ଓଡିଶା ଗ୍ରାମ ପଞ୍ଚାୟତ ଆଇନ୍ ଧାରା ୫ ଅନୁସାରେ ଗୋଟିଏ ପଞ୍ଚାୟତ ଅଧୀନରେ ଥିବା ସମସ୍ତ ଗ୍ରାମର ଉଭୟ ପୁରୁଷ ଓ ମହିଳା ଭୋଟଦାତାମାନେ ପୂର୍ବ ନିର୍ଦ୍ଧାଋଟ ସୂଚନା, ସମୟ ଓ ସ୍ଥାନରେ ଉପସ୍ଥିତ ହୋଇ ପଞ୍ଚାୟତର ବିଭିନ୍ନ ବିକାଶ ମୂଳକ କାମ ନିମନ୍ତେ ଆଲୋଚାନା କରିବାକୁ ଗ୍ରାମସଭା କୁହାଯାଏ । ଏହି ଗ୍ରାମସଭାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ଭାବରେ ଯୋଗ ଦେବା ଓ ମତାମତ ପ୍ରକାଶ କରିବାର ସୁଯୋଗ ପ୍ରଦାନ କରାଯାଇଥାଏ । ନିଜ ଗାଁ, ନିଜ ପଞ୍ଚାୟତର ବିକାଶ ପାଇଁ ନିଜେ ବସି ଯୋଜନା ପ୍ରସ୍ତୁତ କରିବାର ଏହା ହେଉଛି ସମ୍ବିଧାନ ସ୍ଵୀକୃତିପ୍ରାପ୍ତ ଲୋକମାନଙ୍କର ସଭା ଗ୍ରାମ ସଭାରେ ସ୍ଥିର ହେଉଥିବା କୌଣସି ବିଷୟକୁ ଆଉ କେହି ପରିବର୍ତ୍ତନ କରିବାର କ୍ଷମାତା ନାହିଁ ।
ତେଣୁ ଗ୍ରାମସଭାର କାର୍ଯ୍ୟ ଓ କ୍ଷମତା ବିଷୟରେ ଆମକୁ ଜାଣିବାକୁ ପଡିବ । ନିଜ ଯୋଜନା ନିଜେ ପ୍ରସ୍ତୁତ କରିବାର ପ୍ରକ୍ରିୟାକୁ ମଜଭୁତ କରିବାକୁ ପଡିବ । ତାହେଲେ ଯାଇଁ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ହେବ ।
ଗ୍ରାମସଭାର ସମୟ
ପ୍ରତିବର୍ଷ ଫ୍ରେବୃୟାରୀ ଓ ଜୁନ ମାସରେ ଗ୍ରାମସଭାର ଦୁଇଟି ବୈଠକ ହୁଏ । ପ୍ରଥମ ବୈଠକରେ ବାର୍ଷିକ କାର୍ଯ୍ୟକ୍ରମର ଚିଠା ପ୍ରସ୍ତୁତ କରାଯାଏ ଓ ପରବର୍ତ୍ତୀ ବୌଠକରେ କାର୍ଯ୍ୟ କେତେଦୂର ଆଗେଇଲା ସେ ସମ୍ପର୍କରେ ବିଚାର ଓ ମୂଲ୍ୟାଙ୍କନ କରାଯାଏ । ଏହା ଛଡା ଜାନୁୟାରୀ ୨୬, ମେ ୧, ଅଗଷ୍ଟ ୧୫ ଓ ଅକ୍ଟୋବର ୨ ତାରିଖ ଦିନ ସାରା ରାଜ୍ୟର ପ୍ରତି ପଞ୍ଚାୟତରେ ଗ୍ରାମସଭାରେ ଗ୍ରାମସଭା ଆୟୋଜନ କରାଯିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏଥି ସହିତ ଆବଶ୍ୟକ ସ୍ଥଳେ ଗ୍ରାମସଭା ମଧ୍ୟ ଆୟଜନ କରାଯାଇପାରିବ ।
ଗ୍ରାମସଭାର ନୋଟିସ
ନିୟମ ୬ (କ) ଅନୁସାରେ ପୂର୍ଣ୍ଣ ୧୫ ଦିନ ଥାଇ ଗ୍ରାମସଭା ପାଇଁ ନୋଟିସ ଦିଆଯାଇଥାଏ । ନିୟମ ୭ (କ) ଅନୁସାରେ ଗ୍ରାମସଭା ପାଇଁ ନୋଟିସର ନକଲ ଗ୍ରାମପଞ୍ଚାୟତ ଅଞ୍ଚଳରେ ସର୍ବସାଦାରଣ ସ୍ଥାନ ଅର୍ଥାତ ବଜାର,ହାତ ଏବଂ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଲଗାଯାଇଥାଏ । ଏହାଛଡା ଡେଙ୍ଗୁରା ମାଧ୍ୟମରେ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଏ ।ଗ୍ରାମସଭାରେ ଲୋକଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବାଲାଗି ପଞ୍ଚାୟତର ସମସ୍ତ ୱାର୍ଡରେ ୨୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଲିଖିତ ନୋଟିସ ଦେବାର ବ୍ୟବସ୍ଥା ରହିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗ୍ରାମ ପଞ୍ଚାୟତ ଅଞ୍ଚାଳରେ ଥିବା ସମସ୍ତ ଶିକ୍ଷା ଅନୁଷ୍ଠାନ, ଅନ୍ୟାନ୍ୟ ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ଅଙ୍ଗନୱାଡି କେନ୍ଦ୍ର,ମହିଳା ସମିତି,ଯୁବକ ସଂଘ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କରେ ପ୍ରମାଣ ସଂଗ୍ରହ କରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ରଖିବା ଦରକାର । କାରଣ ଭବିଷ୍ୟତରେ ଗ୍ରାମସଭା ନୋଟିସ ଦିଆଯାଇନଥିବା ସମ୍ପର୍କରେ ଆପତ୍ତି ଆସିଲେ ଏହିସବୁ ପ୍ରମାଣ ପତ୍ର ଦର୍ଶାଇବାକୁ ହୁଏ । ଉପୋରୋକ୍ତ ପ୍ରଣାଳୀ ବ୍ୟତୀତ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅଛି ଯେ, ସମସ୍ତ ୱାର୍ଡରୁ ଅନ୍ୟୁନ ୨୫ ଜଣ ଲୋକଙ୍କୁ ଗ୍ରାମସଭା ନୋଟିସ୍ ଦିଆଯାଇ ତାର ପ୍ରମାଣ ପତ୍ର ଗ୍ରାମପଞ୍ଚାୟତର କାର୍ଯ୍ୟାଳୟରେ ରଖିବେ ।
ଗ୍ରାମସଭା କୋରମ
ଗ୍ରାମସଭାର ମୋଟ୍ ସଭ୍ୟ ସଂଖ୍ୟାର ଏକ ଦଶମାଂଶ ସଭ୍ୟ ଉପସ୍ଥିତ ହେଲେ ବୈଠକ ଆରମ୍ଭ କରାଯିବ । ଏହାକୁ ଗ୍ରାମ ସଭାର କୋରମ ବୋଲି କୁହାଯାଏ । କୋରମ ଅଭାବରେ ବୈଠକ ସ୍ଥଗିତ ରଖଯିବ ଏବଂ ଉକ୍ତ ବୈଠକ ଅନ୍ୟ ଏକ ଦିଗକୁ ଘୁଞ୍ଚାଇ ଦିଆଯିବ । ସ୍ଥଗିତ ବୈଠକ ପାଇଁ ଅନ୍ୟୁନ ୩ଦିନ ଥାଇ ନୋଟିସ ଦିଆଯାଇପାରିବ । ଏଥିପାଇଁ କୋରମର ଆବଶ୍ୟକତା ନାହିଁ ।
ଗ୍ରାମସଭାର ସଭାପତି
- ସରପଞ୍ଚ ହିଁ ଗ୍ରାମସଭାର ବୈଠକ ଡାକନ୍ତି ଓ ସଭାରେ ସଭାପତିତ୍ଵ କରନ୍ତି ।
- ସରପଞ୍ଚଙ୍କ ଅନୁପସ୍ଥିତିରେ ନାଏବ ସରପଞ୍ଚ ଏବଂ ଉଭୟଙ୍କ ଅନୁପସ୍ଥିତିରେ ଉପସ୍ଥିତ ସଦସ୍ୟମାନଙ୍କ ଦ୍ଵାରା ମନୋନୀତ ବ୍ୟକ୍ତି ଗ୍ରାମସଭା ବୈଠକରେ ସଭାପତିତ୍ଵ କରିପାରିବେ ।
- ବିଶେଷ କ୍ଷେତ୍ରରେ ଜିଲ୍ଲାପାଳ କିମ୍ବା ତାଙ୍କ ଦ୍ଵାରା ଅଧିକାର ପ୍ରାପ୍ତ ଅନ୍ୟ ସରକାର ଅଫିସର ସରପଞ୍ଚଙ୍କ ସହ ପରାମର୍ଶ କରି ଗ୍ରାମସଭାର ସ୍ଵତନ୍ତ୍ର ବୈଠକ ଡକାଇ ପାରନ୍ତି ।
- କୌଣସି ସରକାରୀ କର୍ମଚାରୀ ‘ଗ୍ରାମସଭା’ ର ସଭାପତିତ୍ଵ କରିପାରିବେ ନାହିଁ ।
ପ୍ରତିବର୍ଷ ଫ୍ରେବୃୟାରୀ ଓ ଜୁନ୍ ମାସ ସହ ଜାନୁଆରୀ ୨୬, ମେ’ ୧,ଅଗଷ୍ଟ ୧୫ଓ ଅକ୍ଟୋବର ୨ ତାରିଖ ଦିନ ଗ୍ରାମସଭା ଆୟୋଜିତ ହେବ । ଏଥିସହ ଆବଶ୍ୟକ ସ୍ଥଳେ ଅଧିକ ଗ୍ରାମସଭା ଡକାଯାଇପାରିବ ।
ଗ୍ରାମସଭା ପରିଚାଳନାର ନିୟମ
- ବୈଠକ କାର୍ଯ୍ୟସୂଚୀ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦ୍ଵାରା ପ୍ରସ୍ତୁତ ହେବ ।
- ଗ୍ରାମସଭାର ବୈଠକରେ ଆଲୋଚିତ ପ୍ରସଙ୍ଗଗୁଡିକ ସଂଖ୍ୟାଧିକ ଭୋଟ ଦ୍ଵାରା ସ୍ଥିର କରାଯିବ । ଯଦି ସମାନ ସଂଖକ ଭୋଟ ହୁଏ ତେବେ ବୈଠକର ସଭାପତି ନିର୍ଣ୍ଣାୟକ ଭୋଟ ଦେଇ ପାରିବେ ।
- ଜଣେ ସଦସ୍ୟ ସଭାରେ ଉପସ୍ଥିତ ନରହି ଭୋଟଦେଇ ପାରିବେ ନାହିଁ ।
- ବୈଠକ ବିବରଣୀ ଓ ଆଲୋଚନାର ବିଷୟବସ୍ତୁକୁ ଓଡିଆରେ ଲିପିବଦ୍ଧ କରାଯିବ ।
- ବୈଠକ କାର୍ଯ୍ୟବିବରଣୀକୁ ଗ୍ରାମ ପଞ୍ଚାୟତର ସମ୍ପାଦକ ଲିପିବଦ୍ଧ କରିବେ । ତାଙ୍କ ଅନୁପସ୍ଥିତିରେ ସରପଞ୍ଚ ବୈଠକ ବିବରଣୀ ଠିକ୍ ରୂପେ ଲେଖାଯିବା ପାଇଁ ବ୍ୟବସ୍ଥା କରିବେ ।
- ବୈଠକ କାର୍ଯ୍ୟବିବରଣୀ ଏକ ଖାତାରେ ଲିପିବଦ୍ଧ ହୋଇ ରହିବ ଏବଂ ବୈଠକର ସଭାପତିଙ୍କ ଦ୍ଵାରା ତାହା ସ୍ଵାକ୍ଷରିତ ହେବ । ଉକ୍ତ ଖାତାକୁ ସର୍ବସାଧାରଣ ଚାହିଁଲେ ଦେଖିପାରିବାର ଅଧିକାର ନିୟମ ୧୯ ରେ ଦିଆଯାଇଛି ।
ଗ୍ରାମସଭାର ସଫଳତା ପାଇଁ ସଠିକ ଆଲୋଚନା
- ଅନେକ ସମୟରେ କେବଳ ହିତାଧିକାରୀ ଚୟନ ଉପରେ ଗୁରୁତ୍ଵ ଦେଇ ଆଲୋଚନା କରିବା ଦ୍ଵାରା ଗଣ୍ଡଗୋଳ ସୃଷ୍ଟି ହୁଏ ଏବଂ ଗ୍ରାମସଭା ଅଧାରୁ ବନ୍ଦ ହୋଇଯାଏ ।
- ପଞ୍ଚାୟତ ର ସର୍ବାଙ୍ଗୀନ ବିକାଶ ନିମନ୍ତେ ସମସ୍ତ ବିଷୟରେ ଗ୍ରାମ ସଭାରେ ଆଲୋଚନା ହେବ । ଯଥା – ପଞ୍ଚାୟତର କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବଜାର ବ୍ୟବସ୍ଥା,ନ୍ୟାୟ ବ୍ୟବସ୍ଥା ପ୍ରଭୃତିକୁ ସୁଦୃଢ କରିବା ପାଇଁ ସମସ୍ତ ବିଷୟରେ ଆଲୋଚନା ହେବ ।
- ପଞ୍ଚାୟତ ସମସ୍ତଙ୍କର ଏ ଭାବନା ସମସ୍ତଙ୍କ ମନରେ ଆଣିବାକୁ ପଡିବ ।
- ପଞ୍ଚାୟତରେ ବାସ କରୁଥିବା ଭିନ୍ନ ଭିନ୍ନ ଜାତି, ଶ୍ରେଣୀର ଲୋକ ମାନଙ୍କୁ ପଞ୍ଚାୟତ ସହ ସାମିଲ କରିବାକୁ ପଡିବ ।
- ଅର୍ଥନୈତିକ ଦ୍ରୁଷ୍ଟିକୋଣରୁ ଧନୀ,ଦରିଦ୍ର ଥିବା ସମସ୍ତ ଗ୍ରାମବାସୀଙ୍କୁ ପଞ୍ଚାୟତ ସହ ସାମିଲ କରିବାକୁ ପଡିବ ।
- ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ପାଇଁ ମଧ୍ୟ ଅଲଗା ଯୋଜନା ପ୍ରସ୍ତୁତ କରିବାକୁ ପଡିବ ।
- ଯଥେଷ୍ଟ ପୂର୍ବରୁ ନୋଟିସ ଓ ପଞ୍ଚାୟତବାସୀଙ୍କ ସହଭାଗୀତା ପାଇଁ ସମସ୍ତ ବ୍ୟବସ୍ଥା ପୂର୍ବରୁ କରିପାରିଲେ ଗ୍ରାମବାସୀ ସଫଳ ହେବେ ।
- ଏହି ସବୁ ଆଲୋଚନା ସହ ଗରିବ ଲୋକଙ୍କ ବିକାଶ ପାଇଁ ଯେଉଁ ସବୁ ଦାରିଦ୍ର୍ୟ ଦୂରୀକରଣ ଯୋଜନା କାର୍ଯ୍ୟକାରୀ ହେବାକୁ ଥିବ ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଯିବ ।
- ନୂଆ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇ ତାର ସୁପାରିଶ ପଞ୍ଚାୟତ ସମିତି କିମ୍ବା ଅନ୍ୟାନ୍ୟ ଅନୁଷ୍ଠାନକୁ ପଠାଇବାର କାର୍ଯ୍ୟ ମଧ୍ୟ କରାଯିବ ।
- ପଞ୍ଚାୟତରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିର ସୁବିଧା ସୁଯୋଗକୁ ଆଖିଆଗରେ ରଖୀ ସାମୁହିକ ବିକାଶ ପାଇଁ ସମସ୍ତ ବିଷୟ ଗ୍ରାମସଭାରେ ଆଲୋଚନା କାରାଯିବା ଉପରେ ସରପଞ୍ଚ ଦୃଷ୍ଟି ଦେବେ ।
- ଆଲୋଚନାର ବିଷୟବସ୍ତୁ ପୂର୍ବରୁ ସର୍ବସାଧାରଙ୍କ ଅବଗତି ନିମନ୍ତେ ବହୁଳ ପ୍ରଚାର ପ୍ରସାର ହୋଇଥିବା ବିଧେୟ ।
ଗ୍ରାମସଭାରେ ମହିଳାମାନଙ୍କ ଭାଗୀଦାରୀତା
- ଅନେକ ପଞ୍ଚାୟତରେ ହେଥିବା ଗ୍ରାମସଭାରେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ଭାଗୀଦାରୀତା ଅଧିକ ଥାଏ ପୁଣି ଅନେକ ସ୍ଥାନରେ ମହିଳା ମାନଙ୍କ ସଂଖ୍ୟା ବହୁତ କମ୍ ଥାଏ ।
- ଗ୍ରାମସଭାରେ ଯୋଗ ଦେଇଥିବା ସମସ୍ତ ସଦସ୍ୟଙ୍କ ମଧ୍ୟରୁ ଅତିକମରେ ଏକ ତୃତୀୟାଂଶରୁ ଅଧିକ ମହିଳା ରହିବା ଉଚିତ୍ । ସେଥିପ୍ରତି ସରପଞ୍ଚ ୱାର୍ଡ ମେମ୍ବରମାନଙ୍କୁ ଧ୍ୟାନ ଦେବାକୁ ପଡିବ ନାହିଁ ।
ପଲ୍ଲିସଭା ଓ ଗ୍ରାମସଭା ପଞ୍ଚାୟତରାଜ ବ୍ୟବସ୍ଥାର ମୂଳଦୁଆ । ଏହାକୁ ସୁଦୃଢ କରିପାରିଲେ ବିକାଶର ଗତି ତ୍ୱରାନ୍ୱିତ ହୋଇପାରିବ । ମହିଳାମାନଙ୍କ ଭାଗୀଦାରୀତା ବଢାଇବା ସହ କୃଷକ, ଶ୍ରମିକ, ଛାତ୍ରଛାତ୍ରୀ, ସରକାରୀ, ବେସରକାରୀ କର୍ମଚାରୀ ସମସ୍ତଙ୍କୁ ସଫଳ ଗ୍ରାମସଭା ପାଇଁ ପ୍ରକୃଷ୍ଟ ପଦକ୍ଷେପ ।
- ଗ୍ରାମସଭା ବୌଠକରେ ଦିନ,ସମୟ, ସ୍ଥାନ ନିରୂପଣ
- ଗ୍ରାମବାସୀଙ୍କ ମଧ୍ୟରେ ସୂଚନା ପ୍ରସାର ପ୍ରଦାନ
- ଗ୍ରାମସଭାରେ ଗ୍ରାମବାସୀ ଓ ପ୍ରତିନିଧି ମାନେ ଯୋଗଦାନ
- କୋରମ ଗୃହିତ
- ସଭାପତିଙ୍କ ସଭାପତିତ୍ଵରେ ଗ୍ରାମସଭା ଆରମ୍ଭ
- ବିଷୟ ଭିତ୍ତିକ ଆଲୋଚନା, ପ୍ରସ୍ତାବ ଅନୁମୋଦନ ଓ ଗୃହିତ
- ସଂପାଦକଙ୍କ ଦ୍ଵାରା ବିବରଣୀ ଲିପିବଦ୍ଧ, ସର୍ବସାଧାରଣଙ୍କ ଦସ୍ତଖତ
- ସର୍ବସାଧାରଣଙ୍କ ପାଇଁ ପଠନ ଓ ସଭାପତିଙ୍କ ସ୍ଵାକ୍ଷର
ଆଧାର - ସେଣ୍ଟର ଫର ରୁରାଲ ଡେଭଲପମେଣ୍ଟ, ଭୁବନେଶ୍ଵର