ରଶ୍ମୀ ମିଶ୍ରା ‘ବିଦ୍ୟା’ ନାମକ ସଂସ୍ଥା ଆରମ୍ଭ କରିଥିଲେ । ଶିକ୍ଷାରୁ ଅଞ୍ଚିତ ରହିଥିବା ପିଲାଙ୍କ ପାଇଁ ‘ବିଦ୍ୟା’ ଦିଲ୍ଲୀ, ମୁମ୍ବାଇ ଓ ବାଙ୍ଗାଲୋରରେ ଚାଲିଛି କାମ ଦୁଇ ଲକ୍ଷ ବ୍ୟକ୍ତିଙ୍କୁ କରିଛି ଆତ୍ମନିର୍ଭର ।
ରଶ୍ମୀ ମିଶ୍ରା କହନ୍ତି“ମୋତେ ଏକୁଟିଆ ଆରମ୍ଭ କରିବାକୁ ପଡିଥିଲା | ମୁଁ ଜାଣିଥିଲି ଏଥିପାଇଁ ଅର୍ଥ ଯୋଗାଡ କରିବା ବହୁତ ବଡ ସମସ୍ୟା | କିନ୍ତୁ ଏକ ସାମାଜିକ ଉଦ୍ୟମୀ ଭାବେ ଭାରତର ବସ୍ତି ଅଞ୍ଚଳର କାମ କରିବା ଏକ ବଡ କଷ୍ଟକର କାମ।"
୧୯୮୫ରେ ଥରେ ଆଇଆଇଟି କ୍ୟାମ୍ପସର ବାହାର ପଟେ କାଦୁଅରେ ଖେଳୁଥିବା ପାଞ୍ଚଜଣ ଝିଅକୁ ଦେଖିଥିଲେ | ଏଥିରୁ ସେ ଦେଶର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ହୃଦୟଙ୍ଗମ କରିପାରିଥିଲେ | ଭାରତର ଜଣାଶୁଣା ଓ ନାମୀ ଶିକ୍ଷଣ ସଂସ୍ଥାର ଆଖପାଖରେ ରହୁଥିବା ଝିଅମାନଙ୍କୁ ସାଧାରଣ ପାଠ ପଢିବାର ମଧ୍ୟ ଅବସର ନଥିଲା । ରଶ୍ମୀ ସେହି ସମୟରେ ଏଭଳି କିଛି କାମ କରିବାକୁ ନିଷ୍ପତି ନେଲେ, ଯେଉଁଥିରେ ଏଭଳି ପିଲାମାନେ ଉପକୃତ ହୋଇପାରିବେ । ସେହି ଦିନର ନିଷ୍ପତି ଆଜି ସଫଳ ରୂପାୟନ କରିପାରିଛନ୍ତି ସେ । ଦିଲ୍ଲୀ, ମୁମ୍ବାଇ ଓ ବାଙ୍ଗାଲୋରର ବିଭିନ୍ନ ବସ୍ତି ପିଲାମାନଙ୍କୁ ସେ ପଢାଇବା ପାଇଁ ବ୍ୟବସ୍ଥା କରିଛନ୍ତି ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜରୁ ସ୍ନାତକ କରିଥିବା ରଶ୍ମୀ ‘ବିଦ୍ୟା’ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଗଢି ପିଲା, ଯୁବକ ଓ ବୟସ୍କର ବିକାଶ ଦିଗରେ କାମ କରିଆସୁଛନ୍ତି ।
ପାଞ୍ଚଟି ପିଲାଙ୍କୁ ନେଇ ନିଜ ଘରୁ ଶିକ୍ଷାଦାନ ଆରମ୍ଭ କରିଥିବା ରଶ୍ମୀ ପରେ କିଛି ସ୍ୱେଚ୍ଛାସେବୀଙ୍କ ସହାୟତାର ସ୍ଥାନୀୟ ବସ୍ତିପିଲାଙ୍କୁ ନେଇ ଅନୌପଚାରିକ କ୍ଲାସ୍ ଆରମ୍ଭ କରିଥିଲେ । ପରେ ୨୦୧୦ରେ ‘ବିଦ୍ୟା’ର ପ୍ରଥମ ସ୍କୁଲ ଖୋଲିଲା । ଦିଲ୍ଲୀ ପାଖ ଗୁଡଗାଓଁରେ ୫ ଏକର ଜମିରେ ହୋଇଥିବା ଏହି ସ୍କୁଲରେ ୧୦୦୦ ଶିକ୍ଷାର୍ଥୀ ପଢିବା ପାଇଁ ବ୍ୟବସ୍ଥା ରହିଛି । ଏଠାରେ ଅଳ୍ପଖର୍ଚରେ ଗରିବ ପିଲାମାନଙ୍କୁ ପଢାଯାଉଛି ।
୨୮ ବର୍ଷ ହେଲା ‘ବିଦ୍ୟା’ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଗରିବ ପିଲାମାନଙ୍କୁ ଶିକ୍ଷିତ ଓ ସମର୍ଥ କରିବାରେ ତା’ର ପ୍ରୟାସ ଜାରି ରଖିଛି । ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଶିକ୍ଷା ସହ ସମ୍ବନ୍ଧିତ ହୋଇଥାଏ, କିନ୍ତୁ କେବଳ ଶିକ୍ଷାରେ ସୀମିତ ନଥାଏ । ପିଲାମାନଙ୍କୁ ଭବିଷ୍ୟତରେ ସେମାନଙ୍କର କ୍ୟାରିୟର ବାଛିବା ଲାଗି ଏହା ଅବସର ପ୍ରଦାନ କରିଥାଏ । ‘ବିଦ୍ୟା’ ଇଂରେଜୀ ଓ କମ୍ପ୍ୟୁଟର ବିଷୟରେ ସାକ୍ଷରତା କାର୍ଯ୍ୟକ୍ରମ ଏବଂ ଦକ୍ଷତା-ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳାଇଛି । ମହିଳା ସ୍ୱାସ୍ଥ୍ୟ, ମହିଳା ଅଧିକାର, ପରିବେଶ ଆଦି ବିଷୟ ସହ ସଂଯୁକ୍ତ ଉପରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱ ଦିଆଯାଇଥାଏ । ବୟସ୍କମାନଙ୍କୁ ସାକ୍ଷରତା କାମ ମଧ୍ୟ ଏଠାରେ ଚାଲିଛି । ଯୁବା-ପ୍ରବନ୍ଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ଅଧାରୁ ପାଠ ଛାଡିଥିବା ଯୁବକମାନଙ୍କ ପାଇଁ କମ୍ପ୍ୟୁଟର ସାକ୍ଷରତା, ଲାଇଫ୍ ସ୍କିଲ ଆଦି ବିଷୟ ଉପରେ ବିଶେଷ କ୍ଲାସ କରାଯାଏ । ଅଷ୍ଟମ, ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବାକୁ ଚାହୁଁଥିବା ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସ୍ କରାଯାଏ ।
ମହିଳାମାନଙ୍କର ଆତ୍ମବିଶ୍ୱାସ ବଢାଇବାରେ ‘ବିଦ୍ୟା’ ସେମାନଙ୍କୁ ସହଯୋଗ କରୁଛି । ସେମାନଙ୍କୁ ସ୍କିଲ ଡେଭଲପମେଂଟ୍, କ୍ଷୁଦ୍ର ଋଣ ବ୍ୟବସ୍ଥା କରି ସେମାନଙ୍କୁ ଆତ୍ମନିର୍ଭର କରିବା ଲାଗି ପ୍ରୟାସ କରୁଛି । ଅନେକ ସ୍ୱେଚ୍ଛାସେବୀ ସଂସ୍ଥାଗୁଡିକୁ ସେମାନଙ୍କ ଅଂଚଳର ହସ୍ତଶିଳ୍ପ ତିଆରି କରିବା ଲାଗି ପ୍ରଶିକ୍ଷଣ ଦେଉଛି ଓ ସେମାନେ ଶିଖିବା ପରେ ପ୍ରସ୍ତୁତ କରୁଥିବା ସାମଗ୍ରୀ ବିକିବା ଲାଗି ବ୍ୟବସ୍ଥା କରୁଛି । ମୁମ୍ବାଇରେ କ୍ୟାଣ୍ଟିନ୍ ମାଧ୍ୟମରେ କ୍ଷୁଦ୍ର ଓ ସଂଗଠିତ ନିଗମର କର୍ମଚାରୀମାନଙ୍କୁ ଭୋଜନର ବନ୍ଦୋବସ୍ତ କରାଯାଇଛି ।
ରଶ୍ମୀ ଅନୁଭବ କଲେ ଯେ ପିଲାଙ୍କର ତ ପଢାଲେଖା ପାଇଁ ଆଗ୍ରହ ରହିଛି, କିନ୍ତୁ ସେମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳୁନାହିଁ । ସେ ଅଷ୍ଟ୍ରେଲିଆ ଦୂତାବାସରେ ଭଲ ଚାକିରି ଛାଡି ବିଦ୍ୟା ଦାନକୁ ନିଜର ଲକ୍ଷ୍ୟ ବୋଲି ବାଛି ନେଇଥିଲେ ଓ ‘ବିଦ୍ୟା’ ଆରମ୍ଭ କରିଥିଲେ । ସେ ବସ୍ତି ଅଂଚଳ ବୁଲି ଦେଖିଲେ ଓ ସେଠାରେ ଥିବା ପିଲାମାନଙ୍କୁ ନିଜର ପରିଯୋନାରେ ସାମିଲ କଲେ । ଏହାପରେ ସେ ଏଥିପାଇଁ ଭଲ୍ୟୁଂଟରଙ୍କୁ ଯୋଗାଡ କରିବାରେ ସଫଳ ହେଲେ । ବର୍ତ୍ତମାନ ତାଙ୍କ ସଂସ୍ଥାରେ ୩୫୦ କର୍ମଚାରୀ ଓ ୫୦୦୦ରୁ ଅଧିକ ସ୍ୱେଚ୍ଛାସେବୀ ଅଛନ୍ତି ।
ଏଥିପାଇଁ ଅର୍ଥ ଯୋଗାଡ କରିବା ଥିଲା ତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ । ସେ କହନ୍ତି, ପ୍ରଥମେ ମୁଁ ଯେତେବେଳେ ପିଲାଙ୍କ ପାଇଁ ଅର୍ଥ ମାଗିବାକୁ ଯାଉଥିଲି, କେହି ମନା କରିଦେଲେ ଭାରି ଖରାପ ଲାଗେ । ସେତେବେଳେ ସେ ମଦର ଟେରେସାଙ୍କ କଥା ମନେ ପକାଇଲେ । ସେ ଥରେ ଜଣେ ବଡ ବ୍ୟବସାୟୀଙ୍କୁ ନିଜ ସେବା କାର୍ଯ୍ୟ ଅର୍ଥ ମାଗିବାକୁ ଯାଇଥିଲେ । ତାଙ୍କୁ ପ୍ରାୟ ଘଂଟାଏ ଅପେକ୍ଷା କରିବାକୁ ପଡିଲା । ତାପରେ ମାଲିକ ଆସି ତାଙ୍କ ଉପରକୁ ଛେପ ପକାଇ ବିଦା କରାଇବାକୁ ଉଦ୍ୟମ କଲେ । ମଦର ଟେରେସା କହିଥିଲେ – ଛେପଟା ତ ମୋ ପାଇଁ ଥିଲା, ଆଉ ମୋ ପିଲାଙ୍କ ପାଇଁ ତ କିଛି ଦିଅ । ରଶ୍ମୀ ଏଥିରୁ ବହୁତ ପ୍ରଭାବିତ ହୋଇଛନ୍ତି ।
‘ବିଦ୍ୟା’ର ସହାୟତାରେ ଜୀବନରେ ସଫଳତା ପାଇଥିବା ଲୋକଙ୍କ କଥା କହିଲା ବେଳେ ସେ ନିଜକୁ ଗୌରବାନ୍ୱିତ ମନେ କରନ୍ତି । ଏହାର ସବୁ ଶ୍ରେୟ ନିଜ ଟିମ୍ ଓ ଭଲ୍ୟୁଣ୍ଟିଅର୍ ମାନଙ୍କୁ ଦେଇଥାନ୍ତି । ଏଥିରୁ ଜଣାପଡେ, ସେ ତାଙ୍କ କାମ ସହ କେତେ ଜଡିତ ।
ନୀଲମଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ତାଙ୍କ ଉପରେ ତିନି ପିଲାଙ୍କ ବୋଝ ପଡିଲା । ‘ବିଦ୍ୟା’ ସହାୟତାରେ ସେ ମୌଳିକ ଶିକ୍ଷା ଗ୍ରହଣ କଲେ ଓ ଶିଳ୍ପକଳା ଶିଖିଲେ । ୩୦୦୦ ଟଙ୍କାର ଋଣ ନେଇ ସେ ନିଜର ଶିଳ୍ପକଳା ବ୍ୟବସାୟ ଆରମ୍ଭ କଲେ । ତାଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷିତ କରାଇଲେ । ଏବେ ନୀଲମଙ୍କ ସଂସ୍ଥାରେ ୩୦୦ ଝିଅ କାମ କରୁଛନ୍ତି । ଯେ ନିଜେ ବେସାହାରା ଥିଲେ, ‘ବିଦ୍ୟା’ର ସହାୟତାରେ ସେ ଏବେ ଅନ୍ୟମାନଙ୍କୁ ରୋଜଗାର ଦେଇପାରୁଛନ୍ତି ।
କିଛି ବର୍ଷ ପୂର୍ବେ ହିମାଚଳ ପ୍ରଦେଶର କିନୌର ଜିଲ୍ଲାର ଜଣେ ପିଲା ଘର ଛାଡି ତାଙ୍କ ପାଖକୁ ଆସିଥିଲା । ରଶ୍ମୀଙ୍କୁ ଭେଟି ସେ କିହଲା, “ତମେ ମୋତେ ଇଂଜିନିୟର୍ କରିପାରିବ ? ମୁଁ ପଞ୍ଚମ ପାସ୍ କରିଛି । ” ରଶ୍ମୀ ସେ ଦିନର କଥାକୁ ମନେ ପକାଇ କୁହନ୍ତି, ବିଗତ ଦିନର ସେହି ପିଲା ଭଦ୍ରସେନ୍ ନେଗି ଆଜି ଜଣେ ସଫଳ ଇଂଜିନିୟର ଭାବେ ଲସ୍ ଏଂଜେଲସରେ ଚାକିରି କରୁଛନ୍ତି । ‘ବିଦ୍ୟା’ର ସହାୟତାରେ ଅଭିଭୂତ ଭଦ୍ରସେନ୍ ଏବେ ବି ଏହି ସଂସ୍ଥାକୁ ସାହାଯ୍ୟର ହାତ ବଢାଇ କିନୌର ଜିଲ୍ଲାରେ ପିଲାଙ୍କ ଶିକ୍ଷା ପାଇଁ କାମ କରୁଛନ୍ତି ।
ଏମିତି ‘ବିଦ୍ୟା’ର ସହାୟତାରେ ଜୀବନରେ ପରିବର୍ତ୍ତନ ଆଣିଥିବା ଆଉ ଜଣେ ବ୍ୟକ୍ତି ହେଉଛନ୍ତି ବତ୍ସଳା । ଏମିତି ଏକ ସମୟ ଥିଲା ସେ ଦଶ ଜଣଙ୍କ ଘରେ ବାସନ ମାଜି ଜୀବନ ନିର୍ବାହ କରୁଥିଲେ । ‘ବିଦ୍ୟା’ର ବାଙ୍ଗାଲୋର କେନ୍ଦ୍ରରେ ସେ ଇଂରେଜୀ ଶିକ୍ଷା କରି ସେ ଏବେ ଗୋଟିଏ ହସ୍ପିଟାଲରେ ରେସପନିଷ୍ଟ ଅଛନ୍ତି । ଆଉ ଜଣେ ଝିଅ ହେଉଛନ୍ତି ମମତା । ପୋଲିସ୍ ଗ୍ରସ୍ତ ଥିବାରୁ ବସ୍ତି ଲୋକମାନେ ତାଙ୍କୁ ହେୟ ଚକ୍ଷୁରେ ଦେଖୁଥିଲେ । କିନ୍ତୁ ‘ବିଦ୍ୟା’ର ସହାୟତାରେ ସେ ପଢାଲେଖା ଶିଖିବା ସହ କମ୍ପ୍ୟୁଟର ଚଳାଇବା ଜାଣିଲେ । ଏବେ ସେ ନିଜର ସାଇବର କାଫେ ଖୋଲି ଆତ୍ମନିର୍ଭର ହୋଇ ପାରିଛନ୍ତି ।
ଏଇତ ଥିଲା କେତେକ ଉଦାହରଣ । ଏମିତି ଦୁଇଲକ୍ଷରୁ ଅଧିକ ପିଲା, ଯୁବକ ଓ ମହିଳା ‘ବିଦ୍ୟା’ର ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହୋଇଛନ୍ତି ବୋଲି କୁହନ୍ତି ରଶ୍ମୀ । ଏହି କାମରେ ତାଙ୍କୁ ବେଶ୍ ଆନନ୍ଦ ମିଳୁଛି ଓ ଏହାକୁ ଆଗକୁ ଆହୁରି ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେ ।
ଆଧାର – Akhand social worker, freelance journalist
Last Modified : 1/26/2020