଡନ୍ତି । ସେ ମଧ୍ୟ କାହାରିକୁ ନିରାଶ କରନ୍ତି ନାହିଁ । ଗାଁ ଲୋକଙ୍କ କହିବା ଅନୁଯାୟୀ, ସେ ସେମାନଙ୍କ ପାଇଁ ଜଣେ ଦେବୀ ସଦୃଶ । ଗାଁର ଜଣେ ମହିଳା ଟିକି ଡୋନଫଟ । ଗର୍ଭବତୀ ଥିବା ସମୟରେ ସେ ଅଚାନକ ଯନ୍ତ୍ରଣା ଅନୁଭବ କରିବା ସହିତ ତାଙ୍କର ମାତ୍ରାଧିକ ରକ୍ତସ୍ରାବ ହେଲା । ସମୟ ରାତି ଅଧ , ପଙ୍କଜିନୀଙ୍କୁ ଡକାଗଲା । ସେ ଖବର ପାଇ ଧାଇଁ ଆସିଲେ ଏବଂ ‘ଜନନୀ ବାହିନୀ’ ସହ ଯୋଗାଯୋଗ କଲେ । ଏହି ସରକାରୀ ଆମ୍ବୁଲାନ୍ସ ସଙ୍ଗେ ସଙ୍ଗେ ଟିକିଙ୍କୁ ୧୦ କିଲୋମିଟର ଦୂରରେ ଥିବା ଡାକ୍ତରଖାନାକୁ ନେଇଗଲା । ଠିକଣା ସମୟରେ ସେଠାରେ ପହଞ୍ଚିବାରୁ ଟିକି ଓ ତାଙ୍କ ଶିଶୁର ଜୀବନ ବଞ୍ଚିଲା ।

ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ତାଙ୍କ କାର୍ଯ୍ୟ

ସରକାରଙ୍କ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ପଙ୍କଜିନୀ ଜଣେ ଆଶାକର୍ମୀ । ସରକାରୀ ଭାବେ ତାଙ୍କର କାର୍ଯ୍ୟ ହେଉଛି, ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ଯୋଗାଇବା, ଟୀକାକରଣ କରାଇବା, ଏଏନ୍ଏମ୍ କର୍ମୀଙ୍କ ସହ ମିଶି ଗାଁର ଗର୍ଭବତୀ ମହିଳାମାନଙ୍କର ସୁଚାରୁ ରୂପେ ପ୍ରସବ କରାଇବା । ଏବଂ ପରେ ମା’ ଓ ଛୁଆ କିଭଳି ସୁ୍ସ୍ଥ ରହିବେ ସେ ବିଷୟରେ ଧ୍ୟାନ ଦେବା । କିନ୍ତୁ ପଙ୍କଜିନୀଙ୍କ କାର୍ଯ୍ୟ ଏତିକିରେ ସିମୀତ ନାହିଁ । ଗାଁକୁ ପରିବାର ଭଳି ଭାବି ସେ ଲୋକମାନଙ୍କ ସେବାକୁ ବ୍ରତ କରି ଦେଇଛନ୍ତି।

ତାଙ୍କ କହିବା ଅନୁଯାୟୀ, “ଏହି ଗାଁ ଲୋକମାନେ ସ୍ୱାସ୍ଥ୍ୟ ଜନିକ କୌଣସି ସମସ୍ୟା ପାଇଁ ମୋତେ ଭରସା କରନ୍ତି । ସେ ମୁଣ୍ଡ ବିନ୍ଧା ହେଉ କି ସାଧାରଣ ଜ୍ୱର କିମ୍ବା ପେଟକାମୁଡା, ସବୁପାଇଁ ମୋତେ ଡକାଯାଏ । ଥରେ ଗାଁର ଜଣେ ବୃଦ୍ଧ ବ୍ୟକ୍ତି ମୋତେ ଫୋନ୍ କରି କହିଲେ, ତାଙ୍କର ସବୁବେଳେ ମୁଣ୍ଡବ୍ୟଥା ହେଉଛି । ଏହା ଅନେକ ଦିନ ଧରି ରହିଲାଣି । ମୁଁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଗଲି । ସେଠି ଜଣା ପଡିଲା, ସେ ବ୍ୟକ୍ତିଙ୍କ ମୁଣ୍ଡରେ ଟ୍ୟୁମର୍ ରହିଛି । ଭଗବାନଙ୍କ କୃପାରୁ ଠିକ୍ ସମୟରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଯାଇଛି ।” ପଙ୍କଜିନୀ ସବୁବେଳେ ନିଜ କାମକୁ ଗମ୍ଭୀରତାର ସହିତ ନେଇଥାଆନ୍ତି । ପାଖରେ ସବୁବେଳେ ଆବଶ୍ୟକୀୟ ସାଧାରଣ ଔଷଧ, ଫାଷ୍ଟେଡ୍ ବକ୍ସ, କ୍ଲୋରୋକୁଇନ୍ ବଟିକା, ଡିସ୍ପୋଜେବଲ୍ ଡେଲିଭରି କିଟ୍, କଣ୍ଡୋମ୍ସ ଆଦି ରଖିଥାନ୍ତି । ସବୁବେଳେ ଗାଁରେ ବୁଲି ଲୋକମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ରଖନ୍ତି ।

ପଙ୍କଜିନୀ କାମ କରୁଥିବା ଗାଁ ଉପକୂଳ ଓଡିଶାର ଏକ ମଫସଲ ଗାଁ । ସେଠାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଏକ କଠିନ କାମ । ତେବେ ଏହି ଗାଁଟି ବନ୍ୟା ପପୀଡିତ ଅଞ୍ଚଳ । ବନ୍ୟା ହେଲା ଗାଁର ଅବସ୍ଥା ସଙ୍କଟାପନ୍ନ ହୋଇଯାଏ । ୨୦୧୨ ଅକ୍ଟୋବର ମାସରେ ଏଭଳି ସ୍ଥିତି ହୋଇଥିଲା । କିନ୍ତୁ ପଙ୍କଜିନୀ ହାର୍ ମାନି ନଥିଲେ । ସେତେବେଳେ ଓଡିଶାରେ ଆସିଥିବା ଭୟଙ୍କର ବନ୍ୟାରେ ପ୍ରାୟ ୨୬୦୦ ଗାଁ ବୁଡି ରହିଥିଲା । ଲକ୍ଷ ଲକ୍ଷ ଲୋକ ପାଣି ଘେରରେ ରହିଥିଲା । ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଥିଲା । ସେତେବେଳେ ଭଞ୍ଜଚୁରାର ଅବସ୍ଥା ମଧ୍ୟ ସାଙ୍ଘାତିକ ହୋଇଯାଇଥିଲା । ପଙ୍କଜୀନିଙ୍କ ଭାଷାରେ, “ସେତେବେଳେ ମୁଁ କାମରେ ବାହାରକୁ ଯାଇ ଫେରିଥାଏ । ବସରୁ ପାଦ କାଢ଼ିବା ପରେ ହିଁ ମୋତେ ଏକ ଫୋନ୍ କଲ୍ ଆସିଲା । କେହି ଜଣେ ଫୋନ୍ କରି କହିଲେ, ଦିଦି ଗାଁର ୧୩ ଜଣେ ଶିଶୁ ଅଚାନକ ବିମାର ପଡିଛନ୍ତି । କେହି କିଛି ଜାଣି ପାରୁ ନାହାନ୍ତି କ’ଣ କରିବାକୁ ହେବ । ମୁଁ ଦୌଡିଗଲି । ଦେଖିଲି, ଏହା ଏକ ମାହାମାରୀର ପୂର୍ବାଭାଷା । ପିଲାମାନଙ୍କୁ ଓଆରଏସ ପାଣି ଲଗାତାର ପିଆଇବାକୁ ପରାମର୍ଶ ଦେଇ ନିକଟସ୍ଥ ରେମୁଣା କମ୍ୟୁନିଟି ହେଲଥ ସେଣ୍ଟରକୁ ଫୋନ୍ କଲି । ସେମାନେ କହିଲେ ବେଡ୍ ନାହିଁ । ପରେ ଜିଲ୍ଲା ଚିକିତ୍ସାଳୟକୁ ଫୋନ୍ କରି ସେଠାକୁ ନେବା ପାଇଁ ସ୍ଥିର କଲି । କିନ୍ତୁ ସମସ୍ୟା ଏଇଠି ସରିଲା ନାହିଁ । ଅଚାନକ ଗାଁର ଅଧିକାଂଶ ଲୋକ ରୋଗଗ୍ରସ୍ତ ହେବାକୁ ଲାଗିଲେ । କ’ଣ କରିବି ବୁଦ୍ଧିବାଟ ଦିଶିଲା ନାହିଁ । ସାହାଯ୍ୟ ପାଇଁ ମଧ୍ୟ କେହି ନଥିଲେ । ଗାଁ ଲୋକେ ମୋତେ ଆଶ୍ରା କରି ବସିଥିଲେ । ମୋର ମନେ ଅଛି ଏକାସହ ୫୦ ଜଣ ଗାଁ ଲୋକଙ୍କ ଓ ତା’ଠୁ ଅଧିକ ଶିଶୁଙ୍କ ମୁଁ ଜିଲ୍ଲା ଡାକ୍ତରଖାନା ନେଇ ଯାଇଥିଲି । ତିନି ଦିନ ପର୍ଯ୍ୟନ୍ତ ଶୋଇ ପାରି ନଥିଲି ।”

ସମ୍ମାନ

ପଙ୍କଜିନୀଙ୍କୁ ତାଙ୍କର ସେବା ପାଇଁ ସରକାରଙ୍କ ପକ୍ଷରୁ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି । କିନ୍ତୁ ପଙ୍କଜିନୀଙ୍କ ମତରେ, “ସମ୍ମାନ ମିଳିବା ଆଶାରେ ମୁଁ କିଛି କାମ କେବେ ବି କରି ନାହିଁ । ସମ୍ମାନ ନମିଳିଲେ ମଧ୍ୟ ମୋର କର୍ତ୍ତବ୍ୟ ମୁଁ କରିବି । ସେ ସମୟରେ ମୋର ବ୍ୟକ୍ତିଗତ ୧୦୦୦ଟଙ୍କା ଖର୍ଚ୍ଚ ହୋଇଥିଲା । ମୋ ଭଳି ଜଣେ ମହିଳା ପାଇଁ ଏହାର ମୂଲ୍ୟ ଯଥେଷ୍ଟ ଅଧିକ । କିନ୍ତୁ ମୁଁ ସେ ବିଷୟରେ କେବେ କିଛି ଚିନ୍ତା କରି ନାହିଁ ।” ଆଶାକର୍ମୀଙ୍କ ପ୍ରଦର୍ଶନ ମୁତାବକ ସେମାନଙ୍କୁ କିଛି ଟଙ୍କା ପ୍ରଦାନ କରାଯାଇଥାଏ । ଯେପରି ଗାଁର ଜଣେ ମହିଳାଙ୍କ ସୁସ୍ଥ ପ୍ରସବ କରାଇଲେ ତାଙ୍କୁ ୩୫୦ ଟଙ୍କା ଲେଖାଏଁ ମିଳିଥାଏ ।

ଆଶାକର୍ମୀଙ୍କ ପାଇଁ ପ୍ରେରଣା

ତେଣୁ ଏହି ଟଙ୍କା କେବେ ହେଲେ ଜଣଙ୍କ ମନରେ ସେବାର ମନୋବୃତ୍ତି ଜାଗ୍ରତ କରି ପାରିବ ନାହିଁ । ସେଥିପାଇଁ ଆନ୍ତରିକତା, ସଦିଚ୍ଛା ଓ ଧୈର୍ଯ୍ୟ ରହିବା ଆବଶ୍ୟକ, ଯାହା ପଙ୍କଜିନୀ କରି ଦେଖାଇ ପାରିଛନ୍ତି । ନିଜ କର୍ତ୍ତବ୍ୟଠାରୁ ସେ ବହୁତ କିଛି ଅଧିକ କରି ପାରିଛନ୍ତି । ଭଞ୍ଜଚୁରା ଲୋକମାନଙ୍କ ପାଇଁ ଦେବୀ ସାଜିବା ସହ ଅନ୍ୟ ଆଶାକର୍ମୀଙ୍କ ପାଇଁ ପ୍ରେରଣାର ଉତ୍ସ । ତେବେ ତାଙ୍କ ହିସାବରେ ଦେଶରେ ସ୍ୱାସ୍ଥ୍ୟସେବା ବହୁଳ ଉନ୍ନତିର ଆବଶ୍ୟକତା ରହିଛି । ଉନ୍ନତ ଭିତ୍ତିଭୂମିର ମଧ୍ୟ ଆବଶ୍ୟକତା ଅଛି । ଖାସ୍ କରି ଓଡିଶା ଭଳି ରାଜ୍ୟରେ. ଯେଉଁଠି ମାତୃ ମୃତ୍ୟୁହାର ୨୫୮ ରହିଛି(ପ୍ରତି ୧୦୦୦ ଜଣରେ) ଯାହାକି ଜାତୀୟ ମାତୃହାର(୨୧୨)ଠୁ ଆଗରେ ।

ଆଧାର - Jyoti Prakash Mohapatra Journalist



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate