অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସିଲାଇଶିଳ୍ପ ଦ୍ଵାରା ନିଶ୍ଚିତ ହେଲା ଚିକନକାରୀ ଶିଳ୍ପୀଙ୍କ ପ୍ରାପ୍ୟ

ଉପକ୍ରମ

ଚିକନକାରୀ ଏମ୍ବ୍ରିଓଡୋରୀ କଳାର ଏକ ଅଂଶ ବିଶେଷ। ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ପତ୍ନୀ ମହାରାଣୀ ନୁର୍ ଜାହାନ ଏହାକୁ ଆରମ୍ଭ କରିଥିବାର ବିଶ୍ଵାସ କରାଯାଏ। ଏମ୍ବ୍ରିଓଡୋରୀ କଳାର ଏହି ଜଟିଳ ବିଭାଗ କେବଳ ଭାରତ ନୁହେଁ ସାରା ବିଶ୍ଵରେ ବେଶ ଆଦୃତ। ଅନ୍ୟ ପାରମ୍ଫରିକ ଲୋକଶିଳ୍ପୀଙ୍କ ଭଳି ଚିକନକାରୀ ଶିଳ୍ପୀମାନେ ବି ଏକ ସଂଘର୍ଷମୟ ଜୀବନ ବିତାଇଥାନ୍ତି। ଏମାନଙ୍କ କଳାର ବିକ୍ରୀରେ ମଧ୍ୟସ୍ଥି ଦଲାଲମାନେ ସାରା ଲାଭ ଉଠାଇ ନେଇଥାନ୍ତି। ଥ୍ରେଡ୍ କ୍ରାଫ୍ଟ ଇଣ୍ଡିଆରେ ଏହା ହିଁ ସମ୍ବୋଧନ କରିଥିଲେ ମୋହିତ ବର୍ମା। ଶିଳ୍ପୀମାନେ ତାଙ୍କ ସଠିକ ପ୍ରାପ୍ୟ ପାଇବା ପାଇଁ ସେମାନଙ୍କ ସହ ସିଧାସଳଖ ଭାବେ ମୋହିତଙ୍କ ସଂସ୍ଥା କାମ କରିବା ସହ ପୁରୁଣା ପାରମ୍ପରିକ ଚିକନକାରୀ ଶିଳ୍ପକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରୁଛି।

ପ୍ରାରମ୍ଭିକ ଦିନର ଅଭିଜ୍ଞତା

ନୱାବଙ୍କ ସହର ଲକ୍ଷ୍ନୌର ଏକ ମଧ୍ୟବିତ୍ତ ବ୍ୟବସାୟୀ ପରିବାରରେ ମୋହିତଙ୍କ ଜନ୍ମ। ନିଜ ପିଲାଦିନରୁ ହିଁ ବ୍ୟବସାୟରେ ନିଜର ପାରଦର୍ଶିତା ଦେଖାଇ ପାରିଥିଲେ ମୋହିତ। ତାଙ୍କର ଜେଜେବାପା ଜଣେ ବଣିଆ ଥିଲେ ଏବଂ ସେ ସେଥିରେ ଏକ ଡିଗ୍ରୀ ମଧ୍ୟ ହାସଲ କରିଥିଲେ। ତେବେ ନିଜର କାମ ଏବଂ ଡିଗ୍ରୀକୁ ନେଇ ସେ ତେବେ ଗର୍ବ ଅନୁଭବ କରୁନଥିଲେ। ସେହିଭଳି ସେ ନିଜ ପରିବାରର ଏବଂ ପଡିଶା ମହିଳାମାନେ ଯେଉଁମାନେ ଚିକନକାରୀ ଶିଳ୍ପରେ କାମ କରୁଥିଲେ ସେମାନେ ଅତି କମ୍ ଗର୍ବ ଅନୁଭବ କରୁଥିଲେ। ସେ ମହିଳାମାନେ ହୁଅନ୍ତୁ ବା ତାର ଜେଜେବାପା, ସେମାନଙ୍କ ମତରେ ଯେଉଁ କାମ ପାଇଁ ବହୁ କମ୍ ରୋଜଗାର ମିଳିଥାଏ ତା ପାଇଁ ସମାଜରେ କୌଣସି ମର୍ଯ୍ୟାଦା ବା ମୂଲ୍ୟ ନଥାଏ। ଏହା ମୋହିତଙ୍କୁ ବିଚଳିତ କରିଥାଲା ଏବଂ ସେ ଏହି ଶିଳ୍ପୀମାନଙ୍କର ଉନ୍ନତି ପାଇଁ କିଛି କରିବାକୁ ଚିନ୍ତା କଲେ ଯାହା ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ଏବଂ ସମ୍ମାନ ଦେଇପାରିବ।

ମୋହିତଙ୍କ ପିଲାଦିନ ଏବଂ ଯୁବାବସ୍ଥା ପରୀକ୍ଷାନିରୀକ୍ଷା ଦେଇ ଗତିଶୀଳ ଥିଲା। ସ୍କୁଲରେ ପଛୁଆ ରହୁଥିଲେ ହେଲେ ବକ୍ସିଂ ଏବଂ ଜୁଡ଼ୋରେ ସେ ଆଗ୍ରହୀ ଥିଲେ। ଜୁଡ଼ୋରେ ସେ ସ୍ଵର୍ଣ୍ଣ ପଦକ ବିଜେତା ଥିଲେ। ତେବେ ସେନାରେ ଯୋଗଦେବାର ଆଗ୍ରହ ତାଙ୍କୁ ଖେଳରେ ଆହୁରି ଭଲ ଖେଳିବା ପାଇଁ ପ୍ରୋତ୍ସାହିତ କରିଥିଲା। ବିଜ୍ଞାନରେ ନିଜର ଉଚ୍ଚମାଧ୍ୟମିକ ସାରିବା ପରେ ଏନଡିଏରେ ଯୋଗଦେବାକୁ ସ୍ଥିର କଲେ ମୋହିତ। ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ନିଜର ଏକବର୍ଷ ସେ ନଷ୍ଟ କରିଥିଲେ। ତେବେ ନା ତାଙ୍କର ସେନାରେ ଯୋଗ ଦେବା ନା ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାର ସ୍ଵପ୍ନ ପୁରଣ ହେଲା। ମୋହିତ କିନ୍ତୁ ଏଥିରେ ଭାଙ୍ଗି ପଡ଼ିନଥିଲେ। ସମାଜ ପାଇଁ କିଛି ଭଲ କରିବାର ନିଶା ତାଙ୍କ ମନରେ ଦିନକୁ ଦିନ ଆହୁରି ଦୃଢ଼ୀଭୁତ ହୋଇଥିଲା। ବାଣିଜ୍ୟରେ ସ୍ନାତକ ହାସଲ ପରେ ସେ ଆଇବିଏମରେ ଚାକିରୀ ପାଆନ୍ତି। ଚାକିରୀରୁ ସେ ବହୁ ଅର୍ଥ ରୋଜଗାର କରି ଘରକୁ ଆଣୁଥିଲେ, ହେଲେ ନିଜେ କିଛି ଅଲଗା କରିବାର ସ୍ଵପ୍ନରୁ ସେ ଦୂରେଇ ଯାଇନଥିଲେ। ଯାହା ହେଉନା କାହିଁକି, ନିଜେ କିଛି କରିବାର ନିଷ୍ଠା ମୁଣ୍ଡରେ ପଶି ରହିଥିଲା ଏବଂ ସତ୍ ଉପାୟରେ ବହୁ ଅର୍ଥ ରୋଜଗାର କରିବାର ନିଶା ତାଙ୍କୁ ଘାରିଥିଲା ବୋଲି ମୋହିତ କୁହନ୍ତି। ତିନିବର୍ଷ ଚାକିରୀ କରିବା ପରେ ଆଇଏମଟି ଗାଜିଆବାଦରୁ ଏମବିଏ କରିବା ପାଇଁ ସେ ନିଜ ଚାକିରୀକୁ ଛାଡ଼ି ଦେଲେ।

ସାମାଜିକ ଉଦ୍ୟୋଗରେ ମନୋନିବେଶ

ଆଇଟିଏମ୍ ଗାଜିଆବାଦରେ ପଢିବା ସମୟରେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ(ଟିସ୍)ରେ ପଢ଼ାଯାଉଥିବା ସୋସିଆଲ୍ ଏଣ୍ଟରପ୍ରେନ୍ୟୁୟରସିପ ପ୍ରୋଗ୍ରାମ ବିଷୟରେ ଜାଣିବାକୁ ପାଇଲେ। ଲୋକମାନଙ୍କ ପାଇଁ ବିଶେଷ ଭାବରେ କଳାକାର, ଶିଳ୍ପୀମାନଙ୍କ ପାଇଁ କିଛି କରିବା ପାଇଁ ତାଙ୍କର ଆକାଂକ୍ଷା ତାଙ୍କୁ ଟିସରେ ସୋସିଆଲ୍ ଏଣ୍ଟରପ୍ରେନ୍ୟୁଅରସିପରେ ପଢ଼ିବା ପାଇଁ ରାସ୍ତା ଦେଖାଇଲା।  ଟିସର ପ୍ଲାଟିନମ୍ ଜୁବଲିରେ ପ୍ରଥମଥର ପାଇଁ ଥ୍ରେଡ୍ କ୍ରାଫ୍ଟ ଇଣ୍ଡିଆର ପରୀକ୍ଷଣ କରାଗଲା। ଇନଷ୍ଟିଚ୍ୟୁଟରୁ ବିଧିବଦ୍ଧ ଭାବେ ଅନୁମତି ଆଣି ମୋହିତ ଚିକନକାରୀ ସାମଗ୍ରୀ ବିକ୍ରୀ କରିବା ପାଇଁ ଷ୍ଟଲ୍ ଖୋଲିଲେ। ବିକ୍ରୀ ହୋଇଥିବା ସାମଗ୍ରୀଗୁଡ଼ିକ ତାଙ୍କ ଦ୍ବାରା ପ୍ରସ୍ତୁତ କରାଯାଇନଥିଲା, ତଥାପି ସେ ଆଖିଦୃଶିଆ ଲାଭ ପାଇବାରେ ସକ୍ଷମ ହେଲେ। ଏହା ତାଙ୍କୁ ନିଜର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ମନୋବଳ ଯୋଗାଇଲା। ପରେ ସେ ନିଜର ସଂସ୍ଥା ଖୋଲିଲେ ଯାହା ଆଜି ଥ୍ରେଡ୍ କ୍ରାଫ୍ଟ ଇଣ୍ଡିଆ ନାଁରେ ଜଣାଶୁଣା।

ଲକ୍ଷ୍ନୌରେ ତାଙ୍କର କଂପାନୀର ଏକ ସେଣ୍ଟର ରହିଛି। ସେଠାରେ 25ରୁ ଉର୍ଦ୍ଧ୍ଵ ମହିଳା ସିଲାଇ ଶିଳ୍ପରେ ନିୟୋଜିତ ହୋଇଛନ୍ତି ଏବଂ ସେମାନଙ୍କ କାମ ତଦାରଖ ପାଇଁ ଜଣେ ପରିଚାଳକ ରହିଛନ୍ତି। ସେହି ଶିଳ୍ପୀମାନଙ୍କ ପାଇଁ ଉଭୟ ଘରେ ଏବଂ ସେଣ୍ଟରରେ ଆସି କାମ କରିବାର ସୁଯୋଗ ରହିଛି। ଥ୍ରେଡ୍ କ୍ରାଫ୍ଟ, ଶିଳ୍ପୀ ଏବଂ କ୍ରେତାମାନଙ୍କ ମଧ୍ୟରେ ଯୋଗସୁତ୍ରର ଏକ ମାଧ୍ୟମ। ଯୋଗାଣ ପାଇଁ ନିର୍ଦ୍ଦେଶ ପାଇବା ପରେ ଆବଶ୍ୟକ ମାନର ସୁତା କିଣାଯାଇଥାଏ। ଏହାକୁ ପରେ ଶୁଖାଯାଇ ଛାଞ୍ଚ ଅନୁସାରେ ଦାଗ ଦିଆଯାଇ ଶିଳ୍ପୀମାନଙ୍କୁ ଦିଆଯାଏ। ପ୍ରସ୍ତୁତ ହୋଇସାରିବା ପରେ ତାକୁ ଧୋଇବାକୁ ଦିଆଯାଏ। ଶେଷରେ ପ୍ରସ୍ତୁତ ସାମଗ୍ରୀକୁ ପ୍ୟାକ କରାଯାଇ ଗ୍ରାହକ ପାଖକୁ ପଠାଇ ଦିଆଯାଏ।

ଶିଳ୍ପୀମାନଙ୍କୁ ପ୍ରତିଦିନ ଧାର୍ଯ୍ୟ ଦରରେ ପାଉଣା ଦିଆଯାଇଥାଏ। ଆରମ୍ଭ ହେବାର ପ୍ରଥମ ପାଞ୍ଚମାସରେ ସଂସ୍ଥା ନିଜ ରୋଜଗାରକୁ ଦୁଇଗୁଣ କରିପାରିଛି। କାମର ଜଟିଳତାକୁ ଦେଖି ନିୟମିତ ବ୍ୟବଧାନରେ ଶିଳ୍ପୀମାନଙ୍କ ପାଇଁ ମାଗଣା ଆଖି ପରୀକ୍ଷା କ୍ୟାମ୍ପ ଆୟୋଜନ କରାଯାଏ। ଆବଶ୍ୟକତା ସ୍ଥଳେ ସେମାନଙ୍କୁ ଚଷମା ଯୋଗାଇଦିଆଯାଏ। ଥ୍ରେଡ୍ କ୍ରାଫ୍ଟର ଏହି ଯାତ୍ରାରେ DBS ବ୍ୟାଙ୍କ ସହାୟତା ଯୋଗାଇ ଆସୁଛି।

ଗତ ତିନିବର୍ଷ ମଧ୍ୟରେ ସମାଜ ପ୍ରତି ପ୍ରତିବଦ୍ଧ 30ଟି ସଂସ୍ଥା ଯାହାକୁ DBS ବ୍ୟାଙ୍କ ନିଜର ସହାୟତା ଯୋଗାଇ ଆସୁଛି ତା ମଧ୍ୟରେ ଥ୍ରେଡ୍ କ୍ରାଫ୍ଟ ଅନ୍ୟତମ। DBS ବ୍ୟାଙ୍କର ନିଜର ଔଦ୍ୟୋଗିକ ସାମାଜିକ ଦାୟିତ୍ଵ ଯୋଜନା ମାଧ୍ୟମରେ ଏସିଆର ବିଭିନ୍ନ ପ୍ରାନ୍ତରେ ଏହି ସହାୟତା ଯୋଗାଇ ଆସୁଛି। ଭାରତରେ DBS ବ୍ୟାଙ୍କ ଟିସ୍ ସହ ସହଯୋଗିତା କରିଛି ଏବଂ DBS-TISS ସାମାଜିକ ଔଦ୍ୟୋଗିକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଠାରେ ସେମାନେ କେବଳ ଆର୍ଥିକ ସହାୟତା ପ୍ରଦାନ କରନ୍ତିନି ବରଂ ସଂସ୍ଥାମାନଙ୍କ ପାଇଁ ଉପଦେଷ୍ଠା ଭାବରେ କାମ କରନ୍ତି। କୌଣସି ସଂସ୍ଥାର ଆରମ୍ଭ ପାଇଁ ଅର୍ଥ ଏକ ମୁଖ୍ୟ ସମସ୍ୟା ବୋଲି ମୋହିତ କୁହନ୍ତି। ତେବେ DBS ବ୍ୟାଙ୍କର ସହାୟତାରେ ସେମାନେ ନିଜକୁ ଠିଆ କରାଇବାରେ ସକ୍ଷମ ହୋଇପାରିଛନ୍ତି।

ବର୍ତ୍ତମାନ ଥ୍ରେଡ୍ କ୍ରାଫ୍ଟ ଇଣ୍ଡିଆର ଗ୍ରାହକମାନେ ଦୁଇଟି ବର୍ଗରେ ରହିଛନ୍ତି- ସୌଖିନ ଲୁଗାପଟା ବିକ୍ରୀ କରୁଥିବା ବୁଟିକ୍ ଏବଂ ରପ୍ତାନୀକାରୀ। ମୁମ୍ବାଇର କିଛି ବୁଟିକ୍ ଏବଂ ଏକ ରପ୍ତାନୀ ସଂସ୍ଥା ସହ ଏହାର ମିଳିତ ସହଭାଗିତା ରହିଛି। ବୁଟିକମାନଙ୍କ ଦ୍ଵାରା ଗ୍ରାହକମାନଙ୍କ ଠାରୁ ମିଳିଥିବା ନିର୍ଦ୍ଦେଶ କ୍ରମେ ଶିଳ୍ପୀମାନେ ସେମାନଙ୍କ ସେଣ୍ଟରରେ କାମ କରିଥାନ୍ତି। ରପ୍ତାନୀକାରୀ ମାନଙ୍କ ଦ୍ଵାରା ନିଆଯାଇଥିବା ନିର୍ଦ୍ଦେଶ ପାଇଁ ବିଶ୍ଵସ୍ତ ଏଜେଣ୍ଟମାନଙ୍କୁ ଦିଆଯାଇଥାଏ, ଯେଉଁମାନେ ଶିଳ୍ପୀମାନଙ୍କୁ ଶୋଷଣ ନକରି ସେମାନଙ୍କ ଠାରୁ କାମ କରାଇଥାନ୍ତି। ଏଭଳି ସଂସ୍ଥାମାନଙ୍କୁ ଉଭୟ ଆର୍ଥିକ ସ୍ତରରେ ଏବଂ ଉପଦେଷ୍ଠା ଭାବରେ DBS ବ୍ୟାଙ୍କ ତାର ସହାୟତା ଦେଇଥାଏ। ବ୍ୟାଙ୍କ ମଧ୍ୟ ସେମାନଙ୍କ ପରାମର୍ଶଦାତା ରହିଛି ଏବଂ ନିୟମିତ ବ୍ୟବଧାନରେ ଆଲୋଚନା କରି ସହାୟତା ଦେବା ସହ ସେମାନଙ୍କ ଅସୁବିଧା ଉପରେ କାମ କରୁଛି।

ବର୍ତ୍ତମାନର ଚ୍ୟାଲେଞ୍ଜ ଏବଂ ଭବିଷ୍ୟତ ଯୋଜନା

ଥ୍ରେଡ୍ କ୍ରାଫ୍ଟ ଇଣ୍ତିଆ ଉଭୟ ଶିଳ୍ପୀ ଏବଂ ବ୍ୟବସାୟୀଙ୍କ ଲାଭକୁ ଦେଖି ଚାଲୁଥିବା ସଂସ୍ଥା ହୋଇଥିବାରୁ ଏହାକୁ ବହୁ ବାଧାର ସମ୍ମୁଖୀନ ହେହାକୁ ପଡ଼ିଥାଏ। ଏଭଳି ସାମଗ୍ରୀର ଦର ଅଧିକା ଥିବା ସତ୍ତ୍ୱେ ବୁଟିକ୍ ଏବଂ ଏକ୍ସପୋର୍ଟ ହାଉସ ଉପରେ ନିର୍ଭରଶୀଳ ଥିବାରୁ ଅର୍ଥ ଏକ ମୁଖ୍ୟ ପ୍ରସଙ୍ଗ। ସେହିଭଳି ଭଳ ଶିଳ୍ପୀ ମିଳିବା ବି ଏକ ମୁଖ୍ୟ ପ୍ରସଙ୍ଗ, ଯେଉଁମାନଙ୍କ ସଂଖ୍ୟା ଖୁବ୍ କମ୍। ଏହି ଶିଳ୍ପ ଏଭଳି ସ୍ତରରେ ପହଞ୍ଚିଛି ଯେ, ଏଥିରେ ବ୍ୟାପକ ପରିବର୍ତ୍ତନ ଆଶାକରିବା ବୃଥା। ତେବେ ଧିରେ ଧିରେ କିଛି ବଦଳିପାରେ ବୋଲି ମୋହିତ କୁହନ୍ତି।

ଆହ୍ଵାନକୁ ଜୀବନର ଏକ ଅଂଶ ବିଶେଷ ଏବଂ ଏକ ଉପହାର ବୋଲି ମୋହିତ ଭାବନ୍ତି। ଏବଂ ସଂସ୍ଥାକୁ ଏକ ସ୍ବୟଂ ସହାୟକ ଗୋଷ୍ଠୀରେ ପରିଣତ କରିବାର ଯୋଜନା ରଖିଛନ୍ତି। ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ସହାୟତା କରୁଥିବା ଏନଜିଓମାନଙ୍କ ସହ ଯୋଗଯୋଗରେ ରହିଛନ୍ତି ମୋହିତ। କଷ୍ଟରେ ତିଆରି କରୁଥିବା ଶିଳ୍ପୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେବାରେ ସେ ସହାୟକ ହେବେ ବୋଲି ସେ ଆଶା ରଖନ୍ତି।

Aadhar

Ruchika panigrahi(freelancer journalist)



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate